“ଏବେ ଏବେ ମୁଁ ଶୁଣିଲି ପୂର୍ବାଞ୍ଚଳର ଶାମା ପକ୍ଷୀର ଡାକ।”
ଆବେଗଭରା କଣ୍ଠରେ କହିଲେ ମିକା ରାୟ । ଏହି ପକ୍ଷୀର ଡାକକୁ ସେ ସୁମଧୁର କଳରବର ଧାରା ରୂପେ ବର୍ଣ୍ଣନା କରନ୍ତି।
କିନ୍ତୁ ତାଙ୍କ ଆବେଗରେ ଭରି ରହିଥିଲା ଏହି କଳା, ଧଳା ଓ ହଳଦିଆ ରଙ୍ଗର କ୍ଷୁଦ୍ର ପକ୍ଷଯୁକ୍ତ ପ୍ରାଣୀଟିକୁ ନେଇ ଚିନ୍ତାର ସଂକେତ। ବିଗତ ଦଶ ବର୍ଷ ହେଲା ଅରୁଣାଚଳ ପ୍ରଦେଶର ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପକ୍ଷୀମାନଙ୍କୁ ନିରୀକ୍ଷଣ କରିଆସୁଥିବା ଏହି ୩୦ ବର୍ଷୀୟ କ୍ଷେତ୍ର କର୍ମଚାରୀ ଜଣକ କହନ୍ତି, “ସାଧାରଣତଃ ଏହା (୯୦୦ ମିଟର) ତଳେ ଦେଖାଯାଆନ୍ତି, କିନ୍ତୁ କିଛି ଦିନ ହେଲା, (୨୦୦୦ ମିଟର) ଉପରେ ବି ମୁଁ ଏହାର ସ୍ୱର ଶୁଣିଆସୁଛି।”
ମିକା ଏଠାକାର ଜଣେ ବାସିନ୍ଦା ଏବଂ ବିଜ୍ଞାନୀ, ଗବେଷକ ଏବଂ କ୍ଷେତ୍ର କର୍ମଚାରୀମାନଙ୍କର ଏକ ଦଳରେ ରହିଛନ୍ତି । ସେମାନେ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଉଷ୍ମ ପାହାଡ଼ିଆ ଅଞ୍ଚଳର ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀ ପ୍ରଜାତି ସମୂହ ସଂପର୍କରେ ଗତ ୧୦ ବର୍ଷ ହେଲା ଦେଖି ଆସୁଛନ୍ତି।
ଲାଞ୍ଜରେ ଧଳା ରଙ୍ଗର ଗାର ଥିବା ଘନ ନୀଳ ଓ କଳା ରଙ୍ଗର ଏକ ପକ୍ଷୀକୁ ହାତରେ ଧରି ଡକ୍ଟର ଉମେଶ ଶ୍ରୀନିବାସନ କହନ୍ତି. “ଏହା ହେଲା ଧଳା ଲାଞ୍ଜ ଥିବା ରବିନ୍ ପକ୍ଷୀ। ଏହା ସର୍ବାଧିକ ୧୮୦୦ ମିଟର ଉଚ୍ଚତାରେ ରହିପାରନ୍ତି। ହେଲେ ଗତ ତିନି ଚାରି ବର୍ଷ ହେଲା ଏହି ପକ୍ଷୀମାନେ ୨୦୦୦ ମିଟର ଉପରେ ବି ଦେଖାଯାଉଛନ୍ତି।”
ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଏହି ଟିମ୍ର ମୁଖ୍ୟ ଶ୍ରୀନିବାସନ ଜଣେ ପକ୍ଷୀ ବିଜ୍ଞାନୀ ଏବଂ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ (ଆଇଆଇଏସସି)ର ପ୍ରଫେସର। ସେ କହନ୍ତି, “ଗତ ୧୨ ବର୍ଷ ହେଲା ହିମାଳୟ ପାର୍ବତ୍ୟାଞ୍ଚଳରେ ବସବାସ କରିଆସୁଥିବା ଏହି ପକ୍ଷୀମାନେ ସେମାନଙ୍କ ବାସସ୍ଥଳୀ ବଦଳାଇ ଭିନ୍ନ ଭିନ୍ନ ଉଚ୍ଚତାରେ ରହି ଆସୁଛନ୍ତି।”






























