“ଆମେ ଚିନ୍ତିତ ଥିଲୁ ଯେ ମୃତ୍ୟୁ ପରେ ଆମ ବାପାଙ୍କୁ ଶେଷ ସମ୍ମାନ ମିଳିପାରିବ ନାହିଁ”

ପଞ୍ଚନାଥନ ସୁବ୍ରମଣ୍ୟମଙ୍କ ଦେହାନ୍ତର ଦୁଇ ମାସ ପରେ ମଧ୍ୟ ତାଙ୍କର ପୁଅ ଏସ. ରମେଶ ତଥାପି ଶୋକରେ ଅଧୀର ହୋଇପଡ଼ୁଥାନ୍ତି: “ଆମେ ଯେତେବେଳେ ତାଙ୍କୁ ତାଞ୍ଜାଭୂର ସରକାରୀ ଡାକ୍ତରଖାନାରେ  କୋଭିଡ୍ ୧୯ ଲକ୍ଷଣ ହେତୁ ଭର୍ତ୍ତି କରିଥିଲୁ, ଆମେ କେବେ ବି ଭାବିନଥିଲୁ ଯେ ଫେରାଇ ନେବା ବେ‍ଳେ ତାଙ୍କ ଶରୀରରେ ଆଉ ଜୀବନ ନଥିବ।”

ଏପରି କିଛି ପରିସ୍ଥିତି ଦେଖାଦେଇଥିଲା ଯେତେବେଳେ ୬୮ ବର୍ଷ ବୟସ୍କ ସୁବ୍ରମଣ୍ୟମ, ଯିଏକି କିଛି ବର୍ଷ ପୂର୍ବରୁ ଭାରତୀୟ ସେନାର କ୍ଲର୍କ ପଦବୀରୁ ଅବସର ନେଇଥିଲେ, ତାଙ୍କୁ ତାଙ୍କର କୌଣସି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ନଥିଲା। “ସେନାବାହିନୀରେ ଯୋଗ ଦେଇ ସେ ଗର୍ବ ଅନୁଭବ କରୁଥିଲେ ଏବଂ ସବୁବେଳେ ତାଙ୍କ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେଉଥିଲେ। ସେ କେବେ ବି ପ୍ରାତଃଭ୍ରମଣ ବନ୍ଦ କରୁନଥିଲେ ଏବଂ ତାଙ୍କ ଖାଦ୍ୟକୁ ନେଇ ବେଶ ସଚେତନ ଥିଲେ”, ୪୦ ବର୍ଷୀୟ ରମେଶ କୁହନ୍ତି, ଯିଏକି ତାମିଲନାଡ଼ୁର କୁମ୍ବକୋଣମ ସହରର ବାସିନ୍ଦା। “ଏପରିକି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସମୟରେ, ଆମେ ଭାବୁଥିଲୁ ସେ ସୁସ୍ଥ ହୋଇଯିବେ।”

କିନ୍ତୁ ଅଗଷ୍ଟ ୧୪ ତାରିଖରେ ଯେବେ ସୁବ୍ରମଣ୍ୟମ ଆରପାରିକୁ ଚାଲିଗଲେ, ରମେଶ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ-ଖାଲି ତାଙ୍କର ମୃତ୍ୟୁକୁ ନେଇ ନୁହେଁ ଆଉ ଏକ ଚିନ୍ତା ସେମାନଙ୍କୁ ଘାରୁଥିଲା। ସେମାନେ ଦେଖିଥିଲେ କିଭଳି ଭାବେ କୋଭିଡ-19 ମୃତକଙ୍କୁ ବାଚ୍ଛନ୍ଦ କରାଯାଉଛି। ତେଣୁ ଆଗକୁ କ’ଣ କରିବେ ସେ ନେଇ ସେମାନେ ବିବ୍ରତ ହୋଇପଡ଼ିଥିଲେ। “ବନ୍ଧୁ ଓ ସମ୍ପର୍କୀୟମାନଙ୍କଠାରୁ ଆମକୁ ସେତେଟା ସମର୍ଥନ ମିଳିନଥିଲା”, ରମେଶ କୁହନ୍ତି। “ମୁଁ ଭାବୁଥିଲି କରୋନା ଜନିତ ମୃତ୍ୟୁ ଏକ ବଡ଼ ଚିନ୍ତା ହୋଇଥିବାରୁ ଏହା ସ୍ୱାଭାବିକ ଥିଲା।”

ଠିକ୍‌ ଏହି ସମୟରେ ଏକ ଅପ୍ରତ୍ୟାଶିତ କ୍ଷେତ୍ରରୁ ଅତି ବାସ୍ତବ ସହାୟତା ଆସିଲା-ତାମିଲନାଡ଼ୁ ମୁସଲିମ ମୁନ୍ନେତ୍ର କଡ଼ଗମ- ରାଜ୍ୟର ଏକ  ସ୍ୱେଚ୍ଛାସେବୀ ସଂଗଠନ ନିକଟରୁ। ସୁବ୍ରମଣ୍ୟମଙ୍କ ପରଲୋକର ଠିକ ପରେ, ଛଅ ଜଣ ଟିଏମଏମକେ ସ୍ୱେଚ୍ଛାସେବୀ ଆମ ପରିବାରକୁ ସହାୟତାର ହାତ ବଢ଼ାଇଲେ। ସେମାନେ ଡାକ୍ତରଖାନାରୁ ଶବ ଗ୍ରହଣ କରିବା ସହିତ ତାଙ୍କ ସହର କୁମ୍ବକୋଣମରେ ତାଙ୍କୁ ସମ୍ମାନପୂର୍ବକ ସମାଧି (କିଛି ହିନ୍ଦୁ ସମୁଦାୟ ମୃତକମାନଙ୍କୁ ଦାହ ସଂସ୍କାର କରିବା ପରିବର୍ତ୍ତେ ସମାଧି ଦେଇଥାନ୍ତି) ଦେଇଥିଲେ।

ପରିବାର ପାଇଁ ଏହା ଅପ୍ରତ୍ୟାଶିତ ସୌଭାଗ୍ୟ ଆଣିଥିଲା। ମାର୍ଚ୍ଚ ଶେଷ ଭାଗଠାରୁ ତାମିଲନାଡ଼ୁ ଓ ପୁଡୁଚେରୀରେ ଟିଏମଏମକେ ପକ୍ଷରୁ ପ୍ରାୟ ୧,୧୦୦ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସୁବ୍ରମଣ୍ୟମଙ୍କ ମାମଲା ସେଥିମଧ୍ୟରୁ ଗୋଟିଏ ଥିଲା। ଧର୍ମ ଓ ଜାତି ନିର୍ବିଶେଷରେ ମୃତକଙ୍କ ଅନ୍ତ୍ୟେଷ୍ଟି କରାଯାଉଥିଲା-ଧାର୍ମିକ ପରମ୍ପରା ଏବଂ ପରିବାର ଇଚ୍ଛାନୁଯାୟୀ ଅନ୍ତିମ ସଂସ୍କାର ସମ୍ପାଦନ ହେଉଥିଲା। ସୁନିଶ୍ଚିତ କୋଭିଡ-19 ମୃତ୍ୟୁ ମାମଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନିୟମ ଅନୁଯାୟୀ ଆଠ ଫୁଟ ଗାତ ଖୋଳି ଟିଏମଏମକେ ପକ୍ଷରୁ ସମାଧି ଦିଆଯାଉଥିଲା।

Top left: Two volunteers place a body in their vehicle. Top right: TMMK volunteers stand beside their ambulance vans, readying for the day’s activity. And volunteers in full PPE stand in respect after unloading a body at a burial ground
PHOTO • Courtesy: TMMK

ଉପର ବାମ : ଦୁଇ ଜଣ ସ୍ୱେଚ୍ଛାସେବୀ ଏକ ଶବକୁ ସେମାନଙ୍କ ଗାଡ଼ିରେ ରଖୁଛନ୍ତି। ଉପର ଡାହାଣ : ଟିଏମଏମକେ ସ୍ୱେଚ୍ଛାସେବୀ ସେମାନଙ୍କର ଆମ୍ବୁଲାନ୍ସ ଭ୍ୟାନ ପଛରେ ଛିଡ଼ା ହୋଇଛନ୍ତି, ଦିନର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି। ଏବଂ ସମ୍ପୂର୍ଣ୍ଣ ପିପିଇ ପିନ୍ଧି ସ୍ୱେଚ୍ଛାସେବୀମାନେ ଏକ ଶବକୁ ସମାଧିସ୍ଥଳରେ ରଖିବା ପରେ ଶେଷ ସମ୍ମାନ ଜଣାଉଛନ୍ତି

ଭୂତାଣୁ ସହିତ ଆସିଥିବା ଭୟ ଏବଂ ଲକଡାଉନ କାରଣରୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଯୋଗୁଁ ଶ୍ମଶାନ ଏବଂ ସମାଧି ସ୍ଥଳରେ ଶ୍ରମିକମାନଙ୍କର ଅନୁପସ୍ଥିତି ସ୍ୱାଭାବିକ ଥିଲା। ସହଜରେ ଆମ୍ବୁଲାନ୍ସ ମିଳୁନଥିଲା, ଏବଂ ମୃତକଙ୍କ ପରିବାର ଲୋକମାନଙ୍କୁ ବହୁ ଖର୍ଚ୍ଚାନ୍ତ, ଘୃଣା ଏବଂ ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା। ସବୁଠୁ ଦୁର୍ଭାଗ୍ୟଜନକ ଘଟଣା ଡ. ସିମୋନ ହର୍କ୍ୟୁଲେସ, ୫୫ ବର୍ଷୀୟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତରଙ୍କ କ୍ଷେତ୍ରରେ ଘଟିଥିଲା। ବୋଧହୁଏ ସେ କୋଭିଡ-19ରେ ପ୍ରାଣ ହରାଇଥିବା ତାମିଲନାଡ଼ୁର ପ୍ରଥମ ଡାକ୍ତର ଥିଲେ।

ଚେନ୍ନାଇର କିଲପକ ଅଞ୍ଚଳରେ ଥିବା ସମାଧିସ୍ଥଳରେ ସମବେତ ହୋଇଥିବା ପାଖାପାଖି ୧୦୦ ଜଣ ଲୋକ ତାଙ୍କ ପରିବାରକୁ ସେଠାରୁ ଫେରାଇ ଦେଲେ। ଏହାପରେ ସେଠାରୁ ପାଖାପାଖି ଛଅ କିମି ଦୂରରେ ଥିବା ଆନ୍ନା ନଗରର ଭେଲେଙ୍ଗାଦୁ ଶ୍ମଶାନକୁ ତାଙ୍କ ମରଶରୀରକୁ ନିଆଯାଇଥିଲା। ସେଠାରେ କିଛି ଲୋକଙ୍କ ଏକ ଭିଡ଼ ଆମ୍ବୁଲାନ୍ସ, ଏହାର ଡ୍ରାଇଭର ଏବଂ ଜଣେ ସଫେଇ କର୍ମଚାରୀଙ୍କୁ ଲାଠି ଓ ଟେକା ପଥର ମାଡ଼ କରି ଆକ୍ରମଣ କରିଥିଲେ।  ଶେଷରେ, ନିଜ ଜୀବନ ପ୍ରତି ବିପଦ ଥିଲେ ସୁଦ୍ଧା-ଡାକ୍ତର ସିମୋନଙ୍କର ବନ୍ଧୁ, ଡା. ପ୍ରଦୀପ କୁମାର ଏବଂ ଅନ୍ୟ ଦୁଇ ଜଣ ପରଦିନ ସକାଳୁ ଚୁପଚାପ ତାଙ୍କ ମୃତଦେହକୁ ସମାଧି ଦେଇଥିଲେ-ସେତେବେଳେ ପରିବାରର ଜଣେ ହେଲେ ସଦସ୍ୟ ଉପସ୍ଥିତ ନଥିଲେ।

ଏପରି ଗମ୍ଭୀର ପରିସ୍ଥିତିରେ, ଟିଏମଏମକେର ହସ୍ତକ୍ଷେପ ସେହି ୧୧୦୦ ପରିବାର ପାଇଁ ଅନେକ ଗୁରୁତ୍ୱ ବହନ କରୁଛି।

“ଚେନ୍ନାଇର ଜଣେ ସମ୍ପର୍କୀୟଙ୍କଠାରୁ ନମ୍ବର ପାଇଁ ଆମେ ଟିଏମଏମକେକୁ ଫୋନ କରିବା ବେଳେ ଆମେ ବିବ୍ରତ ଓ ନିରାଶ ଥିଲୁ,” ରମେଶ କୁହନ୍ତି।

“ଆମେ କେବଳ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲୁ, କିନ୍ତୁ ସେମାନେ ବାସ୍ତବରେ ସବୁକିଛିର ବ୍ୟବସ୍ଥା କରିଥିଲେ। ମୃତ୍ୟୁ ସମୟରେ ଆମର ପିତା ଉଚିତ ସମ୍ମାନ ପାଆନ୍ତୁ ବୋଲି ଆମେ ଚାହୁଁଥିଲୁ। ସେ ଜଣେ ସ୍ୱାଭିମାନୀ ବ୍ୟକ୍ତି ଥିଲେ। ଖୁସିର କଥା, ଟିଏମଏମକେ ଏହାକୁ ଅକ୍ଷୁର୍ଣ୍ଣ ରଖିବାରେ ସାହାଯ୍ୟ କଲା।”

ଉଲ୍ଲେଖନୀୟ କଥା ହେଉଛି, ସେମାନେ ସମ୍ପାଦନ କରିଥିବା ୧୧୦୦ ଅନ୍ତ୍ୟେଷ୍ଟି କ୍ରିୟା- ଏମାନଙ୍କ ମଧ୍ୟରୁ ୧୦୦ ଅଣ କୋଭିଡ ମୃତ୍ୟୁ- ମଧ୍ୟରୁ ଗୋଟିଏ ହେଲେ ପରିବାର ସେମାନଙ୍କ ପ୍ରତି ଅସନ୍ତୁଷ୍ଟ ନଥିଲେ।

“ଆଜିକୁ ଛଅ ବର୍ଷ ହେବ ଜଣେ ସ୍ୱେଚ୍ଛାସେବୀ  ଭାବେ ଟିଏମଏମକେ ସହ ଜଡ଼ିତ ରହିଥିବା ଜଣେ ବ୍ୟକ୍ତି ହିସାବରେ ମୁଁ ଆଦୌ ଚକିତ ନୁହେଁ, ବୋଲି କୁହନ୍ତି ଚେନ୍ନାଇସ୍ଥିତ ଶ୍ରୀ ବାଲାଜି ଡେଣ୍ଟାଲ କଲେଜ ଆଣ୍ଡ ହସ୍ପିଟାଲର କର୍କଟରୋଗ ଚିକିତ୍ସା ବିଶେଷଜ୍ଞ ତଥା ପ୍ରାଧ୍ୟାପକ ଡା. ଏନ. ଅରବିନ୍ଦ ବାବୁ। ସେମାନଙ୍କର ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିଛନ୍ତି ଏବଂ ବହୁ କର୍କଟ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଡ଼ କରିଛନ୍ତି ବୋଲି ସେ କୁହନ୍ତି। ଡା. ବାବୁ କୁହନ୍ତି, ଏପ୍ରିଲରେ ଲକଡାଉନ ଚରମରେ ଥିବା ସମୟରେ ସହରରେ ତାଙ୍କ ଘର ପାଖରେ ଯେତେବେଳେ “ଜଣେ ପରିତ୍ୟକ୍ତା ବୃଦ୍ଧା ମହିଳା ବୋଧହୁଏ କ୍ଷୁଧାରେ ପ୍ରାଣ ହରାଇଲେ’’, ସେ ଟିଏମଏମକେର ଏହି ପକ୍ଷକୁ ଦେଖିବାର ସୁଯୋଗ ପାଇଥିଲେ।

“ମୁଁ ଦୁଃଖିତ ଥିଲି ଏବଂ ଭାବୁଥିଲି ତାଙ୍କୁ ସମ୍ମାନପୂର୍ଣ୍ଣ ଭାବେ ସମାଧି ଦିଆଯିବା ଉଚିତ”, ଡାକ୍ତର ବାବୁ କୁହନ୍ତି। ଟିଏମଏମକେର ସ୍ୱେଚ୍ଛାସେବୀମାନେ ଆଗେଇ ଆସିଲେ, ବ୍ୟବଚ୍ଛେଦ ବ୍ୟବସ୍ଥା କରାଇଲେ, ଅନ୍ତ୍ୟେଷ୍ଟି ଆୟୋଜନ କଲେ ଏବଂ ମୃତ୍ୟୁ ପ୍ରମାଣପତ୍ର ଆଣିବା ପର୍ଯ୍ୟନ୍ତ ଏପରି ସହାୟତା ଜାରି ରଖିଲେ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା “କାରଣ ସେମାନେ ପ୍ରମାଣିତ କରିଥିଲେ ଯେ ଏହା ଅଣ-କୋଭିଡ ମୃତ୍ୟୁ ଥିଲା ଏବଂ ସେମାନେ ସ୍ଥାନୀୟ ଡାକ୍ତରଖାନାରୁ ଏକ ପ୍ରମାଣପତ୍ର ଆଣିବାରେ ସକ୍ଷମ ହେଲେ। ଏହା ଏକ ଉତ୍ତମ କାର୍ଯ୍ୟ ଥିଲା।”

PHOTO • Courtesy: TMMK

ସେମାନେ ଯେକୌଣସି ସମୟରେ ଅନ୍ତ୍ୟେଷ୍ଟି ଲାଗି ପ୍ରସ୍ତୁତ ଥିଲେ, ଯେପିରିକି ଏଇଟି ବିଳମ୍ବିତ ରାତ୍ରୀରେ କରାଯାଇଥିଲା

ସେହିଦିନ ହିଁ ଡା. ବାବୁ ଜାଣିବାକୁ ପାଇଥିଲେ ଯେ ଏହି ସଂଗଠନ ପରିତ୍ୟକ୍ତ, ଦାବି କରାଯାଉନଥିବା ଶବଗୁଡ଼ିକୁ ସମ୍ମାନପୂର୍ବକ ସତ୍କାର କରିବା କାର୍ଯ୍ୟ କରି ଆସୁଛନ୍ତି। “ଏହା ଅଦ୍ଭୂତ ଥିଲା… ସେମାନେ ଜଣେ ବ୍ୟକ୍ତିର ପୃଷ୍ଠଭୂମି ନଦେଖି ମୃତ୍ୟୁପରେ ତାଙ୍କୁ ଯଥା ସମ୍ମାନ ପ୍ରଦାନ କରିବା ପ୍ରତି ଯତ୍ନଶୀଳ ଥିଲେ।”

“ପୂର୍ବରୁ ଆମେମାନେ କେତେକ କୋଭିଡ-19 ମୃତକଙ୍କୁ ସମାଧି ଦେଇଥିଲୁ”, କୁହନ୍ତି ଟିଏମଏମକେ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଏମ.ଏଚ ଜବାହିରୁଲ୍ଲା। “କିନ୍ତୁ ଡା. ସିମୋନଙ୍କ ମୃତ୍ୟୁ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ ହେବା ଘଟଣା ପର୍ଯ୍ୟନ୍ତ ଏଥିପ୍ରତି ଆମର କୌଣସି ଯୋଜନାବଦ୍ଧ ଆଭିମୁଖ୍ୟ ନଥିଲା। କୋଭିଡ ମୃତ୍ୟୁକୁ ନେଇ ସମାଜରେ ଭୟ ଏବଂ ଘୃଣା ରହିଥିଲା ଏବଂ ଆମକୁ ଏଥିପ୍ରତି କିଛି କରିବାର ଥିଲା।”

ସେମାନେ ନିଷ୍ପତ୍ତି ନେଲେ ଯେ “ଯେକୌଣସି ମୃତ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟି ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଧର୍ମ ଆଧାରରେ କରିବେ। ଏହା ପଛରେ ଥିବା ବିଚାରଟି ଥିଲା ଯେ ସେମାନଙ୍କୁ ସମ୍ମାନର ସହିତ ଅନ୍ତିମ ବିଦାୟ ଦେବା। ତାଙ୍କର ଧାର୍ମିକ ଆସ୍ଥାକୁ ସମ୍ମାନ ନଦେଇ ଏହା କିଭଳି ଭାବେ ସମ୍ଭବ ହୋଇଥାନ୍ତା?” ଜବାହିରୁଲ୍ଲା ପ୍ରଶ୍ନ କରିଥାନ୍ତି।

ଟିଏମଏମକେର ସ୍ୱେଚ୍ଛାସେବୀମାନେ ସାଧାରଣତଃ କମ୍ ଚର୍ଚ୍ଚିତ ରହିଥାନ୍ତି ଏବଂ ସମସ୍ତଙ୍କ ବୟସ ୨୨-୪୦ ବର୍ଷ ମଧ୍ୟରେ। ସେମାନେ ପ୍ରଚାର ଚାହାନ୍ତି ନାହିଁ କିମ୍ବା ଏହାକୁ ନେଇ ସହଜ ଅନୁଭବ ମଧ୍ୟ କରିଥାନ୍ତି, କାରଣ ସେମାନେ ଜାଣନ୍ତି ଯେ କୋଭିଡ-19 ରୋଗୀ ଏବଂ ମୃତକଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ସମାଜର ଧାରଣା କିଭଳି ରହିଛି। ସାରା ରାଜ୍ୟରେ ଏପରି ୧୦୦୦ ସ୍ୱେଚ୍ଛାସେବୀ ରହିଛନ୍ତି। ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ଭଳି ଉଠାଦୋକାନୀ କିମ୍ବା ଛୋଟ ଦୋକାନ ମାଲିକ ବୋଲି କୁହନ୍ତି ଟିଏମଏମକେର ମେଡ଼ିକାଲ ଶାଖା ମୁଖ୍ୟ ଖଲିଲ ରେହମାନ।

“ଆମ ଭିତରକୁ ଅଧିକାଂଶ ଲୋକ ଅଳ୍ପବହୁତରେ ଚଳିଥାନ୍ତି”, ରେହମାନ କୁହନ୍ତି। “ଖୁବ କମ ଲୋକଙ୍କର ଭଲ ପୃଷ୍ଠଭୂମି ରହିଛି।”

ସେମାନଙ୍କ ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। “ଆପଣମାନେ ସମ୍ଭବତଃ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଦେଖିଛନ୍ତି କି”? ପଚାରନ୍ତି ଏରୋଡ ଜିଲ୍ଲାର ଗୋବିଚେଟ୍ଟିପାଲାୟମର ଜି. ଭି. ଅଧିୟାମନ। “ଯଦିଓ ସେ ଜଣେ ରାଜନୈତିକ ପ୍ରତିପକ୍ଷ (ଡିଏମକେର) ଥିଲେ ତଥାପି ତାଙ୍କର ମୃତଦେହକୁ ଯେପରି ଭାବେ ଖାତ ମଧ୍ୟକୁ ଫିଙ୍ଗି ଦିଆଗଲା ଏବଂ ଜଣେ ବ୍ୟକ୍ତି ଖାତ ଭିତରକୁ ତା’କୁ ଓଲଟାଇବା ଲାଗି ପ୍ରବେଶ କଲା, ତାହା ମୋତେ ଖୁବ ଯନ୍ତ୍ରଣା ଦେଇଥିଲା।” ଅଧିୟାମନଙ୍କର ୮୬ ବର୍ଷୀୟ ପିତା ଜି.ପି. ଭେଙ୍କିଟୁ, ଡିଏମକେର ଜଣେ ପୂର୍ବତନ ବିଧାୟକ ଯିଏକି ୧୯୬୦ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ, ସେ ମଧ୍ୟ ସେପ୍ଟେମ୍ବର ୨୩ ତାରିଖରେ କୋଭିଡ-19ରେ ପ୍ରାଣ ହରାଇଥିଲେ।

ଭିଡିଓ ଦେଖନ୍ତୁ : 1100 ଶବ ସତ୍କାର ଏବଂ ଘୃଣାର ବୋଝ

“ମୁଁ ଆଜକୁ ଆଠ ବର୍ଷ ହେବ ମେଡ଼ିକାଲ ଟିମର ଅଂଶବିଶେଷ ହୋଇ ରହିଛି। କୋଭିଡ ଆସିବା ପରେ ଆମ ଉପରେ ଚାପ ବଢ଼ିଯାଇଛି, କିନ୍ତୁ ଲୋକମାନେ କୃତଜ୍ଞତା ବ୍ୟକ୍ତ କରିବା ସମୟରେ, ଆଉ କିଛି ଆମ ପାଇଁ ମୂଲ୍ୟ ରଖିନଥାଏ

ତାଙ୍କ ପରିବାର ସମସ୍ୟାରେ ପଡ଼ିଯାଇଥିଲା ଯେତେବେଳେ ସରକାରୀ ସେବା ପକ୍ଷରୁ କୁହାଗଲା ଯେ ଆନ୍ତଃଜିଲ୍ଲା ପରିବହନ ପାଇଁ ସେଦିନ କୌଣସି ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିଲା। “ମୋ ବାପା କୋଏମ୍ବାଟୁର ଡାକ୍ତରଖାନାରେ ଥିଲେ ଏବଂ ଆମେ ତାଙ୍କୁ ଗୋବିଚେଟ୍ଟିପାଲାୟମକୁ ନେବା ଲାଗି ଚାହୁଁଥିଲୁ,” ଅଧିୟାମନ କୁହନ୍ତି। “ଏହି ସମୟରେ ଟିଏମଏମକେ ଆଗେଇ ଆସିଲା ଏବଂ ପରିବାର ଭଳି ସବୁକିଛିର ଯତ୍ନ ନେଲା।”

ପ୍ରତ୍ୟେକ ଅନ୍ତ୍ୟେଷ୍ଟି ଏକ ବିସ୍ତୃତ ପ୍ରକ୍ରିୟାରେ କରାଯାଇଥାଏ। ଡାକ୍ତରଖାନାରେ କାଗଜପତ୍ର କାମ କରିବା ଠାରୁ ଆରମ୍ଭ କରି ଅନ୍ତ୍ୟେଷ୍ଟ ସମ୍ପାଦନ କରିବା ଲାଗି ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀମାନେ ଗୋଟିଏ ଅନ୍ତ୍ୟେଷ୍ଟି ସାରିବା ଲାଗି ମାତ୍ର ୩-୪ ଘଣ୍ଟା ସମୟ ନେଇଥାନ୍ତି। “ଆମର ନିଜ ପ୍ରଶାସନିକ ଉଦ୍ଦେଶ୍ୟ ଲାଗି ଆମେ ତାମିଲନାଡ଼କୁ ୫୬ଟି ଜିଲ୍ଲା (ସରକାରୀ ଭାବେ ୩୮ଟି ଜିଲ୍ଲା)ରେ ବିଭକ୍ତ କରିଛୁ, ପ୍ରତ୍ୟେକ ଡାକ୍ତରୀ ସେବା ଦଳରେ ଜଣେ ଲେଖାଏଁ ସମ୍ପାଦକ ରହିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ୨-୩ଟି ଦଳ ଅଛନ୍ତି ଏବଂ ସବୁ ଦଳରେ ୬-୮ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ରହିଛନ୍ତି,” ଖଲିଲ ରେହମାନ କୁହନ୍ତି।

“ଏହା ଏକ ମହାନ ମାନବ ସେବା ଏବଂ ଏହାକୁ ସମ୍ପାଦନ କରିବା ସମୟରେ ସ୍ୱେଚ୍ଛାସେବୀମାନେ ପ୍ରତ୍ୟେକ ମାମଲାରେ ନିର୍ଦ୍ଦିଷ୍ଟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଥାନ୍ତି,” ତିରୁପଟ୍ଟୁର ଜିଲ୍ଲାର ପୋଲିସ ଅଧିକ୍ଷକ ପି. ବିଜୟ କୁମାର କହିଛନ୍ତି। “ଉଦାହରଣ ସ୍ୱରୁପ, କୋଭିଡ ମୃତ୍ୟୁ କ୍ଷେତ୍ରରେ ସେମାନେ ୮ ଫୁଟ ଗାତ ଖୋଳିଥାନ୍ତି-ଏବଂ ଅନ୍ତ୍ୟେଷ୍ଟି ସମୟରେ ଉପଯୁକ୍ତ ପିପିଇ ସୁଟ ପିନ୍ଧିଥାନ୍ତି। ଆମ ଜିଲ୍ଲାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେଥିମଧ୍ୟରୁ ଟିଏମଏମକେ ଅତିକମରେ ୪୦ ପ୍ରତିଶତ ମାମଲାରେ କାର୍ଯ୍ୟ ସମ୍ପାଦନ କରିଛି।’’ ଯଦିଓ ସଠିକ ଅନୁପାତ ଅସ୍ପଷ୍ଟ ରହିଛି, ତଥାପି ୧,୧୦୦ ଅନ୍ତ୍ୟେଷ୍ଟି ମଧ୍ୟରେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଏବଂ ଅନ୍ୟ ଧର୍ମର ବହୁ ଲୋକ ରହିଛନ୍ତି।

ଯେଉଁ ଅଞ୍ଚଳରେ ସେମାନେ ସକ୍ରିୟ ଅଛନ୍ତି, ଏହି ସ୍ୱେଚ୍ଛାସେବୀମାନଙ୍କ ପ୍ରୟାସ ଭୂତାଣୁମାନଙ୍କ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଭୟର ସ୍ତର ହ୍ରାସ କରିବାରେ ସହାୟକ ହୋଇଛି।

“ମୃତଦେହ ସଂକ୍ରମଣ ପ୍ରସାର କରିବାକୁ ନେଇ ଭୟ ସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତବରେ ସେଗୁଡ଼ିକ କରିନଥାନ୍ତି,” କୁହନ୍ତି ଡ. ଅନିର୍ବାଣ ମିତ୍ର, କୋଲକାତାରେ ଅବସ୍ଥାପିତ ଅଣୁ ଜୀବବିଜ୍ଞାନୀ ଏବଂ ଅଧ୍ୟାପକ। “ଏହା ଏକ ଜୈବ ରାସାୟନିକ ବାସ୍ତବତା ଯେ ମୃତ୍ୟୁର ୪-୫ ଘଣ୍ଟା ପରେ ଡାକ୍ତରଖାନାରୁ ଆସିଥିବା ମୃତଦେହ ନୂଆ ଭୂତାଣୁ ସୃଷ୍ଟି କରିପାରିବ ନାହିଁ। ଏପରି ମୃତଦେହ ନିଶ୍ୱାସପ୍ରଶ୍ୱାସ ଗ୍ରହଣ କରୁନଥିବା କାରଣରୁ ଲାଳ ପଡ଼ି ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ନଥାଏ। ତେବେ ଯଦି ସେହି ଶରୀରରୁ ଲାଳ, କଫ, ରକ୍ତ ବାହାରୁଥାଏ ତା’ହେଲେ ସେଗୁଡ଼ିକ ଭୂତାଣୁର ଉତ୍ସ ହୋଇପାରନ୍ତି। ତେଣୁ ବିଳମ୍ବ ନକରି ମୃତଦେହକୁ ଠିକ ଭାବେ ଅନ୍ତ୍ୟେଷ୍ଟି କିମ୍ବା ସମାଧି ଦେବା ଆହୁରି ଜରୁରି ହୋଇପଡ଼ିଥାଏ।

The volunteers lower a body into a pit eight feet deep, cover up the pit and pour a disinfectant powder across the grave
PHOTO • Courtesy: TMMK
The volunteers lower a body into a pit eight feet deep, cover up the pit and pour a disinfectant powder across the grave
PHOTO • Courtesy: TMMK
The volunteers lower a body into a pit eight feet deep, cover up the pit and pour a disinfectant powder across the grave
PHOTO • Courtesy: TMMK

ସ୍ୱେଚ୍ଛାସେବୀମାନେ ଆଠଫୁଟ ଗାତ କରି ତା’ ଭିତରେ ମୃତଦେହ ରଖିଥାନ୍ତି, ଏହାପରେ ଖାତକୁ ଭର୍ତ୍ତି କରି ସମାଧି ଚାରି ପାଖରେ ବିଶୋଧକ ପାଉଡର ସିଞ୍ଚନ କରିଥାନ୍ତି

“ଯଦି ମୃତକ ଘରେ ପ୍ରାଣ ହରାଇଥାନ୍ତି, ତା’ହେଲେ ଭୂତାଣୁ ଘରେ ସକ୍ରିୟ ରହିବାର ଆଶଙ୍କା ରହିଥାଏ, ତେଣୁ ଏହାକୁ କଡ଼ା ପୃଥକବାସରେ ରଖିବାର ଆବଶ୍ୟକତା ରହିଥାଏ”, ବୋଲି ଡ. ମିତ୍ର ଚେତାଇ ଦେଇଥାନ୍ତି। “ଏବଂ ଏପରି କ୍ଷେତ୍ରରେ ଅନ୍ତ୍ୟେଷ୍ଟି କଡ଼ାକଡ଼ି ଭାବେ ସକ୍ଷମ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସମ୍ପାଦନ କରାଯିବା ଉଚିତ ଏବେ ଏହାକୁ ପରିଚାଳନା ପାଇଁ ସେମାନେ ଭଲ ଭାବେ ପ୍ରସ୍ତୁତ ହେବା ଆବଶ୍ୟକ।”

ଟିଏମଏମକେ ଚାପରେ ଥିବା କର୍ତ୍ତୃପକ୍ଷ ଏବଂ ପ୍ରଶାସନକୁ ସହାୟତା କରିବାକୁ ଆଗେଇ ଆସିଛି।

“ଅନ୍ତ୍ୟେଷ୍ଟିର ଖର୍ଚ୍ଚ କେତେ? “ଏହା ୧୦୦୦ରୁ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ, ପାଳିତ ହୋଇଥିବା ପ୍ରଥା ଆଧାରରେ ଦର ନିର୍ଦ୍ଧାରଣ କରାଯାଏ, ଗାତ ଖୋଳିବା ଲାଗି ଜେସିବି ମେସିନ ଭଡ଼ା ଓ ଅନ୍ୟାନ୍ୟ ମିଶି,” ରେହମାନ କୁହନ୍ତି। “କୋଭିଡ ମୃତ୍ୟୁ କ୍ଷେତ୍ରରେ, ଯେଉଁ ପରିବାର ଏହି ଖର୍ଚ୍ଚ ତୁଲାଇପାରନ୍ତି ଆମେ ସେମାନଙ୍କୁ ଶାରୀରିକ ଶ୍ରମ ସହାୟତା ଯୋଗାଇ ଦେଇଥାଉ, ଯଦି କୌଣସି ପରିବାର ଖର୍ଚ୍ଚ ତୁଲାଇ ପାରିନଥାନ୍ତି, ତା’ହେଲେ ଆମେ ନିଜ ଆଡ଼ୁ ସେମାନଙ୍କ ପାଇଁ ଅର୍ଥ ଯୋଗାଡ଼ କରି କାର୍ଯ୍ୟ ସମ୍ପାଦନ କରିଥାଉ।” ପିପିଇ କିଟ ସ୍ଥାନୀୟ ପ୍ରଶାସନ କିମ୍ବା ସମାଜସେବୀମାନେ ଯୋଗାଇ ଦେଇଥାନ୍ତି।

ଏହି ଗୋଷ୍ଠୀ ଜାଣନ୍ତି ଯେ କୋଭିଡ଼ ମୃତ୍ୟୁ କ୍ଷେତ୍ରରେ ଅଧିକ ସତର୍କତାର ଆବଶ୍ୟକତା ରହିଛି। “ଦଳର ସମସ୍ତ ସଦସ୍ୟ ପିପିଇ ସୁଟ ପରିଧାନ କରିଥାନ୍ତି ଏବଂ ଅଦଳବଦଳ କରି ଅନ୍ତ୍ୟେଷ୍ଟି କାର୍ଯ୍ୟ ସମ୍ପାଦନ କରିଥାନ୍ତି-କୌଣସି ଗୋଟିଏ ଦଳ ଏକ ସମୟରେ ଗୋଟିଏରୁ ଅଧିକ ଶବ ସତ୍କାର କରିନଥାନ୍ତି। ଅନ୍ତ୍ୟେଷ୍ଟି କାର୍ଯ୍ୟ ସରିବା ପରେ, ସ୍ୱେଚ୍ଛାସେବୀମାନେ ସେମାନଙ୍କ ଘରକୁ ଫେରିବା ପୂର୍ବରୁ କିଛିଦିନ ପାଇଁ ସେମାନଙ୍କୁ ସଙ୍ଗରୋଧରେ ରଖିଥାନ୍ତି। ସେମାନଙ୍କୁ ମଧ୍ୟ ରୋଗପ୍ରତିରୋଧକ ଟୀକା ଦିଆଯାଇଥାଏ ଏବଂ ବାଧ୍ୟତାମୂଳକ ଭାବେ ସେମାନଙ୍କର  ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥାଏ”, ଜବାହିରୁଲ୍ଲା କହିଥାନ୍ତି।

ଏହି ଦଳ ସ୍ଥାନୀୟ ସ୍ୱାସ୍ଥ୍ୟ ନିରୀକ୍ଷକ ଏବଂ ଡାକ୍ତରଖାନାରୁ ଅସୁବିଧାରେ ଥିବା ପରିବାର ସମ୍ପର୍କରେ ସୂଚନା ପାଇଥାନ୍ତି। ରାଣୀପେଟ ଜିଲ୍ଲାର ଆରାକ୍କୋଣମ ବ୍ଲକରେ ଥିବା ବନଭରମ ପଞ୍ଚାୟତର ପୂର୍ବତନ ସଭାପତି ଏନ. ମଣି ଏହି ଉଦାହରଣ ଦିଅନ୍ତି: “ଆମ ଗାଁର ଜଣେ ଖ୍ରୀଷ୍ଟିଆନ ମହିଳା କୋଭିଡରେ ପ୍ରାଣ ହରାଇଲେ ଏବଂ ତାଙ୍କ ପରିବାର ତାଙ୍କର ଶବ ସତ୍କାର କରିପାରିଲେ ନାହିଁ। ସେହି ସମୟରେ ସ୍ୱାସ୍ଥ୍ୟ ନିରୀକ୍ଷକ ମୋତେ ଟିଏମଏମକେ ବିଷୟରେ କହିଥିଲେ। ସ୍ୱେଚ୍ଛାସେବୀମାନେ ମାତ୍ର କିଛି ଘଣ୍ଟା ମଧ୍ୟରେ ପହଞ୍ଚିଲେ ଏବଂ ସେମାନେ ସବୁକିଛି ସମ୍ଭାଳିନେଲେ। ସେମାନେ ସାହାସୀ ଓ ସଚେତନ ଥିଲେ।”

ଏହାଛଡ଼ା, ରେହମାନ କୁହନ୍ତି, “ତାମିଲନାଡ଼ୁର ପ୍ରତ୍ୟେକ ଥାନାରେ ଆମର ନମ୍ବର ରହିଛି, ପରିତ୍ୟକ୍ତ ମୃତଦେହ କ୍ଷେତ୍ରରେ ସେମାନେ ଆମକୁ କଲ କରିଥାନ୍ତି ଏବଂ ବାକି ସବୁ ଆମେ ସମ୍ଭାଳିଥାଉ।”

The TMMK volunteers attend to Hindu, Muslim, and Christian funerals alike, conducting each according to the religious traditions of the family
PHOTO • Courtesy: TMMK
The TMMK volunteers attend to Hindu, Muslim, and Christian funerals alike, conducting each according to the religious traditions of the family
PHOTO • Courtesy: TMMK

ଟିଏମଏମକେର ସ୍ୱେଚ୍ଛାସେବୀମାନେ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନ ମାନଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟ କରିଥାନ୍ତି, ପରିବାରର ଧାର୍ମିକ ପରମ୍ପରା ଅନୁଯାୟୀ ସମସ୍ତଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ

ସେମାନଙ୍କର ସମସ୍ତ କାର୍ଯ୍ୟରେ ଖୁବ ଅଧିକ ବ୍ୟକ୍ତିଗତ ବିପଦ ଏବଂ ମୂଲ୍ୟ ରହିଥାଏ। ୪୧ ବର୍ଷୀୟ ଅବଦୁଲ ରହିମ ପୁଡୁଚେରି କେନ୍ଦ୍ରଶାସିତ ପ୍ରଦେଶକୁ ଲାଗି ରହିଥିବା କାଡ଼ାଇକ୍କାଲ ଜିଲ୍ଲାରେ ଅନୁଷ୍ଠିତ ୨୭ଟି କୋଭିଡ-ଅନ୍ତ୍ୟେଷ୍ଟି ମଧ୍ୟରୁ ୨୫ଟିରେ ଅଂଶଗ୍ରହଣ କରିଛନ୍ତି। ସେ କୁହନ୍ତି, ଏହା ମୋ ପାଇଁ ଛଅ ବର୍ଷର ପୁଅ ଠାରୁ ଅଲଗା ରହିବା ଭଳି। “ମୁଁ ଏହି ମେଡ଼ିକାଲ ଟିମରେ ଆଜକୁ ଆଠବର୍ଷ ହେବ ସଦସ୍ୟ ହୋଇ ରହିଆସିଛି। କୋଭିଡ ଆସିବା ପରେ ଆମର ଚାପ ବୃଦ୍ଧି ପାଇଛି, କିନ୍ତୁ ଲୋକମାନେ ଯେତେବେଳେ କୃତଜ୍ଞତା ବ୍ୟକ୍ତ କରିଥାନ୍ତି, ବାକି ସବୁ ଆମ ପାଇଁ ତୁଚ୍ଛ ହୋଇଯାଏ। ପ୍ରତ୍ୟେକ ଅନ୍ତ୍ୟେଷ୍ଟି କାର୍ଯ୍ୟ ପରେ ମୋତେ ମୋ ପରିବାର ଠାରୁ ଅତିକମରେ ଗୋଟିଏ ସପ୍ତାହ ଦୂରରେ ରହିବାକୁ ପଡ଼ିଥାଏ। ଏହା ସେମାନଙ୍କୁ ଅସନ୍ତୁଷ୍ଟ କରିଥାଏ, କିନ୍ତୁ ମୁଁ ପ୍ରକୃତରେ ସେମାନଙ୍କ ଜୀବନକୁ ବିପଦରେ ପକାଇପାରିବି ନାହିଁ।

କାହିଁକି ଟିଏମଏମକେର ସ୍ୱେଚ୍ଛାସେବୀମାନେ ଏହା କରିଥାନ୍ତି?

ଜବାହିରୁଲ୍ଲା ଏହାକୁ ଫର୍ଦ୍ଦ କିଫାୟା (ଆରବ ଭାଷାରେ ବାଧ୍ୟତାମୂଳକ ବ୍ୟକ୍ତିଗତ କର୍ତ୍ତବ୍ୟ) ବୋଲି କହିଥାନ୍ତି। “ଇସଲାମରେ, ଅନ୍ତ୍ୟେଷ୍ଟି ହେଉଛି ସମାଜ ପ୍ରତି ଏକ ବାଧ୍ୟତାମୂଳକ କର୍ତ୍ତବ୍ୟ। ଯଦି ଜଣେ ବ୍ୟକ୍ତି କିମ୍ବା କିଛି ଲୋକଙ୍କୁ ନେଇ ଏକ ଦଳ ଏହାକୁ ସମ୍ପାଦନ କରିଥାଏ, ଏହାର ଅର୍ଥ ସମ୍ପୂର୍ଣ୍ଣ ସମାଜ ଏହାର କର୍ତ୍ତବ୍ୟ ପୂରଣ କରିଛି। ଯଦି କେହି ଏହା କରିବାକୁ ଆଗେଇ ଆସିନଥାନ୍ତି, ତା’ହେଲେ ସମସ୍ତେ ପାପର ଭାଗୀ ହୋଇଥାନ୍ତି। ଜାତି ଓ ଧର୍ମ ନିର୍ବିଶେଷରେ, ଏହି ଅନ୍ତ୍ୟେଷ୍ଟି କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ ବୋଲି ଆମେ ବିଶ୍ୱାସ କରିଥାଉ।”

ଟିଏମଏମକେ ୧୯୯୫ରେ ଗଠନ ହେବା ପରଠାରୁ ସେମାନଙ୍କର ସ୍ୱେଚ୍ଛାସେବୀମାନେ ମାନବ ସେବା କାର୍ଯ୍ୟ କରିଆସୁଛନ୍ତି ବୋଲି ସେ କହିଥାନ୍ତି। “ସେମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କରିଥାନ୍ତି ଏବଂ ଜରୁରି ଥିବା ଲୋକମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥାନ୍ତି। ସେମାନେ ଚେନ୍ନାଇ ବନ୍ୟା ଏବଂ ସୁନାମି ସମେତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସକ୍ରିୟ ରହିଥିଲେ।”

ମଣିତାନେୟା ମକ୍କଲ କାଚି ରାଜନୈତିକ ଦଳର ସଭାପତି ଜବାହରୁଲ୍ଲା କୁହନ୍ତି, “ଆମେ ତାମିଲ ଲୋକ ଭାବେ ଏହା କରିଥାଉ; ଆମେ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାରେ ବିଶ୍ୱାସ କରୁ। ତାମିଲନାଡ଼ୁର ଜନସାଧାରଣ ଆମର ପ୍ରୟାସକୁ ଅନୁମୋଦନ କରିଛନ୍ତି”। କିଛି ସମୟର ନିରବତା ପରେ ସେ କୁହନ୍ତି : “ନିଶ୍ଚିତ ଭାବେ, ଆପଣ ଯେତେବେଳେ ଜଣେ ସଂଖ୍ୟାଲଘୁ ହୋଇଥାନ୍ତି, ଏହି କାର୍ଯ୍ୟ କରିବା ଏକ ଅତିରିକ୍ତ ଅପରିହାର୍ଯ୍ୟତା ଏବଂ ଦାୟିତ୍ୱ ହୋଇଥାଏ। କିନ୍ତୁ ଆମର ଲକ୍ଷ୍ୟ ହେଉଛି ଅସୁବିଧାରେ ଥିବା ଲୋକମାନଙ୍କୁ ସେବା ଯୋଗାଇ ଦେବା।”

ଠାକୁର ଫ୍ୟାମିଲି ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ଅନୁଦାନରେ କବିତା ମୂରଲୀଧରନ ନିରପେକ୍ଷ ସାମ୍ବାଦିକତା ଜରିଆରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ଉପରେ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି। ଏହି ରିପୋର୍ଟର କୌଣସି ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan