ଦୁଇ ଆଣ୍ଠୁ ମଝିରେ ଗୋଟିଏ ଗାରଗାରିଆ ଲୁଙ୍ଗି ଖୋସି ଦେଇ, ୩୦ ସେକେଣ୍ଡ ଭିତରେ ୪୦ ଫୁଟ୍‌ ଉଚ୍ଚ ତାଳଗଛର ଅଧା ଯାଏ ଚଢ଼ି ପାରନ୍ତି ଅଜୟ ମାହାତୋ।

ସବୁଦିନ ସେ ଏହି କାମ ହିଁ କରନ୍ତି – ତଳକୁ ଚାହିଁଲେ ମୁଣ୍ଡ ଘୂରାଇ ଦେବା ଭଳି ଉଚ୍ଚତାର ତାଳଗଛ ଉପରକୁ ଚଢ଼ି ପତ୍ର ସନ୍ଧିରେ ବାହାରିଥିବା ଫୁଲକେଣ୍ଡାରୁ ତାଡ଼ି ସଂଗ୍ରହ କରନ୍ତି।

ବିହାରର ସମସ୍ତିପୁର ଜିଲ୍ଲାରେ, ମେ ମାସର ଏକ ଖରାଟିଆ ସକାଳେ ଗଛ ଚଢ଼ିବାକୁ ସଜ ହେଉଥିଲେ ଏହି ୨୭ ବର୍ଷୀୟ ତାଡ଼ି ସଂଗ୍ରହକାରୀ। “ ଅବ୍‌ ତୋ ତାର୍‌ କେ ପେଡ୍‌ ଜୈସନ୍‌ ଶକ୍କତ ହୋ ଗଲୈହାନ୍‌ କାଣ୍ଟା ଭି ନୈ ଭୋକଇତୈ (ଏବେ ତ ଏଗୁଡ଼ାକ ତାଳଗଛ ଭଳି ଟାଣ ହୋଇଗଲେଣି। ଏମିତି କି କଣ୍ଟା ବି ଏଥିରେ ଫୁଟିବନି),” ତାଙ୍କ ଦୁଇ ହାତର ବିଣ୍ଡିକୁ ଦେଖାଇ ଅଜୟ କହନ୍ତି।

ଦୁଇ ହାତର ଆଙ୍ଗୁଠିକୁ ଛନ୍ଦି କେମିତି ଗଛର ଗଣ୍ଡି ଚାରିପଟେ ଘେରାଇବାକୁ ହୁଏ, ତାହା ଦେଖାଇ ଅଜୟ କହନ୍ତି, “ଗଛ ଚଢ଼ିବା ବେଳେ ହାତ ମୁଠାକୁ ଟାଣ କରି ଗଛକୁ ଧରିବା ଦରକାର। ଗଛର ଗଣ୍ଡିକୁ ଦୁଇ ହାତରେ ଓ ଦୁଇ ଗୋଡ଼ରେ ଘେରା କରି ଧରିବାକୁ ହୁଏ।” ସରୁ ଏବଂ ଖଦଖଦଡ଼ିଆ ତାଳ ଗଛ ଚଢ଼ିବାର ଏହି କଠିନ କାମ ଯୋଗୁଁ ତାଙ୍କ ଛାତି, ଦୁଇ ହାତ ଓ ଦୁଇ ଗୋଡ଼ର ଗୋଇଠି ପାଖରେ କଳାଦାଗ ପଡ଼ିଯାଇଛି।

‘‘ ୧୫ ସାଲ କେ ରହିୟା ତାହିୟେ ସେ ଷ୍ଟାର୍ଟ କା ଦେ ଲିୟେ ରା (ମୋତେ ୧୫ ବର୍ଷ ହୋଇଥିବା ବେଳରୁ ମୁଁ ଗଛ ଚଢ଼ିବା ଆରମ୍ଭ କରିଥିଲି),” ବୋଲି କହନ୍ତି ଏହି ତାଡ଼ି ସଂଗ୍ରହକାରୀ ଜଣକ। ଆଜିକୁ ୧୨ ବର୍ଷ ହେଲା ସେ ଏହା କରିଆସୁଛନ୍ତି।

ରସୁଲପୁର ଗାଁର ଅଜୟ ପାସି ସଂପ୍ରଦାୟର ଏବଂ ପାରମ୍ପରିକ ଭାବେ ସେମାନେ ତାଡ଼ି ସଂଗ୍ରହ କରନ୍ତି। ଅଜୟଙ୍କ ପରିବାର ଲୋକେ ଅତି କମ୍‌ରେ ତିନି ପିଢ଼ି ଧରି ଏହା କରିଆସୁଛନ୍ତି।

Ajay climbing a palm tree with a pakasi – a black leather or rexine strap, stretched between his feet. He demonstrates (right) how he grabs the trunk of the tree with his fingers intertwined
PHOTO • Umesh Kumar Ray
Ajay climbing a palm tree with a pakasi – a black leather or rexine strap, stretched between his feet. He demonstrates (right) how he grabs the trunk of the tree with his fingers intertwined
PHOTO • Umesh Kumar Ray

ଅଜୟ ଏକ ପାକସି- ଦୁଇ ପାଦ ମଝିରେ ଲାଗୁଥିବା ଚମଡ଼ା କିମ୍ବା ରେକ୍‌ସିନର ଏକ ଚଉଡ଼ା ଫିତା- ସହାୟତାରେ ତାଳଗଛ ଚଢୁଛନ୍ତି। ସେ ଦେଖାଇ ଦିଅନ୍ତି (ଡାହାଣ) ଯେ କେମିତି ସେ ଦୁଇ ହାତର ଆଙ୍ଗୁଠିକୁ ଛନ୍ଦି ଗଛର ଗଣ୍ଡିକୁ କୁଣ୍ଢାଇ ଧରନ୍ତି

Years of climbing the rugged trunk of palm trees have left dark calluses on his hands and feet
PHOTO • Umesh Kumar Ray
Years of climbing the rugged trunk of palm trees have left dark calluses on his hands and feet.
PHOTO • Umesh Kumar Ray

ବର୍ଷ ବର୍ଷ ଧରି ତାଳଗଛର କର୍କଶ ଗଣ୍ଡିରେ ଚଢ଼ିବା ଫଳରେ ତାଙ୍କ ହାତ ଓ ଗୋଡ଼ରେ ବିଣ୍ଡି ପଡ଼ିଯାଇଛି

ବିଗତ ଦିନର କଥା ମନେ ପକାଇ ସେ କହନ୍ତି, “ପ୍ରଥମେ ପ୍ରଥମେ ମୁଁ ଗଛର ଅଧା ଯାଏ ଚଢ଼ି ଓହ୍ଲାଇ ଆସୁଥିଲି।” ଯୁବାବସ୍ଥାରେ ତାଙ୍କ ବାପା ତାଙ୍କୁ ଗଛଚଢ଼ା କୌଶଳ ଶିଖିବାକୁ ଉତ୍ସାହିତ କରୁଥିଲେ। “ତାଳଗଛର ସବା ଉପରକୁ ଯାଇ ତଳକୁ ଦେଖିଲେ, ମୋତେ ଲାଗୁଥିଲା ଯେମିତି କି ମୋ ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯିବ।”

ତାଳଗଛର ଗଣ୍ଡିକୁ ଜାବୁଡ଼ି ଧରି ତଳଉପର ହେବା ବେଳେ ତାଙ୍କ ସଶକ୍ତ ପେଶୀବହୁଳ ଶରୀରର ବିଭିନ୍ନ ଭାଗ ଗଛରେ ଘଷି ହେବା ଯୋଗୁଁ ହୋଇଥିବା କ୍ଷତଚିହ୍ନ ସଂପର୍କରେ ସେ କହନ୍ତି, “ପ୍ରଥମ ଥର ପାଇଁ ଯେବେ ମୁଁ ତାଳଗଛ ଚଢ଼ିଲି, ମୋ ହାତ ଓ ଗୋଡ଼ରୁ ରକ୍ତ ଝରିଲା। ଶରୀରର ଏହି ସବୁ ଭାଗରେ ଥିବା ଚମଡ଼ା ଧୀରେ ଧୀରେ ଟାଣ ହୋଇଗଲା।”

ଅଜୟ ପ୍ରତିଦିନ ସକାଳେ ହାରାହାରି ପାଞ୍ଚଟି ଏବଂ ସନ୍ଧ୍ୟାରେ ପାଞ୍ଚଟି ତାଳଗଛରେ ଚଢ଼ନ୍ତି ଏବଂ ଅପରାହ୍‌ଣର ତାତିକୁ ଏଡ଼ାଇ ଯିବା ପାଇଁ ମଧ୍ୟାହ୍ନ ପାଖାପାଖି କାମରୁ ବିରତି ନିଅନ୍ତି। ସେ ରସୁଲପୁରର ଜଣେ ଜମି ମାଲିକଙ୍କ ପାଖରୁ ୧୦ଟି ଗଛ ଲିଜ୍‌ରେ ନେଇଛନ୍ତି ଏବଂ ଏ ବାବଦରେ ପ୍ରତି ଗଛ ପିଛା ବର୍ଷକୁ ୫୦୦ ଟଙ୍କା କିମ୍ବା ସମାନ ମୂଲ୍ୟର ତାଳ ତାଡ଼ି ଦେଇଥାଆନ୍ତି।

ବୈଶାଖ (ଏପ୍ରିଲ-ଜୁନ୍‌) ମେଁ ଏଗୋ ତାଡ ସେ ୧୦ ବଟଲ ତାଡ଼ି ନିକଲାଇଛୈ ଓକ୍‌ରା ବାଦ୍‌ କ ମ୍‌ ହୋଇ ଲଗଇ ଛୈ (ବୈଶାଖ ସମୟରେ ଗୋଟିଏ ଗଛରୁ ୧୦ ବୋତଲ ତାଡ଼ି ବାହାରିଥାଏ। ଏହି ପ୍ରକୃଷ୍ଟ ସମୟ ପରେ ତାଡ଼ି ବାହାରିବା କମିବାରେ ଲାଗେ),” ବୋଲି କହନ୍ତି ଏହି ତାଡ଼ି ସଂଗ୍ରହକାରୀ

ତାଳଗଛରୁ ବାହାରୁଥିବା ଏହି ଫେଣଯୁକ୍ତ ରସର ପ୍ରକ୍ରିୟାକରଣ କରି ଗୁଡ଼ କରାଯାଏ କିମ୍ବା ଏହାକୁ ଆମ୍ବିଳି ବା ଅମ୍ଳଯୁକ୍ତ କରି ତାଡ଼ି ନାମକ ପାନୀୟରେ ପରିଣତ କରାଯାଏ। ଅଜୟ କହନ୍ତି, “ଆମେ ଏହି ରସକୁ ବୋତଲ ପିଛା ୧୦ ଟଙ୍କା ଦରରେ ଜଣେ ପଇକାର (ପାଇକାରୀ ବିକ୍ରେତା)ଙ୍କୁ ବିକି ଦେଉ।” ପ୍ରତି ବୋତଲରେ ପ୍ରାୟ ୭୫୦ ମିଲିଲିଟର ରସ ଥାଏ। ବୈଶାଖ ମାସରେ ଅଜୟ ଦିନକୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି। କିନ୍ତୁ ପରବର୍ତ୍ତୀ ନଅ ମାସରେ ତାଙ୍କ ରୋଜଗାର ଅତି ମାତ୍ରାରେ - ପ୍ରାୟ ୬୦ରୁ ୭୦ ପ୍ରତିଶତ- କମି ଯାଏ।

ଅଜୟ ସକାଳେ ପାଞ୍ଚଟି ଏବଂ ସନ୍ଧ୍ୟାରେ ପାଞ୍ଚଟି ତାଳଗଛରେ ଚଢ଼ନ୍ତି ଏବଂ ଅପରାହ୍‌ଣର ତାତିରୁ ରକ୍ଷା ପାଇବା ପାଇଁ ମଧ୍ୟାହ୍ନ ପାଖାପାଖି କାମରୁ ବିରତି ନିଅନ୍ତି

ଭିଡିଓ ଦେଖନ୍ତୁ: ଜଣେ ତାଡ଼ି ସଂଗ୍ରାହକଙ୍କ ଦିନକର କାମ

ବିକ୍ରିବଟା ନଥିବା ଋତୁରେ, ଅଜୟ ତାଙ୍କର ସ୍ଥାନୀୟ ଗ୍ରାହକମାନଙ୍କୁ ନିଜ ଘରୁ ସିଧାସଳଖ ବୋତଲ ପିଛା ୨୦ ଟଙ୍କା ଦରରେ ଏହି ତାଳରସ ବିକ୍ରି କରନ୍ତି। ଏହି କାମରୁ ସେ କରୁଥିବା ରୋଜଗାର ଉପରେ ତାଙ୍କ ସ୍ତ୍ରୀ ଓ ତିନି ପିଲା ନିର୍ଭର କରନ୍ତି।

କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ପଳାଇ ଯାଉଥିବା ପୁରୁଷମାନଙ୍କ ସଂଖ୍ୟା ଦୃଷ୍ଟିରୁ ସମସ୍ତିପୁର ଭାରତର ଅନ୍ୟତମ ଅଗ୍ରଣୀ ଜିଲ୍ଲା। ହେଲେ ଅଜୟ ତାଙ୍କ ଅଞ୍ଚଳରେ ପ୍ରଚଳିତ ଧାରା ବିରୋଧରେ ଯାଇ ସମସ୍ତିପୁରରେ ରହି ତାଡ଼ି ସଂଗ୍ରହ କରିବାକୁ ପସନ୍ଦ କରନ୍ତି।

*****

ଗଛରେ ଚଢ଼ିବା ପୂର୍ବରୁ ଅଜୟ ତାଙ୍କ ଅଣ୍ଟାରେ ଦରବାସ (ନାଇଲନ୍‌ ବେଲ୍‌ଟ) ଗୁଡ଼ାଇ ଭଲ ଭାବରେ ବାନ୍ଧି ନିଅନ୍ତି। ଏହି ଦରବାସ ରୁ ଗୋଟିଏ ଲୁହାର ଅକୁରା (ହୁକ୍‌) ଏବଂ ତା ସହିତ ପ୍ଲାଷ୍ଟିକ୍‌ ଜାର ଏବଂ ଗୋଟିଏ ହଂସୁଆ (ଦାଆ) ଝୁଲୁଥାଏ। ଏ ସଂପର୍କରେ ବୁଝାଇ ଦେବାକୁ ଯାଇ ଅଜୟ କହନ୍ତି, “ଏହି ଦରବାସ କୁ ଏମିତି ସୁରକ୍ଷିତ ଭାବରେ ବାନ୍ଧିବାକୁ ହେବ ଯେମିତି କି ୧୦ ଲିଟର ତାଳରସ ଝୁଲିଲେ ବି ଏହା ମୋଡ଼ି ହୋଇ ହଲିଯିବ ନାହିଁ।”

ସେ ଗୋଟିଏ ତାଳଗଛରେ ଅତି କମ୍‌ରେ ୪୦ ଫୁଟ ଉଚ୍ଚକୁ ଚଢ଼ିଗଲା ପରେ ସେଠାରୁ ଗଛ ଗଣ୍ଡିର ବାକି ଅଧା ମସୃଣ ହୋଇଯାଇଥାଏ ଏବଂ ସେତେବେଳେ ମୁଁ ଦେଖେ ଯେ, ସେ ତାଙ୍କ ଦୁଇ ପାଦ ମଝିରେ ବନ୍ଧା ହୋଇଥିବା ଚମଡ଼ା କିମ୍ବା ରେକ୍‌ସିନର ଚଉଡ଼ା ଫିତା ବା ପକସି ର ଫାନ୍ଦକୁ ଟାଣି ଗଛ ଗଣ୍ଡିକୁ ସେ ଜୋରରେ ଧରି ରଖୁଛନ୍ତି।

ପୂର୍ବ ଦିନ ସନ୍ଧ୍ୟାରେ, ଅଜୟ ଗଛ ଉପରକୁ ଚଢ଼ି ଗଛ ଅଗରେ ଥିବା ତାଳ କେଣ୍ଡାକୁ କାଟି ଗୋଟିଏ ଖାଲି ଲବନି (ମାଠିଆ) ଲଗାଇ ସାରିଥିଲେ। ବାର ଘଣ୍ଟା ପରେ ଅଜୟ ପୁଣି ସେହି ଗଛ ଉପରକୁ ଚଢ଼ନ୍ତି ଏବଂ ଲବନି ରେ ଜମା ହୋଇଥିବା ମୋଟାମୋଟି ପାଞ୍ଚ ଲିଟର ତାଳରସକୁ ବାହାର କରି ଆଣନ୍ତି। ପରେ ସେ ମୋତେ କହନ୍ତି ଯେ, ମହୁମାଛି, ପିମ୍ପୁଡ଼ି ଏବଂ ବିରୁଡ଼ିଙ୍କୁ ଦୂରେଇ ରଖିବା ଲାଗି ଏହି ପାତ୍ରର ତଳ ଭାଗରେ କୀଟନାଶକ ଔଷଧର ଲେପ ଦିଆଯାଇଥାଏ।

Left: Preparing to climb, Ajay ties a darbas (a belt-like strip) very tightly around his waist. " The darbas has to be tied so securely that even with 10 litres of sap it won’t budge,” he explains.
PHOTO • Umesh Kumar Ray
Right: Climbing a palm tree in Rasulpur, Samastipur distirct
PHOTO • Umesh Kumar Ray

ବାମ: ଗଛ ଚଢ଼ିବାକୁ ପ୍ରସ୍ତୁତି, ଅଜୟ ତାଙ୍କ ଅଣ୍ଟାରେ ଏକ  ଦରବାସ (ବେଲ୍‌ଟ ଭଳି ଫିତା) ଜୋରରେ ବାନ୍ଧନ୍ତି। ସେ କହନ୍ତି, 'ଏହି ଦରବାସକୁ ଏଭଳି ଭାବରେ ବାନ୍ଧିବାକୁ ହେବ ଯେମିତି କି ୧୦ ଲିଟର ତାଳରସ ରହିଲେ ବି ଏହା ହଲିଯିବ ନାହିଁ।' ଡାହାଣ: ସମସ୍ତିପୁର ଜିଲ୍ଲାର ରସୁଲପୁରରେ ଏକ ତାଳଗଛ ଚଢ଼ିବା ସମୟରେ

Left: Ajay extracting sap from the topmost fronds of the palm tree.
PHOTO • Umesh Kumar Ray
Right: He descends with the sap he has collected in a plastic jar . During the peak season, a single palm tree yields more than 10 bottles of sap
PHOTO • Umesh Kumar Ray

ବାମ: ଅଜୟ ତାଳଗଛର ସବୁଠୁ ଉପର କେଣ୍ଡାରୁ ରସ ବାହାର କରୁଛନ୍ତି। ଡାହାଣ: ପ୍ଲାଷ୍ଟିକ୍‌ ଜାରରେ ସେହି ସଂଗୃହୀତ ରସକୁ ଧରି ସେ ଗଛରୁ ଓହ୍ଲାଇ ଆସନ୍ତି। ଅନୁକୂଳ ଋତୁରେ ଗୋଟିଏ ଗୋଟିଏ ତାଳଗଛରୁ ୧୦ ବୋତଲରୁ ଅଧିକ ଲେଖାଏଁ ରସ ବାହାରି ଥାଏ

ତାଳଗଛର ସବୁଠାରୁ ଉଚ୍ଚ ବାହୁଙ୍ଗା ଉପରେ ବିପଜ୍ଜନକ ଅବସ୍ଥାରେ ବସି ଅଜୟ ତାଳ କଢ଼ ବାହାରୁଥିବା ସ୍ଥାନକୁ ଦାଆରେ କାଟି ଦିଅନ୍ତି। ସେଠାରେ ଖାଲି ଲବନି କୁ ବାନ୍ଧି ଦେଇ ସେ ଓହ୍ଲାଇ ଆସନ୍ତି। ଏହି ପୂରା କାମ ସାରିବା ଲାଗି ତାଙ୍କୁ ୧୦ ମିନିଟ୍‌ ଲାଗିଥାଏ।

ସମୟକ୍ରମେ ତାଳରସ ବହଳିଆ ଏବଂ ଖଟା ହୋଇଯାଏ। ତେଣୁ ଅଜୟ ମୋତେ ପରାମର୍ଶ ଦେଇ କହନ୍ତି, “ ତାଡ କେ ତାଡ଼ି କୋ ପେଡ୍‌ କେ ପାସ୍‌ ହି ପି ଜାନା ଚାହିୟେ, ତବ୍‌ ହି ଫାୟଦା ହୋତା ହୈ (ଯେଉଁ ତାଳଗଛରୁ ତାଡ଼ି ବାହାର କରାଯାଏ ସେହି ଗଛ ପାଖରେ ହିଁ ତାକୁ ପିଇଦେବା କଥା। ତେବେ ଯାଇ ଏହାର ଫାଇଦା ମିଳିଥାଏ।”

ତାଡ଼ି ସଂଗ୍ରହ ଏକ ବିପଜ୍ଜନକ ଜୀବିକା – ସାମାନ୍ୟ ଭାରସାମ୍ୟ ହରାଇଲେ ଗଛରୁ ପଡ଼ିଯିବାର ଆଶଙ୍କା ଥାଏ ଏବଂ ଏହା ପ୍ରାଣଘାତକ ହୋଇପାରେ କିମ୍ବା ସବୁଦିନ ପାଇଁ ଅକ୍ଷମ କରିଦେଇପାରେ।

ଗତ ମାର୍ଚ୍ଚ ମାସରେ ଅଜୟ ଆହତ ହୋଇଥିଲେ। “ମୋ ହାତ ତାଳଗଛର ଗଣ୍ଡିରୁ ଖସିଗଲା ଏବଂ ମୁଁ ତଳେ ପଡ଼ିଗଲି। ମୋ କଚଟିରେ ଆଘାତ ଲାଗିଲା।” ତା’ପରେ ତାଙ୍କୁ ପ୍ରାୟ ମାସେ କାଳ ଗଛ ଚଢ଼ିବା ବନ୍ଦ କରିବାକୁ ପଡ଼ିଲା। ଏହା ପୂର୍ବରୁ ଏ ବର୍ଷ ତାଡ଼ି ସଂଗ୍ରହ କରୁଥିବା ତାଙ୍କର ଜଣେ ସଂପର୍କୀୟ ଭାଇ ତାଳଗଛରୁ ଖସି ପଡ଼ିଥିଲେ ଏବଂ ତାଙ୍କର ଅଣ୍ଟା ଓ ଗୋଡ଼ର ହାଡ଼ ଭାଙ୍ଗି ଯାଇଥିଲା।

ଅଜୟ ଆଉ ଗୋଟିଏ ତାଳଗଛରେ ଚଢ଼ନ୍ତି ଏବଂ କେତେକ ଫଳ ତଳକୁ ଫିଙ୍ଗି ଦିଅନ୍ତି - ତାଳସଜ। ସେ ଦାଆରେ ଏହାର ବାହାର ପଟ ମୋଟା ଚୋପା ଛଡ଼ାଇ ଦିଅନ୍ତି ଏବଂ ତା ଭିତରେ ଥିବା ମାଂସଳ ଫଳକୁ ମୋତେ ଦିଅନ୍ତି।

ଲିଜିୟେ, ତାଜା-ତାଜା ଫଲ ଖାଇୟେ ସହର ମେଁ ତୋ ୧୫ ରୁପୟେ ମେଁ ଏକ ଆଁଖ ମିଲତା ହୋଗା (ଏଇ ନିଅନ୍ତୁ, କିଛି ତଟକା ଫଳ ଖାଇ ଦିଅନ୍ତୁ। ସହରରେ ତ ଏହାର ଗୋଟିଏ କୋଲା ୧୫ ଟଙ୍କାରେ ବିକ୍ରି ହେଉଥିବ),” ଅଳ୍ପ ହସି ସେ କହନ୍ତି।

Ajay will transfer the fresh toddy which has a lather of white foam to a bigger plastic jar fixed to his bicycle
PHOTO • Umesh Kumar Ray
Ajay will transfer the fresh toddy which has a lather of white foam to a bigger plastic jar fixed to his bicycle.
PHOTO • Umesh Kumar Ray

ତାଜା ସଂଗୃହୀତ ଧଳା ଧଳା ଫେଣର ଆସ୍ତରଣ ଥିବା ତାଡ଼ିକୁ ଅଜୟ ତାଙ୍କ ସାଇକେଲରେ ଲାଗିଥିବା ବଡ଼ ପ୍ଲାଷ୍ଟିକ୍‌ ଜାରରେ ରଖିଦିଅନ୍ତି

Left: Ajay sharpening the sickle with which he carves incisions. Right: Before his morning shift ends and the afternoon sun is glaring, Ajay will have climbed close to five palm trees
PHOTO • Umesh Kumar Ray
Left: Ajay sharpening the sickle with which he carves incisions. Right: Before his morning shift ends and the afternoon sun is glaring, Ajay will have climbed close to five palm trees
PHOTO • Umesh Kumar Ray

ବାମ : ଅଜୟ ତାଙ୍କ ଦାଆରେ ଧାର ଦେଉଛନ୍ତି ଏଥିରେ ସେ ଗଛ ଅଗର କେଣ୍ଡାକୁ କାଟି ଦିଅନ୍ତି ଡାହାଣ : ସକାଳର କାମ ସମୟ ସରିବା ପୂର୍ବରୁ ଏବଂ ଅପରାହ୍‌ଣରେ ସୂର୍ଯ୍ୟଙ୍କ ତାତି ବଢ଼ିବା ପୂର୍ବରୁ ଅଜୟ ପାଖାପାଖି ପାଞ୍ଚଟି ତାଳଗଛ ଚଢ଼ି ସାରିଥାଆନ୍ତି

କିଛି ଦିନ ପାଇଁ ଅଜୟ ସହରରେ ରହିଥିଲେ – ତାଙ୍କ ରହଣିରୁ କିଛି ଲାଭ ମିଳିଲାନି ବୋଲି ସେ କହନ୍ତି। ବିଭିନ୍ନ ନିର୍ମାଣସ୍ଥଳରେ ଶ୍ରମିକ ରୂପେ କାମ କରିବା ଲାଗି କିଛି ବର୍ଷ ତଳେ ସେ ଦିଲ୍ଲୀ ଏବଂ ସୁରତକୁ ଯାଇଥିଲେ। ସେଥିରୁ ସେ ଦିନକୁ ୨୦୦ରୁ ୨୫୦ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ, ସେ କହନ୍ତି, “ମୋତେ ସେଠାରେ କାମ କରିବାକୁ ଭଲ ଲାଗିଲାନି। ରୋଜଗାର ବି କମ୍‌ ହେଉଥିଲା।”

ଏବେ ସେ ତାଡ଼ି ସଂଗ୍ରହ କରି ଯାହା ରୋଜଗାର କରୁଛନ୍ତି ସେଥିରେ ସନ୍ତୁଷ୍ଟ ଅଛନ୍ତି।

ତାଡ଼ି ସଂଗ୍ରହ କାମରେ ପୋଲିସ ଚଢ଼ାଉ କରିବାର ଆଶଙ୍କା ରହିଥିଲେ ସୁଦ୍ଧା ସେ ସନ୍ତୁଷ୍ଟ। ବିହାର ମଦ୍ୟ ନିଷେଧ ଏବଂ ଅବକାରୀ ଆଇନ, ୨୦୧୬ ଅନୁସାରେ, ଅମ୍ଳୀକୃତ ତାଡ଼ି ସମେତ ମଦ ଓ ନିଶାଯୁକ୍ତ ଦ୍ରବ୍ୟ “ପ୍ରସ୍ତୁତି, ବୋତଲରେ ରଖିବା, ବିତରଣ, ପରିବହନ, ସଂଗ୍ରହ, ଗଚ୍ଛିତ କରି ରଖିବା, ମାଲିକାନାରେ ରଖିବା, କିଣିବା, ବିକିବା କିମ୍ବା ପିଇବା”କୁ କାହାରିକୁ ଅନୁମତି ଦିଆଯାଇନାହିଁ। ବିହାର ପୋଲିସ ଏ ପର୍ଯ୍ୟନ୍ତ ରସୁଲପୁର ଗାଁରେ ଚଢ଼ାଉ କରିନାହାନ୍ତି ସତ, ହେଲେ ଅଜୟ କହନ୍ତି, “ପୋଲିସ ଏ ପର୍ଯ୍ୟନ୍ତ ଏଠାକୁ ଆସିନାହିଁ ବୋଲି ସେମାନେ ଯେ ଆଦୌ ଏଠାକୁ ଆସିବେ ନାହିଁ ବୋଲି ଭାବିବା ଠିକ୍‌ ନୁହେଁ।”

ତାଙ୍କ ଭୟର କାରଣ ହେଲା ଯେ, ପୋଲିସ ସେମାନଙ୍କୁ ମିଛ ମାମଲାରେ ଫସାଇ ଦେଉଛି ବୋଲି ଅନେକ ଲୋକ ଅଭିଯୋଗ କରନ୍ତି। ସେ କହନ୍ତି, ପୋଲିସ, “ଯେ କୌଣସି ସମୟରେ ଏଠାକୁ ଆସିପାରେ।”

ଅଜୟ ସେ ସବୁ ବିପଦ ଆଶଙ୍କାକୁ ଗ୍ରହଣ କରିନେବାକୁ ପ୍ରସ୍ତୁତ। ହାତପାପୁଲିରେ ଖଇନି (ତମାଖୁ) ରଗଡ଼ି ରଗଡ଼ି ସେ କହନ୍ତି, “ଏଠି, ରସୁଲପୁରରେ, ମୁଁ ମୋ ପରିବାର ସହିତ ରହିପାରୁଛି।”

ଫଟ୍ଟା (ବାଉଁଶ ବାଡ଼ି)ରେ ମାଟି ଲଗାଇ ତା ଉପରେ ତାଙ୍କ ଦାଆକୁ ଧାର ଦିଅନ୍ତି ଅଜୟ। ତାଙ୍କ ହାତ ହତିଆରକୁ ସଜ କରିନେଇ ଆଉ ଗୋଟିଏ ତାଳଗଛ ଆଡ଼କୁ ଆଗେଇ ଯାଆନ୍ତି ସେ।

ବିହାରର ନିଷ୍ପେଷିତ ଲୋକଙ୍କ ସଂଘର୍ଷର ପୁରୋଭାଗରେ ରହିଆସିଥିବା ରାଜ୍ୟର ଜଣେ ଶ୍ରମିକ ନେତାଙ୍କ ସ୍ମୃତିରେ ପ୍ରଦତ୍ତ ଏକ ଫେଲୋସିପ୍‌ ସହାୟତାରେ ଏହି ଲେଖା ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Umesh Kumar Ray

Umesh Kumar Ray is a PARI Fellow (2022). A freelance journalist, he is based in Bihar and covers marginalised communities.

Other stories by Umesh Kumar Ray
Editor : Dipanjali Singh

Dipanjali Singh is an Assistant Editor at the People's Archive of Rural India. She also researches and curates documents for the PARI Library.

Other stories by Dipanjali Singh
Video Editor : Shreya Katyayini

Shreya Katyayini is a filmmaker and Senior Video Editor at the People's Archive of Rural India. She also illustrates for PARI.

Other stories by Shreya Katyayini
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE