୨୦୦୯ରୁ ୧୦ ପରଠାରୁ ରେମିଂ ମାସ୍ କାରଖାନାରେ ନଅ ମାସରୁ ତିନି ବର୍ଷ ଧରି ଲଗାତାର କାମ କରିବା ପରେ ମିନାଖାନ୍-ସନ୍ଦେଶଖାଲି ବ୍ଲକ୍ର ବିଭିନ୍ନ ଗ୍ରାମର ୩୪ ଜଣ ଶ୍ରମିକ ସିଲିକୋସିସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ଶ୍ରମିକମାନେ ଶ୍ୱାସ ନେବା ସହିତ ସିଲିକା ଗୁଣ୍ଡ ସେମାନଙ୍କ ଫୁସଫୁସର ବାୟୁକୋଷ ଥଳିରେ ଜମା ହୋଇଯାଏ, ଯାହାଫଳରେ ଧୀରେ ଧୀରେ ଏହି ଅଙ୍ଗ ଟାଣ ହୋଇଯାଏ। ସିଲିକୋସିସର ପ୍ରଥମ ଲକ୍ଷଣ ଭାବେ କାଶ ଓ ନିଃଶ୍ୱାସ ନେବାରେ ସମସ୍ୟା, ଏହାପରେ ଓଜନ କମ୍ ହେବା ଓ ତ୍ୱଚା କଳା ପଡ଼ିଯିବା ଆଦି ଦେଖାଦେଇଥାଏ। ଧୀରେ ଧୀରେ ଛାତିରେ ଯନ୍ତ୍ରଣା ଓ ଶାରୀରିକ ଦୁର୍ବଳତା ଦେଖାଦେଇଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ, ରୋଗୀଙ୍କୁ ଲଗାତାର ଅମ୍ଳଜାନ ସହାୟତା ଆବଶ୍ୟକ ହୋଇଥାଏ। ସିଲିକୋସିସ୍ ରୋଗୀଙ୍କ ଠାରେ ଅକ୍ସିଜେନ୍ ଅଭାବ ଯୋଗୁ ହୃତସ୍ପନ୍ଦନ ବନ୍ଦ ହୋଇଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥାଏ।
ସିଲିକୋସିସ୍ ଏକ ଅପରିବର୍ତ୍ତନୀ, ଦୁରାରୋଗ୍ୟ ଏବଂ କ୍ରମାଗତ ଭାବେ ଗମ୍ଭୀର ହେଉଥିବା ବୃତ୍ତିଗତ ରୋଗ, ଏହା ଏକ ପ୍ରକାରର ନ୍ୟୁମୋକୋନିୟୋସିସ୍ ହୋଇଥାଏ। ବୃତ୍ତିଗତ ରୋଗ ବିଶେଷଜ୍ଞ ଡାକ୍ତର କୁନାଲ କୁମାର ଦତ୍ତ କୁହନ୍ତି, ‘‘ସିଲିକୋସିସ ରୋଗୀଙ୍କଠାରେ ଯକ୍ଷ୍ମା ହେବାର ଆଶଙ୍କା ୧୫ ଗୁଣ ଅଧିକ ଥାଏ।’’ ଏହାକୁ ସିଲିକୋ-ଟ୍ୟୁବରକ୍ୟୁଲୋସିସ୍ ବା ସିଲିକୋଟିକ୍ ଟିବି କୁହାଯାଏ।
କିନ୍ତୁ କାମର ଆବଶ୍ୟକତା ଏତେ ମାତ୍ରାରେ ରହିଛି ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ବହୁସଂଖ୍ୟାରେ ପୁରୁଷ କାମ ସନ୍ଧାନରେ ଲଗାତାର ଏଠାକୁ ଆସୁଛନ୍ତି । ୨୦୦୦ ମସିହାରେ, ଗୋଲଦାହା ଗାଁର ୩୦-୩୫ ଜଣ ଶ୍ରମିକ ପ୍ରାୟ ୩୦୦ କିଲୋମିଟର ଦୂର କୁଲ୍ଟି ସ୍ଥିତ ରେମିଂ ମାସ୍ ଉତ୍ପାଦନ ୟୁନିଟ୍କୁ କାମ କରିବା ଲାଗି ଯାଇଥିଲେ । କିଛି ବର୍ଷ ପରେ ମିନାଖାନ ବ୍ଲକର ଗୋଲଦାହା, ଦେବିତାଲା, ଖାରିବିୟାରିୟା ଓ ଜୟଗ୍ରାମ ଭଳି ଗାଁରେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଚାଷୀ ବାରାସାତର ଦତ୍ତପୁକୁରରେ ଥିବା ଏକ ୟୁନିଟକୁ କାମ କରିବାକୁ ଯାଇଥିଲେ। ସେହିପରି ୨୦୦୫-୦୬ରେ ସନ୍ଦେଶଖାଲି ବ୍ଲକ୍ ୧ ଏବଂ ୨ର ସୁନ୍ଦରୀଖାଲି, ସରବରିୟା, ବତିଦାହା, ଅଗରହାଟୀ, ଜେଲିୟାଖାଲି, ରାଜବାଡ଼ି ଏବଂ ଝୁପଖାଲି ଗାଁରୁ ଚାଷୀମାନେ ମଧ୍ୟ ଏଭଳି ପଦକ୍ଷେପ ନେଇଥିଲେ। ସେହି ଅବଧି ମଧ୍ୟରେ, ଏସବୁ ବ୍ଲକର ଶ୍ରମିକମାନେ ଜମୁରିଆରେ ଥିବା ରେମିଂ ମାସ୍ ଉତ୍ପାଦନ ୟୁନିଟକୁ କାମ କରିବା ପାଇଁ ଯାଇଥିଲେ।
‘‘ଆମେ ଗୋଟିଏ ବଲ୍ ମିଲ୍ (ଏକପ୍ରକାର ଗ୍ରାଇଣ୍ଡର) ବ୍ୟବହାର କରି କ୍ୱାର୍ଟାଜାଇଟ୍ ପଥରରୁ ଚିକ୍କଣ ଗୁଣ୍ଡ ଏବଂ କ୍ରଶର ମେସିନ୍ ଉପଯୋଗ କରି ସୁଜି ଓ ଚିନି ଭଳି ଶସ୍ୟ ଉତ୍ପାଦନ କରିଥାଉ,’’ ଝୁପଖାଲିର ଆଉ ଜଣେ ବାସିନ୍ଦା ଅମୋୟ ସର୍ଦ୍ଦାର କୁହନ୍ତି । ‘‘ସେଠାରେ ଏତେ ଧୂଳି ଉଡ଼ିଥାଏ ଯେ ଆପଣ ନିଜ ଆଖି ଆଗରେ ଗୋଟିଏ ହାତ ଦୂରତାରେ ମଧ୍ୟ କିଛି ଦେଖିପାରିବେ ନାହିଁ। ମୋ ଦେହସାରା ଧୂଳି ହୋଇଯାଏ,’’ ସେ ଆହୁରି କୁହନ୍ତି। ଦୁଇ ବର୍ଷ ଧରି କାମ କରିବା ପରେ ନଭେମ୍ବର ୨୦୨୨ରେ ଅମୋୟଙ୍କ ଠାରେ ସିଲିକୋସିସ ରୋଗ ଚିହ୍ନଟ ହୋଇଥିଲା। ସେ ଏବେ ଓଜନ ଉଠାଇବା ଭଳି କାମ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ‘‘ମୁଁ ମୋ ପରିବାର ପାଇଁ ରୋଜଗାର ଚାହିଁଥିଲି। କିନ୍ତୁ ରୋଗ ମୋତେ ମାଡ଼ି ବସିଲା,’’ ସେ କୁହନ୍ତି।
୨୦୦୯ରେ ଆସିଥିବା ଭୀଷଷ ବାତ୍ୟା ଆଲିଆ ସୁନ୍ଦରବନ ଅଞ୍ଚଳରେ କୃଷି ଉପଯୋଗୀ ଜମି ଉଜାଡ଼ି ଦେଇଥିଲା। ଏହା ପରଠାରୁ ପ୍ରବାସ ବୃଦ୍ଧି ପାଇଥିଲା। ବିଶେଷ କରି ଯୁବକମାନେ ରାଜ୍ୟର ଅନ୍ୟ ଭାଗ ଏବଂ ଦେଶର ବିଭିନ୍ନ ସ୍ଥାନକୁ କାମ କରିବା ଲାଗି ଯିବା ପାଇଁ ଆଗ୍ରହୀ ଥିଲେ।