ସୁନୀତା ନିଷାଦ ମନେ ପକାଇ କୁହନ୍ତି ଯେ, କିପରି ତାଙ୍କୁ କୋଭିଡ-୧୯ ମହାମାରୀ ସମୟରେ ହରିୟାଣାରୁ ଉତ୍ତର ପ୍ରଦେଶର ନିଜ ଜନ୍ମସ୍ଥାନ ମହାରାଜଗଞ୍ଜକୁ ଏକାକୀ ଯାତ୍ରା କରିବାକୁ ପଡ଼ିଥିଲା।

ସେ ସେହି ଲକ୍ଷାଧିକ ପ୍ରବାସୀଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ ଅଚାନକ ଜାତୀୟ ଲକଡାଉନ ଘୋଷଣା ପରେ ଅସ୍ଥିରତାର ସାମ୍ନା କରିବାକୁ ପଡ଼ିଥିଲା। ସେଥିପାଇଁ ସେ କେନ୍ଦ୍ର ବଜେଟ୍‌ କିମ୍ବା ଅନ୍ୟ ସ୍ଥାନରେ ଘୋଷଣା କରାଯାଇଥିବା କୌଣସି ନୂଆ ସରକାରୀ ଯୋଜନାକୁ ନେଇ ଆଗ୍ରହ ପ୍ରକାଶ ନକରିବା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ।

‘‘ଆପଣ ମୋତେ ବଜେଟ ବିଷୟରେ ପଚାରୁଛନ୍ତି,’’ ସେ ଏହି ରିପୋର୍ଟରଙ୍କୁ ପଚାରିଥିଲେ। ‘‘ଏହା ବଦଳରେ ସରକାରଙ୍କୁ ପଚାରନ୍ତୁ କରୋନା (କୋଭିଡ-୧୯) ବେଳେ ଆମକୁ ଘରକୁ ପଠାଇବା ଲାଗି ସେମାନଙ୍କ ପାଖରେ କାହିଁକି ଯଥେଷ୍ଟ ଟଙ୍କା ନଥିଲା।’’

ବର୍ତ୍ତମାନ ଏହି ୩୫ ବର୍ଷ ବୟସ୍କା ମହିଳା ଜଣଙ୍କ ହରିୟାଣାରେ କାମକୁ ଫେରିଆସିଛନ୍ତି ଏବଂ ରୋହତକର ଲାଧୋତ ଗ୍ରାମରେ ପ୍ଲାଷ୍ଟିକ ବର୍ଜ୍ୟ ଅଲଗା କରୁଛନ୍ତି । ‘‘ ମଜବୁର୍‌ ହୁଁ (ମୁଁ ଅସହାୟ)। ସେହି କାରଣରୁ ମୋତେ ଏଠାକୁ ଫେରିବାକୁ ହୋଇଥିଲା।’’

ପୁନଃଚକ୍ରଣ ଲାଗି ଫିଙ୍ଗି ଦିଆଯାଇଥିବା ଅତର ଡବାରୁ ପବନ ବାହାର କରି, ସେ କୁହନ୍ତି, ‘‘ ମେରେ ପାସ ବଡ଼ା ମୋବାଇଲ ନହିଁ ହୈ, ଛୋଟା ମୋବାଇଲ ହୈ (ମୋ ପାଖରେ ବଡ଼ ମୋବାଇଲ ନାହିଁ, କିନ୍ତୁ ଛୋଟ ମୋବାଇଲ ଅଛି)। ବଜେଟ୍‌ କ’ଣ ମୁଁ ଜାଣିବି କେମିତି?’’ ଡିଜିଟାଲକରଣ ବଢ଼ିବା ସହିତ, ସରକାରୀ ଯୋଜନାର ତ୍ୱରିତ ଉପଲବ୍ଧତା ପାଇଁ ଗୋଟିଏ ସ୍ମାର୍ଟଫୋନ ଏବଂ ଏକ ଇଣ୍ଟରନେଟ୍‌ ସଂଯୋଗର ଆବଶ୍ୟକତା ରହିଛି । କିନ୍ତୁ ଗ୍ରାମୀଣ ଭାରତରେ ଅନେକ ଲୋକଙ୍କ ପାଖରେ ଏହାର ଉପଲବ୍ଧତା ନାହିଁ।

PHOTO • Amir Malik

ରୋହତକର ଲାଧୋତ ଗ୍ରାମରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିବା କାମରେ ଲାଗିଛନ୍ତି ସୁନୀତା ନିଶାଧ

PHOTO • Amir Malik
PHOTO • Amir Malik

ହରିୟାଣା ରୋହତକରେ ଥିବା ଭୟାଁପୁର ଗ୍ରାମର ଜଣେ ମଈଁଷି ପାଳକ ହେଉଛନ୍ତି କୌଶଲ୍ୟା ଦେବୀ। କେନ୍ଦ୍ର ବଜେଟ ସମ୍ପର୍କରେ ତାଙ୍କର ବିଚାର ଜାଣିବାକୁ ଚେଷ୍ଟା କଲାରୁ, ସେ ଉତ୍ତର ଦିଅନ୍ତି, ‘ବଜେଟ୍‌? ସେଥିରେ ମୋର କ’ଣ ଯାଏ ଆସେ?’

ହରିୟାଣା ରୋହତକରେ ଥିବା ଭୟାଁପୁର ଗ୍ରାମର ଜଣେ ମଈଁଷି ପାଳକ କୌଶଲ୍ୟା ଦେବୀ (୪୫) କେନ୍ଦ୍ର ବଜେଟ୍‌ ସହ ଅନୁରୂପ ଭାବେ ଅପରିଚିତ।

‘‘ବଜେଟ୍‌? ଉସ୍‌ସେ କ୍ୟା ଲେନା-ଦେନା? (ସେଥିରେ କ’ଣ ଯାଏ ଆସେ?)। ମୁଁ ଜଣେ ସାଧାରଣ ମହିଳା ଏବଂ ଗୋବର ଘସି ତିଆରି କରେ ଓ ମଈଁଷି ପାଳିଥାଏ। ଜୟ ରାମଜୀ କି!’’ ଏତିକି କହି ସେ ଆମ ଆଲୋଚନାକୁ ବିଶ୍ରାମ ଦିଅନ୍ତି।

ଅପରପକ୍ଷରେ କୌଶଲ୍ୟା ଦେବୀ କ୍ଷୀରର କମ୍‌ ସରକାରୀ କ୍ରୟ ମୂଲ୍ୟକୁ ନେଇ ବିଶେଷ ଭାବେ ଚିନ୍ତିତ। ମଈଁଷି ଗୋବର ସଂଗ୍ରହ ଲାଗି ଥିବା ଦୁଇଟି ଓଜନିଆ ଝୁଡ଼ି ମଧ୍ୟରୁ ଗୋଟିଏକୁ ଉଠାଇ, ସେ ପରିହାସ କରି କୁହନ୍ତି, ‘‘କ୍ଷୀର ପାଇଁ ମୋତେ ଭଲ ଦାମ୍‌ ଦେଲେ ମୁଁ ଦୁଇଟି ଯାକ ଟେକିପାରିବି।’’

‘‘ଯଦି ସରକାର କ୍ଷୀରର ଉଚିତ୍‌ ମୂଲ୍ୟ ସୁଦ୍ଧା ଦେଇପାରୁନାହିଁ,’’ ସେ କୁହନ୍ତି, ‘‘ଏହାର ଅନ୍ୟ ଯୋଜନାଗୁଡ଼ିକ କେମିତି ଆମକୁ ଲାଭ ଦେବ’’

ଅନୁବାଦ : ଓଡ଼ିଶାଲାଇଭ୍‍

Amir Malik

Amir Malik is an independent journalist, and a 2022 PARI Fellow.

Other stories by Amir Malik
Editor : Swadesha Sharma

Swadesha Sharma is a researcher and Content Editor at the People's Archive of Rural India. She also works with volunteers to curate resources for the PARI Library.

Other stories by Swadesha Sharma
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE