ଗୋଟିଏ ସାଧାରଣ ଆକାରର ପଶ୍ମିନା ଶାଲ ତିଆରିରେ ଲାଗୁଥିବା ପର୍ଯ୍ୟାପ୍ତ ପରିମାଣର ସୂତା କାଟିବା ଲାଗି ଫାମିଦା ବାନୋଙ୍କୁ ମାସଟିଏ ଲାଗେ। ଚାଙ୍ଗଥାଙ୍ଗି ପ୍ରଜାତିର ଛେଳି ଶରୀରରୁ ବାହାରୁଥିବା ଅତି ପତଳା ଓ ସୂକ୍ଷ୍ମ ଉଲ୍‌କୁ ଅଲଗା ଅଲଗା କରି ସୂତା କାଟିବା ଖୁବ୍‌ କଷ୍ଟକର କାମ। ଏହି ୫୦ ବର୍ଷୀୟା କାରିଗର କହନ୍ତି ଯେ, ମାସ ଯାକ ପରିଶ୍ରମ କରି ସେ ମୋଟାମୋଟି ୧,୦୦୦ ଟଙ୍କା ରୋଜଗାର କରିବାର ଆଶା ରଖିଥାଆନ୍ତି। ଏହାକୁ ଆହୁରି ସରଳ ଭାବରେ ବୁଝାଇ ଦେବାକୁ ଯାଇ ସେ କହନ୍ତି, “ମୁଁ ଯଦି ଅବିରତ ଭାବେ କାମ କରି ଚାଲିବି, ଦିନକୁ ୬୦ ଟଙ୍କା ହିଁ ରୋଜଗାର କରିପାରିବି।”

ଅତି ମହଙ୍ଗା ଏହି ଶାଲ୍‌ର ବିକ୍ରି ମୂଲ୍ୟକୁ ବିଚାର କଲେ ତାହା ଏହି ମୂଲ୍ୟର ଏକ ନଗଣ୍ୟ ଅଂଶ ମାତ୍ର। ଛୁଞ୍ଚିକାମ, ଏମ୍ବ୍ରୋଡରୀ ଏବଂ ବୁଣାବୁଣି କାମର ସୂକ୍ଷ୍ମତା ଉପରେ ନିର୍ଭର କରି ଏହି ଶାଲ୍‌ର ମୂଲ୍ୟ ୮,୦୦୦ରୁ  ୧୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

ପାରମ୍ପରିକ ଭାବେ, ମହିଳାମାନଙ୍କ ଘରକାମ ମଝିରେ ହିଁ ହାତରେ ପଶ୍ମିନା ସୂତା କାଟିବା କାମ କରାଯାଉଥିଲା। ହେଲେ, ଏହି କାମରେ ଅତି ଅଳ୍ପ ମଜୁରି ଯୋଗୁଁ ଫାମିଦାଙ୍କ ଭଳି କାରିଗରମାନେ ଆଉ ଏହି କାମ କରିବାକୁ ମନ ବଳାଉ ନାହାନ୍ତି ଏବଂ ଦିନକୁ ଦିନ କାରିଗରଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି।

ଏହିଭଳି ଆଉ ଜଣେ ହେଲେ ଶ୍ରୀନଗର ବାସିନ୍ଦା ଫିରଦୌସା। ବିବାହ କରି ଘର ଓ ପରିବାରର କାମରେ ବ୍ୟସ୍ତ ହୋଇଯିବା ପୂର୍ବରୁ ସେ ଉଲ୍‌ରୁ ସୂତା କାଟୁଥିଲେ। ତାଙ୍କ ପିଲାଦିନ କଥା ମନେ ପକାଇ ସେ କହନ୍ତି, “ପରିବାରର ଗୁରୁଜନମାନେ ଆମକୁ କଥାବାର୍ତ୍ତାରେ ସମୟ ବରବାଦ ନ କରି ସୂତା କାଟିବାକୁ କହନ୍ତି ଏବଂ ଏହା ଫଳରେ ମନ ସ୍ଥିର ରହିବ ବୋଲି ପରାମର୍ଶ ଦିଅନ୍ତି।” ତାଙ୍କର ଦୁଇ କିଶୋରୀ ଝିଅ ସୂତା କାଟନ୍ତି ନାହିଁ। କାରଣ ସେମାନଙ୍କୁ ପାଠପଢ଼ା ଓ ଘରକାମ ଭିତରେ ସମୟ ମିଳେ ନାହିଁ। ଏବଂ ତେଣୁ, ସେମାନଙ୍କୁ ସେତେ ବେଶୀ ଟଙ୍କା ମିଳେ ନାହିଁ।

ସୂତା କାଟିବା କାଶ୍ମିରୀ ସଂସ୍କୃତିର ଅଂଶବିଶେଷ ବୋଲି ଫିରଦୌସା କହନ୍ତି। ଏହା ସହିତ ସେ ଏଠାକାର ସୁସ୍ୱାଦୁ ନାଦ୍‌ରୁ (ପଦ୍ମ ନାଡ଼) ଏବଂ ସୂତାକଟା ଭିତରେ ରହିଥିବା ସଂପର୍କ କଥା କହନ୍ତି। “ଆଗକାଳରେ ମହିଳାମାନେ ପଦ୍ମ ନାଡ଼ର ତନ୍ତୁ ଭଳି ଅତି ସୂକ୍ଷ୍ମ ସୂତା କାଟିବା ଲାଗି ପରସ୍ପର ସହିତ ପ୍ରତିଯୋଗିତା କରୁଥିଲେ।”

Fahmeeda Bano usually takes a month to spin enough thread for a regular-sized pashmina shawl
PHOTO • Muzamil Bhat

ସାଧାରଣତଃ ଗୋଟିଏ ସାଧାରଣ ଆକାରର ପଶ୍ମିନା ଶାଲ ନିମନ୍ତେ ପର୍ଯ୍ୟାପ୍ତ ସୂତା କାଟିବା ଲାଗି ଫାମିଦା ବାନୋଙ୍କୁ ମାସେ ଲାଗିଯାଏ

Fahmeeda's mother-in-law, Khatija combines two threads together to make it more durable
PHOTO • Muzamil Bhat

ସୂତାକୁ ଅଧିକ ମଜଭୁତ କରିବା ଲାଗି ଫାମିଦାଙ୍କ ଶାଶୂ ଖାତିଜା ଦୁଇଟି ସୂତାକୁ ଏକାଠି ବଳନ୍ତି

ସୂତା କାଟିବା ତୂଳନାରେ ପଶ୍ମିନା ବୁଣିବାରେ ଅଧିକ ମଜୁରି ମିଳେ ଏବଂ ଏହି କାମ ପୁରୁଷମାନେ କରନ୍ତି। ପ୍ରାୟତଃ ସେମାନେ ଏହାଠାରୁ ଅଧିକ ରୋଜଗାର ମିଳୁଥିବା କାମ ମଝିରେ ମଝିରେ ଏହା କରନ୍ତି। ୨୦୨୨ ମସିହାରେ ପ୍ରକାଶିତ ସର୍ବନିମ୍ନ ମଜୁରି ସଂକ୍ରାନ୍ତ ଜାମ୍ମୁ ଓ କାଶ୍ମୀର ରାଜ୍ୟ ବିଜ୍ଞପ୍ତି ଅନୁସାରେ, ଆଜିକାର ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଜଣେ ଅଣ-କୁଶଳୀ ଶ୍ରମିକ ଦୈନିକ ୩୧୧ ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକ ୪୦୦ ଏବଂ କୁଶଳୀ ଶ୍ରମିକ ଦିନକୁ ୪୮୦ ଟଙ୍କା ହିସାବରେ ମଜୁରି ପାଇବାକୁ ଆଶା କରିପାରିବେ।

ଗୋଟିଏ ସାଧାରଣ ଆକାରର ଶାଲରେ ୧୪୦ ଗ୍ରାମ ପଶ୍ମିନା ଉଲ୍‌ ଲାଗିଥାଏ। ସମୁଦ୍ର ପତ୍ତନଠାରୁ ଅତି ଉଚ୍ଚ ଅଞ୍ଚଳରେ ଦେଖାଯାଉଥିବା ଚାଙ୍ଗଥାଙ୍ଗି ଛେଳି (Capra hiercus) ଶରୀରରୁ ବାହାରୁଥିବା ୧୦ ଗ୍ରାମ କଞ୍ଚା ଉଲ୍‌ରୁ ସୂତା କାଟିବାକୁ ଫାମିଦାଙ୍କୁ ଦୁଇ ଦିନ ଲାଗିଥାଏ।

ହାତ ଚରଖାରେ ପଶ୍ମିନାରୁ ସୂତା କାଟିବାର ଏହି କଳାକୁ ଫାମିଦା ତାଙ୍କ ଶାଶୂ ଖାତିଜାଙ୍କ ପାଖରୁ ଶିଖିଥିଲେ। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରର କୋହ୍‌-ଇ-ମାରାନ ଅଞ୍ଚଳର ଗୋଟିଏ ଏକମହଲା ଘରେ ଏହି ମହିଳାମାନେ ନିଜ ପରିବାର ସହିତ ରହନ୍ତି।

ତାଙ୍କ ଘରର ଏକ ୧୦x୧୦ କୋଠରୀରେ ଥିବା ତାଙ୍କ ୟେଣ୍ଡର (ଚରଖା)ରେ ଖାତିଜା ସୂତାକଟା କାମ କରନ୍ତି। ଗୋଟିଏ କୋଠରୀ ରନ୍ଧାଘର ଭାବେ ଏବଂ ଅନ୍ୟଟି ପଶ୍ମିନା ବୁଣାକାମ ଲାଗି ବ୍ୟବହୃତ ହୁଏ ଏବଂ ଏଥିରେ ପରିବାରର ପୁରୁଷମାନେ କାମ କରନ୍ତି। ବାକି ସବୁତକ ଶୋଇବା ଘର।

କିଛି ଦିନ ତଳେ ଏହି ୭୦ ବର୍ଷୀୟା ପୁରୁଖା କାରିଗର ଜଣକ ୧୦ ଗ୍ରାମ ପଶ୍ମିନା ଉଲ୍ ଆଣିଥିଲେ। ହେଲେ ଦୁର୍ବଳ ଦୃଷ୍ଟିଶକ୍ତି ସହିତ ସଂଘର୍ଷ କରିବାକୁ ପଡୁଥିବାରୁ ଏ ପର୍ଯ୍ୟନ୍ତ ସେ ସେଥିରୁ ସୂତା କାଟିବା କାମ ଆରମ୍ଭ କରିନାହାନ୍ତି। ୧୦ ବର୍ଷ ତଳେ ତାଙ୍କ ଆଖିରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏବେ ବି ତାଙ୍କ ପାଇଁ ସୂକ୍ଷ୍ମ ସୂତା କାଟିବା କାମରେ ଏକାଗ୍ରତା ରଖିବା କଷ୍ଟକର ହୋଇ ରହିଛି।

ଫାମିଦା ଓ ଖାତିଜାଙ୍କ ଭଳି ସୂତାକଟାଳିମାନେ ପ୍ରଥମେ ପଶ୍ମିନା ଉଲ୍‌କୁ ‘ଚଲେଇ’, ଅର୍ଥାତ୍‌ କାଠର ପାନିଆଁ ଭଳି ଏକ ଉପକରଣ ଭିତର ଦେଇ ସଫା କରନ୍ତି। ଏହା ଫଳରେ ଉଲ୍‌ର ଅଡୁଆ ତନ୍ତଗୁଡ଼ିକ ଫିଟିଯାଏ ଏବଂ ଗୋଟିଏ ଦିଗରେ ସଳଖି ଯାଏ। ତା’ପରେ ସେମାନେ ସେଗୁଡ଼ିକୁ ଶୁଖିଲା ଘାସ କାଣ୍ଡକୁ ବଳି ବଳି ତିଆରି ହୋଇଥିବା ଏକ ତାକୁଡ଼ିରେ ଗୁଡ଼ାଇ ସୂତା କାଟନ୍ତି।

Left: Wool is pulled through a wooden comb to ensure the fibres are untangled and aligned.
PHOTO • Muzamil Bhat
Right: It is then spun on a spindle made of dried grass stems
PHOTO • Muzamil Bhat

ବାମ: ଉଲ୍‌ର ଅଡୁଆ ତନ୍ତୁଗୁଡ଼ିକୁ ଫିଟାଇବା ପାଇଁ ଏବଂ ସେଗୁଡ଼ିକୁ ଗୋଟିଏ ଦିଗରେ ସଳଖ କରି ନେବା ପାଇଁ ଉଲ୍‌କୁ ଗୋଟିଏ କାଠ ପାନିଆଁ ଭଳି ଉପକରଣ ଭିତରେ ଚଲେଇ ଦିଆହୁଏ। ଡାହାଣ: ତା’ପରେ ଏହାକୁ ଶୁଖିଲା ଘାସର କାଣ୍ଡରୁ ତିଆରି ଏକ ତାକୁଡ଼ିରେ କଟାଯାଏ

ତନ୍ତରୁ ସୂତା କାଟିବା ଏକ ସୂକ୍ଷ୍ମ କଳା ଏବଂ ଏଥିରେ ଅଧିକ ସମୟ ଲାଗିଥାଏ। ଖାଲିଦା ବେଗମ କହନ୍ତି, “ସୂତାକୁ ମଜଭୂତ କରିବା ଲାଗି ଦୁଇଟି ସୂତାକୁ ମିଶାଇ ଗୋଟିଏ କରାଯାଏ। ଗୋଟିଏ ତାକୁଡ଼ିରେ ଦୁଇଟି ସୂତାକୁ ଏକାଠି ଗୁଡ଼ାଇ ବଳିବା ପରେ ଗଣ୍ଠି ପକାଇ ଦିଆଯାଏ।” ଶ୍ରୀନଗରର ସଫା କଦାଲ ଅଞ୍ଚଳର ଜଣେ ଅଭିଜ୍ଞ ସୂତାକଟାଳି ଖାଲିଦା, ୨୫ ବର୍ଷ ହେଲା ପଶ୍ମିନା ଉଲ୍‌ କାଟି ଆସୁଛନ୍ତି।

ସେ କହନ୍ତି, “ଗୋଟିଏ ପୁଡ଼ି (୧୦ ଗ୍ରାମର ପଶ୍ମିନା)ରୁ ମୁଁ ୧୪୦ରୁ ୧୬୦ଟି ଗଣ୍ଠି କରିପାରିବି।” ଏତେ ଅଧିକ ସମୟ ଓ ଦକ୍ଷତାର ଆବଶ୍ୟକତା ଥିବା ସତ୍ତ୍ୱେ ଗୋଟିଏ ଗଣ୍ଠି ତିଆରି ଲାଗି ଖାଲିଦା ବେଗମଙ୍କୁ ଟଙ୍କାଟିଏ ମିଳିଥାଏ।

ସୂତାର ଆକାର ଉପରେ ପଶ୍ମିନା ତନ୍ତୁର ମୂଲ୍ୟ ନିର୍ଭର କରେ-ସୂତା ଯେତେ ପତଳା ହୋଇଥିବ ସେତେ ଅଧିକ ମୂଲ୍ୟବାନ ହେବ। ପତଳା ସୂତାରେ ଅଧିକ ଗଣ୍ଠି ପକାଇ ହୁଏ ଏବଂ ମୋଟା ସୂତାରେ କମ୍‌ ଗଣ୍ଠି ହୁଏ।

“ପ୍ରତି ଗଣ୍ଠିରେ ୯ରୁ ୧୧ଟି ପଶ୍ମିନା ସୂତା ଲାଗିଥାଏ ଏବଂ ଏଗୁଡ଼ିକ ୮ରୁ ୧୧ ଇଞ୍ଚ ଲମ୍ବା କିମ୍ବା ୮ ଅଙ୍ଗୁଳି ଲମ୍ବା ସହିତ ସମାନ ହୋଇଥାଏ। ଏହିଭଳି ଭାବରେ ମହିଳାମାନେ ସୂତାର ଲମ୍ବା ମାପନ୍ତି,” ବୋଲି କହନ୍ତି ଇନ୍ତିଜାର ଅହମଦ ବାବା। ୫୫ ବର୍ଷୀୟ ବାବା, ପିଲାଟି ଦିନରୁ ପଶ୍ମିନା କାରବାରରେ ସଂପୃକ୍ତ। ହାତରେ ସୂତା କାଟୁଥିବା ବ୍ୟକ୍ତିଙ୍କୁ ପ୍ରତିଟି ଗଣ୍ଠି ପାଇଁ ୧ ଟଙ୍କାରୁ ୧ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ମିଳିଥାଏ ଏବଂ ଏହି ପାରିଶ୍ରମିକ ବ୍ୟବସାୟୀଙ୍କ ଉପରେ ନିର୍ଭର କରେ।

ପଶ୍ମିନାର ପ୍ରତିଟି ଗଣ୍ଠି ପାଇଁ ୧ ଟଙ୍କା ୫୦ ପଇସା ପାରିଶ୍ରମିକ ନିଅନ୍ତି ରୁକ୍‌ସାନା ବାନୋ। ସେ କହନ୍ତି, “ଜଣେ ମହିଳା ୧୦ ଗ୍ରାମର ପଶ୍ମିନା ଉଲ୍‌ରୁ ସୂତା କାଟି ପାରନ୍ତି। କାରଣ, ଆମମାନଙ୍କୁ ଅନ୍ୟାନ୍ୟ ଘରକାମ ମଧ୍ୟ କରିବାକୁ ପଡ଼େ। ଦିନକ ଭିତରେ ଗୋଟିଏ ପୁଡ଼ି ଶେଷ କରିବା ପ୍ରାୟତଃ ଅସମ୍ଭବ।

Left: 'I don’t think people will be doing hand-spinning of pashmina in the future,' says Ruksana
PHOTO • Muzamil Bhat
Right:  Knots in a pashmina hand-spun thread
PHOTO • Muzamil Bhat

ବାମ: ରୁକ୍‌ସାନା କହନ୍ତି, ‘ଭବିଷ୍ୟତରେ ଲୋକେ ହାତରେ ପଶ୍ମିନାରୁ ସୂତା କାଟୁଥିବେ ବୋଲି ମୋର ମନେ ହୁଏନା।’ ଡାହାଣ: ହାତରେ କଟା ଯାଇଥିବା ଏକ ପଶ୍ମିନା ସୂତାରେ ଗଣ୍ଠି

୪୦ ବର୍ଷୀୟା ରୁକ୍‌ସାନା କହନ୍ତି ଯେ ଏହି କାମରୁ ସେ ଦିନକ ଭିତରେ ଅତି ବେଶୀରେ ୨୦ ଟଙ୍କା ରୋଜଗାର କରିପାରନ୍ତି। ନୱା କଦାଲ ଅଞ୍ଚଳର ଆରାମପୋରାରେ ସେ ତାଙ୍କ ସ୍ୱାମୀ, ଝିଅ ଓ ଜଣେ ବିଧବା ନଣନ୍ଦଙ୍କ ସହିତ ରହନ୍ତି। ସେ କହନ୍ତି, ୧୦ ଗ୍ରାମର ପଶ୍ମିନାରୁ ମୁଁ ସବୁଠାରୁ ଅଧିକ ଦିନକୁ ୧୨୦ ଟଙ୍କା ହିସାବରେ ତିନି ଦିନ ପାଇଁ ରୋଜଗାର କରିଥିଲି ଏବଂ ସେଥିପାଇଁ ମୋତେ ସକାଳୁ ସନ୍ଧ୍ୟା ଯାଏଁ, କେବଳ ଚା’ ଓ ଖାଇବା ବ୍ୟତୀତ, ବିନା ବିରତିରେ କାମ କରିବାକୁ ପଡ଼ିଥିଲା।” ୧୦ ଗ୍ରାମ ପଶ୍ମିନାରୁ ସୂତା କାଟିବା ଲାଗି ତାଙ୍କୁ ୫-୬ ଦିନ ଲାଗେ।

ଖାତିଜାଙ୍କ କହିବା ଅନୁସାରେ ଆଜିକାଲି ପଶ୍ମିନା ବୁଣିବାରେ ଆଉ ଅଧିକ ରୋଜଗାର ହେଉନାହିଁ। ସେ କହନ୍ତି, “ଆଜିକାଲି ମୋତେ ଲାଗୁଛି ଦିନ ପରେ ଦିନ ମୁଁ କାମ କରି ଚାଲିଛି ଏବଂ ମୋ ରୋଜଗାର ଶୂନ।” ପୁରୁଣା ଦିନର କଥା ମନେ ପକାଇ ସେ କହନ୍ତି, “ପଚାଶ ବର୍ଷ ତଳେ ଦିନକୁ ୩୦ରୁ ୫୦ ଟଙ୍କାର ରୋଜଗାର ଠିକ୍‌ ଥିଲା।”

*****

ହାତରେ ପଶ୍ମିନାରୁ ସୂତା କାଟୁଥିବା କାରିଗରମାନଙ୍କ ରୋଜଗାର କମିବା ପଛର ମୁଖ୍ୟ କାରଣ ହେଉଛି ଯେ ଅଧିକ ଟଙ୍କା ଦେଇ ଏହି ଶାଲ୍‌ କିଣିବାକୁ କ୍ରେତାମାନେ ରାଜି ହେଉନାହାନ୍ତି। ନୁର-ଉଲ୍‌-ହୁଦା କହନ୍ତି, “ମେସିନ୍‌ରେ ବୁଣା ସେହି ଏକା ପଶ୍ମିନା ଶାଲ ବଜାରରେ ୫,୦୦୦ ଟଙ୍କାରେ ମିଳୁଥିବା ବେଳେ ତା ବଦଳରେ ହାତବୁଣା ଶାଲକୁ ୮,୦୦୦-୯,୦୦୦ ଟଙ୍କାରେ ନେବାକୁ ଗ୍ରାହକ ରାଜି ନୁହନ୍ତି। କାହିଁକି ବା ସେମାନେ ଅଧିକ ଟଙ୍କା ଦେଇ କିଣିବେ ?”

ଶ୍ରୀନଗରର ବାଦାମୱାଡ଼ି ଅଞ୍ଚଳରେ ‘ଚିନାର ହାଣ୍ଡିକ୍ରାଫ୍‌ଟସ୍‌’ ନାମକ ପଶ୍ମିନା ଶୋ’ରୁମ୍‌ର ମାଲିକ ୫୦ ବର୍ଷୀୟ ନୁର-ଉଲ-ହୁଦା କହନ୍ତି,“ହାତରେ କଟା ଯାଇଥିବା ପଶ୍ମିନା ସୂତାରେ ତିଆରି ଶାଲ୍‌ର ଗ୍ରାହକଙ୍କ ସଂଖ୍ୟା ଖୁବ୍‌ କମ୍‌। ମୁଁ କହିବି, ୧୦୦ରୁ ଦୁଇ ଜଣ (ଗ୍ରାହକ) ହିଁ ହାତରେ ବୁଣାଯାଇଥିବା ଖାଣ୍ଟି ପଶ୍ମିନା ଶାଲ କିଣିବାକୁ ଖୋଜନ୍ତି।”

୨୦୦୫ ମସିହାରୁ କାଶ୍ମୀରର ପଶ୍ମିନାକୁ ‘ଭୌଗୋଳିକ ସଂକେତ ସୂଚକ ସ୍ୱୀକୃତି ବା GI ଟ୍ୟାଗ୍‌  ମିଳିଛି। ଗୋଟିଏ ସରକାରୀ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ପଶ୍ମିନାର ଗୁଣବତ୍ତା ସଂପର୍କରେ କାରିଗରମାନଙ୍କ ଦ୍ୱାରା ପ୍ରକାଶିତ ଏକ ମାନୁଆଲରେ ଦର୍ଶାଯାଇଛି ଯେ, ଉଭୟ ହାତକଟା ଏବଂ ମେସିନ୍‌ କଟା ସୂତାରେ ପ୍ରସ୍ତୁତ ପଶ୍ମିନା ସାମଗ୍ରୀ ଏହି GI ଟ୍ୟାଗ୍‌ ପାଇବାକୁ ଯୋଗ୍ୟ।

Combined threads must be twisted again on a spinning wheel so that they don't get separated
PHOTO • Muzamil Bhat

ଯୋଡ଼ା ଯାଇଥିବା ଦୁଇଟି ସୂତା ଅଲଗା ହୋଇ ନଯିବା ଲାଗି ତାକୁ ପୁଣି ଥରେ ଅରଟ ଚକରେ ଘୂରାଇବା ଦରକାର

Khatija getting the spinning wheel ready to combine the threads
PHOTO • Muzamil Bhat

ସୂତା ଯୋଡ଼ିବା ଲାଗି ଅରଟକୁ ପ୍ରସ୍ତୁତ କରୁଛନ୍ତି ଖାତିଜା

ସହରରେ ଅବଦୁଲ ମନନ ବାବାଙ୍କର ଶହେ ବର୍ଷ ପୁରୁଣା ପଶ୍ମିନା ବ୍ୟାବସାୟିକ ସଂସ୍ଥା ରହିଛି ଏବଂ ଏଥିରେ GI ଷ୍ଟାମ୍ପ୍‌ ଲାଗିଥିବା ୨୫୦ରୁ ଅଧିକ ସାମଗ୍ରୀ ମହଜୁଦ ଅଛି, ଯାହାକି ଖୁବ୍‌ ଅଧିକ। ଶାଲ୍‌ଟି ଖାଣ୍ଟି ପଶ୍ମିନାରୁ ଏବଂ ହାତରେ ତିଆରି ବୋଲି ଏଥିରେ ଲାଗିଥିବା ରବର ଷ୍ଟାମ୍ପରୁ ଗ୍ୟାରେଣ୍ଟି ମିଳେ। ହେଲେ ତାଙ୍କ କହିବା କଥା ଯେ ବୁଣାକାରମାନେ ମେସିନରୁ ତିଆରି ସୂତା ପସନ୍ଦ କରନ୍ତି। “ହାତରେ କଟା ଯାଇଥିବା ପଶ୍ମିନା ସୂତା ଅତି ସୂକ୍ଷ୍ମ ହୋଇଥିବାରୁ ବୁଣାକାରମାନେ ଏଥିରୁ ଶାଲ ବୁଣିବାକୁ ପସନ୍ଦ କରନ୍ତି ନାହିଁ। ମେସିନରେ କଟା ସୂତା ସମାନ ଧରଣର ଏବଂ ଏଥିରୁ ବୁଣିବା ସହଜ ହୋଇଥାଏ। ”

ବେଳେବେଳେ ଖୁଚୁରା ବିକ୍ରେତାମାନେ ମେସିନ୍‌ରେ କଟା ସୂତାରୁ ତିଆରି ଶାଲକୁ ହାତକଟା ସୂତାରୁ ତିଆରି ବୋଲି କହି ବିକି ଦିଅନ୍ତି। ମନନ ପଚାରନ୍ତି, “ଆମକୁ ଯଦି ୧,୦୦୦ ପଶ୍ମିନା ଶାଲ ପାଇଁ ବରାଦ ମିଳେ ତେବେ ଆମେ ଏହାକୁ କେମିତି ବା ଦେଇପାରିବୁ ? କାରଣ, ୧୦ ଗ୍ରାମ ପଶ୍ମିନା କାଟିବା ଲାଗି ତ ୩ରୁ ୫ ଦିନ ଲାଗିଥାଏ।”

ମନନଙ୍କ ବାପା, ୬୦ ବର୍ଷୀୟ ଅବଦୁଲ ହମିଦ ବାବା କହନ୍ତି ଯେ ହାତକଟା ପଶ୍ମିନାର ଆଦର କମିବାରେ ଲାଗିଛି। ତାଙ୍କର ବିଶ୍ୱାସ ଯେ, ସୂତାକଟା ଏକ କଳା ଏବଂ ୬୦୦ ବର୍ଷ ତଳେ ଏହି କଳାକୁ କାଶ୍ମୀର ଆଣିଥିବା ସୁଫି ସନ୍ଥ ହଜରତ ମୀର ସୟଦ ଅଲି ହମଦାନିଙ୍କର ଏକ ଉପହାର।

ଅତୀତର ସ୍ମୃତି ରୋମନ୍ଥନ କରି ହମିଦ, ତାଙ୍କ ଜେଜେବାପାଙ୍କ ଅମଳରେ କେମିତି ଲୋକେ ଘୋଡ଼ାରେ ବସି ପଡ଼ୋଶୀ ଲଦାଖ ଅଞ୍ଚଳରୁ ପଶ୍ମିନା ଉଲ୍‌ ଆଣିବାକୁ ଯାଉଥିଲେ ସେ କଥା କହନ୍ତି। “ସେତେବେଳେ ସବୁ କିଛି ଖାଣ୍ଟି ଜିନିଷ ଥିଲା। ଆମ ଅଞ୍ଚଳରେ ୪୦୦ରୁ ୫୦୦ ମହିଳା ପଶ୍ମିନା ଉଲରୁ ସୂତା କାଟୁଥିଲେ। ହେଲେ ଏବେ ମାତ୍ର ୪୦ ଜଣ ମହିଳା ଅଛନ୍ତି ଏବଂ ସେମାନଙ୍କୁ ରୋଜଗାର କରିବାକୁ ପଡ଼ିବ ବୋଲି ସେମାନେ ଏହା କରୁଛନ୍ତି।”

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

Muzamil Bhat is a Srinagar-based freelance photojournalist and filmmaker, and was a PARI Fellow in 2022.

Other stories by Muzamil Bhat
Editor : Punam Thakur

Punam Thakur is a Delhi-based freelance journalist with experience in reporting and editing.

Other stories by Punam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE