ମୁହଁରେ ଧଳା ଓ ହଳଦିଆ ରଙ୍ଗ ଲାଗିଥିଲା, ତିନୋଟି ଲାଲ ଟୋପା – ଗୋଟିଏ ନାକ ଓ ଦୁଇଟି ଗାଲ ଉପରେ ଥିଲା, ଯିବା ଆସିବା ପାଇଁ ଏକ ଆକାଶୀ ନୀଳ ରଙ୍ଗର ବ୍ୟାଗ, ମୁଣ୍ଡରେ ବିଦୂଷକଙ୍କ ଟୋପି, ଓଠରେ ମଜାଳିଆ ଗୀତ ଏବଂ ଅଙ୍ଗପ୍ରତ୍ୟଙ୍ଗରେ ଏକ ବେପରୁଆ ତାଳ ଥିଲା- ସେ ଖୁବ ମଜାଳିଆ ଦିଶୁଥିଲେ। କୋଳାହଳ ସ୍ୱାଭାବିକ ଥିଲା। ୟେଳିଲ ଆନ୍ନାଙ୍କ ‘କଳା’ ଶିବିର ଠିକ ଏହିପରି ଆରମ୍ଭ ହେଉଥିଲା, ତାହା ଜବାଦୁ ପର୍ବତର ଏକ ଛୋଟ ପବ୍ଲିକ୍ ସ୍କୁଲରେ ହେଉ କିମ୍ବା ଚେନ୍ନାଇର ଘରୋଇ ସ୍କୁଲରେ, ଆଦିବାସୀ ପିଲାମାନଙ୍କ ପାଇଁ ସତ୍ୟମଙ୍ଗଳମର ଜଙ୍ଗଲରେ ଥିବା ଏକ ଦୂରବର୍ତ୍ତୀ ବିଦ୍ୟାଳୟରେ ହେଉ, କିମ୍ବା ପୁଣି ବିଶେଷ ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ। ଆନ୍ନା ଗୀତଟିଏ କିମ୍ବା ଛୋଟ ପ୍ରହସନ ଶୁଣାନ୍ତି, ପିଲାମାନେ ତାଙ୍କ ସହ ହସି, ଖେଳି, ଦୌଡ଼ି ଏବଂ ଗୀତ ଗାଇ ନିଜର ସବୁ ଅବରୋଧକୁ ପଛରେ ପକାଇ ଦେଇଥାନ୍ତି।
ଜଣେ ପ୍ରଶିକ୍ଷିତ କଳାକାର ହୋଇଥିବାରୁ ଆନ୍ନା କେବେ ବି ସ୍କୁଲରେ ଉପଲବ୍ଧ ସୁବିଧା ବିଷୟରେ ଚିନ୍ତା କରିନଥାନ୍ତି। ସେ କିଛି ମାଗନ୍ତି ନାହିଁ। କୌଣସି ଅଲଗା ହୋଟେଲ କିମ୍ବା ଲଜିଂ ବ୍ୟବସ୍ଥା, କୌଣସି ବିଶେଷ ଉପକରଣ, କିଛି ବି ନୁହେଁ। ବିଦ୍ୟୁତ, କିମ୍ବା ପାଣି କିମ୍ବା ଫେନ୍ସି କାରିଗରୀ ସାମଗ୍ରୀ ବିନା ସେ ପ୍ରଦର୍ଶନ କରିଥାନ୍ତି। କେବଳ ପିଲାମାନଙ୍କୁ ଭେଟିବା, କଥାହେବା ଏବଂ ସେମାନଙ୍କ ସହିତ କାମ କରିବା ତାଙ୍କ ପାଇଁ ଯଥେଷ୍ଟ। ବାକି ସବୁ କିଛି ପଛରେ ପଡ଼ିଯାଏ। ଆପଣ ତାଙ୍କ ଜୀବନରୁ ପିଲାମାନଙ୍କୁ ଦୂରେଇ ପାରିବେ ନାହିଁ। ପିଲାମାନଙ୍କ କଥା ଆସିଲେ ସେ ଆକର୍ଷଣୀୟ ଏବଂ ସକ୍ରିୟ ବ୍ୟକ୍ତି ଭାବେ କାର୍ଯ୍ୟ କରିଥାନ୍ତି।
ଥରେ ସତ୍ୟମଙ୍ଗଲର ଏକ ଗାଁରେ ତାଙ୍କୁ ଏପରି ପିଲାଙ୍କ ସହ କାମ କରିବାକୁ ପଡ଼ିଲା ଯେଉଁମାନେ ପୂର୍ବରୁ କେବେ ରଙ୍ଗ ଦେଖିନଥିଲେ। ପ୍ରଥମ ଥର ପାଇଁ ସେ ପିଲାମାନଙ୍କୁ ନିଜ କଳ୍ପନା ପରିଧି ବାହାରେ କିଛି ତିଆରି କରିବା ଲାଗି ରଙ୍ଗର ବ୍ୟବହାର କରିବା ଶିଖାଇଥିଲେ। ଏହା ସେମାନଙ୍କ ପାଇଁ ଏକ ନୂଆ ଅନୁଭୂତି ଥିଲା। ପିଲାଙ୍କ ପାଇଁ ତାଙ୍କର କଳା ବିଦ୍ୟାଳୟ କାଲିମନ ବିରାଲଗଲ (ମାଟିର ଆଙ୍ଗୁଠି) ଖୋଲିବା ପରଠାରୁ ୨୨ ବର୍ଷ ଧରି ନିରନ୍ତର ଭାବେ ସେ ଏଭଳି ଅନୁଭୂତି ସୃଷ୍ଟି କରିଆସିଛନ୍ତି। ତାଙ୍କ ସବୁଠୁ ଭଲ ଗୁଣ ହେଉଛି ପିଲାଙ୍କ ସହିତ ତାଙ୍କ କାମ ଏବଂ ସବୁବେଳେ ସେ ପିଲାମାନଙ୍କ ମଧ୍ୟରେ ରହି କଳା ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ ରହିଥାନ୍ତି।
୩୦ ବର୍ଷରୁ ଅଧିକ ସମୟ ପୂର୍ବରୁ ଚେନ୍ନାଇର ଲଳିତ କଳା କଲେଜରୁ ଆନ୍ନା ଲଳିତ କଳାରେ ସ୍ନାତକ ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ। ‘‘ମୋର ବରିଷ୍ଠମାନେ, ଚିତ୍ରକର ତାମିଲସେଲଭନ,’’ ସେ ସ୍ମରଣ କରି କୁହନ୍ତି, ‘‘କଷ୍ଟ୍ୟୁମ ଡିଜାଇନର ଶ୍ରୀ ପ୍ରଭାକରନ, ଚିତ୍ରକର ଶ୍ରୀ ରାଜମୋହନ, ମୋ କଲେଜରେ ଜୀବନରେ ମୋତେ ଅନେକ ସାହାଯ୍ୟ କରିଛନ୍ତି। ଡିଗ୍ରୀ ସମ୍ପୂର୍ଣ୍ଣ କରିବାରେ ସେମାନଙ୍କର ସହାୟତା ଭୁଲି ହେବ ନାହିଁ।’’ ଟେରାକୋଟ୍ଟା ମୂର୍ତ୍ତି ଉପରେ ଏକ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପରେ, କଳାତ୍ମକ କାର୍ଯ୍ୟକୁ ନେଇ କିଛି ପରୀକ୍ଷାନିରୀକ୍ଷା କରିବା ଲାଗି ମୁଁ ଚେନ୍ନାଇ ଲଳିତ କଳା ଏକାଡେମୀରେ ଯୋଗ ଦେଇଥିଲି।’’ କିଛି ସମୟ ପାଇଁ ସେ ନିଜର ମୂର୍ତ୍ତିକଳା ଷ୍ଟୁଡିଓରେ ମଧ୍ୟ କାମ କରିଥିଲେ।
ସେ କହୁଥିଲେ, ‘‘କିନ୍ତୁ ଯେତେବେଳେ ମୋ କାମ ବିକ୍ରି ହେବା ଆରମ୍ଭ କଲା, ମୁଁ ଅନୁଭବ କଲି ଯେ ମୋର ଏସବୁ କାମ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେବେଠାରୁ ମୁଁ ସାଧାରଣ ଲୋକଙ୍କ ସହିତ କଳାତ୍ମକ ଗତିବିଧିରେ ସାମିଲ ହେବା ଆରମ୍ଭ କଲି ଏବଂ ତାମିଲନାଡ଼ୁର ୫ଟି ଭୂମି (ପାହାଡ଼, ସମୁଦ୍ର କୂଳ, ମରୁଭୂମି, ଜଙ୍ଗଲ, ଚାଷ ଜମି) ସେହି ସ୍ଥାନ ଥିଲା ଯେଉଁଠି ମୁଁ ରହିବାକୁ ଚାହୁଁଥିଲି। ମୁଁ ମୋ ପିଲାଙ୍କ ସହିତ ମାଟି ଓ ହସ୍ତଶିଳ୍ପ ଖେଳନା ତିଆରି କରିବା କାମ ଆରମ୍ଭ କଲି।’’ ସେ ପିଲାମାନଙ୍କୁ କାଗଜ ମୁଖା, ମାଟି ମୁଖା, ମାଟି ମୂର୍ତ୍ତି, ଚିତ୍ରାଙ୍କନ, ଚିତ୍ରକଳା, ଗ୍ଲାସ ପେଣ୍ଟିଂ, ଓରିଗାମୀ ତିଆରି କରିବା ଶିଖାଇଥିଲେ।