‘‘ଆପଣମାନେ ଆଲୋକରେ ଜନ୍ମ ନେଇଛନ୍ତି ଏବଂ ଆମେ ଅନ୍ଧାରରେ ଜନ୍ମ ନେଇଛୁ,’’ ନନ୍ଦରାମ ଜାମୁନକର ତାଙ୍କ ମାଟି ଘର ବାହାରେ ବସି କୁହନ୍ତି । ଆମେ ଅମରାବତୀ ଜିଲ୍ଲାର ଖଡ଼ିମାଲ ଗ୍ରାମରେ ଅଛୁ ଯେଉଁଠି ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମତଦାନ ହେବ । ନନ୍ଦରାମ ଯେଉଁ ଅନ୍ଧକାର ବିଷୟରେ କହୁଛନ୍ତି ତାହା ଏକ ନିଷ୍ଠୁର ବାସ୍ତବତା; ମହାରାଷ୍ଟ୍ରର ଏହି ଆଦିବାସୀ ଗାଁ କେବେ ହେଲେ ବିଜୁଳି ଆଲୁଅ ଦେଖିନାହିଁ ।
‘‘ପ୍ରତି ପାଞ୍ଚ ବର୍ଷରେ ଥରେ, କେହି ଜଣେ ଆସିଥାଏ ଏବଂ ବିଦ୍ୟୁତ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥାଏ। କିନ୍ତୁ କେବଳ ବିଦ୍ୟୁତ କଥା ଛାଡ଼ନ୍ତୁ, ସେମାନଙ୍କର ଆଉ କେବେ ଦେଖା ମିଳିନଥାଏ,’’ ଏହି ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ କହିଥାନ୍ତି। ବର୍ତ୍ତମାନର ସାଂସଦ ତଥା ସ୍ୱାଧୀନ ପ୍ରାର୍ଥୀ ନବନୀତ୍ କୌର ରାଣା ୨୦୧୯ରେ ଶିବସେନା ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦରାଓ ଅଦସୁଲ୍ଙ୍କୁ ପରାସ୍ତ କରି ଏଠାରୁ ବିଜୟୀ ହୋଇଥିଲେ। ଚଳିତ ବର୍ଷ ସେ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଭାବେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଚିଖଲଦରା ତାଲୁକାରେ ଥିବା ଏହି ଗାଁରେ ୧୯୮ ପରିବାର (୨୦୧୧ ଜନଗଣନା) ରୁହନ୍ତି, ସେମାନେ ମୁଖ୍ୟତଃ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଉପରେ ନିର୍ଭରଶୀଳ। ଗାଁର କିଛି ଲୋକଙ୍କ ପାଖରେ ଜମି ମାଲିକାନା ରହିଛି ଯେଉଁଥିରେ ସେମାନେ ମୁଖ୍ୟତଃ ବର୍ଷା ଆଧାରିତ ଫସଲ ମକା ଚାଷ କରିଥାନ୍ତି। ଅନୁସୂଚିତ ଜନଜାତି (ଏସଟି) ବହୁଳ ଖଡ଼ିମଲ ଗାଁକୁ ବର୍ତ୍ତମାନ ସୁଦ୍ଧା ଜଳଯୋଗାଣ ଓ ବିଦ୍ୟୁତ ସଂଯୋଗ ଭଳି ସୁବିଧା ପହଞ୍ଚି ପାରିନାହିଁ। କୋର୍କୁ ଆଦିବାସୀ ସମ୍ପ୍ରଦାୟର ନନ୍ଦରାମ କୋର୍କୁ ଭାଷାରେ କଥା ହୁଅନ୍ତି, ଯାହାକୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୨୦୧୯ରେ ଲୁପ୍ତପ୍ରାୟ ଭାଷା ମାନ୍ୟତା ପ୍ରଦାନ କରାଯାଇଛି।








