ଗୁଜରାଟର ନଲ ସରୋବର ହ୍ରଦ ଓ ପକ୍ଷୀ ଅଭୟାରଣ୍ୟରେ ଜଣେ ପ୍ରକୃତିବାଦୀ ଏବଂ ନାବିକ ୩୭ ବର୍ଷ ବୟସ୍କ ଗନି ଶର୍ମା। ଅହମ୍ମଦାବାଦ ଜିଲ୍ଲାର ବିରାମଗାମ ତହସିଲରେ ଅବସ୍ଥିତ ଏହି ୧୨୦ ବର୍ଗ କିଲୋମିଟର ହ୍ରଦ ଅନେକ ବିଦେଶାଗତ ପକ୍ଷୀଙ୍କୁ ଆକର୍ଷିତ କରେ। ଏହି ପକ୍ଷୀମାନେ କେନ୍ଦ୍ର ଏସୀୟ ଆକାଶପଥ ଦେଇ, ଉତ୍ତର ମହାସାଗରରୁ ଭାରତୀୟ ମହାସାଗରକୁ ଆସିଥାଆନ୍ତି।
ନଲ ସରୋବରକୁ ଆସୁଥିବା ଅନେକ ପ୍ରବାସୀ ପକ୍ଷୀଙ୍କ ସମେତ “ମୁଁ ୩୫୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନି ପାରିବି,” ସେ କହନ୍ତି। “ପୂର୍ବରୁ, ଏଠାରେ ପ୍ରାୟ ୨୪୦ଟି ପ୍ରଜାତିର ପକ୍ଷୀ ଦେଖାଯାଉଥିଲେ। ଏବେ ଏହି ସଂଖ୍ୟା ୩୧୫ରୁ ଅଧିକ ହେଲାଣି।”
ଏହି ହ୍ରଦ ଏବଂ ଏହାର ଆଖପାଖ ଅଞ୍ଚଳରେ ହିଁ ପିଲାଦିନ କାଟିଛନ୍ତି ଗନି। ସେ କହନ୍ତି, “ଏହି ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ମୋ ବାପା ଓ ଜେଜେବାପା ବନ ବିଭାଗର ସହାୟତା କରିଥିଲେ। ସେ ଦୁହେଁ ବନ ବିଭାଗର ଡଙ୍ଗାଚାଳକ ଭାବେ କାମ କରିଥିଲେ ଏବଂ ଏବେ ମୁଁ ତାହା କରୁଛି। “ମୁଁ (ଯେତେବେଳେ) ୧୯୯୭ରେ ଏହି କାମ ଆରମ୍ଭ କଲି, ବେଳେବେଳେ ମୋତେ କାମ ମିଳେ ଆଉ ଅନ୍ୟ ସମୟରେ କିଛି ମିଳେନାହିଁ।”
୨୦୦୪ରେ ସ୍ଥିତି ବଦଳିଲା ଏବଂ ସେଠାରେ ପ୍ୟାଟ୍ରୋଲିଂ କରିବାକୁ ଏବଂ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ତାଙ୍କୁ ଜଣେ ନାବିକ ଭାବରେ ନିଯୁକ୍ତି ଦିଆଗଲା, “ଏବେ ମୁଁ ମାସକୁ ପ୍ରାୟ ୧୯,୦୦୦ ଟଙ୍କା ରୋଜଗାର କରୁଛି।”










