ପ୍ରତିଦିନ ପ୍ରାତଃ ସମୟରେ ହିମାଂସି କୁବାଲ ଏକ ଯୋଡି ଟ୍ରାଉଜର ଓ ଗୋଟିଏ ଟି-ସାର୍ଟ ପିନ୍ଧି ତାଙ୍କର ସ୍ୱାମୀଙ୍କ ସହିତ ସେମାନଙ୍କ ଛୋଟ ଆହୁଲାମରାଡଙ୍ଗାକୁ ପାଣିକୁ ଠେଲିଥାନ୍ତି । ସନ୍ଧ୍ୟାରେ ସେ ଏକ ରଙ୍ଗୀନ ଶାଢୀ ପିନ୍ଧିନ୍ତି, ପ୍ରାୟତଃ ନିଜ କେଶରେ ଏକ ଏବୋଲି (ବାଣ) ଫୁଲ ଖୁଞ୍ଚି ତାଙ୍କ ଗ୍ରାହକଙ୍କ ପାଇଁ ମାଛ କାଟନ୍ତି ଓ ସଫା କରନ୍ତି ।

ହିମାଂଶି ଯାହାର ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ଅଟେ, ସେ ଖୁବ୍‌ ଛୋଟ ବୟସରୁ ମାଛ ଧରିବା କାର୍ଯ୍ୟ କରି ଆସୁଛନ୍ତି, ପ୍ରଥମେ ତାଙ୍କ ପରିବାର ସହିତ ମାଲ୍‌ୱାନ ତାଲୁକାର ବିଭିନ୍ନ ନଦୀ ଓ ମୁହାଣରେ ମାଛ ଧରୁଥିଲେ ଓ ତିନି ବର୍ଷ ପୂର୍ବେ, ସେମାନେ ଏକ ଡଙ୍ଗା କିଣିବା ପରେ, ସେ ତାଙ୍କ ସ୍ୱାମୀଙ୍କ ସହିତ ମିଶି ଆରବ ସାଗରକୁ ମାଛ ଧରିବାକୁ ଯାଉଛନ୍ତି । ସେ ହେଉଛନ୍ତି ମାଲ୍‌ୱାନ୍‌ର ଦାଣ୍ଡି ବେଳାଭୂମିରେ କାର୍ଯ୍ୟରତ ସେହି ଅଳ୍ପ ସଂଖ୍ୟକ ମହିଳାଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଦ୍ରୁତ ଗତିରେ ସମୁଦ୍ର ମଧ୍ୟକୁ ଜାଲ ଫୋପାଡିବା ପାଇଁ ସମର୍ଥ ଅଟନ୍ତି ଓ ଏହି ତାଲୁକାର ସମୁଦାୟ ୧୧୧, ୮୦୭ ଜନସଂଖ୍ୟାରୁ ମାଛଧରା କାମରେ ଲିପ୍ତ ୧୦,୬୩୫ ନିବାସୀଙ୍କ ମଧ୍ୟରୁ ସେ ଜଣେ ଅଟନ୍ତି ।

“ପୂର୍ବେ ମୁଁ ମୋର ସ୍ୱାମୀଙ୍କ ସହିତ ମିଶି ଅନ୍ୟ ଡଙ୍ଗାରେ ମାଛଗୁଡିକୁ ଅଲଗା କରିବା କାମ କରୁଥିଲି,” ହେଲେ ତିନି ବର୍ଷ ପୂର୍ବେ ଆମେ ଅର୍ଥ ସଞ୍ଚୟ କରି ଏକ ଛୋଟ ଡଙ୍ଗା(ମୋଟରବିହୀନ) କିଣିବାକୁ ସମର୍ଥ ହେଲୁ ଓ ତା’ପରେ ଆମେ ଦୁଇଜଣ ମିଶି ମାଛ ଧରୁଛୁ” ।

ନିକଟରେ, ଜଣେ ନିଲାମକାରୀ ଚିତ୍କାର କରୁଥିଲେ “ତିନ୍‌ସେ, ତିନ୍‌ସେ ଦହା, ତିନ୍‌ସେ ବିସ୍‌!” [୩୦୦, ୩୧୦, ୩୨୦ଟଙ୍କା], ଯେତେବେଳେକି ପୁରୁଷ ମତ୍ସ୍ୟଜୀବୀମାନେ ଡଙ୍ଗାରେ ସେମାନେ ରଖିଥିବା ମାଛ ଭର୍ତି ଢାବଲଗୁଡିକୁ ଟାଣି ବାହାର କରୁଥିଲେ ଓ ସେଗୁଡିକୁ ପ୍ରଦର୍ଶିତ କରିବା ପାଇଁ ବେଳାଭୂମିରେ ଥାକ କରି ରଖୁଥିଲେ । ବ୍ୟବସାୟୀ ଓ ଏଜେଣ୍ଟମାନେ ଗହଳି ମଧ୍ୟରେ ରାସ୍ତା କରି ସେଠାରେ ପହଞ୍ଚୁଥିଲେ ଓ ଭଲ ମୂଲ୍ୟରେ ପାଇବା ପାଇଁ ସେମାନଙ୍କ ସହିତ ଦର କଷାକଷି କରୁଥିଲେ । ବୁଲା କୁକୁର, ବିଲେଇ ଓ ପକ୍ଷୀମାନେ ଦ୍ରୁତଗତିରେ ଅଚାନକ ଆସି ସେମାନଙ୍କ ଭାଗ ଝାମ୍ପି ନେଉଥିଲେ ।

“ଆମେ ସାଧାରଣତଃ ପ୍ରତିଦିନ ସକାଳବେଳା ମାଛ ଧରିଥାଉ,” ବୋଲି ହିମାଂସି କୁହନ୍ତି । “ଆଉ ଯଦି କେବେ ଖରାପ ପାଣିପାଗ କାରଣରୁ ଆମେ ସେଠାକୁ ଯିବା ସମ୍ଭବ ହୋଇପାରେନାହିଁ, ତାହାହେଲେ ଆମେ ମାଛ କାଟିବାକୁ ଓ ସଫା କରିବାକୁ ବଜାରକୁ ଯାଇଥାଉ । ଆଉ ପ୍ରତିଦିନ ସନ୍ଧ୍ୟାରେ ଆମେ ନିଲାମବେଳେ ଉପସ୍ଥିତ ରହୁ ।

ସମଗ୍ର ଭାରତରେ ସାଧାରଣତଃ ପୁରୁଷମାନେ ମାଛ ଧରିବା କାର୍ଯ୍ୟ କରୁଥିବାବେଳେ, ହିମାଂସିଙ୍କ ପରି ମହିଳାମାନେ ମୁଖ୍ୟତଃ ବ୍ୟବସାୟର ବିଭିନ୍ନ ଉପାଂଶ ଯେପରିକି ପ୍ରକ୍ରିୟାକରଣ ଓ ମାଛ ବିକ୍ରି ଭଳି କାର୍ଯ୍ୟ ସମ୍ଭାଳିଥାନ୍ତି । ଦେଶରେ ଆଦାୟ ପରବର୍ତ୍ତୀ କାର୍ଯ୍ୟରେ ସାମିଲ ହେଉଥିବା ମୋଟ ଲୋକଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୬୬.୭ ପ୍ରତିଶତ ଅଟେ ଓ ସେମାନେ ଏହି ଶିଳ୍ପର ଏକ ଅଭିନ୍ନ ଅଙ୍ଗ ଅଟନ୍ତି । ଗତ ମରିନ୍‌ ଫିସେରିସ୍‌ ସେନ୍‌ସସ୍‌ (୨୦୧୦)ରେ ଆଦାୟ ପରବର୍ତ୍ତୀ କାର୍ଯ୍ୟବଳରେ ୪ଲକ୍ଷ ସ୍ତ୍ରୀ ସାମିଲ ଥିବା ରେକର୍ଡ କରାଯାଇଛି । (ପ୍ରକୃତ ମାଛଧାରା ପ୍ରକ୍ରିୟା ବ୍ୟତୀତ ଅନ୍ୟ ସମସ୍ତ ଗତିବିଧିରେ) । ଏହାସହିତ, ପାଖାପାଖି ୪୦,୦୦୦ମହିଳା ମାଛଚାଷ ପାଇଁ ‘ମାଛ ମଞ୍ଜି’ ସଂଗ୍ରହ (ବା ଡିମ୍ୱ) କାର୍ଯ୍ୟ କରୁଛନ୍ତି ।

“ଏହା ଅତ୍ୟନ୍ତ ପରିଶ୍ରମ ସାପେକ୍ଷ କାମ – ମାଛ କ୍ରୟ କରିବା, ପରିବହନ କରିବା, ବରଫ ଦେବା ଓ ସେଗୁଡିକୁ ଭଣ୍ଡାରରେ ସାଇତି ରଖିବା ଓ ଶେଷରେ ଏଗୁଡିକୁ କାଟିବା ଓ ବିକ୍ରି କରିବା । ଆଉ ଏ ସବୁ କାମ ଆମେ ନିଜେ କରିଥାଉ,” ବୋଲି ଦାଣ୍ଡି ବେଳାଭୂମିରେ ଇଟା ଓ ଆଜ୍‌ବେଷ୍ଟସ୍‌ରେ ତିଆରି ହୋଇଥିବା ତାଙ୍କର ଏକ ବଖରା ବିଶିଷ୍ଟ ଘରେ ବସି ଜ୍ୱାନିତା  ନାମକ (ପୂରାନାମ ରେକର୍ଡ କରାଯାଇନାହିଁ) ଜଣେ ବିଧବା ବେପାରୀ କହିଲେ, ଯେତେବେଳେକି ନିଲାମବେଳେ ତାଙ୍କ ମାଛ କିଣିବା ବିପକ୍ଷରେ ସେ ସଂଗ୍ରହ କରିଥିବା ଅନେକ ବିଲ କାନ୍ଥରେ ଝୁଲୁଥିବା ଏକ ଧାତବ ତାରରେ ଝୁଲି ରହିଥିଲା ।

PHOTO • Manini Bansal

‘ତିନି ବର୍ଷ ପୂର୍ବେ ଆମେ ଅର୍ଥ ସଞ୍ଚୟ କରି ଏକ ଛୋଟ ଡଙ୍ଗା  କିଣିବାକୁ ସମର୍ଥ ହେଲୁ ଓ ତା’ପରଠାରୁ ଆମେ ଦୁଇଜଣ ମିଶି ମାଛ ଧରୁଛୁ” ।

ଜ୍ୱାନିତାଙ୍କ ଭଳି ମାଛ ବ୍ୟବସାୟୀ ଯେଉଁମାନେ ବିଭିନ୍ନ କିଷମର ମାଛ କ୍ରୟ କରନ୍ତି ଓ ପରବର୍ତ୍ତୀ ସମୟରେ ସେଗୁଡିକୁ ସ୍ଥାନୀୟ ବଜାରରେ ବା ନିକଟସ୍ଥ ଛୋଟ ଟାଉନ୍‌ରେ ବିକ୍ରି କରିଥାନ୍ତି, ସେମାନଙ୍କ ବିନା ମାଛ ନିଲାମ କାର୍ଯ୍ୟ ସମ୍ଭବ ହୋଇପାରିବନାହିଁ । ନିଲାମକାରୀଙ୍କ ସହିତ ଦର କଷାକଷି କରିବା ହେଉଛି ସେମାନଙ୍କ ଦୈନିକ କାର୍ଯ୍ୟପ୍ରଣାଳୀର ଏକ ଅଂଶ ଓ ସର୍ବୋତ୍ତମ ମୂଲ୍ୟ ପାଇବା ପାଇଁ ସମସ୍ତଙ୍କର ନିଜସ୍ୱ ସ୍ୱତନ୍ତ୍ର ରଣନୀତି ରହିଛି – କିଛି ନିଲାମ ଶେଷରେ ଅନ୍ତିମ ମୂଲ୍ୟ ପ୍ରଦାନ କରିବାକୁ ରାଜି ହୋଇଥାନ୍ତି ହେଲେ ପରେ ନିଲାମକାରୀଙ୍କୁ ଆଉ କିଛି ଅଧିକ ମାଛ ପକାଇବା ପାଇଁ ରାଜି କରିବାରେ ସଫଳ ହୁଅନ୍ତି । ଅନ୍ୟମାନେ ଥରେ ନିଲାମ ପ୍ରକ୍ରିୟା ଶେଷ ହେବାପରେ, ଆଉ ଅଳ୍ପ ଅଧିକ ରିହାତି ପାଇଁ ଧିରେ ଧିରେ ବାଧ୍ୟ କରିଥାନ୍ତି (ବେଳେ ବେଳେ ୫ଟଙ୍କା ପର୍ଯ୍ୟନ୍ତ) ।

ଦିନସାରା ମାଛ ବିକିବା ସହିତ ସେମାନେ କ୍ରମଶଃ ଜାଲରେ କମ୍‌ ସଂଖ୍ୟକ ମାଛ ପଡିବା ବିଷୟରେ ଓ ରାତ୍ରିଭୋଜନ ପାଇଁ କେଉଁ ମାଛ ରନ୍ଧାଯିବ, ସେ ବିଷୟରେ ଗପସପ କରନ୍ତି ଓ ଆଲୋଚନା କରନ୍ତି। ଧୋଇବା ଓ କାତି ବାହାର କରିବା କରିବାଠାରୁ ଆରମ୍ଭକରି ଅନ୍ତ୍ର ବାହାର କରିବା ଓ କାଟିବା ପର୍ଯ୍ୟନ୍ତ ସମସ୍ତ କାମ ନିଖୁଣଭାବେ ଅସ୍ତ୍ରୋପଚାର ଦ୍ୱାରା କରାଯାଏ ।

“ ନବମ ଶ୍ରେଣୀ ପରେ ମୁଁ ଆଉ ବିଦ୍ୟାଳୟକୁ ଗଲିନାହିଁ ଓ ତା’ପରଠାରୁ ମୁଁ ମାଛ ଶୁଖେଇବା କାମ କରିଆସୁଛି । ମୋର ପେଟ ଭର୍ତ୍ତି କରିବା ପାଇଁ ମତେ କିଛି ନା କିଛି କରିବାକୁ ପଡୁଥିଲା,” ବୋଲି ମଲ୍‌ୱାନ୍‌ ତାଲୁକାର ଦେବାଗ ଗ୍ରାମରେ ଶ୍ରମିକଭାବେ କାମ କରି ମାସିକ ୪,୦୦୦ଟଙ୍କା ଉପାର୍ଜନ କରୁଥିବା ୪୨ବର୍ଷ ବୟସ୍କ ବେନ୍ନି ଫର୍ଣ୍ଣାଣ୍ଡିସ୍‌ କୁହନ୍ତି । ସେ ନିପୁଣତା ସହିତ ଗୋଟିଏ ବାହୁରେ ଶୁଖୁଆ ଝୁଡି ଧରିଛନ୍ତି ଓ ଅନ୍ୟ ବାହୁରେ ତାଙ୍କର ଛୋଟ ଶିଶୁକୁ ଧରିଛନ୍ତି । ସମଗ୍ର ଭାରତରେ ସାଧାରଣତଃ ମହିଳାମାନେ ମାଛ ଶୁଖାଇବା କାମ କରନ୍ତି ଓ ଏଥିପାଇଁ ସେମାନଙ୍କୁ ଉତ୍ତପ୍ତ ସୂର୍ଯ୍ୟ କିରଣରେ ଦୀର୍ଘ ସମୟ ଧରି ପରିଶ୍ରମ କରିବାକୁ ପଡିଥାଏ । “ବର୍ଷାଦିନରେ ମାଛ ଶୁଖାଇବା କାମ ହେଉନଥିବାରୁ, ଆମେ ଅନ୍ୟାନ୍ୟ କାମ କରୁ ଓ ଜୀବନଧାରଣ କରୁ,” ବୋଲି ବେନ୍ନି କୁହନ୍ତି ।

ନିର୍ଦ୍ଦିଷ୍ଟଭାବେ କହିଲେ, ହିମାଂସି, ଜ୍ୱାନିତା ଓ ବେନ୍ନିଙ୍କ ପରି ମହିଳାମାନେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ବିପଦଶଙ୍କୁଳ ଅବସ୍ଥାରେ ଥିବା ସଦସ୍ୟ ଅଟନ୍ତି ବୋଲି ଅଧ୍ୟୟନରୁ ଜଣାପଡିଛି ଓ ସେମାନେ ବର୍ତ୍ତମାନର ମାଛ ବ୍ୟବସାୟର ସ୍ଥିତି ଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇଛନ୍ତି –  ଅଳ୍ପମାତ୍ରାରେ ମାଛଧରୁଥିବା ସମୂହକୁ ଅତ୍ୟଧିକ ମାଛ ଧରାଯିବା, ଅତ୍ୟଧିକ ପରିମାଣରେ ଯାନ୍ତ୍ରିକ ପ୍ରଣାଳୀରେ ମାଛ ଧରାଯିବା, ଜାଲରେ କମ୍‌ ସଂଖ୍ୟକ ମାଛ ପଡିବା, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ସମସ୍ୟାଗୁଡିକର ସମ୍ମୁଖୀନ ହେବାକୁ ପଡୁଛି।

ଆଉ, ଏହି ବୃତ୍ତି ସହିତ ଯୋଡି ହୋଇ ରହିଥିବା ଅଧିକାଂଶ ମହିଳାଙ୍କୁ ମାଛ ଧରୁଥିବା ପୁରୁଷଙ୍କ ସହିତ ସମାନ ଲାଭ ଓ ରିହାତି ମିଳୁନି, ଯଦିଓ ସେମାନେ ମଧ୍ୟ ପୁରୁଷଙ୍କ ଭଳି ଏହି କାର୍ଯ୍ୟ ଉପରେ ସମଭାବେ ନିର୍ଭରଶୀଳ । ଉଦାହରଣସ୍ୱରୂପ, ବର୍ଷା ଋତୁରେ ମାଛ ଧରିବା ନିଷେଧ ହୋଇଥିବାରୁ, କେତେକ ରାଜ୍ୟରେ ମତ୍ସ୍ୟଜୀବୀ ପରିବାରଗୁଡିକୁ ମାସିକ ସରକାରଙ୍କ ତରଫରୁ ମାସିକ ଭତ୍ତା ପ୍ରଦାନ କରାଯାଉଛି । ହେଲେ, ମହିଳା ମତ୍ସ୍ୟଜୀବୀମାନଙ୍କୁ  (ପୁରୁଷ ମତ୍ସ୍ୟଜୀବୀ ନଥିଲେ) ତାହା ପ୍ରଦାନ କରାଯାଉନାହିଁ ।

ସେପଟେ ପୁଣି ଦାଣ୍ଡି ବେଳାଭୂମିରେ ସନ୍ଧ୍ୟା ହେବା ସହିତ ମହିଳାମାନେ ସେମାନଙ୍କର ଅନ୍ୟାନ୍ୟ କାମଗୁଡିକ କରିବାକୁ ଲାଗିଗଲେ – ସେମାନଙ୍କ ପିଲାମାନଙ୍କ ପିଛା କରିବା, ଘରର ଜାବତୀୟ କାମ ସମ୍ପୂର୍ଣ୍ଣ କରିବା ଓ ଆହୁରି ଅନେକ । ସୂର୍ଯ୍ୟ ଅସ୍ତ ହେବାସହିତ ସେମାନଙ୍କ କାର୍ଯ୍ୟସ୍ଥଳି ଉପକୂଳରୁ ସେମାନଙ୍କ ଗୃହକୁ ଘୁଞ୍ଚିଯାଏ ।

PHOTO • Manini Bansal

ଏହା ହେଉଛି ଅତ୍ୟନ୍ତ ପରିଶ୍ରମସାପେକ୍ଷ କାମ – ମାଛ କିଣିବା, ପରିବହନ କରିବା, ବରଫ ଦେବା ଓ ସାଇତିବା ଓ ଶେଷରେ ଏହାକୁ କାଟିବା ଓ ବିକ୍ରି କରିବା । ଆଉ ଏସବୁ କାମ ଆମେ ନିଜେ କରିଥାଉ’, ବୋଲି ବେପାରୀ ଜ୍ୱାନିତା କୁହନ୍ତି


Left: 'We need to do something to fill our stomachs', says an elderly fisherwoman, as she walks a kilometre across Dandi beach in Malwan to the auction site to sell her family’s catch of tarli (sardine). Right: Women wash the fish to be to be salted and sun-dried
PHOTO • Manini Bansal
Left: 'We need to do something to fill our stomachs', says an elderly fisherwoman, as she walks a kilometre across Dandi beach in Malwan to the auction site to sell her family’s catch of tarli (sardine). Right: Women wash the fish to be to be salted and sun-dried
PHOTO • Manini Bansal

ବାମ : ‘ଆମ ପେଟ ଭର୍ତ୍ତି କରିବାକୁ ଆମକୁ କିଛି ନା କିଛି କରିବାକୁ ହେବ,’ ବୋଲି ଜଣେ ବୟସ୍କ ମହିଳା ମତ୍ସ୍ୟଜୀବୀ ତାଙ୍କ ପରିବାରର ସଦସ୍ୟମାନେ ଧରିଥିବା ମାଛଗୁଡିକୁ ନିଲାମ ସ୍ଥଳରେ ବିକ୍ରି କରିବା ପାଇଁ ଦାଣ୍ଡି ବେଳାଭୂମିରେ ଏକ କିଲୋମିଟର ପଥ ଚାଲି ଚାଲି ଅତିକ୍ରମ କରୁଥିବା ବେଳେ କୁହନ୍ତି । ଡାହାଣ : ମାଛରେ ଲୁଣ ଲଗାଇ ଖରାରେ ଶୁଖାଇବା ପାଇଁ ମହିଳାମାନେ ମାଛ ଧୋଉଛନ୍ତି


PHOTO • Manini Bansal

ମାଲ୍‌ୱାନ୍‌ ତାଲୁକାର ଦାଣ୍ଡି ବେଳାଭୂମିରେ ଥିବା ମାଛ ବଜାର । ସମଗ୍ର ଭାରତରେ ମାଛ ବ୍ୟବସାୟରେ ଆଦାୟ ପରବର୍ତ୍ତୀ କାର୍ଯ୍ୟ ପାଇଁ ନିୟୋଜିତ ମୋଟ କାର୍ଯ୍ୟବଳର ୬୬.୭ ପ୍ରତିଶତ ହେଉଛନ୍ତି ମହିଳା ଓ ଏମାନେ ଏହି ଶିଳ୍ପର ଅଭିନ୍ନ ଅଂଶ ଅଟନ୍ତି


PHOTO • Manini Bansal

ସୁରମାଇକୁ (କିଙ୍ଗଫିସ) ଚେନା ଚେନା କରି କାଟିବା । ଧୋଇବା ଓ କାତି ଛଡାଇବାଠାରୁ ଆରମ୍ଭ କରି ଅନ୍ତ ବାହାର କରିବା ଓ କାଟିବା ପର୍ଯ୍ୟନ୍ତ  ନିପୁଣତା ସହିତ ମାଛରେ ଅସ୍ତ୍ରୋପଚାର କରାଯାଏ


PHOTO • Manini Bansal

ପରବର୍ତ୍ତୀ ସମୟରେ ବଜାରରେ ବିକ୍ରି କରିବା ପାଇଁ ବଙ୍ଗଡା ମାଛ (ମାକ୍‌ରେଲ୍‌)କୁ ପରିଷ୍କାର ଭାବେ ଗୁଡାଇଦିଆଯାଏ


PHOTO • Manini Bansal

ସ୍ଥାନୀୟ ମହିଳାମାନେ ସାଧାରଣତଃ ମାଛ ବିକ୍ରି କରନ୍ତି, ଏଣୁ ସେମାନଙ୍କୁ ମାଛ ଧରି ଯିବାକୁ ସୁଯୋଗ ମିଳେନି ଓ ତାହାର ଆବଶ୍ୟକତା ମଧ୍ୟ ନାହିଁ । ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ, ମତେ ସେଠାକୁ ଯିବାକୁ ହେବ ଯେହେତୁ ମତେ ସହାଯ୍ୟ କରିବାକୁ କେହିନାହିଁ,’ ବୋଲି ଦିନସାରା ସମୁଦ୍ରରେ ମାଛ ଧରିବା କାମ ଶେଷ କରିଥିବା ହିମାଂସି କୁହନ୍ତି । ଅନେକ କେଉଟ ସେମାନେ ଧରିଥିବା ମାଛଗୁଡିକୁ ଅଲଗା କରିବା ପାଇଁ ସହାୟକ, ( ସାଧାରଣତଃ ପୁରୁଷ) ନିୟୋଜିତ କରନ୍ତି ଓ ସେମାନଙ୍କୁ ପ୍ରତ୍ୟେକ ଥର ଗୋଟିଏ ଦିନର କାମ ପାଇଁ ୫୦୦ଟଙ୍କା ମଜୁରି ପ୍ରଦାନ କରନ୍ତି


PHOTO • Manini Bansal

ହିମାଂସି ଓ ତାଙ୍କ ସ୍ୱାମୀ କେବଳ ଯେ ମିଶି ମାଛ ଧରିବାକୁ ଯାଆନ୍ତି, ତାହା ନୁହେଁ; ବରଂ ସେମାନେ ଦାଣ୍ଡି ବେଳାଭୂମିରେ ଥିବା ବଜାରରେ ପାଖାପାଖି ହୋଇ ବସି ମାଛ କାଟନ୍ତି ଓ ପରିଷ୍କାର କରନ୍ତି


Selling her fish in the evening auction (left) and everyday banter at the evening auction (right). The last Marine Fisheries Census (2010) records about 4 lakh women in the post-harvest workforce in marine fisheries (involved in all activities except the actual fishing process)
PHOTO • Manini Bansal
Selling her fish in the evening auction (left) and everyday banter at the evening auction (right). The last Marine Fisheries Census (2010) records about 4 lakh women in the post-harvest workforce in marine fisheries (involved in all activities except the actual fishing process)
PHOTO • Manini Bansal

ସନ୍ଧ୍ୟାକାଳୀନ ନିଲାମୀବେଳେ ତାଙ୍କ ମାଛ ବିକ୍ରି କରୁଛନ୍ତି (ବାମ) ଓ ସାନ୍ଧ୍ୟାକାଳୀନ ନିଲାମୀବେଳର ନିତିଦିନିଆ ହସମଜା (ଡାହାଣ) । ଗତ ମରାଇନ୍‌ ଫିସେରିସ୍‌ ସେନ୍‌ସସ୍‌ (୨୦୧୦)ରେ ସାମୁଦ୍ରିକ ମତ୍ସ୍ୟ ବ୍ୟବସାୟରେ ଆଦାୟ ପରବର୍ତ୍ତୀ କାର୍ଯ୍ୟବଳରେ ୪ଲକ୍ଷ ମହିଳା ରହିଥିବା ରେକର୍ଡ କରାଯାଇଛି (ପ୍ରକୃତ ମାଛ ଧରିବା ପ୍ରକ୍ରିୟା ବ୍ୟତୀତ ଅନ୍ୟ ସମସ୍ତ ଗତିବିଧିରେ ସାମିଲ ଅଛନ୍ତି)


Left: Manisha Jadhav, head of the local fisherwomen’s association, Sindhusagar Macchi Vikri Mahila Sanghatna, Malwan, exudes confidence as she sits with her fish in the market. Right: Women of the community
PHOTO • Manini Bansal
Left: Manisha Jadhav, head of the local fisherwomen’s association, Sindhusagar Macchi Vikri Mahila Sanghatna, Malwan, exudes confidence as she sits with her fish in the market. Right: Women of the community
PHOTO • Manini Bansal

ବାମ : ମନିଷା ଯାଦବ, ସ୍ଥାନୀୟ ମହିଳା ମତ୍ସ୍ୟଜୀବୀ ସଂଘ ସିନ୍ଧୁସାଗର ମଚ୍ଛି ବିକ୍ରି ମହିଳା ସଂଗଠନ, ମାଲ୍‌ୱାନ୍‌ର ମୁଖ୍ୟ ଦୃଢ ଆତ୍ମବିଶ୍ୱାସ ସହିତ ବଜାରରେ ତାଙ୍କ ମାଛ ସହିତ ବିସିଛନ୍ତି । ଡାହାଣ : ସମ୍ପ୍ରଦାୟର ମହିଳାମାନେ


PHOTO • Manini Bansal

ଦାଣ୍ଡି ମାଛ ବଜାରରେ ମାଲୱାସ୍ଥିତ ସିନ୍ଧୁସାଗର ମଚ୍ଚି ବିକ୍ରି ମହିଳା ସଂଗଠନର ମହିଳା ସଦସ୍ୟଙ୍କର ଫଟୋ ଥିବା ଏକ ଫଳକ


PHOTO • Manini Bansal

ସକାଳର ଶେଷ ମାଛ ବିକିବା ପରେ ତାଙ୍କ ଝୁଡି ଧୋଉଛନ୍ତି

ଏହି ଆଲେଖ ଦକ୍ଷିଣ ଫାଉଣ୍ଡେସନର ଏକ ପ୍ରକଳ୍ପ ଅଧିନରେ ଲେଖକମାନଙ୍କ ଦ୍ୱାରା କରାଯାଇଥିବା କାମ ଆଧାରରେ ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Trisha Gupta

Trisha Gupta is a Bengaluru-based marine conservationist studying shark and ray fisheries along the Indian coastline.

Other stories by Trisha Gupta
Manini Bansal

Manini Bansal is a Bengaluru-based visual communication designer and photographer working in the field of conservation.

Other stories by Manini Bansal