ଶାସ୍ତି ଭୂଇଁୟା ଗତ ବର୍ଷ ବିଦ୍ୟାଳୟ ଯିବା ଛାଡ଼ି ଦେଇଥିଲେ। ଏହାପରେ ସେ ସୁନ୍ଦରବନ କ୍ଷେତ୍ରର ନିଜ ଗ୍ରାମ ସୀତାରାମପୁରଠାରୁ ପାଖାପାଖି ୨,୦୦୦ କିମି ଦୂର, ବେଙ୍ଗାଲୁରୁ ଯିବା ଲାଗି ଟ୍ରେନରେ ଚଢ଼ିଥିଲେ। “ଆମେ ଖୁବ ଗରିବ। ମୁଁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କରିପାରୁନଥିଲି”, ସେ କୁହନ୍ତି। ଶାସ୍ତିଙ୍କ ବୟସ ୧୬ ଏବଂ ସେ ନବମ ଶ୍ରେଣୀର ଛାତ୍ରୀ ଥିଲେ, ଏବଂ ପଶ୍ଚିମବଙ୍ଗ ଓ ସାରା ଭାରତରେ, କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବାର ବ୍ୟବସ୍ଥା ରହିଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ, ଶାସ୍ତି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କାକଦ୍ୱୀପ ବ୍ଲକରେ ଥିବା ନିଜ ଗାଁକୁ ଫେରିଆସିଥିଲେ। ବେଙ୍ଗାଲୁରୁରେ ଲକଡାଉନ ଆରମ୍ଭ ହେବା ପରେ ଘରୋଇ ଶ୍ରମିକମାନଙ୍କର ଚାକିରି ଚାଲିଯାଇଥିଲା। ଏଥିସହିତ ତାଙ୍କର ମାସିକ ୭୦୦୦ ଟଙ୍କା ଦରମା ବନ୍ଦ ହୋଇଯାଇଥିଲା, ଯେଉଁଥିରୁ କିଛି ଟଙ୍କା ସେ ସବୁ ମାସ ଘରକୁ ପଠାଉଥିଲେ।

ଶାସ୍ତିଙ୍କ ବାପା, ୪୪ ବର୍ଷୀୟ ଧନଞ୍ଜୟ ଭୂଁଇୟା, ସୀତରାମପୁର ଉପକୂଳଠାରୁ କିଛି ଦୂରରେ ଥିବା ନୟାଚର ଦ୍ୱୀପରେ ମାଛ ଧରିବା କାମ କରିଥାନ୍ତି-ଏଠାକାର ଅଧିକାଂଶ ଗ୍ରାମବାସୀ ଏହି କାମ କରିଥାନ୍ତି। ସେ ଖାଲି ହାତରେ ଏବଂ ବେଳେ ବେଳେ ଛୋଟ ଜାଲରେ ମାଛ ଓ କଙ୍କଡ଼ା ଧରୁଥିଲେ, ସେଗୁଡ଼ିକୁ ଆଖପାଖ ବଜାରରେ ବିକ୍ରି କରୁଥିଲେ ଏବଂ ପ୍ରତି ୧୦-୧୫ ଦିନରେ ଥରେ ଘରକୁ ଫେରୁଥିଲେ।

ସେଠାରେ ମାଟି ଓ ଚାଳ ଛପର ଘରେ ଧନଞ୍ଜୟଙ୍କ ମା’ ମହାରାଣୀ, ତାଙ୍କର ଦୁଇ ଝିଅ ୨୧ ବର୍ଷୀୟା ଜଞ୍ଜଳି, ୧୮ ବର୍ଷୀୟା ଶାସ୍ତି ଓ ୧୪ ବର୍ଷର ପୁଅ ସୁବ୍ରତ ରହୁଥିଲେ। ସୁବ୍ରତ ଜନ୍ମ ନେବାର କିଛି ମାସ ପରେ ହିଁ ତାଙ୍କ ପତ୍ନୀଙ୍କ ଦେହାନ୍ତ ଘଟିଥିଲା। “ଆମକୁ ଏହି ଦ୍ୱୀପରେ ଆଉ ପୂର୍ବ ଭଳି ମାଛ ଓ କଙ୍କଡ଼ା ମିଳୁନାହିଁ, (ବର୍ଷ ପରେ ବର୍ଷ) ଆମର ରୋଜଗାର ଖୁବ କମିଯାଇଛି”, ଧନଞ୍ଜୟ କୁହନ୍ତି, ସେ ବର୍ତ୍ତମାନ ପ୍ରତି ମାସ ୨୦୦୦ରୁ ୩୦୦୦ ଟଙ୍କା ରୋଜଗାର କରିଥାନ୍ତି। “ଆମକୁ ବଞ୍ଚି ରହିବା ଲାଗି ମାଛ ଓ କଙ୍କଡ଼ା ଧରିବାକୁ ପଡ଼ିଥାଏ। ସେମାନଙ୍କୁ ବିଦ୍ୟାଳୟ ପଠାଇ ଆମକୁ କ’ଣ ମିଳିବ?”

ସେଥିପାଇଁ, ଯେପରି ଭାବେ ଶାସ୍ତି ସ୍କୁଲ ଯିବା ଛାଡ଼ି ଦେଲେ ସେହିପରି ସୁନ୍ଦରବନର ଶ୍ରେଣୀଗୃହଗୁଡ଼ିକରୁ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଖୁବ ଦ୍ରୁତ ଗତିରେ ଅଦୃଶ୍ୟ ହେବାରେ ଲାଗିଛନ୍ତି। ଜମିରେ ଲୁଣିଚର ମାଡ଼ିଯିବା କାରଣରୁ ଚାଷ ଏବେ ବେଶ କଷ୍ଟକର ହୋଇପଡ଼ିଛି, ନଦୀକୂଳ ଲଙ୍ଘିବା ଏବଂ ବାରମ୍ବାର ଝଡ଼ବାତ୍ୟା, ଏହି ତ୍ରିକୋଣଭୂମିରେ ଥିବା ସେମାନଙ୍କ ଘରକୁ ବାରମ୍ବାର କ୍ଷତି ପହଞ୍ଚାଉଛି। ଫଳତଃ, ଏହି କ୍ଷେତ୍ରର ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ଲୋକ ପେଟପାଟଣା ପାଇଁ ପଳାୟନ କରୁଛନ୍ତି। ଏପରିକି ପିଲାମାନେ-ଯେଉଁମାନେ ମୁଖ୍ୟତଃ ପ୍ରଥମ ପିଢ଼ିର ଛାତ୍ରଛାତ୍ରୀ ଅଟନ୍ତି- ୧୩ କିମ୍ବା ୧୪ ବର୍ଷ ବୟସରେ ମଧ୍ୟ ରୋଜଗାର ପାଇଁ ପଳାୟନ କରିବାକୁ ବାଧ୍ୟ ହୋଇଥାନ୍ତି। ସେମାନେ ପୁଣିଥରେ ଶ୍ରେଣୀଗୃହକୁ ଫେରିପାରିନଥାନ୍ତି।

Janjali (left) and Shasti Bhuniya. Shasti dropped out of school and went to Bengaluru for a job as a domestic worker; when she returned during the lockdown, her father got her married to Tapas Naiya (right)
PHOTO • Sovan Daniary
Janjali (left) and Shasti Bhuniya. Shasti dropped out of school and went to Bengaluru for a job as a domestic worker; when she returned during the lockdown, her father got her married to Tapas Naiya (right)
PHOTO • Sovan Daniary

ଜଞ୍ଜଳି (ବାମ) ଓ ଶାସ୍ତି ଭୂଁଇୟା। ଶାସ୍ତି ବିଦ୍ୟାଳୟ ଛାଡ଼ିଦେଲେ ଏବଂ ଘରୋଇ ଚାକରାଣୀ ଭାବେ କାମ କରିବା ଲାଗି ବେଙ୍ଗାଲୁରୁ ଚାଲିଯାଇଥିଲେ; ଲକଡାଉନ ସମୟରେ ସେ ଯେତେବେଳେ ଫେରିଲେ, ତାଙ୍କର ବାପା ତାଙ୍କୁ ତାପସ ନାୟକ(ଡାହାଣ)ଙ୍କ ସହିତ ବିବାହ କରାଇ ଦେଇଥିଲେ

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସରକାରୀ ସହାୟତାରେ ଚାଲୁଥିବା ୩,୫୮୪ଟି ପ୍ରାଥମିକ ବିଦ୍ୟାଳୟରେ ୭୬୮,୭୫୮ ଛାତ୍ରଛାତ୍ରୀ, ଏବଂ ୮୦୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୩୨,୨୬୮ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି। ଅଧିକାଂଶ ପିଲାମାନେ ଛାଡ଼ି ଦେଉଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କର ଘୋର ଅଭାବ ରହିଥାଏ, ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥାଏ-ସେଥିପାଇଁ ପିଲାମାନେ ପୁଣିଥରେ ସେହିସବୁ ବିଦ୍ୟାଳୟକୁ ଫେରିପାରନ୍ତି ନାହିଁ।

“୨୦୦୯ ପର ଠାରୁ (ସୁନ୍ଦରବନ କ୍ଷେତ୍ରରେ) ବିଦ୍ୟାଳୟ ଛାଡ଼ିବା ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି”, ସାଗର ବ୍ଲକରେ ଘୋରମାରା ଦ୍ୱୀପର ଜଣେ ପ୍ରାଥମିକ ଶିକ୍ଷକ, ଅଶୋକ ବେରା କୁହନ୍ତି, ଏହି ଦ୍ୱୀପ ସବୁଠୁ ଅଧିକ ବନ୍ୟା ଓ ଜଳପ୍ଳାବନର ଶିକାର ହୋଇଥାଏ। ଯେଉଁ ବର୍ଷ ଏହି କ୍ଷେତ୍ରରେ ଆଇଲା ଘୂର୍ଣ୍ଣିବାତ୍ୟା ମାଡ଼ ହୋଇଥିଲା, ସେ ବର୍ଷ ଏତେ ତାଣ୍ଡବ ରଚିଥିଲା ଯେ ଲୋକମାନଙ୍କୁ ଘର ଛାଡ଼ି ପଳାୟନ କରିବାକୁ ପଡ଼ିଥିଲା। ସେବେଠାରୁ ବହୁଗୁଡ଼ିଏ ଘୂର୍ଣ୍ଣିବାତ୍ୟା ଆସି ଜମି ଓ ପୋଖରୀରେ ଲୁଣିଚର ବଢ଼ିଯାଇଛି, ଯାହାଫଳରେ ଏଠାକାର ପରିବାର ଆହୁରି ଅଧିକ କିଶୋରମାନଙ୍କୁ କାମକୁ ପଠାଇବା ଲାଗି ବାଧ୍ୟ ହୋଇଛନ୍ତି।

“ଏଠାକାର ନଦୀ ଆମ ଜମି, ଘର ଏବଂ ବାସସ୍ଥଳୀକୁ ଛଡ଼ାଇ ନେଇଥାଏ ଏବଂ ଝଡ଼ ଆମର ଛାତ୍ରଛାତ୍ରୀଙ୍କୁ (ଛଡ଼ାଇ ନେଇଥାଏ),” ଗୋସାବ ବ୍ଲକର ଅମତଲୀ ଗ୍ରାମର ଅମୃତା ନଗର ହାଇସ୍କୁଲର ଜଣେ ଶିକ୍ଷକ, ଅମିଓ ମଣ୍ଡଳ କୁହନ୍ତି, “ଆମେ (ଶିକ୍ଷକ)ମାନେ ଅସହାୟ ଅନୁଭବ କରିଥାଉ।”

ଯାହା ଆଇନ ଏବଂ ବିଶ୍ୱ ଲକ୍ଷ୍ୟରେ ଘୋଷଣା କରାଯାଇଛି, ଏହି ଖାଲି ଶ୍ରେଣୀଗୃହ, ତା’ଠାରୁ କିଛି ଭିନ୍ନ ଭୂମିଗତ ବାସ୍ତବତାକୁ ଦର୍ଶାଉଛି। ୨୦୧୫ରେ, ଭାରତ ମିଳିତ ଜାତିସଂଘର ୨୦୩୦ ମସିହା ଲାଗି ଧାର୍ଯ୍ୟ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଗ୍ରହଣ କରିଥିଲା; ଏଥିମଧ୍ୟରୁ ଚତୁର୍ଥ ଲକ୍ଷ୍ୟ “ସମାବେଶୀ ଓ ସମାନ ଗୁଣବତ୍ତା ସହିତ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମସ୍ତଙ୍କ ଲାଗି ଆଜୀବନ ଶିକ୍ଷାର ସୁଯୋଗ ବଢ଼ାଇବା ମଧ୍ୟ ସାମିଲ ରହିଛି”। ଦେଶର ମାଗଣା ଓ ବାଧ୍ୟତାମୂଳକ ଶିଶୁ ଶିକ୍ଷା ଅଧିକାର ଆଇନ, ୨୦୦୯ରେ ୬ରୁ ୧୪ ବର୍ଷର ସମସ୍ତ ପିଲା ସାମିଲ ଅଛନ୍ତି। ଜାତୀୟ ପାଠ୍ୟକ୍ରମ ରୂପରେଖ, ୨୦୦୫, ସମାବେଶୀ ଶ୍ରେଣୀଗୃହ ଉପରେ ଜୋର ଦିଆଯାଇଛି। ବିଶେଷ କରି ଗରିବ ବର୍ଗ ଏବଂ ଶାରୀରିକ ସମସ୍ୟା ସହ ସଂଘର୍ଷ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଗୁରୁତ୍ୱାରୋପ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପିଲାମାନଙ୍କର ବିଦ୍ୟାଳୟ ଛାଡ଼ିବା ହାର ହ୍ରାସ କରିବା ଲାଗି ଅନେକ ପ୍ରକାରର ବୃତ୍ତି ଏବଂ ଆର୍ଥିକ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

କିନ୍ତୁ ସୁନ୍ଦରବନ ତ୍ରିକୋଣଭୂମିରେ ଥିବା ବିଦ୍ୟାଳୟଗୁଡ଼ିକ ଏବେ ନିଜର ଛାତ୍ରଛାତ୍ରୀଙ୍କୁ ହରାଇବାରେ ଲାଗିଛନ୍ତି। ଏଠାରେ ଜଣେ ଶିକ୍ଷକ ଭାବେ, ଶ୍ରେଣୀଗୃହରେ ମଜ୍ଜି ଯାଇଥିବା ମୁହଁର ସନ୍ଧାନ ମୋତେ ଏପରି ଅନୁଭୂତି କରାଇଥାଏ ଯେପରି ମୁଁ ଲଗାତାର ସଙ୍କୁଚିତ ହେଉଥିବା ଭୂମି ଉପରେ ଛିଡ଼ା ହୋଇଛି।

PHOTO • Sovan Daniary

ବିଦ୍ୟାଳୟ ଛାଡ଼ୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ, ମୁସ୍ତକିନ ଜମାଦାର ମଧ୍ୟ ରହିଛନ୍ତି। “ମୁଁ ମୋ ପୁଅକୁ ରୋଜଗାର ଓ ପରିବାରର ସହାୟତା କରିବା ଲାଗି ସମ୍ପୂର୍ଣ୍ଣ ଭାବେ ମାଛ ଧରିବା କାମରେ ଲାଗିଛି”, ତାଙ୍କର ବାପା କୁହନ୍ତି

“ପାଠ ପଢ଼ିଲେ କ’ଣ ହେବ? ମୋତେ ବି ମୋ ବାପାଙ୍କ ଭଳି ନଈରୁ ମାଛ ଓ କଙ୍କଡ଼ା ଧରିବାକୁ ପଡ଼ିବ”, ମୋର ଛାତ୍ର ରବିନ ଭୂଁଇଆ ଚଳିତ ବର୍ଷ ୨୦ ମଇରେ ପଥରପ୍ରତିମା ବ୍ଲକରେ ଥିବା ନିଜ ଗାଁ ବୁରାବୁରୀର ଟାଟରେ ଅମ୍ଫନ ବାତ୍ୟା ମାଡ଼ ହେବା ପରେ ମୋତେ କହିଥିଲେ। ୧୭ ବର୍ଷୀୟ ରବିନ ମାଛ ଧରା କାମରେ ନିଜ ପିତାଙ୍କୁ ସହାୟତା କରିବା ଲାଗି ଦୁଇ ବର୍ଷ ପୂର୍ବରୁ ସ୍କୁଲ ପଢ଼ା ଛାଡ଼ି ଦେଇଥିଲେ। ଅମ୍ଫନ ଘୂର୍ଣ୍ଣିବାତ୍ୟାରେ ତାଙ୍କର ଘର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା ଏବଂ ଲୁଣିପାଣି ମାଡ଼ିଯାଇ ତାଙ୍କର ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା। ସପ୍ତମୁଖୀର ପାଣି ଆଡ଼କୁ ହାତ ବଢ଼ାଇ ସେ ମୋତେ କହିଲେ : “ଏହି ନଦୀ ଆମ ସମସ୍ତଙ୍କୁ ଦିନେ ଯାଯାବର କରିଦେବ।”

ସ୍କୁଲ ଛାଡ଼ିଥିବା ପିଲାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୧୭ ବର୍ଷୀୟ ମୁସ୍ତକୀନ ଜମାଦାର, ଯିଏକି ଶାସ୍ତିଙ୍କ ଗାଁର ବାସିନ୍ଦା। ଦୁଇ ବର୍ଷ ପୂର୍ବରୁ ସେ ନବମ ଶ୍ରେଣୀରେ ପଢ଼ୁଥିଲେ, ସେହି ସମୟରେ ସେ ସ୍କୁଲ ଯିବା ଛାଡ଼ି ଦେଇଥିଲେ, ଏ ସମ୍ପର୍କରେ ପଚରାଯିବାରୁ ସେ କୁହନ୍ତି, “ମୋତେ ପାଠ ପଢ଼ିବାକୁ ଭଲ ଲାଗେ ନାହିଁ।” ତାଙ୍କର ବାପା ଇଲିୟାସ କୁହନ୍ତି, “ପାଠପଢ଼ାରୁ କ’ଣ ମିଳିବ? ମୁଁ ମୋ ପୁଅକୁ ରୋଜଗାର କରିବା ଏବଂ ପରିବାରକୁ ସାହାଯ୍ୟ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ମାଛଧରା କାମରେ ଲଗାଇ ଦେଇଛି। ପାଠପଢ଼ାରୁ କିଛି ମିଳିବ ନାହିଁ। ଏହା ଦ୍ୱାରା ମୋତେ ମଧ୍ୟ କୌଣସି ଲାଭ ମିଳିନାହିଁ।” ୪୯ ବର୍ଷୀୟ ଇଲିୟାସ ପେଟପାଟଣା ପାଇଁ ଷଷ୍ଠ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଇଥିଲେ। ପରେ ସେ ରାଜମିସ୍ତ୍ରୀ କାମ କରିବା ଲାଗି କେରଳ ଚାଲିଯାଇଥିଲେ।

ସ୍କୁଲ ଛାଡ଼ିବା ବିଶେଷ କରି ଝିଅମାନଙ୍କୁ ପ୍ରଭାବିତ କରିଥାଏ-ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରେ ରହିଥାନ୍ତି କିମ୍ବା ପୁଣି ସେମାନଙ୍କର ବିବାହ କରି ଦିଆଯାଇଥାଏ। “ଯେତେବେଳେ ମୁଁ ରାକ୍ଷୀ ହାଜରା (ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ)ଙ୍କୁ ପଚାରିଲି ଯେ ସେ ୧୬ ଦିନ ହେବ ସ୍କୁଲକୁ କାହିଁକି ଆସୁନାହାନ୍ତି, ସେ କାନ୍ଦିବାକୁ ଲାଗିଲେ”, କାକଦ୍ୱୀପ ବ୍ଲକର ଶିବକାଳୀନଗର ଗ୍ରାମର ଆଇ. ଏମ. ହାଇସ୍କୁଲର ପ୍ରଧାନଶିକ୍ଷକ, ଦିଲୀପ ବୈରାଗୀ ମୋତେ ୨୦୧୯ରେ କହିଥିଲେ। “ରାକ୍ଷୀ କହିଥିଲେ ଯେ ତାଙ୍କର ମାତାପିତା ହୁଗୁଳୀ ନଦୀକୁ କଙ୍କଡ଼ା ଧରିବା ଲାଗି ଯାଇଥାନ୍ତି, ଏହି ସମୟରେ ସେ ନିଜ ଭାଇ (ଯିଏକି ମାତ୍ର ତିନି ମାସର)ର ଦେଖାଶୁଣା କରିଥାନ୍ତି।

ଲକଡାଉନ କାରଣରୁ ସ୍କୁଲ ଛାଡ଼ିବାର ମାମଲା ଖୁବ ବଢ଼ିଯାଇଛି। ବୁରାବୁରୀର ଟାଟ ଗ୍ରାମର ମତ୍ସ୍ୟଜୀବୀ, ଅମଲ ଶୀତ ନବମ ଶ୍ରେଣୀରେ ପଢ଼ୁଥିବା ନିଜର ୧୬ ବର୍ଷୀୟ ଝିଅ କୁମକୁମକୁ ସ୍କୁଲ ଛାଡ଼ିବା ଲାଗି କହିଥିଲେ, ନିଜର ଆର୍ଥିକ ସଙ୍କଟ ଦୂର କରିବା ଲାଗି ପରିବାର ତା’ର ବାହାଘର ଠିକ କରି ଦେଇଥିଲା। “ନଦୀରେ ଆଉ ଆଗ ଭଳି ମାଛ ପଡ଼ୁନାହାନ୍ତି”, ଅମଲ କୁହନ୍ତି, ଯିଏକି ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି। “ସେଥିପାଇଁ ପାଠପଢ଼ୁଥିଲେ ସୁଦ୍ଧା ମୁଁ ତା’ର ବାହାଘର ଲକଡାଉନ ସମୟରେ ହିଁ କରି ଦେଇଛି ।

ୟୁନିସେଫ ପକ୍ଷରୁ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ୨୨.୩୦ କୋଟି ବାଳିକା ବଧୂ (ଯେଉଁମାନଙ୍କୁ ୧୮ ବର୍ଷ ହେବା ପୂର୍ବରୁ ବିବାହ କରି ଦିଆଯାଇଥାଏ)ଙ୍କ ମଧ୍ୟରୁ ୨.୨କୋଟି କେବଳ ପଶ୍ଚିମବଙ୍ଗରେ ହିଁ ରହିଥାନ୍ତି।

PHOTO • Sovan Daniary

କୁମକୁମ (ବୁରୁବୁରୀର ଟାଟ)ରେ ନବମ ଶ୍ରେଣୀରେ ପଢ଼ିଥାନ୍ତି, ସୁଜନ ଶୀଟ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ‘ନଦୀରେ ଆଉ ଆଗ ଭଳି ମାଛ ମିଳୁନାହାନ୍ତି’, ସେମାନଙ୍କର ପିତା କୁହନ୍ତି। ‘ସେଥିପାଇଁ ଲକଡାଉନ ସମ଼ୟରେ ଆମେ ତା’ର (କୁମକୁମର) ବାହାଘର କରି ଦେଇଛୁ’

“ପଶ୍ଚିମବଙ୍ଗ ସରକାରଙ୍କ ଠାରୁ (ପାଠପଢ଼ା) ଜାରି ରଖିବା ଲାଗି ପ୍ରୋତ୍ସାହନ ମିଳୁଥିଲେ ମଧ୍ୟ ଏଠାରେ (ସୁନ୍ଦରବନ) କ୍ଷେତ୍ରରେ ବହୁସଂଖ୍ୟାରେ ବାଲ୍ୟବିବାହ ହୋଇଥାଏ। ଅଧିକାଂଶ ମାତାପିତା ଏବଂ ଅଭିଭାବକ ଭାବିଥାନ୍ତି ଯେ ଝିଅମାନଙ୍କୁ ପାଠପଢ଼ାଇଲେ କୌଣସି ଲାଭ ମିଳିନଥାଏ, ଏବଂ ପରିବାରରୁ ଜଣେ ଖାଇବା ଲୋକ ଚାଲିଗଲେ କିଛି ଟଙ୍କା ବଞ୍ଚିଯିବ”, ପଥର ପ୍ରତିମା ବ୍ଲକ ଶିବନଗର ମୋକ୍ଷଦା ସୁନ୍ଦରୀ ବିଦ୍ୟା ମନ୍ଦିରର ପ୍ରଧାନଶିକ୍ଷକ, ବିମାନ ମାଇତି କୁହନ୍ତି।

“କୋଭିଡ଼-19 ଲକଡାଉନ କାରଣରୁ, ଦୀର୍ଘଦିନ ହେବ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି ଏବଂ କିଛି ପାଠପଢ଼ା ହେଉନାହିଁ”, ମାଇତି ଆହୁରି କହିଥାନ୍ତି। “ଛାତ୍ରଛାତ୍ରୀ ପାଠପଢ଼ା ଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ଏହି କ୍ଷତି ପରେ ସେମାନେ ଆଉ ଫେରିବେ ନାହିଁ। ସେମାନେ ଗାଏବ ହୋଇଯିବେ, ଆଉ କେବେ ଆସିବେ ନାହିଁ।”

ଜୁନ ମଧ୍ୟ ଭାଗରେ ଯେତେବେଳେ ଶାସ୍ତି ଭୂଁଇଆ ବେଙ୍ଗାଲୁରୁରୁ ଫେରିଲେ, ତାଙ୍କର ବାହାଘର କରି ଦିଆଗଲା। ୨୧ ବର୍ଷୀୟା ତାପସ ନୈୟା ମଧ୍ୟ ଶାସ୍ତିଙ୍କ ସ୍କୁଲରେ ପଢ଼ୁଥିଲେ ଏବଂ ଅଷ୍ଟମ ଶ୍ରେଣୀ ପରେ ସ୍କୁଲ ଯିବା ଛାଡ଼ି ଦେଇଥିଲେ, ସେତେବେଳେ ତାଙ୍କୁ ମାତ୍ର ସତର ବର୍ଷ ହୋଇଥିଲା। ପରିବାରରେ ତାଙ୍କର ମନ ଲାଗୁନଥିଲା ଏବଂ ସେ ନିଜ ପରିବାରକୁ ସହାୟତା କରିବା ଲାଗି ଚାହୁଁଥିଲେ। ସେଥିପାଇଁ ସେ କେରଳରେ ରାଜମିସ୍ତ୍ରୀ କାମ କରିବାର ଆରମ୍ଭ କଲେ। ଲକଡାଉନ କାରଣରୁ ସେ ମଇ ମାସରେ ନିଜ ଗାଁକୁ ଫେରିଥିଲେ। “ସେ ଏବେ ଶିବକାଳୀନଗରରେ କୁକୁଡ଼ା ବିକ୍ରି ଦୋକାନରେ କାମ କରୁଛନ୍ତି,” ଶାସ୍ତି କୁହନ୍ତି।

ତାଙ୍କର ବଡ଼ ଭଉଣୀ-୨୧ ବର୍ଷୀୟ ଜଞ୍ଜଳି ଭୂଁଇୟା, ଦେଖି ଶୁଣିପାରନ୍ତି ନାହିଁ, ମାତ୍ର ୧୮ ବର୍ଷ ବୟସରୁ ପାଠପଢ଼ା ଛାଡ଼ି ଦେଇଥିଲେ, ସେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଗୋଟିଏ ବର୍ଷ ପରେ ତାଙ୍କର ବାହାଘର ଉତ୍ପଳ ମଣ୍ଡଳଙ୍କ ସହିତ କରି ଦିଆଯାଇଥିଲା, ଯାହାଙ୍କୁ ଏବେ ୨୭ ବର୍ଷ। ସେ କୁଲପି ବ୍ଲକରେ ଥିବା ନିଜ ଗ୍ରାମ ନୂତନ ତ୍ୟାଙ୍ଗରାଚର ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପାଠପଢ଼ା ଛାଡ଼ି ଥିଲେ। ପିଲାବେଳୁ ମଣ୍ଡଳଙ୍କୁ ପୋଲିଓ ହୋଇଯାଇଥିଲା ଏବଂ ସେବେଠାରୁ ସେ ଯିବା ଆସିବାରେ ଅସୁବିଧା ଭୋଗୁଥିଲେ। “ମୁଁ ମୋ ହାତ ଓ ଗୋଡ଼ ସାହାଯ୍ୟରେ ସ୍କୁଲ ଯିବାକୁ ସକ୍ଷମ ନଥିଲି, ଏବଂ ଆମ ପାଖରେ ହ୍ୱିଲ୍ ଚେୟାର ପାଇଁ ଟଙ୍କା ନଥିଲା”, ସେ କୁହନ୍ତି। “ମୁଁ ପାଠ ପଢ଼ିପାରିଲି ନାହିଁ, ମୁଁ ଆଗକୁ ପଢ଼ିବା ଲାଗି ଚାହୁଁଥିଲି।”

“ମୋର ଦୁଇ ନାତୁଣି ପାଠ ପଢ଼ିପାରିଲେ ନାହିଁ”, ଶାସ୍ତି ଓ ଜଙ୍ଗଲିଙ୍କର ୮୮ ବର୍ଷୀୟା ଜେଜେମା’, ମହାରାଣୀ କୁହନ୍ତି, ଯିଏକି ସେମାନଙ୍କୁ ପାଳିପୋଷି ମଣିଷ କରିଥିଲେ। ଏବେ, ଯେତେବେଳେ କୋଭିଡ-19 ଲକଡାଉନ କାରଣରୁ ବିଦ୍ୟାଳୟ ବନ୍ଦ ରହିଛି, ସେ କୁହନ୍ତି, “ମୁଁ ଜାଣିନାହିଁ ଯେ ମୋର ନାତି (ସୁବ୍ରତ) ଆଗକୁ ପଢ଼ିପାରିବେ କି ନାହିଁ”।

PHOTO • Sovan Daniary

୧୪ ବର୍ଷୀୟ ସ୍ୱନ୍ତନ ପାହାଡ଼ କାକଦ୍ୱୀପ ବ୍ଲକର ସୀତାରାମପୁର ଗ୍ରାମର ବାଜାରବେରିଆ ଠାକୁରଚକ ଶିକ୍ଷାସଦନ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ୟୁନିସେଫର ୨୦୧୯ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତର ୨୨.୩ କୋଟି ବାଳିକା ବଧୂ(ଯେଉଁମାନଙ୍କର ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଯାଇଛି)ଙ୍କ ମଧ୍ୟରୁ ୨.୨କୋଟି ପଶ୍ଚିମବଙ୍ଗରେ ରହିଥାନ୍ତି


PHOTO • Sovan Daniary

୧୧ ବର୍ଷର ବାପି ମଣ୍ଡଳ ନାମଖାନା ବ୍ଲକର ବଲିୟାରା କିଶୋର ହାଇସ୍କୁଲରେ ପଞ୍ଚମ ଶ୍ରେଣୀର ଛାତ୍ର। ୨୦ ମଇରେ ଅମ୍ଫନ ଘୂର୍ଣ୍ଣିବାତ୍ୟା ଆସିବା ପରେ ସେ ଓ ତାଙ୍କ ପରିବାର ଗୋଟିଏ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏକ ରିଲିଫ କେନ୍ଦ୍ରରେ ରହିଥିଲେ, ଏହାପରେ ମାଟି, ବାଉଁଶ ଖୁଣ୍ଟ ଓ ତିରପାଲ ସହାୟତାରେ ନିଜ ଘରକୁ ପୁଣିଥରେ ତିଆରି କରିଥିଲେ। ଝଡ଼ ଓ ବାତ୍ୟା ବାରମ୍ବାର ଘଟୁଥିବାରୁ ଜମି ଓ ପୋଖରୀରେ ଲୁଣିପାଣି ମାତ୍ରା ବଢ଼ିଚାଲିଛି, ଯାହାଫଳରେ ପରିବାରଗୁଡ଼ିକ ସ୍କୁଲ ଯାଉଥିବା କିଶୋରମାନଙ୍କୁ କାମକୁ ପଠାଇବା ଲାଗି ବାଧ୍ୟ ହେଉଛନ୍ତି


Sujata Jana, 9, is a Class 3 student (left) and Raju Maity, 8, is in Class 2 (right); both live in Buraburir Tat village, Patharpratima block. Their fathers are fishermen, but the catch is depleting over the years and education is taking a hit as older children drop out of school to seek work
PHOTO • Sovan Daniary
Sujata Jana, 9, is a Class 3 student (left) and Raju Maity, 8, is in Class 2 (right); both live in Buraburir Tat village, Patharpratima block. Their fathers are fishermen, but the catch is depleting over the years and education is taking a hit as older children drop out of school to seek work
PHOTO • Sovan Daniary

୯ବର୍ଷର ସୁଜାତା ଜାନା(ବାମ) ତୃତୀୟ ଶ୍ରେଣୀର ଛାତ୍ର ଏବଂ ଆଠ ବର୍ଷର ରାଜୁ ମାଇତି(ଡାହାଣ) ଦ୍ୱିତୀୟ ଶ୍ରେଣୀରେ; ଉଭୟ ପଥରପ୍ରତିମା ବ୍ଲକର ବୁରାବୁରୀର ଟାଟ ଗ୍ରାମରେ ରହିଥାନ୍ତି। ତାଙ୍କର ପିତା ମତ୍ସ୍ୟଜୀବୀ, କିନ୍ତୁ ବର୍ଷ ପରେ ବର୍ଷ ମାଛ ମିଳିବା କମିଯାଉଛି ଏବଂ କାମ ସନ୍ଧାନରେ ବଡ଼ ପିଲାମାନେ ସ୍କୁଲ ଛାଡ଼ିଦେବା କାରଣରୁ ପାଠପଢ଼ା କ୍ଷତି ହେଉଛି


Sujata Jana, 9, is a Class 3 student (left) and Raju Maity, 8, is in Class 2 (right); both live in Buraburir Tat village, Patharpratima block. Their fathers are fishermen, but the catch is depleting over the years and education is taking a hit as older children drop out of school to seek work
PHOTO • Sovan Daniary
Sujata Jana, 9, is a Class 3 student (left) and Raju Maity, 8, is in Class 2 (right); both live in Buraburir Tat village, Patharpratima block. Their fathers are fishermen, but the catch is depleting over the years and education is taking a hit as older children drop out of school to seek work
PHOTO • Sovan Daniary

ବାମ: ପଥରପ୍ରତିମା ବ୍ଲକର ଶିବନଗର ମୋକ୍ଷଦା ସୁନ୍ଦର ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ସହିତ। ଡାହାଣ : ଘୋରମାରା ମିଲନ ବିଦ୍ୟାପୀଠ ହାଇସ୍କୁଲ, ଘୋରମାର ଦ୍ୱୀପ। ପଶ୍ଚିମବଙ୍ଗ ଏବଂ ପୂର୍ବ ଭାରତରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାତ୍ର ୮ମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ; ବହୁଗୁଡ଼ିଏ ପିଲା ଏହାପରେ ସ୍କୁଲ ଯିବା ଛାଡ଼ି ଦେଇଥାନ୍ତି


Left: Debika Bera, a Class 7 schoolgirl, in what remains of her house in Patharpratima block’s Chhoto Banashyam Nagar village, which Cyclone Amphan swept away. The wrecked television set was her family’s only electronic device; she and her five-year-old sister Purobi have no means of 'e-learning' during the lockdown. Right: Suparna Hazra, 14, a Class 8 student in Amrita Nagar High School in Amtali village, Gosaba block and her brother Raju, a Class 3 student
PHOTO • Sovan Daniary
Left: Debika Bera, a Class 7 schoolgirl, in what remains of her house in Patharpratima block’s Chhoto Banashyam Nagar village, which Cyclone Amphan swept away. The wrecked television set was her family’s only electronic device; she and her five-year-old sister Purobi have no means of 'e-learning' during the lockdown. Right: Suparna Hazra, 14, a Class 8 student in Amrita Nagar High School in Amtali village, Gosaba block and her brother Raju, a Class 3 student
PHOTO • Sovan Daniary

ବାମ: ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଦେବୀକା ବେରା, ପଥରପ୍ରତିମା ବ୍ଲକର ଗ୍ରାମ, ଛୋଟୋ ବନଶ୍ୟାମ ନଗରରେ ଅମ୍ଫନ ଘୂର୍ଣ୍ଣିବାତ୍ୟାର ପ୍ରଳୟ ପରେ ନିଜର ଭଙ୍ଗା ଘରେ। କବାଡ଼ି ପାଲଟି ଯାଇଥିବା ଟେଲିଭିଜନ ସେଟ ତାଙ୍କ ପରିବାର ନିକଟରେ ଏକମାତ୍ର ଇଲେକ୍ଟ୍ରୋନିକ ଉପକରଣ ଥିଲା; ଲକଡାଉନ ସମୟରେ ସେ ଓ ତାଙ୍କ ପାଞ୍ଚ ବର୍ଷର ଭଉଣୀ, ପୂରବୀଙ୍କ ନିକଟରେ ‘ଇ-ଲର୍ଣ୍ଣିଂ’ର କୌଣସି ସାଧନ ନାହିଁ। ଡାହାଣ : ୧୪ ବର୍ଷୀୟ ସୁପର୍ଣ୍ଣା ହାଜରା, ଅମତଲି ଗ୍ରାମ, ଗୋସାବା ବ୍ଲକର ଅମୃତା ନଗର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି ଏବଂ ତାଙ୍କର ଭାଇ ରାଜୁ ତୃତୀୟ ଶ୍ରେଣୀରେ ପଢ଼ିଥାନ୍ତି


PHOTO • Sovan Daniary

ବୁରାବୁରୀର ଟାଟ ଜୁନିୟର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର, କୃଷ୍ଣେନ୍ଦୁ ବେରା ଅମ୍ଫନ ବାତ୍ୟା ପରେ ନଷ୍ଟ ହୋଇଯାଇଥିବା ନିଜ ଘର ଆଗରେ। ସେ ନିଜର ସବୁ ପୁସ୍ତକ, କଲମ-କପି ଓ ସବୁ ଜିନିଷ ହରାଇଛନ୍ତି। ଏହି ଫଟୋ ଯେତେବେଳେ ଉଠାଯାଇଥିଲା, ସେ ତାଙ୍କ ବାପା ସ୍ୱପନ ବେରାଙ୍କୁ ଚାଳଛପର ଥିବା ମାଟିକାଦୁଅ ଘର ତିଆରିରେ ସହାୟତା କରୁଥିଲେ। ପାଠପଢ଼ା ପଛକୁ ଚାଲିଯାଇଛି


PHOTO • Sovan Daniary

୧୧ ବର୍ଷୀୟ ରୁମୀ ମଣ୍ଡଳ, ଗୋସାବା ବ୍ଲକର ଅମୃତା ନଗର ହାଇସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଅଟନ୍ତି। ଏହି ଫଟୋ ଅମ୍ଫନ ଘୂର୍ଣ୍ଣିଝଡ଼ ଆସିବାର ତୁରନ୍ତ ପରେ ନିଆଯାଇଥିଲା, ଏହି ସମୟରେ ସେ ଏନଜିଓ ଏବଂ ଅନ୍ୟ ସଂଗଠନଗୁଡ଼ିକ ନିକଟରୁ ରିଲିଫ ସାମଗ୍ରୀ ନେବା ଲାଗି ନିଜ ମା’ଙ୍କୁ ସହାୟତା କରୁଥିଲେ। ‘ଏଠାକାର ନଦୀ ଆମ ଜମି, ଘର ଓ ବାସସ୍ଥାନ ଛଡ଼ାଇ ନେଉଛି ଏବଂ ଘୂର୍ଣ୍ଣିଝଡ଼ ଆମ ଛାତ୍ରଛାତ୍ରୀଙ୍କୁ (ଛଡ଼ାଇ ନେଉଛି),’ ଜଣେ ଶିକ୍ଷକ କହିଛନ୍ତି


PHOTO • Sovan Daniary

ଗୋସାବା ବ୍ଲକର ରେବତୀ ମଣ୍ଡଳ, ଅମ୍ଫନ ଘୂର୍ଣ୍ଣିଝଡ଼ ଆସିବା ପରେ ନିଜ ଘର ଆଗରେ ଛିଡ଼ା ହୋଇଛନ୍ତି। ନିଜ ଘର ଓ ସବୁକିଛି ସାମଗ୍ରୀ ହରାଇବା ପରେ ତାଙ୍କର ପିଲା-ପ୍ରଣୟ ମଣ୍ଡଳ (ବୟସ ୧୬ ବର୍ଷ, ଶ୍ରେଣୀ ଦଶମ) ଏବଂ ପୂଜା ମଣ୍ଡଳ (ବୟସ ୧୧ ବର୍ଷ, ଶ୍ରେଣୀ ଷଷ୍ଠ)-ଙ୍କ ପାଇଁ ନିଜ ପାଠପଢ଼ା ପୁଣିଥରେ ଆରମ୍ଭ କରିବା କଷ୍ଟକର ହୋଇପଡ଼ିବ


Left: Anjuman Bibi of Ghoramara island cradles her nine-month-old son Aynur Molla. Her elder son Mofizur Rahman dropped out of school in Class 8 to support the family. Right: Asmina Khatun, 18, has made it to Class 12 in Baliara village in Mousuni Island, Namkhana block. Her brother, 20-year-old Yesmin Shah, dropped out of school in Class 9 and migrated to Kerala to work as a mason
PHOTO • Sovan Daniary
Left: Anjuman Bibi of Ghoramara island cradles her nine-month-old son Aynur Molla. Her elder son Mofizur Rahman dropped out of school in Class 8 to support the family. Right: Asmina Khatun, 18, has made it to Class 12 in Baliara village in Mousuni Island, Namkhana block. Her brother, 20-year-old Yesmin Shah, dropped out of school in Class 9 and migrated to Kerala to work as a mason
PHOTO • Sovan Daniary

ବାମ: ଘେରମାରା ଦ୍ୱୀପର ଅଞ୍ଜୁମନ ବିବି ନିଜର ନଅ ମାସର ପୁଅ ଏନୁର ମେଲ୍ଲାଙ୍କୁ ଦୋଳିରେ ଝୁଲାଉଛନ୍ତି। ତାଙ୍କର ବଡ଼ ପୁଅ ମୋଫିଜୁର ରହମାନ ପରିବାରର ସହାୟତା କରିବା ଲାଗି ଅଷ୍ଟମ ଶ୍ରେଣୀରୁ ସ୍କୁଲ ଯିବା ଛାଡ଼ି ଦେଇଥିଲେ। ଡାହାଣ : ୧୮ ବର୍ଷୀୟ ଅସମୀନା ଖାତୁନ ନାମଖାନା ବ୍ଲକର ମୌସୁନୀ ଦ୍ୱୀପର ବଲିୟାର ଗ୍ରାମରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ତାଙ୍କର ଭାଇ, ୨୦ ବର୍ଷୀୟ ଯଶ୍ମୀନ ଶାହ ନବମ ଶ୍ରେଣୀରୁ ସ୍କୁଲ ଯିବା ଛାଡ଼ି ଦେଇଥିଲେ ଏବଂ ରାଜମିସ୍ତ୍ରୀ କାମ କରିବା ଲାଗି କେରଳକୁ ଚାଲିଯାଇଥିଲେ


PHOTO • Sovan Daniary

ମୋର ଦୁଇ ନାତୁଣୀ ପାଠପଢ଼ି ପାରିଲେ ନାହିଁ’, ଶାସ୍ତି ଓ ଜଞ୍ଜଳିଙ୍କ ୮୮ ବର୍ଷୀୟା ଜେଜେମା’, ମହାରାଣୀ କହିଥାନ୍ତି। ଏବେ କୋଭିଡ-19 ଲକଡାଉନ କାରଣରୁ ସ୍କୁଲ ବନ୍ଦ ହେବା ଯୋଗୁ, ସେ କହିଥାନ୍ତି, ‘ମୁଁ ଜାଣିନାହିଁ ଯେ ମୋର ନାତି (ସୁବ୍ରତ) ମଧ୍ୟ ଆଗକୁ ପଢ଼ିପାରିବ କି ନାହିଁ


PHOTO • Sovan Daniary

ଦକ୍ଷିଣ ୨୪ ପ୍ରଗଣାର ପଥରପ୍ରତିମା ବ୍ଲକରେ ଶିବନଗର ଗ୍ରାମର ମହିଳାମାନେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ସ୍ୱାମୀଙ୍କ ସହିତ ମାଛ ଓ କଙ୍କଡ଼ା ଧରିବାର ଘରୋଇ କାମରେ ଲିପ୍ତ ରହିଥାନ୍ତି। ଅଧିକାଂଶ ପରିବାରରେ, ପୁଅମାନେ ରାଜମିସ୍ତ୍ରୀ କିମ୍ବା ନିର୍ମାଣ ଶ୍ରମିକ ଭାବେ କାମ କରିବା ଲାଗି କେରଳ ଓ ତାମିଲନାଡ଼ୁ ଚାଲିଯାଇଛନ୍ତି


PHOTO • Sovan Daniary

ନୟାଚର ଦ୍ୱୀପରେ ଥିବା ନିଜର ଅସ୍ଥାୟୀ କୁଟୀର ଆଡ଼କୁ ଫେରୁଥିବା ଛାତ୍ର, ଯେଉଁଠି ସେମାନଙ୍କର ମାତା-ପିତା ପେଟପାଟଣା ପାଇଁ ମାଛ ଓ କଙ୍କଡ଼ା ଧରିଥାନ୍ତି


Left: Trying to make a living by catching fish in Bidya river in Amtali village. Right: Dhananjoy Bhuniya returning home to Sitarampur from Nayachar island
PHOTO • Sovan Daniary
Left: Trying to make a living by catching fish in Bidya river in Amtali village. Right: Dhananjoy Bhuniya returning home to Sitarampur from Nayachar island
PHOTO • Sovan Daniary

ବାମ : ଅମତଲି ଗ୍ରାମର ବିଦ୍ୟା ନଦୀରେ ମାଛ ଧରି ଜୀବନଯାପନ କରିବା ଲାଗି ପ୍ରୟାସ। ଡାହାଣ : ଧନଞ୍ଜୟ ଭୂଁଇୟା ନୟାଚର ଦ୍ୱୀପରୁ ସୀତାରାମପୁରେ ଥିବା ନିଜ ଘରକୁ ଫେରୁଛନ୍ତି


PHOTO • Sovan Daniary

ଲକଡାଉନ ଆରମ୍ଭ ହେବା ପୂର୍ବରୁ, ସୀତରାମପୁର ହାଇସ୍କୁଲରୁ ଘରକୁ ଫେରୁଥିବା ଛାତ୍ରଛାତ୍ରୀ। ପୂର୍ବରୁ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଏମାନଙ୍କ ଶିକ୍ଷାକୁ ଲକଡାଉନ ଆହୁରି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି


ସବୁଠୁ ଉପରେ କଭର ଫଟୋ : ୧୪ ବର୍ଷର ରବିନ ରାୟ ୨୦୧୮ରେ ସ୍କୁଲ ଯିବା ଛାଡ଼ି ଦେଇଥିଲେ ଏବଂ କୋଲକାତାର ରେସ୍ତୋରାଁରେ ୱେଟର କାମ କରିବା ଆରମ୍ଭ କରିଥିଲେ। ଲକଡାଉନ କାରଣରୁ ସେ ନିଜ ଗ୍ରାମ, ନୂତନ ତ୍ୟାଙ୍ଗରାଚରକୁ ଫେରିଆସିଛନ୍ତି। ତାଙ୍କ ଭଉଣୀ ୧୨ ବର୍ଷର ପ୍ରୀୟା, କୁଲପୀ ବ୍ଲକର ହରିନଖୋଲା ଧ୍ରୁବ ଆଦିଶ୍ୱର ହାଇସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଅଟନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sovan Daniary

Sovan Daniary works in the field of education in the Sundarbans. He is a photographer interested in covering education, climate change, and the relationship between the two, in the region.

Other stories by Sovan Daniary