କମ୍ୟୁନିଟି ହଲ୍ ପରିସରରେ ସୈନିକ ତକଲିର ପ୍ରବେଶ ଦ୍ୱାରରେ ଏକ ଅମର ଯବାନ ସ୍ମାରକୀ ଛିଡା ହୋଇଛି। ଏଥିରେ ଗାଁର ୧୮ ଜଣ ସଶସ୍ତ୍ର ବାହିନୀର ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇଛି ଯେଉଁମାନେ ଯୁଦ୍ଧରେ ପ୍ରାଣ ହରାଇଥିଲେ।

ମହାରାଷ୍ଟ୍ରର ଶିରୋଲ ତାଲୁକର କୋଲ୍ହାପୁର ସହରଠାରୁ ୫୦ କିଲୋମିଟର ଦୂରରେ ଥିବା ସୈନିକ ତକଲିର ଏକ ଦୀର୍ଘ ସାମରିକ ଇତିହାସ ରହିଛି - କେତେକ ପୁରୁଷାନୁକ୍ରମେ ପ୍ରାୟ ୫,୫୦୦ ଜନବିଶିଷ୍ଟ ଏହି ଗାଁର ପ୍ରାୟ ପ୍ରତ୍ୟେକ ପରିବାର ଭାରତୀୟ ସଶସ୍ତ୍ର ସେନା ବାହିନୀରେ ସେବା କରିବାକୁ ଜଣେ ସୈନିକ ପଠାଇଛନ୍ତି।

ସୈନିକମାନଙ୍କ କଲ୍ୟାଣ ପାଇଁ ଏକ ସଙ୍ଗଠନ ସୈନିକ ସମାଜ କଲ୍ୟାଣ ମଣ୍ଡଳ ୨୦୦୭ ରେ ଏହି ସ୍ମାରକୀ ନିର୍ମାଣ କରିଥିଲେ। ମଣ୍ଡଳର ସଭାପତି ତଥା ସୈନିକ ତକଲିର ବାସିନ୍ଦା ଲେଫ୍ଟନାଣ୍ଟ ବାବାସାହେବ ସୀତାରାମ ପାଟିଲ କହିଛନ୍ତି ଯେ, ୩୬ ବର୍ଷ ସେବା ପରେ ୨୦୦୩ ରେ ଭାରତୀୟ ନୌସେନାରୁ ଅବସର ନେଇଥିଲେ। "ଗାଁରେ ପ୍ରାୟ ୧୨୦୦ ପରିବାର ଅଛନ୍ତି। ପୂର୍ବରୁ ପ୍ରତ୍ୟେକ ପରିବାରର ଅତି କମ୍‌ରେ ଜଣେ ସଦସ୍ୟ ସଶସ୍ତ୍ର ବାହିନୀରେ ଯୋଗ ଦେଇଥିଲେ। କିନ୍ତୁ ଆଜିକାଲି [ସଶସ୍ତ୍ର ବାହିନୀରେ] ଚାକିରିର ଅଭାବ ଦେଖାଦେଇଛି। ଯଦିଓ ଗାଁର ଲୋକମାନେ ଚେଷ୍ଟା କରୁଛନ୍ତି, ଏବେ ସେଠାରେ କଡ଼ା ପ୍ରତିଯୋଗିତା ଚାଲିଛି ଏବଂ ସେନାରେ ଯୋଗଦେବା ସଂଖ୍ୟା ହ୍ରାସ ପାଇଛି।”

PHOTO • Sanket Jain

ବାମ : ସୈନିକ ସମାଜ କଲ୍ୟାଣ ମଣ୍ଡଳର ମୁଖ୍ୟ ଲେଫ୍ଟନାଣ୍ଟ ବାବାସାହେବ ପାଟିଲ. ଡାହାଣ : ତାଙ୍କ କୃଷି ବ୍ୟବସାୟରୁ ସଂଗୃହିତ ପାଣ୍ଠିରେ ସ୍ୱରାଜ କ୍ୟାରିୟର ଏକାଡେମୀ ସ୍ଥାପନ କରିଥିବା ବିନୋଦ ପାଟିଲ

ସୈନିକ ତକଲି ସାମରିକ ସଂଯୋଗ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ ବ୍ରିଟିଶ ସୈନ୍ୟ ବାହିନୀରେ ସୈନ୍ୟ ସଂଖ୍ୟା କମ୍‌ ଥିଲା ଏବଂ ଏହି ଗାଁର ଅନେକ ଲୋକ ତାଲିକାଭୁକ୍ତ ହୋଇଥିଲେ। ୧୯୬୮ ମସିହାରେ, ଯେତେବେଳେ ସେନାଧ୍ୟକ୍ଷ ଜେନେରାଲ୍ ପରମାଶିବ ପ୍ରଭାକର କୁମାରମଙ୍ଗଲମ୍ ତକଲି ପରିଦର୍ଶନ କରିଥିଲେ ଏବଂ ଏହାର ଅନନ୍ୟ ସାମରିକ ଅବଦାନ ବିଷୟରେ ଜାଣିଲେ, ସେତେବେଳେ ସେ ଗ୍ରାମରେ 'ସୈନିକ' (ସୋଲଜର୍) ଉପସର୍ଗ ଯୋଡିଥିବା କୁହାଯାଉଛି। ସେହିଦିନଠାରୁ ଏହା ସୈନିକ ତକଲି ଭାବରେ ଜଣାଶୁଣା |

ପାଟିଲ କୁହନ୍ତି, କିନ୍ତୁ ଏହି ଗାଁର ଯବାନ ଏବଂ ସେମାନଙ୍କ ପରିବାର ବର୍ଗ, ସେମାନଙ୍କ ପ୍ରାପ୍ୟ ଏବଂ ସମ୍ମାନ ଏପର୍ଯ୍ୟନ୍ତ ପାଇନାହାନ୍ତି। ସେ ପରିଚାଳନା କରୁଥିବା ସୈନିକମାନଙ୍କ କଲ୍ୟାଣ ପାଇଁ ସଙ୍ଗଠନ ୧୯୭୮ ରେ କ୍ୟାପଟେନ ବାପୁସାହେବ ଯାଦବଙ୍କ ଦ୍ୱାରା ସ୍ଥାପିତ କରାଯାଇଥିଲା; ପ୍ରାୟ ୬୫୦ ପୂର୍ବତନ କର୍ମଚାରୀ ଏବଂ ୨୫୦ କାର୍ଯ୍ୟରତ କର୍ମଚାରୀ [ଏହି ଗାଁର ସମସ୍ତ] ସଦସ୍ୟ ଅଟନ୍ତି। “ଆମେ ସେମାନଙ୍କର ଦେୟ [ଯେପରିକି ପେନସନ ଇତ୍ୟାଦି ] ଏବଂ ସରକାରୀ ଅଧିକାରର ଯତ୍ନ ନେଉଛୁ। ଅନେକ ଶିକ୍ଷିତ ନୁହଁନ୍ତି, ତେଣୁ ଆମେ ସେମାନଙ୍କ ପାଇଁ ସମସ୍ତ କାଗଜପତ୍ର କରିଥାଉ ବୋଲି ପାଟିଲ କୁହନ୍ତି |
PHOTO • Sanket Jain

ଲଲିତା କାମ୍ବଲେଙ୍କ ପିତା ଲିଙ୍ଗପ୍ପା ଚାଭ୍ରେ ସିଆଚେନରେ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ ସେତେବେଳେ ତାଙ୍କ ବୟସ ମାତ୍ର ନଅ ବର୍ଷ ହେଇଥିଲା

ଗ୍ରାମର ଯେଉଁମାନେ ସେମାନଙ୍କର ପ୍ରାପ୍ୟ ପାଇନଥିବାର ଅଭିଯୋଗ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଲଳିତା କାମ୍ବଲେ ୩୯, ଯାହାଙ୍କର ପିତା ଲିଙ୍ଗାପ୍ପା ଚାଭ୍ରେଙ୍କର ସିଆଚେନ ଖଣ୍ଡଯୁଦ୍ଧରେ ୧୯୮୭ରେ ସିଆଚେନଠାରେ ମୃତ୍ୟୁ ହୋଇଥିଲା - ସେ କହନ୍ତି, "ସେତବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲି ଏବଂ ମୋର ଭଉଣୀ ତୃତୀୟ ଶ୍ରେଣୀରେ, ମୋର ଭାଇ ଶିଶୁ ମନ୍ଦିରରେ ଏବଂ ମୋର ମାଆ ଚାରି ମାସର ଗର୍ଭବତୀ ଥିଲେ। ମୋର ବାପାଙ୍କର ବଳିଦାନ ପରେ ଆମେ ମାତ୍ର ୭୦୦ ଟଙ୍କା ପେନସନ ଏବଂ ୨୦,୦୦୦ଟଙ୍କା  [ ଏକକାଳୀନ ] ପାଇଥିଲୁ। ମୋର ମାଆ [ ଏବେ ଚାଲିଗଲେଣି ] ସେହି ୭୦୦ ଟଙ୍କାରେ ସମସ୍ତ ପରିବାରକୁ ଚଳାଉଥିଲେ।

ଲଲିତାଙ୍କ ଭାଇ ଜୀବନ ବେଲଗାଓଁ ସାମରିକ ତାଲିମ ଏକାଡେମୀରେ ନାମ ଲେଖାଇଥିଲେ, କିନ୍ତୁ ସେ ସେନାରେ ପ୍ରବେଶ କରିପାରିନଥିଲେ ଏବଂ ବର୍ତ୍ତମାନ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି। ଲଲିତା କିଛି ବର୍ଷ ପୂର୍ବେ ସ୍ୱାମୀଙ୍କୁ ହରାଇଥିଲେ। “ମୁଁ ମୋର [ପିତାଙ୍କ] ପେନସନ ପାଇପାରୁ ନାହିଁ ଏବଂ ଦର୍ଶାଯାଇଥିବା କାରଣ ହେଉଛି ଯେ ମୁଁ ବିବାହିତ ଏବଂ ମୋର ଏକ ପୁଅ ମଧ୍ୟ ଅଛି। ମୋ ଭାଇ ମଧ୍ୟ ପେନସନ୍ ପାଇନାହାଁନ୍ତି। ଯେତେବେଳେ ଆମେ ପୁଣେର ଅନ୍ଧ ମିଲିଟାରୀ କ୍ୟାମ୍ପରେ ଏହା ବିଷୟରେ ପଚାରିଥିଲୁ, ସେମାନେ ଆମକୁ କହିଥିଲେ ଯେ ସେମାନେ ଆମର ଅନୁରୋଧକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ନେଇଯିବେ। ଏହା ପରେ କିଛି ଘଟିନାହିଁ। ବର୍ତ୍ତମାନ ମୋର ସ୍ୱପ୍ନ ହେଉଛି ମୋର [୧୯ ବର୍ଷର] ପୁଅକୁ ସେନାରେ ଯୋଗଦେବା… ”
PHOTO • Sanket Jain

୩୦ ବର୍ଷ ପୂର୍ବେ ସୁଲତାଇ ପାଟିଲ ସ୍ୱାମୀଙ୍କୁ ହରାଇଥିଲେ, ଏବେ ମଧ୍ୟ ସରକାରଙ୍କ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି

ସୁଲତାଇ ପାଟିଲ ମଧ୍ୟ ତାଙ୍କ ପରିବାରର ପ୍ରାପ୍ୟକୁ ଅପେକ୍ଷା କରିଛନ୍ତି। ବିବାହର ଛଅ ମାସ ମଧ୍ୟରେ ସେ ୧୯୮୭ ରେ ଶ୍ରୀଲଙ୍କାର ଜାଫନାରେ ସ୍ୱାମୀଙ୍କୁ ହରାଇଥିଲେ। ସେ କୁହନ୍ତି, “ଅନେକ ଥର ପଚାରିବା ପରେ ମଧ୍ୟ ମୁଁ କୌଣସି କ୍ଷତିପୂରଣ ପାଇ ନାହିଁ। “ମୁଁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଅନେକ ଥର ଯାଇଥିଲି, କିନ୍ତୁ ସେମାନେ ମୋର ଅଭିଯୋଗକୁ ମଧ୍ୟ ଲିପିବଦ୍ଧ କରିନଥିଲେ। ରୋଜଗାର କରିବା ଏବଂ ଆମ ଘର ଚଳାଇବା ପାଇଁ ମୁଁ ଟେଲରିଂ ଆରମ୍ଭ କଲି, କିନ୍ତୁ ଏହା ଉପରେ ବଞ୍ଚିବା କଷ୍ଟକର। ସରକାର ଆମକୁ କିଛି କ୍ଷତିପୂରଣ କିମ୍ବା ଜମି ଦେବାକଥା। ”

PHOTO • Sanket Jain

‘ସ୍ୱରାଜ କ୍ୟାରିୟର ଏକାଡେମୀର କାନ୍ଥରେ ଚିତ୍ରିତ ଏକ ସ୍ଲୋଗାନରେ କୁହାଯାଇଛି ଯେ, 'ତୁମେ ତୁମର ନିଜ ଭାଗ୍ୟର ମୂର୍ତ୍ତିକାର'

ଡିସେମ୍ବର ୨୦୧୬ ରେ, ସଶସ୍ତ୍ର ବାହିନୀ ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ସ୍ୱରାଜ୍ୟ କ୍ୟାରିୟର ଏକାଡେମୀ, ସହିଦ ରାଓ ସାହେବ ଚାରିଟେବୁଲ ଫାଉଣ୍ଡେସନ୍ ଦ୍ୱାରା ଗାଁରେ ପ୍ରତିଷ୍ଠା କରାଯାଇଥିଲା । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ରାଓ ସାହେବ ପାଟିଲଙ୍କ ନାମରେ ଏହା ନାମିତ ହୋଇଥିଲା। ତାଙ୍କ କୃଷି ବ୍ୟବସାୟରୁ ଲବ୍ଧ ଅର୍ଥରେ ପାଣ୍ଠି ଯୋଗାଇ ଏକାଡେମୀ ପ୍ରତିଷ୍ଠା କରିଥିବା ବିନୋଦ ପାଟିଲ କୁହନ୍ତି, “ଅଧିକାଂଶ ପ୍ରାର୍ଥୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ ପାଇଁ କିପରି ପ୍ରସ୍ତୁତି କରିବାକୁ ହେବ ସେ ବିଷୟରେ ଜାଣିନାହାଁନ୍ତି । ମୁଁ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ଚାହିଁ ନଥିଲି, ତେଣୁ ମୁଁ କିଛି ଭିନ୍ନ କରିବା ପାଇଁ ଏହି ଏକାଡେମୀ ଆରମ୍ଭ କରିଥିଲି। ଏହି ଉପାୟରେ ମୁଁ ଅନେକ ଛାତ୍ରଙ୍କୁ ସଶସ୍ତ୍ର ବାହିନୀରେ ପହଞ୍ଚିବାରେ ସାହାଯ୍ୟ କରେ।” ସୈନିକ ତକଲି ଏବଂ ନିକଟବର୍ତ୍ତୀ ଗାଁର ପ୍ରାୟ ୨୫ ଜଣ ଛାତ୍ର ବର୍ତ୍ତମାନ ଏକାଡେମୀରେ ନାମ ଲେଖାଇଛନ୍ତି। ବିନୋଦଙ୍କ ମାମୁଁ କ୍ୟାପଟେନ ବସନ୍ତ ପାଟିଲ (ବର୍ତ୍ତମାନ ଅବସରପ୍ରାପ୍ତ) ଛାତ୍ରମାନଙ୍କ ପ୍ରଶିକ୍ଷଣର ଯତ୍ନ ନିଅନ୍ତି।

ନିକଟସ୍ଥ ସ୍ଥାନୀୟ ଛତ୍ରପତି ଶିବାଜୀ ବିଦ୍ୟାଳୟରେ କେତେକ ଯୁବ ଛାତ୍ର ଅଛନ୍ତି - ସେମାନଙ୍କ ମଧ୍ୟରୁ ଅନେକ କହିଛନ୍ତି ଯେ ସେମାନେ ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ଚାହାଁନ୍ତି, ଯଦିଓ ସେମାନଙ୍କ ପିତାମାତା ସୈନିକ ନଥିଲେ। ସେମାନଙ୍କ ମଧ୍ୟରୁ କେତେକ ନିଶ୍ଚିତ ଭାବରେ ଆସନ୍ତାକାଲିର ଯବାନ ହୋଇପାରନ୍ତି - ଏବଂ ସୈନିକ ତକଲି ସଠିକ୍ ଭାବରେ ଏହାର ନାମ ବଜାୟ ରଖିବ।

ଜାନୁଆରୀ ୩୦, ୨୦୧୭ରେ ଲେଖକଙ୍କର ବ୍ଲଗରେ ଏହି ପ୍ରବନ୍ଧର ଏକ ଭିନ୍ନ ସଂସ୍କରଣ ପ୍ରକାଶିତ ହୋଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE