ମରାଠୱାଡ଼ାର ଓସମାନାବାଦ ଜିଲ୍ଲା ତାକୱିକି ଗାଁରେ ରାତି ପାହି ଭୋର ହେବା କଥା ଘୋଷଣା କରେ ଗରା ଓ ମାଠିଆର ଠଣଠଣ ଧ୍ୱନି । ନିକଟସ୍ଥ ଜଳ ଉତ୍ସ ଆଡ଼କୁ ଲୋକେ ମାଡ଼ି ଚାଲନ୍ତି । ଦେଖୁ ଦେଖୁ ଅଣଓସାରିଆ ଗଳି ଭିତରେ ପାଣି ପାଇଁ ଆସିଥିବା ଲୋକେ ଓ ସେମାନଙ୍କ ଗରାମାଠିଆର ଧାଡ଼ି ଲମ୍ବିଯାଏ । ଧାଡ଼ିରେ ସବୁଠାରୁ ବଡ଼ ୬୦ରୁ ଅଧିକ ବର୍ଷର, ସବା ସାନ ପାଞ୍ଚ ବର୍ଷର ।

ଏହି ଧାଡ଼ିରେ ଠିଆ ହୋଇଛନ୍ତି ୧୪ ବର୍ଷୀୟ ପୃଥ୍ୱୀରାଜ ଶିର୍ସଥ ଏବଂ ୧୩ ବର୍ଷୀୟ ଆଦେଶ ଶିର୍ସଥ । ସେମାନଙ୍କ ଘର ସାମନାରେ ରହୁଥିବା ଜଣେ ଶିକ୍ଷକ ଗାଁ ଲୋକଙ୍କ ପାଇଁ ସପ୍ତାହକୁ ଦୁଇ ବା ତିନି ଥର ତାଙ୍କ ନଳକୂପ ଖୋଲିଦିଅନ୍ତି । ଖରାଛୁଟି ଚାଲିଛି ଏବଂ ଦୁଇ ଶିର୍ସଥ ସଂପର୍କୀୟ ଭାଇଙ୍କ ପାଖରେ ସ୍କୁଲ୍ଯିବୁ ବୋଲି କହି ପାଣି ଆଣିବାକୁ ନ ଯିବାର ବାହାନା ବି ନାହିଁ । ପୃଥ୍ୱୀରାଜ କହେ, “ପାଖରେ ଥିବା ଶିକ୍ଷକଙ୍କ ଘରୁ ପାଣି ନ ଆଣିଲେ ଆମକୁ ଗୋଟିଏ କିଲୋମିଟର ଯାଏ ଯିବାକୁ ପଡ଼େ ।” ସେ ଦେଢ଼ ଘଣ୍ଟାରେ ୧୫ ମାଠିଆ ପାଣି ଭରୁଥିବା ବେଳେ ୧୦ ମାଠିଆ ପାଣି ଭରିବାକୁ ଦୁଇ ଘଣ୍ଟା ନେଉଥିବା ତା’ର ସଂପର୍କୀୟ ଭାଇକୁ ଥଟ୍ଟା କରୁ କରୁ ସେ ଏହା କହେ । ଅଳ୍ପ ହସି ଆଦେଶ ଜବାବ ଦିଏ, “ତମେ ତ ମତେ କେବେ ସାଇକେଲ ଦିଅନାହିଁ ।”

କିଛି ଦୂରରେ, ୪୦ ବର୍ଷୀୟା ଛାୟା ସୂର୍ଯ୍ୟବଂଶୀ ବି ଏତେଟା ଆଶାୟୀ ନୁହନ୍ତି । ପ୍ରଖର ଖରାରେ ତାଙ୍କୁ କ୍ଷେତରେ ଚାଲି ଚାଲି ଯିବାକୁ ହୁଏ । ତାଙ୍କ ପାଇଁ ସବୁଠାରୁ ପାଖ ଜଳ ଉତ୍ସ ହେଲା ଅନ୍ୟ ଏକ ନଳକୂଅ, ଯାହା ତାଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି । ତାଙ୍କ ସ୍ୱାମୀ ଚାଷଜମିରେ କାମ କରୁଥିବା ବେଳେ ପାଣି ଭରିବା ଦାୟିତ୍ୱ ତାଙ୍କର । ମୁଣ୍ଡରେ ଥିବା ପାଣିମାଠିଆକୁ ଡାହାଣ ହାତରେ ଧରି ସେ କହନ୍ତି, “ମୋର ଛଅ ଜଣିଆ ପରିବାର ପାଇଁ ଦିନକୁ ୧୫ ମାଠିଆ ପାଣି ଦରକାର ।” ତାଙ୍କ ବାମହାତ ତଳେ ଅଣ୍ଟାରେ ଆଉ ଏକ ପାଣି ମାଠିଆ ଥାଏ । “ଥରକରେ ମୁଁ ଦୁଇ ମାଠିଆ ପାଣି ନେଇପାରିବି । ତଥାପି ମୋତେ ୭-୮ ଥର ଯା’ଆସ କରିବା ଦରକାର ହୁଏ । ଥରେ ଯା’ଆସ କରିବାକୁ ଠିକ୍୩୦ ମିନିଟ୍ରୁ କିଛିଟା କମ୍ସମୟ ଲାଗେ । ହେଲେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା (୨୦୧୬ରେ ଭଲ ବର୍ଷା ହୋଇଥିବା କାରଣରୁ) ଏ ବର୍ଷଟା ଭଲ।”

PHOTO • Parth M.N.

ଖରାଛୁଟି ପାଇଁ ସେମାନଙ୍କ ସ୍କୁଲ୍ବନ୍ଦ ଥିବାରୁ ପୃଥ୍ୱୀରାଜ (ବାମ) ଓ ଆଦେଶ ଶିର୍ସଥ ଘର ପାଇଁ ପାଣି ଆଣିବାରେ ସକାଳବେଳା ବିତାନ୍ତି

ଖରାଦିନେ ତାକୱିକିର ୪୦୦୦ ବାସିନ୍ଦାଙ୍କ ପାଇଁ ଏହା ହିଁ ଜୀବନ । ମହାରାଷ୍ଟ୍ରର ଏସବୁ ମରୁଡ଼ି ପ୍ରବଣ ଅଞ୍ଚଳରେ ପାଣି ପାଇଁ ନିତିଦିନିଆ ସଂଘର୍ଷ ଏବଂ ଏହା ପାଇବାକୁ ଲାଗୁଥିବା ସମୟ ଓ ଉଦ୍ୟମ ଯୋଗୁଁ ଗାଁ ଲୋକେ ନଳକୂଅ ପ୍ରତି ଅତିମାତ୍ରାରେ ଅନୁରକ୍ତ ହୋଇପଡ଼ିଲେଣି ।

ପାଣି ପାଇଁ ନିଜସ୍ୱ ଉତ୍ସଟିଏ ଥିବା କେବଳ ଯେ ଜୀବନଯାପନକୁ ସହଜ କରେ ତାହା ନୁହେଁ, ଏହା ମଧ୍ୟ କ୍ଷମତା ଓ ସାମାଜିକ ପ୍ରତିଷ୍ଠା ପ୍ରଦାନ କରେ। ଶିକ୍ଷକ ଜଣକ ତାକୱିକିରେ ମୁଣ୍ଡ ଟେକିବାଟ ଚାଲନ୍ତି । ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ନିଜ ନଳକୂପକୁ ଖୋଲି ଦେବା ଭଳି ଉଦାରତା ପାଇଁ ତାଙ୍କୁ ଲୋକେ ପ୍ରଶଂସା କରନ୍ତି ।

ହେଲେ ଏତେ ଉଦାର ହୋଇନଥିବା ଲୋକେ ଜଳାଭାବ ସ୍ଥିତିର ଫାଇଦା ନେଇ ଏକ ସମୃଦ୍ଧ ବ୍ୟବସାୟ ଚଳାନ୍ତି । ଛାୟା କହନ୍ତି, “ପ୍ରତି ୧୫ ଲିଟର ପାଣି ପାଇଁ ମୁଁ ୨ ଟଙ୍କା ଦିଏ ।” ଠିକ୍ଜାଗାରେ ନଳକୂଅଟିଏ ଖୋଳିପାରିଥିବା ଭାଗ୍ୟବାନ ଗାଁ ଲୋକଙ୍କ ପାଖରୁ ଅନେକ ଲୋକ ପାଣି କିଣନ୍ତି ।

PHOTO • Parth M.N.

ପ୍ରତି ସପ୍ତାହରେ କିଛି ଥର ଗାଁ ଲୋକଙ୍କ ପାଇଁ ନିଜର ନଳକୂଅ ଖୋଲି ଦେଉଥିବା ତାକୱିକି ଗାଁର ଜଣେ ଶିକ୍ଷକଙ୍କ ଘର ବାହାରେ କମଳା ରଙ୍ଗ ମାଠିଆର ଧାଡ଼ି ଲାଗିଛି

ମରାଠୱାଡ଼ାର ଏହି କୃଷି କ୍ଷେତ୍ରରେ ପାଣି ପାଇବାକୁ ଜାଗା ଖୋଜି ଖୋଜି ଅନେକ ଲୋକ ସର୍ବସ୍ୱାନ୍ତ ହୋଇଛନ୍ତି । ନଳକୂଅଟିଏ ଖୋଳିବା ଏକ କଷ୍ଟସାଧ୍ୟ ବ୍ୟାପାର । ଫଳାଫଳ ସଂପୂର୍ଣ୍ଣ ଅନିଶ୍ଚିତ ହୋଇଥିଲେ ବି ଏଥିରେ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଯଦି ଜଣେ ଚାଷୀ ଖୋଳୁଥିବା ସ୍ଥାନରୁ ପାଣି ନ ବାହାରେ, ତେବେ ଟଙ୍କା ପାଣିରେ ପଡ଼େ । ହେଲେ, ସଫଳତାର ସହ ନଳକୂଅ ଖୋଳିବାର ଆଶା ଆଗରେ ବିଫଳ ନଳକୂଅର ନିରାଶା ଫିକା ପଡ଼ିଯାଏ ।

୬୦ ବର୍ଷୀୟ ଦତ୍ତୁସିଂହ ବାୟସ ଗତ ତିନି ବର୍ଷ ଭିତରେ ତାଙ୍କର ୮ ଏକର ଚାଷଜମିରେ ଆଠଟି ନଳକୂଅ ଖୋଳିଛନ୍ତି, ଯେଉଁଥିରୁ କେବଳ ଗୋଟିଏ ଏବେ ବ୍ୟବହାରଯୋଗ୍ୟ । ଏଥିରୁ ତାଙ୍କୁ ଦୈନିକ ପ୍ରାୟ ୧୦୦ ଲିଟର ପାଣି ମିଳେ । ତାଙ୍କର ହରଡ଼ ଓ ସୋୟାବିନ୍କ୍ଷେତରେ ଠିଆ ହୋଇ ସେ କହନ୍ତି, “ମୁଁ ମୋର ଚାଷଜମି ଓ ପଶୁଧନର ଦେଖାରଖା କରିବା ଲାଗି ଅନ୍ୟ ଉପାୟ କଥା ଚିନ୍ତା କରିପାରିଲି ନାହିଁ । ମୋ ପାଖରେ ପର୍ଯ୍ୟାପ୍ତ ପାଣି ନ ଥିବାରୁ ଗତ ବର୍ଷ ମୋର ଆଠଟି ବଳଦରୁ ତିନିଟିକୁ ମୋତେ ଛାଡ଼ି ଦେବାକୁ ପଡ଼ିଲା ।”

ପାଣି ଖୋଜିବା ସକାଶେ ବାୟସଙ୍କୁ, ସାହୁକାରମାନଙ୍କ ନିକଟରୁ ୩ ଲକ୍ଷରୁ ଅଧିକ ଟଙ୍କା ଋଣ କରିବାକୁ ପଡ଼ିଛି । ସେ କହନ୍ତି, “ଦିନକୁ ଦିନ ସୁଧହାର ବଢ଼ିବାରେ ଲାଗିଛି’’। ବାୟସଙ୍କ ଦୁଇ ପୁଅ ଶ୍ରମିକ ଭାବେ କାମ କରନ୍ତି ଏବଂ ଦୁଇ ଝିଅ ବିବାହ କରିସାରିଛନ୍ତି । ‘‘କିନ୍ତୁ ମୁଁ ବି ଗାଁରେ ବଢ଼େଇ ଭାବେ କାମ କରେ । ଦିନକୁ ହାରାହାରି ୫୦୦ ଟଙ୍କା ରୋଜଗାର କରେ । ଏହା ହିଁ ଏହି ସଂକଟ ଭିତର ଦେଇ ଜୀବନକୁ ଆଗେଇ ନିଏ’’।

PHOTO • Parth M.N.

କେମିତି ଆଠଟି ନଳକୂଅ ଖୋଳିବା ଲାଗି ତାଙ୍କର ଋଣଭାର ୩ ଲକ୍ଷ ଟଙ୍କାରୁ ଅଧିକ ହେଲା ସେ ସଂପର୍କରେ ଦତ୍ତୁସିଂହ ବାୟସ କହନ୍ତି, ‘‘ପାଣିପାଇଁ ବିକଳ ହୋଇ ଆପଣ ଖୋଳିବାରେ ଲାଗି ଯାଆନ୍ତି”

ମରାଠୱାଡ଼ାର ଅଧିକାଂଶ ନଳକୂପ ଜୁନ୍ର ୩-୪ ମାସ ଆଗରୁ ଖୋଳାଯାଏ । ଯେତେବେଳେ କି ପ୍ରାକୃତିକ ଜଳାଶୟଗୁଡ଼ିକ ଶୁଖିବାରେ ଲାଗେ ଏବଂ ଚାଷଜମି ଓ ଗୃହପାଳିତ ପଶୁଙ୍କ ରକ୍ଷଣାବେକ୍ଷଣ କଷ୍ଟକର ହୁଏ । ମରାଠୱାଡ଼ାରୁ କୌଣସି ନଦୀ ବାହାରି ନାହିଁ ଏବଂ ନଳକୂପକୁ ବାଦ ଦେଲେ ଚାଷୀମାନଙ୍କ ପାଖରେ ଆଉ ବେଶୀ ବିକଳ୍ପ ବି ନାହିଁ । ଜଳାଭାବ ସାଙ୍ଗକୁ ପାଣିପାଗର ଅନିଶ୍ଚିତ ଧାରା ଏବଂ ଅଧିକ ପାଣି ଆବଶ୍ୟକ କରୁଥିବା ଆଖୁ ଭଳି ଫସଲକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ଯୋଜନା, ଚାଷୀମାନଙ୍କ ଦୁଃଖ ବଢ଼ାଇଛି । ଏବେ ଜଳାଭାବ ସମସ୍ୟା ଏତେ ବେଶୀ ହେଲାଣି ଯେ, କେବଳ ପିଇବା ପାଣି ପାଇବା ଉଦ୍ଦେଶ୍ୟରେ ନଳକୂଅ ପାଣି ଯଥେଷ୍ଟ ହୋଇଥିଲେ ହେଁ, ଆଜିକାଲି ମରାଠୱାଡ଼ାର ଚାଷୀମାନେ ଏହାକୁ ସେଚନ ପାଇଁ ବ୍ୟବହାର କରିବା ଆରମ୍ଭ କଲେଣି ।

ଭୂତଳ ଜଳ ନିଷ୍କାସନ ସଂପର୍କରେ ହୁଗୁଳା ଆଇନ ଯୋଗୁଁ ନଳକୂଅ ସଂଖ୍ୟା ବଢ଼ିବାରେ ଲାଗିଛି । ଏ କ୍ଷେତ୍ରରେ ମାତ୍ର ଦୁଇଟି ନିୟମ ରହିଛି ଏବଂ ତଥାପି ସବୁବେଳେ ଏହାର ଉଲ୍ଲଂଘନ କରାଯାଉଛି । ସାମ୍ବାଦିକମାନଙ୍କୁ ରାଜ୍ୟ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, କୌଣସି ଚାଷୀ ସର୍ବସାଧାରଣ ଜଳ ଉତ୍ସରୁ ୫୦୦ ମିଟର ଭିତରେ ଏବଂ ୨୦୦ ଫୁଟରୁ ଅଧିକ ଗଭୀର ନଳକୂଅ ଖୋଳିପାରିବେ ନାହିଁ । ହେଲେ ଅନେକ ସମୟରେ ଚାଷୀମାନେ ୧,୦୦୦ ଫୁଟ୍ଯାଏ ଖୋଳିଥାଆନ୍ତି । ବାୟସଙ୍କର ଆଠଟିରୁ ଚାରିଟି ନଳକୂଅ ୪୦୦ ଫୁଟ ଗଭୀର ଯାଏ ଯାଇଛି । ସେ କହନ୍ତି, “ପାଣି ପାଇଁ ବିକଳରେ ଆପଣ ଖୋଳିବାରେ ଲାଗି ଯାଆନ୍ତି।” ଏହା ଫଳରେ ଭୂତଳ ଜଳର ଗଭୀର ସ୍ତର ପ୍ରଭାବିତ ହୁଏ ଏବଂ ଏହା ପୂରଣ ହେବାକୁ ଶହ ଶହ ବର୍ଷ ଲାଗିଯାଏ । ଏହି ପ୍ରକ୍ରିୟା ଏ ଅଞ୍ଚଳ ପାଇଁ ପ୍ରଳୟଙ୍କରୀ ପ୍ରମାଣିତ ହେବାକୁ ଯାଉଛି ।

ରାଜ୍ୟ ସରକାରଙ୍କ ଭୂତଳ ଜଳ ସର୍ଭେ ଏବଂ ବିଭାଗୀୟ ସଂସ୍ଥା ଅନୁସାରେ, ଗତ ଋତୁରେ ୧୨୦ ପ୍ରତିଶତ ବୃଷ୍ଟିପାତ ସତ୍ତ୍ୱେ ମରାଠୱାଡ଼ାର ୭୬ଟି ତାଲୁକାରୁ ୫୫ଟିରେ ଭୂତଳ ଜଳସ୍ତର ଗତ ପାଞ୍ଚ ବର୍ଷର ହାରାହାରି ଜଳପୂର୍ତ୍ତି ତୁଳନାରେ ହ୍ରାସ ପାଇଛି । ବୀଡ୍(୧୧ଟି ତାଲୁକାରୁ ୨ଟି) ଏବଂ ଲାଟୁର (୧୦ଟି ତାଲୁକାରୁ ୪ଟି) ବ୍ୟତୀତ ଅନ୍ୟ ସମସ୍ତ ଛଅଟି ଜିଲ୍ଲାରେ ଏହି ସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ରହିଛି । ଓସ୍ମାନାବାଦର ୮ଟିରୁ ୫ଟିରେ, ଔରଙ୍ଗାବାଦର ସମସ୍ତ ୯ଟି ଏବଂ ନାନ୍ଦେଡ୍ର ୧୬ଟିରୁ ୧୬ଟି ତାଲୁକାରେ ଭୂତଳ ଜଳସ୍ତର ହ୍ରାସ ପାଇଛି ।

PHOTO • Parth M.N.

ମହାରାଷ୍ଟ୍ରର ସମଗ୍ର ମରାଠୱାଡ଼ା ଅଞ୍ଚଳରେ ଜଳସଂକଟ ଘନୀଭୂତ ହେବା ଯୋଗୁଁ ଜଳ ସଂଗ୍ରହ ପାଇଁ ଲୋକଙ୍କୁ ବହୁ ଦୂର ଯିବାକୁ ପଡ଼େ

ତଥାପି ଗୋଟିଏ ପରିବାର କେତୋଟି ନଳକୂପ ରଖିପାରିବ ତାହାର ସୀମା ନିର୍ଦ୍ଧାରଣ କରାଯାଇନାହିଁ । ଏ ସବୁ ଜିଲ୍ଲାରେ କେତୋଟି ନଳକୂପ ରହିଛି ତାହା ଜାଣିବାର ଉପାୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ଓସ୍ମାନାବାଦର ଭାରପ୍ରାପ୍ତ ଜିଲ୍ଲାପାଳ (ଏପ୍ରିଲରେ) ସୁନିଲ ଯାଦବ କହନ୍ତି ଯେ, ନଳକୂପଗୁଡ଼ିକର ଗଭୀରତା ସଂପର୍କିତ ତଥ୍ୟ ରଖିବା ଗ୍ରାମ ପଞ୍ଚାୟତର କାମ । କିନ୍ତୁ ସେମାନେ ଏହା କରୁନାହାନ୍ତି । ଯଦିବା ଅନ୍ତତଃ ଏହାର ତଦାରଖ ନିମନ୍ତେ ଜିଲ୍ଲାପାଳ ଓ ରାଜ୍ୟ ସରକାର ଦାୟୀ ।

ଜିଲ୍ଲାରେ କାର୍ଯ୍ୟ କରୁଥିବା ଏଜେଣ୍ଟମାନଙ୍କ ସଂଖ୍ୟା ବି ପ୍ରଶାସନ ପାଖରେ ନାହିଁ, ଅର୍ଥାତ୍ସେମାନଙ୍କ ପଞ୍ଜୀକରଣ କରାଯାଇନାହିଁ । ଓସ୍ମାନାବାଦ ଜିଲ୍ଲାରେ ବୁଲିବା ବେଳେ ପ୍ରତି ତିନି ମିନିଟ୍ର ଦୂରତାରେ ଆପଣ ଗୋଟିଏ ନଳକୂପ ଏଜେଣ୍ଟ ପାଇଯିବେ । ଏଜେଣ୍ଟମାନେ ନଳକୂପ ଖୋଳିବାରେ ଚାଷୀମାନଙ୍କର ସହାୟତା କରନ୍ତି ।

ତାକୱିକି ଗାଁ ଉପକଣ୍ଠର ଏଜେଣ୍ଟମାନଙ୍କ ଭିତରୁ ଜଣେ, ଦୟାନନ୍ଦ ଧାଗେ କହନ୍ତି, ଏପ୍ରିଲ ଶେଷ ସପ୍ତାହରେ ସେ ୩୦ରୁ ଅଧିକ ଚାଷୀଙ୍କୁ ନଳକୂପ ଖୋଳିବାରେ ସହାୟତା କରିଛନ୍ତି । ସେ କହନ୍ତି, “ଚାଷୀମାନେ ଆମ ସହ ଯୋଗାଯୋଗ କରନ୍ତି ଏବଂ ସେମାନଙ୍କ ପାଇଁ ଯନ୍ତ୍ରପାତି ଏବଂ ନଳକୂପ ଖୋଳା ମେସିନ୍ବସିଥିବା ଟ୍ରକ୍ବା ରିଗ୍ଯୋଗାଡ଼ କରିବା ଦାୟିତ୍ୱ ଆମର । ଚାଷୀମାନେ ଆମକୁ ନଗଦ ଟଙ୍କା ଦିଅନ୍ତି ଏବଂ ଆମେ ଟ୍ରକ୍ମାଲିକଙ୍କ ସହ ମାସିକିଆ ହିସାବ କରୁ ।”

ରିଗ୍ମାଲିକମାନଙ୍କ ମଧ୍ୟରୁ ଅଧିକାଂଶ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଏବଂ ସେମାନେ ଏଜେଣ୍ଟମାନଙ୍କ ଜରିଆରେ ମହାରାଷ୍ଟ୍ରରେ କାରବାର କରନ୍ତି । ମରାଠୱାଡ଼ାରେ ଚାଲିଥିବା ଏମିତି ଟ୍ରକ୍ସଂଖ୍ୟା ବି ଅଜଣା ରହିଛି ।

ସୁତରାଂ, ଏଠାକାର ସମଗ୍ର ଅର୍ଥନୀତି ଅନିୟନ୍ତ୍ରିତ ଏବଂ ସେବା କର ପଇଠ କରିବାର ପ୍ରଶ୍ନ ଉଠୁନାହିଁ । ଏଜେଣ୍ଟମାନେ ବା ଟ୍ରକ୍ମାଲିକମାନେ ଏଠାରେ କାରବାର କରିବା ଲାଗି କୌଣସି ଅନୁମତି ନେବା କିମ୍ବା ସେମାନେ କୌଣସି ନୀତିନିୟମ ମାନିବା ଆବଶ୍ୟକ କି ବୋଲି ପଚାରିବାରୁ ସୁନିଲ ଯାଦବ ଏବଂ ଭୂତଳ ଜଳ ବିଭାଗର ଜଣେ ଅଧିକାରୀ ସ୍ପଷ୍ଟ ଉତ୍ତର ଦେଲେ ନାହିଁ ।

ନଳକୂପ ନିୟନ୍ତ୍ରଣ ଲାଗି କୌଣସି ଆଇନ ପ୍ରଣୟନ ନ କରି ରାଜ୍ୟ ସରକାର ଖୋଲାଖୋଲି ଚାଲିଥିବା ବେଆଇନ କାରବାରକୁ ସମର୍ଥନ କରୁଛନ୍ତି । ନାମ ପ୍ରକାଶ ନ କରିବା ସର୍ତ୍ତରେ ଓସ୍ମାନାବାଦ ଜିଲ୍ଲା ବୋର୍ଡର ଜଣେ ଅଧିକାରୀ କହନ୍ତି. “ଏହି ପ୍ରସଙ୍ଗ ପ୍ରତି ଆଖି ବୁଜି ଦେଇ ସରକାର ନଳକୂପ ବଜାର ବଢ଼ାଇବାରେ ଲାଗିଛନ୍ତି । ନୀତିନିୟମ ନଥିବା ସ୍ଥିତିସଂକଟରୁ ଫାଇଦା ଉଠାଉଥିବା ଲୋକଙ୍କୁ ସୁହାଉଛି ।”

PHOTO • Parth M.N.

ଜଳ ପାଇଁ ବିକଳ: ତାକୱିକି ଗାଁରେ ପାଞ୍ଚ ବର୍ଷର ପିଲାମାନେ ବି ମାଠିଆ ଧରି ଧାଡ଼ିରେ ଠିଆ ହେଉଛନ୍ତି

ଏସବୁ ଭିତରେ, ତେଣେ ତାକୱିକି ଗାଁରେ, ବାୟସ କହନ୍ତି ଯେ ଟଙ୍କା ସଞ୍ଚିବା ଲାଗି ସେ ଅଧିକ ଘଣ୍ଟା କାମ କରୁଛନ୍ତି । ତାଙ୍କ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର କରଜ ରହିଛି । ତା’ ସାଙ୍ଗକୁ ଚାଷବାସ ଋତୁ ଆସିଗଲାଣି ଏବଂ ସେଥିରେ ଖଟାଇବା ସକାଶେ ତାଙ୍କର ଟଙ୍କା ଦରକାର । ହେଲେ ସେ ସେଥିପାଇଁ ସଞ୍ଚୁ ନାହାନ୍ତି । ମୁଁ ତାଙ୍କୁ ପଚାରିଲି, “କ’ଣ ଆଉ ଏକ ନଳକୂଅ ପାଇଁ ?” ମୋର ଅନୁମାନ ଭୁଲ ନ ଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.