୧୪ ବର୍ଷୀୟା ସନ୍ଧ୍ୟା ସିଂ କୁହନ୍ତି, ‘‘ମୋ ପାଠପଢ଼ା ସରିବା ପରେ, ମୁଁ ଜଣେ ଅଫିସର ହେବାକୁ ଚାହେଁ - ଜଣେ ହୋମ୍ଗାର୍ଡ ।’’ ତାଙ୍କର ୧୬ ବର୍ଷୀୟ ଭାଇ ଶିବମ ସ୍ଥଳସେନାରେ ଏକ କାମ ପାଇବାକୁ ଆଶା କରୁଛନ୍ତି ଏବଂ ସନ୍ଧ୍ୟାଙ୍କ ବୟସର ହେବା ଦିନରୁ ସେ ସେଥିପାଇଁ ତାଲିମ ନେଉଛନ୍ତି । ସେ କୁହନ୍ତି, ‘‘ମୁଁ ସକାଳେ ୪ଟା ସମୟରେ ଉଠେ ଏବଂ ପ୍ରତିଦିନ ବ୍ୟାୟାମ କରେ । ମୁଁ ସ୍ଥଳସେନା ତାଲିମ ସମ୍ପର୍କରେ ଯାହା ପଚାରେ ୟୁଟ୍ୟୁବ୍ ମୋତେ କୁହେ- କିପରି ଓହଳିବାକୁ ହେବ [ବାର୍ ରୁ], ପୁସ୍ ଅପ୍ କରିବା, ଏଭଳି ଜିନିଷ ସବୁ - ଏବଂ ମୁଁ ଏହା କରେ ।’’
ସେମାନେ ଉତ୍ତରପ୍ରଦେଶର ଜଲନ ଜିଲ୍ଲାର ବିନୋରା ଗ୍ରାମରେ ଥିବା ସେମାନଙ୍କ ଘର ଛାତ ଉପରୁ ମୋ ସହ ଫୋନ୍ରେ କଥା ହେଉଥିଲେ । ଏହି ଭାଇଭଉଣୀ ସେମାନଙ୍କ ପିତାମାତା କାମ କରୁଥିବା ଆନ୍ଧ୍ରପ୍ରଦେଶର କାଲିକିରି ଗାଁରୁ ମେ ୨୧ ତାରିଖରେ ଏଠାକୁ ଫେରି ଆସିଥିଲେ । ସେମାନଙ୍କର ମାଆ ୩୨ବର୍ଷ ବୟସ୍କା ରାମଦେକାଲି କୁହନ୍ତି, ‘‘ଯେତେବେଳେ ଆମେ ଘରେ ପହଞ୍ଚିଲୁ ଏଠାରେ କିଛି ନଥିଲା ଏବଂ ଆମେ ମଧ୍ୟ କିଛି ଆଣିନଥିଲୁ। ଆମେ ସେହି ରାତିରେ ଖାଲିପେଟରେ ଶୋଇଲୁ..।’’
ଜୁଲାଇ ୮ ତାରିଖରେ ରାମଦେକାଲି ଗର୍ବର ସହିତ ମୋତେ ସୂଚନା ଦେଲେ ଯେ ଶିବମ ୭୧ ପ୍ରତିଶତ ସହ ତାଙ୍କ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେତେବେଳେ ମୁଁ ତାଙ୍କୁ ତାଙ୍କର ୧୧ ଏବଂ ୧୨ ଶ୍ରେଣୀ ପାଇଁ ଆଡ୍ମିଶନ ପଦ୍ଧତି ସମ୍ପର୍କରେ ପଚାରିଲି ତାଙ୍କ ସ୍ୱର ବଦଳିଗଲା । ସେ କହିଲେ, ‘‘ଆମ ପିଲାମାନେ ସେମାନେ କିପରି ଅନ୍ଲାଇନ୍ ସ୍କୁଲରେ ଯୋଗ ଦେବେ ସେ ନେଇ ବ୍ୟସ୍ତ । ଯଦି ଆମେ ଫେରିଯାଉ [ଆନ୍ଧ୍ରପ୍ରଦେଶକୁ], ଏହି ଫୋନ୍ ଆମ ସହ ଚାଲିଯିବ । ଶିବମ ଉତ୍ତରପ୍ରଦେଶରେ ଅନ୍ଲାଇନ୍ରେ କିପରି ପାଠପଢ଼ିବ ? ଏବଂ ଯଦି ଆମେ ଏଠାରେ ରହୁ ତେବେ କିଏ ସେମାନଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବ।’’ ଘରୋଇ ସ୍କୁଲମାନଙ୍କରେ ପାଠ ପଢ଼ୁଥିବା ଏହି ଦୁଇ ପିଲାଙ୍କର ବାର୍ଷିକ ଦେୟ ଟ. ୧୫,୦୦୦/- ।
କେଇମାସ ପୂର୍ବ ପର୍ଯ୍ୟନ୍ତ ରାମଦେକାଲି ଏବଂ ତାଙ୍କ ସ୍ୱାମୀ ୩୭ ବର୍ଷ ବୟସ୍କ ବୀରେନ୍ଦ୍ର ସିଂ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ କାଲିକିରି ଗାଁରେ ତିନୋଟି ପାନି-ପୁରୀ ଠେଲା ଚଳାଉଥିଲେ । ସନ୍ଧ୍ୟା ସେମାନଙ୍କ ସହ ରହୁଥିଲା, ଯେତେବେଳେ କି ଶିବମ ଜଲନ ଜିଲ୍ଲାର ବର୍ଦ୍ଦାର ଗାଁରେ ତାଙ୍କ ଅଜା-ଆଇଙ୍କ ପାଖରେ ରହୁଥିଲା । ଏହି ପରିବାର ଯାଯାବର ଆଦିବାସୀ ଭାବରେ ତାଲିକାଭୁକ୍ତ ପାଲ ସମୁଦାୟର ଅଂଶ ।









