ମୁଁ ଥକି ଯାଇଛି । ମୋ ଶରୀର ଓ ମନ ଭାରୀ ହୋଇପଡ଼ିଛି। ମୋ ଆଖି ମୃତ୍ୟୁର ଯନ୍ତ୍ରଣାରେ ଭରି ଯାଇଛି - ମୋ ଚାରି ପାଖରେ ପୀଡ଼ିତଙ୍କ ମୃତ୍ୟୁ। ମୁଁ ଯେଉଁ ସବୁ କାହାଣୀ ଉପରେ କାମ କରିଛି ସେଗୁଡ଼ିକୁ ଲେଖିପାରୁନାହିଁ। ମୁଁ ଏକ ଅଦ୍ଭୂତ ଶୂନ୍ୟତା ଅନୁଭବ କରୁଛି। ଯେତେବେଳେ ମୁଁ ଏ କାହାଣୀ ଲେଖିବା ଆରମ୍ଭ କରୁଛି, ସରକାର ଚେନ୍ନାଇର ଅନଗାପୁତୁରରେ ଦଳିତଙ୍କ ଘରକୁ ଧ୍ୱଂସ କରି ଦେଉଛି। ମୁଁ ଆହୁରି ସ୍ତବ୍ଧ ହୋଇଯାଇଛି।
୭ ଅକ୍ଟୋବର, ୨୦୨୩ରେ ତାମିଲନାଡ଼ୁ ହୋସୁରରେ ବାଣ ରଖାଯାଉଥିବା ଗୋଦାମରେ ଘଟିଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣାରୁ ମୁଁ ଏବେ ସୁଦ୍ଧା ନିଜକୁ ଦୂରେଇ ପାରୁନାହିଁ । ଏବେ ସୁଦ୍ଧା ମୁଁ ୨୨ ଜଣଙ୍କ ମୃତ୍ୟୁ ଉପରେ ଲେଖିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୧୭ରୁ ୨୧ ବର୍ଷ ବୟସ୍କ ବିଦ୍ୟାର୍ଥୀ। ସେମାନେ ସମସ୍ତେ ବାଣ ଗୋଦାମରେ କାମ କରୁଥିଲେ। ଆଠ ଜଣ ଯାକ ପିଲା ଗୋଟିଏ ସହର ବାସିନ୍ଦା ଥିଲେ ଓ ପରସ୍ପରର ଭଲ ବନ୍ଧୁ ଥିଲେ ।
ଯେବେଠାରୁ ମୁଁ ଫଟୋଗ୍ରାଫୀ ଶିଖିବା ଆରମ୍ଭ କରିଥିଲି, ସେବେଠାରୁ ବାଣ କାରଖାନା, ଗୋଦାମ ଓ ଦୋକାନରେ କାମ କରୁଥିବା ଲୋକଙ୍କ ବିଷୟରେ ଜାଣିବା ଲାଗି ଆଗ୍ରହୀ ରହିଛି । ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚେଷ୍ଟା କଲି କିନ୍ତୁ ମୋତେ ଆବଶ୍ୟକ ଅନୁମତି ମିଳିପାରିଲା ନାହିଁ । ମୋର ସମସ୍ତ ପଚରାଉଚରା ସମୟରେ, ମୋତେ କୁହାଗଲା ଯେ ଗୋଦାମକୁ ଯିବା ଲାଗି ମୋତେ କେବେ ବି ଅନୁମତି ମିଳିବ ନାହିଁ । ଫଟୋ ଉଠାଇବା ତ’ ଦୂରର କଥା ଭିତରକୁ ଯିବା ପାଇଁ ସୁଦ୍ଧା ଅନୁମତି ମିଳିବ ନାହିଁ।
ମୋ ବାପା-ମା’ କେବେ ବି ଦୀପାବଳିରେ ଆମ ପାଇଁ ନୂଆ ପୋଷାକ କିମ୍ବା ବାଣ କିଣିନାହାନ୍ତି। ସେ ଖର୍ଚ୍ଚ ଉଠାଇବା ସେମାନଙ୍କ ପକ୍ଷେ ସମ୍ଭବପର ନଥିଲା। ମୋ ବଡ଼ ବାପା - ବାପାଙ୍କ ସବୁଠୁ ବଡ଼ ଭାଇ, ଆମ ପାଇଁ ନୂଆ ପୋଷାକ କିଣୁଥିଲେ। ଆମେ ସବୁବେଳେ ଦୀପାବଳି ପାଳନ କରିବା କରିବା ଲାଗି ବଡ଼ବାପାଙ୍କ ଘରକୁ ଯାଉଥିଲୁ। ସେ ଆମ ପାଇଁ ବାଣ ମଧ୍ୟ କିଣି ଦେଉଥିଲେ ଏବଂ ବଡ଼ ବାପାଙ୍କ ସହିତ ସବୁ ପିଲାମାନେ ସେହିସବୁ ବାଣ ଫୁଟାଉଥିଲେ।
କିନ୍ତୁ ବାଣ ଫୁଟାଇବାରେ ମୋର ସେତେ ଆଗ୍ରହ ନଥିଲା। ମୁଁ ବଡ଼ ହେବା ସହିତ ବାଣ ଫୁଟାଇବା ଧୀରେ ଧୀରେ ସମ୍ପୂର୍ଣ୍ଣ ବନ୍ଦ କରିଦେଲି। ମୁଁ ଦୀପାବଳି ସମେତ ପର୍ବପର୍ବାଣୀ ପାଳନ କରିବା ମଧ୍ୟ ବନ୍ଦ କରିଦେଲି। ଫଟୋଗ୍ରାଫୀ କ୍ଷେତ୍ରରେ ପାଦ ଥାପିବା ପରେ ହିଁ ମୁଁ ସର୍ବହରା ବର୍ଗଙ୍କ ଜୀବନ ବିଷୟରେ ଜାଣିବାରେ ସକ୍ଷମ ହୋଇଥିଲି।
ଫଟୋଗ୍ରାଫୀ ମାଧ୍ୟମରେ ମୁଁ ଅନେକ କଥା ଶିଖିଲି। ପ୍ରତି ବର୍ଷ ଦୀପାବଳି ସମୟରେ ବାଣ ଗୋଦାମରେ ନିଆଁ ଲାଗୁଥିଲା ଏବଂ ଦୁର୍ଘଟଣା ଘଟୁଥିଲା। ମୁଁ ଏପରି ଏକ ସ୍ଥାନରେ ଥିଲି ଯେଉଁଠି ମୋର ଏପରି ଦୁର୍ଘଟଣାକୁ କୌଣସି ଖାତିର୍ ନଥିଲା।





















