ଗୋଥି ଗାଁର ଏକ ଗଳିରେ ଦୁଇ ଜଣ ମହିଳା ବଡ଼ ପଥର ଉପରେ ଛୋଟ ଛୋଟ ପଥର ଖଣ୍ଡକୁ କ୍ଲାମ୍ପରେ ଧରି ହାମର ସାହାଯ୍ୟରେ ପିଟୁଥିଲେ। ପଥର ଖଣ୍ଡ ସବୁ ଛିଟିକି ପଡୁଥିଲା। ଗୁଣ୍ଡରେ ସେମାନଙ୍କ ହାତ, ପାଦ ଆଉ ମୁହଁ ଧୂସର ଦେଖାଯାଉଥିଲା। ସେମାନେ ସୁରକ୍ଷାକାରୀ ଗ୍ଳୋବ୍ସ୍ କିମ୍ବା ମାସ୍କ ପିନ୍ଧି ନଥିଲେ। ୬୫ ବର୍ଷୀୟ ବାତୁଲୀ ଦେବୀ କୁହନ୍ତି, ‘‘ବେଳେବେଳେ ଛୋଟ ଛୋଟ ପଥର ଆମ ଆଖିରେ ପଶିଯାଏ। ଆମେ ହସ୍ପିଟାଲ ଧାଉଁ [ଏଠାରୁ ୬ କିଲୋମିଟର ଦୂର ଧାରଚୂଲାରେ]। ବେଳେବେଳେ ଆମ ଆଙ୍ଗୁଠି କ୍ଷତାକ୍ତ ହୁଏ। କିନ୍ତୁ ସେ ସବୁ ଚଳିଯାଏ।’’ ସମୟ ଅପରାହ୍ଣ। ସେ ଗୋଟିଏ ବସ୍ତା ପଥର ସଂଗ୍ରହ କରିଥିଲେ। ଦିନ ଥିବା ପର୍ଯ୍ୟନ୍ତ କାମ କରନ୍ତି ବୋଲି ସେ କହନ୍ତି।
ଗୋଥିର ମହିଳାଙ୍କ ପାଇଁ ପଥର ଭାଙ୍ଗିବା ଏକ ପୂର୍ଣ୍ଣ ସମୟର ଜୀବିକା ପାଲଟି ଯାଇଛି। ଏହା କେବଳ କଂକ୍ରିଟ୍ର ଚାହିଦା ବୃଦ୍ଧି ଯୋଗୁଁ ନୁହେଁ, ବରଂ ହାତବୁଣା ଜିନିଷର ଚାହିଦା କମିବା କାରଣରୁ। ଅଧିକାଂଶ ମହିଳା ଭୂତିଆ ଆଦିବାସୀ ସଂପ୍ରଦାୟର। ବୁଣାବୁଣିରେ ଦକ୍ଷତା ପାଇଁ ଏମାନେ ବେଶ ପରିଚିତ। ସେମାନେ ଯେକୌଣସି ଜିନିଷ ବୁଣିପାରନ୍ତି, ମଶିଣାଠାରୁ କମ୍ବଳ, ସ୍ୱିଟରରୁ ମୌଜା ପର୍ଯ୍ୟନ୍ତ। ସ୍ଥାନୀୟ ଅଞ୍ଚଳରେ ଥିବା ମେଣ୍ଢା ଗୋଠରୁ ଉଲ୍ ସଂଗ୍ରହ ହୋଇଥାଏ। ଭୂତିଆ ମହିଳାମାନେ ବୁଣାବୁଣିରୁ ଆନନ୍ଦ ପାଆନ୍ତି। ପୂର୍ବରୁ ଏମାନେ ବଞ୍ଚିବା ପାଇଁ ଏଇଥିରୁ ରୋଜଗାର କରୁଥିଲେ। ହସ୍ତତନ୍ତ ତାଙ୍କୁ ସମ୍ମାନ ଦେଉଥିଲା। କିନ୍ତୁ ତାହା ଅନ୍ୟ ଏକ ସମୟ ଥିଲା ବୋଲି କୁହନ୍ତି ବାତୁଲି ଦେବୀ।
କାଠର ତନ୍ତ ସବୁ ବନ୍ୟା ପାଣିରେ ଭାସି ଯାଇଥିଲା ବା ନଷ୍ଟ ହୋଇଯାଇଥିଲା, ଆଉ ଥରେ ତିଆରି କରିବାକୁ ହେଲା - ଏବେ ଘର କଣରେ ଅଳିଆ ହୋଇ ପଡ଼ିଛି। ବନ୍ୟାରୁ ବର୍ତ୍ତିଥିବା କିଛି ତନ୍ତ ଶହେ ବର୍ଷର ପୁରୁଣା। ଅମୂଲ୍ୟ ଉପହାର ଭାବେ ମା’ ତାଙ୍କ ଝିଅ ଆଉ ବୋହୂଙ୍କୁ ଦେଇଥାନ୍ତି। ପିଢି ପିଢି ଧରି ଏମାନଙ୍କର ବୁଣିବାରେ ଦକ୍ଷତା ରହିଛି। ୫୨ ବର୍ଷୀୟା କିସମତି ଦେବୀ କହନ୍ତି, ‘‘ଜଣେ ଭୂତିଆ ଝିଅ କିଛି ନଜାଣିଲେ ବି ବୁଣାବୁଣି ଜାଣିଥିବ ଆଉ କିଭଳି ମଦ ପ୍ରସ୍ତୁତ ହୁଏ [ଗହମରୁ] ଜାଣିଥିବ।’’