୧୫ ବର୍ଷୀୟା ବିଜୟଲକ୍ଷ୍ମୀ ସ୍ପଷ୍ଟ ଭାବେ କହିଲେ, “ଡୋଲୁ କୁନିଥାରେ ପୁଅମାନେ ସେତେ ପ୍ରବୀଣ ନୁହନ୍ତି ।’’ “ଆମେ ସେମାନଙ୍କଠାରୁ ଭଲ ।’’

ସେମାନଙ୍କର ଏପରି କହିବା ବି ଯଥାର୍ଥ । ଛୋଟ ଝିଅମାନଙ୍କର ପତଳା ଅଣ୍ଟା ଚାରିପାଖରେ ଓଜନିଆ ଡ୍ରମ ବନ୍ଧାଯାଇଥିଲା, ସେମାନେ ଅନୁଭବୀ ନର୍ତ୍ତକୀଙ୍କ ଭଳି ଘୂରୁଥିଲେ, ଖୁବ୍ ସ୍ଫୁର୍ତ୍ତିର ସହ ମନୋରଞ୍ଜନ କରୁଥିଲେ । ସବୁ ସମୟରେ ଉପଯୁକ୍ତ ତାଳରେ ଏକାସାଙ୍ଗରେ ସେମାନେ ପ୍ରଦର୍ଶନ କରୁଥିଲେ ।

ସେମାନେ କିଶୋରୀ ଥିଲେ । ସେମାନଙ୍କ ମଧ୍ୟରୁ ସବୁଠୁ ବଡ଼ମାନେ ଏବେ ବି ସାବାଳକ ନଥିଲେ । କିନ୍ତୁ ବହୁ ପରିମାଣର ଶକ୍ତି ଆବଶ୍ୟକ କରୁଥିବା ଡ୍ରମ ଓ ନୃତ୍ୟ କଳା ମଧ୍ୟରୁ ଅନ୍ୟତମ ଏହି  ନୃତ୍ୟକୁ ସେମାନେ ଯେଉଁ ଶକ୍ତି ଓ ସହଜତାର ସହ କରୁଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ଡୋଲୁ କୁନିଥା କର୍ଣ୍ଣାଟକର ଏକ ଲୋକପ୍ରିୟ ଲୋକନୃତ୍ୟ । ଡୋଲୁ ଶବ୍ଦର ଅର୍ଥ ହେଲା ଡ୍ରମ୍ ଓ କନ୍ନଡ଼ ଭାଷାରେ କୁନିଥାର ଅର୍ଥ ହେଲା ନୃତ୍ୟ କରିବା । ଏହାକୁ ମଧ୍ୟ ଗଣ୍ଡୁ କାଲେ-“ପୁରୁଷଙ୍କ ଦକ୍ଷତା’’ ବା “ପୁରୁଷଙ୍କ କଳା’’ ବୋଲି କୁହାଯାଇଥାଏ । ହୃଷ୍ଟପୃଷ୍ଟ ପୁରୁଷଲୋକମାନେ ସେମାନଙ୍କ ଅଣ୍ଟା ଚାରିପଟେ ପ୍ରାୟ ୧୦ କିଲୋ ଓଜନର ଡ୍ରମ ବାନ୍ଧିଥାନ୍ତି ଏବଂ ଖୁବ୍ ଉତ୍ସାହର ସହ ତୀବ୍ର ଗତିରେ ନୃତ୍ୟ କରିଥାନ୍ତି । ପାରମ୍ପରିକ ବିଶ୍ୱାସ ଅନୁସାରେ ଏହି ନୃତ୍ୟ ପାଇଁ ଶକ୍ତି ଓ ସାମର୍ଥ ଦୃଷ୍ଟିରୁ ହୃଷ୍ଟପୃଷ୍ଟ ନର୍ତ୍ତକ ଆବଶ୍ୟକ ।

ଅବଶ୍ୟ କିଛି କିଶୋରୀ ସେହି ପରମ୍ପରାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିବା  ଯାଏ ଏହି ବିଶ୍ୱାସ ରହିଥିଲା। ଯେପରିକି ଏଠାରେ ହେସରଘଟ୍ଟାରେ ହେଲା। ବେଙ୍ଗାଲୁରୁଠାରୁ ୩୦ କିମି ଦୂରରେ ଉପନଗରୀୟ ଅଞ୍ଚଳରେ ଥିବା ଏହି ସ୍ଥାନ ଧାନ କ୍ଷେତ ଓ ଡେଙ୍ଗା ଡେଙ୍ଗା ନଡ଼ିଆ ଗଛରେ ଭରପୁର। ଏହି କିଶୋରୀମାନଙ୍କର ଦଳ ଯେଉଁମାନେ କି ଏକ ସାଂସ୍କୃତିକ ମାନଦଣ୍ଡକୁ ପରିବର୍ତ୍ତନ କରୁଛନ୍ତି ସେମାନେ ଏହି ସବୁଜିମା ପୂର୍ଣ୍ଣ ଅଞ୍ଚଳର ଉହାଡ଼ରେ ରହିଯାଇଛନ୍ତି। ସେମାନେ ଡୋଲୁ କୁନିଥା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହି ଚିନ୍ତାଧାରାକୁ ଚାଲେଞ୍ଜ କରୁଛନ୍ତି। ସେମାନେସେହି ପୁରୁଣା କାଳିକା ପ୍ରବାଦକୁ ଅଣଦେଖା କରି ଓଜନିଆ ଡ୍ରମକୁ ଗ୍ରହଣ କରି ନେଇଛନ୍ତି।

ଭିଡିଓ ଦେଖନ୍ତୁ: ରାସ୍ତାକଡ଼ର ଜୀବନରୁ ବାହାରି ଆସିବା ପାଇଁ ଏକ ସଂସ୍ଥାଦ୍ୱାରା ସାହାଯ୍ୟପ୍ରାପ୍ତ ହୋଇ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଝିଅମାନେ ପ୍ରାୟ୧୦ କିଲୋ ଓଜନର ଡ୍ରମ ସହ ଡୋଲୁ କୁନିଥା ପ୍ରଦର୍ଶନ କରୁଛନ୍ତି ।

ଏହି କିଶୋରୀମାନେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସିଛନ୍ତି । ବିଭିନ୍ନ ଅଞ୍ଚଳ ଓ ରାଜ୍ୟରେ ରାସ୍ତାକଡ଼ ଜୀବନରୁ ବାହାରିଆସିବା ପାଇଁସ୍ପର୍ଶ ନାମକ ଏକ ଅଣଲାଭପ୍ରଦାନକାରୀ ସଂସ୍ଥା ସେମାନଙ୍କୁ ରହିବା ପାଇଁ ଏକ ଘର ଓ ଜୀବନ ବଞ୍ଚିବା ପାଇଁ ଦ୍ୱିତୀୟ ସୁଯୋଗ ଦେଇଛି । ସେମାନେ ସମସ୍ତେ ପାଠ ପଢୁଛନ୍ତି ଏବଂ ତା’ ଛଡ଼ା ନୃତ୍ୟ ଓ ସଙ୍ଗୀତ ଶିଖୁଛନ୍ତି । ସପ୍ତାହ ସାରା ସେମାନେ ସ୍କୁଲର ପାଠ୍ୟକ୍ରମ ପଢନ୍ତି । ସପ୍ତାହନ୍ତରେ ସେମାନେ ସେମାନଙ୍କର ଡ୍ରମ ତାଳରେ ନାଚିଥାନ୍ତି ।

ସେମାନେ ବର୍ତ୍ତମାନ ଯେଉଁ ହଷ୍ଟେଲରେ ରହୁଛନ୍ତି ସେଠାରେ ମୁଁ ଅପେକ୍ଷା କରିଛି । କିଛି ହସ ହସ ମୁହଁ ସହ ଟ୍ରୁପ୍ ଭିତରକୁ ପ୍ରବେଶ କଲା । ଆଶ୍ଚର୍ଯ୍ୟର କଥା ହେଲା ସ୍କୁଲରେ ସାରା ଦିନ ବିତାଇଥିଲେ ମଧ୍ୟ ସେମାନେ ଖୁବ୍ ଖୁସି ଥିଲେ ।

ଡ୍ରମ୍ ବାଦନ ପ୍ରସଙ୍ଗ ପୂର୍ବରୁ ସ୍କୁଲ ପ୍ରସଙ୍ଗ ଓ ସ୍ୱପ୍ନ ସଂପର୍କରେ କଥା ହେଲୁ ।  “ପଦାର୍ଥ ବିଜ୍ଞାନ’’ ସହଜ ବୋଲି କନକ ଭି କହିଲେ। ତାଙ୍କୁ ୧୭ ବର୍ଷ ହୋଇଥିବାବେଳେ ସେ ମୂଳତଃ ତାମିଲନାଡୁର ବାସିନ୍ଦା । ତାଙ୍କ ଅନୁସାରେ ଜୀବବିଜ୍ଞାନ ପ୍ରକୃତରେ ଖୁବ୍ କଷ୍ଟକର “କାରଣ ସେଥିରେ ଥିବା ଇଂରାଜୀ ଶବ୍ଦ ଖୁବ୍ ଜଟିଳ’’ । ସେ ବିଜ୍ଞାନକୁ ଭଲପାଆନ୍ତି, “ବିଶେଷ କରି ପଦାର୍ଥ ବିଜ୍ଞାନକୁ ଭଲ ପାଆନ୍ତି କାରଣ ସେଥିରୁ ସେମାନେ ଶିଖୁଥିବା ପ୍ରତ୍ୟେକ କଥା ଆମର ଦୈନନ୍ଦିନର ଜୀବନ ସହ ଜଡ଼ିତ ।’’ ସେ କହିଲେ, ତଥାପି “ମୋର  ଦୀର୍ଘମିଆଦୀ ସ୍ୱପ୍ନ ନାହିଁ ।’’ କନକ ହସିକରି ଆହୁରି କହିଲେ, “ଯେଉଁମାନଙ୍କର କୌଣସି ଆଇଡିଆ ନଥାଏ ସେମାନେ ଅଧିକ ସଫଳତା ପାଆନ୍ତି ବୋଲି ମୋତେ କୁହାଯାଇଛି ।’’

୧୭ ବର୍ଷୀୟା ନରସମ୍ମା ଏସ୍ କହିଲେ, “ମୁଁ ଚିତ୍ରକଳାକୁ ଭଲପାଏ । ଚିତ୍ର ଆଙ୍କିବା ଓ ଡିଜାଇନ୍ କରିବା ମଧ୍ୟ ମୋର ଅଭ୍ୟାସ । ମୁଁ ସାଧାରଣତଃ ପାହାଡ଼ ଓ ନଦୀକୁ ଆଙ୍କେ । ବଡ଼ ହେବା ବେଳେ ମୋ ପାଖରେ ବାପା ମା’ ନଥିଲେ ଏବଂ ମୁଁ ଅଳିଆ ଉଠାଉଥିଲି । ତେଣୁ ପ୍ରକୃତିର ଚିତ୍ର ଆଙ୍କିବା ଖୁବ୍ ଶାନ୍ତି ଦିଏ । ଏହା ମୋତେ ମୋର ଅତୀତକୁ ଭୁଲିଯିବାରେ ସାହାଯ୍ୟ କରେ ।’’

Narsamma playing the dollu kunitha
PHOTO • Vishaka George
Gautami plays the dollu kunitha
PHOTO • Vishaka George

ନରସମ୍ମା(ବାମ)ଓ ଗୌତମୀ(ଡାହାଣ) ସପ୍ତାହର ଦିନମାନଙ୍କରେ ପାଠ ପଢନ୍ତି, କିନ୍ତୁ ସପ୍ତାହନ୍ତରେ ସେମାନଙ୍କର ଡ୍ରମର ତାଳେ ତାଳେ ନାଚିଥାନ୍ତି

ନରସମ୍ମାଙ୍କୁ ୯ ବର୍ଷ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଅଳିଆ ଉଠାଉଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ନିଜର ଅନେକ ସ୍ୱପ୍ନ ସଂପର୍କରେ କହିବା ଲାଗି ତାଙ୍କୁ ଅଧିକ ପ୍ରୋତ୍ସାହିତ କରିବାକୁ ପଡ଼ିଲା ନାହିଁ । ସେଥିମଧ୍ୟରୁ କିଛି ସ୍ୱପ୍ନ ହେଲା ଫ୍ୟାଶନ୍ ଡିଜାଇନିଂ, ନର୍ସିଂ, ଅଭିନୟ କରିବା । ନିଜର ଏହି ନୂଆ ଜୀବନରେ ଏକ ଛୋଟ ନାଟକରେ ବାଲ୍ୟ ବିବାହ ବିରୋଧରେ ଲଢେଇ କରୁଥିବା ଜଣେ ମା’ଙ୍କ ଭୂମିକାରେ ଅଭିନୟ କରିବାକୁ ସେ ଗର୍ବର ସହ ମନେ ପକାନ୍ତି । ସେ ପଚାରିଲେ, “ବାପାମା’ କ’ଣ ପାଇଁ ତାଙ୍କର ନିଜର ପିଲା ସହ ଏପରି କରନ୍ତି?’’ “ଗୋଟିଏ କଢକୁ ତୋଳିବା ସହ ଏହା ସମାନ ।’’

Kavya V (left) and Narsamma S (right) playing the drums
PHOTO • Vishaka George

ଅଧିକ ଶାରିରୀକ ଶକ୍ତି ଆବଶ୍ୟକ କରୁଥିବା ନୃତ୍ୟ ପରେ ମଧ୍ୟ କାବ୍ୟା(ବାମ) ଓ ନରସମ୍ମା(ଡାହାଣ) ପୂର୍ବପରି ଫିଟ୍ ଅଛନ୍ତି

ସେମାନେ କଥା ହେବା ସମୟରେ ନୃତ୍ୟ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କର ପତଳା ଅଣ୍ଟା ଚାରିପଟେ ବ୍ୟାରେଲ ଭଳି ବଡ଼ ଡ୍ରମ ବନ୍ଧାଯାଉଛି । ସେହି ଡ୍ରମଗୁଡ଼ିକ ସେମାନଙ୍କ ଆକାରର ପ୍ରାୟ ଅଧା ହେବ ।

ତା’ ପରେ ଶକ୍ତିର ଯେପରି ବିସ୍ଫୋରଣ ହେଲା । ସେମାନେ ଯେଉଁଭଳି ଭାବେ ଅସୀମ ଉତ୍ସାହର ସହ ଖୁବ୍ ଅଧିକ ଶାରିରୀକ ପରିଶ୍ରମ ଆବଶ୍ୟକ କରୁଥିବା ଏହି ନୃତ୍ୟକଳାକୁ ପ୍ରଦର୍ଶନ କରୁଥିଲେ ତାହା ଦେଖିବା ଖୁବ୍ ଉତ୍ସାହଜନକ । ସେମାନଙ୍କର ଶକ୍ତି ଏତେ ସୁସ୍ପଷ୍ଟ ଥିଲା ଯେ ମୁଁ ସେମାନଙ୍କ ସହିତ ପାଦ ନ ମିଳାଇ ରହିପାରିଲି ନାହିଁ ।

ସେମାନେ ଯେତେବେଳେ ନୃତ୍ୟ ଶେଷ କଲେ ମୁଁ କେବଳ ଜଣେ ଦର୍ଶକ ଭାବେ ସେମାନଙ୍କର ଡିଆଁକୁଦାକୁ ଦେଖି ଥକ୍କା ଅନୁଭବ କରୁଥିଲି । ସେମାନେ କିନ୍ତୁ କୌଣସି ଥକ୍କା ଅନୁଭବ କରୁନଥିଲେ। ସନ୍ଧ୍ୟାକାଳୀନ ସେସନ୍ ପାଇଁ ସେମାନେ ଧୀରେ ଧୀରେ ପାର୍କକୁ ଯାଉଥିଲେ । ଏହି ଦଳ ଡୋଲୁ କୁନିଥାକୁ ମନୋରଞ୍ଜନାତ୍ମକ ଏବଂ ସାଂସ୍କୃତିକ ଅଭ୍ୟାସ ଭାବେ କରୁଥିଲେ। ସେମାନେ ଏବେଯାଏ ସର୍ବସାଧାରଣ ସ୍ଥାନମାନଙ୍କରେ ପ୍ରଦର୍ଶନ କରିନାହାନ୍ତି କିମ୍ବା ସେମାନଙ୍କର ପ୍ରଦର୍ଶନରୁ ଟଙ୍କା ରୋଜଗାର କରିନାହାନ୍ତି । କିନ୍ତୁ ସେମାନେ ସହଜରେ ଏପରି କରିପାରିବେ ଯଦି ସେମାନେ ଏପରି କରିବାକୁ ଚିନ୍ତା କରନ୍ତି ।

ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Vishaka George

Vishaka George is a Bengaluru-based reporter for PARI and our social media editor. She also works on the PARI for Schools project to teach school children about rural India through the stories published on PARI.

Other stories by Vishaka George