ତାଙ୍କ ଶରୀରର କ୍ଷତ ଦେଖାଇବା ପାଇଁ ଖଟ ଉପରେ ଟିକେ ଅସହଜ ଭାବରେ ବସନ୍ତି ସୁଧୀର କୋସରେ। ଡାହାଣ ପାଦରେ ଗଭୀର କ୍ଷତ; ଡାହାଣ ଜଙ୍ଘରେ ପ୍ରାୟ ପାଞ୍ଚ ସେଣ୍ଟିମିଟର ଲମ୍ବା କଟା ଚିହ୍ନ; ଡାହାଣ ହାତର ତଳ ଭାଗରେ କୌଣସି ହିଂସକ ଜନ୍ତୁର କାମୁଡ଼ା ଜନିତ ଲମ୍ବା କ୍ଷତ ସମେତ ସାରା ଶରୀରରେ ଆମ୍ପୁଡ଼ା କାମୁଡ଼ା ଦାଗ ରହିଥିଲା ଏବଂ ବିଭିନ୍ନ କ୍ଷତ ସ୍ଥାନକୁ ଡାକ୍ତରଖାନାରେ ସିଲେଇ କରିବାକୁ ପଡ଼ିଥିଲା।
ମିଞ୍ଜିମିଞ୍ଜି ଆଲୁଅରେ, ପଲସ୍ତରା ହୋଇ ନଥିବା ତାଙ୍କର ଦୁଇ ବଖରା ଘର ମଧ୍ୟରୁ ଗୋଟିକରେ ସେ ବସିଥିଲେ। କ୍ଷତବିକ୍ଷତ ଶରୀର କେବଳ ଯେ ତାଙ୍କ ଅନ୍ତରାତ୍ମାକୁ ଦୋହଲାଇ ଦେଇଥିଲା ତା ନୁହେଁ, ବରଂ ସେ ଅତିଶୟ ଯନ୍ତ୍ରଣା ଭୋଗୁଥିଲେ ଏବଂ ଅସହଜ ସ୍ଥିତିରେ ବସିଥିଲେ। ତାଙ୍କ ପାଖରେ ଥିଲେ ତାଙ୍କ ସ୍ତ୍ରୀ, ମାଆ ଏବଂ ଭାଇ। ବାହାରେ ବର୍ଷା ଅଜାଡ଼ି ଦେଉଥିଲା। ଏକ ଲମ୍ବା ଏବଂ ବିରକ୍ତିକର ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଏ ଅଞ୍ଚଳରେ ପହଞ୍ଚିଥିଲା ବର୍ଷା।
ସେଦିନ ଥିଲା ୨୦୨୩ ମସିହା ଜୁଲାଇ ୨ ତାରିଖ। ଚାଷଜମିରେ କାମ କରୁଥିବା ସମୟରେ ଲୋହାର-ଗାଡ଼ି (ଗଦି ଲୋହାର ଭାବରେ ମଧ୍ୟ ଜଣାଶୁଣା ଏବଂ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବରେ ତାଲିକାଭୁକ୍ତ) ସଂପ୍ରଦାୟର ଭୂମିହୀନ ଶ୍ରମିକ ସୁଧୀର, ଏକ ଅତିକାୟ ଓ ଭୟଙ୍କର ବଣୁଆ ବାର୍ହା ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା ସତ, ହେଲେ ଭୀଷଣ ଭାବରେ ଆହତ ହୋଇଥିଲେ ୩୦ ବର୍ଷୀୟ ସୁଧୀର। ତାଙ୍କର ପତଳା ଅଥଚ ଟାଣୁଆ ଶରୀର କ୍ଷତବିକ୍ଷତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କ ମୁହଁ ଓ ଛାତିରେ କୌଣସି କ୍ଷତ ହୋଇ ନଥିଲା।
ଜୁଲାଇ ୮ ତାରିଖ ଦିନ ତାଙ୍କ ନିଜ ଗାଁ କାୱଠିରେ ‘ପରୀ’ ତାଙ୍କୁ ଭେଟିଥିଲା। ଚନ୍ଦ୍ରପୁର ଜିଲ୍ଲାର ସାଓଲି ତହସିଲ ଅନ୍ତର୍ଗତ ପ୍ରାକୃତିକ ଜଙ୍ଗଲ କ୍ଷେତ୍ରରେ ଅବସ୍ଥିତ ଏକ ଅଖ୍ୟାତ ଗାଁ କାୱଠି। ହାସପାତାଳରୁ ଛାଡ଼ ପାଇବା ପରେ ସେହିଦିନ ସନ୍ଧ୍ୟାରେ ସେ ଘରକୁ ଫେରିଥିଲେ।
ସେଦିନର ସେହି ଅଘଟଣ କଥା ମନେ ପକାଇଥିଲେ ସେ। କେମିତି ତାଙ୍କ ଚିତ୍କାର ଶୁଣି ଟ୍ରାକ୍ଟର ଚଳାଉଥିବା ତାଙ୍କର ଜଣେ ସାଥୀ ଶ୍ରମିକ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ କିଛି କ୍ଷଣ ପାଇଁ ନିଜ ସୁରକ୍ଷା କଥାକୁ ଭୁଲିଯାଇ ବାର୍ହା ଉପରକୁ ଟେକାପଥର ଫୋପାଡ଼ିଥିଲେ।
ବଣୁଆ ପଶୁଟି, ଯେତେଦୂର ସମ୍ଭବ ମାଈ ବାର୍ହାଟି, ତା’ର ଆଗ ଦାନ୍ତରେ ତାଙ୍କୁ ଆକ୍ରମଣ କରିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁହଁ ଉପରକୁ ହୋଇଯାଇଥିଲା, ଆଖି ଆଗରେ ଥିଲା ମେଘ ଭର୍ତ୍ତି ଆକାଶ ଏବଂ ମୃତ୍ୟୁ ଆଶଙ୍କାରେ ସେ ସଂପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ। ସୁଧୀର କହନ୍ତି, “ବାର୍ହାଟି ପଛକୁ କିଛି ପାଦ ଫେରିଯାଉଥିଲା ଏବଂ ପୁଣି ଲମ୍ଫ ମାରିବା ଭଳି ଦୌଡ଼ି ଆସି ତା’ର ଲମ୍ବା ଲମ୍ବା ଆଗଦାନ୍ତକୁ ମୋ ଶରୀରରେ ଗଳାଇ ଦେଇଥିଲା।” ବିଶ୍ୱାସ ନହେଲା ଭଳି ବିଳିବିଳେଇ ଉଠନ୍ତି ତାଙ୍କ ସ୍ତ୍ରୀ ଦର୍ଶନା। ସେ ଜାଣନ୍ତି ଯେ, ଆସନ୍ନ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ତାଙ୍କ ସ୍ୱାମୀ।
ଆକ୍ରମଣ କରିବା ପରେ ବାର୍ହାଟି ପାଖ ବୁଦୁବୁଦୁକିଆ ଜଙ୍ଗଲକୁ ପଳାଇ ଯାଇଥିଲା। ହେଲେ, ସେତେବେଳକୁ ତାଙ୍କ ଅବସ୍ଥା ସଂକଟାପନ୍ନ।


ଚିକିତ୍ସା ପରେ ସୁସ୍ଥ ଅବସ୍ଥାକୁ ଫେରୁଛନ୍ତି ୨୦୨୩ ଜୁଲାଇରେ ବଣୁଆ ବାର୍ହା ଆକ୍ରମଣରେ ଗୁରୁତର ଆହତ ସୁଧୀର କୋସରେ। ସାଓଲି ତହସିଲର କାୱଠି ଗାଁରେ ନିଜ ଘରେ ତାଙ୍କ ସହିତ ଅଛନ୍ତି ତାଙ୍କ ସ୍ତ୍ରୀ ଦର୍ଶନା, ଏବଂ ମାଆ ଶଶିକଳା। ତାଙ୍କ ଡାହାଣ ପାଦରେ ଗଭୀର କ୍ଷତ (ଡାହାଣ) ସମେତ ସୁଧୀରଙ୍କ ଶରୀରର ବିଭିନ୍ନ ସ୍ଥାନ କ୍ଷତବିକ୍ଷତ ହୋଇଯାଇଥିଲା
ସେଦିନ ମଝିରେ ମଝିରେ ବର୍ଷା ଯୋଗୁଁ ସେ ଯେଉଁ ଜମିରେ କାମ କରୁଥିଲେ ତାହା ଭିଜି ଯାଇଥିଲା। ପନ୍ଦର ଦିନରୁ ଅଧିକ ବିଳମ୍ବ ହେବା ପରେ, ଶେଷରେ ସେହିଦିନ ହିଁ ବୁଣାବୁଣି ଆରମ୍ଭ ହୋଇଥିଲା। ସୁଧୀରଙ୍କ କାମ ଥିଲା, ଜଙ୍ଗଲ ସୀମାକୁ ଲାଗିଥିବା ହିଡ଼କୁ କାଟି ସମାନ କରିବା। ଏହି କାମ ପାଇଁ ସେ ଦିନକୁ ୪୦୦ ଟଙ୍କା ରୋଜଗାର କରିବେ। ଜୀବନଯାପନ ଲାଗି ସେ କରୁଥିବା ଅନେକ କାମ ଭିତରୁ ସେଦିନର ଏହି କାମ ଥିଲା ଅନ୍ୟତମ। ସେ ଅଞ୍ଚଳର ଅନ୍ୟ ଭୂମିହୀନ ଶ୍ରମିକଙ୍କ ଭଳି କାମଧନ୍ଦା ପାଇଁ ଗାଁ ଛାଡ଼ି ଦୂର ସ୍ଥାନକୁ ପଳାଇ ଯିବା ବଦଳରେ ସେଠାରେ ଏହି କାମକୁ ସେ ଅପେକ୍ଷା କରି ରହୁଥିଲେ।
ସେଦିନ ରାତିରେ, ସାଓଲିର ସରକାରୀ ଗ୍ରାମୀଣ ହାସପାତାଳରେ ପ୍ରାଥମିକ ଚିକିତ୍ସା ପରେ ସୁଧୀରଙ୍କୁ ସେଠାରୁ ୩୦ କିଲୋମିଟର ଦୂର ଗଡ଼ଚିରୋଲି ସହରରେ ଥିବା ଜିଲ୍ଲା ମୁଖ୍ୟ ହାସପାତାଳକୁ ପଠାଇ ଦିଆଗଲା। ସେଠାରେ ତାଙ୍କ ଶରୀର ବିଭିନ୍ନ କ୍ଷତସ୍ଥାନକୁ ସିଲେଇ କରାଗଲା ଏବଂ ଶୀଘ୍ର କ୍ଷତ ଶୁଖି ସୁସ୍ଥ ହେବା ଲାଗି ତାଙ୍କୁ ଛଅ ଦିନ ପାଇଁ ଡାକ୍ତରଖାାନାରେ ରଖାଗଲା।
ତାଙ୍କ ଗାଁ କାୱଠି ଚନ୍ଦ୍ରପୁର ଜିଲ୍ଲାରେ ଅବସ୍ଥିତ ହୋଇଥିଲେ ହେଁ ସେଠାରୁ ୭୦ କିଲୋମିଟର ଦୂର ଚନ୍ଦ୍ରପୁର ତୁଳନାରେ ଗଡ଼ଚିରୋଲି ସହର ପାଖ ପଡ଼େ। ପରବର୍ତ୍ତୀ ଚିକିତ୍ସାକ୍ରମରେ, ଜଳାତଙ୍କ ଏବଂ ଅନ୍ୟାନ୍ୟ ରୋଗର ପ୍ରତିଷେଧକ ଭାବରେ ତାଙ୍କୁ ରାବିପୁର ଇଞ୍ଜେକ୍ସନ ନେବାକୁ ଏବଂ ତାଙ୍କ କ୍ଷତର ଡ୍ରେସିଂ କରାଇବାକୁ ତାଙ୍କୁ ସାଓଲିର କଟେଜ୍ (ସରକାରୀ) ହାସପାତାଳକୁ ବି ଯିବାକୁ ପଡ଼ିବ।
ବଣୁଆ ବାର୍ହା ଆକ୍ରମଣରେ ଆହତ ସୁଧୀରଙ୍କ ଅନୁଭୂତି ଚାଷବାସ କ୍ଷେତ୍ରରେ ରହିଥିବା ବିପଦ ଆଶଙ୍କାକୁ ଏକ ସଂପୂର୍ଣ୍ଣ ନୂତନ ରୂପରେଖ ପ୍ରଦାନ କରେ। ଦରଦାମରେ ଅସ୍ଥିରତା, ଜଳବାୟୁର ବିପର୍ଯ୍ୟସ୍ତ ସ୍ଥିତି ଏବଂ ଅନ୍ୟାନ୍ୟ ଅନେକ ପ୍ରତିକୂଳ କାରଣ ଭିତରେ ଏହା ଚାଷକାମକୁ ସର୍ବାଧିକ ବିପଜ୍ଜନକ ଜୀବିକା ରୂପରେ ଉପସ୍ଥାପନ କରିଥାଏ। ହେଲେ ଚନ୍ଦ୍ରପୁରରେ, ଏବଂ ବାସ୍ତବରେ କହିବାକୁ ଗଲେ ଭାରତର ଅନେକ ସଂରକ୍ଷିତ ଏବଂ ଅଣ-ସଂରକ୍ଷିତ ଜଙ୍ଗଲକୁ ଘେରି ରହିଥିବା ସମସ୍ତ ଅଞ୍ଚଳରେ, ଜଣେ ଚାଷୀର ଜୀବନଧାରା ଏକ ରକ୍ତରଞ୍ଜିତ କଥାବସ୍ତୁ ରୂପରେ ବିଦ୍ୟମାନ।
ବଣୁଆ ପଶୁମାନେ ଫସଲ ଖାଇ ନଷ୍ଟ କରିଦେଉଥିବାରୁ ଚାଷୀମାନେ ରାତି ରାତି ଅନିଦ୍ରା ହୋଇ ସେମାନଙ୍କୁ ଜଗି ରହୁଛନ୍ତି ଏବଂ ଫସଲ ହିଁ ସେମାନଙ୍କର ଏକମାତ୍ର ଉପାର୍ଜନ ପନ୍ଥା ହୋଇଥିବାରୁ ଏହାର ସୁରକ୍ଷା ନିମନ୍ତେ ନାନାଦି ପ୍ରକାରର ବିଚିତ୍ର ଉପାୟ ଅବଲମ୍ବନ ଲାଗି ବାଧ୍ୟ ହେଉଛନ୍ତି। ପଢ଼ନ୍ତୁ: ‘ଏହା ଏକ ନୂଆ ପ୍ରକାରର ମରୁଡ଼ି’
୨୦୨୨ ଅଗଷ୍ଟରୁ, ଏବଂ ତା’ ପୂର୍ବରୁ ମଧ୍ୟ, ଏହି ରିପୋର୍ଟର ଏମିତି ଅନେକ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କର ସାକ୍ଷାତକାର ନେଇଛନ୍ତି, ଯେଉଁମାନେ କି ବାଘ, ଚିତାବାଘ ଏବଂ ଅନ୍ୟ ବଣୁଆ ଜନ୍ତୁ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୁରୁତର ଆହତ ହୋଇଥିବା ଅନେକ ପୁରୁଷ ଓ ମହିଳା, କୃଷକ କିମ୍ବା ସୁଧୀରଙ୍କ ଭଳି କୃଷି ଶ୍ରମିକ। ସେମାନେ ସମସ୍ତେ ଚନ୍ଦ୍ରପୁର ଜିଲ୍ଲାର ସୁରକ୍ଷିତ ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ (TATR) ପ୍ରକଳ୍ପ ଅଞ୍ଚଳ ସଂଲଗ୍ନ ବଣଜଙ୍ଗଲରେ ରହିଥିବା ବିଭିନ୍ନ ତହସିଲ ଅନ୍ତର୍ଗତ ମୁଲ, ସାଓଲି, ସିନ୍ଦେୱାହି, ବ୍ରହ୍ମପୁରୀ, ଭଦ୍ରାୱାଟି, ୱାରୋରା, ଚିମୁର ପ୍ରଭୃତି ଗାଁରେ ବସବାସ ଏବଂ କାମଧନ୍ଦା କରନ୍ତି। ଗତ ଦୁଇ ଦଶନ୍ଧି ଧରି ଏ ଅଞ୍ଚଳରେ ବନ୍ୟପ୍ରାଣୀ ସହିତ ମଣିଷର ଲଢ଼େଇ ସଂପର୍କିତ, ବିଶେଷତଃ ବାଘ ସହିତ ମଣିଷର ଲଢ଼େଇ ସଂପର୍କିତ ଘଟଣା, ଖବରର ଶିରୋନାମାରେ ସ୍ଥାନ ପାଇଆସିଛି।

ଅନେକ ସମୟରେ ବଣୁଆ ଜୀବଜନ୍ତୁଙ୍କ ଆଗମନ ଓ ଆକ୍ରମଣର ସ୍ଥଳ ପାଲଟିଥିବା ଚନ୍ଦ୍ରପୁର ଜିଲ୍ଲାର ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (TATR) ସୀମାକୁ ଲାଗି ରହିଥିବା ଚାଷଜମି
ଜିଲ୍ଲା ବନ ବିଭାଗରୁ ଏହି ରିପୋର୍ଟରଙ୍କ ଦ୍ୱାରା ସଂଗୃହୀତ ତଥ୍ୟାବଳୀରୁ ଜଣାଯାଏ ଯେ, ଗତ ବର୍ଷ କେବଳ ଚନ୍ଦ୍ରପୁର ଜିଲ୍ଲାରେ ବାଘ ଆକ୍ରମଣରେ ୫୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ ଥିଲେ ସାଓଲି ଏବଂ ସିନ୍ଦେୱାହି ଅଞ୍ଚଳର। ଏ ଅଞ୍ଚଳ ଯେ ବାଘ-ମଣିଷର ଏହି ଲୋମଟାଙ୍କୁରା ଲଢ଼େଇର କେନ୍ଦ୍ରସ୍ଥଳ, ତାହା ଏହି ସଂଖ୍ୟାରୁ ହିଁ ସହଜରେ ବୁଝିହୁଏ।
ମୃତାହତ ବ୍ୟକ୍ତିଙ୍କ ସଂଖ୍ୟା ବ୍ୟତିରେକ, ଉଭୟ ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳ ଏବଂ ଏହାର ପରିସର ବହିର୍ଭୁକ୍ତ ଅଞ୍ଚଳରେ ଅବସ୍ଥିତ ସବୁ ଗାଁରେ ଏବେ ଭୟ ଓ ଆତଙ୍କର ଲହରି ଖେଳିଯାଇଛି। ଏଠାରେ ଚାଷବାସର ଭୟାବହ ପରିଣତି ବେଶ୍ ଦୃଶ୍ୟମାନ- ଗୋଟିଏ ପଟେ ବନ୍ୟପ୍ରାଣୀ ଆକ୍ରମଣର ଭୟ ଲାଗି ରହିଛି ଏବଂ ଅନ୍ୟପଟେ ବଣୁଆ ବାର୍ହା, କିମ୍ବା ହରିଣ, କିମ୍ବା ନୀଳଗାଈ ପଶି ଫସଲ ନଷ୍ଟ କରିବା ଆଶଙ୍କାରେ ଚାଷୀମାନେ ରବି ଫସଲ (ଶୀତଦିନିଆ ଫସଲ) ଦିଗରେ ଯେ କୌଣସି ଉପକ୍ରମରୁ ବିରତ ରହୁଛନ୍ତି।
ସୌଭାଗ୍ୟବଶତଃ ସୁଧୀର ବଞ୍ଚିଗଲେ। ତାଙ୍କୁ ବଣୁଆ ବାର୍ହା ଆକ୍ରମଣ କରିଥିଲା, ବାଘ ନୁହେଁ। ପଢ଼ନ୍ତୁ: ଫସଲ ସୁରକ୍ଷା ପାଇଁ ମଚାନ ଉପରେ ରାତି କାଟୁଛନ୍ତି ଖୋଳଦୋଡ଼ାର ଚାଷୀ ।
*****
୨୦୨୨ ଅଗଷ୍ଟର ଏକ ବର୍ଷାଭିଜା ଅପରାହ୍ଣରେ, ଅନ୍ୟ ଶ୍ରମିକମାନଙ୍କ ସହିତ ମିଶି ଗୋଟିଏ କ୍ଷେତରେ ଧାନ ରୋଇବାରେ ଲାଗିଥିବା ୨୦ ବର୍ଷୀୟ ଭାବିକ ଜାରକର ତାଙ୍କ ବାପାଙ୍କ ବନ୍ଧୁ ବସନ୍ତ ପିପରଖେଡ଼େଙ୍କ ପାଖରୁ ଏକ ଫୋନ୍ କଲ୍ ପାଇଲେ।
ଫୋନ୍ରେ ତାଙ୍କ ବାପାଙ୍କ ବନ୍ଧୁ ପିପରଖେଡ଼େ ତାଙ୍କୁ କହିଲେ ଯେ, ଅଳ୍ପ କିଛି ସମୟ ତଳେ ତାଙ୍କ ବାପାଙ୍କୁ ବାଘ ଆକ୍ରମଣ କରିଥିଲା। ଆକ୍ରମଣରେ ଭାବିକଙ୍କ ବାପା ଭକ୍ତଦା ପ୍ରାଣ ହରାଇଥିଲେ ଏବଂ ବାଘ ତାଙ୍କ ମୃତ ଶରୀରକୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲା।
ବାଘ ଆକ୍ରମଣର ଶିକାର ହୋଇଥିବା ୪୫ ବର୍ଷୀୟ ଭକ୍ତଦା ତାଙ୍କର ତିନି ଜଣ ବନ୍ଧୁଙ୍କ ସହିତ ଜଙ୍ଗଲ ସୀମାକୁ ଲାଗି ରହିଥିବା ଗୋଟିଏ କ୍ଷେତରେ କାମ କରୁଥିଲେ। ବିଶ୍ରାମ ନେବାକୁ ସେ ଭୂମି ଉପରେ ବସିଥିବା ବେଳେ ଅଚାନକ ଗୋଟିଏ ବାଘ ତାଙ୍କ ଉପରକୁ ଝାମ୍ପି ପଡ଼ିଲା। ପଛରୁ ଝାମ୍ପ ମାରିଥିବା ଏହି ବିରାଟକାୟ ବାଘଟି ଭକ୍ତଦାଙ୍କ ବେକକୁ ଜାବୁଡ଼ି ଧରିଥିଲା। ବୋଧହୁଏ ଭୁଲରେ ସେ ମଣିଷକୁ ତା’ର ଶିକାର ବୋଲି ଧରିନେଇଥିଲା।
ଅସହାୟ ଅବସ୍ଥାରେ ଏହି ବୀଭତ୍ସ ଦୃଶ୍ୟକୁ ଦେଖିଥିବା ପିପରଖେଡ଼େ ହତବାକ୍ ହୋଇପଡ଼ିଥିଲେ ଏବଂ ସେହି ଘଟଣାକୁ ମନେ ପକାଇ କହିଲେ, “ଆମ ସାଙ୍ଗକୁ ବାଘ ବୁଦା ଭିତରକୁ ଟାଣି ନେଉଥିବା ବେଳେ ଆମେ କେବଳ ଚାହିଁ ରହିବା ଛଡ଼ା ଆଉ କିଛି କରିପାରିଲୁ ନାହିଁ।”
ଏହି ଘଟଣାର ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ସଞ୍ଜୟ ରାଉତ କହନ୍ତି, “ଆମେ ଖୁବ୍ ଜୋରରେ ପାଟିତୁଣ୍ଡ କଲୁ। କିନ୍ତୁ ସେତେବେଳକୁ ବଡ଼ ବାଘଟି ଭକ୍ତଦାଙ୍କୁ ଜାବୁଡ଼ି ଧରି ପକାଇଥିଲା।”
ଉଭୟ ବନ୍ଧୁଙ୍କ କହିବା ଅନୁସାରେ, ସେଦିନ ତାଙ୍କ ଭିତରୁ ଯେ କେହି ବି ସହଜରେ ବାଘର ଶିକାର ହୋଇଯାଇଥାନ୍ତେ।


ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବାଘ-ମଣିଷ ଲଢ଼େଇର ଶିକାର ହୋଇଛନ୍ତି ହୀରାପୁର ଗାଁର ୪୫ ବର୍ଷୀୟ ଭକ୍ତଦା ଜାରକର। ବାପାଙ୍କର ସେହି ବୀଭତ୍ସ ମୃତ୍ୟୁକାଳୀନ ଦୃଶ୍ୟକୁ ମନେ ପକାଇ ଶିହରି ଉଠନ୍ତି ତାଙ୍କ ପିଲାମାନେ (ବାମ) ଭାବିକ ଏବଂ ରାଗିଣୀ। ଏହି ବାଘ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀ ମୃତ ଭକ୍ତଦାଙ୍କ ବନ୍ଧୁମାନେ (ଡାହାଣ) ସଞ୍ଜୟ ରାଉତ ଏବଂ ବସନ୍ତ ପିପରଖେଡ଼େ। ପିପରଖେଡ଼େ କହନ୍ତି, ‘ଆମ ସାଙ୍ଗକୁ ବାଘ ବୁଦା ଭିତରକୁ ଟାଣି ନେଉଥିବା ବେଳେ ଆମେ କେବଳ ଚାହିଁ ରହିବା ଛଡ଼ା ଆଉ କିଛି କରିପାରିଲୁ ନାହିଁ’
ବାଘ ସେ ଅଞ୍ଚଳରେ ମାତିଥିଲା ସତ, ହେଲେ ସେମାନେ କ୍ଷେତରେ ବାଘ ସହ ମୁହାଁମୁହିଁ ହେବେ ବୋଲି କେହି ପୂର୍ବାନୁମାନ କରିପାରି ନଥିଲେ। ଭକ୍ତଦାଙ୍କ ମୃତ୍ୟୁ ଥିଲା ବାଘ ଆକ୍ରମଣରେ ପ୍ରଥମ ଥର ପାଇଁ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ଏହା ପୂର୍ବରୁ ଗାଁ ଲୋକେ ଗାଈଗୋରୁ ଓ ମେଣ୍ଢାଙ୍କୁ ହରାଇଥିଲେ। ଗତ ଦୁଇ ଦଶନ୍ଧି ଭିତରେ ସାଓଲି ଏବଂ ଆଖପାଖ ତହସିଲରେ କେତେକ ଲୋକ ପ୍ରାଣ ହରାଇଥିଲେ।
ହୀରାପୁର ଗାଁର ତାଙ୍କ ଘରେ ସେଦିନର କଥାକୁ ମନେ ପକାଇ କହନ୍ତି ଭାବିକ, “ମୋ ଶରୀର ବରଫ ଭଳି ଜମି ଯାଇଥିଲା।” ପାଖରେ ଥାଆନ୍ତି ତାଙ୍କ ଭଉଣୀ ୧୮ ବର୍ଷର ରାଗିଣୀ। ଏବେ ବି ତାଙ୍କ ବାପାଙ୍କ ଦୁଃଖଦ ମୃତ୍ୟୁରେ ହତଚକିତ ହୋଇ ପଡନ୍ତି ସେ ଏବଂ ସେହି ଘଟଣା ସଂପର୍କରେ କହନ୍ତି ଯେ, ଅଚାନକ ଏ ଖବର ଆସିଲା ଏବଂ ଏହା ତାଙ୍କୁ ଓ ତାଙ୍କ ପରିବାରକୁ ଶକ୍ତ ଆଘାତ ଦେଇଥିଲା।
ଭାଇଭଉଣୀ ଦୁହେଁ ମିଶି ଏବେ ଘର ଚଳାଉଛନ୍ତି। ‘ପରୀ’ ସେମାନଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ସେମାନଙ୍କ ମାଆ ଲତାବାଇ ଘରେ ନଥିଲେ। ରାଗିଣୀ କହନ୍ତି, “ଏବେ ବି ସେ ସେହି ମାନସିକ ଆଘାତରୁ ମୁକୁଳି ପାରିନାହାନ୍ତି।” ସେ ଆହୁରି କହନ୍ତି, “ବାଘ ଆକ୍ରମଣରେ ମୋ ବାପାଙ୍କର ମୃତ୍ୟୁ ଘଟିଛି ବୋଲି ବିଶ୍ୱାସ କରିବା ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବା ଖୁବ୍ କଷ୍ଟକର କାମ।”
ସାରା ଗାଁରେ ଆତଙ୍କର ବାତାବରଣ ଲାଗି ରହିଛି ଏବଂ ଚାଷୀମାନେ କହନ୍ତି, “ଆଜି ବି କେହି ଏକୁଟିଆ ବାହାରକୁ ଯାଆନ୍ତି ନାହିଁ।”
*****
ଲମ୍ବା ଲମ୍ବା ଶାଳ ଓ ବାଉଁଶ ଗଛରେ ଭର୍ତ୍ତି ଜଙ୍ଗଲ। ମଝିରେ ମଝିରେ ବର୍ଷା ପାଣିରେ ଭରି ରହିଥିବା ଧାନ କ୍ଷେତ। ଧାନ ଫସଲ ପାଇଁ ପାଣି ସଞ୍ଚି ରଖିବାକୁ ହିଡ଼ ବନ୍ଧା ହୋଇଥିବାରୁ କ୍ଷେତଗୁଡ଼ିକ ବର୍ଗାକାର ଓ ଆୟତାକାର କ୍ଷେତ୍ରର ରୂପ ନେଇଛି। ଏହି ଅଞ୍ଚଳ ଚନ୍ଦ୍ରପୁର ଜିଲ୍ଲାର ସର୍ବାଧିକ ଜୈବ ବିବିଧତା ସମୃଦ୍ଧ ଅଂଶ ରୂପେ ବିବେଚିତ।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁଫଳ ଲାଭ କରୁଛନ୍ତି ତାଡ଼ୋବା ଜଙ୍ଗଲର ଦକ୍ଷିଣରେ ଅବସ୍ଥିତ ସାଓଲି ଓ ସିନ୍ଦେୱାହି ଗାଁ। ୨୦୨୩ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (NTCA) ପକ୍ଷରୁ ପ୍ରକାଶିତ ୨୦୨୨ ମସିହାର ବାଘ ଓ ଅନ୍ୟାନ୍ୟ ସହ-ଶିକାରୀ ପ୍ରାଣୀମାନଙ୍କ ସ୍ଥିତି ସଂପର୍କିତ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୮ରେ ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ସଂଖ୍ୟା ୯୭ ଥିବା ବେଳେ ଏ ବର୍ଷ ଏହା ୧୧୨କୁ ବୃଦ୍ଧି ପାଇଛି।
![Women farmers of Hirapur still fear going to the farms. 'Even today [a year after Bhaktada’s death in a tiger attack] , no one goes out alone,' they say](/media/images/05a-20230712_105603-JH-Chandrapurs_cultiva.max-1400x1120.jpg)
![Women farmers of Hirapur still fear going to the farms. 'Even today [a year after Bhaktada’s death in a tiger attack] , no one goes out alone,' they say](/media/images/05b-20230711_162655-JH-Chandrapurs_cultiva.max-1400x1120.jpg)
ଏବେ ବି କ୍ଷେତକୁ ଯିବା ଲାଗି ଡରନ୍ତି ହୀରାପୁର ଗାଁର ମହିଳା ଚାଷୀମାନେ । ସେମାନେ କହନ୍ତି, ‘ଆଜି ବି (ବାଘ ଆକ୍ରମଣରେ ଭକ୍ତଦାଙ୍କ ମୃତ୍ୟୁର ବର୍ଷେ ପରେ) କେହି ଏକୁଟିଆ ବାହାରକୁ ଯାଆନ୍ତିନି’
ସୁରକ୍ଷିତ ଅଞ୍ଚଳ (PA) ବାହାରେ, ପ୍ରାକୃତିକ ବନାଞ୍ଚଳରେ ଅନେକ ବାଘ ଅଛନ୍ତି। ଏ ଅଞ୍ଚଳରେ ମଝିରେ ମଝିରେ ଜନବସତି ରହିଛି। ତେଣୁ ସୁରକ୍ଷିତ ଅଞ୍ଚଳ ବାହାରକୁ ବାହାରି ଆସି ଘନ ଜନବସତିରେ ଚଲାବୁଲା କରୁଥିବା ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜଙ୍ଗଲ ଓ ସଂରକ୍ଷିତ ପ୍ରକଳ୍ପ ସଂଲଗ୍ନ ଭୂଭାଗରେ ରହିଥିବା କ୍ଷେତରେ ବାଘ ଆକ୍ରମଣ ଘଟଣାର ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି ଏବଂ କେତେକ ବାଘ ଯେ ସଂରକ୍ଷିତ ପ୍ରକଳ୍ପ ଅଞ୍ଚଳ ବାହାରେ ଅଛନ୍ତି ବୋଲି ଏଥିରୁ ପ୍ରତୀତ ହେଉଛି।
୨୦୧୩ର ଏକ ଅନୁଧ୍ୟାନ ଅନୁସାରେ ସଂରକ୍ଷିତ ଅଞ୍ଚଳ ବାହାରେ ଅର୍ଥାତ୍ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳ ଏବଂ ଏହାକୁ ଘେରି ରହିଥିବା ଭୂଭାଗରେ ଅଧିକାଂଶ ବାଘ ଆକ୍ରମଣ ଘଟଣା ଘଟିଛି। ସବୁଠାରୁ ଅଧିକ ସଂଖ୍ୟକ ବାଘ ଆକ୍ରମଣ ଘଟଣା ଜଙ୍ଗଲରେ ଘଟୁଛି ଏବଂ ତା ପଛକୁ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସହିତ ସଂଲଗ୍ନ ଅଞ୍ଚଳ, ଏବଂ ଛୋଟମୋଟ ଜଙ୍ଗଲ ସଦୃଶ ଅଞ୍ଚଳକୁ ମିଶାଇ ଉତ୍ତର-ପୂର୍ବ କରିଡର କ୍ଷେତ୍ରରେ ରହିଥିବା ଚାଷଜମିରେ ଏବଂ ନଷ୍ଟପ୍ରାୟ ଜଙ୍ଗଲରେ ଏହି ଆକ୍ରମଣ ସଂଘଟିତ ହେଉଛି ।
ବାଘ ସଂରକ୍ଷଣରେ ସଫଳତା ଦୃଷ୍ଟିକୋଣରୁ ବାଘ ଓ ମଣିଷର ଏହି ଲଢ଼େଇ ଅଣଦେଖା ହୋଇ ରହିଯାଉଛି। ଏ କଥା ନିକଟରେ, ୨୦୨୩ ଜୁଲାଇ ମାସରେ, ମୁମ୍ବାଇରେ ସମାପିତ ରାଜ୍ୟ ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ମହାରାଷ୍ଟ୍ରର ବନ ବିଭାଗ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାରଙ୍କ କଥାରୁ ସ୍ପଷ୍ଟ ହୋଇଯାଇଛି। ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବର ଉତ୍ତର ଦେଇ ସେ କହିଲେ ଯେ, ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେଉଥିବା ‘ବାଘ ସ୍ଥାନାନ୍ତରଣ’ କାର୍ଯ୍ୟକ୍ରମର ଏକ ଅଂଶ ରୂପରେ ନିକଟରେ ସରକାର ଦୁଇଟି ପ୍ରାପ୍ତବୟସ୍କ ବାଘଙ୍କୁ ଗୋନ୍ଦିଆର ନାଗଜିରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳକୁ ପଠାଇଛନ୍ତି ଏବଂ ଆଗକୁ ଆହୁରି ଅନେକ ବାଘଙ୍କୁ ସେମାନଙ୍କ ରହିବା ଉପଯୋଗୀ ବିଭିନ୍ନ ଜଙ୍ଗଲରେ ଛାଡ଼ିଦେବାକୁ ଚିନ୍ତା କରାଯାଉଛି।
ସେହି ଏକା ପ୍ରସ୍ତାବର ଉତ୍ତରରେ ସେ କହିଲେ ଯେ, ସରକାର ବାଘ ଆକ୍ରମଣରେ ମୃତାହତ ବ୍ୟକ୍ତି, ଫସଲ ହାନି ଏବଂ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ କ୍ଷେତ୍ରରେ ପୀଡ଼ିତଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ ବୃଦ୍ଧି କରିବେ। ବାଘ ଆକ୍ରମଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ପରିବାରକୁ ଦିଆଯାଉଥିବା ଅନୁକମ୍ପାମୂଳକ ରାଶି ପରିମାଣ ୨୦ରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କିନ୍ତୁ ଫସଲହାନି ଏବଂ ଗୃହପାଳିତ ପ୍ରାଣୀ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପରିମାଣ ବୃଦ୍ଧି କରାଯାଇନାହିଁ। ଫସଲହାନି କ୍ଷେତ୍ରରେ ସର୍ବାଧିକ ୨୫,୦୦୦ ଟଙ୍କା ଏବଂ ଗୃହପାଳିତ ପ୍ରାଣୀ ମୃତ୍ୟୁ କ୍ଷେତ୍ରରେ ସର୍ବାଧିକ ୫୦,୦୦୦ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି।
ତଥାପି, ନିକଟ ଭବିଷ୍ୟତରେ ଏହି ସଂକଟର ଅବସାନ ଘଟିବ ବୋଲି ମନେ ହେଉନାହିଁ।

ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳ ଏବଂ ଆଖପାଖର ଭୂଭାଗରେ ଜଙ୍ଗଲ ଓ କ୍ଷେତରେ ବାଘ ଆକ୍ରମଣ ଘଟଣା ସଂଖ୍ୟା ଅଧିକ ହେବାରେ ଲାଗିଛି ଏବଂ ଏଥିରୁ କେତେକ ବାଘ ସଂରକ୍ଷିତ ଅଞ୍ଚଳ ବାହାରେ ବୁଲୁଥିବା ମନେ କରାଯାଉଛି
ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (TATR) ସମେତ ନିକଟବର୍ତ୍ତୀ ଭୂଭାଗରେ (ସଂରକ୍ଷିତ ଅଞ୍ଚଳ ବାହାରେ ଏବଂ ସଂଲଗ୍ନ ଅଞ୍ଚଳ ଆଖପାଖରେ) କରାଯାଇଥିବା ଏକ ବିସ୍ତୃତ ଅନୁଧ୍ୟାନ ଅନୁସାରେ “ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର କେନ୍ଦ୍ରାଞ୍ଚଳସ୍ଥିତ ମହାରାଷ୍ଟ୍ର ରାଜ୍ୟର ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଖାପାଖି ଅଞ୍ଚଳରେ ମଣିଷ ଉପରେ ମାଂସାହାରୀ ପଶୁଙ୍କ ଆକ୍ରମଣ ଘଟଣା ଦ୍ରୁତ ହାରରେ ବୃଦ୍ଧି ପାଇଛି।”
୨୦୦୫-୧୧ ମଧ୍ୟରେ ପରିଚାଳିତ ଏହି ଅନୁଧ୍ୟାନ ଅବସରରେ “ମଣିଷ ସହ ବଡ଼ ବଡ଼ ମାଂସାହାରୀ ପଶୁଙ୍କ ସଂଘର୍ଷ ଘଟଣାକୁ ରୋକିବା କିମ୍ବା କମ୍ କରିବା ଦିଗରେ ସୁପାରିସ ପ୍ରଦାନ ନିମନ୍ତେ ତାଡ଼ୋବା-ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଘ ଓ ଚିତାବାଘ ଆକ୍ରମଣର ବିଭିନ୍ନ ମାନବୀୟ ଏବଂ ପରିବେଶଗତ କାରଣକୁ ପରୀକ୍ଷା କରାଯାଇଥିଲା।” ମୋଟ ୧୩୨ଟି ଆକ୍ରମଣ ଘଟଣାରୁ ବାଘ ଓ ଚିତାବାଘ ଆକ୍ରମଣ ହାର ଯଥାକ୍ରମେ ୭୮ ପ୍ରତିଶତ ଏବଂ ୨୨ ପ୍ରତିଶତ।
ଏହି ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି ଯେ, “ଉଲ୍ଲେଖନୀୟ କଥା ଯେ, ଅନ୍ୟାନ୍ୟ କାର୍ଯ୍ୟ ତୁଳନାରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ମଣିଷଙ୍କ ଉପରେ ବାଘ ଆକ୍ରମଣର ହାର ଅଧିକ।” ବାଘ ଓ ଅନ୍ୟ ପଶୁ ଆକ୍ରମଣର ସମ୍ଭାବନା କାରଣରୁ ଜଙ୍ଗଲ ଏବଂ ଗାଁଠାରୁ ଲୋକେ ଦୂରେଇ ଯାଇଥିଲେ ଏବଂ ଏବେ ଆହୁରି ଦୂରେଇ ଯିବାରେ ଲାଗିଛନ୍ତି। ଅନୁଧ୍ୟାନର ଉପସଂହାରରେ କୁହାଯାଇଥିଲା ଯେ, ଲୋକଙ୍କ ମୃତ୍ୟୁ ଏବଂ ଅନ୍ୟାନ୍ୟ ସଂଘର୍ଷର ହାର କମ କରିବା ଲାଗି ତାଡ଼ୋବା-ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ମାନବୀୟ କାର୍ଯ୍ୟକଳାପକୁ ନିୟନ୍ତ୍ରିତ ଏବଂ ସୀମିତ କରିବା ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଏଥିରେ ଆହୁରି ଦର୍ଶାଯାଇଥିଲା ଯେ, ଲୋକଙ୍କ ପାଖରେ ଇନ୍ଧନର ବିକଳ୍ପ ଉତ୍ସ (ଉଦାହରଣତଃ ଗୋବର ଗ୍ୟାସ୍ ଏବଂ ସୌରଶକ୍ତି) ପହଞ୍ଚାଇ ଦିଆଯାଇପାରିଲେ ସୁରକ୍ଷିତ ଅଞ୍ଚଳରୁ ଜାଳେଣି କାଠ ସଂଗ୍ରହ କରିବା ଲାଗି ସେମାନଙ୍କ ବାଧ୍ୟବାଧକତା ହ୍ରାସ ପାଇପାରେ।
ବୋଧହୁଏ, ଏଣେତେଣେ ଘୂରି ବୁଲୁଥିବା ମାଂସାହାରୀ ପଶୁମାନଙ୍କର ଆଚରଣରେ ଭିନ୍ନତାର ବିସ୍ତୃତି ସହିତ ଜନବସତି ବହୁଳ ଭୂଭାଗରେ ଶିକାର ହେବା ଭଳି ଛୋଟ ଛୋଟ ଜୀବଜନ୍ତୁଙ୍କ ଅଭାବ ଯୋଗୁଁ ବାଘ ସହ ମଣିଷର ସଂଘର୍ଷ ସମ୍ଭାବନା ବଢ଼ିବାରେ ଲାଗିଛି।
ହେଲେ ନିକଟ ଅତୀତରେ ସଂଘଟିତ ବାଘ ଆକ୍ରମଣ ଘଟଣାର ବିବରଣୀରୁ ଜଣାଯାଏ ଯେ, କେବଳ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କିମ୍ବା ଗାଈଗୋରୁ ଚରାଇବାକୁ ଯାଇଥିବା ଲୋକଙ୍କ ଉପରେ ନୁହେଁ, ବରଂ କ୍ଷେତରେ ଚାଷକାମ କରୁଥିବା ଲୋକଙ୍କ ଉପରେ ବାଘ ଆକ୍ରମଣ ଘଟଣାର ସଂଖ୍ୟା ଅଧିକ। ଚନ୍ଦ୍ରପୁର ଜିଲ୍ଲାର ଅଧିକାଂଶ ଭାଗରେ ଜଙ୍ଗଲି, ବିଶେଷତଃ ତୃଣଭୋଜି ପଶୁଙ୍କ ଦ୍ୱାରା ଫସଲ ନଷ୍ଟ ଚାଷୀମାନଙ୍କ ପାଇଁ ଏକ ବଡ଼ ସମସ୍ୟା ରୂପରେ ରହିଆସିଛି। କିନ୍ତୁ ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ, କ୍ଷେତରେ କିମ୍ବା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ବାଘ ଓ ଚିତାବାଘ ଆକ୍ରମଣ ଘଟଣା ଉଦ୍ବେଗଜନକ ହାରରେ ବଢ଼ି ଚାଲିଥିବା ବେଳେ ଏଥିରୁ ନିଷ୍କୃତିର ଆଶା କ୍ଷୀଣ ହେବାରେ ଲାଗିଛି।
ଏଠାକାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଜଣାପଡ଼େ ଯେ ଏ ଅଞ୍ଚଳର ଲୋକମାନଙ୍କ ପାଇଁ ବନ୍ୟପ୍ରାଣୀ ଏବଂ ବାଘ ଆକ୍ରମଣ ଆଶଙ୍କା ହିଁ ଚିନ୍ତାର ସବୁଠାରୁ ବଡ଼ କାରଣ। ପୁଣେର ବନ୍ୟଜୀବନ ଜୀବ ବିଜ୍ଞାନୀ ଡକ୍ଟର ମିଲିନ୍ଦ ୱାଟ୍ଭେଙ୍କ କହିବା ଅନୁସାରେ, ସୁଦୂର ଭବିଷ୍ୟତରେ, ଏହି ସମସ୍ୟାର କୁପ୍ରଭାବ ଭାରତର ବାଘ ସଂରକ୍ଷଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ପଡ଼ିବ। ଯଦି ସ୍ଥାନୀୟ ଲୋକେ ବନ୍ୟଜୀବନ ବିରୋଧରେ ଯିବାକୁ ସ୍ଥିର କରିନେବେ, ଯାହା କି ସେମାନେ ସ୍ୱାଭାବିକ ଭାବେ କରୁଛନ୍ତି, ତେବେ ସୁରକ୍ଷିତ ଜଙ୍ଗଲ ବାହାରେ ବନ୍ୟପ୍ରାଣୀମାନେ କେମିତି ନିରାପଦରେ ରହିପାରିବେ !


ଚାନ୍ଦଲି ବିକେ. ଗାଁ ନିକଟ ଏକ ଚା’ ଦୋକାନରେ (ବାମ) ଗାଁ ଲୋକେ। ଏହି ଦୋକାନ ସକାଳ ୧୦ଟାରେ ଖୋଲେ ଏବଂ ବାଘ ଓ ବାର୍ହା ଆକ୍ରମଣ ଆଶଙ୍କାରେ ବିଳମ୍ବିତ ସନ୍ଧ୍ୟା ପୂର୍ବରୁ ବନ୍ଦ ହୋଇଯାଏ। ଏହି ସବୁ ଆକ୍ରମଣ ଘଟଣାର ଗୁରୁତର ପ୍ରଭାବ ସାମୟିକ ପଶୁପାଳନକାରୀ କୁର୍ମାର ସଂପ୍ରଦାୟର (ଡାହାଣ) ବିଭିନ୍ନ କୃଷିକାର୍ଯ୍ୟ ଉପରେ ପଡ଼ିଛି ଏବଂ ପ୍ରତିଦିନ ସେମାନେ ଅତି କମ୍ରେ ୨-୩ଟି ଗୃହପାଳିତ ପ୍ରାଣୀ ହରାଉଛନ୍ତି
ବର୍ତ୍ତମାନର ଏହି ସଂକଟ ଗୋଟିଏ ବାଘ କାରଣରୁ ନୁହେଁ; ଅନେକ ବାଘ ଭୁଲରେ ମଣିଷକୁ ସେମାନଙ୍କ ଶିକାର ବୋଲି ଧରିନେଇ ଅକସ୍ମାତ୍ ଆକ୍ରମଣ କରୁଛନ୍ତି । ଏଭଳି ଆକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ସଦସ୍ୟ ଏବଂ ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀମାନେ ଏକ ଅନ୍ତହୀନ ମାନସିକ ଆଘାତ ସହିତ କାଳ କାଟୁଛନ୍ତି।
ସେହିଭଳି ଏକ ପରିବାରର ସଦସ୍ୟ ହେଉଛନ୍ତି ହୀରାପୁରରୁ ପ୍ରାୟ ୪୦ କିଲୋମିଟର ଦୂର ସାଓଲି ତହସିଲର ଚାନ୍ଦଲି ବିକେ. ଗାଁ ନିବାସୀ ପ୍ରଶାନ୍ତ ୟେଲଟିୱାର। ୨୦୨୨ ମସିହା ଡିସେମ୍ବର ୧୫ରେ ତାଙ୍କ ସ୍ତ୍ରୀ ସ୍ୱରୂପା ଗୋଟିଏ ବଡ଼ ବାଘର ଶିକାର ହୋଇଥିଲେ। ବାଘ ତାଙ୍କ ଉପରକୁ ଝାମ୍ପି ପଡ଼ି ତାଙ୍କ ଶରୀରକୁ ଜଙ୍ଗଲ ଭିତରକୁ ଟାଣି ନେବା ସମୟରେ ତାଙ୍କ ସହିତ ଥିବା ଗାଁର ଆଉ ପାଞ୍ଚ ଜଣ ମହିଳା ଆତଙ୍କରେ ଚାହିଁ ରହିଥିଲେ। ୨୦୨୨ ମସିହା ଡିସେମ୍ବର ୧୫ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ଏହି ଅଘଟଣ ଘଟିଥିଲା।
୨୦୨୩ରେ ଆମ ସହିତ କଥାବାର୍ତ୍ତା କରି ୟେଲଟିୱାର କହିଲେ, “ସେ ଚାଲିଯିବାର ଛଅ ମାସ ହେଲାଣି। ସେଦିନ କ’ଣ ଘଟିଥିଲା ବୋଲି ମୁଁ କଳନା କରିପାରୁନାହିଁ।”
ୟେଲଟିୱାର ପରିବାର ପାଖରେ ଥିବା ପାଖାପାଖି ଗୋଟିଏ ଏକର ଜମିରୁ ଯାହା କିଛି ରୋଜଗାର ହୁଏ। କୃଷି ଶ୍ରମିକ ଭାବେ କାମ କରି ସେମାନେ ଆଉ ସେତିକି ରୋଜଗାର କରନ୍ତି। ଏହି ଆକ୍ରମଣ ଘଟଣା ସମୟରେ ସ୍ୱରୂପା ଏବଂ ଅନ୍ୟ ମହିଳାମାନେ ଗାଁର ଜଣେ ଲୋକଙ୍କ ଜମିରେ କପା ତୋଳିବାରେ ବ୍ୟସ୍ତ ଥିଲେ। ଧାନଚାଷ ଏ ଅଞ୍ଚଳର ପ୍ରମୁଖ ଚାଷ ଏବଂ କପା ଫସଲ ଏବେ ନୂଆ ନୂଆ ଆରମ୍ଭ ହୋଇଛି। ଗାଁ ପାଖ ଏକ ଜମିରେ କାମ କରୁଥିବା ବେଳେ ସ୍ୱରୂପାଙ୍କ ଉପରକୁ ବାଘ ଝାମ୍ପି ପଡ଼ିଥିଲା ଏବଂ ତାଙ୍କୁ ଜଙ୍ଗଲ ଭିତରେ ପ୍ରାୟ ଅଧା କିଲୋମିଟର ଯାଏ ଟାଣି ନେଇଥିଲା। ଏହି ବୀଭତ୍ସ ଘଟଣାର କେଇ ଘଣ୍ଟା ପରେ ବନରକ୍ଷୀ ଏବଂ ବିଭାଗର ଅନ୍ୟ ଅଧିକାରୀମାନଙ୍କ ସହାୟତାରେ ଗାଁ ଲୋକେ ସ୍ୱରୂପାଙ୍କ କ୍ଷତବିକ୍ଷତ ଏବଂ ବିକୃତ ଶରୀରକୁ ଉଦ୍ଧାର କରିଥିଲେ। ଏ ଅଞ୍ଚଳରେ ବାଘ ଆକ୍ରମଣରେ ମୃତ୍ୟୁର ଲମ୍ବା ତାଲିକାରେ ଆଉ ଜଣେ ମହିଳାଙ୍କ ନାଁ ଯୋଡ଼ି ହୋଇଯାଇଥିଲା।
ସେଦିନ ଜଙ୍ଗଲ ଭିତରୁ ତାଙ୍କ ମରଶରୀର ଉଦ୍ଧାର କରିବାକୁ ଯାଇଥିବା ଗାଁ ଲୋକଙ୍କ ଭିତରୁ ଜଣେ, ବିସ୍ତାରି ଆଲ୍ଲୁରୱାର କହନ୍ତି, “ବାଘକୁ ଭୟଭୀତ କରି ଘଉଡ଼ାଇ ଦେବା ପାଇଁ ଆମେ ବହୁତ ପାଟିତୁଣ୍ଡ କରିଥିଲୁ, ଥାଳି ପିଟିଥିଲୁ ଏବଂ ଢୋଲ ବଜାଇଥିଲୁ।”
ୟେଲଟିୱାରଙ୍କ ପଡ଼ୋଶୀ ତଥା ଛଅ ଏକର ଚାଷଜମିର ଚାଷୀ ସୂର୍ଯ୍ୟକାନ୍ତ ମାରୁତି ପାଡ଼େୱାର କହନ୍ତି, “ସେଦିନର ସେହି ସବୁ ଘଟଣାକୁ ଆମେ ଆତଙ୍କିତ ଅବସ୍ଥାରେ ଦେଖିଥିଲୁ।” ପରିଣତି କ’ଣ ହେଲା ? ସେ କହନ୍ତି, ‘ଗାଁରେ ଭୟର ବାତାବରଣ ଲାଗି ରହିଛି।’


୨୦୨୨ ଡିସେମ୍ବରରେ ବାଘ ଆକ୍ରମଣରେ ପତ୍ନୀ ସ୍ୱରୂପାଙ୍କ ମୃତ୍ୟୁ ପରେ ଏବେ ବି ପ୍ରଶାନ୍ତ ୟେଲଟିୱାରଙ୍କ (ବାମ) ଜୀବନଯାତ୍ରା ସ୍ୱାଭାବିକ ହୋଇନାହିଁ। ଡାହାଣ: ସ୍ୱରୂପାଙ୍କ ମାଆ ସାୟାତ୍ରିବାଇ, ଜାଆ ନନ୍ଦତାଇ ୟେଲଟିୱାର ଏବଂ ଝିଆରୀ ଆଚଲ। ସ୍ତ୍ରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ବାବଦରେ ପ୍ରଶାନ୍ତଙ୍କୁ ୨୦ ଲକ୍ଷ ଟଙ୍କା ମିଳିଥିଲା
ଲୋକେ ତାତିଲେ; ବନ ବିଭାଗ ଆକ୍ରମଣକାରୀ ବାଘଙ୍କୁ ଧରୁ କିମ୍ବା ସେମାନଙ୍କୁ ମାରିଦେଇ ଗାଁ ଲୋକଙ୍କୁ ଏ ବିପତ୍ତିରୁ ମୁକ୍ତି ଦେଉ ବୋଲି ସେମାନେ ଦାବି କଲେ, କିନ୍ତୁ କିଛି ଦିନ ପରେ ପ୍ରତିବାଦର ସ୍ୱର ନରମି ଗଲା।
ସ୍ୱରୂପାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ କାମ କରିବା ଲାଗି କ୍ଷେତକୁ ଯିବା ପାଇଁ ସାହସ ଜୁଟାଇ ପାରିନାହାନ୍ତି। ଗାଁର ସେହି ସୀମାବର୍ତ୍ତୀ ଭାଗରେ ଏବେ ବି ଗୋଟିଏ ବାଘ ବୁଲୁଛି ବୋଲି ସେ କହନ୍ତି।
“ସପ୍ତାହ ତଳେ ମୋ ଜମି ପାଖରେ ଆମେ ଗୋଟିଏ ବାଘ ଦେଖିଲୁ,” ସାତ ଏକର ଜମିର ଚାଷୀ ୪୯ ବର୍ଷୀୟ ଦିଦ୍ଦି ଜାଗଲୁ ବଦ୍ଦମୱାର କହନ୍ତି। ଜୁଲାଇ ପ୍ରଥମ ଭାଗରେ, ଭଲ କେଇ ଅସରା ବର୍ଷା ହୋଇଯାଇଥିଲା। ଠିକ୍ ବୁଣାବୁଣି କାମ ଆରମ୍ଭ ହେଉଥିବା ବେଳେ ସେ କହନ୍ତି, “ଆମେ ଆଉ କୌଣସି କାମ ପାଇଁ ଜମିକୁ ଫେରିଗଲୁ ନାହିଁ। ଏହି ଘଟଣା ପରେ ଗାଁର କେହି ହେଲେ ରବି ଫସଲ କଲେ ନାହିଁ।”
ସ୍ତ୍ରୀଙ୍କ ମୃତ୍ୟୁ ବାବଦରେ ପ୍ରଶାନ୍ତଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଲା, କିନ୍ତୁ, ସେ କହନ୍ତି, ସେଥିରୁ ତାଙ୍କ ସ୍ତ୍ରୀଙ୍କ ଜୀବନ ତ ଫେରି ଆସିବ ନାହିଁ। ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଛାଡ଼ି ଚାଲି ଯାଇଛନ୍ତି ସ୍ୱରୂପା।
*****
୨୦୨୩ରେ ବି ୨୦୨୨ ତୁଳନାରେ କୌଣସି ଭିନ୍ନତା ନଥିଲା – ଚନ୍ଦ୍ରପୁର ଜିଲ୍ଲାର ତାଡ଼ୋବା-ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳର ବିଶାଳ ଭୂଭାଗର ଚାଷଜମିରେ ବାଘ ଆକ୍ରମଣ, ବନ୍ୟପ୍ରାଣୀ ଆତଙ୍କ ଲାଗି ରହିଥିଲା।
ମାସେ ତଳେ (୨୫ ଅଗଷ୍ଟ, ୨୦୨୩ ) ବାଘ ଆକ୍ରମଣର ଶିକାର ହୋଇଥିଲେ ଷାଠିଏରୁ ଅଧିକ ବୟସର ଆଦିବାସୀ ମହିଳା ଚାଷୀ ଲକ୍ଷ୍ମୀବାଇ କନ୍ନାକେ। ତାଡ଼ୋବା-ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସୀମାକୁ ଲାଗି ରହିଛି ଭଦ୍ରାବତୀ ତହସିଲ ଅନ୍ତର୍ଗତ ତାଙ୍କ ଗାଁ ଟେକାଡ଼ି ଏବଂ ଏହା ପ୍ରସିଦ୍ଧ ମୋହର୍ଲି ବନଖଣ୍ଡର ସମୀପବର୍ତ୍ତୀ, ଯାହା କି ଏହି ସୁଦୃଶ୍ୟ ବିଶାଳ ଜଙ୍ଗଲର ମୁଖ୍ୟ ପ୍ରବେଶ ଦ୍ୱାର।
ସେହି ଦୁର୍ଭାଗ୍ୟପୂର୍ଣ୍ଣ ସନ୍ଧ୍ୟାରେ ସେ ଇରାଇ ବନ୍ଧ ଜଳଭଣ୍ଡାର ସଂଲଗ୍ନ ତାଙ୍କ ଚାଷଜମିରେ କାମ କରୁଥିଲେ। ସାଙ୍ଗରେ ଥିଲେ ତାଙ୍କ ବୋହୂ ସୁଲୋଚନା। ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ସୁଲୋଚନା ଦେଖିଥିଲେ ଯେ, ବଣୁଆ ଘାସବୁଦା ଆଢୁଆଳରେ ରହି ଗୋଟିଏ ବାଘ ଲୁଚି ଲୁଚି ଲକ୍ଷ୍ମୀବାଇଙ୍କ ପଛେ ପଛେ ଆସୁଛି। ସେ ତାଙ୍କ ଶାଶୂଙ୍କୁ ଚେତାଇ ଦେବା ପାଇଁ ଚିତ୍କାର କରିବା ପୂର୍ବରୁ ହିଁ ବାଘଟି ବୃଦ୍ଧାଙ୍କ ଉପରକୁ ଝାମ୍ପି ପଡ଼ିଥିଲା, ତାଙ୍କୁ ବେକ ପାଖରୁ ଧରିନେଇ ତାଙ୍କ ଶରୀରକୁ ବନ୍ଧ ପାଣି ଆଡ଼କୁ ଟାଣି ନେଇଥିଲା। ସୁଲୋଚନା ଦୌଡ଼ି ଦୌଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଗଲେ ଏବଂ ଜମି ପାଖକୁ ଆସିବା ଲାଗି ଅଧିକ ଲୋକଙ୍କୁ ଡାକ ପକାଇଲେ। କେଇ ଘଣ୍ଟା ପରେ ଜଳାଶୟ ଭିତରୁ ଲକ୍ଷ୍ମୀବାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।


୨୦୨୩ ଅଗଷ୍ଟ ୨୫ ତାରିଖ ଦିନ ଟେକାଡ଼ି ଗାଁରେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ତାଙ୍କ ସ୍ତ୍ରୀ ଲକ୍ଷ୍ମବାଇଙ୍କ ବନ୍ଧେଇ ଫଟୋ ସହିତ ଚାଷୀ ରାମରାମ କନ୍ନାନେ (ବାମ)। ପ୍ରସିଦ୍ଧ ମୋହର୍ଲି ବନଖଣ୍ଡ ସମୀପବର୍ତ୍ତୀ ଭଦ୍ରାବତୀ ତହସିଲ ଅନ୍ତର୍ଗତ ଟେକାଡ଼ି ଗାଁ, ତାଡ଼ୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପର ସୀମାକୁ ଲାଗି ରହିଛି
ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ବନ ବିଭାଗ ପକ୍ଷରୁ ତୁରନ୍ତ ୫୦,୦୦୦ ଟଙ୍କା ପ୍ରଦାନ କରାଗଲା ଏବଂ ଗାଁ ଲୋକଙ୍କ କ୍ରୋଧ ଏବଂ ସମ୍ଭାବ୍ୟ ଜନ ଆନ୍ଦୋଳନକୁ ଆଖିରେ ରଖି, କିଛି ଦିନ ପରେ ବର୍ଦ୍ଧିତ ଅନୁକମ୍ପାମୂଳକ ରାଶି ସଂପର୍କିତ ନିର୍ଦ୍ଦେଶନାମା ଅନୁସାରେ ତାଙ୍କ ସ୍ୱାମୀ, ୭୪ ବର୍ଷୀୟ ରାମରାମ କନ୍ନାନେଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଥିଲା।
ଟେକାଡ଼ି ଗାଁରେ ଆତଙ୍କର ବାତାବରଣ ଲାଗି ରହିଥିବା ବେଳେ ଗାଁ ଉପରେ ବନରକ୍ଷୀମାନଙ୍କର ଏକ ଦଳ ସତର୍କ ନଜର ରଖୁଛନ୍ତି, ବାଘର ଗତିବିଧି ଜାଣିବା ଲାଗି କ୍ୟାମେରା ଟ୍ରାପ୍ ସ୍ଥାପନ କରାଯାଇଛି, ଏବଂ ଗାଁ ଲୋକେ ଦଳ ଦଳ ହୋଇ କ୍ଷେତରେ କାମ କରିବାକୁ ଯାଉଛନ୍ତି।
ସେହି ଏକା ତହସିଲରେ (ଭଦ୍ରାବତୀରେ) ଆମେ ୨୦ ବର୍ଷ ବୟସ୍କ ମନୋଜ ନୀଳକଣ୍ଠ ଖେରେଙ୍କୁ ଭେଟିଥିଲୁ। ଦ୍ୱିତୀୟ ବର୍ଷ ସ୍ନାତକ ଶ୍ରେଣୀର ଏହି ଛାତ୍ର ଜଣକ ୨୦୨୩ ମସିହା ସେପଟେମ୍ବର ୧ ତାରିଖ ସକାଳେ ଜଙ୍ଗଲି ବାର୍ହା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଏବଂ ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
ମନୋଜ କହନ୍ତି, “ମୁଁ ମୋ ବାପାଙ୍କ କ୍ଷେତରେ ଅନାବନା ଗଛ ସଫା କାମ ତଦାରଖ କରୁଥିବା ବେଳେ ଗୋଟିଏ ବାର୍ହା ପଛରୁ ଦୌଡ଼ି ଦୌଡ଼ି ଆସି ମତେ ତା ଆଗଦାନ୍ତରେ ଭୁସି ଦେଲା।’
ସେଇ ଭଦ୍ରାବତୀ ତହସିଲ ଅନ୍ତର୍ଗତ ପିରଲି ଗାଁରେ ତାଙ୍କ ମାମୁ ମଙ୍ଗେଶ ଆସୁତକରଙ୍କ ଘରେ ଗୋଟିଏ ଖଟ ଉପରେ ଶୋଇ ରହି ଟିକିନିଖି ବିବରଣୀ ସହିତ ସେଦିନର ସେହି ଘଟଣା ସଂପର୍କରେ ମନୋଜ କହନ୍ତି, “ମାତ୍ର ୩୦ ସେକେଣ୍ଡ ଭିତରେ ଏହା ଘଟିଗଲା।”
ବାର୍ହାଟି ତାଙ୍କ ବାମ ଜଂଘକୁ ଫାଡ଼ି ଦେଇଥିଲା ଏବଂ ବାମ ଗୋଡ଼ର ପେଣ୍ଡାକୁ ଏତେ ଭୀଷଣ ଭାବରେ କାମୁଡ଼ି ଦେଇଥିଲା ଯେ ତାଙ୍କ ଗୋଡ଼ରୁ ପେଣ୍ଡାର ମାଂସପେଶୀ ଛିଣ୍ଡି ଅଲଗା ହୋଇଯାଇଥିଲା। ତାଙ୍କ ପେଣ୍ଡାକୁ ପୁଣି ପୂର୍ବାବସ୍ଥାକୁ ଆଣିବା ଲାଗି ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡ଼ିବ ବୋଲି ଡାକ୍ତରମାନେ ତାଙ୍କୁ କହିଛନ୍ତି। ଏହାର ଅର୍ଥ, ତାଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାରକୁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେ କହନ୍ତି, “ମୁଁ ଭାଗ୍ୟବାନ ଯେ ଏହି ଆକ୍ରମଣ ସତ୍ତ୍ୱେ ବଞ୍ଚିଗଲି।” ଆଉ କେହି ଏଥିରେ ଆହତ ହୋଇ ନଥିଲେ।


୨୦୨୩ ସେପଟେମ୍ବର ପ୍ରଥମ ଭାଗରେ ଜଙ୍ଗଲି ବାର୍ହା ଆକ୍ରମଣରୁ ବଞ୍ଚି ଯାଇଥିଲେ ବି ଗୁରୁତର ଆହତ ହୋଇଥିଲେ ମନୋଜ ନୀଳକଣ୍ଠ ଖେରେ (ବାମ)। ଏହି ୨୦ ବର୍ଷୀୟ ଯୁବକ ଜଣକ ବଡ଼ଗାଓଁ ଗାଁରେ ଥିବା ତାଙ୍କ ବାପାଙ୍କ ଚାଷଜମିରେ କାମ କରୁଥିବା ବେଳେ ଗୋଟିଏ ବାର୍ହା ପଛରୁ ଦୌଡ଼ି ଦୌଡ଼ି ଆସି ତାଙ୍କୁ ଆଗଦାନ୍ତରେ ଭୁସି ଦେଇଥିଲା। କୃଷି ଶ୍ରମିକମାନେ ଦଳବଦ୍ଧ ଭାବରେ କାମ କରିବା ଆରମ୍ଭ କରିଛନ୍ତି (ଡାହାଣ) ଏବଂ କ୍ଷେତ ଆଡ଼କୁ ମାଡ଼ି ଆସୁଥିବା ବଣୁଆ ଜନ୍ତୁ ଉପରେ କେହି ଜଣେ ନଜର ରଖୁଛନ୍ତି
ଚାଷୀ ବାପାମାଆଙ୍କ ଏକମାତ୍ର ପୁଅ ମନୋଜ, ସୁଗଠିତ ଶରୀରର ଜଣେ ଯୁବକ। ଦୁର୍ଗମ ଅଞ୍ଚଳରେ ତାଙ୍କ ଗାଁ ବଡ଼ଗାଓଁରୁ ସାଧାରଣ ପରିବହନ ବ୍ୟବସ୍ଥାର ସୁବିଧା ନଥିବାରୁ ତାଙ୍କ ମାମୁ ତାଙ୍କୁ ନିଜ ଗାଁ ପିର୍ଲିକୁ ନେଇ ଆସିଲେ। ସେଠାରୁ ୨୭ କିଲୋମିଟର ଦୂର ଭଦ୍ରାବତୀ ସହରରେ ଥିବା ଡାକ୍ତରଖାନାକୁ ଯିବାଆସିବା କରିବା ଅପେକ୍ଷାକୃତ ସହଜ ହେଉଥିଲା।
ତାଙ୍କ ସ୍ମାର୍ଟଫୋନ୍ରେ ସେ ରଖିଥିବା ବାର୍ହା ଆକ୍ରମଣ ଦିନର ଫଟୋଗୁଡ଼ିକୁ ଦେଖାନ୍ତି। ଫଟୋଗୁଡ଼ିକରେ ତାଙ୍କର ତାଜା କ୍ଷତ ଥିଲା ଏବଂ ଏହା କେତେ ଗଭୀର ସେଥିରୁ ବୁଝି ହେଉଥିଲା।
ଚାନ୍ଦଲି ଗାଁରେ ସାମୟିକ ଭାବେ ପଶୁପାଳନ କରୁଥିବା କୁର୍ମାର ସଂପ୍ରଦାୟର (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ଜଣେ ସାମାଜିକ କର୍ମୀ ଚିନ୍ତାମନ ବାଲମୱାର କହନ୍ତି ଯେ, ଲୋକଙ୍କ ପ୍ରାଣହାନି ଏବଂ ଅକ୍ଷମତା ବ୍ୟତୀତ ଏଭଳି ଘଟଣା ଯୋଗୁଁ ଏ ଅଞ୍ଚଳର ଚାଷକାମ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ସେ କହନ୍ତି, “ଚାଷୀମାନେ କ୍ୱଚିତ୍ ରବି ଫସଲ କରନ୍ତି ଏବଂ ଶ୍ରମିକମାନେ କ୍ଷେତକୁ ଯିବାକୁ ଭୟ କରନ୍ତି।”
ବନ୍ୟପ୍ରାଣୀଙ୍କ ଅତର୍କିତ ଆକ୍ରମଣ ଏବଂ ବାଘ ଚଳପ୍ରଚଳ କାରଣରୁ ଅନେକ ଗାଁରେ ରବି ଫସଲର ବୁଣାବୁଣି କାମ ପ୍ରଭାବିତ ହୋଇଛି; କାର୍ଯ୍ୟତଃ ରାତିରେ ପହରା ଦେବା ବନ୍ଦ ହୋଇଯାଇଛି, ଏବଂ ଲୋକେ ଗାଁ ଛାଡ଼ି ଯିବାକୁ ଏବଂ ସନ୍ଧ୍ୟାରେ ବାହାରକୁ ଯା’ଆସ କରିବା ବନ୍ଦ କରିଦେଇଛନ୍ତି। ଏମିତି କି ପୂର୍ବ ଭଳି ଜରୁରୀକାଳୀନ ସ୍ଥିତିରେ ବି ସେମାନେ ବାହାରକୁ ଯାଉନାହାନ୍ତି।
ତେଣେ, କୱାଠିରେ, ଗାଁର ଜଣେ ପୁରୁଣା କୃଷି କର୍ମୀ ତଥା ସୁଧୀରଙ୍କ ମାଆ ଶଶିକଳାବାଇ ଜାଣନ୍ତି ଯେ, ସେଦିନର ସେହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ବଣୁଆ ବାର୍ହା ଆକ୍ରମଣରୁ କେତେ ଅଳ୍ପକେ ତାଙ୍କ ପୁଅର ଜୀବନ ବଞ୍ଚି ଯାଇଛି।
“ ଆଜି ମାଝା ପୋର୍ଗା ବାଚଲା ଜୀ, ” ମରାଠୀ ଭାଷାରେ ସେ ବାରମ୍ବାର କହନ୍ତି ଏବଂ ସର୍ବଶକ୍ତିମାନ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି। ସେ କହନ୍ତି, ମୋ ପିଲା ସେଦିନ ମରଣ ମୁହଁରୁ ବର୍ତ୍ତି ଗଲା। “ସେ ହିଁ ଆମର ସାହାଭରସା।” ସୁଧୀରଙ୍କ ବାପା ନାହାନ୍ତି। ବହୁ ଦିନ ଆଗରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏବେ ମାଆ ପଚାରନ୍ତି, “କ’ଣ ହେଇଥାଆନ୍ତା, ଯଦି ସେଇଟା ବାର୍ହା ନ ହୋଇ ବାଘ ହୋଇଥାଆନ୍ତା?”
ଅନୁବାଦ: ଓଡ଼ିଶାଲାଇଭ୍