‘‘ଯଦି ଏ ବେଉସା ବୁଡ଼ିଯିବ, ତା’ହେଲେ ମୋ ପାଖରେ ଅନ୍ୟ ରାଜ୍ୟକୁ ଯିବା ବ୍ୟତୀତ ଆଉ କିଛି ବିକଳ୍ପ ରହିବ ନାହିଁ,’’ ଆସାମ ଦରଙ୍ଗ ଜିଲ୍ଲା ଅନ୍ତର୍ଗତ ନ-ମାଟି ଗ୍ରାମର ଝୁଡ଼ି କାରୀଗର ମାଜେଦା ବେଗମ୍ କୁହନ୍ତି।
୨୫ ବର୍ଷୀୟା ଏହି ମହିଳା କାରୀଗର ଜଣେ ଦିନ ମଜୁରିଆ ଏବଂ ଏକାକିନୀ ମା’, ତାଙ୍କ ମୁଣ୍ଡ ଉପରେ ୧୦ ବର୍ଷର ପୁଅ ଓ ଅସୁସ୍ଥ ମା’ଙ୍କ ଦେଖାଶୁଣା କରିବାର ବୋଝ ରହିଛି। ‘‘ମୁଁ ଗୋଟିଏ ଦିନରେ ୪୦ଖାସା (ଝୁଡ଼ି) ତିଆରି କରିପାରିବି, କିନ୍ତୁ ଏବେ ମୁଁ ମାତ୍ର ୨୦ଟି ବୁଣିପାରୁଛି,’’ ସେ ସ୍ଥାନୀୟ ମିୟା ଭାଷାରେ କୁହନ୍ତି। ମାଜେଦା ବୁଣୁଥିବା ୨୦ଟି ଝୁଡ଼ି ପାଇଁ ୧୬୦ ଟଙ୍କା ରୋଜଗାର କରିଥା’ନ୍ତି, ଯାହାକି ଅନୁସୂଚିତ ନିଯୁକ୍ତି ପାଇଁ ରାଜ୍ୟର ସର୍ବନିମ୍ନ ମଜୁରି ୨୪୧.୯୨ ଟଙ୍କା (୨୦୧୬ ବର୍ଷ ପାଇଁ ସର୍ବନିମ୍ନ ମଜୁରି ଆଇନ, ୧୯୪୮ ଉପରେ ରିପୋର୍ଟ) ଠାରୁ ଯଥେଷ୍ଟ କମ୍।
ବାଉଁଶ ଦର ବୃଦ୍ଧି ପାଇବା ଏବଂ ଏଠାକାର ପନିପରିବା ମଣ୍ଡିରେ ଝୁଡ଼ିର ଚାହିଦା କମିବା କାରଣରୁ ବାଉଁଶ ଝୁଡ଼ି ବିକ୍ରିରୁ ହେଉଥିବା ଆୟ ପ୍ରଭାବିତ ହୋଇଛି। ଦରଙ୍ଗରେ ଆସାମର ସବୁଠୁ ବଡ଼ ଦୁଇଟି ମଣ୍ଡି ରହିଛି: ବେଚିମାରି ଓ ବାଲୁଗାଁ। ଏଠାରୁ କୃଷିଜାତ ଉତ୍ପାଦ ସମଗ୍ର ଉତ୍ତରପୂର୍ବାଞ୍ଚଳ ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ପଠାଯାଏ।
ବାଧ୍ୟତାମୂଳକ ପ୍ରବାସକୁ ନେଇ ମାଜେଦାଙ୍କ ଆଶଙ୍କା ଆଦୌ ଅମୂଳକ ନୁହେଁ। ହନିଫ ଅଲୀ (୩୯) ଆମକୁ ସ୍ଥାନୀୟ ମଦ୍ରାସା ପାଖରେ ଥିବା ୱାର୍ଡ ଏ ଆଖପାଖ ଅଞ୍ଚଳକୁ ଦେଖାଇ ଦେଇ କୁହନ୍ତି, ‘‘ଭଲ କାମ’’ ସନ୍ଧାନରେ ପ୍ରାୟ ୮୦ରୁ ୧୦୦ ପରିବାର ଏଠାରୁ ଚାଲି ଯାଇଛନ୍ତି। ଏକଦା ବାଉଁଶ ହସ୍ତଶିଳ୍ପ କାମରେ ପ୍ରାୟ ୧୫୦ ପରିବାର ନିୟୋଜିତ ଥିଲେ, କିନ୍ତୁ ଏବେ, ଅଧିକାଂଶ ଘର ଖାଲି ପଡ଼ିଛି, କାରଣ ଶିଳ୍ପକାରମାନେ କଫି ବଗିଚାରେ କାମ କରିବା ଲାଗି କେରଳ ଓ କର୍ଣ୍ଣାଟକ ଭଳି ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି।














