ଲୋକର କଥା ନୁହୁନିବା,
ବାଟର ନଙ୍ଗୋଲ ନାଚଚିବା।
[ଲୋକଙ୍କ କଥା ଶୁଣନାହିଁ,
ରାସ୍ତାକଡ଼େ ଲଙ୍ଗଳ ପଜାଅ ନାହିଁ।]



ଲୋକର କଥା ନୁହୁନିବା,
ବାଟର ନଙ୍ଗୋଲ ନାଚଚିବା।
[ଲୋକଙ୍କ କଥା ଶୁଣନାହିଁ,
ରାସ୍ତାକଡ଼େ ଲଙ୍ଗଳ ପଜାଅ ନାହିଁ।]
ଆସମୀୟ ଭାଷାରେ ଉପରୋକ୍ତ ରୂଢ଼ି ପ୍ରୟୋଗର ଅର୍ଥ ହେଲା ନିଜର କାମ ପ୍ରତି ଜଣେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଦରକାର।
ଚାଷୀମାନଙ୍କ ପାଇଁ ଲଙ୍ଗଳ ବନାଉଥିବା ହନିଫ ଅଲି କହନ୍ତି କି ଏହି ଆପ୍ତବାକ୍ୟଟି ତାଙ୍କ ପାଇଁ ଓ ସେ ବନାଉଥିବା ଅନ୍ୟାନ୍ୟ ଚାଷ ପାଇଁ ଦରକାରୀ ଉପକରଣଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। ତାଙ୍କ ଚତୁଃପାର୍ଶ୍ଵରେ ଥିବା କେନ୍ଦ୍ରୀୟ ଆସାମର ଦାରଙ୍ଗ ଜିଲ୍ଲାର ଦୁଇ ତୃତୀୟାଂଶ ଅଞ୍ଚଳ ହେଉଛି ଚାଷ ଜମି। ଏହି ବରିଷ୍ଠ କାରିଗର ଜଣକ ଚାଷ କାମରେ ବ୍ୟବହାରରେ ଲାଗିବା ଭଳି ଏକାଧିକ ଉପକରଣ ବନାନ୍ତି।
“ମୁଁ ସବୁ ପ୍ରକାରର ଚାଷ ଉପଯୋଗୀ ଉପକରଣ, ଯେମିତି କି ନଙ୍ଗୋଲ (ଲଙ୍ଗଳ), ଚୋଙ୍ଗୋ (ବାଉଁଶ ନିଶୁଣି), ଜୁଆଲ (ଜୁଆଳି), ହାଥ ନଇଁଗ୍ଲେ (ହାତ ଆଙ୍କୁଡ଼ା), ନଇଁଗ୍ଲେ (ଆଙ୍କୁଡ଼ା), ଢେକି (ଢିଙ୍କି), ଇଟାମାଗୁର (ହାତୁଡ଼ି) ଓ ହାରପାତ (ଶୁଖିଲା ଧାନକୁ ଭିଡ଼ି ଏକାଠି କରିବାକୁ ଲମ୍ବା ବାଉଁଶରେ ଲାଗିଥିବା ଅର୍ଦ୍ଧ-ବୃତ୍ତାକାର କାଠ ତିଆରି ଉପକରଣ) ଆଦି ବନାଏ”, ସେ କହିବା ଆରମ୍ଭ କରନ୍ତି।
ସେ ପଣସ ଗଛର କାଠ ବ୍ୟବହାର କରିବାକୁ ପସନ୍ଦ କରନ୍ତି, ଯାହାକୁ ସ୍ଥାନୀୟ ବଙ୍ଗାଳୀ ଉପଭାଷାରେ କାଠୋଲ ଓ ଆସାମୀରେ କୋଠାଲ କୁହାଯାଏ – ସେଥିରେ ସେ କବାଟ, ଝରକା ଓ ଖଟ ତିଆରି କରନ୍ତି। ହନିଫ କହନ୍ତି କି ସେ କିଣୁଥିବା କାଠରୁ ଖଣ୍ଡେ ହେଲେ ବି ନଷ୍ଟ କରିବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ ଓ ତେଣୁ ସେ ପ୍ରତି କାଠ ଖଣ୍ଡରୁ ଯେତେ ସମ୍ଭବ ଉପକରଣ ତିଆରି କରନ୍ତି।
ଲଙ୍ଗଳ ହେଉଛି ସଠିକ ମାପଚୁପରେ ତିଆରି ଉପକରଣ। “ମୁଁ କାଠ ଉପରେ ଦେଇଥିବା ଦାଗରୁ ଇଞ୍ଚେ ବି ଏପଟ ସେପଟ କରି ପାରିବିନି, ନଚେତ ପୁରା କାଠ ଖଣ୍ଡଟି ନଷ୍ଟ ହେଇଯିବ”, ସେପରି ସ୍ଥଳେ ତାଙ୍କ ହିସାବରେ ୨୫୦ରୁ ୩୦୦ ଟଙ୍କା କ୍ଷତି ହେଇଯିବ।

Mahibul Hoque

Mahibul Hoque
ତାଙ୍କ ଗ୍ରାହକମାନେ ହେଉଛନ୍ତି ପ୍ରାୟତଃ ଘରେ ବଳଦ ରଖିଥିବା ଜିଲ୍ଲାର ନାମମାତ୍ର ଚାଷୀ। ସେମାନେ ତାଙ୍କ ଜମିରେ ଫୁଲକୋବି, ବନ୍ଧାକୋବି, ମୂଳା, ଓଲକୋବି, ମଟର, ଲଙ୍କା, ଲାଉ, କଖାରୁ, ଗାଜର, କଲରା, ଟମାଟୋ ଓ କାକୁଡ଼ି ତଥା ସୋରିଷ ଓ ଧାନ ପରି ଏକାଧିକ ଫସଲ ଚାଷ କରନ୍ତି।
“ଯାହାର ଲଙ୍ଗଳ ଦରକାର ସେ ମୋ ପାଖକୁ ଆସେ”, କହନ୍ତି ବର୍ତ୍ତମାନ ଷାଠିଏ ଟପିଯାଇଥିବା ଏହି ବରିଷ୍ଠ କାରିଗର। “ପ୍ରାୟ ୧୦ ରୁ ୧୫ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ସମୁଦାୟ ଦୁଇଟି ଟ୍ରାକ୍ଟର ଥିଲା ଓ ଲୋକେ ସେମାନଙ୍କ ଜମିକୁ ହଳ କରିବାକୁ ଲଙ୍ଗଳ ପାଇଁ ମୋ ଉପରେ ନିର୍ଭର କରୁଥିଲେ”, ସେ ‘ପରୀ’କୁ କହନ୍ତି।
ଷାଠିଏ ବର୍ଷରୁ ଊର୍ଦ୍ଧ୍ଵ ମୁକାଡାସ ଅଲି ହେଉଛନ୍ତି ଯେଉଁ ଅଳ୍ପ କେତେଜଣ ବେଳେବେଳେ ନିଜ ଜମିକୁ କାଠ ଲଙ୍ଗଳରେ ହଳ କରନ୍ତି, ସେମାନଙ୍କ ଭିତରୁ ଜଣେ। “ମୁଁ ଏବେ ବି ମୋ ଲଙ୍ଗଳର କିଛି ମରାମତି ଦରକାର ପଡ଼ିଲେ, ହନିଫ ପାଖକୁ ଯାଏ। ସେ ହେଉଛନ୍ତି ଏକମାତ୍ର ଲୋକ ଯେ କି ନଷ୍ଟ ହୋଇଥିବା ଅଂଶକୁ ଠିକ୍ ରୂପେ ସଜାଡ଼ି ପାରନ୍ତି। ତାଙ୍କ ବାପାଙ୍କ ପରି ସେ ଭଲ ଲଙ୍ଗଳ ତିଆରି କରି ପାରନ୍ତି”।
ତେବେ ଅଲି କହନ୍ତି କି ଆଉ ଗୋଟିଏ ଲଙ୍ଗଳ ତିଆରି କରିବାରେ ଅର୍ଥ ବିନିଯୋଗ କରିବେ କି ନାହିଁ ସେହି ବାବଦରେ ସେ ନିଶ୍ଚିତ ନୁହନ୍ତି। “ବଳଦ ଦାମ୍ ବହୁତ ବଢ଼ି ଯାଇଛି ଓ କୃଷି ଶ୍ରମିକ ସହଜରେ ମିଳୁନାହାନ୍ତି, ପୁଣି ଲଙ୍ଗଳ ଲଗେଇ ହଳ କରିବାରେ ଟ୍ରାକ୍ଟର ଅପେକ୍ଷା ବହୁତ ଅଧିକ ସମୟ ଲାଗୁଛି”, ଲୋକେ କାହିଁକି ଟ୍ରାକ୍ଟର ଓ ପାୱାର ଟିଲର ବ୍ୟବହାର କରିବାକୁ ଚାହୁଁଛନ୍ତି ତାହା ବୁଝେଇବାକୁ ସେ କହନ୍ତି।

Mahibul Hoque

Mahibul Hoque
*****
ହନିଫ ହେଉଛନ୍ତି ଜଣେ ଦ୍ଵିତୀୟ ପିଢ଼ିର କାରିଗର; ସେ ଯେତେବେଳେ ପିଲା ଥିଲେ ସେତେବେଳୁ ଏହି କାରିଗରୀ କାମ ଶିଖିଲେ। “ମୁଁ ସ୍କୁଲକୁ ଅଳ୍ପ କେଇଦିନ ପର୍ଯ୍ୟନ୍ତ ଯାଇଥିଲି। ମୋ ମା’ କି ବାପା ପାଠ ପଢ଼େଇବା ପାଇଁ ଆଗ୍ରହୀ ନ ଥିଲେ, ଓ ମୁଁ ବି ପଢ଼ିବାକୁ ଯିବାକୁ ଚାହିଁଲିନି”, ସେ କହନ୍ତି।
ଅତି କମ୍ ବୟସରୁ ସେ ତାଙ୍କ ବାପା ହୋଲୁ ଶେଖଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। ହୋଲୁ ଶେଖ ଜଣେ ସମ୍ମାନନୀୟ ଓ କୁଶଳୀ କାରିଗର ଥିଲେ। “ବାବାଏ ସାରା ବୋସତିର ଜୋନେ ନାଙ୍ଗୋଲ ବନାଇତୋ। ନାଙ୍ଗୋଲ ବନାବାର ବା ଠିକ କୋରବାର ଜୋନେ ଆଙ୍ଗୋର ବାରିତ ଆଇତୋ ଶୋବ ଖେତିଓକ [ମୋ ବାପା ଗାଁର ସମସ୍ତଙ୍କ ପାଇଁ ଲଙ୍ଗଳ ବନାଉଥିଲେ। ସମସ୍ତେ ସେମାନଙ୍କ ଲଙ୍ଗଳ ତିଆରି କିମ୍ବା ମରାମତି କରିବାକୁ ଆମ ଘରକୁ ଆସୁଥିଲେ]”।
ସେ ଯେବେ ସାହାଯ୍ୟ କରିବା ଆରମ୍ଭ କଲେ, ତାଙ୍କ ବାପା କେବଳ ଦାଗ ଦେଉଥିଲେ – କୌଣସି ସମସ୍ୟା ନଦେଇ ଲଙ୍ଗଳ ଠିକ ରୂପେ କାମ କରିବା ପାଇଁ ସଠିକ ଦାଗ ଦେବା ଅତି ଜରୁରୀ। “ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ କଣା କରିବାକୁ ହେବ ତାହା ଜଣେ ନିଶ୍ଚିତ ରୂପେ ଜାଣିଥିବା ଦରକାର। କେଉଁ ସଠିକ କୋଣରେ ଆଡ଼ିକାଠଟି ମୁରିକାଠ ବା ଲଙ୍ଗଳ ସହ ଯୋଡ଼ା ହେବ ଜଣେ ନିଶ୍ଚୟ ଜାଣିଥିବା ଦରକାର”, ଯେଉଁ କାଠ ଖଣ୍ଡଟିରେ କାମ କରୁଥିଲେ ତା’ ଉପରେ ହାତ ଚଳଉ ଚଳଉ କହନ୍ତି ହନିଫ।
ବୁଝେଇବାକୁ ଯାଇ ସେ କହନ୍ତି କି ଯଦି ଲଙ୍ଗଳଟି ବେଶୀ କୋଣିଆ ହେଇଯିବ ତେବେ ସେଇଟିକୁ କେହି କିଣିବେନି, କାହିଁକି ନା ଲଙ୍ଗଳର ସେହି କଟା ହେଇଥିବା ଜାଗାରେ ମାଟି ପଶି ଜମି ରହିବ ଓ ତା’ ଦ୍ଵାରା ଫାଙ୍କ ସୃଷ୍ଟି ହେଇ କାମର ଗତିକୁ ଧୀର କରିଦେବ।
ତାଙ୍କୁ ପ୍ରାୟ ବର୍ଷେ ଲାଗିଗଲା ତାଙ୍କ ବାପାଙ୍କୁ ଯଥେଷ୍ଟ ଆତ୍ମବିଶ୍ୱାସର ସହ କହିବା ପାଇଁ, ”କେଉଁଠି ଦାଗ ଦେବାକୁ ହେବ ମୁଁ ଜାଣି ଗଲିଣି। ତୁମେ ଆଉ ବ୍ୟସ୍ତ ହେବା ଦରକାର ନାହିଁ”।

Mahibul Hoque

Mahibul Hoque
‘ହୋଲୁ ମିସ୍ତ୍ରୀ’ ଭାବେ ଜଣାଶୁଣା ତାଙ୍କ ବାପାଙ୍କ ସହ ମଧ୍ୟ ସେ ଯିବା ଆରମ୍ଭ କଲେ। ତାଙ୍କ ବାପାଙ୍କୁ ଜଣେ ଦୋକାନୀ ଓ ‘ହୁଇଟର’, ଅର୍ଥାତ ଯିଏ କି ନିର୍ଦ୍ଦିଷ୍ଟ ଭାବେ ଲଙ୍ଗଳ ବନାଉଥିବା ଜଣେ କାଠ କାରିଗର ଭାବେ ଦୁଇଗୁଣା କାମ କରିବାକୁ ପଡୁଥିଲା। ସେ ମନେ ପକାନ୍ତି କି ସେମାନଙ୍କୁ କେମିତି ଗୋଟିଏ ଲମ୍ବା ବାଡ଼ିରେ ସେମାନଙ୍କ ସାମଗ୍ରୀଗୁଡ଼ିକୁ ଝୁଲେଇ କାନ୍ଧ ଉପରେ ବୋହି ଘରକୁ ଘର ନେଇ ଯିବାକୁ ପଡୁଥିଲା।
ବାପାଙ୍କ ସହ କେତେ ବର୍ଷ କାମ କରିବା ଭିତରେ ହନିଫଙ୍କର ବୟସ ବଢ଼ିଗଲା ଓ ଛ’ଜଣିଆ ପରିବାରରେ ଏକ ମାତ୍ର ପୁଅ ଭାବେ ଭଉଣୀମାନଙ୍କ ବାହାଘର ଦାୟିତ୍ଵ ତାଙ୍କ ଉପରେ ପଡ଼ିଲା। “ଲୋକେ ଆମ ଘର ବିଷୟରେ ଜାଣିଥିଲେ ଓ ମିଳୁଥିବା ସବୁ ଅର୍ଡରକୁ ବାପା ଏକୁଟିଆ କରିବାକୁ ସକ୍ଷମ ନ ହେବାରୁ ମୁଁ ଲଙ୍ଗଳ ତିଆରି କରିବା ଆରମ୍ଭ କଲି”।
ତାହା ହେଲା ଚାଳିଶି ବର୍ଷ ତଳର କଥା। ଆଜିକା ଦିନରେ ହନିଫ ଏକା ରହୁଛନ୍ତି, ତାଙ୍କର ଘର ଓ କାମ କରିବା ସ୍ଥାନ ହେଉଛି ନମ୍ବର ୩, ବାରୁଝାର ବଜାରରେ ଥିବା ଗୋଟିଏ ବଖରାର ଘର, ଯେଉଁଠାରେ ତାଙ୍କ ପରି ଅନେକ ମୂଳ-ବଙ୍ଗଳା ମୁସଲିମ ଲୋକମାନେ ରହନ୍ତି। ଏହି ଅଞ୍ଚଳ ଡାଲଗାଓଁ ବିଧାନସଭା କ୍ଷେତ୍ରରେ ରହିଛି। ତାଙ୍କର ଏହି ବଖୁରିକିଆ ବାଉଁଶ ଛପର ଘରେ ରହିଛି ଗୋଟିଏ ଅଧପନ୍ତରିଆ ବିଛଣା, ଅଳ୍ପ କେତୋଟି ରୋଷେଇ କରିବା ସରଞ୍ଜାମ, ଯେମିତି କି ଭାତରନ୍ଧା ହାଣ୍ଡି, କଢ଼େଇଟିଏ, କେତୋଟି ଷ୍ଟିଲ ପ୍ଲେଟ ଓ ପାଣି ପିଇବା ଗ୍ଲାସ୍ ଇତ୍ୟାଦି।
“ମୋ ବାପାଙ୍କର ଓ ମୋର କାମ ଆମ ଅଞ୍ଚଳର ଲୋକଙ୍କ ପାଇଁ ଗୁରୁତ୍ଵ ରଖେ”, ଆଖପାଖରେ ରହୁଥିବା ପଡ଼ୋଶୀ ଭାବେ ରହୁଥିବା ଚାଷୀମାନଙ୍କୁ ଦୃଷ୍ଟିରେ ରଖି ସେ କହନ୍ତି। ସେ ବସିଥିବା ତାଙ୍କ ଘର ଅଗଣାଟି ସେଠାରେ ଥିବା ପାଞ୍ଚଟି ପରିବାର ଲୋକେ ବ୍ୟବହାର କରନ୍ତି, ଯେଉଁମାନେ ମଧ୍ୟ ତାଙ୍କ ପରି ବଖରାଏ ଲେଖାଏଁ ଘରେ ରହନ୍ତି। ଅନ୍ୟ ଘରଗୁଡ଼ିକରେ ତାଙ୍କର ଜଣେ ଭଉଣୀ, ତାଙ୍କ ସାନପୁଅ ଓ ପୁତୁରାମାନେ ରହନ୍ତି। ତାଙ୍କ ଭଉଣୀ ଅନ୍ୟ ଲୋକଙ୍କ ଜମିରେ ଦିନ ମଜୁରିଆ ଭାବେ କାମ କରନ୍ତି ଓ ପୁତୁରାମାନେ ଅଧିକାଂଶତଃ ଦକ୍ଷିଣୀ ରାଜ୍ୟଗୁଡ଼ିକୁ କାମ ଖୋଜି ଯାଆନ୍ତି।
ହନିଫଙ୍କର ନ’ଜଣ ପିଲା, କିନ୍ତୁ ଚାହିଦା କମି ଯାଉଥିବାରୁ ଏହି କାଠ କାରିଗରୀ କାମ କେହି କରୁ ନାହାନ୍ତି। “ପାରମ୍ପରିକ ଲଙ୍ଗଳ କେମିତି ଦେଖାଯାଏ ବୋଲି ଯୁବ ପିଢ଼ିର କେହି ଜାଣିପାରିବେ ନାହିଁ”, କହନ୍ତି ଉଫାଜ ଉଦ୍ଦୀନ, ମୁକାଦାସ ଅଲିଙ୍କ ପୁତୁରା। ଛ’ ବିଘା ଚାଷ ଜମି ଥିବା ଏହି ୪୮-ବର୍ଷୀୟ ଚାଷୀ ୧୫ ବର୍ଷ ହେଲା ଲଙ୍ଗଳ ବ୍ୟବହାର ବନ୍ଦ କରି ଦେଇଛନ୍ତି।

Mahibul Hoque

Mahibul Hoque
*****
“ମୁଁ ଯେତେବେଳେ ସାଇକେଲ ଚଳେଇ ତେରେଛା ଡାଳ ସହ ବଡ଼ ବଡ଼ ଗଛ ଥିବା ଘରଗୁଡ଼ିକ ବାଟ ଦେଇ ଯାଏ, ଘର ମାଲିକମାନଙ୍କୁ ଗଛ କାଟିବା ଯୋଜନା କଲେ ମତେ ଜଣେଇବାକୁ କୁହେ। ମୁଁ ସେମାନଙ୍କୁ କୁହେ ତେରେଛା ମୋଟା ଡାଳରୁ ଭଲ ଲଙ୍ଗଳ ତିଆରି ହୁଏ”, ଲୋକମାନଙ୍କ ସହ ତାଙ୍କର ରହିଥିବା ପରିଚିତି ଦର୍ଶାଇବାକୁ ସେ କହନ୍ତି।
ସ୍ଥାନୀୟ କାଠ ବ୍ୟବସାୟୀମାନେ ମଧ୍ୟ ଯେତେବେଳେ ତେରେଛା କାଠ ପାଆନ୍ତି ତାଙ୍କ ପାଖକୁ ଆସନ୍ତି। ଶାଳ, ଶିଶୁ ହେଉ କି ଚମ୍ପା କିମ୍ବା ଶିରିଶ କିମ୍ବା ମିଳୁଥିବା ଅନ୍ୟ ସ୍ଥାନୀୟ ଗଛ କାଠର ସାତ ଫୁଟ ଲମ୍ବ ଓ ୩ x ୨ ଇଞ୍ଚ ଚଉଡ଼ାର ବିମ୍ ପାଇଁ ପଟା ତାଙ୍କର ଦରକାର ହୁଏ।
“ଗଛଟି ୨୫-୩୦ ବର୍ଷର ହୋଇଥିଲେ ହିଁ ସେହି କାଠରେ ତିଆରି ଲଙ୍ଗଳ, ଜୁଆଳି ଓ ଆଙ୍କୁଡ଼ା ଆଦି ବେଶୀ ଦିନ ରହିବ। କାଠ ଗଣ୍ଡିଗୁଡ଼ିକ ସାଧାରଣତଃ ଗଛର ଡାଳ କିମ୍ବା ନିଦା ଶାଖାରୁ ବାହାରେ”, କହୁ କହୁ ସେ ‘ପରୀ’କୁ ଦୁଇ ଫାଳ କରି ରଖିଥିବା ଗୋଟିଏ ଶାଖାକୁ ଦେଖାଉଛନ୍ତି।
ଅଗଷ୍ଟ ମଝିରେ ‘ପରୀ’ ଯେତେବେଳେ ତାଙ୍କ ପାଖକୁ ଯାଇଥିଲା ସେତେବେଳେ ସେ କାଠର ଗୋଟିଏ ଅଂଶକୁ ଲଙ୍ଗଳର ମୁଖ୍ୟ ଭାଗ ତିଆରି କରିବା ପାଇଁ କାଟୁଥିଲେ। “ମୁଁ ଯଦି ଲଙ୍ଗଳର ମୁଖ୍ୟ ଭାଗ ତିଆରି କରିବା ସହ ଏଥିରୁ ଦୁଇଟି ହାତନାଇଁଗ୍ଲେ [ହାତ ଆଙ୍କୁଡ଼ା] ତିଆରି କରିଦେଇ ପାରିବି ତେବେ ଏଇ ଗଣ୍ଡିରୁ ମୋର ୪୦୦-୫୦୦ ଟଙ୍କା ଅଧିକ ଆୟ ହେବ”, ୨୦୦ ଟଙ୍କାରେ କିଣିଥିବା କୋଣୁଆ-ଆକାରର କାଠ ଖଣ୍ଡ ଆଡ଼କୁ ଦେଖେଇ ସେ କହିଲେ।
“ପ୍ରତ୍ୟେକ କାଠର ଯେତେ ଅଧିକ ଅଂଶ ସମ୍ଭବ ମୁଁ ନିଶ୍ଚୟ ବ୍ୟବହାର କରିବି। ଖାଲି ସେତିକି ନୁହେଁ, ଚାଷୀଙ୍କର ଦରକାର ମୁତାବକ ତା’ର ଆକାର ପୁରା ସେମିତି ହୋଇଥିବା ଦରକାର”, ସେ ଯୋଗ କରନ୍ତି। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଏହା କରି ଆସୁଛନ୍ତି ଓ ସେ ଜାଣନ୍ତି କି ଲୋକେ ଭଲ ପାଉଥିବା ଲଙ୍ଗଳର ସ୍ଥିରତା ରକ୍ଷା କରିବା ଆଧାରର ଆକାର ୧୮ ଇଞ୍ଚ ଓ ମୁଖ୍ୟ ଭାଗର ଆକାର ୩୩ ଇଞ୍ଚ ହେବା ଦରକାର।

Mahibul Hoque

Mahibul Hoque

Mahibul Hoque

Mahibul Hoque
ଠିକ୍ ରକମର କାଠ ମିଳିଗଲା ପରେ ସୂର୍ଯ୍ୟୋଦୟ ପୂର୍ବରୁ କାଟିବା, ଚାଂଛିବା, ଆକାର ଦେବା ଓ ବଙ୍କେଇବା ପାଇଁ ଦରକାରୀ ଯନ୍ତ୍ରପାତି ହାତପାହନ୍ତାରେ ରଖି ସେ ତାଙ୍କ କାମ ଆରମ୍ଭ କରି ଦିଅନ୍ତି। ତାଙ୍କ ପାଖରେ କେତୋଟି ନିହାଣ, ଗୋଟିଏ ଚଞ୍ଛା କୁରାଢ଼ି, କେତେ ଯୋଡ଼ା କରତ, ଗୋଟିଏ କୁରାଢ଼ି, ହାତ ରନ୍ଦା ଓ କଳଙ୍କି ଖାଇଯାଇଥିବା କେତୋଟି ଲୁହା ରଡ୍ ଇତ୍ୟାଦି ସରଞ୍ଜାମକୁ ସେ ତାଙ୍କ ଘର ଭିତରେ କାଠ ତିଆରି ଗୋଟିଏ ଉଚ୍ଚ ମେଜିଆ ଉପରେ ସାଇତି କରି ରଖନ୍ତି।
କରତର ସମାନ ଥିବା ପଟରେ ସଠିକ ଭାବେ କାଟିବା ପାଇଁ ସେ କାଠ ଉପରେ ଦାଗି ଦିଅନ୍ତି। ନିଜ ହାତରେ ଦୂରତା ମାପନ୍ତି। ଦାଗ ଦେବା କାମ ସରିଗଲା ପରେ ସେ ତାଙ୍କ ୩୦-ବର୍ଷ ପୁରୁଣା କୁରାଢ଼ିରେ କାଠର କଡ଼କୁ କାଟନ୍ତି। ତା’ପରେ ମୁଁ ଟେସସା [ଚାଞ୍ଛିବା କୁରାଢ଼ି] ଦ୍ଵାରା ତେଢ଼ାମେଢ଼ା ପୃଷ୍ଠଭୂମିକୁ କାଟି ସମାନ କରେ”, କହନ୍ତି ଏହି ମାଷ୍ଟର କାଠ କାରିଗର। ନାଙ୍ଗୋଲ କିମ୍ବା ତା’ର ଭୂମି ଉପରେ ବସୁଥିବା ଅଂଶକୁ ସଠିକ ଭାବେ ବଙ୍କେଇବାକୁ ପଡ଼େ, ଯେମିତିକି ଚାଲିଲା ବେଳେ ମାଟି ସହଜରେ ଦୁଇ କଡ଼କୁ ଘୁଞ୍ଚିଯାଇ ପାରିବ।
“ଭୂମି ଉପରେ ବସୁଥିବା ଅଂଶର ମାପ ପାଖାପାଖି ଛ’ ଇଞ୍ଚ ଓ ଏହା କ୍ରମାନ୍ଵୟରେ କମି କମି ଶେଷ ଆଡ଼କୁ ୧.୫ରୁ ୨ ଇଞ୍ଚ ଚଉଡ଼ା ରହିବ”, ସେ କହନ୍ତି। ଏହି ଅଂଶର ମୋଟେଇ ୮ କିମ୍ବା ୯ ଇଞ୍ଚରୁ କମି କମି ଶେଷ ଆଡ଼କୁ ଯେଉଁଠାରେ କାଠ ସହ କଣ୍ଟା ବାଡ଼ିଆ ହୋଇଥିବ ସେଠାରେ ଦୁଇ ଇଞ୍ଚ ହେବ।
ଏହି ଭୂମି ଉପରେ ବସିବା ଅଂଶକୁ ଫାଳ ବା ପଲ କୁହାଯାଏ ଓ ଏହାକୁ ୯-୧୨ ଇଞ୍ଚ ଲମ୍ବ ଓ ୧.୫ ଇଞ୍ଚ ଅସାରର ଲୁହା ଖଣ୍ଡରେ ଉଭୟ ମୁଣ୍ଡକୁ ତୀକ୍ଷଣ କରି ତିଆରି କରାଯାଇଥାଏ। “ଦୁଇ ମୁଣ୍ଡକୁ ଧାର କରି କରାଯାଇଥାଏ, କାରଣ ଯଦି ଗୋଟିଏ ମୁଣ୍ଡର ଧାର କମିଯାଏ, ତେବେ ଚାଷୀ ତାହାକୁ ବଦଳେଇ ଦେଇ ପାରିବ”। ହନିଫ ଏହି ଲୁହା ଖଣ୍ଡକୁ ତାଙ୍କ ଘରଠାରୁ ପ୍ରାୟ ତିନି କି.ମି. ଦୂରରେ ଥିବା ବେଚିମାରି ବଜାରର କମାରଙ୍କଠାରୁ ସଂଗ୍ରହ କରନ୍ତି।
କୁରାଢ଼ି ଓ ଚଞ୍ଛା କୁରାଢ଼ି ଦ୍ଵାରା ଲଗାତାର ଭାବେ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ହାଣିଲେ ଓ କଡ଼କୁ ସଫା କଲେ ଯାଇ ଗୋଟିଏ କାଠ ଗଣ୍ଡି ତା’ର ଆବଶ୍ୟକ ରୂପ ପାଏ। ତା’ ପରେ ଯାଇ ସେଥିରେ ରନ୍ଦା ମାରି ତାହାକୁ ଚିକ୍କଣ କରାଯାଏ।
ମୁଖ୍ୟ ଅଂଶଟି ତିଆରି ହେଇଗଲା ପରେ ଯେଉଁଠାରେ ଆଡ଼ କାଠକୁ ଯୋଡ଼ା ହେବ ସେଠାରେ ‘ହୁଇଟେର’ ଦ୍ଵାରା ସଠିକ ଦାଗ ଦେଇ କଣା କରାଯାଏ। ହନିଫ କହନ୍ତି, “କଣାର ଆକାର ଯେତେ ସମ୍ଭବ ‘ଇଷ’ ବା ଆଡ କାଠର ମାପରେ କରିବା ଦରକାର, କାରଣ ହୋଲ୍ କଲାବେଳେ ଯେମିତି ଏହା ଆଦୌ ଢିଲା ହେବ ନାହିଁ। ଏହାର ଚଉଡ଼ା ସାଧାରଣତଃ ୧.୫ ରୁ ଦୁଇ ଇଞ୍ଚ ହୋଇଥାଏ”।

Mahibul Hoque

Mahibul Hoque

Mahibul Hoque

Mahibul Hoque
ଲଙ୍ଗଳର ଉଚ୍ଚତା ତଳ ଉପର କରିବା ପାଇଁ ହନିଫ ଏହି ଆଡ଼ କାଠର ଉପର ମୁଣ୍ଡରେ ପାଞ୍ଚରୁ ଛ’ଟି ଘାଟି ତିଆରି କରନ୍ତି। ଏହି ଘାଟିଗୁଡ଼ିକୁ ବ୍ୟବହାର କରି ହଳ କଲାବେଳେ ଚାଷୀମାନେ ଦରକାର ମୁତାବକ ମାଟିରେ ଯେତେ ଗଭୀରତାରେ ଚାଷ କରିବାକୁ ଚାହାନ୍ତି ତାହା କରିପାରିବେ।
ହନିଫ କହନ୍ତି କି କରତ ମେସିନ ଲଗେଇ କାଠ କାଟିବା ଖର୍ଚ୍ଚବହୁଳ ଓ କ୍ଳାନ୍ତିକର। “ଯଦି ମୁଁ କାଠ ଗଣ୍ଡିଟିଏକୁ ୨୦୦ ଟଙ୍କା ଦେଇ କିଣେ, କଟେଇବା ପାଇଁ କାଠ କଟାଳିକୁ ମତେ ୧୫୦ ଟଙ୍କା ଦେବାକୁ ପଡ଼ିବ”। ଗୋଟିଏ ଲଙ୍ଗଳ ତିଆରି କରିବାକୁ ଦୁଇ ଦିନ ଲାଗେ, ତାକୁ ବିକିଲେ ଅଧିକରୁ ଅଧିକ ୧୨୦୦ ଟଙ୍କା ମିଳେ।
କେତେକ ଲୋକ ତାଙ୍କଠାରୁ ସିଧାସଳଖ କିଣିବାକୁ ଆସୁଥିବା ବେଳେ, ହନିଫ ନିଜେ ତାଙ୍କ ସରଞ୍ଜାମ ବିକିବାକୁ ଦାରଙ୍ଗ ଜିଲ୍ଲାର ଦୁଇ ସାପ୍ତାହିକ ହାଟ ଲାଲପୁଲ ବଜାର ଓ ବେଚିମାରି ବଜାରକୁ ଯାଆନ୍ତି। “ଗୋଟିଏ ଲଙ୍ଗଳ ଓ ତାହାର ସାଜସରଞ୍ଜାମ କିଣିବାକୁ ଜଣେ ଚାଷୀଙ୍କୁ ପ୍ରାୟ ୩,୫୦୦ ରୁ ୩,୭୦୦ ଟଙ୍କା ପଡ଼େ”, ହୁ ହୁ ହେଇ ବଢୁଥିବା ଦାମ୍ ଯୋଗୁଁ ତଥା ଯେଉଁମାନେ ନିୟମିତ ଚାଷୀ ନୁହନ୍ତି ଓ ଲଙ୍ଗଳ ଭଡ଼ାରେ ଦେଉଛନ୍ତି, ସେମାନଙ୍କ ଯୋଗୁଁ କମି ଯାଉଥିବା ତାଙ୍କ ଗରାଖଙ୍କ କଥାକୁ ଦୃଷ୍ଟିରେ ରଖି ସେ କହନ୍ତି। “ଟ୍ରାକ୍ଟର ଦ୍ଵାରା ପାରମ୍ପରିକ ହଳ ବ୍ୟବସ୍ଥା ବଦଳି ଯାଇଛି”।
କିନ୍ତୁ ହନିଫ ଅଟକି ଯାଇ ନାହାନ୍ତି। ପରଦିନ ସେ ବାଇସାଇକେଲରେ ତାଙ୍କ କାମ ସହ ପ୍ରସ୍ତୁତ ହେଇ ଯାଆନ୍ତି – ଗୋଟିଏ ପୁରା ଲଙ୍ଗଳ ଓ ତା’ର କଣ୍ଠି ସହ। “ଯେତେବେଳେ ଟ୍ରାକ୍ଟର ମାଟିକୁ ନଷ୍ଟ କରିଦେବ, ଲୋକେ ଲଙ୍ଗଳକରାଳି ପାଖକୁ ଫେରିବେ”, ସେ କହନ୍ତି।
ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମଏମଏଫ) ପକ୍ଷରୁ ପ୍ରଦତ୍ତ ଫେଲୋସିପ ସହଯୋଗରେ ଏହି କଥାଟିକୁ ପ୍ରସ୍ତୁତ କରାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/in-darrang-ploughing-a-lonely-furrow-or