ଏହି ଦଳର ପ୍ରାୟ ସମସ୍ତେ ଥିଲେ ମହିଳା-ଅନେକଙ୍କ ବୟସ ୬୦ ଉପରେ । ହାତରେ ଥିଲା କୁରାଢ଼ି ଏବଂ କୋଦାଳ । ଏମିତି ଏକ ଦୃଶ୍ୟ ଦେଖିବୁ ବୋଲି ଆମେ ଆଶା କରୁ ନଥିଲୁ । ଆମେ ଥିଲୁ ତାମିଲନାଡୁର ତାଞ୍ଜାଭୁର ଜିଲ୍ଲା ଅନ୍ତର୍ଗତ ତିରୁବାୟାରୁ ବ୍ଲକ୍‌ର କୀଲାତିରୁପାନ୍ତୁରୁତି ଗାଁରେ ।

ମେ ମାସର ଏକ ଆର୍ଦ୍ର ଏବଂ ତତଲା ଦିନରେ ତାଞ୍ଜାଭୁର ସହରରୁ ପ୍ରାୟ ୪୦ କିଲୋମିଟର ଦୂର ଏହି ଗାଁର ଅଣଓସାରିଆ ଗଳି ଦେଇ ଆମେ ଗାଡ଼ିରେ ଯିବା ବାଟରେ ଆମ ଆଖିରେ ପଡ଼ିଥିଲା ଭାରତର ବିକାଶ ଗାଥା ସମ୍ବଳିତ ଭିନ୍ନ ଭିନ୍ନ ଚିତ୍ର: ଏକ MNREGA (ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଅଧିନିୟମ) କାର୍ଯ୍ୟସ୍ଥଳୀରେ କାମ କରୁଥିଲେ ମହିଳାମାନେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଦୁର୍ବଳ ଓ ଅବସାଦଗ୍ରସ୍ତ । ସମସ୍ତେ ଭୂମିହୀନ କିମ୍ବା ନାମକୁ ମାତ୍ର ଚାଷୀ ପରିବାରରୁ ଆସିଥିଲେ ଏବଂ ଆର୍ଥିକ ପଛୁଆ ଜାତି କିମ୍ବା ଦଳିତ ବର୍ଗର ଥିଲେ । ସେମାନଙ୍କ ସହିତ କେତେକ ବୟସ୍କ ପୁରୁଷ ବି ଥିଲେ ।

“ଏହି ଦଳରେ ପ୍ରାୟ ୧୦୦  ମହିଳା ଅଛନ୍ତି।” ଦଳର ନେତ୍ରୀ ଏବଂ ଗ୍ରାମ ପଞ୍ଚାୟତର ଜଣେ ସଦସ୍ୟା ୪୨ବର୍ଷୀୟା ଜେ.ଅନନ୍ତି ଆମକୁ କହିଲେ ।

ସେମାନେ କାମ କରୁଥିବା ବେଳର ଫଟୋ ମୋ ପାଖରେ ନାହିଁ - ଆମକୁ ଦେଖି ସେମାନେ କାମ ବନ୍ଦ କରିଦେଇଥିଲେ । ଯେତେବେଳେ ସେମାନେ ମୋତେ ଓ ମୋ ସାଥୀମାନଙ୍କୁ ଘେରିଗଲେ, ମୁଁ ବୁଝିପାରିଲି ଯେ ସେମାନେ ଆମକୁ ସରକାରୀ ଅଧିକାରୀ ବୋଲି ଭାବି ନେଇଛନ୍ତି । ଏବଂ ସେମାନେ ସେମାନଙ୍କ ପଇସା ଚାହୁଁଥିଲେ ।

ରାଜ୍ୟ ସରକାର ୨-୩ ମାସ ହେଲା ସେମାନଙ୍କ ପାଉଣା ଦେଇନାହାନ୍ତି । କେତେଜଣ ମୋତେ କହିଲେ ଯେ ସେମାନଙ୍କର ୧୦,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କା ଯାଏ ପାଉଣା ବାକି ପଡ଼ିଛି । ଏହାର କାରଣ ସଂପର୍କରେ ଯାହା ଆମକୁ କୁହାଯାଇଥିଲା, ତାହା ହେଲା ବିଭିନ୍ନ ରାଜ୍ୟକୁ MNREGA ବାବଦ ପାଣ୍ଠି ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିଥିଲେ। ଡିସେମ୍ବର ୨୦୧୬ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ପରେ ରାଜ୍ୟରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ବି ଏହାର ଏକ କାରଣ ।

ଏକଦା ଏକ ଉର୍ବର ଅଞ୍ଚଳ ରୂପେ ପରିଗଣିତ କାବେରୀ ନଦୀ ମୁହାଣ ସନ୍ନିକଟ ତ୍ରିକୋଣ ଭୂମି ଅଞ୍ଚଳର କେନ୍ଦ୍ରସ୍ଥଳରେ ଅବସ୍ଥିତ କେଇ ଶହ ଗାଁ ଭିତରୁ ଗୋଟିଏ  ହେଲା କୀଲାତିରୁପାନ୍ତୁରୁତି। ଘୋର ମରୁଡ଼ି ପ୍ରପୀଡ଼ିତ ଏହି ଅଞ୍ଚଳ ଆଜି ଧ୍ୱଂସମୁଖର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ଅନୁଭୂତ ଦକ୍ଷିଣ ପଶ୍ଚିମ ମୌସୁମୀ ଏ ବର୍ଷ ସଂପୂର୍ଣ୍ଣ ଭାବେ ପହଞ୍ଚି ନାହିଁ। ୨୦୧୬ରେ ମୌସୁମୀ ବର୍ଷା ହ୍ରାସ ପାଇଥିଲା । ଠିକ୍‌ ସେମିତି ଅକ୍ଟୋବରରୁ ଡିସେମ୍ବର ଭିତରେ ଅନୁଭୂତ ଉତ୍ତର ପଶ୍ଚିମ ମୌସୁମୀ ବର୍ଷା ବି କମ୍‌ ହୋଇଥିଲା । ଫସଲ ଅମଳ ଖୁବ୍‌ କମିଯାଇଥିଲା । ତା’ ସହିତ କାମ ଓ ଉପାର୍ଜନ ମଧ୍ୟ ।

PHOTO • Parth M.N.

ଏକଦା ଉର୍ବର ଅଞ୍ଚଳ ରୂପେ ପରିଚିତ କାବେରୀ ତ୍ରିକୋଣଭୂମି ଅଞ୍ଚଳର କେନ୍ଦ୍ରସ୍ଥଳରେ ଥିବା ଶହ ଶହ ଗାଁରୁ ଗୋଟିଏ କୀଲାତିରୁପାନ୍ତୁରୁତିର ସବୁ ଚାଷଜମି ମୌସୁମୀ ବର୍ଷାର ଅଭାବ ଏବଂ ମରୁଡ଼ିର ପ୍ରକୋପରେ ଧ୍ୱଂସ ହୋଇଯାଇଛି

ଅନନ୍ତି କହିଲେ, ଅଧିକ ମଜୁରି ସନ୍ଧାନରେ ଗାଁର ଅଧିକାଂଶ ଯୁବକ ଓ ଯୁବତୀ ତାଞ୍ଜାଭୁର କିମ୍ବା କୋଏମ୍ବାଟୁର, ତିରୁପ୍ପୁର କିମ୍ବା ଚେନ୍ନାଇ ସହରକୁ ପଳାଇ ଯାଇଛନ୍ତି । ବର୍ଷା ନହେଲା ଯାଏ ସେମାନେ ଫେରି ଆସିବେନି । ସେ କହିଲେ, “ଏ ବର୍ଷ (୨୦୧୬-୧୭) ଚାଷବାସରୁ ଉପାର୍ଜନ ହୋଇନାହିଁ । ବଞ୍ଚି ରହିବାକୁ ହେଲେ ବୟସ୍କା ମହିଳାମାନଙ୍କୁ କାମ କରିବାକୁ ହିଁ ପଡ଼ିବ ।” କଥା ଯୋଡ଼ି ସେ କହିଲେ, ଏହା ଅତି କଷ୍ଟକର ସମୟ ।

ଆମେ ପଚାରିଲୁ, ଆପଣମାନେ ଏଠାରେ କି କାମ କରୁଛନ୍ତି ? ଅନନ୍ତି ଆମକୁ କହିଲେ ଯେ ଏଠାକାର ଏକ ମହୋତ୍ସବ ପୂର୍ବରୁ ସେମାନେ ଗାଁ ରାସ୍ତାକୁ ସଫା କରିବା ସହିତ ଓସାରିଆ କରୁଛନ୍ତି । ବୁଢ଼ୀ ଲୋକମାନେ କାହିଁକି କାମ କରୁଛନ୍ତି ? ସେ କହିଲେ, “ଏମିତିକା ମରୁଡ଼ିରେ ସମସ୍ତେ କାମ କରୁଛନ୍ତି ।”

ମହିଳାମାନେ ଆମକୁ କହିଲେ ଯେ, ଗତ ଦୁଇ ବର୍ଷରେ ଚାଷବାସ କାମ ଅତି ଖରାପ ହୋଇଛି । କେନାଲ ଓ ନଦୀରୁ ପାଣି ମିଳିନାହିଁ, ମୌସୁମୀ ଆସିନାହିଁ, ନଳକୂଅଗୁଡ଼ିକ ଶୁଖି ଯାଇଛି-ଏବଂ ସମଗ୍ର କୃଷି ବ୍ୟବସ୍ଥା ଧ୍ୱସ୍ତ ହୋଇଯାଇଛି ।

ଜଣେ ମହିଳା କହିଲେ, “ଏଇ ୧୦୦ ଦିନିଆ କାମ ହିଁ ଏକମାତ୍ର ଭରସା । ଆମ ହାତରେ ଟଙ୍କା ନାହିଁ ।” ତାମିଲନାଡୁ ସରକାର MGNREGA ଅନ୍ତର୍ଗତ କାର୍ଯ୍ୟ ଦିବସ ୧୫୦କୁ ବୃଦ୍ଧି କରିଛନ୍ତି-ହେଲେ ଏ ଅଞ୍ଚଳରେ ଲୋକେ ଏହାକୁ ଏବେ ବି ‘୧୦୦ ଦିନିଆ କାମ’ ବୋଲି କହୁଛନ୍ତି ।

ତାଙ୍କ ବୟସ ୬୨ ବୋଲି କହୁଥିଲେ ହେଁ ଆହୁରି ଅଧିକ ବୟସର ଭଳି ଜଣାପଡୁଥିଲେ ମାନିକ୍କାବାଲ୍ଲି । ସେ କହିଲେ, “ମୋ ପିଲାମାନେ ବାହାରକୁ ଚାଲିଯାଇଛନ୍ତି। ମୁଁ ଏଇଠି ଅଛି ।” ନିଜ ନିଜର ଛୋଟ ଛୁଆଙ୍କ ଦେଖାରଖା ପାଇଁ କେତେଜଣ ଯୁବତୀ ବି ରହିଯାଇଥିଲେ ।

ଅନନ୍ତି କହିଲେ, କାର୍ଯ୍ୟସ୍ଥଳର ପ୍ରତ୍ୟେକ ସଦସ୍ୟ ଦିନକୁ ୧୨୦ରୁ ୧୫୦ ଟଙ୍କା ହିସାବରେ ୧୫୦ ଦିନ ପର୍ଯ୍ୟନ୍ତ ରୋଜଗାର କରିବେ । କିନ୍ତୁ ପାଉଣା ମିଳିବାରେ ଡେରି ହେଉଛି । ସେ ଅଭିଯୋଗ କରନ୍ତି, “ଲୋକେ ଦୁଇ ମାସ ହେଲା ମଜୁରି ପାଇନାହାନ୍ତି ।”

କାବେରୀ ନଦୀ ସଂଲଗ୍ନ ସମଗ୍ର ତ୍ରିକୋଣଭୂମି ଅଞ୍ଚଳରେ ଗାଁକୁ ଗାଁ ବୁଲି ଆମେ ଦେଖିଲୁ ଯେ ପରିଣତ ବୟସର ପୁରୁଷ ଓ ମହିଳାମାନେ, ଯେଉଁଠି ମିଳିଲା, MGNREGA କାମ କରି ମରୁଡ଼ି ସହ ସଂଘର୍ଷ କରୁଛନ୍ତି ।

ଭୂମିହୀନ ପରିବାରର ଅନ୍ୟ ଜଣେ ମହିଳା ପୁଷ୍ପାଞ୍ଜଳି କହିଲେ, “ଏହା ଯଥେଷ୍ଟ ହେବ ନାହିଁ ସତ, ହେଲେ ଆଉ କେଉଁଠି କିଛି କରିବାକୁ ନ ଥିବା ବେଳେ ଯାହା ମିଳୁଛି ଆମକୁ ସେଥିରେ ହିଁ ଚଳିବାକୁ ପଡ଼ିବ ।”

ସେ ପଚାରିଲେ, ଜମି ମାଲିକମାନେ ଏତେ ଦୁଃଖକଷ୍ଟରେ ଥିବା ବେଳେ ଜମିହୀନ ଲୋକଙ୍କ ଅବସ୍ଥା କ’ଣ, ଆପଣ କଳ୍ପନା କରିପାରିବେ କି ?

ସମ୍ବନ୍ଧିତ ଲେଖା:

Distress and death in the delta
• Thanjavur district, Tamil Nadu

ତ୍ରିକୋଣଭୂମିରେ ହତାଶା ଏବଂ ମୃତ୍ୟୁ

ଦୀର୍ଘ ଦିନର ମରୁଡ଼ି ଯୋଗୁଁ ତାମିଲନାଡୁର କାବେରୀ ନଦୀ ସଂଲଗ୍ନ ତ୍ରିକୋଣ ଭୂମି ଅଞ୍ଚଳରେ ବହୁ ଚାଷୀ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ଚାଷବାସର ସଂକଟ ଏହାର କାରଣ ବୋଲି ରାଜ୍ୟ ସରକାର ମନା କରୁଥିବା ବେଳେ ବହୁ ପରିବାର ଭିନ୍ନ ଏକ କାହାଣୀ କହନ୍ତି ।

Between life and death – a drought
• Tiruchchirappalli, Tamil Nadu

ଜୀବନ ଓ ମୃତ୍ୟୁ ମଝିରେ-ଏକ ମରୁଡ଼ି

ତାମିଲନାଡୁର ଥାୟାନୁର ଗାଁର ଚାଷୀମାନେ ବିରାଟ ଏକ ସଂକଟର ସମ୍ମୁଖୀନ ହେଉଛନ୍ତି, ଯାହା କି ମରୁଡ଼ିଠାରୁ ଅଧିକ ଉତ୍କଟ-ଏବଂ କାବେରୀର ତ୍ରିକୋଣଭୂମି ଅଞ୍ଚଳରେ ଏହି ସଂକଟ ଘନେଇବା ସହିତ କେତେକ ଚାଷୀ ମାନସିକ ଆଘାତରେ ପ୍ରାଣ ହରାଇଛନ୍ତି ତ ଆଉ କେତେ ଜଣ ଆତ୍ମହତ୍ୟା କରିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar