‘‘ମୋ ଫୁସଫୁସରେ ପଥର ଥିଲା ଭଳି ଲାଗୁଛି। ମୁଁ ଭଲ ଭାବେ ଚାଲିପାରୁନାହିଁ,’’ ମାଣିକ ସର୍ଦ୍ଦାର କୁହନ୍ତି।

ନଭେମ୍ବର ୨୦୨୨ରେ ୫୫ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣଙ୍କ ସିଲିକୋସିସ୍‌-ଦୂରାରୋଗ୍ୟ ଫୁସଫୁସ୍‌ ଜନିତ ବ୍ୟାଧିରେ ଆକ୍ରାନ୍ତ ଥିବା ଜଣାପଡ଼ିଲା। ସେ ଆହୁରି କୁହନ୍ତି, ‘‘ଆଗାମୀ ନିର୍ବାଚନକୁ ନେଇ ମୋର କୌଣସି ଆଗ୍ରହ ନାହିଁ। ମୁଁ କେବଳ ନିଜ ପାରିବାରିକ ଅବସ୍ଥାକୁ ନେଇ ଚିନ୍ତିତ।’’

ନବ କୁମାର ମଣ୍ଡଳ ମଧ୍ୟ ଜଣେ ସିଲିକୋସିସ ରୋଗୀ। ସେ ଆହୁରି କୁହନ୍ତି, ‘‘ନିର୍ବାଚନରେ ଖାଲି ଫମ୍ପା ପ୍ରତିଶ୍ରୁତି ମିଳେ। ଆମ ପାଇଁ ମତଦାନ ଏକ ଚିରାଚରିତ କାମ। ଯିଏବି କ୍ଷମତାକୁ ଆସୁ, ଆମ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ।’’

ମାଣିକ ଓ ନବ ଉଭୟ ପଶ୍ଚିମବଙ୍ଗର ମିନାଖାନ ବ୍ଲକର ଝୁପଖାଲି ଗାଁରେ ରୁହନ୍ତି, ଯେଉଁଠି ସାଧାରଣ ନିର୍ବାଚନ ୨୦୨୪ର ଅନ୍ତିମ ପର୍ଯ୍ୟାୟରେ ଜୁନ୍‌ ୧ ତାରିଖରେ ମତଦାନ ହେବ।

ଦୁଇ ପୁରୁଷ ବର୍ଷେ କିମ୍ବା ଦେଢ଼ ବର୍ଷ ହେବ ଯେଉଁ ସବୁ କାରଖାନାରେ ମଝିରେ ମଝିରେ କାମ କରୁଥିଲେ, ସେଠାରେ ସିଲିକା ଧୂଳି ସଂସ୍ପର୍ଶରେ ଆସିବା କାରଣରୁ ଅସୁସ୍ଥ ହେବା ଏବଂ ରୋଜଗାର ହରାଇବା ସମସ୍ୟା ସହ ସଂଘର୍ଷ କରୁଛନ୍ତି। ସେମାନଙ୍କୁ କ୍ଷତିପୂରଣ ମିଳିପାରୁନାହିଁ କାରଣ ବହୁସଂଖ୍ୟକ ରେମିଂ ମାସ୍‌ କାରଖାନା କେବେ ବି କାରଖାନା ନିର୍ଦ୍ଦେଶାଳୟରେ ପଞ୍ଜିକରଣ କରିନାହାନ୍ତି ଏବଂ ଯେଉଁମାନେ ପଞ୍ଜୀକରଣ କରିଛନ୍ତି ସେମାନେ ନିଯୁକ୍ତିପତ୍ର କିମ୍ବା ପରିଚୟପତ୍ର ଦେଇନାହାନ୍ତି। ବାସ୍ତବରେ, ଅନେକ କାରଖାନା ବେଆଇନ ଏବଂ ଅର୍ଦ୍ଧ ବେଆଇନ ଭାବେ ଚାଲୁଛି ଏବଂ ସେମାନଙ୍କର କର୍ମଚାରୀ ପଞ୍ଜିକୃତ ହୋଇନାହାନ୍ତି।

PHOTO • Ritayan Mukherjee
PHOTO • Ritayan Mukherjee

ମାଣିକ ସରକାର (ବାମ) ଏବଂ ହର ପାଇକ (ଡାହାଣ) ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣାର ଝୁପଖାଲି ଗ୍ରାମ ବାସିନ୍ଦା। ଉଭୟ ଏକ ରେମିଂ ମାସ୍‌ ୟୁନିଟ୍‌ରେ କାମ କରିବାକୁ ଚାଲି ଯାଇଥିଲେ ଯେଉଁଠି ସିଲିକା ଧୂଳି ସଂସ୍ପର୍ଶରେ ଆସିବା କାରଣରୁ ସେମାନଙ୍କୁ ସିଲକୋସିସ୍‌ ହୋଇଯାଇଛି

ଏଭଳି କାମର ସ୍ପଷ୍ଟ ଏବଂ ବର୍ତ୍ତମାନର ବିପଦ ସତ୍ତ୍ୱେ, ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ୨୦୦୦ରୁ ୨୦୦୯ ମଧ୍ୟରେ ମାଣିକ ଏବଂ ନବ କୁମାରଙ୍କ ଭଳି ଉତ୍ତର ୨୪ ପରଗଣାର ଅନେକ ନିବାସୀ ଉନ୍ନତ ଜୀବିକା ସନ୍ଧାନରେ ଏସବୁ କାରଖାନାକୁ କାମ କରିବା ଲାଗି ଚାଲି ଯାଇଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ଫସଲ ମୂଲ୍ୟ ହ୍ରାସ କାରଣରୁ ସେମାନଙ୍କ ଆୟର ପାରମ୍ପରିକ ଉତ୍ସ ଥିବା କୃଷି ଏବେ ଲାଭଜନକ ବେଉସା ହୋଇ ରହିନାହିଁ।

‘‘ଆମେ ସେଠାକୁ ଚାକିରି ସନ୍ଧାନରେ ଯାଇଥିଲୁ,’’ ଝୁପଖାଲି ଗାଁର ଅନ୍ୟ ଜଣେ ବାସିନ୍ଦା ହର ପାଇକ କୁହନ୍ତି, ‘‘ଆମେ ଗୋଟିଏ ମୃତ୍ୟୁ ଯନ୍ତାକୁ ଯାଉଛୁ ବୋଲି ଜାଣିନଥିଲୁ।’’

ରେମିଂ ମାସ୍‌ ୟୁନିଟ୍‌ରେ କାମ କରୁଥିବା ଶ୍ରମିକ ସିଲିକା ଧୂଳି କଣିକା ସଂସ୍ପର୍ଶରେ ଆସିଥା’ନ୍ତି ଯାହାକୁ ସେମାନେ ଲଗାତାର ଆଘ୍ରାଣ କରିଥା’ନ୍ତି।

ଧାତବ ସ୍କ୍ରାପ୍‌, ଅଣ-ଧାତୁ ଖଣିଜ, ଲେଡଲ୍‌ ଓ କ୍ରେଡଲ୍‌ ଟ୍ରାନ୍ସଫର କାର୍‌କୁ ତରଳାଇବା ଏବଂ ଇସ୍ପାତ ଉତ୍ପାଦନ ଲାଗି ଇଣ୍ଡକ୍ସନ ଫର୍ଣ୍ଣେସ୍‌ର ଲାଇନିଂରେ ରେମିଂ ମାସ୍‌ ମୁଖ୍ୟ ଉପାଦାନ ଅଟେ। ଫାୟାର୍‌ ବ୍ରିକ୍‌ ଭଳି ରିଫ୍ରୋକ୍ଟରୀ ସାମଗ୍ରୀ ଉତ୍ପାଦନ ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଏ।

ଏଠି, ଏସବୁ କାରଖାନାରେ ଶ୍ରମିକମାନେ ଲଗାତାର ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି। ‘‘ମୁଁ କାର୍ଯ୍ୟସ୍ଥଳୀ ନିକଟରେ ଏକ ଅଞ୍ଚଳରେ ଶୋଉଥିଲି। ଶୋଇବା ସମୟରେ ମଧ୍ୟ ମୁଁ ଧୂଳି ଆଘ୍ରାଣ କରି ନେଇଥାଏ,’’ ହର କୁହନ୍ତି, ଯିଏକି ସେଠାରେ ପ୍ରାୟ ୧୫ ମାସ ଧରି ପରିଶ୍ରମ କରିଛନ୍ତି। ସୁରକ୍ଷା ଉପକରଣ ଉପଲବ୍ଧ ନଥିବାର ଅର୍ଥ ହେଉଛି ସିଧାସଳଖ ସିଲିକା ଗୁଣ୍ଡ ସଂସ୍ପର୍ଶରେ ଆସିବା।

PHOTO • Ritayan Mukherjee
PHOTO • Ritayan Mukherjee

ବାମ : ୨୦୦୧ରୁ ୨୦୦୨ ମଧ୍ୟରେ ଉତ୍ତର ୨୪ ପରଗଣାର ଅଧିକାଂଶ କୃଷକ ଜଳବାୟୁ ପରିବର୍ତ୍ତନ ଓ ଫସଲ ଦାମ୍‌ ହ୍ରାସ କାରଣରୁ ପ୍ରବାସୀ ଶ୍ରମିକ ଭାବେ କାମ କରିବା ଲାଗି ବାହାରକୁ ଚାଲି ଯାଇଥିଲେ। ୨୦୦୯ରେ ହୋଇଥିବା ସୁପର ସାଇକ୍ଲୋନ୍‌ ଆଇଲା ପରେ ଆହୁରି ଅଧିକ ଲୋକ ଚାଲି ଯାଇଥିଲେ। ଅନେକ ପ୍ରବାସୀ କ୍ୱାର୍ଟଜାଇଟ୍‌ କ୍ରସିଂ ଓ ମିଲିଂ କାମ ଆରମ୍ଭ କରିଥିଲେ ଯାହାକି ଏକ ବିପଦଜ୍ଜନକ ବେଉସା ଅଟେ। ଡାହାଣ : ସିଲିକୋସିସ ଏକ ଦୁରାରୋଗ୍ୟ ଫୁସଫୁସଜନିତ ରୋଗ। ପରିବାରର ମୁଖ୍ୟ ରୋଜଗାରିଆ ସଦସ୍ୟ ରୋଗିଣା ହୋଇଗଲେ କିମ୍ବା ମୃତ୍ୟୁବରଣ କଲେ ମହିଳାଙ୍କ ଉପରକୁ ଦାୟିତ୍ୱ ଚାଲିଆସିଥାଏ, ଯେଉଁମାନେ ପୂର୍ବରୁ ଆଘାତ ଓ ଦୁଃଖ ସହ ସଂଘର୍ଷ କରୁଥା’ନ୍ତି

୨୦୦୯ରୁ ୧୦ ପରଠାରୁ ରେମିଂ ମାସ୍‌ କାରଖାନାରେ ନଅ ମାସରୁ ତିନି ବର୍ଷ ଧରି ଲଗାତାର କାମ କରିବା ପରେ ମିନାଖାନ୍‌-ସନ୍ଦେଶଖାଲି ବ୍ଲକ୍‌ର ବିଭିନ୍ନ ଗ୍ରାମର ୩୪ ଜଣ ଶ୍ରମିକ ସିଲିକୋସିସ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।

ଶ୍ରମିକମାନେ ଶ୍ୱାସ ନେବା ସହିତ ସିଲିକା ଗୁଣ୍ଡ ସେମାନଙ୍କ ଫୁସଫୁସର ବାୟୁକୋଷ ଥଳିରେ ଜମା ହୋଇଯାଏ, ଯାହାଫଳରେ ଧୀରେ ଧୀରେ ଏହି ଅଙ୍ଗ ଟାଣ ହୋଇଯାଏ। ସିଲିକୋସିସର ପ୍ରଥମ ଲକ୍ଷଣ ଭାବେ କାଶ ଓ ନିଃଶ୍ୱାସ ନେବାରେ ସମସ୍ୟା, ଏହାପରେ ଓଜନ କମ୍‌ ହେବା ଓ ତ୍ୱଚା କଳା ପଡ଼ିଯିବା ଆଦି ଦେଖାଦେଇଥାଏ। ଧୀରେ ଧୀରେ ଛାତିରେ ଯନ୍ତ୍ରଣା ଓ ଶାରୀରିକ ଦୁର୍ବଳତା ଦେଖାଦେଇଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ, ରୋଗୀଙ୍କୁ ଲଗାତାର ଅମ୍ଳଜାନ ସହାୟତା ଆବଶ୍ୟକ ହୋଇଥାଏ। ସିଲିକୋସିସ୍‌ ରୋଗୀଙ୍କ ଠାରେ ଅକ୍ସିଜେନ୍‌ ଅଭାବ ଯୋଗୁ ହୃତସ୍ପନ୍ଦନ ବନ୍ଦ ହୋଇଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥାଏ।

ସିଲିକୋସିସ୍‌ ଏକ ଅପରିବର୍ତ୍ତନୀ, ଦୁରାରୋଗ୍ୟ ଏବଂ କ୍ରମାଗତ ଭାବେ ଗମ୍ଭୀର ହେଉଥିବା ବୃତ୍ତିଗତ ରୋଗ, ଏହା ଏକ ପ୍ରକାରର ନ୍ୟୁମୋକୋନିୟୋସିସ୍‌ ହୋଇଥାଏ। ବୃତ୍ତିଗତ ରୋଗ ବିଶେଷଜ୍ଞ ଡାକ୍ତର କୁନାଲ କୁମାର ଦତ୍ତ କୁହନ୍ତି, ‘‘ସିଲିକୋସିସ ରୋଗୀଙ୍କଠାରେ ଯକ୍ଷ୍ମା ହେବାର ଆଶଙ୍କା ୧୫ ଗୁଣ ଅଧିକ ଥାଏ।’’ ଏହାକୁ ସିଲିକୋ-ଟ୍ୟୁବରକ୍ୟୁଲୋସିସ୍‌ ବା ସିଲିକୋଟିକ୍‌ ଟିବି କୁହାଯାଏ।

କିନ୍ତୁ କାମର ଆବଶ୍ୟକତା ଏତେ ମାତ୍ରାରେ ରହିଛି ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ବହୁସଂଖ୍ୟାରେ ପୁରୁଷ କାମ ସନ୍ଧାନରେ ଲଗାତାର ଏଠାକୁ ଆସୁଛନ୍ତି । ୨୦୦୦ ମସିହାରେ, ଗୋଲଦାହା ଗାଁର ୩୦-୩୫ ଜଣ ଶ୍ରମିକ ପ୍ରାୟ ୩୦୦ କିଲୋମିଟର ଦୂର କୁଲ୍ଟି ସ୍ଥିତ ରେମିଂ ମାସ୍‌ ଉତ୍ପାଦନ ୟୁନିଟ୍‌କୁ କାମ କରିବା ଲାଗି ଯାଇଥିଲେ । କିଛି ବର୍ଷ ପରେ ମିନାଖାନ ବ୍ଲକର ଗୋଲଦାହା, ଦେବିତାଲା, ଖାରିବିୟାରିୟା ଓ ଜୟଗ୍ରାମ ଭଳି ଗାଁରେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଚାଷୀ ବାରାସାତର ଦତ୍ତପୁକୁରରେ ଥିବା ଏକ ୟୁନିଟକୁ କାମ କରିବାକୁ ଯାଇଥିଲେ। ସେହିପରି ୨୦୦୫-୦୬ରେ ସନ୍ଦେଶଖାଲି ବ୍ଲକ୍‌ ୧ ଏବଂ ୨ର ସୁନ୍ଦରୀଖାଲି, ସରବରିୟା, ବତିଦାହା, ଅଗରହାଟୀ, ଜେଲିୟାଖାଲି, ରାଜବାଡ଼ି ଏବଂ ଝୁପଖାଲି ଗାଁରୁ ଚାଷୀମାନେ ମଧ୍ୟ ଏଭଳି ପଦକ୍ଷେପ ନେଇଥିଲେ। ସେହି ଅବଧି ମଧ୍ୟରେ, ଏସବୁ ବ୍ଲକର ଶ୍ରମିକମାନେ ଜମୁରିଆରେ ଥିବା ରେମିଂ ମାସ୍‌ ଉତ୍ପାଦନ ୟୁନିଟକୁ କାମ କରିବା ପାଇଁ ଯାଇଥିଲେ।

‘‘ଆମେ ଗୋଟିଏ ବଲ୍‌ ମିଲ୍‌ (ଏକପ୍ରକାର ଗ୍ରାଇଣ୍ଡର) ବ୍ୟବହାର କରି କ୍ୱାର୍ଟାଜାଇଟ୍‌ ପଥରରୁ ଚିକ୍କଣ ଗୁଣ୍ଡ ଏବଂ କ୍ରଶର ମେସିନ୍‌ ଉପଯୋଗ କରି ସୁଜି ଓ ଚିନି ଭଳି ଶସ୍ୟ ଉତ୍ପାଦନ କରିଥାଉ,’’ ଝୁପଖାଲିର ଆଉ ଜଣେ ବାସିନ୍ଦା ଅମୋୟ ସର୍ଦ୍ଦାର କୁହନ୍ତି । ‘‘ସେଠାରେ ଏତେ ଧୂଳି ଉଡ଼ିଥାଏ ଯେ ଆପଣ ନିଜ ଆଖି ଆଗରେ ଗୋଟିଏ ହାତ ଦୂରତାରେ ମଧ୍ୟ କିଛି ଦେଖିପାରିବେ ନାହିଁ। ମୋ ଦେହସାରା ଧୂଳି ହୋଇଯାଏ,’’ ସେ ଆହୁରି କୁହନ୍ତି। ଦୁଇ ବର୍ଷ ଧରି କାମ କରିବା ପରେ ନଭେମ୍ବର ୨୦୨୨ରେ ଅମୋୟଙ୍କ ଠାରେ ସିଲିକୋସିସ ରୋଗ ଚିହ୍ନଟ ହୋଇଥିଲା। ସେ ଏବେ ଓଜନ ଉଠାଇବା ଭଳି କାମ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ‘‘ମୁଁ ମୋ ପରିବାର ପାଇଁ ରୋଜଗାର ଚାହିଁଥିଲି। କିନ୍ତୁ ରୋଗ ମୋତେ ମାଡ଼ି ବସିଲା,’’ ସେ କୁହନ୍ତି।

୨୦୦୯ରେ ଆସିଥିବା ଭୀଷଷ ବାତ୍ୟା ଆଲିଆ ସୁନ୍ଦରବନ ଅଞ୍ଚଳରେ କୃଷି ଉପଯୋଗୀ ଜମି ଉଜାଡ଼ି ଦେଇଥିଲା। ଏହା ପରଠାରୁ ପ୍ରବାସ ବୃଦ୍ଧି ପାଇଥିଲା। ବିଶେଷ କରି ଯୁବକମାନେ ରାଜ୍ୟର ଅନ୍ୟ ଭାଗ ଏବଂ ଦେଶର ବିଭିନ୍ନ ସ୍ଥାନକୁ କାମ କରିବା ଲାଗି ଯିବା ପାଇଁ ଆଗ୍ରହୀ ଥିଲେ।

PHOTO • Ritayan Mukherjee
PHOTO • Ritayan Mukherjee

ବାମ : ଦୁଇ ବର୍ଷ ଧରି କାମ କରିବା ପରେ ନଭେମ୍ବର ୨୦୨୨ରେ ଅମୋୟ ସର୍ଦ୍ଦାରଙ୍କ ଠାରେ ସିଲିକୋସିସ ରୋଗ ଚିହ୍ନଟ ହୋଇଥିଲା।‘‘ମୁଁ ମୋ ପରିବାର ପାଇଁ ରୋଜଗାର ଚାହିଁଥିଲି। କିନ୍ତୁ ରୋଗ ମୋତେ ମାଡ଼ି ବସିଲା,’ ସେ କୁହନ୍ତି। ଡାହାଣ : ଉତ୍ସାହୀ କିର୍ତ୍ତନ ଗାୟକ ମହାନନ୍ଦ ସର୍ଦ୍ଦାର ସିଲିକୋସିସରେ ଆକ୍ରାନ୍ତ ହେବା ପରେ ଆଉ ଲମ୍ବା ସ୍ୱରରେ ଗାଇ ପାରୁନାହାନ୍ତି

PHOTO • Ritayan Mukherjee
PHOTO • Ritayan Mukherjee

ବାମ : ସନ୍ଦେଶଖାଲି ଓ ମିନାଖାନ ବ୍ଲକର ଅନେକ ସିଲିକୋସିସ ରୋଗୀଙ୍କୁ ଏବେ ନିୟମିତ ଅମ୍ଳଜାନ ସହାୟତା ଆବଶ୍ୟକ। ଡାହାଣ : ଏକ୍ସ-ରେ ଫଟୋ ଯାଞ୍ଚ କରୁଛନ୍ତି ଜଣେ ଟେକ୍ନିସିଆନ୍‌। ସିଲିକୋସିସ ଏକ ବୃଦ୍ଧିଶୀଳ ରୋଗ ଏବଂ ମଝିରେ ମଝିରେ ଏକ୍ସରେ କରି ଏହାକୁ ଜାଣିହେବ

ମହାନନ୍ଦ ସର୍ଦ୍ଦାର ଗାୟକ ହେବାକୁ ଚାହୁଁଥିଲେ, କିନ୍ତୁ ବାତ୍ୟା ଆଇଲା ପରେ ସେ ଜମୁରିଆର ଏକ ରେମିଂ ମାସ୍‌ କାରଖାନାରେ କାମ କରିବାକୁ ଚାଲି ଯାଇଥିଲେ ଯେଉଁଠି ତାଙ୍କୁ ସିଲିକୋସିସ୍‌ ରୋଗ ହୋଇଗଲା। ଏହି ଝୁପଖଲି ବାସିନ୍ଦା କୁହନ୍ତି, ‘‘ମୁଁ ଏବେ ବି କିର୍ତ୍ତନ ଗାଇଥାଏ, କିନ୍ତୁ ମୁଁ ଲମ୍ବା ସ୍ୱରରେ ଗୀତ ଗାଇପାରିବି ନାହିଁ କାରଣ ମୋର ନିଃଶ୍ୱାସ ନେବାରେ ସମସ୍ୟା ହେଉଛି।’’ ସିଲିକୋସିସରେ ପୀଡ଼ିତ ଥିବା ଜାଣିବା ପରେ ମହାନନ୍ଦ ଏକ ନିର୍ମାଣ ସ୍ଥଳୀରେ କାମ କରିବାକୁ ଚେନ୍ନାଇ ଚାଲି ଯାଇଥିଲେ। କିନ୍ତୁ ସେଠାରେ ଏକ ଦୁର୍ଘଟଣାର ଶିକାର ହେବା କାରଣରୁ ମେ ୨୦୨୩ରେ ତାଙ୍କୁ ଫେରିବାକୁ ପଡ଼ିଲା।

ସନ୍ଦେଶଖାଲି ଏବଂ ମିନାଖାନ ବ୍ଲକର ଅନେକ ରୋଗୀ ବାହାରକୁ ଯାଇପାରିବେ, କିନ୍ତୁ ନିଜ ସ୍ୱାସ୍ଥ୍ୟ ପାଇଁ ସଂଘର୍ଷ କରୁଥିବା କାରଣରୁ ସେମାନେ ରାଜ୍ୟର ଅନ୍ୟ ଭାଗ ଏବଂ ବାହାରେ ଦିନ ମଜୁରିଆ ଭାବେ କାମ କରିବା ଜାରି ରଖିଛନ୍ତି।

*****

ରୋଗକୁ ଯଥାଶୀଘ୍ର ଚିହ୍ନଟ କରିବା ଏହାର ପରିଚାଳନା ପାଇଁ ଜରୁରୀ। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡ଼ିକାଲ ରିସର୍ଚ୍ଚ-ନେସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଅକ୍ୟୁପେସନାଲ୍‌ ହେଲ୍‌ଥ୍‌ର ନିର୍ଦ୍ଦେଶକ ଡାକ୍ତର କମଲେଶ ସରକାର କୁହନ୍ତି, ‘‘ସଫଳତା ପୂର୍ବକ ରୋଗ ପରିଚାଳନା କରିବା ଏବଂ ଏହାକୁ ରୋକିବା ଲାଗି, ଏହାକୁ ଶୀଘ୍ର ଚିହ୍ନଟ କରିବାର ଆବଶ୍ୟକତା ରହିଛି। ସିଲିକୋସିସ୍‌ ସମେତ ବିଭିନ୍ନ ଫୁସଫୁସ ରୋଗ ପାଇଁ ଗୋଟିଏ ବାୟୋମାର୍କର୍‌ ହେଉଛି କ୍ଲାରା ସେଲ୍‌ ପ୍ରୋଟିନ୍‌ ୧୬(ସିସି ୧୬), ଯାହାକୁ ଆମ ଆଙ୍ଗୁଠିରେ ଏକତ୍ରିତ ରକ୍ତର ଗୋଟିଏ ବୁନ୍ଦାରୁ ଚିହ୍ନଟ କରାଯାଇପାରିବ।’’ ଏକ ସୁସ୍ଥ ମାନବ ଶରୀରରେ, ସିସି୧୬ର ମୂଲ୍ୟ ମିଲିଲିଟିର ପିଛା ୧୬ ନାନୋଗ୍ରାମ (ଏନଜି/ଏମଏଲ)ଥାଏ, ତେବେ ସିଲିକୋସିସ ରୋଗୀଙ୍କଠାରେ, ରୋଗ ବଢ଼ିବା ସହିତ ଏହି ମୂଲ୍ୟ ହ୍ରାସ ପାଇଥାଏ ଏବଂ ଶେଷରେ ଶୂନ୍ୟରେ ପହଞ୍ଚିଯାଏ।

‘‘ସରକାର ଏକ ଉପଯୁକ୍ତ ଆଇନ ଆଣିବା ଉଚିତ୍‌, ଯେଉଁଥିରେ ଲଗାତାର କିମ୍ବା ମଝିରେ ମଝିରେ ସିଲିକା ଧୂଳି ସଂସ୍ପର୍ଶରେ ଆସୁଥିବା ବିପଜ୍ଜନକ ଉଦ୍ୟୋଗର ଶ୍ରମିକଙ୍କ ପାଇଁ ସିସି ୧୬ ପରୀକ୍ଷଣ ସହିତ ଅବଧିକାଳୀନ ଯାଞ୍ଚ ବାଧ୍ୟତାମୂଳକ ହୋଇଥିବ। ଫଳରେ ସିଲିକୋସିସ ରୋଗକୁ ଶୀଘ୍ର ଚିହ୍ନଟ କରିବାରେ ସହାୟତା ମିଳିପାରିବ,’’ ଡାକ୍ତର ସରକାର କୁହନ୍ତି।

‘‘ପାଖରେ କୌଣସି ଡାକ୍ତରଖାନା ନାହିଁ,’’ ୨୦୧୯ରେ ସିଲିକୋସିସ୍‌ରେ ଆକ୍ରାନ୍ତ ହୋଇଥିବା ରବିନ୍ଦ୍ର ହାଲଦାର୍‌ କୁହନ୍ତି। ନିକଟତମ ବ୍ଲକ୍‌ ଡାକ୍ତରଖାନା ଖୁଲନାରେ ଅଛି। ସେଠାକୁ ଯିବା ପାଇଁ ଝୁପଖାଲି ବାସିନ୍ଦା ରବିନ୍ଦ୍ରଙ୍କୁ ଦୁଇଟି ଡଙ୍ଗାରେ ଯିବାକୁ ପଡ଼ିବ। ‘‘ସରବରିଆରେ ଗୋଟିଏ ଶ୍ରମଜୀବୀ ଡାକ୍ତରଖାନା ଅଛି, କିନ୍ତୁ ସେଠାରେ ଯଥେଷ୍ଟ ସୁବିଧା ନାହିଁ,’’ ସେ କୁହନ୍ତି ଏବଂ ଆହୁରି ମତ ଦିଅନ୍ତି ଯେ, ‘‘କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ, ଆମକୁ କୋଲକାତା ଯିବାକୁ ହୋଇଥାଏ। ଗୋଟିଏ ଆମ୍ବୁଲାନ୍ସ ୧,୫୦୦-୨,୦୦୦ (ଟଙ୍କା) ପଡ଼ିଥାଏ।’’

PHOTO • Ritayan Mukherjee
PHOTO • Ritayan Mukherjee

ବାମ : ଝୁପଖାଲିର ଆଉ ଜଣେ ବାସିନ୍ଦା ରବିନ୍ଦ୍ର ହାଲଦାର କୁହନ୍ତି, ନିକଟତମ ବ୍ଲକ୍‌ ଡାକ୍ତରଖାନାରେ ପହଞ୍ଚିବା ଲାଗି ତାଙ୍କୁ ଦୁଇଟି ଡଙ୍ଗାରେ ପାର୍‌ ହେବାକୁ ପଡ଼ିଥାଏ। ଡାହାଣ : ଗୋଲଦାହା ଗ୍ରାମର ବାସିନ୍ଦା ସଫିକ୍‌ ମୋଲାଙ୍କୁ ନିୟମିତ ଅମ୍ଳଜାନ ସହାୟତା ଆବଶ୍ୟକ

ଗମ୍ଭୀର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ୫୦ ବର୍ଷ ବୟସ୍କ ମହମ୍ମଦ ସଫିକ୍‌ ମୋଲା ଗୋଲଦାହାରେ ଥିବା ନିଜ ଘରେ ପ୍ରାୟ ଦୁଇ ବର୍ଷ ହେବ ବିଛଣାରେ ପଡ଼ି ରହିଛନ୍ତି। ‘‘ମୋର ୨୦ କିଲୋଗ୍ରାମ ଓଜନ କମିଯାଇଛି, ମୋର ନିୟମିତ ଅମ୍ଳଜାନ ସହାୟତା ଆବଶ୍ୟକ। ମୁଁ ରୋଜା ରଖିବାକୁ ସକ୍ଷମ ହେଉନାହିଁ,’’ ସେ କୁହନ୍ତି। ‘‘ମୁଁ ମୋ ପରିବାରକୁ ନେଇ ଚିନ୍ତିତ। ମୁଁ ଚାଲିଗଲେ ସେମାନଙ୍କର କ’ଣ ହେବ?’’

ଫେବୃଆରୀ ୨୦୨୧ରେ ରାଜ୍ୟ ସରକାରଙ୍କ ଠାରୁ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥିଲା। ‘‘ଆମ ପାଇଁ ସମିତ କୁମାର କର ଏକ ମାମଲା ରୁଜୁ କରିଥିଲେ,’’ ସଫିକ୍‌ଙ୍କ ପତ୍ନୀ ତସଲିମା ବିବି କୁହନ୍ତି। କିନ୍ତୁ ଟଙ୍କା ଖୁବ୍‌ ଶୀଘ୍ର ଖର୍ଚ୍ଚ ହୋଇଯାଇଥିଲା। ‘‘ଆମେ ଏହାକୁ ଘର ଚଳେଇବା ଏବଂ ଆମ ବଡ଼ ଝିଅ ବାହାଘରରେ ଖର୍ଚ୍ଚ କଲୁ,’’ ତସଲିମା କହିଥାନ୍ତି।

ଅକୁପେସନାଲ୍‌ ସେଫଟୀ ଏଣ୍ଡ ହେଲ୍‌ଥ୍‌ ଆସୋସିଏସନ ଅଫ୍‌ ଝାଡ଼ଖଣ୍ଡ (ଓଏସଏଜେଏଚ୍‌ ଇଣ୍ଡିଆ)ର ସମିତ କୁମାର କର୍‌ ଦୁଇ ଦଶନ୍ଧି ଧରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସିଲିକୋସିସ ପ୍ରଭାବିତ ଶ୍ରମିକଙ୍କ ଅଧିକାର ପାଇଁ ଲଢ଼ି ଆସୁଛନ୍ତି, ସେମାନଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ କ୍ଷତିପୂରଣ ପାଇଁ ସେମାନଙ୍କ ପକ୍ଷରୁ ଅଭିଯୋଗ ଦାଖଲ କରୁଛନ୍ତି।

ଓଏସଏଜେଏଚ୍‌ ଇଣ୍ଡିଆ ୨୦୧୯-୨୦୨୩ ମଧ୍ୟରେ ପଶ୍ଚିମବଙ୍ଗରେ ସିଲିକୋସିସରେ ମୃତ୍ୟୁବରଣ କରିଥିବା ୨୩ ଶ୍ରମିକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବା ସହିତ ସିଲିକୋସିସ ପ୍ରଭାବିତ ୩୦ ଜଣ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାରେ ସହାୟତା ପ୍ରଦାନ କରିବାରେ ସହଯୋଗ କରିଥିଲା। ଏହାବ୍ୟତୀତ, ପେନସନ ଓ କଲ୍ୟାଣମୂଳକ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

୧୦ରୁ ଅଧିକ ଶ୍ରମିକ ବିଦ୍ୟୁତ ଶକ୍ତି ସହିତ କାମ କରୁଥିବାରୁ କାରଖାନା ଆଇନ ୧୯୪୮ ଅନୁଯାୟୀ, ରେମିଂ ମାସ୍‌ ଓ ସିଲିକା ଗୁଣ୍ଡ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକୁ ଏକ ସଂଗଠିତ ଉଦ୍ୟୋଗ ଭାବେ ବର୍ଗୀକରଣ କରାଯାଇଛି । ତେଣୁ କାରଖାନା ସଂକ୍ରାନ୍ତ ସବୁ ନିୟମ ଓ ନିୟାମକ ପ୍ରୟୋଗ ହୋଇଥାଏ,’’ ସମିତ କୁହନ୍ତି। କାରଖାନାଗୁଡ଼ିକ ମଧ୍ୟ କର୍ମଚାରୀ ରାଜ୍ୟ ବୀମା ଆଇନ ୧୯୪୮, ଏବଂ ଶ୍ରମିକ (କର୍ମଚାରୀ) କ୍ଷତିପୂରଣ ଆଇନ ୧୯୨୩ ଅଧୀନରେ ଆସିଥାଏ। କାରଖାନା ଆଇନରେ ଉଲ୍ଲେଖ କରାଯାଇଥିବା ଏ ଉଲ୍ଲେଖନୀୟ ରୋଗର ଅର୍ଥ ହେଉଛି ଯଦି କୌଣସି ଡାକ୍ତର ସିଲିକୋସିସ ରୋଗୀଙ୍କ ନିଦାନ କରୁଛନ୍ତି, ତା’ହେଲେ ତାଙ୍କୁ କାରଖାନାର ମୁଖ୍ୟ ନିରୀକ୍ଷକଙ୍କୁ ସୂଚନା ଦେବାକୁ ହେବ।

PHOTO • Ritayan Mukherjee
PHOTO • Ritayan Mukherjee

ଅନୀତା ମଣ୍ଡଳ (ବାମ) ଏବଂ ଭାରତୀ ହାଲଦାର (ଡାହାଣ) ଉଭୟ ସିଲିକୋସିସରେ ପୀଡ଼ିତ ସେମାନଙ୍କ ସ୍ୱାମୀଙ୍କୁ ହରାଇଛନ୍ତି। ଅନେକ ରେମିଂ ମାସ୍‌ ୟୁନିଟ୍‌ ବେଆଇନ ବା ଅର୍ଦ୍ଧ-ବେଆଇନ ଭାବେ ଚାଲୁଛନ୍ତି ଏବଂ ଶ୍ରମିକମାନଙ୍କର ପଞ୍ଜୀକରଣ କରୁନାହାନ୍ତି

୩୧ ମାର୍ଚ୍ଚ ୨୦୨୪ରେ କୋଲକାତାରେ ଓଏସଏଚ୍‌ଏଜେ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ବିଶେଷଜ୍ଞଙ୍କ ଏକ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଚିହ୍ନଟ କରିଥିଲେ ଏବଂ ତାହା ହେଉଛି ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା କାରଣରୁ ସିଲିକୋସିସ୍‌ ହୋଇଥାଏ ବୋଲି ସାଧାରଣରେ ଯେଉଁ ଧାରଣା ରହିଛି ତାହାର ବିପରୀତ ଅଳ୍ପ ଅବଧିରେ ଶ୍ୱାସ ଦ୍ୱାରା ଏହି ରୋଗ ହେବାର ଆଶଙ୍କା ଥାଏ। ବହୁସଂଖ୍ୟାରେ ରେମିଂ ମାସ୍‌ ଉଦ୍ୟୋଗରେ କାମ କରୁଥିବା ଉତ୍ତର ୨୪ ପରଗଣାର ସିଲିକୋସିସ ଆକ୍ରାନ୍ତ ରୋଗୀଙ୍କଠାରେ ଏହା ପ୍ରମାଣିତ ହୋଇସାରିଛି। ବିଶେଷଜ୍ଞ ଦଳ କହିଥିଲା ଯେ, ଯେକୌଣସି ଅବଧିରେ ସଂସ୍ପର୍ଶରେ ଆସିବା ମାତ୍ରକେ ଧୂଳି କଣିକା ଚାରିପାଖରେ ଝିଲ୍ଲିଯୁକ୍ତ ଟିସ୍ୟୁ ସୃଷ୍ଟି ହୋଇଥାଏ, ଯାହାଫଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟରେ ବାଧା ଉତ୍ପନ୍ନ ହୋଇଥାଏ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ।

କର୍‌ ଆହୁରି କୁହନ୍ତି ଯେ, ସିଲିକୋସିସ ଏକ ବୃତ୍ତିଗତ ରୋଗ ହୋଇଥିବାରୁ ଶ୍ରମିକମାନେ କ୍ଷତିପୂରଣ ପାଇବାକୁ ହକଦାର୍‌ ଅଟନ୍ତି। କିନ୍ତୁ ଅଧିକାଂଶ ଶ୍ରମିକ ପଞ୍ଜିକୃତ ହୋଇନଥା’ନ୍ତି। ଯେଉଁ କାରଖାନାରେ ଶ୍ରମିକ ସିଲିକୋସିସରେ ପିଡ଼ିତ ଅଟନ୍ତି, ସେଗୁଡ଼ିକୁ ଚିହ୍ନଟ କରିବାର ଦାୟିତ୍ୱ ସରକାରଙ୍କର। ନିଜର ସହାୟତା ଓ ଥଇଥାନ ନୀତି (ଧାରା ୧୧.୪)ରେ ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ ଆଇନକୁ ପରୱା ନକରି ଶ୍ରମିକମାନେ ନିଯୁକ୍ତିଦାତାଙ୍କଠାରୁ କ୍ଷତିପୂରଣ ଦାବି କରିପାରିବେ।

କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ, କର୍‌ କୁହନ୍ତି, ‘‘ମୁଁ ଦେଖିଛି ଯେ ଅଧିକାଂଶ ସମୟରେ ମୃତ୍ୟୁପ୍ରମାଣପତ୍ରରେ ସିଲିକୋସିସକୁ ମୃତ୍ୟୁର କାରଣ ଭାବେ ଦର୍ଶାଇବା ଲାଗି ପ୍ରଶାସନ ବାରଣ କରିଥାଏ,’’ ସେ କୁହନ୍ତି। ଆଉ ତା’ପୂର୍ବରୁ, ଅସୁସ୍ଥ ହେବା କ୍ଷଣି କାରଖାନାଗୁଡ଼ିକ ଶ୍ରମିକମାନଙ୍କୁ ବାହାର କରିଦେଇଥା’ନ୍ତି।

ମେ ୨୦୧୭ରେ ଅନୀତା ମଣ୍ଡଳଙ୍କ ସ୍ୱାମୀ ସୁବର୍ଣ୍ଣଙ୍କର ମୃତ୍ୟୁ ଘଟିଥିଲା। କୋଲକାତାର ନୀଲ ରତନ ସରକାର ହସ୍ପିଟାଲ ତାଙ୍କର ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ଭାବେ ‘‘ଲିଭର୍‌ ସିରୋସିସ୍‌ ଏବଂ ସଂକ୍ରାମକ ପେରିଟୋନିଟିସ୍‌’’ ବୋଲି ଦର୍ଶାଇଥିଲା। ସୁବର୍ଣ୍ଣ ଜମୁରିଆରେ ଏକ ରେମିଂ ମାସ୍‌ କାରଖାନାରେ କାମ କରୁଥିଲେ।

‘‘ମୋ ସ୍ୱାମୀଙ୍କର କେବେ ଲିଭର୍‌ ରୋଗ ନଥିଲା,’’ ଅନୀତା କୁହନ୍ତି, ‘‘ତାଙ୍କଠାରେ ସିଲିକୋସିସ୍‌ ଚିହ୍ନଟ ହୋଇଥିଲା।’’ ଝୁପଖାଲି ବାସିନ୍ଦା ଅନୀତା ଜଣେ କୃଷି ଶ୍ରମିକ ଭାବେ କାମ କରନ୍ତି ଏବଂ ତାଙ୍କ ପୁଅ ଏବେ ପ୍ରବାସୀ ଶ୍ରମିକ ଭାବେ ମୁଖ୍ୟତଃ କୋଲକାତା ଏବଂ ଡାଇମଣ୍ଡ ହାର୍ବରର ନିର୍ମାଣସ୍ଥଳୀରେ କାମ କରୁଛି। ‘‘ସେମାନେ ମୃତ୍ୟୁ ପ୍ରମାଣପତ୍ରରେ କ’ଣ ଲେଖିଥିଲେ ତାହା ମୁଁ ଆଦୌ ଜାଣିନଥିଲି। ସେତେବେଳେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି। ଆଉ ମୁଁ ଆଇନଗତ ବିଷୟରେ ଜାଣିବି କେମିତି? ମୁଁ ଜଣେ ସାଧାରଣ ଗ୍ରାମୀଣ ଗୃହିଣୀ,’’ ଅନୀତା କୁହନ୍ତି।

ସେମାନଙ୍କର ମିଳିତ ରୋଜଗାରକୁ ନେଇ ଅନୀତା ଓ ତାଙ୍କ ପୁଅ ତାଙ୍କ ଝିଅର ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରୁଛନ୍ତି। ସେ ମଧ୍ୟ ନିର୍ବାଚନକୁ ନେଇ ଆଗ୍ରହୀ ନୁହନ୍ତି। ‘‘ଗତ ସାତ ବର୍ଷ ମଧ୍ୟରେ ଦୁଇଟି ନିର୍ବାଚନ ହୋଇଛି। କିନ୍ତୁ ମୁଁ ଏବେ ବି ଦୁର୍ଦ୍ଦଶାରେ ଦିନ କାଟୁଛି। ତା’ହେଲେ କୁହନ୍ତୁ, ମୁଁ କାହିଁକି ଆଗ୍ରହୀ ହେବି?’’ ସେ ପ୍ରଶ୍ନ କରିଥା’ନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Ritayan Mukherjee

Ritayan Mukherjee is a Kolkata-based photographer and a PARI Senior Fellow. He is working on a long-term project that documents the lives of pastoral and nomadic communities in India.

Other stories by Ritayan Mukherjee
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE