html ସୋନଭଦ୍ରାର ସଂଘର୍ଷରେ ଅନଭ୍ୟସ୍ତ ନୁହେଁ

ଦିନେ ଦ୍ୱିପହର ସମୟରେ ମାଝୋଲି ଗ୍ରାମରେ ଥିବା ଇଟା ଓ କାଦୁଅରେ ତିଆରି ତାଙ୍କ ଘର ବାହାରେ ଏକ ଖଟ ଉପରେ ବସି, ସୁକାଲୋ ଗୋଣ୍ଡ ଥଟ୍ଟାରେ ଏକଥା କହିଥିଲେ ଯେ, “୫ ମାର୍ଚ୍ଚରେ ଆମ ସମ୍ପ୍ରଦାୟକୁ ଉଚ୍ଛେଦ କରାଯିବା ପାଇଁ ସୁପ୍ରିମ କୋର୍ଟର ନିଷ୍ପତି ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆମେମାନେ ରୋବର୍ଟ ଗଞ୍ଜ ସ୍ଥିତ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ ।’’

ଫେବୃୟାରୀ ୧୩,୨୦୧୯ରେ ସୁପ୍ରିମ୍‌କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ସେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ଜଙ୍ଗଲ ଅଧିକାର ନିୟମ (ଏଫ୍‌ଆର୍‌ଏ)ର ବୈଧତା ନେଇ, ବନ୍ୟପ୍ରାଣୀ ସଂରକ୍ଷଣ ଗ୍ରୁପ୍‌ ଦ୍ୱାରା ଦାଖଲ ପିଟିସନ ଉପରେ ସୁପ୍ରିମକୋର୍ଟ ୧୬ରୁ ଅଧିକ ରାଜ୍ୟରେ ଲକ୍ଷାଧିକ ଆଦିବାସୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ର ଜଙ୍ଗଲ ଅଧିକାର ଆଇନର ଉଦ୍ଦେଶ୍ୟ, ଜଙ୍ଗଲରେ ଅଧିବାସୀଙ୍କୁ ତାଙ୍କର ପାରମ୍ପରିକ ଜମି ଉପରେ ଅଧିକାର ଦେବା ସେମାନେ ଯୁଗ ଯୁଗ ଧରି ସାମାଜିକ ଅନ୍ୟାୟ ସହିଛନ୍ତି ତାହା ଦୂର କରିବା ।

“ଡି.ଏମ୍‌ଙ୍କ କାର୍ଯ୍ୟାଳୟକୁ ଯିବା ଅତ୍ୟନ୍ତ ଜରୁରୀ ଥିଲା,” ବୋଲି ନାତିନାତୁଣିଙ୍କ ମେଳରେ ରହି ସୁକଲୋ କହିଲେ । ‘ଆମକୁ ପରସ୍ପର ସହିତ ଓ ଜଙ୍ଗଲରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟ ସହିତ ମିଶି ଛିଡା ହେବାକୁ ହେବ। ଯଦିଓ ସୁପ୍ରିମ କୋର୍ଟରୁ ସ୍ଥଗିତାଦେଶ ଜାରି କରାଯାଇଛି, (କେନ୍ଦ୍ର ସରକାରଙ୍କ ତରଫରୁ ଅପିଲ କରାଯିବା ପରେ), ତଥାପି ଭାରପ୍ରାପ୍ତ ବ୍ୟକ୍ତିମାନଙ୍କ ଆଗରେ ଆମେ ଆମ ଅଧିକାର ମାଗିବାକୁ ଡରୁନାହୁଁ ବୋଲି ନିରନ୍ତର ଭାବେ ପ୍ରଦର୍ଶନ କରିବାକୁ ହେବ,’’ ସେ ହସିଲେ । “ଆମ ମଧ୍ୟରୁ ପ୍ରାୟ ୩୦ଜଣ ଡି.ଏମ୍‌ଙ୍କ କାର୍ଯ୍ୟାଳୟ ମଧ୍ୟକୁ ଅନଧିକାର ପ୍ରବେଶ କରିଥିଲେ, କିନ୍ତୁ ସେ ରାଗି ନଥଲେ ବା ଆମକୁ ସେହି ସ୍ଥାନ ଛାଡି ଚାଲିଯିବାକୁ କହିନଥିଲେ । ସେ ଆମମାନଙ୍କୁ ଫେରି ଆସିବାକୁ ଓ ତାଙ୍କ ସହିତ କଥା ହେବାକୁ କହିଥିଲେ । ସେ ବୋଧହୁଏ ନୂଆ ହୋଇଥିବାରୁ ଏପରି କଲେ ।’’

୨୦୧୬ ସେପ୍ଟେମ୍ବର ମାସରେ ମୁଁ ପ୍ରଥମ ଥର ପାଇଁ ସୁକାଲୋ ଗୋଣ୍ଡଙ୍କୁ ଉତ୍ତର ପ୍ରଦେଶର ରୋବର୍ଟସଗଞ୍ଜରେ ଅବସ୍ଥିତ ଅଲ୍‌ ଇଣ୍ଡିଆ ୟୁନିଅନ୍‌ ଅଫ୍‌ ଫରେଷ୍ଟ ୱାର୍କିଂ ପିପୁଲ୍‌ର କାର୍ଯ୍ୟାଳୟରେ  ( ‘ଆଇ ନ୍ୟୁ ଆଇ ୱାଜ୍‌ ଗୋଇଂଗ୍‌ ଟୁ ଜେଲ୍‌ ଦାଟ୍‌ ଡେ’ ଦେଖନ୍ତୁ) ଭେଟିଥିଲି । ଏଆଇୟୁଏଫ୍‌ଡବ୍ଲୁପି ( ଜଙ୍ଗଲ ବାସୀ ଓ ଜଙ୍ଗଲରେ କାର୍ଯ୍ୟରତ ଶ୍ରମିକମାନଙ୍କ ଏକ ଜାତୀୟ ଫୋରମ, ଯାହା ୧୯୯୬ରେ ଗଠିତ ହୋଇଥିଲା) ୨୦୧୩ରେ ଗଠନ କରାଯାଇଥିଲା । ବର୍ତ୍ତମାନ ଏଥିରେ ପ୍ରାୟ ୧୫ଟି ରାଜ୍ୟରୁ  ୧୫୦,୦୦୦ସଦସ୍ୟ ଅଛନ୍ତି । ଉତ୍ତର ପ୍ରଦେଶରେ ୟୁନିଅନ୍‌ ୧୮ଟି ଜିଲ୍ଲାରେ ସକ୍ରିୟ ଥିବାବେଳେ ଏଥିରେ ୧୦,୦୦୦ସଦସ୍ୟ ଅଛନ୍ତି ।

ଫେବୃୟାରୀ ୧୩,୨୦୧୯ରେ ସୁପ୍ରିମ୍‌କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶରେ, ଭାରତର ୧୬ରୁ ଅଧିକ ରାଜ୍ୟରେ ଲକ୍ଷ୍ୟାଧିକ ଆଦିବାସୀଙ୍କୁ ଉଚ୍ଛେଦ କରାଯଇ ପାରେ ବୋଲି ଉଲ୍ଲେଖ କରିଛନ୍ତି ।

ଭିଡିଓ ଦେଖନ୍ତୁ : ‘ଆମେମାନେ ଏହି ଭୂମିର ଲୋକମାନେ, ଆମେମାନେ ଏହାକୁ ଛାଡିବୁ ନାହିଁ

ବର୍ତ୍ତମାନ ତାଙ୍କ ବୟସ ୫୦ ବର୍ଷରୁ  ଅଧିକ ହେବ, ସୁକାଲୋଙ୍କ ପାଇଁ ଏହି  ସଂଘର୍ଷ ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ସେ ୨୦୦୬ରେ ୟୁନିୟନ୍‌ରେ ଯୋଗ ଦେଲେ ଓ ସେବଠାରୁ ଏହାର କୋଷାଧ୍ୟକ୍ଷ ହୋଇ ରହିଛନ୍ତି । ୟୁନିୟନ୍‌ର ଏକ ମୁଖ୍ୟ ଲକ୍ଷ୍ୟ ହେଉଛି ସମ୍ପ୍ରଦାୟଗୁଡିକ ଜମି ଉପରେ ସେମାନଙ୍କ ଅଧିକାର ଦାବି କରିବା ବେଳେ ଏଫ୍‌ଆର୍‌ଏ ବ୍ୟବହାର କରୁଛନ୍ତି କି ନାହିଁ ତାହା ତଦାରଖ କରିବା

ଜୁନ୍‌ ୨୦୧୫ରେ, ସୁକାଲୋ ରାଜ୍ୟରେ କାହ୍ନାର୍‌ ଜଳସେଚନ ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ଅଂଶଗ୍ରହଣ କରି ଏକମାସରୁ ଅଧିକ ସମୟ ପାଇଁ କାରାବରଣ କରିଥିଲେ । ଜୁନ୍‌ ୮,୨୦୧୮ରେ ଦ୍ୱିତୀୟ ଥର ପାଇଁ ତାଙ୍କୁ କିସ୍‌ମତ୍‌ ଗଣ୍ଡ, ଯାହାର ବୟସ ୩୦ ପାଖାପାଖି ହେବ ଓ ସୁକଦେବ ଗୋଣ୍ଡ, ଯାହାର ବୟସ ୫୦ରୁ ଅଧିକ ହେବ, ସେମାନଙ୍କ ସହିତ ଗିରଫ୍‌ କରାଯାଇଥିଲା ।

ସେମାନେ ସମସ୍ତେ ହେଉଛନ୍ତି ୟୁନିୟନ୍‌ର ସଦସ୍ୟ ଓ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ଲୋକ । ସେମାନେ ଲକ୍ଷ୍ନୌଠାରେ ବନ ବିଭାଗର ଅଧିକାରୀମାନଙ୍କ ସହିତ ସାକ୍ଷାତ ସାରି  ଫେରିବାବେଳେ, ସେମାନଙ୍କୁ ଚୋପାନ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଗିରଫ କରାଯାଇଥିଲା । ସେମାନଙ୍କ ବିପକ୍ଷରେ ୧୦ରୁ ଅଧିକ ମାମଲା ଦାଏର୍‌ କରାଯାଇଛି, ଯେଉଁଥିରେ ଆଇପିସି ଧାରା ୫୦୪ ( ଶାନ୍ତି ଭଙ୍ଗ ପାଇଁ ପ୍ରରୋଚିତ କରିବା ଅଭିଳାଷ) ଅଧୀନସ୍ଥ ମାମଲା ମଧ୍ୟ ସାମିଲ ଅଛି। ଦିନ ଶେଷରେ ସୁକାଲୋ ଓ କିସ୍‌ମତ୍‌ଙ୍କୁ ମିର୍ଜାପୁର ଜେଲ୍‌କୁ ପଠାଯାଇଥିଲା ଓ ସୁଖଦେବଙ୍କୁ ସୋନଭଦ୍ରା ଜେଲ୍‌କୁ ପଠା ଯାଇଥିଲା । ସୁଖଦେବ ଓ କିସ୍‌ମତ୍‌ଙ୍କୁ ସେପ୍ଟେମ୍ବର ମାସରେ ଜେଲ୍‌ରୁ ମୁକ୍ତ କରାଯାଇଥିବା ବେଳେ ସୁକାଲୋଙ୍କୁ ନଭେମ୍ବର ୨୦୧୮ରେ ଜେଲ୍‌ରୁ ଛଡା ଯାଇଥିଲା ।

“ଏହିଥର, ଜେଲ୍‌ ଭିନ୍ନ ଥିଲା । କ’ଣ ଆଶା କରାଯାଇ ପାରେ, ତାହା ମୁଁ ଜାଣିଥିଲି, କିନ୍ତୁ ମୁଁ ରାଗି ଯାଇଥିଲି, ଭୟଙ୍କର ଭାବେ ରାଗିଥିଲି; ମୋର ପୁରା ଶରୀର ରାଗରେ ଜଳି ଉଠୁଥିଲା । ମୋତେ ଜଣେ ସାଧାରଣ ଅପରାଧୀଙ୍କ ଭଳି ବ୍ୟବହାର କରାଯାଉଥିଲା! ସେ ସବୁ ମିଥ୍ୟା ମାମଲା ଥିଲା । ମୁଁ ଜାଣିଥିଲି ଯେ ପୋଲିସ୍‌ ଆମମାନଙ୍କୁ ଭୟଭୀତ କରିବା ପାଇଁ ଏହିପରି କରୁଛି । ମୁଁ ନ୍ୟାୟ ସଙ୍ଗତ ରାସ୍ତାରେ ମୋର ଅଧିକାର ପାଇଁ ଲଢେଇ କରୁଛି – ସେଥିରେ କଣ ଭୁଲ ଅଛି ? ମୁଁ ଜେଲ୍‌ର ଖାଦ୍ୟ ଗ୍ରହଣ କଲିନାହିଁ ।  ମୋର ସାଙ୍ଗମାନେ ମୋତେ ଦେଖା କରିବା ପାଇଁ ଆସିବା ବେଳେ ଯାହାକିଛି ଫଳ ଓ ଜଳଖିଆ ଆଣୁଥିଲେ, ମୁଁ ତାହା ଖାଇ ବଞ୍ଚିଲି’’ ।

ଠିକ୍‌ ଏହାପରେ, ସୁଖଦେବ ଓ କିସ୍‌ମତ୍‌, ସେମାନଙ୍କ ସହକର୍ମୀ ନନ୍ଦୁ ଗୋଣ୍ଡ, ଯାହାକୁ ପାଞ୍ଚ ଦିନ ପୂର୍ବେ ଗିରଫ କରାଯାଇଥିଲା, ତାଙ୍କ ବିଷୟରେ ଆଲୋଚନା କରିବା ପାଇଁ ସୁକାଲୋଙ୍କ ଘରେ ଆସି ପହଞ୍ଚିଲେ । ମିଟିଂ ଚାଲିଥିବା ବେଳେ, ତାଙ୍କୁ କେଉଁ ପୋଲିସ୍‌ ଷ୍ଟେସନ୍‌ରେ ରଖାଯାଇଛି, ସେ ବିଷୟରେ ସେମାନଙ୍କ କୌଣସି ଧାରଣା ନଥିଲା ଓ ସେମାନେ ତାଙ୍କ ପାଇଁ ଚିନ୍ତିତ ଥିଲେ । ସେମାନେ ଏହା ଭାବିଲେ ଯେ ବୋଧହୁଏ ଏଫ୍‌ଆର୍‌ଏ ବ୍ୟବହାର କରିବା ପାଇଁ ତାଙ୍କ ସମ୍ପ୍ରଦାୟର ଲୋକମାନଙ୍କୁ ପ୍ରରୋଚିତ କରିବା ପାଇଁ ଚେଷ୍ଟା କରୁଥିବାରୁ ତାଙ୍କୁ ଗିରଫ୍‌ କରାଯାଇଥିବ । କାହାକୁ କଲ୍‌ କରାଯିବ, ଅଧିକ ସଂଖ୍ୟକ ଲୋକମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ‘ଫୋନ୍‌ ଟ୍ରି’ କିଭଳି ଭାବେ ଗଠନ କରାଯାଇ ପାରିବ ଓ ସେମାନେ କାହିଁକି ନିରନ୍ତର ଭାବେ ଏହି ବିଷୟକୁ ଉଜ୍ଜୀବିତ ରଖିବେ, ସୁକାଲୋ ସେ ସମ୍ବନ୍ଧରେ କେତେକ ପରାମର୍ଶ ପ୍ରଦାନ କଲେ । (ନନ୍ଦୁ ଗୋଣ୍ଡଙ୍କୁ ତାପରେ ଜେଲ୍‌ରୁ ଛାଡି ଦିଆ ଯାଇଥିଲା ।)

Left to right: Sukhdev, Sukalo, and Keesmat
PHOTO • Sweta Daga
Sukalo making phone calls to other community members
PHOTO • Sweta Daga

ବାମ : ଅଲ୍‌ ଇଣ୍ଡିଆ ୟୁନିୟନ୍‌ ଅଫ୍‌ ଫରେଷ୍ଟ ୱାର୍କିଂ ପିପୁଲ : ସୁଖଦେବ, ସୁକାଲୋ ଓ କିସ୍‌ମତ୍‌ । ଡାହାଣ : ଓ (ଡାହାଣ) ସୁକଲୋ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନଙ୍କୁ ଫୋନ୍‌ କଲ୍‌ କରୁଛନ୍ତି

ଜେଲ୍‌ରେ ରହିବା କେତେ ଭୟଙ୍କର ହୋଇପାରେ ସେ ବିଷୟରେ ସୁଖଦେବ କୁହନ୍ତି । “ଆମମାନଙ୍କୁ ଗିରଫ କରାଯିବାର ମାତ୍ର କିଛି ମାସ ପୂର୍ବେ ଆମେମାନେ ୟୁନିୟନ୍‌ରେ ଯୋଗ ଦେଇଥିଲୁ । ମୋତେ କାଳେ ମାରପିଟ କରିବେ, ଏକଥା ଭାବି ମୁଁ ଡରି ଯାଇଥିଲି, କାରଣ ଏହିପରି ପ୍ରକାରର କାହାଣୀ ଅନ୍ୟ ଗ୍ରାମବାସୀମାନଙ୍କଠାରୁ ଶୁଣିଛୁ । ଆମମାନଙ୍କୁ ପେଟପୁରା ଖାଇବାକୁ ମଧ୍ୟ ଦିଆଯାଉନଥିଲା ।’’

କିସ୍‌ମତ୍‌ କୁହନ୍ତି ଯେ ଏଥର ତାଙ୍କ ସାଙ୍ଗରେ ସୁକଲୋ ଥିବାରୁ ଏଠାରେ ସହଜରେ ରହିହେଲା କିନ୍ତୁ ପିଲାମାନଙ୍କ କଥା ବହୁତ ମନେ ପଡୁଥିଲା । “ମୁଁ କଣ ଆଶା କରିବା ଉଚିତ ତାହା ଜାଣି ପାରୁନଥିଲି କିନ୍ତୁ ସକଲୋଦିଦି ଶାନ୍ତ ଥିଲେ ଓ ଆମେମାନେ ମଧ୍ୟ । ମୁଁ ଭାବୁଥିଲି – କଣ ମୁଁ କେବେ ଜେଲ୍‌ରୁ ବାହାରି ପାରିବି? କେତଦିନ ପର୍ଯ୍ୟନ୍ତ ସେମାନେ ମୋତେ ଜେଲ୍‌ରେ ରଖିବେ କେଜାଣି?’’

ନନ୍ଦୁ ସହିତ ସମ୍ପର୍କରେ ରହିବା ପାଇଁ ସେମାନେ ଯୋଜନା ପ୍ରସ୍ତୁତ କଲେ । ମୁଁ ଲକ୍ଷ୍ୟ କରିଛି ଯେ ସୁକାଲୋ ଅଧିକାଂଶ ସମୟ ଫୋନରେ କଥା ହେବାରେ, ୟୁନିଅନ୍‌ର ସଦସ୍ୟମାନଙ୍କୁ ସଂଗଠିତ କରିବାରେ, ପ୍ରଶ୍ନର ଉତ୍ତର ଦେବାରେ, ସହାୟତା ପ୍ରଦାନ କରିବାରେ ବ୍ୟୟ କରିଥାନ୍ତି । ତାଙ୍କ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଆଧାର କାର୍ଡ ବିଷୟରେ ଜାଣିବା ପାଇଁ ବା ରାସନ୍‌ ପ୍ରାପ୍ତ କରିବା ପାଇଁ ତାଙ୍କୁ କଲ୍‌ କରିଥାନ୍ତି ।

ନିଜ ଘର ଓ ପରିବାର ସହିତ ସଂଘର୍ଷକୁ ଏକଧାରରେ ପରିଚାଳନା କରିବା ପାଇଁ ଚେଷ୍ଟା କରିବା ବେଳେବେଳେ ଅତ୍ୟନ୍ତ କ୍ଲାନ୍ତିକର ମନେହୋଇଥାଏ, ବୋଲି ସୁକାଲୋ କୁହନ୍ତି । “ଯଦିଓ ବର୍ତ୍ତମାନ ମୁଁ ଅଧିକ ମାତ୍ରାରେ ଯାତ୍ରା କରୁଛି ଓ ମୋର ପିଲାମାନଙ୍କ ବିଷୟରେ ଚିନ୍ତା କରୁଛି’’, “ତଥାପି ୟୁନିୟନ୍‌ର କାମ ନିଶ୍ଚିତ ଭାବେ କରିବାକୁ ହେବ,” ବୋଲି ସେ କୁହନ୍ତି ।

ଫେବୃୟାରୀ ୨୮,୨୦୧୯ରେ, ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆଦିବାସୀ ପରିବାରଗୁଡିକ ଦ୍ୱାରା କରାଯାଇଥିବା ଦାବି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କୁ କହିବା ସହିତ, ପିଟିସନ୍‌ ଅର୍ଡରକୁ ସ୍ଥଗିତ କରିଦେଇଛନ୍ତି ।

ବୁଧବାର, ଜୁଲାଇ ୨୪ରେ, ସୁପ୍ରିମକୋର୍ଟ ପୁଣିଥରେ ଉଚ୍ଛେଦ  ମାମଲାର ଶୁଣାଣି କରିବା ପାଇଁ ସ୍ଥିର କରାଯାଇଛି ।

ସୁକାଲୋ ଜାଣନ୍ତି ଯେ ସେମାନଙ୍କୁ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି । “ଏହା ଏପରି ନୁହେଁ ଯେ ଆମେମାନେ ସଙ୍ଗେସଙ୍ଗେ ଫଳ ଖାଇବା ପାଇଁ ଏହି ଗଛଗୁଡିକ ଲଗାଇଛେ । ଯେଉଁ ଲୋକମାନେ ଆମ ପରିଶ୍ରମର ଫଳ ଉପଭୋଗ କରିବେ, ସେମାନେ ଆସିବାକୁ ସମୟ ଅଛି । ସେମାନେ ହେଉଛନ୍ତି ଆମର ନାତିନାତୁଣି ଓ ମୁଁ ଏହି କାମ ସେମାନଙ୍କ ପାଇଁ କରୁଛି ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga