ଖାଉଟି ସାମଗ୍ରୀ ବଣ୍ଟନ ପ୍ରକ୍ରିୟାରୁ ଆରମ୍ଭ କରି ସରକାରୀ ପାଣ୍ଠି ଉପଯୋଗରେ ସ୍ବଚ୍ଛତାର ଅଭାବ ପର୍ଯ୍ୟନ୍ତ, ବିଭିନ୍ନ ପ୍ରସଙ୍ଗରେ ସୂଚନା ଅଧିକାର ଆଇନ (RTI) ବଳରେ ଆବେଦନ ଦାଖଲ କରିଆସୁଛନ୍ତି ଗୁଜ୍ଜର ସଂପ୍ରଦାୟର ପଶୁପାଳକ ଅବଦୁଲ ରଶିଦ ଶେଖ। ନିଜର ୫୦ରୁ ଅଧିକ ମେଣ୍ଢା ଓ ପ୍ରାୟ ୨୦ଟି ଛେଳିଙ୍କୁ ସାଙ୍ଗରେ ନେଇ ପ୍ରତି ବର୍ଷ କାଶ୍ମୀର ଅନ୍ତର୍ଗତ ହିମାଳୟ ପାର୍ବତ୍ୟାଞ୍ଚଳ ସାରା ଘୂରି ବୁଲୁଥିବା ଏହି ୫୦ ବର୍ଷୀୟ ପଶୁପାଳକ ଜଣକ ଗତ ଦଶ ବର୍ଷ ମଧ୍ୟରେ ଦୁଇ ଡଜନରୁ ଅଧିକ ‘ଆରଟିଆଇ’ ଆବେଦନ ଦାଖଲ କରିସାରିଛନ୍ତି।
“ଆଗରୁ, ବିଭିନ୍ନ ସରକାରୀ ଯୋଜନା ଆରମ୍ଭ ହେବା ସଂପର୍କରେ (ସରକାରୀ) ଲୋକେ ଜାଣିପାରୁ ନଥିଲେ ଏବଂ ଆମେମାନେ ଆମ ଅଧିକାର ସଂପର୍କରେ ସଚେତନ ନ ଥିଲୁ,” ତାଙ୍କ କୋଠା (ମାଟି, ପଥର ଏବଂ କାଠରେ ତିଆରି ପାରମ୍ପରିକ ଘର) ଆଗରେ ଠିଆ ହୋଇ ଅବଦୁଲ କହନ୍ତି। ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ସେ ଓ ତାଙ୍କ ପରିବାର ଦୁଧପଥରି ଗାଁର ଏହି ଘରକୁ ଚାଲି ଆସନ୍ତି। ବଡ଼ଗାମ ଜିଲ୍ଲା ଅନ୍ତର୍ଗତ ଖାନସାହିବ ବ୍ଲକର ମୁଜପଥରି ଗାଁରେ ଥିବା ସେମାନଙ୍କ ଘରୁ ସେମାନେ ଏଠାକୁ ଆସିଥାଆନ୍ତି।
ଅବଦୁଲ ଆହୁରି କହନ୍ତି, “ଲୋକଙ୍କୁ ଆଇନ ଓ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଇବା ଦିଗରେ ଆରଟିଆଇ ଦାଖଲର ଗୁରୁ ଭୂମିକା ରହିଛି; ଏହା ଫଳରେ ସରକାରୀ କର୍ମଚାରୀଙ୍କ ସହିତ କେମିତି କଥାବାର୍ତ୍ତା କରିବାକୁ ହୁଏ ତାହା ବି ଆମେ ଶିଖିଥାଉ।” ଆରମ୍ଭରୁ, ନିଜେ ସରକାରୀ ବାବୁମାନେ ବି ସୂଚନା ଅଧିକାର ଆଇନ ସଂପର୍କରେ ଜାଣି ନଥିଲେ ଏବଂ “କୌଣସି ପ୍ରାସଙ୍ଗିକ ସରକାରୀ ଯୋଜନା ଏବଂ ସେଥିରେ ପାଣ୍ଠି ବିନିଯୋଗ ସଂପର୍କରେ ତଥ୍ୟ ମାଗିଲେ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ।”
ସରକାରୀ ବ୍ୟବସ୍ଥା ସହିତ ମୁକାବିଲା କାରଣରୁ ଗାଁ ଲୋକଙ୍କୁ ହଇରାଣ କରାଗଲା – ବ୍ଲକ୍ ଅଧିକାରୀମାନଙ୍କ ପ୍ରରୋଚନାରେ ପୋଲିସ ସେମାନଙ୍କ ବିରୋଧରେ ମିଥ୍ୟା ଏଫଆଇଆର (ଏତଲା) ଦାୟର କରୁଥିଲା। ଅବଦୁଲଙ୍କ ଭଳି ତଥ୍ୟାଭିଜ୍ଞ ନାଗରିକମାନେ, ଯେଉଁମାନେ ଏଠାରେ ଆରଟିଆଇ ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ, ସେମାନେ ହିଁ ଆକ୍ରୋଶର ସମ୍ମୁଖୀନ ହେଲେ।
“ସରକାରୀ କର୍ମଚାରୀମାନେ ହିଁ ଦୁର୍ନୀତିଗ୍ରସ୍ତ। ଏବେ ସେମାନଙ୍କ ସଂପତ୍ତି ଦେଖନ୍ତୁ.” ତାଙ୍କ କଥାର ସତ୍ୟତା ପ୍ରତିପାଦନ କରିବା ଲାଗି ସେ କହନ୍ତି। ସୂଚନା ଅଧିକାର ଆଇନ ବଳରେ ଆବେଦନ ଦାଖଲ କରିବା ସହିତ ଖାଦ୍ୟ, ବେସାମରିକ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ମୁଜପଥରି ଗାଁର ପ୍ରାୟ ୫୦ ଜଣ ଲୋକଙ୍କୁ ଖାଉଟି କାର୍ଡ ପ୍ରଦାନ ନିମନ୍ତେ ସେ ଦାବି ମଧ୍ୟ ଜଣାଇଲେ।











