ଜଣେ ଜୀବବିଜ୍ଞାନୀ, ଜଣେ ସେନାର ଯବାନ, ଜଣେ ଗୃହିଣୀ ଏବଂ ଜଣେ ଭୂଗୋଳରେ ସ୍ନାତକ ।

ଗ୍ରୀଷ୍ମର ଏକ ଉଷ୍ମ ଦିବସରେ, ରାଞ୍ଚି ସହରର ବ୍ୟସ୍ତବହୁଳ ରାସ୍ତା କଡ଼ରେ ଏକାଠି ହୋଇଛନ୍ତି ଏଭଳି ଏକ ଅସମ୍ଭାବିତ ଗୋଷ୍ଠୀର ଲୋକେ । ସେମାନେ ସମସ୍ତେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସଦସ୍ୟ ଏବଂ ରାଜଧାନୀସ୍ଥିତ ଝାଡ଼ଖଣ୍ଡ ଜନଜାତି ଗବେଷଣା ସଂସ୍ଥା (ଟିଆର୍‌ଆଇ)ରେ ଆୟୋଜିତ ଏକ ଲିଖନ କର୍ମଶାଳାରେ ଭାଗ ନେଉଛନ୍ତି ।

“ମୁଁ ଚାହେଁ ଆମ ପିଲାମାନେ ସେମାନଙ୍କ ମାତୃଭାଷାରେ ପାଠ ପଢ଼ନ୍ତୁ,” ମାୱଣୋ ଭାଷାଭାଷୀ ମାଲ ପାହାଡ଼ିଆ ସଂପ୍ରଦାୟର ଜଗନ୍ନାଥ ଗିରହି କହନ୍ତି । ତାଙ୍କର ବିଲୁପ୍ତପ୍ରାୟ ମାତୃଭାଷା ମାୱଣୋର ବ୍ୟାକରଣ ଲେଖିବା ଲାଗି ଦୁମକା ଜିଲ୍ଲାର ତାଙ୍କ ଗାଁରୁ ୨୦୦ କିଲୋମିଟର ଦୂର ରାଞ୍ଚିର ଏହି ଜନଜାତି ଗବେଷଣା ସଂସ୍ଥା ପର୍ଯ୍ୟନ୍ତ ଆସିଛନ୍ତି ଏହି ୨୪ ବର୍ଷୀୟ ଯୁବକ ଜଣକ ।

ଭବିଷ୍ୟତ ପାଇଁ ତାଙ୍କ ପାଖରେ ରହିଛି ଆହୁରି ଅଧିକ ଯୋଜନା: “ଆମେ ମାୱଣୋ ଭାଷାରେ ବହି ପ୍ରକାଶ କରିବାକୁ ଚାହୁଁ,” ଜଗନ୍ନାଥ କହନ୍ତି । ଜୀବବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାରେ ତାଙ୍କ ଗାଁ ବଲିଆଖୋଡ଼ାର ସେ ଏକମାତ୍ର ବ୍ୟକ୍ତି ଏବଂ ହିନ୍ଦୀ ମାଧ୍ୟମରେ ସେ ଏହା କରିଛନ୍ତି । “ବିଶ୍ୱବିଦ୍ୟାଳୟରେ ଅଧିକ ସଂଖ୍ୟକ ଲୋକ ଥିବା ସଂପ୍ରଦାୟର ଭାଷାରେ ପଢ଼ା ଯାଇଥାଏ,” ସେ ସୂଚାଇ ଦିଅନ୍ତି । “ଏମିତି କି ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍‌ଏସ୍‌ସି)ର ପାଠ୍ୟକ୍ରମ ବି ଖୋର୍‌ଠା ଓ ସାନ୍ତାଳୀ ଭଳି (ଜନଜାତି) ଭାଷାରେ ମିଳିଥାଏ, କିନ୍ତୁ ଆମ ଭାଷା (ମାୱଣୋ)ରେ ନୁହେଁ ।”

“ଯଦି ଏହା (ଉପେକ୍ଷା) ଅବ୍ୟାହତ ରହେ, ତେବେ ଧୀରେ ଧୀରେ ମୋ ମାତୃଭାଷା ଉଭେଇ ଯିବ।” ମାଲ-ପାହାଡ଼ିଆ ଭାଷା କହୁଥିବା ପ୍ରାୟ ୧୫ ପ୍ରତିଶତ ଲୋକ ଝାଡ଼ଖଣ୍ଡରେ ଏବଂ ଅବଶିଷ୍ଟ ବିଭିନ୍ନ ପଡ଼ୋଶୀ ରାଜ୍ୟରେ ରହନ୍ତି।

ସେମାନଙ୍କ ଭାଷା ମାୱଣୋ ହେଉଛି ଏକ ଭାରତୀୟ-ଆର୍ଯ୍ୟ ଭାଷା, ଯାହା ଉପରେ ଦାକ୍ଷିଣାତ୍ୟରେ ପ୍ରଚଳିତ ଦ୍ରାବିଡ଼ ଭାଷାର ପ୍ରଭାବ ପଡ଼ିଛି । ଏହି ଭାଷାକୁ ୪,୦୦୦ରୁ କମ୍‌ ଲୋକ କହୁଥିବାରୁ ଏହା ଏକ ବିଲୁପ୍ତପ୍ରାୟ ଭାଷା ରୂପେ ପରିଗଣିତ ଏବଂ ଏହା ସରକାରୀ ଭାଷାର ମାନ୍ୟତା ପାଇନାହିଁ । ଝାଡ଼ଖଣ୍ଡରେ କରାଯାଇଥିବା ଭାରତର ଭାଷାଭିତ୍ତିକ ସର୍ଭେ (LSI) ଅନୁସାରେ, ମାୱଣୋ ଭାଷା ସ୍କୁଲ୍‌ରେ ଶିକ୍ଷାଦାନର ମାଧ୍ୟମ ରୂପେ ବ୍ୟବହୃତ ହୁଏ ନାହିଁ ଏବଂ ଏହାର ନିଜସ୍ୱ ପୃଥକ୍‌ ଲିପି ନାହିଁ ।

Members of the Mal Paharia community in Jharkhand rely on agriculture and forest produce for their survival. The community is one of the 32 scheduled tribes in the state, many of whom belong to Particularly Vulnerable Tribal Groups (PVTGs)
PHOTO • Ritu Sharma
Members of the Mal Paharia community in Jharkhand rely on agriculture and forest produce for their survival. The community is one of the 32 scheduled tribes in the state, many of whom belong to Particularly Vulnerable Tribal Groups (PVTGs)
PHOTO • Ritu Sharma

ଝାଡ଼ଖଣ୍ଡର ମାଲ ପାହାଡ଼ିଆ ସଂପ୍ରଦାୟ ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି । ଏହି ସଂପ୍ରଦାୟ ରାଜ୍ୟରେ ବସବାସ କରୁଥିବା ୩୨ ଟି ଅନୁସୂଚିତ ଜନଜାତି ମଧ୍ୟରୁ ଗୋଟିଏ ଏବଂ ଏହା ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ସମୂହ ଅନ୍ତର୍ଭୁକ୍ତ

ମାଲ ପାହାଡ଼ିଆ ସଂପ୍ରଦାୟର ଲୋକେ ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି । ଝାଡ଼ଖଣ୍ଡରେ ସେମାନଙ୍କୁ ‘ପିଭିଟିଜି’ ବା ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁମକା, ଗୋଡ୍ଡା, ସାହିବଗଞ୍ଜ ଏବଂ ପାକୁଡ଼ ଜିଲ୍ଲାରେ ରହନ୍ତି । ଏହି ସଂପ୍ରଦାୟର ଲୋକେ କେବଳ ନିଜ ନିଜ ଘରେ ମାୱଣୋ ଭାଷା କହନ୍ତି । ସମସ୍ତ ସରକାରୀ କାର୍ଯ୍ୟ ହିନ୍ଦୀ ଓ ବଙ୍ଗଳା ଭଳି ଅନ୍ୟାନ୍ୟ ପ୍ରଭାବଶାଳୀ ଭାଷାରେ ସଂପାଦିତ ହେଉଥିବାରୁ ଆଗକୁ ଦିନେ ସେମାନଙ୍କର ଭାଷା ଲୋପ ପାଇଯିବ ବୋଲି ସେମାନେ ଆଶଙ୍କା କରନ୍ତି ।

ଜଗନ୍ନାଥଙ୍କ ସହିତ ଏକମତ ହୁଅନ୍ତି ଆଉ ଜଣେ ମାୱଣୋ ଭାଷାଭାଷୀ ମନୋଜ କୁମାର ଦେହରି । ପାକୁଡ଼ ଜିଲ୍ଲା ଅନ୍ତର୍ଗତ ସହରପୁର ଗାଁ ନିବାସୀ ଏହି ୨୩ ବର୍ଷୀୟ ଯୁବକ ଜଣକ ଭୂଗୋଳରେ ସ୍ନାତକ । ସେ କହନ୍ତି, “ରାଜ୍ୟରେ ଶିକ୍ଷାଦାନର ମାଧ୍ୟମ ରୂପେ ହିନ୍ଦୀ ଓ ବଙ୍ଗଳାକୁ ପ୍ରାଥମିକତା ଦିଆଯିବା ମାୱଣୋ ଭାଷା ପ୍ରତି ଆଦୌ ଶୁଭଙ୍କର ନୁହେଁ ।” ଝାଡ଼ଖଣ୍ଡର ଅଧିକାଂଶ ସ୍କୁଲ ଓ କଲେଜରେ ହିନ୍ଦୀ ହେଉଛି ଶିକ୍ଷାଦାନର ମାଧ୍ୟମ ଏବଂ ଏମିତି କି ଶିକ୍ଷକମାନେ ବି ହିନ୍ଦୀ ଭାଷାଭାଷୀ ।

ଏ ସବୁ ପ୍ରଭାବଶାଳୀ ଭାଷାକୁ ବାଦ୍‌ ଦେଲେ ‘ସଂଯୋଗକାରୀ ଭାଷା’ ଅର୍ଥାତ୍‌ ଅନ୍ୟମାନଙ୍କ ସହିତ ଯୋଗାଯୋଗ ପାଇଁ ଆଦିବାସୀମାନେ ବ୍ୟବହାର କରୁଥିବା ଭାଷାର ସମସ୍ୟା ବି ରହିଛି । ଏହି ଭାଷା ଅଞ୍ଚଳର ମୂଳ ଭାଷା ସହିତ ରାଜ୍ୟରେ ଆଧିପତ୍ୟ ବିସ୍ତାର କରିଥିବା ଭାଷା ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ ।

ବିଶେଷ ଭାବେ ଦୁର୍ବଳ ଜନଜାତି ସଂପ୍ରଦାୟ ବା ‘ପିଭିଟିଜି’ମାନଙ୍କର ସହାୟତା ଲାଗି ଜନଜାତି ଗବେଷଣା ସଂସ୍ଥା (ଟିଆର୍‌ଆଇ)ରେ ନିଯୁକ୍ତି ପାଇଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ଶର୍ମା କହନ୍ତି, “ଯେଉଁ ସଂଯୋଗକାରୀ ଭାଷାକୁ ସମସ୍ତେ ବୁଝି ପାରନ୍ତି, ସେହି ଭାଷାକୁ ପିଲାଟିଏ କହୁ ବୋଲି ସମସ୍ତେ ଅପ୍ରକାଶ୍ୟ ଭାବରେ ଆଶାପୋଷଣ କରନ୍ତି। ଏହା ଫଳରେ ପିଲାଟି ତା’ର ମାତୃଭାଷାଠାରୁ ଆହୁରି ଦୂରେଇ ଯାଏ।

ମାୱଣୋ କ୍ଷେତ୍ରରେ ମଧ୍ୟ ତାହା ହିଁ ହେଉଛି । ତୁଳନାତ୍ମକ ଭାବେ ସ୍ୱଳ୍ପ ବ୍ୟବହୃତ ମାୱଣୋ ଭାଷା କହୁଥିବା ଲୋକେ ଖୋର୍‌ଠା ଏବଂ ଖେତ୍‌ଡ଼ି ଭଳି ସଂଯୋଗକାରୀ ଭାଷାଗୁଡ଼ିକ ଦ୍ୱାରା ପ୍ରଭାବିତ ହେଉଛନ୍ତି । ମନୋଜ କହନ୍ତି, “ବିଭିନ୍ନ ଶକ୍ତିଶାଳୀ ସଂପ୍ରଦାୟର ଭାଷା ପ୍ରଭାବରେ ଆମେ ଆମ ମାତୃଭାଷାକୁ ଭୁଲିବାରେ ଲାଗିଛୁ ।”

PVTGs such as the Parahiya, Mal-Paharia and Sabar communities of Jharkhand are drawing on their oral traditions to create grammar books and primers to preserve their endangered mother tongues with the help of a writing workshop organized by the Tribal Research Institute (TRI) in Ranchi
PHOTO • Devesh

ଝାଡ଼ଖଣ୍ଡର ଜନଜାତି ଗବେଷଣା ସଂସ୍ଥା (ଟିଆର୍‌ଆଇ) ପକ୍ଷରୁ ଆୟୋଜିତ ଏକ ଲିଖନ କର୍ମଶାଳାର ସହାୟତାରେ ପରହିୟା, ମାଲ ପାହାଡ଼ିଆ ଏବଂ ଶବର ସଂପ୍ରଦାୟ ଭଳି ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର ଲୋକେ ସେମାନଙ୍କ ବିଲୁପ୍ତପ୍ରାୟ ମାତୃଭାଷାର ସଂରକ୍ଷଣ ନିମନ୍ତେ ନିଜ ନିଜର ମୌଖିକ ଭାଷା ପରମ୍ପରା ଭିତ୍ତିରେ ବ୍ୟାକରଣ ଓ ବର୍ଣ୍ଣମାଳା ବହି ପ୍ରସ୍ତୁତି ଦିଗରେ ଉଦ୍ୟମ କରୁଛନ୍ତି

ଦୁଇ ମାସ ଧରି ଚାଲିବାକୁ ଥିବା ଏହି କର୍ମଶାଳାର ଶେଷ ପର୍ଯ୍ୟାୟରେ ବିଲୁପ୍ତପ୍ରାୟ ଏହି ଭାଷା କହୁଥିବା ପ୍ରତିଟି ଅଂଶଗ୍ରହଣକାରୀ ନିଜ ନିଜ ମାତୃଭାଷାରେ ମୌଳିକ ବ୍ୟାକରଣର ରୂପରେଖ ସମ୍ବଳିତ ଏକ ପ୍ରାରମ୍ଭିକ ପୁସ୍ତକ ପ୍ରସ୍ତୁତ କରିବେ । ଏହା ହେବ ପ୍ରଥମ ଥର ପାଇଁ ପ୍ରକାଶିତ ଏଭଳି ଏକ ବହି, ଯାହା ସେହି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଦ୍ୱାରା ଲେଖାଯିବ, ଭାଷାତତ୍ତ୍ୱବିତ୍‌ମାନଙ୍କ ଦ୍ୱାରା ନୁହେଁ । ଭାଷାର ଏହି ସଂକଟଜନକ ପରିସ୍ଥିତିକୁ ସୁଧାରି ନେବାରେ ସେମାନଙ୍କ ଉଦ୍ୟମ ଫଳପ୍ରଦ ହେବ ବୋଲି ସେମାନେ ଆଶାପୋଷଣ କରନ୍ତି ।

ଜଗନ୍ନାଥ ସୂଚାଇ ଦିଅନ୍ତି, “ଅନ୍ୟ ସଂପ୍ରଦାୟର, (ଅଣ-ପିଭିଟିଜି ବା ବିଶେଷ ଭାବରେ ଦୁର୍ବଳ ଜନଜାତି ବ୍ୟତିରେକ) ଲୋକଙ୍କ ପାଇଁ ସେମାନଙ୍କ ନିଜସ୍ୱ ଭାଷାରେ ଲେଖାଯାଇଥିବା ବହି ମିଳିପାରୁଛି । ସେମାନେ ସେହି ଭାଷାରେ ପଢ଼ି ଅଧିକ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି ।” କିନ୍ତୁ ତାଙ୍କ ସଂପ୍ରଦାୟର ଲୋକେ କେବଳ ନିଜ ଭାଷାରେ କଥାବାର୍ତ୍ତା ଅବ୍ୟାହତ ରଖିଲେ ହିଁ ଏହା ସମ୍ଭବ ହେବ । “ଆଜି କେବଳ ମୋ ବାପାମାଆ ଏବଂ ଜେଜେବାପା ଓ ଜେଜେମାଆ ଅନର୍ଗଳ ଭାବରେ ମାୱଣୋ ଭାଷା କହିପାରିବେ । ଆମ ପିଲାମାନେ ଯଦି ଏହାକୁ ଘରେ ଶିଖନ୍ତେ, ତେବେ ସେମାନେ ବି ଏହା କହିବାରେ ସକ୍ଷମ ହୁଅନ୍ତେ ।”

*****

୨୦୧୧ ଜନଗଣନାରେ ଭାରତରେ ପ୍ରଚଳିତ ୧୯,୦୦୦ରୁ ଅଧିକ ଭିନ୍ନ ଭିନ୍ନ ମାତୃଭାଷାର ତାଲିକା ପ୍ରସ୍ତୁତ ହୋଇଛି । ଏଥିରୁ କେବଳ ୨୨ଟି ଭାଷା ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଗତ ସରକାରୀ ସ୍ୱୀକୃତି ଲାଭ କରିଛି । ନିଜସ୍ୱ ଲିପି ଏବଂ ଅନାୟାସରେ ଭାଷା କହୁଥିବା ଲୋକଙ୍କ ଅଭାବ ଯୋଗୁଁ ଅନେକ ମାତୃଭାଷା ସରକାରୀ ଭାବେ ‘ଭାଷା’ର ମାନ୍ୟତା ପାଇନାହାନ୍ତି ।

ଝାଡ଼ଖଣ୍ଡରେ ୩୧ ରୁ ଅଧିକ ପ୍ରଚଳିତ ମାତୃଭାଷା ସରକାରୀ ଭାଷାର ମାନ୍ୟତା ପାଇ ନଥିବାରୁ ଅଷ୍ଟମ ଅନୁଚ୍ଛେଦରେ ରହିଥିବା ଦୁଇଟି ଭାଷା- ହିନ୍ଦୀ ଏବଂ ବଙ୍ଗଳା, ରାଜ୍ୟରେ ଆଧିପତ୍ୟ ବିସ୍ତାର କରିଛନ୍ତି । ଏହି ଦୁଇଟି ଭାଷା ସ୍କୁଲରେ ପଢ଼ାଯାଉଛି ଏବଂ ଆନୁଷ୍ଠାନିକ ଭାବେ ସରକାରୀ ଯୋଗାଯୋଗ ଭାଷାର ମାନ୍ୟତା ହାସଲ କରିଛନ୍ତି । ସାନ୍ତାଳୀ ହିଁ ଝାଡ଼ଖଣ୍ଡର ଏକମାତ୍ର ଆଦିବାସୀ ଭାଷା, ଯାହା ଅଷ୍ଟମ ଅନୁଚ୍ଛେଦର ଏକ ଭାଷା ରୂପେ ତାଲିକାଭୁକ୍ତ ହୋଇଛି ।

ରାଜ୍ୟରେ ଏହି ୩୧ଟି ଅନ୍ୟ ଭାଷାଭାଷୀ ଲୋକଙ୍କ ପାଇଁ, ନିର୍ଦ୍ଦିଷ୍ଟ ଭାବରେ ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ ସମୂହ ବ୍ୟବହାର କରୁଥିବା ଭାଷାଗୁଡ଼ିକ, ବାସ୍ତବରେ ଲୋପ ପାଇଯିବା ଆଶଙ୍କା ରହିଛି ।

ହମାରୀ ଭାଷା ମିକ୍‌ସ ହୋତି ଯା ରହି ହୈ (ଆମ ମାତୃଭାଷା ମିଶ୍ରିତ ହେବାରେ ଲାଗିଛି),” ଶବର ସଂପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସେନାର ଜଣେ ଯବାନ ମହାଦେବ (ତାଙ୍କର ପ୍ରକୃତ ନାଁ ନୁହେଁ) କହନ୍ତି ।

PHOTO • Devesh

ଝାଡ଼ଖଣ୍ଡରେ, ୩୨ଟି ଭିନ୍ନ ଭିନ୍ନ ମାତୃଭାଷା ରହିଥିଲେ ହେଁ କେବଳ ସାନ୍ତାଳୀ ହିଁ ଅଷ୍ଟମ ଅନୁଚ୍ଛେଦ ଭାଷା ରୂପେ ତାଲିକାଭୁକ୍ତ ହୋଇଛି ଏବଂ ପ୍ରମୁଖ ଭାଷା ରୂପେ ହିନ୍ଦୀ ଓ ବଙ୍ଗଳାର ଆଧିପତ୍ୟ ଅବ୍ୟାହତ ରହିଛି

ସେ କହନ୍ତି ଯେ, ଗ୍ରାମ ପଞ୍ଚାୟତ ଭଳି ସ୍ଥାନରେ ତାଙ୍କ ସଂପ୍ରଦାୟକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳୁ ନଥିବା କଥାରୁ ହିଁ ତାଙ୍କ ଭାଷା ପ୍ରତି ଉପେକ୍ଷିତ ମନୋଭାବ ପ୍ରତିଫଳିତ ହେଉଛି । “ଶବରମାନେ ବିକ୍ଷିପ୍ତ ଭାବରେ ରହିଛନ୍ତି । ଆମେ ଯେଉଁ ଗାଁରେ (ଜାମସେଦପୁର ନିକଟ) ରହୁଛୁ, ସେଠାରେ ଆମର ମାତ୍ର ୮-୧୦ଟି ଘର ରହିଛି ।” ବାକି ସମସ୍ତେ ଅନ୍ୟ ଆଦିବାସୀ ସଂପ୍ରଦାୟର ଏବଂ କେତେକ ଅଣ-ଆଦିବାସୀ ମଧ୍ୟ ଅଛନ୍ତି । “ମୋ ଭାଷା ମରିଯାଉଥିବା ଦେଖିଲେ ମନଦୁଃଖ ହୁଏ,” ‘ପରୀ’କୁ ସେ କହନ୍ତି ।

ମହାଦେବ କହନ୍ତି ଯେ, ତାଙ୍କ ମାତୃଭାଷା, ଶବର ଭାଷାକୁ ଗୋଟିଏ ଭାଷା ରୂପରେ ଗଣାଯାଏ ନାହିଁ କହିଲେ ଚଳେ । “ଲିଖିତ ରୂପରେ ରହିଥିବା ଭାଷାକୁ ପ୍ରଥମେ ବିଚାରକୁ ନିଆଯାଏ।”

*****

ସେମାନଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଐତିହାସିକ ଦିଗ ଉପରେ ଗବେଷଣା ଚଳାଇ ‘ବିଭିନ୍ନ ଜନଜାତି ସଂପ୍ରଦାୟଙ୍କୁ ଅନ୍ୟ ସଂପ୍ରଦାୟ ସହିତ ସଂଯୋଗ କରିବା ଲକ୍ଷ୍ୟରେ’ ୧୯୫୩ ମସିହାରେ ଜନଜାତି ଗବେଷଣା ସଂସ୍ଥା -ଟିଆର୍‌ଆଇ- ସ୍ଥାପିତ ହୋଇଥିଲା ।

୨୦୧୮ରୁ ଏ ପର୍ଯ୍ୟନ୍ତ, ଜନଜାତି ଗବେଷଣା ସଂସ୍ଥା ପକ୍ଷରୁ, ଅସୁର ଓ ବିରଜିଆ ସମେତ ଅନେକ ଦୁର୍ବଳ ଆଦିବାସୀ ଗୋଷ୍ଠୀର ମାତୃଭାଷାରେ ପ୍ରାଥମିକ ସ୍ତରର ବହି ପ୍ରକାଶ ପାଇଛି । ବହି ପ୍ରକାଶନର ଏହି ଶୃଙ୍ଖଳରେ ଆଗାମୀ ଦିନରେ ଏହି ସବୁ ଭାଷାରେ ପ୍ରବାଦ, ରୁଢ଼ି, ଲୋକଗଳ୍ପ ଏବଂ କବିତା ପ୍ରକାଶ କରାଯିବାର ଲକ୍ଷ୍ୟ ରହିଛି।

ଯଦିଓ ଏଭଳି ଭାଷାରେ କେବଳ ସେହି ସବୁ ଭାଷାର ଲୋକଙ୍କ ଦ୍ୱାରା ପ୍ରାଥମିକ ସ୍ତରର ବହି ପ୍ରକାଶିତ ହେଉଛି, ତଥାପି ଏହାକୁ ଏତେ ବେଶି ସଫଳତା ମିଳିନାହିଁ । “ଏ ସବୁ ବହି ଜନଜାତି ଗବେଷଣା ସଂସ୍ଥାର ଥାକରୁ ବାହାରି ସ୍କୁଲ୍‌ରେ ପହଞ୍ଚି ପାରିଲେ ହିଁ ଆମ ପିଲାମାନେ ସେମାନଙ୍କ ମାତୃଭାଷାରେ ପଢ଼ିପାରିବେ,” ଜଗନ୍ନାଥ କହନ୍ତି ।

ଜନଜାତି ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ରଣେନ୍ଦ୍ର କୁମାର, ତାଙ୍କ କାର୍ଯ୍ୟକାଳ ଅବସରରେ ଏ ସବୁ ପ୍ରାଥମିକ ସ୍ତରର ବହି ପ୍ରକାଶନ ଅଭିଯାନର ପୁରୋଭାଗରେ ଥିଲେ । ହେଲେ ସେ ମଧ୍ୟ କହନ୍ତି, “ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର ପିଲାମାନେ ପଢୁଥିବା ସ୍କୁଲ୍‌ରେ ଏହି ସବୁ ବହି ପହଞ୍ଚିବା ଉଚିତ। ତାହା ହେଲେ ହିଁ ଏହି ପ୍ରକାଶନ ଅଭିଯାନର ବାସ୍ତବ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।”

The TRI had launched the initiative of publishing the language primers of several endangered and vulnerable Adivasi languages of Jharkhand since 2018 including Asur, Malto, Birhor and Birjia. The series of books further includes proverbs, idioms, folk stories and poems in the respective languages
PHOTO • Devesh

୨୦୧୮ ମସିହାରୁ ଝାଡ଼ଖଣ୍ଡର ଅନେକ ବିଲୁପ୍ତପ୍ରାୟ ଏବଂ ଦୁର୍ବଳ ଆଦିବାସୀ ଭାଷାରେ ପ୍ରାଥମିକ ସ୍ତରର ବହି ପ୍ରକାଶନ ଅଭିଯାନ ଆରମ୍ଭ କରିଛି ଜନଜାତି ଗବେଷଣା ସଂସ୍ଥା । ଏହି ଭାଷା ସମୂହରେ ରହିଛି ଅସୁର, ମାଲଟୋ, ବିରହୋର ଏବଂ ବିରଜିଆ । ବହି ପ୍ରକାଶନର ଏହି ଶୃଙ୍ଖଳରେ ଆଗାମୀ ଦିନରେ ଏହି ସବୁ ଭାଷାରେ ରହିଥିବା ପ୍ରବାଦ, ରୁଢ଼ି, ଲୋକଗଳ୍ପ ଏବଂ କବିତାକୁ ସାମିଲ କରାଯିବ

ଏ ସବୁ ଭାଷାକୁ ସାବଲୀଳ ଭାବରେ କହିପାରୁଥିବା ଲୋକଙ୍କୁ ଚିହ୍ନଟ କରିବା ହିଁ ସବୁଠାରୁ ବଡ଼ ଆହ୍ୱାନ । ପ୍ରମୋଦ କହନ୍ତି, “ଯେଉଁ ଲୋକମାନେ ସେମାନଙ୍କ ମାତୃଭାଷାରେ ଅନର୍ଗଳ ଭାବରେ କହିପାରନ୍ତି, ସେମାନେ ଲେଖିପାରନ୍ତି ନାହିଁ ।” କିନ୍ତୁ, ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଯେଉଁ ଲୋକମାନେ ସେତେ ବେଶି ଭଲ ଭାବରେ କହିପାରନ୍ତିନି ଏବଂ ହୁଏତ ମିଶ୍ରିତ ଭାଷା ବ୍ୟବହାର କରନ୍ତି, ସେମାନଙ୍କୁ ହିଁ ପ୍ରାଥମିକ ସ୍ତରର ବ୍ୟାକରଣ ପୁସ୍ତକ ପ୍ରସ୍ତୁତ କରିବାକୁ ଡକାଯାଉଛି ।

“ଏହି କାର୍ଯ୍ୟ ପାଇଁ ଆମେ ସଂପୃକ୍ତ ଭାଷାରେ ପାଣ୍ତିତ୍ୟକୁ ସର୍ତ୍ତ ଭାବରେ ରଖିନାହୁଁ ।” କେବଳ ସେହି ଭାଷା ଜାଣିଥିବା ଦରକାର । ଝାଡ଼ଖଣ୍ଡ ଶିକ୍ଷା ଗବେଷଣା ପରିଷଦ (ଜେଇଆର୍‌ସି)ର ଜଣେ ପୂର୍ବତନ ଅଧ୍ୟାପକ ସଦସ୍ୟ ପ୍ରମୋଦ କହନ୍ତି, “କଥିତ ଭାଷାରେ ବ୍ୟାକରଣ ପ୍ରସ୍ତୁତ କରାଗଲେ ତାହା ଅଧିକ ବ୍ୟାବହାରିକ ହେବ ବୋଲି ଆମେ ବିଶ୍ୱାସ କରୁ ।”

ବିଡ଼ମ୍ବନାର କଥା ଯେ, ବିଶେଷ ଭାବରେ ଦୁର୍ବଳ ଜନଜାତିଙ୍କ ଭାଷାରେ ପ୍ରାଥମିକ ସ୍ତରର ବହି, ବ୍ୟାକରଣ ଏବଂ ସଂସାଧନ ପ୍ରକାଶ କରିବାରେ ଦେବନାଗରୀ ଲିପି ବ୍ୟବହାର କରାଯାଉଛି । ଯଦି କୌଣସି ଭାଷାରେ ଏପରି ଗୋଟିଏ ଅକ୍ଷର ବା ଧ୍ୱନି, ଯାହା ହିନ୍ଦୀ ଭାଷାରେ ରହିଛି, କିନ୍ତୁ ସେହି ଭାଷାରେ ନାହିଁ, ତେବେ ସେମାନେ ସେହି ଧ୍ୱନିକୁ ସେହି ନିର୍ଦ୍ଦିଷ୍ଟ ଭାଷାର ବର୍ଣ୍ଣମାଳା ପଦ୍ଧତିରୁ ହଟାଇ ଦିଅନ୍ତି । “ମାୱଣୋ ଭାଷାରେ ‘ଣ’ ଅକ୍ଷର ରହିଛି କିନ୍ତୁ ଶବର ଭାଷାରେ ନାହିଁ । ତେଣୁ, ଆମେ ଶବର ଭାଷାର ବର୍ଣ୍ଣମାଳାରେ ‘ଣ’ ଲେଖୁ ନାହିଁ, କେବଳ ‘ନ’ ଲେଖିଥାଉ”, ପ୍ରମୋଦ ବୁଝାଇ ଦିଅନ୍ତି । ସେହିଭଳି, ଯଦି କୌଣସି ଭାଷାରେ ଗୋଟିଏ ଧ୍ୱନି ବା ଅକ୍ଷର, ବିଶେଷ ଭାବରେ କେବଳ ସେହି ଭାଷାରେ ରହିଛି, କିନ୍ତୁ ହିନ୍ଦୀରେ ନାହିଁ, ତେବେ ଆମେ ଏହି ଆଦିବାସୀ ଭାଷାର ନଥି ପ୍ରସ୍ତୁତ କରିବା ସମୟରେ ସେହି ଅକ୍ଷରକୁ ଛାଡ଼ି ପରବର୍ତ୍ତୀ ଅକ୍ଷର ଲେଖିଥାଉ ଏବଂ ଏ ସଂପର୍କରେ ଏକ ସ୍ପଷ୍ଟୀକରଣ ଦେଇଥାଉ ।

“କିନ୍ତୁ ଆମେ କେବଳ ସେହି ଭାଷାରୁ ଲିପି ଆଣିଥାଉ, କିନ୍ତୁ ପରିଶେଷରେ ମୂଳ ଭାଷାର ଉଚ୍ଚାରଣ ଅନୁସାରେ ଅକ୍ଷର ଓ ଶବ୍ଦଗୁଡ଼ିକ ଲେଖାଯାଇଥାଏ,” ୬୦ ବର୍ଷ ବୟସ୍କ ପ୍ରମୋଦ କହନ୍ତି ।

*****

Left: At the end of the workshop spanning over two months, each of the speakers attending the workshop at the TRI will come up with a primer — a basic grammar sketch for their respective mother tongues. This will be the first of its kind book written by people from the community and not linguists.
PHOTO • Devesh
Right: Rimpu Kumari (right, in saree) and Sonu Parahiya (in blue shirt) from Parahiya community want to end the ‘shame’ their community face when they speak in their mother tongue
PHOTO • Devesh

ବାମ: ଜନଜାତି ଗବେଷଣା ସଂସ୍ଥାରେ ଦୁଇ ମାସ ଧରି ଚାଲିବାକୁ ଥିବା ଏହି କର୍ମଶାଳାର ଶେଷ ଭାଗରେ ବିଲୁପ୍ତପ୍ରାୟ ଏହି ଜନଜାତି ଭାଷା କହୁଥିବା ପ୍ରତିଟି ଅଂଶଗ୍ରହଣକାରୀ ନିଜ ନିଜ ମାତୃଭାଷାରେ ମୌଳିକ ବ୍ୟାକରଣର ରୂପରେଖ ସମ୍ବଳିତ ଏକ ପ୍ରାରମ୍ଭିକ ପୁସ୍ତକ ପ୍ରସ୍ତୁତ କରିବେ । ଏହା ହେବ ପ୍ରଥମ ଥର ପାଇଁ ପ୍ରକାଶିତ ଏଭଳି ଏକ ବହି, ଯାହା ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଦ୍ୱାରା ଲେଖାଯିବ, ଭାଷାତତ୍ତ୍ୱବିତ୍‌ମାନଙ୍କ ଦ୍ୱାରା ନୁହେଁ । ଡାହାଣ: ନିଜ ସଂପ୍ରଦାୟର ଭାଷା କହିଲେ ସେମାନଙ୍କୁ ଯେଉଁ ‘ଲଜ୍ଜା’ର ସମ୍ମୁଖୀନ ହେବାକୁ ପଡୁଛି ତାହାର ଅନ୍ତ କରିବାକୁ ଚାହାଁନ୍ତି ପରହିୟା ସଂପ୍ରଦାୟର ରିମ୍ପୁ କୁମାରୀ (ଡାହାଣରେ, ଶାଢ଼ି ପିନ୍ଧିଛନ୍ତି) ଏବଂ ସୋନୁ ପରହିୟା (ନୀଳ ଶାର୍ଟରେ)

ସନ୍ଧ୍ୟା ନଇଁ ଆସିଲାଣି ଏବଂ ଜଗନ୍ନାଥ, ମନୋଜ ଏବଂ ମହାଦେବଙ୍କ ସହିତ ଅନ୍ୟ ଅଂଶଗ୍ରହଣକାରୀମାନେ କିଛି ସମୟର ବିରତି ନେଇ ମୋରାବାଦି ଚୌକରେ ଚା’ ପିଇବା ଲାଗି ବାହାରିଛନ୍ତି । ଭାଷା ସଂପର୍କିତ ଆଲୋଚନା ଏବେ ଅନ୍ୟ ଦିଗକୁ ମୁହାଁଇଲାଣି, ଯେମିତି କି ନିଜ ମାତୃଭାଷାରେ କଥାବାର୍ତ୍ତା କରିବା ଲାଗି ଦ୍ୱିଧାବୋଧ କରିବା ।

ଅଷ୍ଟମ ଶ୍ରେଣୀରୁ ସ୍କୁଲ ଛାଡ଼ିଥିବା ପରହିୟା ସଂପ୍ରଦାୟର ରିମ୍ପୁ କୁମୀରୀ ଅନୁଭବ କରିଛନ୍ତି ଯେ, ସେମାନେ ତାଙ୍କ ଭାଷାରେ କହିଲେ, ସେମାନଙ୍କ କଥା ସବୁବେଳେ ବୁଝିହୁଏ ନାହିଁ । ଦିନ ସାରା ଚୁପ୍‌ ରହିବା ପରେ ଶେଷରେ ସେ ଦ୍ୱିଧାଗ୍ରସ୍ତ ଭାବରେ ନିରବତା ଭାଙ୍ଗିଲେ, “ମୁଁ ଯେତେବେଳେ ପରହିୟା ଭାଷାରେ କହେ, ଲୋକେ ହସନ୍ତି,” ଭିନ୍ନ ସଂପ୍ରଦାୟରେ ବିବାହ କରିଥିବା ଏହି ୨୬ ବର୍ଷୀୟା ଯୁବତୀ ଜଣକ କହନ୍ତି, “ମୋ ନିଜ ଶାଶୁଘର ଲୋକେ ମୋତେ ଥଟ୍ଟା ପରିହାସ କଲେ ଦୁନିଆ ଲୋକଙ୍କୁ ମୁଁ ଆଉ କ’ଣ ବା କହିପାରିବି ?”

ନିଜ ମାତୃଭାଷାରେ କହିବା ସମୟରେ ସେ ଓ ତାଙ୍କ ସଂପ୍ରଦାୟର ଅନ୍ୟମାନେ ଯେଉଁ ‘ଲଜ୍ଜା’ର ସମ୍ମୁଖୀନ ହୁଅନ୍ତି, ସେ ତାହାର ଅନ୍ତ ଘଟାଇବାକୁ ଚାହାଁନ୍ତି । କଥା ଶେଷ କରିବାକୁ ଯାଇ ସେ କହନ୍ତି, “ମୁଁ ଏ ସଂପର୍କରେ ଏଠାରେ କହିବାକୁ ଚାହେଁ ନାହିଁ । ଯଦି ଆପଣ ଆଉ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ ଆମ ଗାଁକୁ ଆସନ୍ତୁ ।”

ଏହି ଆଲେଖ୍ୟ ପ୍ରସ୍ତୁତିରେ ସହାୟତା ଲାଗି ଏହି ରିପୋର୍ଟର ରଣେନ୍ଦ୍ର କୁମାରଙ୍କୁ ଧନ୍ୟବାଦ ଦିଅନ୍ତି ।

ସାରା ଭାରତରେ ସଂକଟଜନକ ସ୍ଥିତିରେ ଥିବା ଭାଷା ସମୂହ ସଂପର୍କିତ ତଥ୍ୟାବଳୀକୁ ସେହି ଭାଷା କହୁଥିବା ଲୋକଙ୍କ ଜୀବନର ଅନୁଭୂତି ଜରିଆରେ ନଥିଭୁକ୍ତ କରିବା ହେଉଛି ପରୀ ର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପ (ଇଏଲ୍‌ପି)ର ଲକ୍ଷ୍ୟ

ଅନୁବାଦ : ଓଡ଼ିଶାଲାଇଭ୍‍

Devesh is a poet, journalist, filmmaker and translator. He is the Translations Editor, Hindi, at the People’s Archive of Rural India.

Other stories by Devesh
Editor : Ritu Sharma

Ritu Sharma is Content Editor, Endangered Languages at PARI. She holds an MA in Linguistics and wants to work towards preserving and revitalising the spoken languages of India.

Other stories by Ritu Sharma
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE