ଏଥେ ରୋଟି କାଥ ମିଲଦି ହୈ, ଚିତ୍ତା ସାରେ ଆମ ମିଲଦା ହୈ (ଏଠାରେ ଖାଇବାକୁ ମିଳେନି, କିନ୍ତୁ ହେରୋଇନ ସହଜରେ ମିଳିଯାଉଛି)”।

ହରବଂଶ କୌରଙ୍କ ଏକମାତ୍ର ପୁଅ ହେଉଛି ଜଣେ ଡ୍ରଗଖିଆ ନିଶାଡି। “ଆମେ ତାକୁ ଅଟକଉଛୁ, କିନ୍ତୁ ସେ ଝଗଡ଼ା କରୁଛି ଓ ସବୁ ଟଙ୍କା ନେଇ ଡ୍ରଗରେ ଉଡ଼ଉଛି”, କହନ୍ତି ୨୫ ବର୍ଷ ବୟସ୍କ ସେହି ବାହା ହୋଇ ବାପା ହେଇସାରିଥିବା ପୁଅର ଅସହାୟ ମା’। ସେ କହନ୍ତି କି ଚିତ୍ତା (ହେରୋଇନ), ଇଂଜେକସନ ଓ କ୍ୟାପସୁଲ ଆଦି ସବୁ ପ୍ରକାର ଉପାୟରେ ନିଶାକରା ଡ୍ରଗ ସେମାନଙ୍କ ଗାଁରେ ଅତି ସହଜରେ ମିଳି ଯାଉଛି।

“ଯଦି ସରକାର ଚାହିଁବେ ତେବେ ଡ୍ରଗ ଅପବ୍ୟବହାର ରୋକିପାରିବେ। ଯଦି ନ ଚାହିଁବେ, ଆମର ଅଧିକରୁ ଅଧିକ ପିଲା ମରିବେ”। ରାଓକେ କଲାନ ଗାଁରେ ଥିବା ଗୋଟିଏ ଆଳୁ ଗୋଦାମରେ ହରବଂଶ କୌର ଦିନ ମଜୁରିଆ ଭାବେ କାମ କରନ୍ତି। ଗୋଟିଏ ବସ୍ତା ଆଳୁ ଭର୍ତ୍ତି କଲେ ତାଙ୍କୁ ୧୫ ଟଙ୍କା ମଜୁରି ମିଳେ, ଓ ସେ ଦିନକୁ ୧୨ ବସ୍ତା ଆଳୁ ଭର୍ତ୍ତି କରି ପାଖାପାଖି ୧୮୦ ଟଙ୍କା ରୋଜଗାର କରନ୍ତି। ହରବଂଶଙ୍କ ସ୍ଵାମୀ ୪୫ ବର୍ଷୀୟ ସୁଖଦେବ ସିଂ ତାଙ୍କ ଗାଁ ନଙ୍ଗଲଠାରୁ ପ୍ରାୟ ୪ କିମି ଦୂର ନିହାଲ ସିଂ ୱାଲାଠାରେ ଥିବା ଆଉ ଏକ ଗୋଦାମରେ ଗହମ ଓ ଚାଉଳ ବସ୍ତାରେ ଭର୍ତ୍ତି କରି ଦିନକୁ ପ୍ରାୟ ୩୦୦ ଟଙ୍କା ଆୟ କରନ୍ତି। ଏହି ଆୟ ଉପରେ ନିର୍ଭର କରି ସେମାନଙ୍କ ପରିବାର ଚଳେ।

ପଞ୍ଜାବର ମୋଗା ଜିଲ୍ଲାର ସେହି ଗାଁରେ ହରବଂଶଙ୍କ ପଡୋଶୀ କିରଣ କୌର ସିଧା ପ୍ରସଙ୍ଗକୁ ଆସି କହନ୍ତି, “ଯିଏ ଆମ ଗାଁକୁ  ଡ୍ରଗ-ମୁକ୍ତ କରିବ ସେ ଆମର ସବୁ ଭୋଟ ପାଇବ”।

କିରଣଙ୍କର ଏଭଳି ସ୍ପଷ୍ଟ ମତ ସହ ତାଙ୍କ ସ୍ଵାମୀ ଜଣେ ଡ୍ରଗ ସେବନକାରୀ ହୋଇଥିବା କଥାଟି ନିଃସନ୍ଦେହରେ ସମ୍ପର୍କିତ। ଗୋଟିଏ ତିନି ବର୍ଷର ଝିଅ ଓ ଆଉ ଗୋଟିଏ ଛ’ମାସର ପୁଅ ଭଳି ଦୁଇଟି ପିଲାଙ୍କ ମା’ କିରଣ କହନ୍ତି, “ମୋ ସ୍ଵାମୀ ଜଣେ ଅନିୟମିତ ଶ୍ରମିକ ଓ ଡ୍ରଗ ନିଶାଡ଼ି। ସେ ଯାହା ରୋଜଗାର କରେ ନିଶା କରିବାରେ ଉଡ଼େଇ ଦିଏ”।

ଆଠଜଣିଆ ପରିବାର ରହୁଥିବା ଘରର କାନ୍ଥରେ ଥିବା ବିରାଟ ଫାଟକୁ ଚାହିଁ କିରଣ କହନ୍ତି, “ମରାମତି କରିବାକୁ ଟଙ୍କା କୋଉଠୁ ଆସିବ?”

PHOTO • Sanskriti Talwar

ପଞ୍ଜାବର ମୋଗା ଜିଲ୍ଲାସ୍ଥିତ ନଙ୍ଗଲ ଗାଁରେ ରହୁଥିବା ହରବଂଶ କୌର ଓ ତାଙ୍କ ସ୍ୱାମୀ ସୁଖଦେବ ସିଂ ସେମାନଙ୍କର ଏକ ମାତ୍ର ପୁଅର ଡ୍ରଗ ନିଶା ଅଭ୍ୟାସ ଛଡ଼େଇବାକୁ ସଂଘର୍ଷରେ ଦିନ କାଟୁଛନ୍ତି

ମୋଗା ଜିଲ୍ଲାସ୍ଥିତ ନଙ୍ଗଲ ଗାଁ ଫରିଦକୋଟ ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି ଓ ସେଠାରେ ଆସନ୍ତା ଜୁନ ୧ ତାରିଖ ଦିନ ମତଦାନ ହେବ।

ଛ’ ମାସ ତଳେ ନଙ୍ଗଲ ଗାଁର ଜଣେ ୨୪-ବର୍ଷର ଯୁବକ ମାତ୍ରାଧିକ ଔଷଧ ସେବନ କରି ମୃତ୍ୟୁବରଣ କରିଥିଲେ। ପ୍ରାକ-ଜୀବନରେ ସେହି ଯୁବକଙ୍କ ମୃତ୍ୟୁ ଏବ ବି ଲୋକଙ୍କ ସ୍ମୃତିରେ ତାଜା ଅଛି। “ରୋଜଗାର (ବେକାରୀ କାରଣରୁ) ନଥିବାରୁ ଓ ଅଧିକାଂଶ ଯୁବକ ଖାଲି ବସୁଥିବାରୁ ଖରାପ ସାଙ୍ଗଙ୍କ ସହ ମିଶୁଛନ୍ତି”, କହନ୍ତି ପରମଜିତ କୌର, ଯେ କି ନଙ୍ଗଲ ଗାଁରେ ୨୦୦୮ ମସିହାରୁ ଆଶା (ଆକ୍ରେଡିଟେଡ ସୋସିଆଲ ହେଲଥ ଆକ୍ଟିଭିଷ୍ଟ) ପକ୍ଷରୁ କାମ କରୁଛନ୍ତି।

ସେ ପୁଣି କହନ୍ତି, “କେବଳ ସରକାର ହିଁ ଏହି ଅବସ୍ଥାକୁ ନିୟନ୍ତ୍ରଣ କରି ପାରିବେ”। ୨୦୨୨ ମସିହାରେ ହିଁ କେବଳ ପଞ୍ଜାବରେ ଅତ୍ୟଧିକ ଡ୍ରଗ ଯୋଗୁଁ ୧୪୪ ଜଣ ମୃତ୍ୟୁବରଣ କରିଛନ୍ତି। (ନ୍ୟାସନାଲ କ୍ରାଇମ୍ସ ରେକର୍ଡସ ବ୍ୟୁରୋ)

୨୦୨୨ ବିଧାନସଭା ନିର୍ବାଚନ ପ୍ରଚାର କାଳରେ ଆମ୍‌ ଆଦମି ପାର୍ଟି ଜାତୀୟ ଆବାହାକ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଦଳ କ୍ଷମତାକୁ ଆସିଲେ ତିନିମାସ ମଧ୍ୟରେ ପଞ୍ଜାବକୁ ଡ୍ରଗମୁକ୍ତ କରିବାକୁ ଘୋଷଣା କରିଥିଲେ। ପରବର୍ତ୍ତୀ କାଳରେ ଅଗଷ୍ଟ ୧୫, ୨୦୨୩ ରେ ପାଟିଆଲାଠାରେ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ନ   ଆଉ ଏକ ଘୋଷଣା କରି କହିଥିଲେ ଯେ ରାଜ୍ୟକୁ ଏକ ବର୍ଷ ମଧ୍ୟରେ ଡ୍ରଗମୁକ୍ତ କରାଯିବ।

ଅବକାରୀ ବିଭାଗ ମାଧ୍ୟମରେ ରାଜ୍ୟ ସରକାର କେତେକ ନିର୍ଦ୍ଦିଷ୍ଟ ମାଦକ ଦ୍ରବ୍ୟର ବିକ୍ରି, ବ୍ୟବହାର, ସେବନ ଓ ପରିବହନ ଆଦିକୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ମତରେ ଡ୍ରଗ ବିକ୍ରି ଓ ବ୍ୟବସାୟକୁ ମାଫିଆ ନିୟନ୍ତ୍ରିତ କରନ୍ତି। ନଙ୍ଗଲର କିଶାନ ମଜଦୁର ସଂଘର୍ଷ କମିଟିର ସଦସ୍ୟ, ବୁଟ୍ଟା ନଙ୍ଗଲ କହନ୍ତି ‘‘ଆମ ଗାଁ ବାହାରର ଲୋକ ଯାହାର ମୋଗା, ଲୁଧିୟାନା, ବର୍ଣ୍ଣାଲା ଏବଂ ଅନ୍ୟ ସ୍ଥାନ ସହିତ ସମ୍ପର୍କ ରହିଛି ଯାହାକି ସେମାନେ ଏହି ନିଶାଦ୍ରବ୍ୟ ଗାଁକୁ ଆଣିଥାନ୍ତି’’।

PHOTO • Sanskriti Talwar
PHOTO • Sanskriti Talwar

ଅବକାରୀ ବିଭାଗ ମାଧ୍ୟମରେ ରାଜ୍ୟ ସରକାର କେତେକ ନିର୍ଦ୍ଦିଷ୍ଟ ମାଦକ ଦ୍ରବ୍ୟର ବିକ୍ରି, ବ୍ୟବହାର, ସେବନ ଓ ପରିବହନ ଆଦିକୁ ନିୟନ୍ତ୍ରଣ କରିଥାନ୍ତି। ସ୍ଥାନୀୟ ଲୋକଙ୍କ ମତରେ ସୁସଂଗଠିତ ଭାବରେ ମାଫିଆମାନେ ଏହି ନିଶାଦ୍ରବ୍ୟ ବିକ୍ରୟ ଓ କାରବାର କରିଥାନ୍ତି। ମଜଦୁର ସଂଘର୍ଷ କମିଟି ସଦସ୍ୟ ବୁଟ୍ଟା ନଙ୍ଗଲ (ନୀଳ କୁର୍ତ୍ତା ପରିହିତ) ତାଙ୍କ ପରିବାର ସହ (ବାମରେ)। ନଙ୍ଗଲ ଗାଁର ଅମନଦୀପ କୌର ଓ କିରଣ କୌର (ଡାହାଣରେ)

ନାରକୋଟିକ ଡ୍ରଗସ ଏଣ୍ଡ ସାଇକୋଟ୍ରାପିକ ସବଷ୍ଟାନସ (ଏନଡିପିଏସ) ଆକ୍ଟ , ୧୯୮୫, ଅନୁଯାୟୀ ଭାରତରେ ଡ୍ରଗ ରଖିବା ଓ ବ୍ୟବହାର କରିବା ହେଉଛି ଧର୍ତ୍ତବ୍ୟ ଅପରାଧ। “କିନ୍ତୁ କୌଣସି ପଦକ୍ଷେପ ନନେବାକୁ ପୋଲିସକୁ ( ଚାପ )ଦିଆଯାଉଛି”, କହନ୍ତି କମିଟିର ଅନ୍ୟ ଜଣେ ସଦସ୍ୟ ସୁଖଚୈନ ସିଂହ। ସେ ପୁଣି କହନ୍ତି, ‘‘ଯଦି ବିଧାୟକ ଚାହିଁବେ ତେବେ ଆମ ଗାଁକୁ ଡ୍ରଗ ଆସିବା ସେ ବନ୍ଦ କରାଇ ଦେଇ ପାରିବେ”। ଏବେ କଂଗ୍ରେସ ଦଳରେ ଥିବା ପୂର୍ବତନ ସରପଞ୍ଚ ଲଖବୀର ସିଂହ ସହମତ ହୋଇ କହନ୍ତି, “ପିଛେ ତୋ ସରକାର ରୋକେ ତେ ରୁକୁଗା (ଯଦି ସରକାର ଚାହିଁବେ ତେବେ ଯାଇ ଏହା ବନ୍ଦ ହେବ)”।

“କିନ୍ତୁ ନେତାମାନେ ଏହି ସମସ୍ୟାକୁ ଧ୍ୟାନ ହିଁ ଦେଉ ନାହାନ୍ତି”, କହନ୍ତି ନଙ୍ଗଲନିବାସୀ କମଲଜିତ କୌର। ଫରିଦକୋଟର ଆପ୍‌ ପ୍ରାର୍ଥୀ କରମଜିତ ଅନମୋଲ ଡ୍ରଗ ଅପବ୍ୟବହାର ହେଉଛି ବୋଲି ତାଙ୍କ ରାଲିରେ ଆଦୌ କିଛି କହିଲେ ନାହିଁ। “ମହିଳା ମତଦାତାମାନଙ୍କ ପାଇଁ କେଉଁ ସୁବିଧା ଦିଆଯିବ କେବଳ ସେହି ପ୍ରତିଶ୍ରୁତି ଦେଇ ତାଙ୍କୁ ଆମ ଭୋଟ ଦେବାକୁ ସେ କହିଲେ”, କହନ୍ତି ୪୦ ବର୍ଷୀୟା କମଲଜିତ ଯେ କି ଦଳିତ ମଜହବି ଶିଖ ସମ୍ପ୍ରଦାୟ ସହ ସମ୍ପୃକ୍ତ। “ଦୁର୍ଭାଗ୍ୟର କଥା ଯେ, କୌଣସି  (ରାଜନୈତିକ) ଦଳ ଏ ବିଷୟରେ କିଛି ବି କହୁ ନାହାନ୍ତି” – ତାଙ୍କ ଗାଁରେ ମେ ମାସରେ ଆୟୋଜିତ ହେଉଥିବା କଂଗ୍ରେସ ଦଳ ପକ୍ଷରୁ ଡକା ଯାଇଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ସେ ଆହୁରି ଯୋଗ କଲେ।

*****

ତାଙ୍କ ସ୍ୱାମୀଙ୍କର ନିଶା ଛାଡ଼ିବାର କୌଣସି ଲକ୍ଷଣ ଦେଖାଯାଉ ନଥିଲା ବେଳେ ଘର ଚଳେଇବାର ସବୁ ଦାୟିତ୍ଵ କିରଣଙ୍କ କାନ୍ଧରେ ପଡ଼ିଛି, ଯେ କି ଜମିମାଲିକଙ୍କ ବିଲରେ ଶ୍ରମିକ ଭାବେ କାମ କରନ୍ତି। ଏହି ୨୩-ବର୍ଷୀୟା ଝିଅଟି ଶେଷ ଥର ପାଇଁ ଗତ ଫେବୃଆୟାରୀରେ ଯେତେବେଳେ କିଛି ମଜୁରି ପାଇଥିଲା ସେତେବେଳେ ଗଛ ଛାଇରେ ନିଜ କଅଁଳା ଛୁଆକୁ ଶୁଆଇ ଦେଇ ସେ ଆଳୁ ଖୋଲିବା କାମ କରିଥିଲା। ସେ କାମ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଯଦିଓ ବା ସେଥିପାଇଁ ତାକୁ ୪୦୦ ଟଙ୍କା ଦେବାକୁ କହିଥିଲେ, କିନ୍ତୁ ଦେଲା ବେଳକୁ ଦେଲେ ମାତ୍ର ୩୦୦ ଟଙ୍କା।

ତା’ର ପଡୋଶୀ ଓ ସାଙ୍ଗ ଅମନଦୀପ ତା’ ସହିତ କାମ କରେ ଓ କୁହେ, ଉଚ୍ଚ ଜାତିର ଚାଷୀମାନେ ସେମାନଙ୍କୁ ପ୍ରତିବାଦ କରିବାକୁ ଡାକି ନିଅନ୍ତି, କିନ୍ତୁ ସେମାନଙ୍କ ପରି ଶ୍ରମିକଙ୍କୁ ଠିକ ମଜୁରି ଦିଅନ୍ତି ନାହିଁ। “ଆମ ସହିତ କିଏ ଅଛି? କେହି ନାହିଁ। ଆମେ ହରିଜନ ହୋଇଥିବାରୁ ଆମକୁ ପଛରେ ରହିବାକୁ କୁହାଯାଏ, କିନ୍ତୁ ଆମେ ଅନ୍ୟ ସମସ୍ତଙ୍କଠାରୁ ଅଧିକ କାମ କରୁ”।

PHOTO • Sanskriti Talwar
PHOTO • Sanskriti Talwar

ଅମନଦୀପ କୌର ଓ କିରଣ କୌର (ଗୋଲାପୀ ରଙ୍ଗ) ରନ୍ଧାବଢ଼ା କରୁଛନ୍ତି ସରବଜିତ କୌର ଚାକିରି ଖୋଜିବାକୁ ଇଂଲଣ୍ଡ ଯିବା ଅବସରରେ ଘରକୁ ଆସୁଥିବା ସମ୍ପର୍କୀୟମାନଙ୍କୁ ଚର୍ଚ୍ଚା କରିବା ପାଇଁ। କିରଣଙ୍କର ଶାଶୁ ବଲଜିତ କୌର (ହଳଦିଆ) ପଞ୍ଜାବ ସ୍ଥିତ ସେମାନଙ୍କର ନଙ୍ଗଲ ଗାଁରେ

ପଞ୍ଜାବ ଜନସଂଖ୍ୟାର ୩୧.୯୪ ଭାଗ ହେଉଛନ୍ତି କିରଣ ଓ ଅମନଦୀପଙ୍କ ପରି ଦଳିତ ଲୋକ – ଆମ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ। ଦିନକୁ ମଜୁରି ପରିମାଣ ୭୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିବା ହେଉଛି ଦଳିତ ଶ୍ରମିକମାନଙ୍କର ଏକ ମୁଖ୍ୟ ଦାବି।

ଅମନଦୀପଙ୍କ କହିବା ଅନୁଯାୟୀ ବିଲ କାମ କରୁଥିବା ମହିଳା ଶ୍ରମିକଙ୍କ ପାଇଁ କାମ କରିବା ସୁଯୋଗ ପୁଣି ଯାଇ ଖରିଫ ଋତୁ ହେଲେ ଆସିବ, ଯେତେବେଳେ ଧାନ ରୋଇବା ପାଇଁ ଏକର ପିଛା ୪୦୦୦ ଟଙ୍କା ମଜୁରି ମିଳିବ ଓ ସେଥିରୁ ପ୍ରତି ଶ୍ରମିକକୁ ଦିନକୁ ମିଳିବ ୪୦୦ ଟଙ୍କା। ସେ ପୁଣି କହନ୍ତି, “ତା’ ପରେ ପୂରା ଶୀତ ଦିନ ଯାକ ଆଉ କାମ ମିଳିବ ନାହିଁ’’।

ଅନ୍ୟ ସୁଯୋଗଟି ହେଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଗୋଟିଏ ପରିବାରକୁ ବର୍ଷକ ମଧ୍ୟରେ ଅନ୍ୟୁନ ୧୦୦ ଦିନର କର୍ମଯୋଗାଣ ବ୍ୟବସ୍ଥା। କିନ୍ତୁ ବାସ୍ତବରେ ସେମାନଙ୍କୁ ତାଙ୍କ ଗାଁରେ ୧୦ ଦିନରୁ ଅଧିକ ଦିନର କାମ କରିବାକୁ ମିଳୁନାହିଁ ବୋଲି କହନ୍ତି କିରଣଙ୍କ ଶାଶୁ ୫୦-ବର୍ଷୀୟା ବଲଜିତ କୌର।

ଘର ଖର୍ଚ୍ଚ ତୁଲେଇବାକୁ ବଲଜିତ ଜଣେ ଉଚ୍ଚ ଜାତିର ଘରେ ଦିନକୁ ୨୦୦ ଟଙ୍କା ପାରିଶ୍ରମିକରେ କାମ କରେ। ଅମନଦୀପ ପ୍ରତି ପଢ଼ାବହିରେ ପ୍ଲାଷ୍ଟିକ ମଲାଟ ମଡ଼େଇବା ପାଇଁ ୨୦ ଟଙ୍କା ପାରିଶ୍ରମିକ ପାଇବାକୁ କାମ କରେ। ଏହି ମହିଳାମାନେ କହନ୍ତି ଯେ ୨୦୨୨ ମସିହା ନିର୍ବାଚନ ସମୟରେ ମାସକୁ ଅଧିକ ୧୦୦୦ ଟଙ୍କା ଦେବା ପାଇଁ ଆମ୍‌ ଆଦମୀ ପାର୍ଟି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ସେମାନଙ୍କୁ ବହୁତ ସାହାଯ୍ୟ କରିବ ବୋଲି ସେମାନେ ଭାବିଥିଲେ। “ଆମେ ମରିପଡ଼ିକି ୨୦୦ ଟଙ୍କା ଦେଇ ଫର୍ମ ଭରିଲୁ, କିନ୍ତୁ କିଛି ମିଳିଲାନି”, କହନ୍ତି ବଲଜିତ।

PHOTO • Sanskriti Talwar
PHOTO • Sanskriti Talwar

ମୋଗା ଜିଲ୍ଲାର ନଙ୍ଗଲ ଗାଁରେ ବଲଜିତ ଓ କିରଣଙ୍କ ଘର। ସରବଜିତ କୌର ଚାକିରି ଖୋଜିବାକୁ ଇଂଲଣ୍ଡ ଯିବା ପାଇଁ ଜିନିଷ ପ୍ୟାକିଂ କରୁଛନ୍ତି। 'ଏଠି ପଞ୍ଜାବରେ ରହି ସମୟ ନଷ୍ଟ କରିବାରେ କିଛି ଲାଭ ନାହିଁ। ଏଠି କେବଳ ନିଶା କରୁଛନ୍ତି,' କହେ  ସରବଜିତ

ସରବଜିତ ଅତି ଅସହାୟ ଭାବେ ୨୪-ବର୍ଷୀୟା ସାନ ଝିଅକୁ ଚାକିରି କରିବାକୁ ଇଂଲଣ୍ଡ ପଠାଇବା ପାଇଁ ପ୍ରସ୍ତୁତ କରୁଛନ୍ତି। ଏହି ସ୍ଵପ୍ନ ପୂରଣ କରିବା ପାଇଁ ୧୩ ଲକ୍ଷ ଟଙ୍କାର ଖର୍ଚ୍ଚ ମହାଜନଙ୍କଠାରୁ ସୁଧରେ ଉଧାର ଆଣିବା ସହ ସେମାନଙ୍କ କାର୍‌ ଓ ମୋଟର ସାଇକେଲ ବିକ୍ରି କରିବାକୁ ପଡ଼ିଛି।

ଦୁଇ ବର୍ଷ ତଳେ ସରବଜିତ ଶିକ୍ଷାରେ ସ୍ନାତକ ପଢ଼ା ଶେଷ କରିଥିଲେ ବି ସେବେଠାରୁ ତାକୁ କିଛି କାମ ମିଳି ନାହିଁ। “ଯେହେତୁ ପଞ୍ଜାବରେ କାମଧନ୍ଦା କିଛି ନାହିଁ ଏଠି ରହି ସମୟ ନଷ୍ଟ କରିବାର କିଛି ଲାଭ ନାହିଁ। ଏଠି କେବଳ ନିଶା କରୁଛନ୍ତି”, କହେ  ସରବଜିତ।

ସେଇ ୨୪ -ବର୍ଷୀୟାଟି ତାକୁ କୌଣସି ଚାକିରି ମିଳିଲା ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ ରହିବ। “ବିଦେଶକୁ ଯିବା ମୋ ପିଲାଦିନର ସ୍ଵପ୍ନ। କିନ୍ତୁ ଏବେ ସେହି ସ୍ଵପ୍ନ ଆବଶ୍ୟକତା ପାଲଟି ଯାଇଛି।“ ଆଖପାଖ ଗାଁରେ ଦିନକୁ ଦୁଇଥର ନେଇ କ୍ଷୀର ଦେବାରେ ସେମାନଙ୍କର ଯେଉଁ ପାରିବାରିକ ଆୟ ହେଉଛି ସେଥିରେ ଋଣ ପରିଶୋଧ ଓ ଘର ଖର୍ଚ୍ଚ ତୁଲେଇ ଦେଇ ହେଉଛି।

“ବାପା ମା’ ଭାବେ ଦିନେ ନା ଦିନେ ତାକୁ ବାହା କରି ଘରୁ ବିଦା କରିଦେବୁ, କିନ୍ତୁ ଏବେ ତାକୁ ଆମେ ବିଦେଶ ପଠାଉଛୁ। ଅନ୍ତତଃ ସେ ନିଜ ଗୋଡ଼ରେ ନିଜେ ଠିଆ ହେଇଯାଇ ପାରିବ ଓ ତା’ ମନକୁ ପାଇଲା ପରି ଜଣେ କାହାକୁ ବାଛି ବାହା ହେବ”, କହେ ବଲଜିତ କୌର।

ଅନୁବାଦ: ଓଡ଼ିଶାଲାଇଭ୍‍

Sanskriti Talwar

Sanskriti Talwar is an independent journalist based in New Delhi, and a PARI MMF Fellow for 2023.

Other stories by Sanskriti Talwar
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE