html ‘୧୪,୦୦୦ ଟଙ୍କା ଛାଡ କରିବାକୁ ମୁଁ ତାଙ୍କ ପାଖରେ ଅନୁନୟ ହୋଇ କହିଲି...’

ବଳିରାମ କାଡପେ ମହାରାଷ୍ଟ୍ର ସରକାରଙ୍କ ଜଣେ ସମାଲୋଚକ । “ କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ମିଳୁନାହିଁ (ସେମାନଙ୍କ ଶସ୍ୟ , ରାଜ୍ୟଠାରୁ), ବୋଲି ସେ ଚିନ୍ତିତ ଅଛନ୍ତି। “ଓ ଫସଲ ପାଇଁ ଋଣ କରିବା ସେମାନଙ୍କ ପକ୍ଷେ ଅତି କଷ୍ଟଦାୟକ ହେଉଛି ।’’ କାଡପେ ବିଶ୍ୱାସ କରନ୍ତି ଯେ ଯଦି ରାଜ୍ୟ କୃଷକମାନଙ୍କ ପାଇଁ ଏକ ବଳିଷ୍ଠ ଋଣ ପଦ୍ଧତିର ବ୍ୟବସ୍ଥା କରିବ, ତେବେ ସେମାନଙ୍କୁ ଆଉ ସାହୁକାରମାନଙ୍କ ପାଖକୁ ଯିବାକୁ ପଡିବ ନାହିଁ ( ବେସରକାରୀ ଋଣଦାତା) ଓ “ଏହା ଦ୍ୱାରା କୃଷକମାନଙ୍କୁ ଆଉ ଆତ୍ମହତ୍ୟା କରିବାକୁ ପଡିବନାହିଁ ।’’

ତାଙ୍କର ତର୍କ ଯୁକ୍ତିଯୁକ୍ତ ଅଟେ, କିନ୍ତୁ ଏଠାରେ ଏକ ସମସ୍ୟା ରହିଛି । ନିଜେ ଜଣେ ସାହୁକାର  ହୋଇଥିବାରୁ କାଡପେଙ୍କ ଉପରେ ମଧ୍ୟ ଦୋଷାରୋପ କରାଯାଏ । ଗତ ୨୫ ବର୍ଷ ଧରି, ମରାଠୱାଡାର ଜଲ୍‌ନା ଜିଲ୍ଲାର ଆସ୍ଥି ଟାଉନ୍‌ରେ ରହୁଥିବା କାଡପେ, ୪୨, ଆର୍ଥିକ ସହାୟତା ପାଇଁ ତାଙ୍କ ପାଖକୁ ଆସିଥିବା ଅନେକ କୃଷକଙ୍କର ୪୦୦ ଏକର୍‌ରୁ ଅଧିକ ଜମି ଆତ୍ମସାତ୍‌ କରିଛନ୍ତି । 

ହରିଭାଉ ପୋଟେଙ୍କ ସହିତ ହୋଇଥିବା ତାଙ୍କର ନେଣଦେଣ ଏହାର ଏକ ଉଦାହରଣ । ଆସ୍ଥିର ଉପାନ୍ତ ଅଞ୍ଚଳରେ ଥିବା ରାଇଗାଭନ ଗ୍ରାମର ବାସିନ୍ଦା ପୋଟେ, ଜଣେ କୃଷକ,ଙ୍କୁ ନିଜ ଝିଅ ବାହାଘର କରିବା ପାଇଁ ଅର୍ଥ ଆବଶ୍ୟକ ହେଲା । ୧୯୯୮ ରେ ସେ କାଡପେଙ୍କ ପାଖରେ ନିଜର ଆଠ ଏକର ଜମିରୁ ତିନି ଏକର ଜମି ବନ୍ଧକ ରଖି ୫୦,୦୦୦୦ ଟଙ୍କା ଧାରରେ ଆଣିଥିଲେ। “ ବର୍ଷ ୨୦୦୦ ରେ, ମୁଁ ୨୦,୦୦୦ ଟଙ୍କା ପାଇଁ ଆଉ ଅଧିକ ୧.୭୫ ଏକର ଜମି ବନ୍ଧକ ରଖିଥିଲି,’’ ବୋଲି ପୋଟେ କୁହନ୍ତି । “୨୦୦୨ ରେ ମୁଁ ୬୦,୦୦୦ ଟଙ୍କା ବଦଳରେ ଆଉ ଏକ ଏକର ଜମି ବନ୍ଧକ ରଖିଲି।’’

ପୋଟେଙ୍କର ଦୁଇଟି ପୁଅ – ଜଣେ ବେକାର ଓ ଅନ୍ୟ ଜଣେ କୃଷକ – ଓ ପାଞ୍ଚଟି ଝିଅ, ଯାହାର ବାହାଘର ପାଇଁ ତାଙ୍କୁ ଋଣ କରିବାକୁ ପଡିଥିଲା । ସେ ସାହୁକାରଙ୍କ ପାଖରେ ଜମି ବନ୍ଧକ ରଖିବା ପରେ ମଧ୍ୟ ସେଥିରେ ଚାଷ କରୁଥିଲେ ଓ ଅମଳ ପରେ ତାହା ଦେଇ ଋଣ ପରିଶୋଧ କରୁଥିଲେ । “ ମୁଁ କାର୍ପାସ୍‌, କଦଳୀ ଓ ଆଖୁ ଚାଷ କରୁଥିଲି,"। ମୁଁ ଯାହା ଅମଳ କରୁଥିଲି ତାହାର ଏକ ବଡଭାଗ କାଡପେଙ୍କୁ ଦେଇଦେଉଥିଲି । ସମୁଦାୟ ଉତ୍ପାଦନର ମୂଲ୍ୟ ଏକ ଲକ୍ଷରୁ ଅଧିକ ହେଉଥିବା ବେଳେ ମୁଁ ନିଜ ପାଇଁ ଅଳ୍ପ କିଛି ରିଖିପାରୁଥିଲି । ଥରେ ଭୂମିକୁ ବନ୍ଧକ ରଖିସାରିବା ପରେ, ସାହୁକାର  ନିଜ ମନମୁତାବକ ତାହା ବ୍ୟବହାର କରିଥାନ୍ତି ଓ ସେ ବଳପୂର୍ବକ ତୁମଠାରୁ ଯେ କୌଣସି କାମ ମଧ୍ୟ ଆଦାୟ କରିପାରିବେ । 

PHOTO • Parth M.N. ,  Ravindra Keskar

ରାଇଗାଭନ ଗ୍ରାମର ହରିଭାଉ ପୋଟେ, ବନ୍ଧକ ସୂତ୍ରରେ ଋଣଦାତାଙ୍କୁ ଦେଲେ ଓ ପରେ  ଋଣ ପରିଶୋଧ କରିବା ପାଇଁ ସାହୁକାରଙ୍କୁ  ଯଥେଷ୍ଟ ଅଧିକ ଟଙ୍କା ଦେଲେ କିନ୍ତୁ ସେ ଭୟରେ ପୋଲିସ୍‌ ପାଖକୁ ଗଲେନାହିଁ

୨୦୦୭ ରେ, କାଡପେ ପୋଟେଙ୍କୁ ତାଙ୍କ ଜମିକୁ ପ୍ରବେଶ କରିବାକୁ ବାରଣ କରିଦେଲେ ଓ ଜମି ଫେରସ୍ତ  ପାଇବା ପାଇଁ ତାଙ୍କୁ ନଗଦ 3ଲକ୍ଷ ଟଙ୍କା ଦେବା ପାଇଁ କହିଲେ । “ମୁଁ ନିଜର ବଳକା ୨.୨୫ ଏକର ଜମିରେ ଅକ୍ଲାନ୍ତ ପରିଶ୍ରମ କରି ପାଞ୍ଚ ବର୍ଷ ସମୟରେ ୨, ୮୬,୦୦୦ ଟଙ୍କା ପଇଠ କଲି, ବୋଲି ପୋଟେ କୁହନ୍ତି । “ବଳକା ୧୪,୦୦୦ ଟଙ୍କା ଛାଡ କରିବା ପାଇଁ ମୁଁ ତାଙ୍କ ଆଗରେ ଅନୁନୟ ହୋଇ କହିଥିଲି । କିନ୍ତୁ ସେ କେବଳ ଦୁଇ ଏକର ଚାଷ ଜମି ମୋତେ ହସ୍ତାନ୍ତର କରିଥିଲେ । ସେବେଠାରୁ ତିନି ଏକର ଜମି ତାଙ୍କ ପାଖରେ ରହିଛି । ସେ ଏଥିପାଇଁ ଆଉ ଅଧିକ ୧୨ ଲକ୍ଷ ଟଙ୍କା ମାଗୁଛନ୍ତି । 

ପୋଲିସ୍‌ ଆଗରେ ଏହି ଗୁପ୍ତ କଥାଗୁଡିକ ପ୍ରକାଶ କରିବା ପାଇଁ ପାଟେଙ୍କୁ ବହୁତ ବର୍ଷ ଲାଗିଥିଲା । ସେ କୁହନ୍ତି “କାଡପେ ହେଉଛି ଏଠାର ଏକ ଶକ୍ତିଶାଳୀ ବ୍ୟକ୍ତି” । ଯଦି ଆସ୍ଥିର ଆଖପାଖରେ ଥିବା ସମସ୍ତ ଗ୍ରାମରୁ ତାଙ୍କ ବଙ୍ଗଳାକୁ ଚାରିଆଡୁ ଆଖୁ ଆସୁଥିବା ଦେଖିଲେ ମୁଁ ଆଶ୍ଚାର୍ଯ୍ୟ ହେବିନାହିଁ । ସେ ଏହି ଅଞ୍ଚଳରେ ଅନ୍ୟ କୌଣସି ସାହୁକାରଙ୍କୁ ତିଷ୍ଠିବାକୁ ଦେଉନାହିଁ । ମୁଁ ତାଙ୍କୁ ଭେଟିବାକୁ ଭୟକରେ । 

 କିନ୍ତୁ ଚଳିତ ବର୍ଷ ମଇ ମାସରେ, ମୁରଲୀଧର କେକାନ, ୩୩, ଯିଏ ଆସ୍ଥିରେ କାଡପେଙ୍କ ବଙ୍ଗଳାର ଠିକ୍‌ ସାମ୍‌ନାରେ ରୁହନ୍ତି, କାଡପେଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ( ପ୍ରଥମ ଅଭିଯୋଦ ଫର୍ଦ୍ଦ) ଦାଏର୍‌ କଲେ ଓ ତା’ପରେ ପ୍ରମାଣ ସଂଗ୍ରହ କରିବାକୁ ଆରମ୍ଭ କଲେ । ସେ ୧୩୩ ଜଣ କୃଷକଙ୍କ ଏକ ତାଲିକା ପ୍ରସ୍ତୁତ କଲେ ଯେଉଁମାନେ ମିଳିତଭାବେ ପ୍ରାୟ ୪୦୦ ଏକର ଜମି ହରାଇଛନ୍ତି । “ ବିଭିନ୍ନ କୃଷକଙ୍କଠାରୁ ଋଣ ପରିଶୋଧ ବାବଦକୁ ଅର୍ଥ ଓ ଶସ୍ୟ ନେଇ ପାଖାପାଖି ୪୦୦ ଏକର ଜମି ସେମାନଙ୍କୁ ହସ୍ତାନ୍ତର କରିବା ପରେ ମଧ୍ୟ ତାଙ୍କ ପାଖରେ ଏବେ ମଧ୍ୟ ଆଉ ୪୦୦ ଏକର ଜମି ରହିଛି, ବୋଲି କେକାନ କୁହନ୍ତି । “ସେ ମୋର ମଧ୍ୟ ସାତ ଏକର ଜମି ହଡ଼ପ କରିଛି ।’’ 

ପରବର୍ତ୍ତୀ ସମୟରେ ଏହି ମାମଲା ଜଲାନ୍‌ର ଅପରାଧ ଶାଖାକୁ ସ୍ଥାନାନ୍ତରିତ ହୋଇଥିଲା, ଯେଉଁଠାରେ ପୋଲିସ୍‌ ଇନ୍‌ସ୍ପେକ୍ଟର ରାଜେନ୍ଦ୍ରସିଂ ଗୌର ଏହି ମାମଲା ସମ୍ପର୍କିତ କାଗଜପତ୍ର ସବୁ ପରୀକ୍ଷା କରୁଥିଲେ -  ଯେପରିକି ସମ୍ପତ୍ତି ଦଲିଲ୍‌, ଭୂମି ରେକର୍ଡ, ଋଣ ରେଜିଷ୍ଟର -–ଯାହା ସେ କହିବା ଅନୁସାରେ ସବୁ ମିଛ ଅଟେ । “ସେ ଜଣେ ସାହୁକାର, ସେଥିରେ କିଛି ସନ୍ଦେହ ନାହିଁ । “ତାଙ୍କ ପାଖରେ ୧,୦୦୦ ଏକରରୁ ଅଧିକ ପରିମାଣର ଜମି ନେଣଦେଣ ହୋଇଥିବା ତଥ୍ୟ ରହିଛି । ଏହା ଏକ ସ୍ପଷ୍ଟ ସାହୁକାରୀ ମାମଲା ମନେହେଉଛି । ଅନୁସନ୍ଧାନ ଚାଲିଛି, ଆମେ ଯଥାଶୀଘ୍ର ଚାର୍ଜସିଟ୍‌ ଫାଇଲ୍‌ କରିବୁ ।

 ଏଥିରେ ଠକେଇ, ବଳପୂର୍ବକ ଟଙ୍କା ଆଦାୟ କରିବା ଓ ଅନ୍ୟ ଅପରାଧ ସମ୍ବନ୍ଧୀୟ ଆଇନର ଧାରା ଲାଗିବା ସମ୍ଭାବନା ରହିଛି, ଏଥି ସହିତ ମହାରାଷ୍ଟ୍ର ମନି ଲେଣ୍ଡିଂ(ରେଗୁଲେସନ) ଆକ୍ଟ ୨୦୧୪ – ଯାହାକୁ ପ୍ରାୟତଃ ବ୍ୟବହାର କରାଯାଏ ନାହିଁ - ଅନୁସାରେ ପ୍ରତ୍ୟେକ ଋଣ ପ୍ରଦାନକାରୀ ବ୍ୟକ୍ତି ଋଣ ଦେବା ପାଇଁ ଲାଇସେନ୍ସ କରିବା ବିଧେୟ ଏବଂ ଅନ୍ୟାନ୍ୟ ପରିମାପ ମଧ୍ୟରେ ବାର୍ଷିକ ସୁଧହାର ସର୍ବାଧିକ ୧୨ ପ୍ରତିଶତ ହୋଇପାରିବ ବୋଲି କୁହାଯାଇଛି। କାଡପେ ଇତି ମଧ୍ୟରେ ଏଫଆଇଆର ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଯାହା କେକାନ ସେହି ସମୟରେ ଉଲ୍ଲେଖ କରିନଥିଲେ, ତାହା ହେଉଛି କାଡପେ ହେଉଛନ୍ତି ତାଙ୍କର ପାରିବାରିକ ବନ୍ଧୁ ଓ ସେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀକୁ ବିବାହ କରିଛନ୍ତି । ଓ ବର୍ତ୍ତମାନ କାଡପେଙ୍କ ଦାବି ହେଉଛି କେକନ୍‌ଙ୍କ ବିଭିନ୍ନ ରାଜନୈତିକ ସଂପୃକ୍ତି ଯୋଗୁଁ ସେ ଏହିଭଳି ଅଭିଯୋଗ ଆଣିଛନ୍ତି । 

କାଡପେ ପ୍ରାୟ ତିନି ଦଶନ୍ଧି ସମୟ ଭାରତୀୟ ଜନତା ଦଳ (ବିଜେପି)ର ସଦସ୍ୟ ଭାବେ କାମ କରିଥିଲେ, ତା’ପରେ ନ୍ୟାସ୍‌ନାଲିଷ୍ଟ କଗ୍ରେଂସ ଦଳ (ଏନ୍‌ସିପି)ରେ ଗତ ବର୍ଷ ଯୋଗ ଦେଇଛନ୍ତି । ବର୍ତ୍ତମାନ ସେ ଧନଞ୍ଜୟ ମୁଣ୍ଡେ, ରାଜ୍ୟ ବିଧାନ ପରିଷଦ ସଦସ୍ୟଙ୍କ ଖୂବ୍‌ ନିକଟ ଲୋକ ହୋଇଥିବା କଥା କୁହାଯାଉଛି । “ବହୁ ବର୍ଷ ପର୍ଯ୍ୟନ୍ତ ମୁଁ ଜଣେ (ବିବେଚନା କରାଯାଉଥିଲା) ‘ସମ୍ମାନିତ ବ୍ୟବସାୟୀ’ ଓ ‘ଜମି ନେତା’ ଥିଲି,” ବୋଲି ସେ ନିଜର ବିଳାଷପୂର୍ଣ୍ଣ ବଙ୍ଗଳାର ତଳ ମହଲାରେ ଥିବା ତାଙ୍କ କାର୍ଯ୍ୟାଳୟରେ ବସି କୁହନ୍ତି । “ଏନ୍‌ସିପିରେ ଯୋଗ ଦେବା ପରେ ପରେ ମୁଁ ଜଣେ ସାହୁକାର ହୋଇଗଲି? କେବଳ ଜମି କ୍ରୟ ବିକ୍ରୟ କରିବା ଦ୍ୱାରା ସମସ୍ତେ ସାହୁକାର ହୋଇଯିବେନି । ଏହା ହେଉଛି ବ୍ୟବସାୟ ।“

କାଡପେ ନିଜର ଫଟୋ ଉଠାଇବାକୁ ଦେଲେନାହିଁ । “ମାମଲା ଥିବା କଥା ଭୁଲି ଯାଆନ୍ତୁ,” ବୋଲି ସେ କହିଲେ । ମୁଁ ନିର୍ଦ୍ଦୋଷ, ଏହା ମୁଁ କୋର୍ଟରେ ପ୍ରମାଣ କରିବି । ଆପଣ ବହୁତ ଦୂରରୁ ଆସିଛନ୍ତି । ଗୋଟିଏ କପ୍‌ ଚା’ ପିଅନ୍ତୁ ।

PHOTO • Parth M.N. ,  Ravindra Keskar

ଆସ୍ଥି ଟାଉନ୍‌ରେ କାଡପେଙ୍କ ବଙ୍ଗଳା ଓ କାର୍ଯ୍ୟାଳୟ । କେବଳ ଜମି କିଣିବା ଓ ବିକିବା ଦ୍ୱାରା ସମସ୍ତେ ସାହୁକାର ହୋଇଯାଆନ୍ତି ନାହିଁ । ଏହା ବ୍ୟବସାୟ, ବୋଲି ସେ ଦୃଢ଼ତାର ସହିତ କୁହନ୍ତି ।

କାଡପେଙ୍କ ସହିତ ସାକ୍ଷାତ କରିସାରି ମୁଁ ସେଠାରୁ କେକନ୍‌ଙ୍କ ଘରକୁ ଗଲି । ସେ ମୋତେ ଦ୍ୱିପହର ଖାଇବା ଖାଇବାକୁ କହିଲେ ଓ କାଡପେଙ୍କ ବିରୋଧରେ ସଂଗ୍ରହ କରିଥିବା କାଗଜଗୁଡ଼ିକ ଆଣିଲେ । ତାଙ୍କ ବୈଠକ ଘରେ ବିଜେପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ଗୋପୀନାଥ ମୁଣ୍ଡେଙ୍କ ସହିତ ତାଙ୍କ ବାପାଙ୍କ ଏକ ଫଟୋ ଅଛି । “ମୁଁ ହେଉଛି ଜଣେ ସାଧାରଣ ମଣିଷ ଯିଏ କେବଳ ନିଜ ଜମି ବିଷୟରେ ଚିନ୍ତା କରୁଛି, ବୋଲି କହିବା ସହିତ ଏଥିରେ କୌଣସି ରାଜନୈତିକ ବିବାଦ ନଥିବା କଥା ମଧ୍ୟ କହିଛନ୍ତି । 

ଆସ୍ଥିର ସ୍ଥାନୀୟ ରିପୋର୍ଟରମାନେ ରାଜନୈତିକ ପରିପ୍ରଶ୍ନକୁ ସମର୍ଥନ କରିଥାନ୍ତି । ନିଜର ପରିଚୟ ଗୁପ୍ତ ରଖିବା ପାଇଁ ଅନୁରୋଧ କରି “କାଡପେ ଏକ ସାହୁକାର ବୋଲି ଏଠାରେ ସମସ୍ତଙ୍କୁ ଜଣା ଅଛି” ଏକଥା କହିଛନ୍ତି । “କିନ୍ତୁ ଆମେ ରାଜନୈତିକ ବିବାଦ ରହିଥିବା କଥା ମଧ୍ୟ ଅଗ୍ରାହ୍ୟ କରିପାରିବା ନାହିଁ । ମରାଠୱାଡାରେ ଶହ ଶହ ସାହୁକାର  ଅଛନ୍ତି । କ୍ୱଚିତ୍‌ ଏହିପରି ମାମଲା ସାମନାକୁ ଆସିଥାଏ ।’’

ବାସ୍ତବରେ, ବେସରକାରୀ ଋଣଦାତାମାନେ ସମଗ୍ର ଅଞ୍ଚଳରେ ଋଣର ଏକ ପ୍ରମୁଖ ଉତ୍ସ ଅଟନ୍ତି ଓ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଅଚଳ ହୋଇଯିବା ଯୋଗୁଁ, ସେଠାରେ ସେମାନଙ୍କ ଗୁରୁତ୍ୱ ବଢିବାରେ ଲାଗିଛି । ଅଧିକାଂଶ ଜିଲ୍ଲା ସମବାୟ ବ୍ୟାଙ୍କ, ଯାହା ଉପରେ କୃଷକମାନେ ପାରମ୍ପରିକ ଭାବେ ଭରସା କରି ଆସୁଥିଲେ, ସେଗୁଡିକ ଦୁର୍ନୀତି କାରଣରୁ ଓ ପ୍ରଭାବଶାଳୀ ଋଣ ଖିଲାଫକାରୀଙ୍କଠାରୁ ଟଙ୍କା ଆଦାୟ କରିବାରେ ଅସମର୍ଥ ହେବାରୁ ମରାଠୱାଡାରେ ବ୍ୟାଙ୍କଗୁଡିକ ଅଚଳ ହୋଇଗଲା । ବେସରକାରୀ ବ୍ୟାଙ୍କ, ଯାହା ପାଖକୁ ପରେ କୃଷକମାନେ ଯାଇଥିବେ, ସେମାନେ ଶସ୍ୟ ଋଣ ଓ ଟର୍ମ ଋଣକୁ ମିଶାଇ ସୁଧ ହାର ବୃଦ୍ଧି କଲେ, ଯାହାଫଳରେ ଏହି ଋଣ ପରିଶୋଧ କରିବା ଆହୁରି କଷ୍ଟକର ହୋଇଗଲା । ଋଣ ଛାଡ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି, ଯାହାଦ୍ୱାରା କୃଷକମାନେ ନୂଆ ଋଣ ନେବା ପାଇଁ ଯୋଗ୍ୟ ହୋଇ ପାରୁନାହାନ୍ତି ।    

ଋଣ ପାଇଁ ଅନ୍ୟ କୌଣସି ଉପାୟର ଅନୁପସ୍ଥିତିରେ, କୃଷକମାନେ ବେସରକାରୀ ଋଣଦାତାଙ୍କ ପାଖକୁ ଯିବାକୁ ବାଧ୍ୟ ହେଉଛନ୍ତି, ଯେଉଁମାନେ ତତ୍‌କ୍ଷଣାତ୍‌ ଋଣ ବିତରଣ କରନ୍ତି କିନ୍ତୁ ଉଚ୍ଚ ସୁଧ ହାରରେ ଯାହା ମାସିକ ୩ – ୭ ପ୍ରତିଶତ ମଧ୍ୟରେ ବା ବାର୍ଷିକ ୪୦- ୮୫ ପ୍ରତିଶତ ମଧ୍ୟରେ ହୋଇଥାଏ । ଏହିଭଳି ଅତ୍ୟଧିକ ସୁଧ ହାରରେ, ଏକ ଛୋଟିଆ ଋଣବୋଝ ମଧ୍ୟ କୃଷକଙ୍କ ପାଇଁ ମରଣାନ୍ତକ ହୋଇପାରିବ କାରଣ ସୁଧହାର ଯଥାଶୀଘ୍ର ମୂଳ ଧନରାଶି ଠାରୁ ଅଧିକ ହୋଇଯିବ । ବିକଳ୍ପଭାବ, ସାହୁକାରମାନେ ଭୂମି ବନ୍ଧକ ରଖି ଟଙ୍କା ଦେଇଥାନ୍ତି- ଓ ଯେତେବେଳେ ଜଣେ କୃଷକ ଋଣ ପରିଶୋଧ କରିବାରେ ଅସମର୍ଥ ହୁଏ, ତାକୁ ଜମି ଛାଡିବାକୁ ପଡିଥାଏ ।

ଉଭୟ ରାସ୍ତାରେ, କୃଷକମାନେ ଋଣବୋଝ ତଳେ ଓ ସେହି ଋଣଦାତାଙ୍କ କୃପାଧୀନ ହୋଇ ନିଜ ଜୀବନ ଶେଷ କରିଦିଅନ୍ତି, ଯେଉଁମାନେ ସାଧାରଣତଃ ଗ୍ରାମର କ୍ଷମତା ସମ୍ପନ୍ନ ବ୍ୟକ୍ତି ଅଟନ୍ତି ଓ ପ୍ରଶାସନ ତଥା ସ୍ଥାନୀୟ ପୋଲିସ୍‌ରେ ସେମାନଙ୍କ ଯଥେଷ୍ଟ ପ୍ରଭାବ ରହିଛି । ସେମାନଙ୍କ ଭଳି କେହି ଜଣେ କ୍ଷମତାସମ୍ପନ୍ନ ବ୍ୟକ୍ତି ସେହି ସାହୁକାରମାନଙ୍କ ସତ୍ୟତା ଲୋକଲୋଚନକୁ ଆଣିବା ପାଇଁ ଆଗ୍ରହୀ ନହେବା ପର୍ଯ୍ୟନ୍ତ, କୃଷକମାନେ ସେମାନଙ୍କ ଅତ୍ୟାଚାର ବିରୋଧ କରି କିଛି କହିବା ପାଇଁ ସାହସ କରିବା ଓ ନ୍ୟାୟ ପାଇଁ ଆଶା ରଖିବା ପ୍ରାୟତଃ ଅସମ୍ଭବ ଅଟେ ।

ଏହି ଅତ୍ୟାଚାର ସହିନପାରି ଗତବର୍ଷ ଅଗଷ୍ଟରେ ସୁନୀଲ ମୁଟ୍‌କୁଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ମୁଟ୍‌କୁଲେ, ଓସ୍‌ମାନାବାଦ୍‌ର କଲମ୍ବ ତାଲୁକା ଅନ୍ତର୍ଗତ ମୋହା ଗ୍ରାମର ଜଣେ ୨୧-ବର୍ଷ-ବୟସ୍କ କୃଷକ – ଯିଏ ମାତ୍ର ୧୦୦୦ଟଙ୍କା ଧାର କରିଥିବାରୁ ବାରମ୍ବାର ଅପମାନିତ ହେବାକୁ ପଡୁଥିଲା । ସ୍ଥାନୀୟ ଖବରକାଗଜରେ ଏହି କେସ୍‌ ବିଷୟରେ ଖବର ପ୍ରକାଶିତ ହୋଇଥିଲା, ଯେଉଁଥିରେ ସାହୁକାରଙ୍କ ନାମ ପପ୍ପୁ ମଦକେ କୁହାଯାଇଥିଲା ।

PHOTO • Parth M.N. ,  Ravindra Keskar

ବାମ: ପପ୍ପୁ ମଦକେଙ୍କ ଘରୁ ମିଳିଥିବା ଦଲିଲଗୁଡିକରେ ୫୦୦ରୁ ଅଧିକ ଋଣଗ୍ରହିତାଙ୍କ ନାମ ରହିଛି; ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁନୀଲ ମୁଟ୍‌କୁଲେ । ଡାହାଣ: ମୋହା ଗ୍ରାମରେ ଥିବା ସୁନୀଲଙ୍କ ଘର

ରବୀନ୍ଦ୍ର କେସ୍‌କର୍‌, ଓସ୍‌ମାନାବାଦ୍‌ରେ ଲୋକସତ୍ତାର ସାମ୍ବାଦିକ, ତାଙ୍କ ପରିବାର ସହିତ କଥାବାର୍ତ୍ତା କରିଛନ୍ତି ଓ ୨୦୧୬ରେ ସୁନୀଲ କିଭଳି ମଦକେଙ୍କୁ ୨୨,୦୦୦ ଟଙ୍କା ଶୁଝି ନପାରି ମରିଯାଇଛନ୍ତି, ସେ ବିଷୟରେ ଖବର ପ୍ରକାଶ କରିଛନ୍ତି । କିନ୍ତୁ ମଦକେ ଆଉ ଅଧିକ ୨୦,୦୦୦ ଟଙ୍କା ଚାହୁଁଥିଲା । “ଏଣୁ ସୁନୀଲ ଗାଁ ଛା଼ଡି ଚାଲିଗଲେ ଓ ପୁନେରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବାକୁ ଆରମ୍ଭ କଲେ, ବୋଲି ରିପୋର୍ଟରେ କୁହାଯାଇଛି । “ସେ ନିଜ ବାପାମାଆଙ୍କ ପାଇଁ କିଛି କିଛି ପଇସା ପଠାଉଥିଲା (ଯେଉଁମାନେ କୃଷି ଶ୍ରମିକ ଭାବେ କାମ କରୁଥଲେ) । ଗୋଟିଏ ଦିନ, ସିଏ ଯେତେବେଳେ କିଛି ନ୍ୟାୟିକ କାମ ପାଇଁ ଘରକୁ ଆସିଥିଲେ, ସେତେବେଳେ ମଦକେର ଲୋକମାନେ ତାକୁ ଧରି ପକେଇଲେ ଓ ବାଡି ଓ ପଥରରେ ପିଟିଲେ । ସେମାନେ ସାରା ଗ୍ରାମ ସାମ୍‌ନାରେ ତାଙ୍କୁ ଏକ ସାଧାରଣ ଶୌଚାଳୟ ନିକଟରେ ଥିବା ଏକ ନାଳରୁ ବହି ଆସୁଥିବା ପାଣି ପିଇବା ପାଇଁ ବାଧ୍ୟ କଲେ। ସେ ଏହି ଅପମାନ ସହିପାରିଲେ ନାହିଁ ଓ ଫାଶୀ ଲଗାଇ ଆତ୍ମହତ୍ୟା କଲେ ।

ଏହି ଘଟଣାପରେ, ପୋଲିସ୍‌ ମଦକେଙ୍କ ଘରେ ତଲାସି କଲେ ଯେଉଁଠାରେ ସେମାନଙ୍କୁ ୫୦୦ ବ୍ୟକ୍ତିଙ୍କ ନାମ ଥିବା ଏକ ତାଲିକା ମିଳିଲା । ଏଥିରେ ମଦକେ ଯେଉଁ ଯେଉଁ ବ୍ୟକ୍ତିଙ୍କୁ  ମାସିକ ୧୫-୨୦ ପ୍ରତିଶତ ହାରରେ ଋଣ ଦେଇଛନ୍ତି ସେମାନଙ୍କ ନାମ ଉଲ୍ଲେଖ ରହିଥିଲା । ଆତ୍ମହତ୍ୟା ପାଇଁ ଉସୁକାଇଥିବାରୁ ତାଙ୍କ ବିରୋଧରେ ଏକ ମାମଲା ଦାଏର କରାଗଲା ଓ ତାଙ୍କୁ ଜେଲ୍‌କୁ ପଠା ଗଲା ।

ତେବେ, କିଛି ମାସ ପୂର୍ବେ, କଲାମ୍ବର ତାଲୁକା କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । “ସାକ୍ଷୀମାନେ ସାକ୍ଷ ଦେବା ପାଇଁ ମନା କରିଦେଲେ, ବୋଲି କେସ୍‌କର୍‌ କୁହନ୍ତି । “ମଦକେଙ୍କ କଥା ପଡିଲେ ପୂରା ଗ୍ରାମ ପଥର ହୋଇଯାଉଛି । ସୁନୀଲ ବିଷୟରେ ମଧ୍ୟ ବର୍ତ୍ତମାନ ଆଉ କେହି କିଛି କଥା ହେଉନାହାନ୍ତି । ଓ ମଦକେ ବର୍ତ୍ତମାନ ମୁଣ୍ଡ ଉଠାଇ ଚାରିଆଡେ ବୁଲୁଛି । 

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.