ଆଜିକୁ ୨୫ ବର୍ଷ ହେଲା କାଗଜରେ ଠୁଙ୍ଗା ତିଆରି କରିଆସୁଛନ୍ତି ଛବି ଶାହା । “ପ୍ରଥମେ ମୁଁ ଗୋଟିଏ ଛୁରୀରେ କାଗଜକୁ ତିନି ଭାଗ କରି କାଟି ଦିଏ । ଫଳରେ ସେଥିରୁ ଛଅଟି ଖଣ୍ଡ ବାହାରେ । ଏହାପରେ ମୁଁ ତାକୁ ଗୋଲ କରି ଅଠା ଲଗାଏ । ତା’ପରେ ମୁଁ କାଗଜକୁ ବର୍ଗାକାରରେ ଭାଙ୍ଗି ଦିଏ ଏବଂ ଅନ୍ୟ ପଟେ ଅଠା ଲଗାଇ ଦିଏ । ଏମିତି ମୁଁ ଠୁଙ୍ଗା ତିଆରି କରେ,” ସେ କହନ୍ତି ।
ତାଙ୍କର ଦୁଇତାଲା ମାଟି ଘରର ବାରଣ୍ଡା ଏବଂ ଅଗଣାରେ ଏଣେତେଣେ ବିଛାଇ ହୋଇ ପଡ଼ିଥିବା ପୁରୁଣା ଖବରକାଗଜ ଭିତରେ ବସି କାମ କରୁଥିବା ବେଳେ ଆମ ସହିତ କଥାବାର୍ତ୍ତା କରନ୍ତି ଏହି ୭୫ ବର୍ଷୀୟା ଆଦିତ୍ୟପୁର ବାସିନ୍ଦା ।
୧୯୯୮ରେ ସେ ଯେତେବେଳେ ଏହି କାମ ଆରମ୍ଭ କଲେ, ସେତେବେଳେ ତାଙ୍କ ସ୍ୱାମୀ ଆନନ୍ଦଗୋପାଳ ଶାହା ବଞ୍ଚିଥିଲେ । ସେ ଗାଁ ଲୋକଙ୍କ ଗାଈ ଓ ଛେଳିର ଦେଖାରଖା କରି ଦିନକୁ ୪୦-୫୦ ଟଙ୍କା ରୋଜଗାର କରୁଥିଲେ । “ଆମେ ଗରିବ ଥିଲୁ,” ସୁନରି ସଂପ୍ରଦାୟର ଛବି ଶାହା କହନ୍ତି । “ଅଳ୍ପ କିଛି ରୋଜଗାର କରି ନିଜ ପାଇଁ ଖାଦ୍ୟ ଦି’ ମୁଠା ଯୋଗାଡ଼ କରିପାରିବି ବୋଲି ଭାବି ମୁଁ ଏହି କାମ କରିବାକୁ ସ୍ଥିର କଲି ।”
ତାଙ୍କ ପଡ଼ୋଶୀମାନେ ଫିଙ୍ଗି ଦେଉଥିବା ଖବରକାଗଜ ସଂଗ୍ରହରୁ ସେ ଏହି କାମ ଆରମ୍ଭ କଲେ । ସ୍ଥାନୀୟ ତେଜରାତି ଦୋକାନରୁ ଜିନିଷପତ୍ର ଆଣୁଥିବା ଠୁଙ୍ଗାକୁ ଦେଖି ଦେଖି ସେ ନିଜେ ନିଜେ ଏହା ତିଆରି କରିବା ଶିଖିଲେ । “ଏଥିପାଇଁ ଆବଶ୍ୟକ ସାମଗ୍ରୀ ସହଜରେ ମିଳିଯାଉଥିବାରୁ ଏବଂ ଘରେ ବସି ଏହାକୁ କରିହେଉଥିବାରୁ ମୁଁ ଏହି କାମକୁ ବାଛି ନେଲି”, ସେ ବୁଝାଇ ଦିଅନ୍ତି । “ପ୍ରଥମେ ମୁଁ ଆସ୍ତେ ଆସ୍ତେ କରୁଥିଲି, ଗୋଟିଏ ଗୋଟିଏ ଠୁଙ୍ଗା ତିଆରି କରିବାକୁ ମୋତେ ୨୫ରୁ ୩୦ ମିନିଟ ଲାଗିଯାଉଥିଲା,” କଥା ଯୋଡ଼ି କହନ୍ତି ଛବି ।
“ଦିନକୁ ମୁଁ ମାତ୍ର ଗୋଟିଏ କିଲୋ ପାଖାପାଖି (ଠୁଙ୍ଗା) କରିପାରୁଥିଲି,” କହି ଚାଲନ୍ତି ସେ ।








