ଏହା ଏକ ଗରମ ଓ ରୌଦ୍ରତାପ ଜର୍ଜରିତ ମାର୍ଚ୍ଚ ମାସର ଦ୍ୱି’ପହର ଏବଂ ଅରାପାନି ଗାଁର ବୟସ୍କ ଲୋକମାନେ ଏକ ଛୋଟ ଧଳା ଚର୍ଚ୍ଚ ଭିତରେ ଏକତ୍ରିତ ହୁଅନ୍ତି। କିନ୍ତୁ ସେମାନଙ୍କୁ ଏଠାକୁ ଆସିବା ପାଇଁ କୌଣସି ନୈତିକ ଚାପ ନାହିଁ ।
ଚଟାଣରେ ଏକ ବୃତ୍ତାକାରରେ ବସିଥିବା ଏହି ଗୋଷ୍ଠୀର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ସମାନ ଥିଲା – ସେମାନଙ୍କର ଉଚ୍ଚ କିମ୍ବା ନିମ୍ନ କ୍ରନିକ୍ ରକ୍ତଚାପ ସମସ୍ୟା ଚିହ୍ନଟ ହୋଇଛି । ତେଣୁ, ରକ୍ତଚାପ ଯାଞ୍ଚ କରିବା ପାଇଁ ସେମାନେ ମାସରେ ଥରେ ଏକାଠି ହୁଅନ୍ତି ଏବଂ ଔଷଧ ପାଇଁ ଅପେକ୍ଷା କରିବା ବେଳେ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି ।
ରୂପି ବାଘେଲ, ଯାହାଙ୍କୁ ଲୋକ ଶ୍ରଦ୍ଧାରେ ରୂପି ବାଇ ବୋଲି ଡାକନ୍ତି, ସେ କୁହନ୍ତି, “ମୁଁ ଏହି ବୈଠକକୁ ଆସିବାକୁ ପସନ୍ଦ କରେ କାରଣ ମୁଁ ଏଠାରେ ମୋର ଉଦ୍ବେଗ ଜଣାଇଥାଏ।” ୫୩ ବର୍ଷୀୟା ରୂପି ବାଘେଲ ଗତ ପାଞ୍ଚ ବର୍ଷ ଧରି ଏଠାକୁ ଆସୁଛନ୍ତି। ସେ ଜଣେ ବୈଗା ଆଦିବାସୀ, ଜଣେ ସହାୟକ କୃଷକ ଭାବେ କାର୍ଯ୍ୟ କରନ୍ତି ଏବଂ ଆୟ ବୃଦ୍ଧି ପାଇଁ ଜଙ୍ଗଲରୁ ଜାଳେଣୀ କାଠ ଏବଂ ମହୁଆ ପରି ଅଣ-କାଠଗଣ୍ଡି ଜଙ୍ଗଲ ଉତ୍ପାଦନ (NTFP) ଉପରେ ନିର୍ଭର କରନ୍ତି । ବୈଗାମାନେ ଏକ ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀ ଗୋଷ୍ଠୀ (PVTG) ଭାବେ ତାଲିକାଭୁକ୍ତ । ଅରାପାନି (ଔରାପାନି ଭାବେ ମଧ୍ୟ ଉଚ୍ଚାରଣ କରାଯାଏ) ଗାଁରେ ଅଧିକାଂଶ ବାଇଗା ସମୁଦାୟର ଲୋକ ବସବାସ କରନ୍ତି ।
ବିଳାସପୁର ଜିଲ୍ଲା କୋଟା ବ୍ଲକରେ ଅବସ୍ଥିତ ଏହି ଗାଁ ଛତିଶଗଡ଼ର ଆଚାନକମାର-ଅମରକଣ୍ଟକ ବାୟୋସ୍ଫିୟର ରିଜର୍ଭ (AABR) ନିକଟରେ ଅବସ୍ଥିତ। “ମୁଁ ଜଙ୍ଗଲକୁ ଯାଇ ଝାଡୁ (ବ୍ରୁମ୍) ତିଆରି କରିବା ପାଇଁ ବାଉଁଶ ସଂଗ୍ରହ କରୁଥିଲି, ଯାହାକୁ ମୁଁ ବିକ୍ରି କରିଥାଏ । କିନ୍ତୁ ମୁଁ ଆଉ ଏତେ ଦୂର ଚାଲି ପାରୁନାହିଁ, ତେଣୁ ମୁଁ ଘରେ ରହୁଛି,” ଉଚ୍ଚ ରକ୍ତଚାପ ଜନିତ ଥକାପଣ ତାଙ୍କ ଜୀବନରେ କିପରି ପ୍ରଭାବ ପକାଇଛି ବର୍ଣ୍ଣନା କରି କୁହନ୍ତି ଫୁଲସୋରୀ ଲାକଡା । ଷାଠିଏ ଦଶକରେ ପହଁଚିଥିବା ଫୁଲସୋରୀ ଏବେ ଘରେ ରହି ନିଜ ଛେଳିର ଯତ୍ନ ନିଅନ୍ତି ଏବଂ ଦିନସାରା ବୁଲି ଗୋବର ସଂଗ୍ରହ କରନ୍ତି। ଅଧିକାଂଶ ବୈଗା ଜୀବିକା ନିର୍ବାହ ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି।








