ଛୋଟ ଝିଅ ହୋଇଥିବା ବେଳେ, କେକୁୱେ-ୟୁ ତାଙ୍କ ମା’ ଏବଂ ଜେଜେମା’ଙ୍କୁ ବିଛୁଆତି ଛାଲ କିମ୍ବା ଥେଭୋ ରେ ବୁଣାବୁଣି କରୁଥିବା ଦେଖୁଥିଲେ । ନିଜ ମା’ଙ୍କ ଦ୍ୱାରା ଅଧା ହୋଇଯାଇଥିବା ଖଣ୍ଡେ ଅଧେ ଉଠାଇ ସେ ଅଭ୍ୟାସ କରୁଥିଲେ । କିନ୍ତୁ ତାଙ୍କୁ ଲୁଚି ଲୁଚି ଏପରି କରିବାକୁ ପଡୁଥିଲା, କାରଣ ତାଙ୍କ ମା’ କୌଣସି ଖଣ୍ଡକୁ ସ୍ପର୍ଶ ନକରିବା ପାଇଁ ତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହିପରି ଭାବେ କେକୁୱେ-ୟୁ ଧୀରେ ଧୀରେ ଏବଂ ଗୁପ୍ତରେ ନାଗା ଶାଲ୍ ବୁଣିବାର କୌଶଳ ଶିଖିଗଲେ, ତାଙ୍କୁ ପ୍ରକୃତରେ କେହି ଶିଖାଇ ନଥିବା ସେ କୁହନ୍ତି ।
ଆଜି ସେ ଜଣେ କୁଶଳ କାରିଗର, ତାଙ୍କର ଚାଷ କାମ ଏବଂ ଘର କାମ ଭିତରେ ସେ ବୁଣାବୁଣି ପାଇଁ ସମୟ କାଢ଼ନ୍ତି । ‘‘ଭାତ ରାନ୍ଧିବା ପାଇଁ ପାଣି ଫୁଟିବାକୁ ଅପେକ୍ଷା କଲାବେଳେ, କିମ୍ବା ଯଦି କେହି ଆମ ପିଲାମାନଙ୍କୁ ବୁଲାଇବାକୁ ନେଇ ଯାଆନ୍ତି, ତେବେ ଆମେ ଏତିକି ବୁଣିବାକୁ ଚେଷ୍ଟା କରୁ,’’ ବିଶି ଆଙ୍ଗୁଠିର ମାପ ଦେଖାଇ ସେ କୁହନ୍ତି ।
କେକୁୱେ-ୟୁ ତାଙ୍କ ଦୁଇ ପଡ଼ୋଶୀ - ଭେହୁଜୁଲୁ ଏବଂ ଏୟିହିଲୁ ଚଟ୍ସାଙ୍କ ସହ ରୁକିଜୋ କଲୋନୀରେ ଥିବା ଟିଣ ଛାତ ଘରେ ବସିଛନ୍ତି । କେକୁୱେ-ୟୁଙ୍କ ଆକଳନ ଅନୁଯାୟୀ, ନାଗାଲାଣ୍ଡର ଫେକ୍ ଜିଲ୍ଲାର ଫୁତସେରୋ ଗ୍ରାମରେ ଥିବା ୨୬୬ ପରିବାରର ପ୍ରାୟ ୧୧ ପ୍ରତିଶତ ବୁଣାକାର ଭାବେ କାର୍ଯ୍ୟ କରନ୍ତି। ଏବଂ ମୁଖ୍ୟତଃ ଚାଖେଞ୍ଚା ସମ୍ପ୍ରଦାୟର କୁଝାମି ଉପ-ଗୋଷ୍ଠୀର ମହିଳାମାନେ (ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ) ଏହା କରନ୍ତି । କେକୁୱେ-ୟୁ କୁହନ୍ତି, “ଆମର ସ୍ୱାମୀମାନେ ସାହାଯ୍ୟ କରନ୍ତି, ସେମାନେ ମଧ୍ୟ ରୋଷେଇ କରି ପାରନ୍ତି, କିନ୍ତୁ ସେମାନେ ମହିଳାଙ୍କ ପରି ‘ଧୁରନ୍ଧର’ ନୁହଁନ୍ତି । ଆମକୁ ରୋଷେଇ, ଚାଷ, ବୁଣାବୁଣି ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡ଼େ ।”




















