କଟକଟ ଶବ୍ଦ କରି ଡାକଘରର ଝରକା ଖୋଲେ ଏବଂ ନିଜେ ଡାକବାଲା ଝରକା ବାଟେ ବାହାରକୁ ଚାହିଁ ଆମକୁ ସେଠାକୁ ଯାଉଥିବାର ଦେଖନ୍ତି ।
ହସହସ ମୁହଁରେ ରେଣୁକା ଆମକୁ ଡାକଘର ଭିତରକୁ ଆସିବା ପାଇଁ ଇସାରା କରନ୍ତି – ଡାକଘର କହିଲେ, ତାଙ୍କ ଦାଣ୍ଡଘରକୁ ଲାଗିଥିବା ଗୋଟିକିଆ କୋଠରିଟିଏ, ଯାହା ଭିତରକୁ ଯିବା ପାଇଁ ଘରକୁ ଲାଗି ଗୋଟିଏ ଦୁଆର ରହିଛି । ସେହି ଛୋଟିଆ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ବେଳେ ଆମେ ବାରି ପାରିଲୁ କାଗଜ ଓ କାଳିର ମିଶ୍ରିତ ଗନ୍ଧ, ସତେ ଯେମିତି ଆମକୁ ସ୍ୱାଗତ କରୁଥିଲା । ସମ୍ଭବତଃ ସେଦିନର ଶେଷ ଚିଠିଟିକୁ ସେ ଥାକରେ ରଖୁଥିଲେ । ଅଳ୍ପ ହସି ସେ ମୋତେ ବସିବା ପାଇଁ ଇଙ୍ଗିତ କଲେ । “ଆସନ୍ତୁ, ଆସନ୍ତୁ ! ଏଇଠି ଆରାମରେ ବସନ୍ତୁ ।”
ବାହାରେ ପାଗ ଗରମ ଥିଲେ ବି ଡାକବାବୁଙ୍କ ଅଫିସ୍ ଓ ଘରେ ଥଣ୍ଡା ଲାଗୁଥିଲା। ବାହାରର ଥଣ୍ଡା ପବନକୁ ଭିତରକୁ ଡାକି ଆଣିବା ଲାଗି କୋଠରିର ଏକମାତ୍ର ଝରକାଟି ଖୋଲା ରହିଥିଲା । ଚୂନଦିଆ କାନ୍ଥରେ ଝୁଲୁଥିଲା ଭଳିକି ଭଳି ହାତଅଙ୍କା ପୋଷ୍ଟର, ମାନଚିତ୍ର ଏବଂ ସାରଣୀ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଯେମିତି ଆଶା କରାଯାଏ, ଠିକ୍ ସେମିତି. ଛୋଟ କୋଠରିଟି ବେଶ ସଫା ସୁତୁରା ଥିଲା ଏବଂ ଜିନିଷପତ୍ର ସୁନ୍ଦର ଭାବରେ ସଜା ହୋଇ ରହିଥିଲା । କୋଠରିର ଅଧିକାଂଶ ଭାଗକୁ ଗୋଟିଏ ମେଜ ଏବଂ ଆଲମାରି ମାଡ଼ି ବସିଥିଲେ ସୁଦ୍ଧା ଏଥିରେ ସ୍ଥାନ ସଂକୁଚିତ ହେବା ଭଳି ଲାଗୁ ନଥିଲା ।
ତୁମକୁର ଜିଲ୍ଲା ଅନ୍ତର୍ଗତ ଦେବରାୟପାଟନା ସହରରେ ଜଣେ ଗ୍ରାମୀଣ ଡାକ ସେବକ ଭାବରେ କାର୍ଯ୍ୟରତ ଥିଲେ ୬୪ ବର୍ଷୀୟ ରେଣୁକାପ୍ପା । ତାଙ୍କ କାର୍ଯ୍ୟ ପରିସରରେ ରହିଥିଲା ସେ ଅଞ୍ଚଳର ଛଅଟି ଗାଁ ।
ସରକାରୀ ନିୟମ ଅନୁସାରେ ଦେବରାୟପାଟନାର ଏହି ଗ୍ରାମ୍ୟ ଡାକଘର ସକାଳ ୮ଟା ୩୦ରୁ ଅପରାହ୍ଣ ଗୋଟାଏ ଯାଏ ଖୋଲିବା କଥା । କିନ୍ତୁ ଏହି ଡାକଘରର ଏକମାତ୍ର କର୍ମଚାରୀ ହୋଇଥିବାରୁ, ରେଣୁକା ପ୍ରସାଦ ପ୍ରାୟ ସବୁଦିନ ସକାଳ ୭ଟାରେ କାମ ଆରମ୍ଭ କରନ୍ତି ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରୁଥାଆନ୍ତି । “ସାଢ଼େ ଚାରି ଘଣ୍ଟା ମୋ କାମ ସାରିବା ପାଇଁ ଯଥେଷ୍ଟ ନୁହେଁ,” ବୋଲି ଆମକୁ ବୁଝାଇ ଦିଅନ୍ତି ଏହି ଡାକବାଲା ।








