ଶୀତଦିନ ଅପରାହ୍‌ଣରେ, କ୍ଷେତରେ କାମ ସରିଯିବା ପରେ ଏବଂ ପରିବାରର ଯୁବ ସଦସ୍ୟମାନେ କାମଧନ୍ଦା ପାଇଁ ବାହାରକୁ ଯାଇଥିବା ସମୟରେ, ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ ହର୍ସାନା କଲାନ ଗାଁର ପୁରୁଷମାନେ ପ୍ରାୟତଃ ଗାଁରଚୌପାଲ୍‌ରେ (ଗାଁ ଛକରେ) ବସି ତାସ୍‌ ଖେଳୁଥାଆନ୍ତି କିମ୍ବା ଛାଇରେ ବିଶ୍ରାମ ନେଉଥାଆନ୍ତି ।

ସେଠାରେ କେବେ ବି ମହିଳାମାନଙ୍କ ଦେଖା ମିଳେନାହିଁ ।

ଜଣେ ସ୍ଥାନୀୟ ବାସିନ୍ଦା ବିଜୟ ମଣ୍ଡଳ ପଚାରନ୍ତି, “ମହିଳାମାନେ ଏଠାକୁ କାହିଁକି ଆସିବେ? ନିଜ କାମରୁ ସେମାନଙ୍କୁ ଫୁର୍‌ସତ ମିଳେନି । ୱ କ୍ୟା କରେଙ୍ଗେ ଇନ୍‌ ବଡ଼େ ଆଦମୀୟୋଁ କେ ସାଥ୍‌ ବୈଠ୍‌ କର୍‌? (ଏଠି ବଡ଼ଲୋକମାନଙ୍କ ସାଙ୍ଗରେ ବସି ସେମାନେ ବା କ’ଣ କରିବେ) ?”

ଏଇ କିଛି ବର୍ଷ ତଳ ପର୍ଯ୍ୟନ୍ତ, ଦିଲ୍ଲୀଠାରୁ ମାତ୍ର ୩୫ କିଲୋମିଟର ଦୂର ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅନ୍ତର୍ଭୁକ୍ତ ପ୍ରାୟ ୫,୦୦୦ ଲୋକଙ୍କର ଏଇ ଗାଁରେ ପର୍ଦ୍ଦା  ପ୍ରଥା କିମ୍ବା ମହିଳାମାନେ ଓଢ଼ଣାଦେବା ପ୍ରଥା କଡ଼ାକଡି ଭାବେ ଅନୁସୃତ ହେଉଥିଲା ।

ମଣ୍ଡଳ କହନ୍ତି, “ମହିଳାମାନେ ଚୌପାଲ ଆଡ଼କୁ ଚାହୁଁ ବି ନଥିଲେ ।”ମୋଟାମୋଟି ଭାବେ ଗାଁର କେନ୍ଦ୍ରରେ ଥିବା ଏହି ସ୍ଥାନଟି ବୈଠକ ସ୍ଥଳ ଏବଂ ବିଭିନ୍ନ ବିବାଦର ସମାଧାନ ଲାଗି ଏଠାରେ ପଞ୍ଚାୟତ ବସେ । ହର୍ସାନା କଲାନର ଜଣେ ପୂର୍ବତନ ସରପଞ୍ଚ ସତୀଶ କୁମାର କହନ୍ତି, “ପହଲେ କି ଔରତ ସଂସ୍କାରୀ ଥି (ଆଗ କାଳରେ ମହିଳାମାନେ ପରମ୍ପରାକୁ ସମ୍ମାନ ଦେଉଥିଲେ)।”

ମଣ୍ଡଳ କହନ୍ତି, “ସେମାନଙ୍କ ପାଖରେ ମର୍ଯ୍ୟାଦା ଓ ସମ୍ମାନବୋଧ ଥିଲା।” ସ୍ମିତହାସ୍ୟରେ ତାଙ୍କ ମୁହଁରେ କୁଞ୍ଚନ ସୃଷ୍ଟି ହେଉଥିବା ବେଳେ କଥା ଯୋଡ଼ି ସେ କହନ୍ତି, “ଏମିତି କି ଚୌପାଲ ଆଡ଼କୁ ଚାଲି ଚାଲି ଆସୁଥିଲେ ବି ସେମାନେ ଓଢ଼ଣା ଦେଉଥିଲେ ।”

୩୬ ବର୍ଷୀୟା ସାଇରାଙ୍କ ପାଇଁ ଏସବୁରେ କିଛି ନୂଆ କି ଅଭିନବ ବିଷୟ ନଥିଲା । ଦିଲ୍ଲୀ ନିକଟ ତାଙ୍କ ନିଜ ଗାଁ ମାଜରା ଡବାସରୁ ୨୦ ବର୍ଷ ବୟସର ଜଣେ ବୋହୂ ଭାବରେ ଏହି ଗାଁକୁ ଆସିବା ଦିନଠାରୁ ଆରମ୍ଭ କରି ୧୬ ବର୍ଷ ହେଲା ସେ ଏହି ସବୁ ହୁକୁମ ପାଳନ କରି ଜୀବନ ବିତାଇ ଆସୁଛନ୍ତି । ସେ କେବଳ ତାଙ୍କ ପ୍ରଥମ ନାଁକୁ ବ୍ୟବହାର କରନ୍ତି । କିନ୍ତୁ ପୁରୁଷମାନଙ୍କକ୍ଷେତ୍ରରେ ନାମ ସହ ଉପନାମ ଯୋଡ଼ା ହୁଏ ।

ସିଲେଇ ମେସିନ୍‌ର ଛୁଞ୍ଚି ଏବଂ ବାଇଗଣୀ ରଙ୍ଗର କପଡ଼ା ମଝିରେ କୁଶଳତାର ସହ ହାତ ଚଳାଉଥିବା ସମୟରେ ସାଇରା କହନ୍ତି,“ବାହା ହେଲା ପୂର୍ବରୁ ମୁଁ ଯଦି ମୋ ସ୍ଵାମୀଙ୍କୁ ଭେଟିଥାଆନ୍ତି, ତାହେଲେ ମୁଁ ଏହି ବିବାହ ପାଇଁ ଆଦୌ ହଁ କହି ନଥାଆନ୍ତି । ଇସ୍‌ ଗାଓଁ ମେଁ ତୋ କତଇ ନା ଆତି (ଏଇ ଗାଁକୁ ଆସିବା ଲାଗି ତ ମୁଁ ଆଦୌ ରାଜି ହୋଇ ନଥାଆନ୍ତି) ।”(ଏହି ଲେଖାରେ ତାଙ୍କ ନାଁ ଏବଂ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁ ବଦଳାଇ ଦିଆଯାଇଛି ।)
Saira stitches clothes from home for neighborhood customers. 'If a woman tries to speak out, the men will not let her', she says

ପାଖ ପଡ଼ିଶାର ଗ୍ରାହକମାନଙ୍କ ପାଇଁ ସାଇରା ତାଙ୍କ ଘରେ ସିଲେଇ କାମ କରନ୍ତି । ସେ କହନ୍ତି, ‘ଯଦି ଜଣେ ମହିଳା କିଛି କହିବାକୁ ଚେଷ୍ଟା କରନ୍ତି, ପୁରୁଷମାନେ ତାଙ୍କୁ କହିବାକୁ ଦିଅନ୍ତିନି’

ସାଇରା କହନ୍ତି, “ଏ ଗାଁରେ ଯଦି ଜଣେ ମହିଳା କିଛି କହିବାକୁ ଚେଷ୍ଟା କରନ୍ତି, ପୁରୁଷମାନେ ତାଙ୍କୁ କହିବାକୁ ଦିଅନ୍ତିନି । ସେମାନେ କହନ୍ତି, ତୁମ ସ୍ଵାମୀ କହିପାରୁଥିବା ବେଳେ ତମର କହିବା କ’ଣ ଦରକାର? ମୋ ସ୍ଵାମୀ ବି ଭାବନ୍ତି ଯେ ମହିଳାମାନେ ଘର ଭିତରେ ହିଁ ରହିବା କଥା । ମୁଁ ଯଦି କପଡ଼ା ସିଲେଇ ପାଇଁ ଆବଶ୍ୟକ କିଛି ଜିନିଷ କିଣିବା ଲାଗି ଯିବାକୁ ବାହାରିବି, ସେ କହିବେ ଯେ ଘର ଭିତରେ ରହିବା ହିଁ ଭଲ ।”

ତାଙ୍କ ସ୍ଵାମୀ, ୪୪ ବର୍ଷ ବୟସ୍କ ସମୀର ଖାନ୍‌, ପାର୍ଶ୍ଵବର୍ତ୍ତୀ ଦିଲ୍ଲୀର ନରେଲାରେ ଥିବା ଏକ ଫ୍ୟାକ୍‌ଟ୍ରିରେ କାମ କରନ୍ତି । ଯେଉଁଠାରେ ସେ ତରଳ ପ୍ଲାଷ୍ଟିକ୍‌କୁ ଛାଞ୍ଚରେ ପକାନ୍ତି । ପ୍ରାୟତଃ ସେ ସାଇରାଙ୍କୁ କହନ୍ତି ଯେ, ମହିଳାମାନଙ୍କୁ ପୁରୁଷମାନେ କେଉଁ ଦୃଷ୍ଟିରେ ଦେଖନ୍ତି ସେ କଥା ସାଇରା ଜାଣିନାହାନ୍ତି । ବର୍ଣ୍ଣନା କରିବାକୁ ଯାଇ ସାଇରା କହନ୍ତି, “ସେ କହନ୍ତି, ତମେ ଯଦି ଘରେ ରହିବ ତେବେ ତମେ ନିରାପଦରେ ରହିବ:ବାହର ତୋ ଭେଡିୟେଁ ବୈଠେ ହୈଁ ( ବାହାରେ ଗଧିଆମାନେ ଜଗି ବସିଛନ୍ତି) ।

ତେଣୁ, ଜନଶ୍ରୁତିର ସେଇ ଗଧିଆମାନଙ୍କଠାରୁ ଦୂରରେ, ସାଇରା ଘରେ ବସି ରହନ୍ତି । ହରିୟାଣାର ସେହି ୬୪.୫ ପ୍ରତିଶତ ମହିଳାଙ୍କ ( ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ- 4 ,୨୦୧୫-୧୬) ସଦୃଶ, ଯେଉଁମାନଙ୍କୁ ବଜାର, ସ୍ଵାସ୍ଥ୍ୟ କେନ୍ଦ୍ର କିମ୍ବା ଗାଁ ବାହାରର କୌଣସି ସ୍ଥାନକୁ ଏକୁଟିଆ ଯିବା ମନା । ଝରକା ପାଖରେ ରଖାଯାଇଥିବା ଏକ ସିଲେଇ ମେସିନ୍‌ରେ ସେ ସବୁଦିନ ଅପରାହ୍‌ଣରେ ସିଲେଇ କରନ୍ତି । ସେଠି ପ୍ରଚୁର ସୂର୍ଯ୍ୟାଲୋକ ପଡ଼େ । ଯାହାକି ଦିନର ଏହି ସମୟରେ ବିଦ୍ୟୁତ୍‌ ଶକ୍ତି ରହୁ ନଥିବାରୁ ଆବଶ୍ୟକ ହୋଇଥାଏ । ଅପରାହ୍‌ଣର ଏଇ ସିଲେଇ କାମରୁ ତାଙ୍କୁ ମାସକୁ ପ୍ରାୟ ୨,୦୦୦ ଟଙ୍କା ମିଳେ । ତା ସାଙ୍ଗରେ ମିଳେ କିଛିଟା ଏକାନ୍ତ ମୁହୂର୍ତ୍ତ ଏବଂ ତାଙ୍କ ଦୁଇ ପୁଅ, ୧୬ ବର୍ଷର ସୋହେଲ ଖାନ୍‌ ଏବଂ ୧୪ ବର୍ଷର ସନ୍ନି ଅଲିଙ୍କ ପାଇଁ କିଛି ଜିନିଷ କିଣିବାର ସାମର୍ଥ୍ୟ । କ୍ଵଚିତ୍‌ ନିଜ ପାଇଁ ସାଇରା କିଛି ଜିନିଷ କିଣନ୍ତି ।

ସନ୍ନି ଜନ୍ମ ହେବାର କିଛି ମାସ ପରେ ସାଇରା ମହିଳାମାନଙ୍କ ବନ୍ଧ୍ୟାକରଣ ନିମନ୍ତେ ଉଦ୍ଦିଷ୍ଟ ଏକ ଗର୍ଭନିରୋଧକ ଅସ୍ତ୍ରୋପଚାର ପ୍ରକ୍ରିୟା ବଳରେ ନିଜର ଫାଲୋପିଆନ୍‌ ଟ୍ୟୁବ୍‌ ବା ଗର୍ଭଧାରଣ ନିମନ୍ତେ ଥିବା ଡିମ୍ବାଣୁବାହୀ ନଳୀକୁ ବନ୍ଦ କରିଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ସମୟରେ ତାଙ୍କର ଏହି ଚିନ୍ତାଧାରା ସଂପର୍କରେ ସ୍ଵାମୀ ସମୀର ଜାଣି ନଥିଲେ ।

ସଂପ୍ରତି ସୋନିପତ ଜିଲ୍ଲାରେ ୧୫ରୁ ୪୯ ବର୍ଷ ବୟସ୍କା ବିବାହିତା ମହିଳାମାନଙ୍କ କ୍ଷେତ୍ରରେ ଗର୍ଭନିରୋଧକ ପ୍ରଚଳନ ହାର ୭୮ ପ୍ରତିଶତ ରହିଛି (ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୪)-ଯାହାକି ହରିୟାଣାର ସାମଗ୍ରୀକ ହାର ୬୪ ପ୍ରତିଶତରୁ ଅଧିକ ।

ପୁଅ ଜନ୍ମ ହେବା ପରବର୍ତ୍ତୀ କିଛି ମାସ ଭିତରେ ଏହି ଅସ୍ତ୍ରୋପଚାର କରାଇ ନେବାକୁ ସାଇରା ଦୁଇ ଥର ଚେଷ୍ଟା କରିଥିଲେ । ପ୍ରଥମ ଥର ପାଇଁ ମାଜରା ଡବାସ ଗାଁରେ ତାଙ୍କ ବାପାମାଆଙ୍କ ଘର ନିକଟ ଡାକ୍ତରଖାନାକୁ ଯାଇଥିଲେ । ଯେଉଁଠାରେ କି ସେ ତ ବାହା ହେଲା ଭଳି ଦିଶୁନାହାନ୍ତି ବୋଲି ଡାକ୍ତରମାନେ ତାଙ୍କୁ କହିଥିଲେ । ଦ୍ଵିତୀୟ ଥର ପାଇଁ ସେ ପୁଣି ସେଇ ଏକା ହାସପାତାଳକୁ ଗଲେ ଏବଂ ନିଜକୁ ବିବାହିତା ବୋଲି ପ୍ରମାଣ କରିବାକୁ ସାଙ୍ଗରେ ପୁଅକୁ ନେଇଯାଇଥିଲେ । ସାଇରା କହନ୍ତି, “କିନ୍ତୁ ଡାକ୍ତର କହିଲେ ନିଜେ ନିଜେ ଏହି ନିଷ୍ପତ୍ତି ନେବା ଭଳି ବୟସ ମୋର ହୋଇନାହିଁ ।”

ତୃତୀୟ ଥରରେ, ତାଙ୍କ ବାପାମାଆଙ୍କ ସହ ରହୁଥିବା ସମୟରେ. ଦିଲ୍ଲୀର ରୋହିଣୀରେ ଥିବା ଏକ ଘରୋଇ ହାସପାତାଳରେ ସେ ଏହି ଅସ୍ତ୍ରୋପଚାର ପ୍ରକ୍ରିୟା କରାଇବାରେ ସଫଳ ହେଲେ ।

Only men occupy the chaupal at the village centre in Harsana Kalan, often playing cards. 'Why should women come here?' one of them asks
Only men occupy the chaupal at the village centre in Harsana Kalan, often playing cards. 'Why should women come here?' one of them asks

କେବଳ ପୁରୁଷମାନେ ହିଁ ତାସ୍‌ ଖେଳିବାକୁ ହର୍ସାନା କଲାନ୍‌ ଗାଁର ଚୌପାଲ ଅକ୍ତିଆର କରି ନିଅନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପଚାରନ୍ତି, “ଏଠାକୁ ମହିଳାମାନେ କାହିଁକି ଆସିବେ ?”

ଘଟଣାକ୍ରମକୁ ମନେ ପକାଇ ହସି ହସି ସାଇରା କହନ୍ତି, “ଏଥର ମୁଁ ମୋ ସ୍ଵାମୀଙ୍କୁ ମିଛ କହିଲି । ମୁଁ ମୋ ପୁଅକୁ ସାଙ୍ଗରେ ନେଇଗଲି ଏବଂ ଡାକ୍ତରଙ୍କୁ କହିଲି ଯେ ମୋ ସ୍ଵାମୀ ଜଣେ ନିଶାଖୋର ବ୍ୟକ୍ତି ।” କିନ୍ତୁ ସେ ଭଲଭାବେ ମନେ ରଖିଛନ୍ତି ଯେ କାହିଁକି ସେ ଏହା କରିବାକୁ ଏତେ ବ୍ୟଗ୍ର ହୋଇଉଠିଥିଲେ । “ଘର ଅବସ୍ଥା ଖରାପ ଥିଲା । ଅତ୍ୟାଚାର ଏବଂ ଏକ ଅନବରତ ସଂଘର୍ଷ । ନିଶ୍ଚିତ ଭାବରେ ମୁଁ କେବଳ ଏତିକି ଜାଣିଥିଲି ଯେ ମୁଁ ଆଉ ଅଧିକ ପିଲାଛୁଆ ଚାହୁଁ ନଥିଲି ।”

ତାଙ୍କ ଶରୀରରେ ଅସ୍ତ୍ରୋପଚାର ପ୍ରକ୍ରିୟା ହେବା ଦିନଟିକୁ ସାଇରା ମନେ ରଖିଛନ୍ତି: “ସେଦିନ ବର୍ଷା ହେଉଥିଲା । ମୁଁ ଦେଖିପାରୁଥିଲି ଯେ ହାସପାତାଳ ୱାର୍ଡ୍‌ର କାଚ ଦୁଆର ଆରପଟେ ଠିଆ ହୋଇଥିବା ମୋ ମାଆ କୋଳରେ ରହି ମୋ ସାନପୁଅ କାନ୍ଦୁଥିଲା । ଅନ୍ୟ ଯେଉଁ ମହିଳାମାନଙ୍କର ଅସ୍ତ୍ରୋପଚାର ହୋଇସାରିଥିଲା,ସେମାନେ ଗାଢ଼ ନିଦରେ ଶୋଇଥିଲେ (ନିଶ୍ଚେତକ ପ୍ରଭାବ ଯୋଗୁଁ) । ମୋ ପାଇଁ ଏହାର ପ୍ରଭାବ ଶୀଘ୍ର ସରିଯିବା ଭଳି ଲାଗିଲା । ମୋ ପୁଅକୁ ଖୁଆଇବା ଲାଗି ମୁଁ ଚିନ୍ତିତ ଥିଲି । ମୁଁ ଖୁବ୍‌ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲି ।”

ଏହା ଜାଣିବା ପରେ ସମୀର ତାଙ୍କ ସହ ମାସ ମାସ ଧରି କଥାବାର୍ତ୍ତା କଲେନାହିଁ । ସାଇରା ନିଜେ ନିଜେ ଏହି ନିଷ୍ପତ୍ତି ନେଇଥିବାରୁ ସେ ରାଗିଯାଇଥିଲେ । ସେ ଚାହୁଁଥିଲେ ଯେ ସାଇରା ଏକ ଇଣ୍ଟ୍ରାୟୁଟେରାଇନ୍‌ ଡିଭାଇସ୍‌ (IUD) ବା ଗର୍ଭାଶୟରେ ସ୍ଥାପନ କରାଯାଉଥିବା କପର୍‌-ଟି ଭଳି ଏକ ଉପକରଣ ବ୍ୟବହାର କରିଥାଆନ୍ତେ, ଯାହାକୁ କି ବାହାର କରାଯାଇ ପାରିଥାଆନ୍ତା । କିନ୍ତୁ ଆଉ ଅଧିକ ପିଲାଛୁଆ ଜନ୍ମ ନକରିବା ଲାଗି ସାଇରା ଦୃଢ଼ ନିଶ୍ଚିତ ଥିଲେ ।

ଅତୀତକୁ ମନେ ପକାଇ ସେ କହନ୍ତି, “ଆମର ଚାଷଜମି ଓ ମଇଁଷିଗୁଡ଼ିଏ ଅଛନ୍ତି । ପରିବାର ସହିତ ଏ ସବୁ ଦେଖାରଖା କରିବାର ଦାୟିତ୍ଵ ଏକୁଟିଆ ମୋ ଉପରେ ଥିଲା । ଆଇୟୁଡି ବ୍ୟବହାର କରିବା ବେଳେ ମୋର ଯଦି କିଛି ହୋଇଯାଇଥାଆନ୍ତା ତେବେ କ’ଣ ହୋଇଥାଆନ୍ତା ?”ଏହି ପ୍ରଶ୍ନ ଥିଲା, ମାତ୍ର୧୦ମ ଶ୍ରେଣୀ ପାସ୍‌ କରିଥିବା ଏବଂ ଜୀବନ ଓ ଗର୍ଭନିରୋଧକ ସଂପର୍କରେ ଖୁବ୍‌ କମ୍‌ ଧାରଣା ଥିବା ଜଣେ ଦ୍ଵିଧାଗ୍ରସ୍ତ ୨୪ ବର୍ଷୀୟା ମହିଳା ଭାବରେ ନିଜ ଅତୀତକୁ ନିରେଖି ଦେଖୁଥିବା ସାଇରାଙ୍କର ।

ସାଇରାଙ୍କ ମାଆ ଥିଲେ ନିରକ୍ଷର । କିନ୍ତୁ ବାପା ପାଠଶାଠ ପଢ଼ିଥିଲେ । ତଥାପି ସାଇରା ପାଠପଢ଼ା ଅବ୍ୟାହତ ରଖନ୍ତୁ ବୋଲି ସେ ଜୋର୍‌ଦେଇନଥିଲେ । ଛୁଞ୍ଚି ଉପରୁ ନଜର ଉଠାଇ ସେ କହନ୍ତି, “ଜଣେ ମହିଳା ଏକ ଗୃହପାଳିତ ପଶୁ ତୁଳନାରେ କିଛି ଅଧିକ ନୁହେଁ । ଆମ ମଇଁଷିଙ୍କ ଭଳି ଆମମାନଙ୍କର ମସ୍ତିଷ୍କ ବି ନିସ୍ତେଜ ହୋଇଯାଇଛି ।”

ସେ ଆହୁରି କହନ୍ତି, “ହରିଆଣା କେ ଆଦମୀ କେ ସାମ୍‌ନେ କିସି କି ନହିଁ ଚଲ୍‌ତି (ହରିୟାଣାର ଜଣେ ପୁରୁଷ ଆଗରେ ଠିଆ ହେବାକୁ କାହାରି ଜୁ ନାହିଁ) । ସେ ଯାହା କହିବେ ସେଇଆ ହିଁ କରାଯିବ । ଯଦି ସେ କହିବେ ଏଇଆ ରନ୍ଧା ହେବ, ତା ହେଲେ ସେଇଆ ରନ୍ଧାହେବ ହିଁ ହେବ– ଖାଦ୍ୟ, ଲୁଗାପଟା, ବାହାରକୁ ବୁଲିଯିବା, ସବୁକିଛି ଯାହା ସେ କହିବେ ।”ଜାଣି ହେଲାନି ଯେ ଠିକ୍‌ କେଉଁ ସମୟରେ ସାଇରା ତାଙ୍କ ସ୍ଵାମୀଙ୍କ ସଂପର୍କରେ କହିବା ବନ୍ଦ କରି ବାପାଙ୍କ ସଂପର୍କରେ କହିବା ଆରମ୍ଭ କଲେ ।
Wheat fields surround the railway station of Harsana Kalan, a village of around 5,000 people in Haryana
Wheat fields surround the railway station of Harsana Kalan, a village of around 5,000 people in Haryana

ହରିୟାଣାର ପ୍ରାୟ ୫,୦୦୦ ଲୋକଙ୍କର ଗାଁ ହର୍ସାନା କଲାନ୍‌ର ରେଳ ଷ୍ଟେସନକୁ ଘେରି ରହିଛି ଗହମ କ୍ଷେତ

ସାଇରାଙ୍କ ପଡ଼ିଶା ଘରେ ରହୁଥିବା ତାଙ୍କ ଯୌଥ ପରିବାରର ଜଣେ ସଦସ୍ୟା ୩୩ ବର୍ଷୀୟା ସାନା ଖାନ୍‌ (ଏହି ଲେଖାରେ ତାଙ୍କର ଏବଂ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁ ବଦଳାଇ ଦିଆଯାଇଛି) ହୁଏତ ଅଲଗା କିଛି ଅନୁଭବ କରୁଥିବେ ବୋଲି ଆପଣ ଆଶା କରୁଥିବେ । ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜଣେ ସ୍ଵୀକୃତ ଶିକ୍ଷୟିତ୍ରୀ ହେବାକୁ ଏବଂ ପ୍ରାଥମିକ ସ୍କୁଲ୍‌ରେ କାମ କରିବାକୁ ସେ ଚାହୁଁଥିଲେ । କିନ୍ତୁ ଘର ବାହାରକୁ ଯାଇ କାମ କରିବା କଥା ଯେତେବେଳେ ବି ଉଠିଲା, ଗୋଟିଏ ଆକାଉଣ୍ଟିଂ ସଂସ୍ଥାରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ତାଙ୍କ ସ୍ଵାମୀ ୩୬ ବର୍ଷୀୟ ରୁସ୍ତମ ଅଲି ତାଙ୍କୁ ପରିହାସ କରି କହନ୍ତି: “ତୁମେ ବାହାରକୁ ଯାଇ କାମ କର । ତା ବଦଳରେ ମୁଁ ଘରେ ରହିଯାଉଛି । ତମେ ଯାଇ ରୋଜଗାର କରି ଏକା ଏକା ପରିବାର ଚଳାଅ।”

ବହୁ ଦିନ ହେଲା ସାନା ଏ ସଂପର୍କରେ କଥାବାର୍ତ୍ତା କରିବା ବନ୍ଦ କରିଦେଇଛନ୍ତି । ତାଙ୍କ ରନ୍ଧାଘର ବାହାରେ ଠିଆ ହୋଇ ସେ କହନ୍ତି, “କହିଲେକି ଲାଭ ମିଳିବ ? କୌଣସିମତେ ଏହା ଯୁକ୍ତିତର୍କରେ ହିଁ ପରିଣତ ହେବ । ଏଇଟା ଏମିତି ଏକ ଦେଶ ଯେଉଁଠି ଆଗ ପୁରୁଷଙ୍କ କଥା ଉଠେ । ତେଣୁ, ମହିଳାମାନଙ୍କ ପାଇଁ ପରିସ୍ଥିତି ସହଖାପ ଖୁଆଇ ଚଳିବା ବ୍ୟତୀତ ଭିନ୍ନ ପନ୍ଥା ନାହିଁ ଏବଂ ଯଦି ସେମାନେ ତାହା ନ କରନ୍ତି, ତେବେ ଯୁକ୍ତିତର୍କ ହିଁ ହେବ ।”

ଅପରାହ୍‌ଣରେ ସାଇରା ସିଲେଇ କାମ କରିବା ଭଳି, ସାନା ମଧ୍ୟ ସେଇ ସମୟରେ ପ୍ରାଥମିକ ସ୍କୁଲ ପିଲାଙ୍କୁ ଘରେ ଟ୍ୟୁସନ୍‌ କରନ୍ତି ଏବଂ ମାସକୁ ୫,୦୦୦ ଟଙ୍କା ରୋଜଗାର କରନ୍ତି । ଯାହାକି ତାଙ୍କ ସ୍ଵାମୀଙ୍କ ରୋଜଗାରର ଅଧା । ଏଥିରୁ ଅଧିକାଂଶ ଭାଗ ସେ ତାଙ୍କ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି । ହେଲେ ହରିୟାଣାର ୫୪ ପ୍ରତିଶତ ମହିଳାଙ୍କ ଭଳି, ତାଙ୍କର ମଧ୍ୟ ବ୍ୟାଙ୍କରେ ଆକାଉଣ୍ଟଟିଏ ନାହିଁ, ଯାହାକୁ କି ସେ ନିଜେ ଚଳାଇପାରିବେ ।

ଆଗରୁ ସାନା ଜାଣିଥିଲେ ଯେ ସେ କେବଳ ଦୁଇଟି ସନ୍ତାନ ଚାହାଁନ୍ତି ଏବଂ ଦୁଇ ଥର ଗର୍ଭଧାରଣ ମଧ୍ୟରେ ବ୍ୟବଧାନ ରଖିବା ଲାଗି ଆଇୟୁଡି ଭଳି ଗର୍ଭନିରୋଧକ ପ୍ରଣାଳୀ ଅବଲମ୍ବନ କରିବା ବିଷୟରେ ବି ସେ ସଚେତନ ଥିଲେ । ସେ ଏବଂ ରୁସ୍ତମ ଅଲିଙ୍କର ତିନିଟି ସନ୍ତାନ ଅଛନ୍ତି-ଦୁଇଟି ଝିଅ ଏବଂ ଗୋଟିଏ ପୁଅ ।

୨୦୧୦ରେ ତାଙ୍କର ପ୍ରଥମ ଝିଅ ଆଶିୟା ଜନ୍ମ ନେବା ପରେ, ସାନା ସୋନିପତର ଏକ ଘରୋଇ ଡାକ୍ତରଖାନାରେ ଶରୀର ଭିତରେ ଆଇୟୁଡିଲଗାଇ ଆସିଥିଲେ । ବର୍ଷ ବର୍ଷ ଧରି ତାଙ୍କର ଧାରଣା ଥିଲା ଯେ, ଏହା ସେ ଚାହୁଁଥିବା ଏକ ମଲ୍‌ଟିଲୋଡ୍‌ ଆଇୟୁଡି ଏବଂ କପର୍‌-ଟି ନୁହେଁ । ଗାଁର ଅନ୍ୟ ଅନେକ ମହିଳାଙ୍କ ଭଳି କପର୍‌-ଟିର ଉପଯୋଗିତା ସଂପର୍କରେ ତାଙ୍କର ସନ୍ଦେହ ଥିଲା ।

ହାର୍ସାନ କଲାନ୍‌ ଗାଁର ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ନର୍ସ ତଥା ଧାଈ ବା ଏଏନ୍‌ଏମ୍‌ ରୂପେ କାର୍ଯ୍ୟରତ ନିଶା ଫୋଗଟ ବୁଝାଇ ଦିଅନ୍ତି ଯେ, “ଶରୀରରେ କପର୍‌-ଟି ଲଗାଇଲେ ଏହା ବେଶୀ ଦିନ କାମ କରେ ଏବଂ ପ୍ରାୟ ୧୦ ବର୍ଷ ଧରି ଗର୍ଭଧାରଣରୁ ସୁରକ୍ଷା ଦିଏ । ମଲ୍‌ଟିଲୋଡ୍‌ ଆଇୟୁଡି ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାମ କରେ। ଗାଁର ବହୁ ମହିଳା ମଲ୍‌ଟିଲୋଡ୍‌ ଆଇୟୁଡି ବ୍ୟବହାର କରନ୍ତି । ଏଥିପାଇଁ ଏହା ସେମାନଙ୍କର ପ୍ରଥମ ପସନ୍ଦ ହୋଇ ରହିଆସିଛି।” ପରସ୍ପର ନିକଟରୁ ସେମାନେ ଯାହା ଶୁଣନ୍ତି, ସେଥିରୁ ହିଁ କପର୍‌-ଟି ସଂପର୍କରେ ମହିଳାମାନଙ୍କ ସନ୍ଦେହ ଉପୁଜିଛି । ଏ ସଂପର୍କରେ ନିଶା କହନ୍ତି, “କୌଣସି ଗର୍ଭନିରୋଧକ ବ୍ୟବହାରରେ ଯଦି ଜଣେ ମହିଳାଙ୍କର ଅସୁବିଧା ହୁଏ, ତେବେ ଅନ୍ୟମାନେ ବି ଏହାକୁ ବ୍ୟବହାର କରିବାକୁ ପସନ୍ଦ କରନ୍ତିନି।”

୨୦୦୬ ମସିହାରୁ ହାର୍ସାନ କଲାନ ଗାଁରେ ଜଣେ ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ ବା ଆଶା କର୍ମୀ ରୂପେ କାର୍ଯ୍ୟ କରିଆସୁଥିବା ସୁନୀତା ଦେବୀ କହନ୍ତି, “ମହିଳାମାନେ ବୁଝିବା ଆବଶ୍ୟକ ଯେ କପର୍‌-ଟି ଲଗାଇବା ପରେ ସେମାନେ କୌଣସି ଓଜନିଆ ଜିନିଷ ଉଠାଇବା ଉଚିତ ନୁହେଁ ଏବଂ ଗୋଟିଏ ସପ୍ତାହ ବିଶ୍ରାମ ନେବା ନିହାତି ଆବଶ୍ୟକ । କାରଣ, ଏହି ଉପକରଣଟି ଠିକ୍‌ ରୂପେ ଅବସ୍ଥାପିତ ହେବା ପାଇଁ ସମୟ ଲାଗେ । କିନ୍ତୁ ସେମାନେ କରନ୍ତି ନାହିଁ, କିମ୍ବା କରିପାରନ୍ତି ନାହିଁ । ତେଣୁ, ଏହା ଅସୁବିଧାର କାରଣ ହୋଇପାରେ । ଏବଂ ସେମାନେ ସବୁବେଳେ ଅଭିଯୋଗ କରନ୍ତି, ‘ମେରା କଲେଜା ତକ୍‌ ଚଢ୍‌ ଗୟା ହୈ (ଯନ୍ତ୍ରଟି ମୋ ଛାତି ଉପର ଯାଏଁ ଚଢ଼ିଗଲାଣି)’।”
Sana Khan washing dishes in her home; she wanted to be a teacher after her degree in Education. 'Women have no option but to make adjustments', she says
Sana Khan washing dishes in her home; she wanted to be a teacher after her degree in Education. 'Women have no option but to make adjustments', she says

ନିଜ ଘରେ ବାସନ ଧୋଉଛନ୍ତି ସାନା ଖାନ୍‌ । ଶିକ୍ଷାରେ ଡିଗ୍ରୀ ଲାଭ କରିବା ପରେ ସେ ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିଲେ । ସେ କହନ୍ତି, “ପୁରୁଷଙ୍କ ସହିତ ଖାପ ଖୁଆଇ ଚଳିବା ବ୍ୟତୀତ ମହିଳାମାନଙ୍କ ପାଇଁ ଅନ୍ୟ ପନ୍ଥା ନାହିଁ ।”

ଆଇୟୁଡି ବାହାର କରିବାକୁ ଯିବା ସମୟରେ ହିଁ ସେ କପର୍‌-ଟି ବ୍ୟବହାର କରୁଛନ୍ତି ବୋଲି ସାନା ଜାଣିଲେ । ସେ କହନ୍ତି, “ଘରୋଇ ଡାକ୍ତରଖାନାରେ ଡାକ୍ତର ଓ ମୋ ସ୍ଵାମୀ ମୋତେ ମିଛ କହିଥିଲେ । ଏତେ ବର୍ଷ ହେଲା ମୁଁ ମଲ୍‌ଟିଲୋଡ୍‌ ଆଇୟୁଡି ନୁହେଁ, ଏକ କପର୍‌-ଟି ବ୍ୟବହାର କରୁଛି ବୋଲି ସେ (ରୁସ୍ତମ ଅଲି) ଜାଣିଥିଲେ । କିନ୍ତୁ ସେ ମୋତେ କେବେହେଲେ ସତ କହି ନଥିଲେ । ମୁଁ ଏକଥା ଜାଣିବା ପରେ ତାଙ୍କ ସହ ଝଗଡ଼ା କରିଥିଲି ।”

ତାଙ୍କର କିଛି ଅସୁବିଧା ହେଉ ନଥିବାରୁ,ଏଥିରେ କ’ଣ ଯାଏ ଆସେ ବୋଲି ଆମେ ତାଙ୍କୁ ପଚାରୁ । ସେ ଉତ୍ତର ଦିଅନ୍ତି, “ସେମାନେ ମିଛ କହିଲେ । ଏଇ ହିସାବରେ ସେମାନେ ମୋ ଶରୀରରେ ଯାହା କିଛି ପ୍ରବେଶ କରାଇ ପାରନ୍ତି ଏବଂ ମିଛ କହି ଦେଇପାରନ୍ତି । ସେ (ରୁସ୍ତମ ଅଲି) ମତେ କହିଲେ ଯେ, କପର୍‌-ଟିର ଆକାର ବଡ଼ ହୋଇଥିବାରୁ ମହିଳାମାନେ ଏହାକୁ ଭୟ କରନ୍ତି ଏବଂ ତେଣୁ ମୋତେ ଭୁଲ କଥା କହିବାକୁ ଡାକ୍ତର ତାଙ୍କୁ କହିଥିଲେ ।”

ଆଇୟୁଡି ବାହାର କରିନେବା ପରେ ୨୦୧୪ରେ ସାନା ତାଙ୍କ ଦ୍ଵିତୀୟ ଝିଅ ଅକ୍ଷୀକୁ ଜନ୍ମ ଦେଇଥିଲେ ଏବଂ ଏତିକିରେ ତାଙ୍କ ପରିବାର ପୂର୍ଣ୍ଣରୂପ ନେବ ବୋଲି ଆଶା ରଖିଥିଲେ । କିନ୍ତୁ ୨୦୧୭ରେ ପୁଅଟିଏ ଜନ୍ମ ନ ଦେବା ପର୍ଯ୍ୟନ୍ତ ତାଙ୍କ ଉପରେ ପରିବାରର ଚାପ ଅବ୍ୟାହତ ରହିଲା । ସେ କହନ୍ତି, “ସେମାନେ ପୁଅଟିକୁ ସଂପତ୍ତି ରୂପରେ ଦେଖନ୍ତି, ହେଲେ ଝିଅମାନଙ୍କ ସଂପର୍କରେ ସେଇ ସମାନ କଥା ଅନୁଭବ କରନ୍ତିନି ।”

ହରିୟାଣାରେ ଶିଶୁମାନଙ୍କ ମଧ୍ୟରେ (୦-୬ ବର୍ଷ ବୟସ ବର୍ଗରେ) ଲିଙ୍ଗ ଅନୁପାତ ସାରା ଦେଶରେ ସବୁଠାରୁ କମ୍‌ । ଯାହାକି ୮୩୪ ଜଣ ଝିଅ ତୁଳନାରେ ୧,୦୦୦ ପୁଅ (୨୦୧୧ ଜନଗଣନା) । ସୋନିପତରେ ଏହି ସଂଖ୍ୟା ଆହୁରି କମ୍‌ । ୭୯୮ ଝିଅରେ ୧,୦୦୦ ପୁଅ । ପୁଅଙ୍କୁ ପସନ୍ଦ କରିବା ସହିତ ଝିଅମାନଙ୍କ ପ୍ରତି ଘୃଣାଭାବ ଯୋଡ଼ି ହୋଇ ରହିଥିବା ବେଳେ ଏକ ସୁଦୃଢ଼ ପୁରୁଷ ପ୍ରଧାନ ସାମାଜିକ ବ୍ୟବସ୍ଥାରେ ପରିବାର ନିୟୋଜନ ସଂପର୍କିତ ସମସ୍ତ ନିଷ୍ପତ୍ତି ଅନେକାଂଶରେ ସ୍ଵାମୀ କିମ୍ବା ଯୌଥ ପରିବାର ଦ୍ଵାରା ପ୍ରଭାବିତ ହୁଏ । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୪ର ତଥ୍ୟରୁ ଜଣାଯାଏ ଯେ, ହରିୟାଣାର ୭୦ ପ୍ରତିଶତ ମହିଳା ନିଜ ସ୍ଵାସ୍ଥ୍ୟସେବା ସଂପର୍କିତ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି, କିନ୍ତୁ ତୁଳନାତ୍ମକ ଭାବେ ୯୩ ପ୍ରତିଶତ ପୁରୁଷ ସେମାନଙ୍କ ସ୍ଵାସ୍ଥ୍ୟସେବା ସଂପର୍କିତ ନିଷ୍ପତ୍ତି ନେବାରେ ସାମିଲ ହୁଅନ୍ତି ।

ସାଇରା ଓ ସାନାଙ୍କ ସହିତ ସେହି ଏକା ଅଞ୍ଚଳରେ ରହୁଥିବା କାନ୍ତା ଶର୍ମାଙ୍କର(ଏହି ଲେଖାରେ ତାଙ୍କର ଏବଂ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁ ବଦଳାଇ ଦିଆଯାଇଛି) ପାଞ୍ଚ ଜଣିଆ ପରିବାର-୪୪ ବର୍ଷ ବୟସ୍କ ସ୍ଵାମୀ ସୁରେଶ ଶର୍ମା ଏବଂ ଚାରି ଜଣ ସନ୍ତାନ । ବିବାହର ପ୍ରଥମ ଦୁଇ ବର୍ଷରେ ଜନ୍ମ ନେଇଥିଲେ ଦୁଇ ଝିଅ ଆଶୁ ଏବଂ ଗୁଞ୍ଜନ । ଦ୍ଵିତୀୟ ଝିଅ ଜନ୍ମ ହେବା ପରେ କାନ୍ତା ଗର୍ଭନିରୋଧ ଅସ୍ତ୍ରୋପଚାର କରାଇ ନେବାକୁ ଚାହିଁଥିଲେ, କିନ୍ତୁ ତାଙ୍କ ଶାଶୁଘର ଲୋକେ ରାଜି ହୋଇ ନଥିଲେ ।

ବର୍ଷ ବର୍ଷ ହେଲା ପାଠପଢ଼ାରେ ଉତ୍କର୍ଷତା ପ୍ରତିପାଦିତ କରି ତାଙ୍କ ଝିଅମାନେ ଜିତିଥିବା ଟ୍ରଫି ଉପରେ ନଜର ପକାଇ ୩୯ ବର୍ଷୀୟା କାନ୍ତା କହନ୍ତି, “ଦାଦି (ଜେଜେମାଆ) ଗୋଟିଏ ନାତି ଚାହୁଁଥିଲେ । ସେଇ ନାତିଟି ପାଇଁ ଆମର ଚାରିଟି ଛୁଆ ଜନ୍ମ ନେଲେ । ଗୁରୁଜନମାନେ ଯଦି ଚାହୁଁଛନ୍ତି ତେବେ ଏହା କରାଯିବ । ମୋ ସ୍ଵାମୀ ପରିବାରର ବଡ଼ ପୁଅ । ପରିବାରର ନିଷ୍ପତ୍ତିକୁ ଆମେ ଅମାନ୍ୟ କରିପାରି ନଥାଆନ୍ତୁ ।”

Kanta's work-worn hand from toiling in the fields and tending to the family's buffaloes. When her third child was also a girl, she started taking contraceptive pills
Kanta's work-worn hand from toiling in the fields and tending to the family's buffaloes. When her third child was also a girl, she started taking contraceptive pills

କ୍ଷେତରେ କାମ କରି ଏବଂ ପରିବାରର ମଇଁଷିମାନଙ୍କ ସେବାଯତ୍ନ କରି କାନ୍ତାଙ୍କ ହାତ ଶକ୍ତ ହୋଇଯାଇଛି । ତାଙ୍କର ତୃତୀୟ ଗର୍ଭରେ ମଧ୍ୟ ଝିଅଟିଏ ଜନ୍ମ ହେବା ପରେ ସେ ଗର୍ଭନିରୋଧକ ବଟିକା ଖାଇବା ଆରମ୍ଭ କଲେ

ଗାଁକୁ ନବବଧୂଟିଏ ଆସିଲେ ସୁନୀତା ଦେବୀଙ୍କ ଭଳି ଆଶା କର୍ମୀମାନେ ସେମାନଙ୍କ ସଂପର୍କରେ ତଥ୍ୟ ରଖନ୍ତି ସିନା,ସେମାନଙ୍କ ସହ କଥାବାର୍ତ୍ତା କରିବା ବେଳକୁ ପ୍ରଥମ ବର୍ଷଟି ସରିଆସିଥାଏ । ସୁନୀତା କହନ୍ତି, “ଏଠାକାର ଅଧିକାଂଶ ନବବଧୂ ବିବାହର ପ୍ରଥମ ବର୍ଷରେ ହିଁ ଗର୍ଭଧାରଣ କରନ୍ତି । ଛୁଆଟିଏ ଜନ୍ମ ହେବା ପରେ ହିଁ ଆମେ ସେମାନଙ୍କ ଘରକୁ ଯାଉ ଏବଂ ତାଙ୍କ ଶାଶୁଙ୍କ ଉପସ୍ଥିତିରେ ହିଁ ତାଙ୍କୁ ବିଭିନ୍ନ ପରିବାର ନିୟୋଜନ ପଦ୍ଧତି ସଂପର୍କରେ କହିଥାଉ । ପରେ ପରିବାର ଲୋକେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତି ଏବଂ ଆମକୁ ଜଣାଇ ଦିଅନ୍ତି ।”

କଥା ଯୋଡ଼ି ସୁନୀତା କହନ୍ତି, “ତା ନହେଲେ ଶାଶୁ ରାଗିଯିବେ ଏବଂ ଆମକୁ କହିବେ, ‘ହମାରୀ ବହୂ କୋ କ୍ୟା ପଟ୍ଟି ପଢ଼ା କେ ଚଲି ଗୟି ହୋ’(ମୋ ବୋହୂକୁ କ’ଣ ସବୁ ଶିଖାଇ ଦେଲ) ।”

ତାଙ୍କର ତୃତୀୟ ସନ୍ତାନଟି ଝିଅ ହେବା ପରେ, କାନ୍ତା ଗର୍ଭନିରୋଧକ ବଟିକା ଖାଇବା ଆରମ୍ଭ କଲେ । ଶାଶୁଶ୍ଵଶୂରଙ୍କ ଅଜାଣତରେ ଏହାକୁ ତାଙ୍କ ସ୍ଵାମୀ ଆଣି ଦେଉଥିଲେ । ବଟିକା ଖାଇବା ବନ୍ଦ କରିଦେବାର କିଛି ମାସ ପରେ କାନ୍ତା ପୁଣି ଗର୍ଭବତୀ ହେଲେ । ଏଥର ପୁଅଟିଏ ଥିଲା । ବିଡ଼ମ୍ବନାର ବିଷୟ ଯେ ଜେଜେମାଆ ନାତିକୁ ଦେଖି ପାରିଲେନି । ୨୦୦୬ରେ କାନ୍ତାଙ୍କ ଶାଶୁ ପ୍ରାଣ ହରାଇଲେ । ବର୍ଷକ ପରେ କାନ୍ତା ତାଙ୍କ ପୁଅ ରାହୁଲକୁ ଜନ୍ମ ଦେଲେ ।

ତା’ପରଠାରୁ କାନ୍ତା ହିଁ ପରିବାରର ବୟସ୍କା ମହିଳା । ସେ ଆଇୟୁଡି ବ୍ୟବହାର କରିବାକୁ ସ୍ଥିର କରିଛନ୍ତି । ତାଙ୍କ ଝିଅମାନେ ପଢୁଛନ୍ତି । ବଡ଼ଝିଅ ନର୍ସିଂରେ ବିଏସ୍‌ସି କରୁଛି । ଏପର୍ଯ୍ୟନ୍ତ କାନ୍ତା ତା’ର ବିବାହ କଥା ଭାବି ନାହାନ୍ତି ।

କାନ୍ତା କହନ୍ତି,“ସେମାନେ ପାଠ ପଢ଼ିବେ ଏବଂ ସଫଳ ହେବେ । ଆମ ଝିଅମାନେ ଯାହା ହାସଲ କରିବାକୁ ଚାହୁଁଛନ୍ତି ସେଥିରେ ଯଦି ଆମେ ସହାୟତା ନ କରିବା ତେବେ, ତାଙ୍କ ସ୍ଵାମୀ କି ଶାଶୁଘର ଲୋକେ ସେମାନଙ୍କୁ ପଢ଼ାଇବେ ବୋଲି କେମିତି ଆଶା କରିବା ? ଆମ ସମୟର କଥା ଭିନ୍ନ ଥିଲା । ଏବେ ସେ ଯୁଗ ଗଲାଣି ।”

ତାଙ୍କ ଭାବୀ ବୋହୂଙ୍କ ବିଷୟରେ କ’ଣ କହିବେ? କାନ୍ତା କହନ୍ତି, “ସେଇ ଏକା କଥା । ତା ଇଚ୍ଛା ସେ କ’ଣ କରିବାକୁ ଚାହୁଁଛି, କେଉଁଟା (ଗର୍ଭନିରୋଧକ) ବ୍ୟବହାର କରିବାକୁ ଚାହୁଁଛି ।  ଆମ ସମୟର କଥା ଭିନ୍ନ ଥିଲା । ଏବେ ସେ ଯୁଗ ଗଲାଣି”।

ମୁଖପୃଷ୍ଠ ଅଳଙ୍କରଣ: ପ୍ରିୟଙ୍କା ବୋରାର ଜଣେ ନୂତନ ମାଧ୍ୟମର ଚିତ୍ରକର, ଯେ କି ନୂତନ ଅର୍ଥ ଏବଂ ଭାବପ୍ରକାଶ ଶୈଳୀ ଆବିଷ୍କାର କରିବା ଲାଗି ଜ୍ଞାନକୌଶଳ ପ୍ରଯୋଗ ସହିତ ପରୀକ୍ଷଣ କରନ୍ତି । ଶିକ୍ଷା ଓ ଖେଳ ଲାଗି ସେ ଅନୁଭବରଢାଞ୍ଚା ଗଠନ କରନ୍ତି,ପାରସ୍ପରିକ ବିନିମୟଧର୍ମୀ ଗଣମାଧ୍ୟମରେ ମଜ୍ଜି ରହନ୍ତି, ଏବଂ ପାରମ୍ପରିକ କଲମ ଓ କାଗଜରେ ବି ସାବଲୀଳ ହୋଇପାରନ୍ତି ।

ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଉଦ୍ୟମକ୍ରମେ ଗ୍ରାମୀଣ ଭାରତର କିଶୋରୀ ଝିଅ ଏବଂ ଯୁବତୀମାନଙ୍କ ସଂପର୍କରେ ସମଗ୍ର ଦେଶରୁ ଖବର ସଂଗ୍ରହ କରିବା ଏବଂ ଏହି ଗୁରୁତ୍ଵପୂର୍ଣ୍ଣ କିନ୍ତୁ ଅବହେଳିତ ଗୋଷ୍ଠୀର ସ୍ଥିତିକୁ ସାଧାରଣ ଲୋକଙ୍କ ସ୍ଵର ଏବଂ ଅଙ୍ଗେନିଭା ଅନୁଭୂତି ଜରିଆରେ ଉପସ୍ଥାପନ କରିବାର ଏହି ପ୍ରକଳ୍ପ, ପପୁଲେସନ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସହାୟତାରେ ଆରମ୍ଭ ହୋଇଥିବା ଏକ ଅଭିଯାନର ଅଂଶବିଶେଷ ।

ଏହି ଲେଖାକୁ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି ? ଦୟାକରି [email protected] ମେଲ୍‌ ଆଇଡିରେ ଲେଖନ୍ତୁ ଏବଂ [email protected] କୁ କପି ପଠାନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Anubha Bhonsle is a 2015 PARI fellow, an independent journalist, an ICFJ Knight Fellow, and the author of 'Mother, Where’s My Country?', a book about the troubled history of Manipur and the impact of the Armed Forces Special Powers Act.

Other stories by Anubha Bhonsle
Sanskriti Talwar

Sanskriti Talwar is an independent journalist based in New Delhi, and a PARI MMF Fellow for 2023.

Other stories by Sanskriti Talwar
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Editor : Hutokshi Doctor
Series Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE