ତାଙ୍କ ବାପାଙ୍କୁ ବ୍ରିଟିଶ ଗୁଳି କରିବାର ସ୍ମୃତି ତାଙ୍କୁ କ୍ରୋଧିତ କରିଥିଲା

ଅନ୍ୟ ଆଦିବାସୀ ମହିଳାଙ୍କ ସହ ସେ ଜମିରେ କାମ କରୁଥିଲେ। ସେତିକିବେଳେ ତାଙ୍କ ଗାଁ ସାଲିହାର ଜଣେ ଯୁବକ ଦୌଡିଦୌଡି ଆସି ଚିତ୍କାର କଲା, "ସେମାନେ ଆମ ଗାଁ ଉପରେ ଆକ୍ରମଣ କରୁଛନ୍ତି, ତମ ବାପାଙ୍କୁ ସେମାନେ ମାଡ଼ ମାରୁଛନ୍ତି। ସେମାନେ ଘର ପୋଡି ଦେଉଛନ୍ତି।"

'ସେମାନେ' ଥିଲେ ସଶସ୍ତ୍ର ବ୍ରିଟିଶ ପୋଲିସ। ଗାଁ ଉପରେ ସେମାନଙ୍କ ହମଲା ଥିଲା ବ୍ରିଟିଶ ରାଜ୍ର ଔଦ୍ଧତ୍ୟ। ଆହୁରି ଅନେକ ଗାଁକୁ ସେମାନେ ଧରାଶାୟୀ କରିଥିଲେ, ଜାଳି ଦେଇଥିଲେ, ଖାଦ୍ୟଶସ୍ୟ ଲୁଟ୍ କରିଥିଲେ। ବିଦ୍ରୋହୀମାନଙ୍କୁ ତାଙ୍କ ଠିକଣା ଦେଖାଇ ଦିଆଯାଇଥିଲା।

ଆଦିବାସୀ ଶବର ସଂପ୍ରଦାୟର ଦେମତୀ ଦେଇ ଶବର, ଅନ୍ୟ ୪୦ ଜଣ ଯୁବତୀଙ୍କ ସହ କ୍ଷିପ୍ରବେଗରେ ଗାଁକୁ ଆସିଲେ। ସେଇ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ କହିଲେ, "ମୋ ବାପା ରକ୍ତ ଜୁଡୁବୁଡୁ ହୋଇ ମାଟି ଉପରେ ପଡିଥିଲେ। ତାଙ୍କ ଗୋଡରେ ଗୁଳି ବାଜିଥିଲା।"

ଏହି ସ୍ମୃତି ଗୋଟିଏ ମନକୁ ଜୀବନ୍ତ କରେ ନହେଲେ ବିତସ୍ପୃହ କରେ। "ମୁଁ ରାଗରେ ବନ୍ଧୁକ ଧରିଥିବା ସେଇ ଅଫିସର ଉପରେ ଆକ୍ରମଣ କଲି। ସେ ସମୟରେ ଆମେ ଜମି କିମ୍ବା ଜଂଗଲକୁ କାମ କରିବାକୁ ଗଲାବେଳେ ହାତରେ ଠେଙ୍ଗା ନେଇଥାଉ। ଯଦି ଜଙ୍ଗଲୀ ଜନ୍ତୁ ସାମ୍ନାକୁ ଆସନ୍ତି ତାଙ୍କୁ ମୁକାବିଲା କରିବାକୁ ହୁଏ।"

ସେ ଆକ୍ରମଣ କରିବାମାତ୍ରେ ଅନ୍ୟ ୪୦ ଜଣ ମହିଳା ଅନ୍ୟ ଫୋର୍ସମାନଙ୍କ ଉପରେ ଠେଙ୍ଗାରେ ଆକ୍ରମଣ ଆରମ୍ଭ କରିଦେଲେ। "ରାସ୍ତାରେ ସେଇ ବଦମାସକୁ ଗୋଡ଼େଇଲି। ସେ କିଛି ବାଟ ନପାଇ ଦୌଡିବାରେ ଲାଗିଲା।" ଏକଥା କହିବାବେଳେ ତାଙ୍କ ମୁହଁରେ କ୍ରୋଧ ପ୍ରକାଶ ପାଉଥିଲା। ମୁହଁ ପୋତି ହସୁଥିଲେ ମଧ୍ୟ। ସେଇ ଅଫିସରକୁ ସେ ଗାଁରେ ଗୋଡାଇଗୋଡାଇ ପିଟିଲେ। ତା ପରେ ​ସେ ତାଙ୍କ ବାପାଙ୍କୁ ସେଠାରୁ ଉଠାଇଥିଲେ। ସେ ପରେ ଗିରଫ ହୋଇଥିଲେ। ତେବେ ଅନ୍ୟଏକ ଆନ୍ଦୋଳନର ନେତୃତ୍ଵ ନେବାବେଳେ। କାର୍ତ୍ତିକ ଶବର ଏହି ଅଞ୍ଚଳର ଜଣେ ଜଣାଶୁଣା ବ୍ରିଟିଶ ବିରୋଧି ସଂଗଠକ।

ଏହାପରେ ନୂଆପଡ଼ା ଜିଲ୍ଲାର ତାଙ୍କ ଗାଁ 'ସାଲିହା' ରେ ଦେମତୀ ଦେଇ ଶବର 'ସାଲିହାନ' ଭାବେ ପରିଚିତ ହୋଇଥିଲେ। ଜଣେ ସଶସ୍ତ୍ର ବ୍ରିଟିଶ ଅଫିସରକୁ ଠେଙ୍ଗାରେ ପରାସ୍ତ କରିଥିବାରୁ ଓଡ଼ିଶାର ଜଣେ ସ୍ୱାଧୀନତା ସଗ୍ରାମୀ ଉତ୍ସବ ପାଳିଥିଲେ। ତାଙ୍କ ଭିତରେ ଆଜି ବି ସେଇ ନିର୍ଭୟପଣ ରହିଛି। ସେ ଏମିତି ଏକ ଅସାଧାରଣ କାମ କରିଥିବା ନିଜେ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ। ତେବେ ସେ ଜାଗା ଉପରେ ସେମାନେ ଆଉ ରହିଲେନି। "ସେମାନେ ଆମ ଘର ଭାଙ୍ଗିଦେଲେ, ଫସଲ ନଷ୍ଟ କରିଦେଲେ। ମୋ ବାପାଙ୍କ ଉପରେ ଆକ୍ରମଣ କଲେ, ଯଦିଓ ମୁଁ ତାଙ୍କ ସହ ଲଢିଥିଲି।"

ଏହା ଥିଲା ୧୯୩୦ ମସିହାର କଥା, ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା। ବିଦ୍ରୋହ ଚାଲିଥିବା ଯେଉଁ ଅଞ୍ଚଳଗୁଡିକରେ ବୈଠକ ହେଉଥିଲା ସେଠାରେ ବ୍ରିଟିଶମାନେ ଦମନଲୀଳା କରୁଥିଲେ। ବ୍ରିଟିଶ ଏବଂ ବ୍ରିଟିଶ ସରକାରଙ୍କ ପୋଲିସ ଉପରେ ଆକ୍ରମଣ ପାଇଁ ଦେମତୀ ଶବର ସାଲିହାନ ନାମରେ ପରିଚିତ ହେଲେ।

​ଦେମତୀଙ୍କୁ ମୁଁ ଭେଟିବାବେଳେ ତାଙ୍କୁ ୯୦ ପାଖାପାଖି ହୋଇଥିଲା। ତାଥାପି ତାଙ୍କ ମୁହଁରେ ସୌନ୍ଦର୍ଯ୍ୟ ଏବଂ ଶକ୍ତି ଥିଲା। ତେବେ ତାଙ୍କ ଶରୀର କ୍ଷୀଣ ହୋଇଯାଇଥିଲା, ଦୃଷ୍ଟିଶକ୍ତି ଦ୍ରୁତ ଭାବେ ହ୍ରାସ ପାଉଥିଲା। ଯୌବନ ବେଳେ ସେ ନିଶ୍ଚିତ ଡେଙ୍ଗା, ସାମର୍ଥ୍ୟବାନ ଆଉ ସୁନ୍ଦର ଥିବେ ନିଶ୍ଚୟ। ତାଙ୍କର ଲମ୍ବା ବାହୁ ଏବେ ବି ଲୁକ୍କାୟିତ ଶକ୍ତିର ସଂକେତ ଦିଏ। ଲାଠି ଧରିବା ଭଳି ସେଇ ହାତ। ସେଇ ଅଫିସରର ସେତେବେଳେ ନିଶ୍ଚିତ ଖରାପ ସମୟ ଥିଲା। ସେ ଦୌଡ଼ି ପଳାଇବା ପାଇଁ ନିଷ୍ପତ୍ତି ନେବା ବିଲକୁଲ ଠିକ୍ ଥିଲା।

ତାଙ୍କର ସେହି ସାହସ କିନ୍ତୁ ପୁରସ୍କୃତ ହୋଇନି। ତାଙ୍କ ଗାଁ ବାହାରେ ତାଙ୍କୁ କେହି ମନେ ରଖି ନାହାନ୍ତି। ସାଲିହାନଙ୍କୁ ମୁଁ ଯେତେବେଳେ ଭେଟିଲି ସେତେବେଳେ ସେ କ୍ଷୁଧାସହ ଲଢେଇ କରୁଥିଲେ। ରହୁଥିଲେ ବରଗଡ଼ ଜିଲ୍ଲାରେ। ତାଙ୍କର ଏକମାତ୍ର ସଂପତ୍ତି ଥିଲା ଏକ ରଂଗୀନ ସାର୍ଟିଫିକେଟ୍, ଯାହା ତାଙ୍କ ବୀରତ୍ୱର ବର୍ଣ୍ଣନା କରୁଥିଲା। ତେବେ ସେହି ସାର୍ଟିଫିକେଟ ଖଣ୍ଡକ ତାଙ୍କଠାରୁ ବେଶି ତାଙ୍କ ବାପାଙ୍କ କଥା କହୁଥିଲା। ସେ ଯେଉଁ ପ୍ରତିଆକ୍ରମଣ କରିଥିଲେ, ସେଥିରେ ତାର କିଛି ଉଲ୍ଲେଖ ନଥିଲା। ତାଙ୍କୁ କେନ୍ଦ୍ର କିମ୍ବା ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପେନସନ୍ କିମ୍ବା ସହାୟତା ମିଳୁନଥିଲା।

ତାଙ୍କ ସ୍ମରଣ ଶକ୍ତି ମଧ୍ୟ କ୍ଷୀଣ ହୋଇ ଯାଇଥିଲା। କିନ୍ତୁ ତାଙ୍କ ବାପା କାର୍ତ୍ତିକ ଶବରଙ୍କୁ କେମିତି ଗୁଳି କରାଯାଇଥିଲା ସେ କଥା ସେ ଅଦୌ ଭୁଲି ନଥିଲେ। ମୁଁ ଯେତେ​ବେଳେ ସେଇ ପ୍ରସଙ୍ଗ ଉଠାଇଲି, ତାଙ୍କ ମୁହଁରେ କ୍ରୋଧ ପ୍ରକାଶ ପାଇଲା। ସତେ ଯେମିତି ବର୍ତ୍ତମାନ ତାଙ୍କ ସାମ୍ନାରେ ସେହି ଘଟଣା ଘଟି ଯାଉଛି। ଏଇ ଘଟଣା ତାଙ୍କର ଆଉ କିଛି କାହାଣୀକୁ ବି ମନେ ପକାଇଦେଲା।

ମହାନ ଥିଲା ସାଲିହାନଙ୍କ ସ୍ମିତ ହସ, ସେ ସ୍ମିତ ହସୁଥିଲେ, ଅନେକ ସ୍ମିତ ହସ, କିନ୍ତୁ କ୍ଳାନ୍ତ ହୋଇପଡିଥିଲେ।

"ମୋ ବଡ ଭଉଣୀ ଭଣ ଦେଇ ଓ ଗଙ୍ଗା ଏବଂ ତଲେନ ଓ ସଖା ତୋରେନ (ଆଦିବାସୀ ସଂପ୍ରଦାୟର ଅନ୍ୟ ଦୁଇ ମହିଳା) - ସେମାନେ ମଧ୍ୟ ଗିରଫ ହୋଇଥିଲେ। ସେମାନେ ଆଉ କେହି ନାହାନ୍ତି। ବାପା ରାୟପୁର ଜେଲରେ ଦୁଇ ବର୍ଷ କାଟିଥିଲେ।"

ତାଙ୍କ ଅଞ୍ଚଳରେ ଏବେ ଜମିଦାରଙ୍କ ଆଧପତ୍ୟ ଯେଉଁମାନେ ବ୍ରିଟିଶ ସହ ହାତ ମିଳାଇଥିଲେ। ସ୍ୱାଧୀନତା ପାଇଁ ସାଲିହାନ୍ ଏବଂ ଅନ୍ୟ ଯେଉଁମାନେ ଲଢେଇ କରିଥିଲେ, ସେମାନଙ୍କଠାରୁ ସ୍ୱାଧୀନତାର ବେଶି ଫାଇଦା ପାଇଛନ୍ତି ଏମାନେ।

ସେ ଆମ ଆଡକୁ ଚାହିଁ ସ୍ମିତ ହସିଲେ। ଅନେକ ମହାନ ଥିଲା ସେଇ ସ୍ମତ ହସ, କିନ୍ତୁ ସେ କ୍ଳାନ୍ତ ହୋଇପଡିଥିଲେ। ତାଙ୍କ ତିନି ପୁଅଙ୍କ ନାଁ ମନେ ପକାଇବା ମଧ୍ୟ ତାଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ତାଙ୍କ ତିନି ପୁଅ ବ୍ରିଷ୍ଣୁ ଭୋଇ, ଅଙ୍କୁର ଭୋଇ ଓ ଅକୁର ଭୋଇ। ଆମେ ତାଙ୍କଠାରୁ ବିଦାୟ ନେବାବେଳେ ସେ ହାତ ହଲେଇଲେ। ଦେମତୀ ଦେଇ ଶବର 'ସାଲିହାନ୍' ତଥାପି ସ୍ମିତ ହସୁଥିଲେ।


୨୦୦୨ ମସିହାରେ ଆମେ ସାହିଲାହନଙ୍କୁ ଭେଟିବାର ଅଳ୍ପ କେଇ ବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା।

ଦେମତୀ ଦେଇ ଶବର ' ସାଲିହାନ ' ଙ୍କ ପାଇଁ

ସେମାନେ ତମ କାହାଣୀ କହିବେନି, ସାଲିହାନ୍
ଏବଂ ମୁଁ ତୁମକୁ ପୃଷ୍ଠା ୩ରେ ଦେଖି ପାରିବିନି
ଯାହା ମାମଲି ଲୋକଙ୍କ ପାଇଁ ଉଦ୍ଦିଷ୍ଟ
ନିତି ଦିନର ଖବର ଖୁବ୍ ବେଶୀ
ବାକି ଅଂଶ ଶିଳ୍ପ ନାୟକଙ୍କ ପାଇଁ
ପ୍ରାଇମ ଟାଇମ୍ ତୁମ ପାଇଁ ନୁହେଁ, ସାଲିହାନ୍
ଏହା, ଏବଂ ଆଦୌ କୌତୁକ ନୁହେଁ,
ଯିଏ ହତ୍ୟା ଏବଂ ଅପଙ୍ଗ କରିଦିଏ
ଯିଏ ଜାଳିଦିଏ ଏବଂ ଦୋଷାରୋପ କରେ
ଏବଂ ପରେ ସନ୍ଥ ଭଳି ସୌହାର୍ଦ୍ୟର କଥା କହେ
ବ୍ରିଟିଶ ତୁମ ଗାଁକୁ ଜାଳି ଦେଇଛି, ସାଲିହାନ
ଅନେକଙ୍କ ହାତରେ ବନ୍ଧୁକ ଥିଲା
ସେମାନେ ରେଳରେ ଆସିଥିଲେ
ସାଙ୍ଗରେ ଆଣିଥିଲେ ଆତଙ୍କ ଆଉ ଯନ୍ତ୍ରଣା
ସେଠି ବିବେକ ନଥିଲା
ସେମାନେ ସବୁ ଜାଳିଦେଲେ, ସାଲିହାନ
ଅର୍ଥ ଏବଂ ଶସ୍ୟ ସବୁ ଲୁଟିନେବା ପରେ
ବ୍ରିଟିଶର ବର୍ବରତା
ସେମାନେ ହିଂସା ଖେଳାଇଲେ
ତମେ କିନ୍ତୁ ସେମାନଙ୍କୁ ଅବଜ୍ଞା କରିଥିଲ
ଖୁବ ସହଜରେ ତାଙ୍କୁ ରାସ୍ତା ଦେଖାଇଥିଲ
ତମେ ସାମ୍ନା କରିଥିବା ସେଇ ଲୋକ ହାତରେ ବନ୍ଧୁକ ଥିଲା
ସାଲିହା, ଯେଉଁଠି ତଥାପି ସେମାନେ ତୁମର ଗାଥା ଗାଆନ୍ତି
ତମେ ଯେଉଁ ଯୁଦ୍ଧ ଲଢିଥିଲ
ଆଉ ଜିତିଥିଲ
ରକ୍ତ ଜୁଡୁବୁଡ ଦେହରେ ପଡିଥିଲେ ତମ ପରିଜନ
ତମ ବାପା, ଯାହାଙ୍କ ଗୋଡ ବୁଲେଟ ବିଦ୍ଧ ହୋଇଥିଲା
ତଥାପି ତମେ ଦମ୍ଭର ସହ ଛିଡା ହୋଇଥିଲ
ତମେ ସେଇ ବ୍ରିଟିଶମାନଙ୍କୁ ବିତାଡ଼ିତ କଲ
ତମେ ସେଠି ଲଢେଇ କଲ, ଭିକ୍ଷା ନୁହେଁ
ସେଇ ଅଫିସରକୁ ତମେ ପ୍ରହାର କଲ, ସାଲିହାନ
ଖସି ପଳାଇବା ପୂର୍ବରୁ ତମେ ତାକୁ ଖୁବ୍ ପିଟିଲ
ଶେଷରେ ସିଏ ଏଇୟା କଲା
ଅସହାୟ ହୋଇ ଆତ୍ମଗୋପନ କଲା
ତମେ ସେଇ ୧୬ ବର୍ଷର ବାଳିକା, ଯିଏ ତମଠାରୁ ଆଶ୍ରୟ ଚାହୁଁଥିଲା
ବ୍ରିଟିଶ ଲୋକଙ୍କୁ ସାମ୍ନା କରିଥିଲେ ୪୦ ଝିଅ, ସାଲିହାନ
ଖୁବ ଶକ୍ତ ଆଉ କମନୀୟ ମଧ୍ୟ
ଏବେ ତୁମେ ସଂକୁଚିତ ଆଉ ଧୂସର
ଏବେ ତୁମ ଅବୟବ ଶିଥିଳ
ତଥାପି ତମ ଚକ୍ଷୁ ଦୀପ୍ତିମନ୍ତ
ଯିଏ ବ୍ରିଟିଶଙ୍କ ସହ ହାତ ମିଳାଇଥିଲେ
ସୋମାନେ ଏବେ ତୁମ ଗରିବ ଗାଁର ଶାସନକର୍ତ୍ତା
ସେମାନେ ପଥରର ମନ୍ଦିର ଗଢିଛନ୍ତି
କିନ୍ତୁ କୃତକର୍ମର ଆଦୌ ପ୍ରାୟଶ୍ଚିତ କରିବେନି
ସ୍ୱାଧୀନତା ପାଇଁ କିଛି ବଦଳ ଦେବେନି
ତୁମେ ଯେମିତି ବଞ୍ଚିଥିଲ ସେମିତି ଚାଲିଗଲ, ସାଲିହାନ
କ୍ଷୁଧା ଆଉ ଖାଦ୍ୟାଭାବ
ଇତିହାସର ଚାଦର ତଳେ
ଅପସୃୟମାଣ ତୁମାର ସ୍ମୃତି
ଯେମିତି ରାୟପୁର ଜେଲର କର୍ମଚାରୀ ତାଲିକା
କିନ୍ତୁ ତୁମ ହୃଦୟକୁ ଦେଖିଛି, ସାଲିହାନ
କେତେ​ସଫଳ ହେବି ମୁଁ ଜାଣିନି
ଯଦିଓ ସେଇ ଯୁଦ୍ଧ
ତମ ନିଜ ପାଇଁ ନଥିଲା
ପରନ୍ତୁ ଅନ୍ୟମାନଙ୍କୁ ବି ମୁକ୍ତି ଦେଇଥିବ
ଆମ ପିଲାଏ ତୁମକୁ ଜାଣିବା ଦରକାର, ସାଲିହାନ
ହେଲେ କୀର୍ତ୍ତି ପାଇଁ ତମର ଦାବି କଣ?
କୃତିତ୍ୱର କିଛି ଚିହ୍ନ ନାହିଁ
ତୁମ ମଥାରେ ଗୌରବର ମୁକୁଟ ନାହିଁ
ତମ ନାଁରେ କିଛି ପେପ୍ସି କିମ୍ବା କୋକ୍ ନାହିଁ
ମତେ କୁହ, ସାଲିହାନ
ତୁମ ପ୍ରସନ୍ନତାର ଅସରନ୍ତି ସମୟ ପାଇଁ
ସବୁ ଛଡେଇ ଆଣିବ ଆମର ଦାବି
ମୁଁ ତୁମ ହୃଦୟର କଥା ଲେଖିବାକୁ ଚାହୁଁଛି
ଏହା ରୋମାନ୍ସ ନୁହେଁ
ଭାରତର ଚରିତ୍ରହୀନ ଅଧିନାୟକଙ୍କ କାହାଣୀ ନୁହେଁ

ଫଟୋ: ପି. ସାଇନାଥ

ଏହି ଭାଗରେ ଥିବା ଅନ୍ୟାନ୍ୟ କାହାଣୀଗୁଡ଼ିକ ଏଠାରେ ଦିଆଯାଇଛି :

ସ୍ୱାଧୀନତା ସଂଗ୍ରାମରେ ପାଣିମରାର ପଦାତିକ ସୈନ୍ୟ - ୧


ସ୍ୱାଧୀନତା ସଂଗ୍ରାମରେ ପାଣିମରାର ପଦାତିକ ସୈନ୍ୟ - ୨

ଲକ୍ଷ୍ମୀ ପଣ୍ଡାଙ୍କ ଅନ୍ତିମ ସଂଘର୍ଷ

ଅହିଂସାର ନଅ ଦଶନ୍ଧି

ଶେରପୁର: ବଡ଼ ବଳିଦାନ, ଛୋଟିଆ ସ୍ମୃତି

ଗୋଦାବରୀ: ଆଉ ଏକ ଆକ୍ରମଣ ଅପେକ୍ଷାରେ ପୋଲିସ୍

ବୀର ନାରାୟଣ ସିଂହ: “ଜଣେ ଅନାଲୋଚିତ ମହାନାୟକଙ୍କ କାହାଣୀ”

କାଲ୍ଲିଆସେରୀ : ୫୦ରେ ତଥାପି ସଂଗ୍ରାମ କରୁଛି

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath