“କାଗଜ ହିଁ ଠିକ୍‌ ଥିଲା। ମେସିନ୍‌ରେ ଆପଣ ଜାଣନ୍ତିନି ଯେ କେଉଁ ସୁଇଚ ଟିପା ହେଉଛି ଏବଂ କିଏ ଭୋଟ ପାଉଛି!”

କଲମୁଦିନ ଆନସାରୀଙ୍କ କହିବା ଅନୁସାରେ, ଇଭିଏମ୍‌ (ଇଲେକ୍ଚ୍ରୋନିକ ଭୋଟିଂ ମେସିନ୍‌) ତୁଳନାରେ ସେ କାଗଜ ଭୋଟକୁ ନିଶ୍ଚିତ ଭାବରେ ପସନ୍ଦ କରନ୍ତି। ଝାଡ଼ଖଣ୍ଡରେ ଏପ୍ରିଲ ମାସର ପ୍ରଚଣ୍ଡ ତାତିରୁ ତ୍ରାହି ପାଇବା ଲାଗି ମୁଣ୍ଡରେ ଧଳା ଗାମଛା (ଗାମୁଛା) ଗୁଡ଼ାଇ ଥିବା ପାଲାମୁ ଅନ୍ତର୍ଗତ କୁମନି ଗାଁର ଏହି ୫୨ ବର୍ଷ ବୟସ୍କ ବାସିନ୍ଦା ଜଣକ ଥିଲେ ସେଠାକାର ମୱେଶି (ଗାଈଗୋରୁ) ହାଟରେ। ଗାମୁଛା ଯାହାକୁ ପାରମ୍ପରିକ ଭାବେ ତଉଲିଆ, ସ୍କାର୍ଫ କିମ୍ବା ପଗଡ଼ି ଭାବେ ବ୍ୟବହାର କରାଯାଇଥାଏ। ଗାମଚା ବା ଗାମୁଛାକୁ ଅନୁକୂଳ ଗୁଣ ଥିବା ଏକ ବସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତାଙ୍କ ବଳଦ ବିକିବା ପାଇଁ ୧୩ କିଲୋମିଟର ବାଟ ପାଦରେ ଚାଲି ଚାଲି ସେ ଏହି ସାପ୍ତାହିକ ହାଟକୁ ଆସିଥିଲେ। “ଆମର ପଇସା ଦରକାର,” ସେ କହନ୍ତି।

ଗତ ବର୍ଷ (୨୦୨୩) ତାଙ୍କ ଧାନ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ରବି ଋତୁରେ ସେ ସୋରିଷ ବୁଣିଥିଲେ, ହେଲେ ତିନି ଭାଗରୁ ଭାଗେ ପୋକ ଲାଗି ନଷ୍ଟ ହୋଇଯାଇଥିଲା। କଲମୁଦିନ କହନ୍ତି, “ଆମେ ପ୍ରାୟ ୨.୫ କୁଇଣ୍ଟାଲ ଅମଳ କରିଥିଲୁ। ସବୁତକ ଋଣ ଶୁଝିବାରେ ଲାଗିଗଲା।”

କଲମୁଦିନ ଜଣେ ଚାଷୀ ଏବଂ ଚାରି ବିଘା (ପାଖାପାଖି ତିନି ଏକର) ଜମି ଚାଷ କରନ୍ତି। ଏବେ ସେ ବିଭିନ୍ନ ସମଯରେ ସେଠାକାର ସାହୁକାରମାନଙ୍କ ପାଖରୁ ନେଇଥିବା ଋଣ ବୋଝ ତଳେ ଦବି ରହିଛନ୍ତି। “ ବହୁତ ପୈସା ଲେ ଲେୱା ଲେ (ସେମାନେ ବହୁତ ପଇସା ନେଇଗଲେଣି), ସେ କହନ୍ତି।” ସେ ଆହୁରି କହନ୍ତି ଯେ, ପ୍ରତି ଶହେ ଟଙ୍କା ଲାଗି ସେ ମାସିକ ପାଞ୍ଚ ଟଙ୍କା ସୁଧ ଦେଉଛନ୍ତି ଏବଂ ଏଥିରେ ତାଙ୍କ ଅଣ୍ଟା ଭାଙ୍ଗି ଗଲାଣି। “ମୁଁ ୧୬,୦୦୦ ଟଙ୍କା ଋଣ କରିଥିଲି, ଏବେ ତାହା  ୨୦,୦୦୦ ହେଲାଣି, କିନ୍ତୁ ମୁଁ ସେଥିରୁ ମାତ୍ର ୫,୦୦୦ ଟଙ୍କା ଶୁଝି ପାରିଛି।”

ତାଙ୍କ ପାଖରେ ଏବେ ତାଙ୍କ ବଳଦ ବିକିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। “ଇସିଲିୟେ କିଷାନ୍‌ ଚୁରମରା ଜାତା ହୈ। ଖେତି କିୟେ କି ବୈଲ ବେଚା ଗୟା (ଏଥିପାଇଁ ଚାଷୀ ଦୁଃଖକଷ୍ଟ ଭୋଗୁଛି। ମୁଁ ଚାଷ କରିବାକୁ ଯାଇ ଶେଷରେ ବଳଦ ବିକିଲି),” କଲମୁଦିନ କହନ୍ତି। ୨୦୨୩ରେ ବର୍ଷା ହେବ ବୋଲି ସେ ଆଶା କରିଥିଲେ।

PHOTO • Ashwini Kumar Shukla

ପାଲାମୁର କୁମନି ଗାଁର ଜଣେ ଚାଷୀ କଲମୁଦିନ ଆନସାରୀ ତାଙ୍କ ବଳଦ ବିକିବା ପାଇଁ ୧୩ କିଲୋମିଟର ବାଟ ଚାଲି ଚାଲି ପାଥରର ସାପ୍ତାହିକ ଗୋରୁ ହାଟକୁ ଆସିଛନ୍ତି ବର୍ଷା ଅଭାବ ଏବଂ ପୋକ ଲାଗିବା ଯୋଗୁଁ ଗତ ବର୍ଷ ତାଙ୍କର ଧାନ ଚାଷ ଉଜୁଡ଼ି ଯାଇଥିଲା ଏବଂ ଏବେ ସେ ବିଭିନ୍ନ ସମୟରେ ସ୍ଥାନୀୟ ସାହୁକାରମାନଙ୍କ ପାଖରୁ ନେଇଥିବା ଋଣ ଭାର ତଳେ ଚାପି ହୋଇ ଯାଇଛନ୍ତି

ଝାଡ଼ଖଣ୍ଡର ୭୦ ପ୍ରତିଶତ ଚାଷୀଙ୍କ ପାଖରେ ଗୋଟିଏ ହେକ୍‌ଟରରୁ କମ୍‌ ଜମିର ମାଲିକାନା ରହିଛି। ପ୍ରାୟ ସବୁ ଚାଷଜମି ( ୯୨ ପ୍ରତିଶତ ) ବର୍ଷା ଜଳ ଉପରେ ନିର୍ଭର କରନ୍ତି ଏବଂ ପ୍ରାୟ ଏକ ତୃତୀୟାଂଶ ( ୩୩ ପ୍ରତିଶତ ) ଜମି କୂଅ ପାଣିରୁ ଜଳସେଚିତ ହୋଇଥାଆନ୍ତି। କଲମୁଦିନଙ୍କ ଭଳି କ୍ଷୁଦ୍ର ଚାଷୀମାନେ ଫସଲ ଅମଳ କରିବାର ଯେ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହାଁନ୍ତିନି ଏବଂ ସେଥିପାଇଁ ବିହନ ଓ ସାର କିଣିବା ଲାଗି ମହାଜନମାନଙ୍କ ପାଖରୁ ଋଣ ନେଇଥାଆନ୍ତି।

ତେଣୁ, ଯେ କେହି ତାଙ୍କ ଗାଁରେ ଜଳସେଚନ ବ୍ୟବସ୍ଥା କରିଦେବେ ତାଙ୍କୁ ହିଁ ଆସନ୍ତା ୨୦୨୪ର ସାଧାରଣ ନିର୍ବାଚନରେ ଭୋଟ ଦେବେ ବୋଲି ସେ କହନ୍ତି। ନୂଆଦିଲ୍ଲୀରୁ ୧,୦୦୦ କିଲୋମିଟର ଦୂରରେ ରହୁଥିବା ଏହି ଚାଷୀଙ୍କ ପାଖରେ ନା ଚେଲିଭିଜନ ଅଛି, ନା ସ୍ମାର୍ଟଫୋନ୍‌। ତେଣୁ ସେ ଇଲେକ୍ଟୋରାଲ ବଣ୍ଡ୍‌ ଭଳି ଜାତୀୟ ଖବର ସଂପର୍କରେ କିଛି ଜାଣନ୍ତି ନାହିଁ ବୋଲି କହନ୍ତି।

ଏହି ହାଟରେ, ପ୍ରାୟ ତିନି ଘଣ୍ଟା ଧରି ମୂଲଚାଲ କରିବା ପରେ ତାଙ୍କ ବଳଦକୁ ୫,୦୦୦ ଟଙ୍କାରେ ବିକ୍ରି କରନ୍ତି କଲମୁଦିନ।   ଅଥଚ ୭,୦୦୦ ଟଙ୍କା ପାଇବେ ବୋଲି ସେ ଆଶା କରିଥିଲେ।

ବଳଦ ବିକି ସାରିବା ପରେ ବି କଲମୁଦିନଙ୍କ ପାଖରେ ଅଛନ୍ତି ଦୁଇଟି ଗାଈ ଓ ଗୋଟିଏ ବାଛୁରୀ ଏବଂ ତାଙ୍କ ସାତ ଜଣିଆ ପରିବାର ଚଳାଇବା ସହିତ ସେମାନଙ୍କୁ ବି ସେ ପୋଷି ପାରିବେ ବୋଲି ଆଶା କରନ୍ତି। ଦୃଢ଼ ସ୍ୱରରେ ସେ କହନ୍ତି, “ଚାଷୀଙ୍କ ପାଇଁ ଯିଏ କିଛି କରିବେ, ଆମେ ତାଙ୍କୁ ହିଁ ଭୋଟ ଦେବୁ।”

ଲଗାଣ ମରୁଡ଼ିର ଦାଉ ସମ୍ଭାଳି ଆସୁଛି ଝାଡ଼ଖଣ୍ଡ ରାଜ୍ୟ: ୨୦୨୨ରେ ପ୍ରାୟ ସାରା ରାଜ୍ୟ - ୨୨୬ ବ୍ଲକ୍ - ମରୁଡ଼ି ପ୍ରପୀଡ଼ିତ ବୋଲି ଘୋଷିତ ହୋଇଥିଲା। ତା’ପର ବର୍ଷ (୨୦୨୩) ୧୫୮ଟି ବ୍ଲକ୍ ରରେ ମରୁଡ଼ି ପଡ଼ିଥିଲା।

PHOTO • Ashwini Kumar Shukla

ଲଗାତାର ୨୦୨୨ ୨୦୨୩ ରେ ମରୁଡ଼ିର ସମ୍ମୁଖୀନ ହୋଇଥିଲା ଝାଡ଼ଖଣ୍ଡ, ଯେଉଁଠିକାର ପ୍ରାୟ ସମସ୍ତ ଚାଷଜମି ବର୍ଷା ଉପରେ ନିର୍ଭରଶୀଳ ମାତ୍ର ଏକ ତୃତୀୟାଂଶ ଜମିରେ କୂପ ଜଳସେଚନ କରାଯାଇଥାଏ ତେଣୁ, କଲମୁଦିନ କହନ୍ତି, ଯେ କେହି ତାଙ୍କ ଗାଁରେ ଜଳସେଚନ ବ୍ୟବସ୍ଥା କରିଦେବେ, ତାଙ୍କୁ ହିଁ ସେ ଭୋଟ ଦେବେ

ଗତ ବର୍ଷ ପାଲାମୁ ଜିଲ୍ଲାର ସମସ୍ତ ୨୦ଟି ବ୍ଲକ୍‌ରେ ବର୍ଷା ଅଭାବ ଦେଖାଦେଇଥିଲା ଏବଂ ତେଣୁ, ଏ ବର୍ଷ, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ପରିବାର ପିଛା ୩,୫୦୦ ଟଙ୍କାର ମରୁଡ଼ି ସହାୟତା ହିଁ ସାଧାରଣ ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ତେଣେ, ଅନେକ ପରିବାର ଏହି ଅର୍ଥ ପାଇବାକୁ ଚାହିଁ ରହିଛନ୍ତି। ସୋନା ଦେବୀ କହନ୍ତି, “ମରୁଡ଼ି ସହାୟତା ଲାଗି ଫର୍ମ ପୂରଣ କରିବାକୁ ମୁଁ ଟଙ୍କା ଦେଲି। ଗୋଟିଏ ବର୍ଷ (୨୦୨୨) ପାଇଁ ୩୦୦ ଟଙ୍କା ଏବଂ ପର ବର୍ଷ (୨୦୨୩) ୫୦୦ ଟଙ୍କା ଦେଲି। କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କିଛି ହେଲେ ପାଇନାହିଁ।”

ସମୟ ଦିନ ଦି ପହର ପାଖାପାଖି। ଝାଡ଼ଖଣ୍ଡର ବାରାନୁ ଗାଁରେ ଏବେ ପ୍ରବଳ ଖରାତାତି ଏବଂ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରେ ପହଞ୍ଚିଲାଣି। ଛେଣି ଓ ହାତୁଡ଼ିରେ କାଠକୁ ଖଣ୍ଡ ଖଣ୍ଡ କରିବାରେ ଲାଗି ପଡ଼ିଛନ୍ତି ୫୦ ବର୍ଷୀୟା ସୋନା ଦେବୀ। ଏ କାଠ ରନ୍ଧା କାମରେ ଲାଗିବ। ଗତ ବର୍ଷ ତାଙ୍କ ସ୍ୱାମୀ କାମେଶ ଭୁଇୟା ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ଏ କାମର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି ସୋନା ଦେବୀ। ଗୁଜରାଣ ମେଣ୍ଟାଇବା ଲାଗି ଚାଷବାସ ଉପରେ ନିର୍ଭର କରନ୍ତି ଭୂଇୟା ଦଳିତ ସଂପ୍ରଦାୟର ଏହି ଦମ୍ପତି।

କାମେଶ କହନ୍ତି, ୨୦୧୪ରେ ସେ ବର୍ତ୍ତମାନର ବିଧାୟକ ଆଲୋକ ଚୌରାସିୟାଙ୍କ ପାଇଁ ପ୍ରଚାର କରିଥିଲେ ଏବଂ ତାଙ୍କ ନିର୍ବାଚନ ପ୍ରଚାର ନିମନ୍ତେ ୬,୦୦୦ ଟଙ୍କାରୁ ଅଧିକ ସଂଗ୍ରହ କରିପାରିଥିଲେ। କିନ୍ତୁ ବିଧାୟକ “୧୦ ବର୍ଷରେ ଥରେ ହେଲେ ତାଙ୍କ ଅଞ୍ଚଳକୁ ଆସିନାହାନ୍ତି।”

ତାଙ୍କ ଦୁଇ ବଖୁରିଆ ମାଟି ଘରକୁ ଲାଗି ତାଙ୍କର ୧୫ କଠା (ମୋଟାମୋଟି ଅଧା ଏକର) ଜମି ରହିଛି। “ଦୁଇ ବର୍ଷ ହେଲା ସେଥିରେ କିଛି ହେଲେ ଚାଷ ହୋଇନାହିଁ। ଗତ ବର୍ଷ (୨୦୨୨) ଆଦୌ ପାଣି ନଥିଲା।  ଏ ବର୍ଷ (୨୦୨୩) ଅଳ୍ପ ବର୍ଷା ହୋଇଛି, କିନ୍ତୁ ଧାନ ଚାରା ସେତେ ଭଲରେ ବଢ଼ିନାହିଁ,” ସୋନା କହନ୍ତି।

ସାଧାରଣ ନିର୍ବାଚନ ସଂପର୍କରେ ତାଙ୍କୁ ଏହି ରିପୋର୍ଟର ଯେତେବେଳେ ପ୍ରଶ୍ନ କଲେ, ସେ ତୁରନ୍ତ ମୁହଁ ଉପରେ ଜବାବ ଦେଲେ, “କିଏ ଆମକୁ ପଚାରୁଛି ? କେବଳ ଭୋଟ୍‌ ସମୟରେ, ସେମାନେ (ରାଜନେତାମାନେ) ଆମ ପାଖକୁ ଆସି ‘ ଦିଦି (ଭଉଣୀ), ଭୈୟା (ଭାଇ) ଆଉ ଚାଚା (କକା) ବୋଲି ଡାକନ୍ତି। ଜିତିଗଲା ପରେ ସେମାନେ ଆମକୁ ଚିହ୍ନି ବି ପାରନ୍ତିନି।” ଲାଗି ଲାଗି ଦୁଇ ବର୍ଷର ମରୁଡ଼ି ଯୋଗୁଁ ଏବଂ ରୋଗାକ୍ରାନ୍ତ ସ୍ୱାମୀଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ତୁଲାଇବା ଲାଗି ୩୦,୦୦୦ ଟଙ୍କାର ଋଣଭାର ତଳେ ରହିଛନ୍ତି ଏହି ୫୦ ବର୍ଷୀୟା ମହିଳା। “ଆମକୁ ଯେଉଁ ଦଳ ସାହାଯ୍ୟ କରିବ, ଆମେ ତାକୁ ହିଁ ଭୋଟ୍‌ ଦେବୁ।”

ଏହି ରିପୋର୍ଟରଙ୍କ ଆଡ଼କୁ ଚାହିଁ ସେ ଆହୁରି କହନ୍ତି, “ଆପଣ ଯଦି (ରାଜନେତାମାନଙ୍କୁ ଭେଟିବାକୁ) ଯିବେ, ସେମାନେ ଆପଣଙ୍କୁ ଚଉକିରେ ବସାଇବେ। ଆମକୁ, ବାହାରେ ଅପେକ୍ଷା କରିବାକୁ କହିବେ।”

PHOTO • Ashwini Kumar Shukla
PHOTO • Ashwini Kumar Shukla

ପାଣି ଅଭାବରୁ ଚାଷ ହୋଇ ନପାରି ପଡ଼ିଆ ପଡ଼ିଛି ପାଲାମୁ ଅନ୍ତର୍ଗତ ଚିଆଙ୍କି ଗାଁର (ବାମ) ଚାଷଜମି।  ଏଥିରେ ରବି ଋତୁରେ ଚାଷୀମାନେ ଗହମ ଚାଷ କରୁଥିଲେ, ହେଲେ ଏବେ କୂଅଗୁଡ଼ିକ ଶୁଖି ଯାଇଥିବାରୁ ସେମାନେ ପିଇବା ପାଣି ପାଇଁ ଏଣେତେଣେ ଧାଉଁଛନ୍ତି। ତିନି ବର୍ଷ ତଳେ ନିର୍ମିତ ଗୋଟିଏ କେନାଲ (ଡାହାଣ) ନିର୍ମାଣ ହେବା ଦିନରୁ ହିଁ ଶୁଖିଲା ପଡ଼ିଛି

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ: ପାଲାମୁର ବାରାନୁ ଗାଁର ସୋନା ଦେବୀ ମରୁଡ଼ି ସହାୟତା ପାଇଁ ୨୦୨୩ରେ ଫର୍ମ ପୂରଣ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ପଇସା ଦେବାକୁ ପଡ଼ିଥିଲା। ଏ ପର୍ଯ୍ୟନ୍ତ ତାଙ୍କୁ ସହାୟତା ବାବଦ ଅର୍ଥ ମିଳିନାହିଁ। ‘ଗତ ବର୍ଷ (୨୦୨୨) ଆଦୌ ପାଣି ନଥିଲା’, ସେ କହନ୍ତି। ଡାହାଣ: ତାଙ୍କ ପଡ଼ୋଶୀ ମାଲତି ଦେବୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଥିଲେ। ‘ଆମେ ଗାଁର ଅନ୍ୟ ମହିଳାମାନଙ୍କ ସହ ଏ ସଂପର୍କରେ ଆଲୋଚନା କରିବୁ ଏବଂ ତା’ ପରେ କାହାକୁ ଭୋଟ ଦେବୁ ବୋଲି (ସାମୂହିକ ଭାବେ) ସ୍ଥିର କରିବୁ,’ ସେ କହନ୍ତି

ସୋନାଙ୍କ ପଡ଼ୋଶୀ ୪୫ ବର୍ଷୀୟା ମାଲତି ଦେବୀ  ମଧ୍ୟ ଜଣେ ଚାଷୀ। ସେ ତାଙ୍କର ପ୍ରାୟ ଏକ ବିଘା (ଗୋଟିଏ ଏକରରୁ କମ୍‌) ଜମିରେ ଚାଷ କରନ୍ତି ଏବଂ ଜଣେ କୃଷି ଶ୍ରମିକ ଭାବେ ମଧ୍ୟ କାମ କରନ୍ତି। “ଆମ ଜମିର (ଏକ ବିଘା ) ଫସଲ ବ୍ୟତୀତ ଆମେ ବଟାୟା (ଭାଗ ଚାଷୀ) ଭାବରେ ଅନ୍ୟ ଲୋକଙ୍କ ଜମି ଚାଷ କରି ଅତି କମ୍‌ରେ ୧୫ କୁଇଣ୍ଟାଲ ଚାଉଳ ପାଉଥିଲୁ। ଏ ବର୍ଷ ଆମେ ଆଳୁ ଚାଷ କରିଥିଲୁ, କିନ୍ତୁ ବଜାରରେ ବିକିବା ଭଳି ସେତେ ବେଶୀ ଆଳୁ ମିଳି ନଥିଲା,” ସେ କହନ୍ତି।

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇ ଖୁସି ହୋଇଥିବା ମାଲତି କହନ୍ତି ଯେ, ଏହି ଘର ପାଇଥିବାରୁ ସେ ପଞ୍ଜା ଛାପ୍‌ - କଂଗ୍ରେସ ଦଳର ନିର୍ବାଚନ ଚିହ୍ନ- ଛାଡ଼ି ମୋଦିଙ୍କୁ ଭୋଟ୍‌ ଦେଇଥିଲେ। “ଆମେ ଗାଁର ଅନ୍ୟ ମହିଳାମାନଙ୍କ ସହିତ ଆଲୋଚନା କରି କାହାକୁ ଭୋଟ ଦେବୁ ତାହା (ସାମୂହିକ ଭାବେ) ସ୍ଥିର କରିଥାଉ। ଆମ ଭିତରୁ କେତେ ଜଣଙ୍କର ହ୍ୟାଣ୍ଡ ପମ୍ପ୍‌ ଦରକାର, ଆଉ କାହାର କୂଅଟିଏ ତ ଆଉ କାହାର ବସତିରେ ଘର ଦରକାର। ଯେ କେହି ଆମର ଏହି ଆବଶ୍ୟକତା ପୂରଣ କରିବେ, ଆମେ ସେମାନଙ୍କୁ ଭୋଟ୍‌ ଦେବୁ,” ସେ କହନ୍ତି।

*****

“ଡାଲି, ଗହମ, ଚାଉଳ, ସବୁ କିଛି ମହଙ୍ଗା ହେଲାଣି,” ପାଲାମୁର ଚିଆଙ୍କି ଗାଁ ବାସିନ୍ଦା ଆଶା ଦେବୀ କହନ୍ତି। ବୟସର ତିରିଶ ଦଶକରେ ଥିବା ଏହି ଦମ୍ପତିଙ୍କର ଛଅଟି ସନ୍ତାନ; ତାଙ୍କ ସ୍ୱାମୀ, ୩୫ ବର୍ଷ ବୟସ୍କ ସଞ୍ଜୟ ସିଂହ ଶ୍ରମିକ ଭାବେ କାମ କରନ୍ତି। ଏହି ପରିବାର ଚେରୋ ଆଦିବାସୀ ସଂପ୍ରଦାୟ ର- ଝାଡଖଣ୍ଡର ୩୨ଟି ଅଧିସୂଚିତ ଜନଜାତି ମଧ୍ୟରୁ ଅନ୍ୟତମ। ସେ ଆହୁରି କହନ୍ତି, “ଭଲ ଚାଷବାସ ଋତୁରେ ଆମେ ଦୁଇ ବର୍ଷ ପାଇଁ ଯଥେଷ୍ଟ ପରିମାଣର ଖାଦ୍ୟ ଶସ୍ୟ ରଖିପାରୁଥିଲୁ। ଏବେ ସେହି ଜିନିଷ ଆମକୁ କିଣିବାକୁ ପଡୁଛି।”

ସେ ଯାହାହେଉ, ଦରଦାମ ବୃଦ୍ଧି ଏବଂ ମରୁଡ଼ି ଭଳି ପ୍ରସଙ୍ଗକୁ ନେଇ ସେ ଭୋଟ୍‌ ଦେବେ କି ବୋଲି ପ୍ରଶ୍ନର ଉତ୍ତରରେ ଆଶା ଦେବୀ କହନ୍ତି, ଲୋକ କହତା ହୈ କି ବଡ଼ି ମହଙ୍ଗାୟି ହୈ, କୁଛ ନେହିଁ କର ରହେ ହୈ ମୋଦି ଜୀ ଜେନେରାଲ ହମ୍‌ଲୋଗ ତୋ ଉସି କୋ ଚୁନ୍‌ ରହେ ହୈ (ଲୋକେ କହୁଛନ୍ତି କି ଦରଦାମ ଖୁବ୍‌ ବଢ଼ିଯାଇଛି। ମୋଦିଜୀ କିଛି ହେଲେ କରୁନାହାନ୍ତି। କିନ୍ତୁ ତଥାପି ଆମେ ତାଙ୍କୁ ହିଁ ପସନ୍ଦ କରୁଛୁ),” ଦୃଢ଼ ସ୍ୱରରେ ସେ ଏହି ରିପୋର୍ଟରଙ୍କୁ କହିଲେ। ସେ ଆହୁରି କହନ୍ତି ଯେ, ସେମାନେ କେବଳ ଜଣେ ପିଲାକୁ ଘରୋଇ ସ୍କୁଲକୁ ପଠାଇବାରେ ସକ୍ଷମ ହୋଇଛନ୍ତି, ସେ ବାବଦରେ ମାସକୁ ୧,୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

୨୦୧୯ ସାଧାରଣ ନିର୍ବାଚନରେ ମୋଟ ଭୋଟ୍‌ର ୬୨ ପ୍ରତିଶତରୁ ଅଧିକ ପାଇ ଭାରତୀୟ ଜନତା ପାର୍ଟିର ବିଷ୍ଣୁ ଦୟାଲ ରାମ ବିଜୟ ହାସଲ କରିଥିଲେ। ସେ ରାଷ୍ଟ୍ରୀୟ ଜନତା ଦଳର ଘୁରାନ ରାମଙ୍କୁ ହରାଇଥିଲେ। ଏ ବର୍ଷ ବିଷ୍ଣୁ ଦୟାଲ ରାମ ପୁଣି ବିଜେପି ପ୍ରାର୍ଥୀ ରୂପେ ଲଢୁଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳର ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଏହି ନିର୍ବାଚନ ମଣ୍ଡଳୀରେ ୧୮ ଲକ୍ଷ ଭୋଟର ଅଛନ୍ତି।

ଦରଦାମ ବୃଦ୍ଧି ବ୍ୟତୀତ, ଏଠାକାର ମରୁଡ଼ି ପରିସ୍ଥିତି ବାସ୍ତବରେ ଉଦ୍‌ବେଗଜନକ। “ଏଠାକାର ଲୋକଙ୍କୁ ପିଇବା ପାଣି ପାଇଁ ଚିନ୍ତା କରିବାକୁ ପଡୁଛି। ଗାଁ ଗହଳିର ଅନେକ କୂଅ ଶୁଖିଲା ପଡ଼ିଛି। ହ୍ୟାଣ୍ଡ ପମ୍ପରୁ ଅତି ବିଳମ୍ବରେ ପାଣି ବାହାରୁଛି,” ଆଶା ଦେବୀ କହନ୍ତି ଏବଂ, “କେନାଲ ତିଆରି ହେଲା ଦିନଠାରୁ, ଏଥିରେ କେବେହେଲେ ପାଣି ରହିନାହିଁ।”

PHOTO • Ashwini Kumar Shukla
PHOTO • Ashwini Kumar Shukla

ବାମ: ଚିଆଙ୍କି ଗାଁ ବାସିନ୍ଦା ଆଶା ଦେବୀ ଗାଁରେ ଗୋଟିଏ ତେଜରାତି ଦୋକାନ ଚଳାନ୍ତି ଏବଂ ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି। ‘ଡାଲି, ଗହମ, ଚାଉଳ, ସବୁ କିଛି ମହଙ୍ଗା ହେଲାଣି,’ ସେ କହନ୍ତି। ଡାହାଣ: ବାରାନୁର ଜଣେ ଚାଷୀ ସୁରେନ୍ଦ୍ର ଚୌଧରୀ ଗୋରୁହାଟରେ ତାଙ୍କ ଗାଈ ବିକିବାକୁ ଆସିଛନ୍ତି

PHOTO • Ashwini Kumar Shukla
PHOTO • Ashwini Kumar Shukla

ଚିଆଙ୍କି ଗାଁ ବାସିନ୍ଦା ଅମ୍ରିକା ସିଂହ ଗତ ଦୁଇ ବର୍ଷରେ ତିନି ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି। ଏ ବର୍ଷ ତାଙ୍କ କୂଅ (ଡାହାଣ) ଶୁଖି ଯାଇଛି। ‘ଚାଷୀଙ୍କ କଥା କିଏ ପଚାରେ ? ଦେଖନ୍ତୁ, ସୁଲଭ ଦର ଦାବିରେ କେତେ ଥର ଚାଷୀମାନେ ଆନ୍ଦୋଳନ କଲେଣି, ତଥାପି କିଛି ହେଲେ ବଦଳି ନାହିଁ,’ ସେ କହନ୍ତି

ଗତ ଦୁଇ ବର୍ଷରେ ତିନି ଲକ୍ଷ ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି ତାଙ୍କ ପଡ଼ୋଶୀ ଏବଂ ତାଙ୍କରି ସଂପ୍ରଦାୟର ଅମ୍ରିକା ସିଂହ । ସେ କହନ୍ତି, “ପୂର୍ବରୁ, ଆଉ କିଛି ନହେଲେ ବି ଆମେ ପନିପରିବା ଚାଷ କରିପାରୁଥିଲୁ। କିନ୍ତୁ ଏ ବର୍ଷ , ମୋ କୂଅଟି ପୂରା ଶୁଖି ଯାଇଛି।”

ପାଲାମୁର ଅନ୍ୟ ଚାଷୀମାନଙ୍କ ଭଳି, ଅମ୍ରିକା ମଧ୍ୟ ଏ ଅଞ୍ଚଳରେ ପାଣି ଅଭାବ ଉପରେ ଜୋର୍ ଦେଇ କହିଥିଲେ। “ପାଣି ନଥିଲେ ଚାଷବାସର କିଛି ମାନେ ନାହିଁ। କୂଅରୁ ପାଣି ନେଇ ଆମେ କେତେ ବା ଚାଷ କରିପାରିବୁ।”

ଉତ୍ତର କୋଏଲ ନଦୀ ଉପରେ ନିର୍ମିତ ମଣ୍ଡଲ ନଦୀବନ୍ଧରୁ ଚାଷୀଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଥିଲା। “ନେତାମାନେ କେବଳ ଫମ୍ପା ପ୍ରତିଶ୍ରୁତି ଦିଅନ୍ତି। ୨୦୧୯ ରେ  ମୋଦି କହିଥିଲେ ଯେ ମଣ୍ଡଲ ବନ୍ଧରେ ଗୋଟିଏ ଫାଟକ ଲାଗିବ। ଯଦି ଫାଟକ ବସିଥାଆନ୍ତା ତେବେ ଜଳ ଯୋଗାଣ ହୋଇପାରିଥାଆନ୍ତା,” ଅମ୍ରିକା ସିଂହ କହନ୍ତି। “ଚାଷୀଙ୍କ କଥା କିଏ ପଚାରେ ? ଦେଖନ୍ତୁ, ସୁଲଭ ଦର ଦାବିରେ ଚାଷୀମାନେ କେତେ ଥର ଆନ୍ଦୋଳନ କଲେଣି, ତଥାପି କିଛି ହେଲେ ବଦଳୁ ନାହିଁ। ସରକାର ଅଦାନି ଓ ଅମ୍ବାନିଙ୍କ ପକ୍ଷରେ ଅଛନ୍ତି, ସେମାନଙ୍କ ଋଣ ଛାଡ଼ କରୁଛନ୍ତି। ହେଲେ ଚାଷୀଙ୍କ ସଂପର୍କରେ କ’ଣ କରୁଛନ୍ତି ?”

“ଦେଖନ୍ତୁ, ଏବେ ବିଜେପି ସରକାର ରହିଛି। ଆମକୁ ଯାହା ଅଳ୍ପ କିଛି ମିଳୁଛି, ତାହା ସେମାନଙ୍କ ଯୋଗୁଁ। ଧରନ୍ତୁ, ସେମାନେ କିଛି କରିନାହାନ୍ତି, ତାହେଲେ ଅନ୍ୟ ଦଳ ବି ତ କିଛି କରିନାହିଁ,” ଚାଷୀ ସୁରେନ୍ଦର କହନ୍ତି। ଇଲେକ୍ଟୋରାଲ ବଣ୍ଡ ଏବଂ ବେକାର ସମସ୍ୟା କଥାକୁ ଏଡ଼ାଇ ଯାଇ ସେ କହନ୍ତି, “ସେ ସବୁ ବଡ଼ଲୋକଙ୍କ କଥା। ଆମେ ଏତେ ପାଠଶାଠ ପଢ଼ିନାହୁଁ ... ବଡ଼ ସମସ୍ୟା ହେଲା ପାଲାମୁ ଜିଲ୍ଲାରେ ଜଳସେଚନ। ଏଠାକାର ଚାଷୀ ପାଣି ପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଲାଣି।”

ପାଲାମୁର ବାରାନୁ ଗାଁରେ ସୁରେନ୍ଦରଙ୍କର ପାଞ୍ଚ ବିଘା (୩.୫ ଏକର) ଜମି ରହିଛି ଏବଂ ସେ ଚାଷକାମ ପାଇଁ ବର୍ଷା ଉପରେ ନିର୍ଭର କରନ୍ତି। “ଲୋକେ ଘରେ ବସି ବାଜି ଲଗାନ୍ତି। ଆମେ ଚାଷବାସରେ ବାଜି ଲଗାଉ।”

ଅନୁବାଦ : ଓଡ଼ିଶାଲାଇଭ୍‍

Ashwini Kumar Shukla

Ashwini Kumar Shukla is a freelance journalist based in Jharkhand and a graduate of the Indian Institute of Mass Communication (2018-2019), New Delhi. He is a PARI-MMF fellow for 2023.

Other stories by Ashwini Kumar Shukla
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE