ତାଙ୍କର ସେଇଝୁମ୍ପୁଡ଼ି ବସ୍ତିର ଅଣଓସାରିଆ ଗଳିବାଟ ଦେଇ, ତାଙ୍କ କୋଠରିକୁ ଯିବା ପାଇଁ ଭାନୁ ପାହାଡ଼ ଉପରକୁ ଲମ୍ବିଯାଇଥିବା ରାସ୍ତାରେ ଚାଲୁଛନ୍ତି । ତାଙ୍କ ପାଟିରେ ରୁମାଲ ବନ୍ଧା ହୋଇଛି ଏବଂ ସହାୟତା ରୂପରେ ତାଙ୍କୁ ମିଳିଥିବା ଅଧା କିଲୋ ଲେଖାଏଁ ଚାଉଳ ଓ ଡାଲି ଥିବା ଦୁଇଟି ପଲିଥିନ୍‌ ବ୍ୟାଗ୍‌କୁ ସେ ହାତରେ ଧରିଛନ୍ତି । ଆରପଟରୁ କେତେକ ଲୋକ ଆସୁଥିବା ଦେଖି, ଗଳିରାସ୍ତା କଡ଼ରେ ଥିବା ଗୋଟିଏ ଘରର କାନ୍ଥ କଡ଼ରେ ସେ ନିଜକୁ ଲୁଚାଇ ଦିଅନ୍ତି। ପାହାଡ଼ ତଳକୁ ଚାଲି ଚାଲି ଯାଉଥିବା ସେଇ ଲୋକମାନେ କେତେକ ବସ୍ତା ଓ ପୁଟୁଳି ଧରିଥିଲେ । କିଛି ସମୟ ପାଇଁ ସେଇ ସବୁ ପରିଚିତ ଚେହେରାର ଚଲାପଥ ଉପରେ ଭାନୁଙ୍କ ନଜର ଲାଖି ରହେ ଏବଂ ସେ ପୁଣି ପାହାଡ଼ ଚଢ଼ିବା ଆରମ୍ଭ କରନ୍ତି ।

ଗୋଟିଏ ସରୁ ଖୋଲା ନର୍ଦ୍ଦମାକୁ ଡେଇଁ ସେ ଆଗେଇ ଚାଲନ୍ତି । ସେଇ ଗଳି ଭିତରେ ଥିବା ଅନେକ ୧୦x୧୦ ବର୍ଗଫୁଟ ଆକାରର କୋଠରିରେ ତାଲା ପଡ଼ିଥାଏ । ସେମାନଙ୍କର ସେଇ ସବୁ ଅସ୍ଥାୟୀ କବାଟ ପଛପଟେ ଲୁଚି ରହିଥାଏ ଏକ ଅପ୍ରୀତିକର ନିରବତା । କେହି କଥାବାର୍ତ୍ତା କରୁନାହାନ୍ତି, ଝଗଡ଼ା କରୁନାହାନ୍ତି, ହସୁନାହାନ୍ତି, ବଡ଼ପାଟିରେ ମୋବାଇଲ ଫୋନରେ ଚିତ୍କାର କରୁନାହାନ୍ତି, ପୂରା ଭଲ୍ୟୁମ୍‌ ଦେଇଟିଭି ଦେଖୁନାହାନ୍ତି । ରୋଷେଇବାସର ତୀବ୍ର ବାସ୍ନା ବି ବାରି ହେଉନାହିଁ । ଚୁଲି ସବୁ ଏବେ ଥଣ୍ଡା ହୋଇଯାଇଛି ।

ପାହାଡ଼ର ସବା ଉପରେ ଭାନୁଙ୍କ କୋଠରି । ଘରେ, ଗ୍ୟାସ୍‌ ଚୁଲି ପାଖରେ ବସି ଶୂନ୍ୟ ଆଖିରେ ଦୁଆରକୁ ଚାହିଁ ରହିଛନ୍ତି ତାଙ୍କ ସ୍ତ୍ରୀ ସରିତା । ତାଙ୍କ ପେଟ ଉପରେ ରହିଛି ହାତ ଦୁଇଟି, ଛଅ ମାସର ଗର୍ଭବତୀ ସେ । ସିମେଣ୍ଟ ଚଟାଣରେ ଖେଳନା କାରକୁ ଗୋଲ ଗୋଲ କରି ଚଲାଇବାରେ ଲାଗିଛି ନଅ ବର୍ଷର ପୁଅ ରାହୁଲ । କିଛି ଖାଇବାକୁ ଦେବା ଲାଗି ଥରକୁ ଥର ମାଆକୁ କହିବାରେ ଲାଗିଛି ।

“ଆମ୍ମା, ମତେ ଭୋକ ଲାଗିଲାଣି ! ମୁଁ ସକାଳୁ କିଛି ଖାଇନାହିଁ । ତମେ ଆଜି ମତେ କ୍ଷୀର ଆଉ କ୍ରିମ୍‌ ବିସ୍କୁଟ୍‌ ବି ଦେଇନାହଁ, ଆମ୍ମା....”

ଦୀର୍ଘଶ୍ଵାସ ଛାଡ଼ନ୍ତି ସରିତା, ପ୍ରାୟତଃ ଅଜାଣତରେ । ନିଜକୁ ସମ୍ଭାଳି ନେଉ ନେଉ ସେ କହନ୍ତି, “ହଁ ରେ ପୁଅ”, ମୁଁ ଜାଣିଛି । ଥାଆ, ମୁଁ ତତେ କିଛି ହେଲେ ବି ଦେବି । ଏଇ ଏବେ ତୋ ବାପା ଏଠି ପହଞ୍ଚିଯିବେ । ସେ ବହୁତ ଜିନିଷ ଆଣିବେ । ତୁ ଯାଇ ବାହାରେ ଖେଳୁନୁ କାହିଁକି ?”

“ମୋ ସାଙ୍ଗରେ ଖେଳିବାକୁ କେହି ନାହାନ୍ତି,” ଜବାବରେ ରାହୁଲ କହେ । “ଆମ୍ମା, ବିକି ଆଉ ବଣ୍ଟି କୁଆଡ଼େ ଗଲେ ?”

“ତାଙ୍କ ଗାଁକୁ ଯାଇଛନ୍ତି, ଗଲା ବର୍ଷ ଭଳି । ମୁଁ ଭାବୁଛି । ସେମାନେ ଫେରିଆସିବେ ।”

“ନା, ଆମ୍ମା, ସ୍କୁଲ ଚାଲିଥିବା ବେଳେ ବର୍ଷ ଅଧାରୁ ଜମା ନୁହେଁ । ସେମାନେ ଫେରିବେ ବୋଲି ମୁଁ ଭାବୁନି। ଆମେ ଇଞ୍ଜିନିୟର ହୋଇଥାଆନ୍ତୁ । ସ୍କୁଲ୍‌ ପାଠ ସାରିବା ପରେ ଆମେ ତିନି ଜଣ ଯାକ ଗ୍ୟାରେଜ୍‌ ଖୋଲି କାର୍‌ ଠିକ୍‌ କରିଥାଆନ୍ତୁ । କିନ୍ତୁ ଏବେ ସେମାନେ ତ ସ୍କୁଲକୁ ବି ଆଉ ଆସିବେନି !”

“ତୁ ଆଉ ତୋ କାର୍‌ ! ତୁ ଦିନେ ତୋ ନିଜର ଗ୍ୟାରେଜ୍‌ ଖୋଲିବୁ, ଗୋଟେ ବଡ଼ ଗ୍ୟାରେଜ୍‌ । ଆଉ ବଡ଼ ଲୋକ ହେବୁ !” ଏତକ କହୁ କହୁ ଉଠି ଠିଆ ହୁଅନ୍ତି ସରିତା, ଚୁଲି ପଛରେ ଥିବା ତିନିଟା ଯାକ ଥାକ ଅଣ୍ଡାଳନ୍ତି । ତାଙ୍କ ରନ୍ଧାଘରର ଗୋଟିଏ ଥାକରେ ଯାହା ସବୁ ଥାଏ, ତାହା ହେଲା, କିଛି ଖାଲି ପାତ୍ର, ଗୋଟିଏ କଡ଼େଇ, ଗୋଟିଏ କରଚୁଲି, ଚାମଚ, ଚାରିଟା ଥାଳି, ଆଉ କିଛି ଗିନା ଓ କେଇଟା ଛୋଟ ଛୋଟ ପ୍ଲେଟ୍‌ । ଅନ୍ୟ ଦୁଇଟି ଥାକରେ ଛୋଟ ଛୋଟ ଧାଡ଼ିରେ ଥାଏ ଲୁଣ, ଡାଲି, ଚାଉଳ, ଅଟା, ଶୁଖିଲା ଶସ୍ୟ, ମସଲା, ଖାଇବା ତେଲ ରଖିବାକୁ ଥିବା ପ୍ଲାଷ୍ଟିକ୍‌ ଜାର୍‌- ସବୁ ଜାର୍‌ ଖାଲି ପଡ଼ିଛି । ରାହୁଲକୁ କିଛି ଦେବା ପାଇଁ ଖୋଜିବାର ଅଭିନୟ କରି ଗୋଟିଏ ପରେ ଗୋଟିଏ ଡବା ଖୋଲି ଚାଲନ୍ତି ସେ । ଗୋଟିକରେ ଥାଏ କ୍ରିମ୍‌ ବିସ୍କୁଟ୍‌ର ଖାଲି ପ୍ୟାକେଟ୍‌ । ଖାଲି ପ୍ୟାକେଟ୍‌କୁ ପାଦରେ ଚକଟି ଦେଇ ସେ ରାହୁଲ ଆଡ଼କୁ ମୁହଁ ବୁଲାନ୍ତି ଏବଂ ଦୁଆର ମୁହଁରେ ଭାନୁଙ୍କୁ ଦେଖନ୍ତି । ଭାନୁ ତାଙ୍କ ମୁହଁରେ ଗୁଡ଼ା ହୋଇଥିବା ରୁମାଲ ଖୋଲି ଅବସନ୍ନ ଅବସ୍ଥାରେ ଏରୁଣ୍ଡିବନ୍ଧ ଉପରେ ବସି ଦୀର୍ଘଶ୍ଵାସ ଛାଡ଼ନ୍ତି । ବାପାଙ୍କ ପାଖରୁ ବ୍ୟାଗ୍‌ ନେବା ପାଇଁ ରାହୁଲ ଅତିଆଗ୍ରହରେ ଦୌଡ଼ି ଆସେ ।

“ତମେ ଘରକୁ ଫେରିଆସିଲ ?! ରାହୁଲ, ବାପାଙ୍କୁ ପାଣି ଦେ ତ ।”

ସେତେବେଳକୁ ଭାନୁଙ୍କ ମୁଣ୍ଡ ଭିତରେ ଠିକାଦାରଙ୍କ ସହ ସାକ୍ଷାତ ସମୟର ଦୃଶ୍ୟ ପୁଣି ଚାଲୁଥିଲା, ସହସ୍ରତମ ଥର ପାଇଁ ।

“ବାପା, ପାଣି... ବାପା... ପାଣି ନିଅ । ତମକୁ କିଛି ବିସ୍କୁଟ ମିଳିଲାନି, ମିଳିଲା କି ?” ରାହୁଲ ତାଙ୍କ କାନ୍ଧ ଧରି ହଲାଇ ଦିଏ ।

ରାହୁଲ ହାତରୁ ଗିଲାସ ନେଇ ଭାନୁ ଚୁପ୍‌ଚାପ ପାଣି ପିଅନ୍ତି ।

“ଠିକାଦାର କିଛି ପଇସା ଦେଲେନି, ଆଉ କହିଲେ ଆହୁରି ମାସେ ପର୍ଯ୍ୟନ୍ତ କାମ ଆରମ୍ଭ ହେବନି ।” କହିଲା ବେଳେ ସେ ସରିତାଙ୍କ ଆଡ଼କୁ ଚାହଁନ୍ତି ।

ତାଙ୍କ ଫୁଲିଲା ପେଟ ଉପରେ ହାତ ପାପୁଲି ବୁଲାଇ ଆଣନ୍ତି ସରିତା । ନିଜେ ଆଶ୍ଵସ୍ତ ହେବାକୁ ଚେଷ୍ଟା କରୁଛନ୍ତି କି ଗର୍ଭସ୍ଥକୁନି ଶିଶୁଟିକୁ ଆଶ୍ଵସ୍ତ କରିବାକୁ ଚାହୁଁଛନ୍ତି, କହିବା କଷ୍ଟକର ।

“ସରକାର ସବୁ ବନ୍ଦ କରିଦେଇଛନ୍ତି,” ଭାନୁ କହି ଚାଲନ୍ତି । “ଏଇଟା ଗୋଟେ ରୋଗ । ପୁଣି କେବେ କାମ ଆରମ୍ଭ ହେବ, ସେ କଥା କେବଳ ସରକାର ହିଁ କହିପାରିବେ ।”

“ବିନା ପଇସାରେ ଦେଢ଼ମାସରୁ ଅଧିକ ହେଲାଣି । ଡାଲି କି ଚାଉଳ, କିଛି ହେଲେ ନାହିଁ... ଆଉ କେତେ ଦିନ ଏମିତି ଲୋକଙ୍କ ଦୟାରେ ବଞ୍ଚି ରହିବା?”

“ମୁଁ ତମକୁ ଏଠାକୁ ଆଣି ନଥିଲେ ଭଲ ହୋଇଥାନ୍ତା,”ନିଜ ସ୍ଵରରେ ଅପରାଧବୋଧକୁ ଲୁଚାଇ ପାରନ୍ତିନି ଭାନୁ । “ତମର ଏଭଳି ଅବସ୍ଥାରେ... ଭଲ କରି ଖାଇବାକୁ ବି ଯୋଗାଡ଼ କରିବାରେ ଅକ୍ଷମ । ଏମିତି ଯଦି ଆଉ କିଛି ମାସ ଚାଲେ ତେବେ ଅବସ୍ଥା କ’ଣ ହେବ ?”

ଯନ୍ତ୍ରଣାରେ ଦୁଇ ହାତ ମକଚନ୍ତି ଭାନୁ । ଆଜିକୁ ଦେଢ଼ ମାସ ହେଲା ତାଙ୍କ ପରିବାରକୁ ଦିନରେ ଥରଟିଏ ଖାଇବାକୁ ମିଳୁଛି- କେବଳ ଭାତ  ଆଉ ଡାଲି, ତା ବି ଯଦି ସ୍ଥାନୀୟ କେଉଁ ସଂଗଠନ ଦ୍ଵାରା ବଣ୍ଟା ହୁଏ । ଏସବୁ ଆରମ୍ଭ ହେଲା ଆଗରୁ ତାଙ୍କ ପରିବାର ଲୋକେ ସବୁଜ ପନିପରିବା, କ୍ଷୀର ଖାଇ ଆସୁଥିଲେ । ଏବଂ କେବେ କେମିତି ସମ୍ଭବ ହେଲେ କିଛି ସେଓ, କମଳା ଓ ଅଙ୍ଗୁର ଭଳି ଫଳ ।

ଅଳଙ୍କରଣ: ଅନ୍ତରା ରମଣ

କିନ୍ତୁ କରୋନା ଭାଇରସ୍‌ର ପ୍ରାଦୁର୍ଭାବ ଯୋଗୁଁ ସରକାର ସାରା ଦେଶରେ ହଠାତ୍‌ ଲକ୍‌ଡାଉନ୍‌ ଜାରି କରିବା ପରେ ସବୁ ଶିଳ୍ପ ସଂସ୍ଥା ବନ୍ଦ ହୋଇଗଲା । ଆଠ ବର୍ଷରେ ପ୍ରଥମ ଥର ପାଇଁ ଏତେ ଦୀର୍ଘ ସମୟ ଧରି ଭାନୁ ବିନା କାମରେ ରହିଥିଲେ । ବିଭିନ୍ନ ନିର୍ମାଣ ସ୍ଥଳରେ ସେ ଘର ଛାତର ସେଣ୍ଟ୍ରିଂ କାମ କରୁଥିଲେ । ସାଧାରଣତଃ ମାସକୁ ୨୫ ଦିନ କାମ ମିଳୁଥିଲା ଏବଂ ଦିନକୁ ୪୦୦ ଟଙ୍କା ରୋଜଗାର କରୁଥିଲେ । ଏଥିରେ ତାଙ୍କ ପରିବାରର ଘରଖର୍ଚ୍ଚ ସହିତ ଉତ୍ତର ପ୍ରଦେଶରେ ତାଙ୍କ ଗାଁରେ ରହୁଥିବା ବୟସ୍କ ବାପାମାଆଙ୍କ ପାଇଁ କିଛି ଟଙ୍କା ପଠାଇ ପାରୁଥିଲେ।

ଏହି ଯୁବ ଦମ୍ପତି କଥାବାର୍ତ୍ତା କରୁଥିବା ବେଳେ ଭାନୁଙ୍କ ବନ୍ଧୁ ସୂର୍ଯ୍ୟ ଏବଂ ଅଭୟ ଦୁଆର ମୁହଁରେ ପହଞ୍ଚିଲେ । ଉଭୟ ସବୁଦିନ ସକାଳେ ଘରପାଖ ଲେବର ନାକା ବା ଶ୍ରମିକ ହାଟରେ ଠିଆ ହୁଅନ୍ତି ଏବଂ ପ୍ରାୟତଃ ନିର୍ମାଣ ସ୍ଥଳରେ କାମ କରିବାକୁ ଡାକରା ପାଇଯାଆନ୍ତି । ଏ ଥିଲା ଲକ୍‌ଡାଉନ୍‌ ପୂର୍ବର କଥା । ଏବେ ସେମାନଙ୍କର କାମ ନାହିଁ । ସୂର୍ଯ୍ୟ ଆଣିଥିବା ଚାରିଟି ପାଚିଲା କଦଳୀ ଭାନୁଙ୍କୁ ଦେଲେ ।

ସେଗୁଡ଼ିକ ଖାଇନେବାକୁ ଅଭୟ ସରିତାଙ୍କୁ କହିଲେ । “କ’ଣ ତମେ କରୁଛ ଭାବୀ? ଆଗ କେଇଟା କଦଳୀ ଖାଇନିଅ.. ତମେ ଗତକାଲିଠାରୁ କିଛି ଖାଇନାହଁ ।”

ସୂର୍ଯ୍ୟ ଭାନୁଙ୍କୁ ପଚାରନ୍ତି, “ତମକୁ ଠିକାଦାର ମଜୁରି ଦେଲେ କି ? ସେ କ’ଣ କହିଲେ ?”

“ସେ ଆଉ କ’ଣ ବା କହିବେ ? ଏତେ ଦିନ ହେଲା ସେ ମୋ ଫୋନ୍‌ ବି ଧରୁ ନଥିଲେ । ମୁଁ ତାଙ୍କ ଘର ବାହାରେ ଠିଆ ହେଲି, ଅପେକ୍ଷା କରୁଥିଲି । ଘଣ୍ଟାଏ ପରେ ସେ ଘର ବାହାରୁ କୁଆଡୁ ଆସିଲେ । ତାଙ୍କ ହାତରେ କାଗଜରେ ଗୁଡ଼ା ହୋଇଥିବା ମଦ ବୋତଲ ଦେଖିଲି । ସେ ତାକୁ ମୋ ପାଖରୁ ଲୁଚାଉ ଥିଲେ । ଗତ ମାସର ମଜୁରି ଦେଇଦେବାକୁ ମୁଁ କହିଲି । ମୁଁ ଦୁଇ ସପ୍ତାହ ପାଇଁ କାମ କରିଥିଲି । କିନ୍ତୁ ସେ କହିଲେ ଯେ ତାଙ୍କ ପାଖରେ ଟଙ୍କା ନାହିଁ । ଏଇ ୫୦୦ ଟଙ୍କିଆ ନୋଟ୍‌ଟିକୁ ଦେଇ “ନିଜକଥା ନିଜେ ବୁଝ” ବୋଲି କହିଲେ ।

ସୂର୍ଯ୍ୟ କହନ୍ତି, “ଓଃ ମଦ ! ବାଃ ! ଅତି ଜରୁରୀ ଜିନିଷ, ଭାଇ ।”

ସରିତା ଉଭୟ ଅତିଥିଙ୍କୁ ଦୁଇ ଗିଲାସ ପାଣି ଦିଅନ୍ତି ଏବଂ ପଚାରନ୍ତି, “ତମେ ଗାଡ଼ିମିଳିବା କଥାକିଛି ବୁଝିଲ କି ଭୈୟା ?”

“ନା ଭାବୀ, କିଛି ନାହିଁ,” ଅଭୟ କହିଲେ । “ଯୁଆଡ଼କୁ ଗଲେ ଲୋକେ ଧାଡ଼ିରେ ଠିଆ ହୋଇଛନ୍ତି, ରାସ୍ତା ଉପରେ ବସିଛନ୍ତି । ଆମେ ଚାଲି ଚାଲି ଚାରିଟା ରେଳ ଷ୍ଟେସନ ଓ ତିନିଟା ବସ୍‌ ଷ୍ଟାଣ୍ଡକୁ ଗଲୁ । କୋଉଠି ହେଲେ ଟ୍ରେନ୍‌ କି ବସ୍‌ କିଛି ନାହିଁ ।”

“ହେଲେ ଆମେ ଫର୍ମ ପୂରଣ କରିଥିଲୁ, ଡାକ୍ତରୀ ପରୀକ୍ଷା କରାଇଥିଲୁ । ସେସବୁର କ’ଣ ହେଲା ?”

“ମୋବାଇଲରେ ଚେକ୍‌ କଲି । କ୍ୟାନ୍‌ସଲ ହୋଇଯାଇଛି ବୋଲି ଦେଖାଇଲା । ପଚାରିବା ଲାଗି ଆମେ ଷ୍ଟେସନ ଗଲା ବାଟରେ ପୋଲିସ ଆମକୁ ଘଉଡ଼ାଇ ଦେଲା,” ସୂର୍ଯ୍ୟ କହନ୍ତି ।

“ତଳେ ରହୁଥିବା ଗୀତା ଭାବୀ ଓ ତାଙ୍କ ପରିବାର ଗତକାଲି କୋଉ ଏକ ଘରୋଇ କାର୍‌ରେ ତାଙ୍କ ଗାଁକୁ ଗଲେ । ମୁଁ ଶୁଣୁଛି, ଗାଡ଼ିବାଲା ଜଣ ପିଛା ୩-୪,୦୦୦ ଟଙ୍କା ଲେଖାଏଁ ଭଡ଼ା ମାଗିଲା ।” ସରିତା ସେମାନଙ୍କୁ କହନ୍ତି ।

“ବ୍ୟାଙ୍କରେ ଆଉ ପ୍ରାୟ ୧୦,୦୦୦ ଟଙ୍କା ଅଛି ଏବଂ ହାତରେ ଏଇ ୫୦୦ ଟଙ୍କା…,” ଭାନୁ କହନ୍ତି । “ମୁଁ ଶୁଣିଛି, ଲୋକେ କୁଆଡ଼େ ଚାଲି ଚାଲି ଘରକୁ ଫେରୁଛନ୍ତି.... ।”

ଭାନୁଙ୍କ ଆରପଟ ବନ୍ଦ କୋଠରି ଏରୁଣ୍ଡିବନ୍ଧରେ ବସି ପଡ଼ନ୍ତି ସୂର୍ଯ୍ୟ, ଉତ୍ତେଜିତ ଭାବରେ । “ମୁଁ କିଛି ବୁଝିପାରୁନି । ଘରମାଲିକ ଫୋନ୍‌ କରିବାରେ ଲାଗିଛନ୍ତି, ଦୁଇ ମାସର ଘରଭଡ଼ା ମାଗୁଛନ୍ତି, ହେଲେ, କେମିତି ଦେବୁ ?” ଅଭୟ କାନ୍ଥକୁ ଆଉଜି ପଡ଼ନ୍ତି । ଦୁଆର ମୁହଁରେ ଭାନୁଙ୍କ ପଛପଟେ ଠିଆ ହୋଇଥାଆନ୍ତି ସରିତା । ଅଭୟ କହନ୍ତି, “ସବୁ ଜାଗାରେ ଏଇ ଅବସ୍ଥା, ସମସ୍ତଙ୍କର ସେଇ ଗୋଟିଏ କାହାଣୀ... ଆମ ଭଳି ସବୁ ଶ୍ରମିକଙ୍କର... ପ୍ରାୟ ଦୁଇ ମାସ ହେଲା ମୁଁ ଘରକୁ ପଇସାଟିଏ ବି ପଠାଇନି । ବାପୁଙ୍କ ଔଷଧ ଖର୍ଚ୍ଚ ପାଇଁ ବି ନୁହେଁ… ।” ତାଙ୍କ ବାପାଙ୍କର ଫୁସ୍‌ଫୁସ୍‌ ରୋଗ ଅଛି । ଦୁଇ ବର୍ଷ ତଳେ ତାଙ୍କ ମାଆ ମ୍ୟାଲେରିଆରେ ପ୍ରାଣ ହରାଇଥିଲେ । ତାଙ୍କ ସାନଭଊଣୀ ୧୦ମ ଶ୍ରେଣୀରେ ପଢୁଛି । କିଛି ସମୟ ପାଇଁ ସେ ସେହି ସବୁ ଚିନ୍ତାରେ ହଜି ଯାଆନ୍ତି ଏବଂ ତା’ପରେ ସାନପୁଅଟି ସହ କଥାବାର୍ତ୍ତା ଆରମ୍ଭ କରିଦିଅନ୍ତି । “ଆରେ ରାହୁଲ, ତୁ ଏଇଟା କ’ଣ କରୁଛୁ?”

“ମୁଁ ମୋ ଅଡି ଚଳାଉଛି, ଚାଚା ।”

କିଛିଟା ମଜାଳିଆ ଢଙ୍ଗରେ ସୂର୍ଯ୍ୟ ପିଲାଟିକୁ ପଚାରନ୍ତି, “ଓଡି.. ତୋ ଓଡି ଆମକୁ ନେଇଯିବ.. ଆମ ପ୍ରଦେଶକୁ...?”

“ହଁ, ନିଶ୍ଚୟ ନେଇଯିବ । ଏଇଟା ମୋ କାର୍‌, ସବୁଆଡ଼େ ଯାଏ, ସମସ୍ତଙ୍କୁ ନେଇଯାଏ । ଜୁଉଉଉମ୍‌ସ୍‌ସରୁମ୍‌ସ୍‌ସ୍‌ ରୁମ୍‌ସ୍‌ସ୍‌ରୁମ୍‌ସ୍‌ସ୍‌ ସ୍‌ସ୍‌ସ୍‌... ।”ବଡ଼ପାଟିରେ ଗାଡ଼ି ଚାଲିବାର ଘୁଁ ଘୁଁ ଶବ୍ଦ କରି ସେ ଏରୁଣ୍ଡିରେ ବସିଥିବା ତା ବାପାଙ୍କୁ ଆଡ଼େଇ ଦେଇ ତା କାର୍‌ ନେଇ ଘର ବାହାରକୁ ଚାଲିଆସେ, ଗଳି ରାସ୍ତାରେ ଖୁବ୍‌ ଜୋରରେ କାର୍‌ ଚଳାଏ । ସରିତା, ଭାନୁ, ସୂର୍ଯ୍ୟ ଓ ଅଭୟ ତାକୁ ଖୁସିରେ ଖେଳୁଥିବାର ଦେଖୁଥାଆନ୍ତି ।

ନିଷ୍ପତ୍ତି ନେବା ଭଳି ସ୍ଵରରେ କହନ୍ତି ସୂର୍ଯ୍ୟ, “ଚାଲ ଆମେ ସମସ୍ତେ ଯିବା ଭାବୀ, ଚାଲ ସମସ୍ତେ ଘରକୁ ଯିବା ।”

ବାସନକୁସନ ଏବଂ ଲୁଗାପଟା ବାନ୍ଧିବାରେ ସେମାନେ ରାତିର ଅଧିକାଂଶ ଭାଗ ବିତାଇ ଦିଅନ୍ତି । ପରଦିନ ବଡ଼ି ସକାଳୁ, ଭୋର ହେବା ପୂର୍ବରୁ, ସେମାନେ ସେଇ ରାସ୍ତା ଆଡ଼କୁ ଚାଲି ଚାଲି ଆଗେଇ ଯାଆନ୍ତି, ଯାହା ହୁଏତ ସେମାନଙ୍କୁ ସହର ବାହାରକୁ ନେଇଯିବ ।

*****

ସହରଠାରୁ ପାଖାପାଖି ୫୦ କିଲୋମିଟର ଦୂର, ରାଜପଥ କଡ଼ରେ, ଘାସ ଭର୍ତ୍ତି ଏକ ଖୋଲା ପଡ଼ିଆରେ ପିଥ୍ୟା ଓ ତାଙ୍କ ପରିବାର ନିଦରୁ ଉଠନ୍ତି । ସେତେବେଳକୁ ସକାଳ ଚାରିଟା । ଘାସ ଉପରେ ବିଛା ହୋଇଥିବା ନିଜ ନିଜର ହାତବୁଣା କମ୍ବଳକୁ ଭାଙ୍ଗି  ରଖିବା ପରେ ସେମାନେ ପୁଣି ଚାଲିବା ଆରମ୍ଭ କରନ୍ତି । ତା ପୂର୍ବ ଦିନରୁ ହିଁ ସେମାନେ ବଡରୁଜ ଗାଁର ଇଟାଭାଟିରୁ ଚାଲିବା ଆରମ୍ଭ କରିଥିଲେ । ସେମାନଙ୍କ ଘର ୧୫୦ କିଲୋମିଟର ଦୂର ଗାର୍ଦେପଡ଼ାରେ । କାମ ଖୋଜି ଖୋଜି ସେମାନେ ଇଟାଭାଟିକୁ ଯାଇଥିଲେ ।

ପିଥ୍ୟାଙ୍କ ମୁଣ୍ଡରେ ଥାଏ ଯଅ ଅଟା ଏବଂ ଚାଉଳରେ ଭର୍ତ୍ତି ଗୋଟିଏ ବଡ଼ ଓଜନିଆ ବସ୍ତା ଏବଂ ହାତରେ ବାସନକୁସନର ପୁଟୁଳିଟିଏ ଧରିଥାଆନ୍ତି । ମୁଣ୍ଡରେ ଲୁଗାପଟା ଏବଂ କମ୍ବଳର ଗଣ୍ଠିଲିଟିଏ ରଖି ତାଙ୍କ ସ୍ତ୍ରୀ ଝୁଲା ତାଙ୍କ ପଛେ ପଛେ ଚାଲିଥାଆନ୍ତି । ତାଙ୍କ ଛାତିରେ, ଖଣ୍ଡେ ଲୁଗାରେ ବନ୍ଧା ହୋଇ ସୁରକ୍ଷିତ ଅବସ୍ଥାରେ ଶୋଇ ପଡ଼ିଥାଏ ଆଠ ମାସର କୁନିପୁଅ ନନ୍ଦୁ । ଧୂଳିରେ ଭର୍ତ୍ତି ତା ମୁହଁରେ ଲୁହ ଝରି ଶୁଖିଯିବାର ଦାଗ ରହିଯାଇଥାଏ । ମାଆ ପଛେ ପଛେ ମୁଣ୍ଡରେ ଲୁଗାପଟାର ଗଣ୍ଠିଲିଟିଏ ରଖି ଚାଲିଥାଏ ୧୩ ବର୍ଷର ଝିଅ କଳ୍ପନା ଏବଂ ବଡ଼ ଭଉଣୀର ଫ୍ରକ୍‌ ଧରି ଚାଲିଥାଏ ଛଅ ବର୍ଷର ଗୀତା ।

ମୁହଁ ନ ବୁଲାଇ ଝୁଲା ସେମାନଙ୍କୁ କହନ୍ତି, “ଝିଅମାନେ, ଦେଖିଚାହିଁ ଚାଲୁଥାଅ ।”

ଆଗରୁ ଡାକ ପକାନ୍ତି ପିଥ୍ୟା, “ଆମ ଦୁହିଁଙ୍କ ମଝିରେ ସେମାନେ ଚାଲନ୍ତୁ । ପଛରେ ନୁହେଁ । ସେମିତି ହେଲେ ଆମେ ସେମାନଙ୍କ ଉପରେ ନଜର ରଖିପାରିବା।”

ପିଥ୍ୟା ଓ ଝୁଲାଙ୍କ ମଝିରେ ରହି ଚାଲିବା ଆରମ୍ଭ କରନ୍ତି କଳ୍ପନା ଓ ଗୀତା । କିଛି ଘଣ୍ଟା ପରେ, ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଯାଆନ୍ତି ଏବଂ ଭୀଷଣ ଗରମ ଲାଗେ । ଛିଣ୍ଡା ପୁରୁଣା ସ୍ଲିପର୍‌ ଚପଲ ଭିତରୁ ବାହାରି ଆସୁଥିବା ସେମାନଙ୍କ ପଞ୍ଛା ଓ ଗୋଇଠି ତତଲା ମାଟିରେ ପୋଡ଼ିଯାଏ । ଝୁଲାଙ୍କର ହୃତ୍‌ସ୍ପନ୍ଦନ ବଢ଼ିଯାଇଛି, ତାଙ୍କୁ ଅଣନିଶ୍ଵାସୀ ଲାଗୁଛି ।

“ହେ..ହେ.. ଶୁଣ । କିଛି ସମୟ ପାଇଁ ଅଟକି .ଯିବା । ଆଉ ଚାଲି ପାରୁନି । ଶୋଷ ବି ଲାଗୁଛି ।”

“ଆଗରେ ଗାଁଟିଏ ଅଛି । ସେଇଠି ଅଟକିବା,” ପିଥ୍ୟା କହନ୍ତି ।

ଆଗରେ ସେମାନେ ପିପଲ ଗଛଟିଏ ଦେଖନ୍ତି। ତା’ର ବାମ ପଟେ ଆଦର୍ଶବାଡ଼ି ଗାଁକୁ ଲମ୍ବି ଯାଇଥାଏ କଚ୍ଚା ରାସ୍ତାଟିଏ – ଯାହାକି ଗଛ ଗଣ୍ଡିରେ ଝୁଲୁଥିବା ଏକ ବୋର୍ଡରୁ ଜଣାପଡ଼େ। ଗଛକୁ ଘେରିଥିବା ଚଉତରା ଉପରେ ପିଥ୍ୟା ତାଙ୍କ ବୋଝ ଓହ୍ଲାଇ ଦିଅନ୍ତି । ସେମାନେ ଧରିଥିବା ଜିନିଷପତ୍ରକୁ ସେଇ ଚଉତରା ଉପରେ ରଖି ଦୀର୍ଘଶ୍ଵାସ ଛାଡ଼ନ୍ତି ଝୁଲା ଓ କଳ୍ପନା । ପବିତ୍ର ଡିମିରି ଗଛର ଗହଳିଆ ଶାଖାର ଛାଇ ବେଶ୍‌ ସୁଖଦ ଲାଗେ। ନନ୍ଦୁକୁ ବାନ୍ଧିଥିବା ଲୁଗାର ଗଣ୍ଠି ଖୋଲନ୍ତି ଝୁଲା, ଏବଂ ତାକୁ କୋଳରେ ରଖି ସ୍ତନ୍ୟପାନ କରାଇବା ପାଇଁ ତା ଉପରେ ଶାଢ଼ିର ଗୋଟିଏ କାନି ଘୋଡ଼େଇ ଦିଅନ୍ତି ।


ଗରମରେ ତାତି ଯାଇଥିବା ପିଥ୍ୟାଙ୍କ ଦେହ କିଛିଟା ଥଣ୍ଡା ହେବା ପରେ, ସେ ଗୋଟିଏ ଗଣ୍ଠିଲି ଖୋଲି ତିନିଟି ପ୍ଲାଷ୍ଟିକ୍‌ ବୋତଲ ବାହାର କରନ୍ତି । ଏଇଠି ଥାଅ । ମୁଁ ପାଣି ନେଇ ଆସିବି ।”

ମାଟି ରାସ୍ତାରେ କିଛି ବାଟ ଯିବା ପରେ କଣ୍ଟାବୁଦାର ବାଡ଼ଟିଏ ତାଙ୍କ ନଜରରେ ପଡ଼େ । ତା ଉପରେ ରଖାଯାଇଥିବା ଗୋଟିଏ ବୋର୍ଡରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥାଏ:କରୋନା ଭାଇରସ୍‌ରୁ ସୁରକ୍ଷା ପାଇଁ ବାହାର ଲୋକେ ଗାଁରେ ପ୍ରବେଶ କରିବା ମନା ।

“ରାସ୍ତା ବନ୍ଦ ? କରୋନା...” ପିଥ୍ୟା ଧୀରେ ଧୀରେ ପଢ଼ନ୍ତି ଏବଂ ତା’ପରେ କେହି ଜଣେ ତାଙ୍କ କଥା ଶୁଣିବ ବୋଲି ଭାବି  ବଡ଼ ପାଟିରେ ଡାକ ପକାଇବା ଆରମ୍ଭ କରନ୍ତି ।

“କିଏ ଏଠି ଅଛ? ଭଉଣୀ.. ଭାଇ... କିଏ ଅଛ ସେଠି ? ମୋର ପାଣି ଦରକାର । ସେଠି କେହି ଅଛ କି ?”

ବହୁ ସମୟ ଧରି ସେ ଡାକ ପକାନ୍ତି। ହେଲେ କେହି ଯେତେବେଳେ ତାଙ୍କ ଡାକ ଶୁଣନ୍ତିନି, ହତାଶ ହୋଇ ସେ ସେଠାରୁ ଚାଲି ଆସନ୍ତି । ତାଙ୍କୁ ପାଖକୁ ଆସୁଥିବାର ଦେଖି ଝୁଲାଙ୍କ ମୁହଁରେ ହସ ଫୁଟି ଉଠେ ।

“ପାଣି କାହିଁ ?”

“ରାସ୍ତା ବନ୍ଦ ଅଛି । ମୁଁ ଗାଁ ଲୋକଙ୍କୁ ଡାକିବାକୁ ଚେଷ୍ଟା କଲି । କେହି ଆସିଲେନି । ଏଠି ବି ରୋଗ ଲାଗି ରହିଛି । ଆଗକୁ ଯାଇ ଦେଖିବା । କିଛି ତ ମିଳିଯିବ ।”

ଝୁଲାଙ୍କ ମନ ଭିତରେ ଆଶା ଉଙ୍କିମାରେ । “ଖୋଲା ପଡ଼ିଆଟିଏ ଦେଖିଲେ, ଆମେ ସେଇଠି ଚୁଲା ବସେଇବା ।”

ଗୀତା ଅଳି କରେ । “ବାବା, ମତେ ଖୁବ୍‌ ଭୋକ ଲାଗିଲାଣି ।”

ଆଉ ବାପା ତା ମନରେ ଖୁସି ଭରିବାକୁ ଚେଷ୍ଟା କରନ୍ତି । “ଗୀତେ, ଆ, ମୋ କାନ୍ଧରେ ବସ । ଆଉ କହ ଉପରୁ ତତେ କ’ଣ ସବୁ ଦେଖାଯାଉଛି ।”

ଗୀତା ତାଙ୍କ କାନ୍ଧରେ ବସେ, ହାତରେ ମୁଣ୍ଡକୁ ଧରିଥାଏ । ପିଥ୍ୟା ଗୋଟିଏ ହାତରେ ଚାଉଳ ଓ ଅଟାର ବସ୍ତା ଏବଂ ଅନ୍ୟ ହାତରେ ବାସନକୁସନ ପୁଟୁଳି ଧରନ୍ତି । ସେମାନେ ୨-୩ କିଲୋମିଟର ବାଟ ଚାଲିବା ପରେ ରାସ୍ତାକଡ଼ରେ ଟିଣ ଚାଦର ଘେରା କୁଡ଼ିଆଟିଏ ଦେଖନ୍ତି । ସେଠି କେହି ଜଣେ ଅଛନ୍ତି ବୋଲି ଝୁଲାଙ୍କ ନଜରରେ ପଡ଼େ ।

“ଶୁଣ ! ସେଠି କେହି ଜଣେ ତଳେ ପଡ଼ିଯାଇଛି ବୋଧେ ।”

ପିଥ୍ୟା ସତର୍କ ଭାବରେ ଦେଖନ୍ତି: “ଶୋଇପଡ଼ିଥିବେ ପରା ।”

“ଏମିତି ପଡ଼ିଆରେ କିଏ ଶୁଏ ? ଭଲ କରି ଦେଖ । ମତେ ଲାଗୁଛି ସେ ଅଚେତ ହୋଇପଡ଼ିଛନ୍ତି ।”

ପିଥ୍ୟା କୁଡ଼ିଆର ଆହୁରି ପାଖକୁ ଆସନ୍ତି । ନିଜ ଗଣ୍ଠିଲିକୁ ତଳେ ରଖି ଗୀତାକୁ କାନ୍ଧରୁ ଓହ୍ଲାନ୍ତି । ପ୍ରକୃତରେ ସେଠି ଜଣେ ବୟସ୍କା ମହିଳା ଅଚେତ ହୋଇପଡ଼ିଥିଲେ ।

“ଏଠିକି ଆସ, ଝୁଲେ ।”

ଝୁଲା କୁଡ଼ିଆ ପାଖକୁ ଦୌଡ଼ି ଯାଆନ୍ତି । ତାଙ୍କ ପଛେ ପଛେ କଳ୍ପନା ଦୌଡ଼େ । ସେମାନେ ସେହି ମହିଳାଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତି । କୁଡ଼ିଆ ଭିତରୁ ପାଣି ଆଣିବାକୁ ଝୁଲା କଳ୍ପନାକୁ ପଠାନ୍ତି ।

“ଏ ବୁଢ଼ୀ ମା,” ପିଥ୍ୟା କହନ୍ତି, ଏବଂ ତାଙ୍କ ମୁହଁରେ ପାଣି ଛାଟୁଥାଆନ୍ତି ।

ସେ ତାକୁ ତଳୁ ଉଠାଇ ଏକ ଦଉଡ଼ିଆ ଖଟରେ ଶୁଆଇ ଦିଅନ୍ତି । ତା’ପରେ ନନ୍ଦୁଙ୍କୁ ହାତରେ ଧରି ସେ ସେଇଠି ଘାସ ଉପରେ ବସି ପଡ଼ନ୍ତି ।

କାଳବିଳମ୍ବ ନ କରି, ଝୁଲା କେତେକ ପଥର ଓ ଶୁଖିଲା ଡାଳପତ୍ର ଆଣି କୁଡ଼ିଆ ବାହାରେ ରାନ୍ଧିବା ପାଇଁ ନିଆଁ ଜାଳନ୍ତି ଏବଂ ଜୋୱାର ଭକ୍‌ରି ଗଢ଼ିବା ଆରମ୍ଭ କରନ୍ତି । ଠିକ୍‌ ସେତିକି ବେଳେ, ବୁଢ଼ୀ ଜଣକ ହଲଚଲ ହୋଇ ଉଠନ୍ତି ।

ପିଥ୍ୟା କହନ୍ତି, “ତମ ନିଦ ଭାଙ୍ଗିଗଲା ବୁଢ଼ୀ ମା ? ତମ ପେଟ ଭିତରୁ ବହୁତ ଶବ୍ଦ ବାହାରୁଛି । ତମେ କ’ଣ କିଛି ଖାଇନାହଁ କି ପିଇନାହଁ ?”

“ବୁଢ଼ୀ ନୁହଁ! ମୁଁ ଲକ୍ଷ୍ମୀବାଇ। ଆଉ ତମେ ଏମିତି କେମିତି କାହାରି ଘରେ ପଶିଯାଇଛ ? ତମର କ’ଣ ଲାଜ ସରମ ବୋଲି କିଛି ନାହିଁ ?

ଅଳ୍ପ ହସି କଳ୍ପନା ତାଙ୍କ ହାତରେ ଗୋଟିଏ ଭକରି ସହିତ କିଛି ତିଲ୍‌ ଚଟଣୀ ରଖି ଦିଏ। “ୟାକୁ ନିଅ ଜେଜେମା’, ଖାଅ ।”

ଗରମ ଗରମ ଭକରି ଆଖିରେ ପଡ଼ିବା ମାତ୍ରେ ସେ ତାଙ୍କ ରାଗ ଭୁଲି ଯାଆନ୍ତି । ଗୋଟିଏ ଖାଇ ସାରିବା ପରେ ଝୁଲା ତାଙ୍କ ହାତରେ ଆଉ ଗୋଟିଏ ରଖି ଦିଅନ୍ତି । ଲକ୍ଷ୍ମୀବାଇ ତାଙ୍କୁ ଚାହିଁ ହସନ୍ତି ।

“ତମେମାନେ ଏବେ କୋଉ ଆଡ଼କୁ ଯାଉଛ ?”

“ଆମେ ଇଟାଭାଟିକୁ ଯାଇଥିଲୁ । ହେଲେ, ଅଧାବାଟରୁ ଫେରିବାକୁ ପଡ଼ିଲା ।”

“ହଁ..ସେଠି କ’ଣ ଗୋଟାଏ ରୋଗ ହୋଇଛି ବୋଲି ମୁଁ ଶୁଣିଛି । ଗାଁ ଲୋକେ ମୋତେ ଭିତରେ ପୂରାଇ ଦେଉନାହାନ୍ତି । ମୁଁ ଭିକ ମାଗି ଚଳେ । ଚାରି ଦିନ ପରେ ଶେଷରେ ଆଜି ମୋ ପାଟିରେ ଭକ୍‌ରି ବାଜିଲା ।” କଥା ହେଉ ହେଉ ସେମାନେ ଖାଉଥାଆନ୍ତି । ଝୁଲା ଖଣ୍ଡେ କନାରେ ଆଉ ପାଞ୍ଚଟି ଭକ୍‌ରି ଗୁଡ଼ାଇ ଦିଅନ୍ତି ଏବଂ ଲକ୍ଷ୍ମୀବାଇଙ୍କ ପାଖରୁ ବିଦାୟ ନିଅନ୍ତି । ସେମାନେ ବାହାରିବା ପାଇଁ ସଜ ହେଲା ବେଳକୁ ପିଥ୍ୟା ତାଙ୍କ ପାଣି ବୋତଲ ସବୁ ଭର୍ତ୍ତି କରି ଦିଅନ୍ତି ।

ଖଟ ଉପରେ ଥାଇ ହାତ ହଲାନ୍ତି ଲକ୍ଷ୍ମୀବାଇ, “ଦେଖିଚାହିଁ ଯିବ, ପିଲାମାନେ,” ଆଉ ବହୁ ସମୟ ଧରି ସେମାନଙ୍କୁ ଚାହିଁ ରହନ୍ତି । ତା’ପରେ ସେ ଦୀର୍ଘଶ୍ଵାସ ପକାଇ ଉଠନ୍ତି, ଟିଣ କୁଡ଼ିଆ ଭିତରକୁ ଯାଆନ୍ତି ଏବଂ ମାଠିଆରୁ ପାଣି ନେଇ ପିଅନ୍ତି । ମାଠିଆ ପାଖରେ ପ୍ଲାଷ୍ଟିକ୍‌ ମୁଣାରେ ଗୁଡ଼ା ହୋଇ କିଛି ଜୋୱାର ଅଟା ଏବଂ ତିଲ୍‌ ଚଟଣି ଥୁଆ ହୋଇଥାଏ । ତରବର ହୋଇ ବାହାରକୁ ଦୌଡ଼ି ଯାଆନ୍ତି ସେ, ହେଲେ ସେତେବେଳକୁ ସେମାନେ ଯାଇସାରି ଥାଆନ୍ତି!

ପ୍ରାୟ ଦଶ କିଲୋମିଟର ଚାଲିବା ପରେ, ରାସ୍ତା ଉପରେ ବିଛାଇ ହୋଇପଡ଼ିଥିବା ଦଳାଚକଟା ବାଇଗଣ ଓ ଟମାଟୋ ଉପରେ ସେମାନଙ୍କ ପାଦ ପଡ଼େ । କେହି ଜଣେ ଚାଷୀ ରାଜପଥରେ ଏହି ପରିବାପତ୍ର ଫିଙ୍ଗି ଦେଇଛନ୍ତି । “ଯାହା ହେଲେ ବି ସେଗୁଡ଼ାକ ନଷ୍ଟ ହୋଇଯାଉଥିଲା । ଏସବୁକୁ ମୁଁ ସହରକୁ କେମିତି ନେଇଯିବି ? ଏଥିରୁ ଆମେ ଆଉ କେତେ ଖାଇବୁ ? ଫିଙ୍ଗି ଦିଅ ।” ପିଥ୍ୟାଙ୍କୁ ଚାଷୀମାନଙ୍କ କଥାବାର୍ତ୍ତା ଶୁଭୁଥିଲା । ସେମାନଙ୍କୁ ଚାହିଁ ରହିଥିବା ବେଳେ, ଗତ ବର୍ଷ ଅମଳ ସମୟରେ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନକ୍ଷେତ କଥା ତାଙ୍କର ମନେ ପଡ଼ିଯାଉଥିଲା ।

“ଝୁଲେ, ଲାଗୁଛି ତା ଜୀବନର ଦିନ ବଦଳରେ ହିଁ ଚାଷୀକୁ ତା’ର କ୍ଷତି ଭରଣା କରିବାକୁ ପଡ଼ିବ,” ପିଥ୍ୟା କହନ୍ତି, “ବର୍ଷା ହେଉ କି ରୋଗ ହେଉ ।”

ଶୀଘ୍ର ଘରେ ପହଞ୍ଚିବାର ଆଶା ନେଇ, ପ୍ରାୟତଃ ଲକ୍ଷ୍ୟହୀନ ଭାବରେ, ସେମାନେ ଚାଲୁଥିଲେ, ଆଉ ଠିକ୍‌ ସେତିକିବେଳେ ଆଗରେ ଲୋକଙ୍କ ଭିଡ଼ ଦେଖିଲେ । ଖାକି ପୋଷାକ ପିନ୍ଧିଥିବା ପୋଲିସମାନେ ହଳଦିଆ ପ୍ଲାଷ୍ଟିକ୍‌ ବାଡ଼ ପାଖରେ ଠିଆ ହୋଇଥିଲେ, ଲାଠିରେ ଲୋକଙ୍କୁ ପଛକୁ ଠେଲିଦେଉଥିଲେ । କେତେଜଣ ପୋଲିସ ପାଖରେ ନେହୁରା ହେଉଥିଲେ, ରାସ୍ତା ଉପରେ ବସିଥିଲେ ଅନେକ ଲୋକ, ମହିଳା, ଶିଶୁ, ପୁରୁଷ, ସମସ୍ତେ । ପିଲାମାନଙ୍କୁ ସାଙ୍ଗରେ ନେଇ ପିଥ୍ୟା, ଝୁଲା ପାଖେଇ ଆସୁଥିଲେ ।

*****

“ହେ ସାହେବ, ଆମକୁ ଆଗକୁ ଯିବାକୁ ଦିଅନ୍ତୁ । ସକାଳୁ ବାଟ ଚାଲୁଛୁ । କିଛି ହେଲେ ବି ଖାଇନାହୁଁ,” ସୂର୍ଯ୍ୟ ଜଣେ ପୋଲିସବାଲାଙ୍କୁ କହନ୍ତି ।

“ତ ? ମୁଁ ତମକୁ ଚାଲିବାକୁ କହିଥିଲି ? ଉପରୁ ଅର୍ଡର ଆସିଛି । ସୀମା ଡେଇଁ ଯାଇପାରିବ ନାହିଁ । ପଛକୁ ଫେରିଯାଅ । ଦୟାକରି ପଛକୁ ଫେରିଯାଅ, ଭାଇ ।”

“ଆମେ କୋଉଠିକି ଯିବୁ ସାହେବ ? ଏଇ ଦେଖ, ଆପଣଙ୍କ ଲୋକେ ମୋ ଗୋଡ଼କୁ ବାଡ଼େଇଛନ୍ତି । ମତେ ଟିକେ ସ୍ପ୍ରେ କି ଆଉ କିଛି ଦିଅନ୍ତୁ । ଏଇଟା ବଡ଼ ଜୋରରେ କାଟୁଛି ।”

“ଆମ ଲୋକେ ? ଯାଅ ଏଠୁ ପଳାଅ । ଦୌଡ଼ ।” ପୋଲିସବାଲା ଜଣକ ବାଡ଼ି ଉପରକୁ ଉଠାଇଲେ । ହାତରେ ମୁଣ୍ଡ ଘୋଡ଼ାଇ ସୂର୍ଯ୍ୟ ପଛକୁ ପାଦ ପକାଇଲେ । ଭାନୁ, ସରିତା ଓ କୁନି ରାହୁଲ ଗଛ ତଳେ ବସିଛନ୍ତି, ଏବଂ ଗଛ ଗଣ୍ଡିରେ ଭରା ଦେଇ ଠିଆ ହୋଇଛନ୍ତି ଅଭୟ ।

“ଏଠାକୁ ନଆସିବା ପାଇଁ ତମକୁ ମୁଁ କହିଥିଲି ନା,” ସୂର୍ଯ୍ୟଙ୍କୁ ଗାଳି ଦିଅନ୍ତି ଅଭୟ, “ତମେମାନେ ତ ମୋ କଥା ଶୁଣିଲନି ! ପୁଣି ଥରେ ମାଡ଼ ଖାଇବାକୁ ଇଚ୍ଛା ହେଉଛି କି ?”

“ଆମେ ଏଠି ଦେଢ଼ ଘଣ୍ଟା ହେଲା ବସିଛୁ ଭାଇ । ସେମାନେ ମତେ ମାଡ଼ ମାରନ୍ତୁ, ପିଟନ୍ତୁ, ଯାହାହେଉ ପଛେ, ମୁଁ କିନ୍ତୁ ଘରକୁ ଯିବାକୁ ଚାହେଁ ।”

“ଘର ! ଗଲା ବର୍ଷମାନଙ୍କରେ, ଧନୀମାନଙ୍କ ପାଇଁ ଆମେ କେତେ ବଡ଼ ବଡ଼ ଘର, କେତେ କୋଠା ତିଆରି କରିଛୁ ? ଆଜି ସକାଳେ ଘରୁ ଚାଲି ଚାଲି ଆସିବା ବେଳେ ବାଟରେ ଆମେ ସେମାନଙ୍କୁ ଦେଖିନାହୁଁ କି ?”

“କେହି ଝରକା ବାହାରକୁ ଚାହିଁଲେନି, କି କହିଲେନି ଯେ ଭାଇ, ତମକୁ ଧନ୍ୟବାଦ ।”ସୂର୍ଯ୍ୟ ହସନ୍ତି, ତିକ୍ତ ହସ ।

“ରାସ୍ତା ଉପରେ ଲୋକଙ୍କର ଏଇ ଲମ୍ବା ଧାଡ଼ିକୁ ନିଶ୍ଚୟ ସେମାନେ ଝରକା ଦେଇ ଦେଖିଥିବେ। ନିଶ୍ଚୟ ଦେଖିଥିବେ ।” ପିଥ୍ୟା ପାଖକୁ ଆସୁଥିବା ଦେଖି କଥା ମଝିରେ ଅଟକିଲେ ଭାନୁ । “ଭାଇ, ପୋଲିସ ଏଠି ରାସ୍ତା କାହିଁକି ବନ୍ଦ କରିଛି ?” ସେ ପଚାରୁଛନ୍ତି ।

ସୂର୍ଯ୍ୟ ତାଙ୍କୁ ହିନ୍ଦୀରେ ପଚାରନ୍ତି । “ତମେ ମରାଠୀ କହିପାର ?”

ପିଥ୍ୟା ତାଙ୍କ ନିଜ ଭାଷାରେ କହିଚାଲନ୍ତି, “ଭାଇ, ଆମେ ଆମ ଗାଁକୁ ଯିବାକୁ ଚାହୁଁଛୁ । ଇଟାଭାଟିରେ କାମ ବନ୍ଦ ହୋଇଗଲା । ଗାଡ଼ିମଟର ନାହିଁ, ତ ଆମେ ପାଦରେ ଚାଲୁଛୁ ।”

ସୂର୍ଯ୍ୟ ଓ ଅନ୍ୟମାନେ ଶୂନ୍ୟଦୃଷ୍ଟିରେ ପିଥ୍ୟାଙ୍କୁ ଚାହିଁ ରହନ୍ତି । ଅଭୟ ଆଗକୁ ଆସି ବୁଝାଇ ଦିଅନ୍ତି, “ତମେ ଯାହା କହିଲ ସେଥିରୁ ମୁଁ କିଛି ବୁଝିପାରିଲିନି । କେବଳ ‘ରାସ୍ତା’ ଶବ୍ଦଟି ଯାହା ବୁଝିଲି । ସେ ରାସ୍ତା ଏବେ ବନ୍ଦ ହୋଇଯାଇଛି ।”

“ମୋ ବାପା ଯାହା କହୁଛନ୍ତି ମୁଁ ଆପଣଙ୍କୁ କହିଦେଉଛି,” କଥା ମଝିରେ କଳ୍ପନା କହେ, ସ୍କୁଲ୍‌ରୁ ସେ ଶିଖିଥିବା ହିନ୍ଦୀରେ । “ଆମେ ଆମ ଗାଁକୁ ଯିବୁ ଏବଂ ମୋ ବାପା ଜାଣିବାକୁ ଚାହୁଁଛନ୍ତି ଯେ ଏଠି ଏସବୁ ପୋଲିସବାଲା କାହିଁକି ଅଛନ୍ତି ।”

ଅଳ୍ପ ହସନ୍ତି ସୂର୍ଯ୍ୟ, “ବାଃ ! ଆମେ ତମ ବାପାଙ୍କ ମରାଠୀ ବୁଝିପାରୁନାହୁଁ । ସହରର ମରାଠୀ ତୁଳନାରେ ଏହା ଅଲଗା ଶୁଭୁଛି ।”

କଳ୍ପନା କହିଚାଲେ, “ସାରା ରାଜ୍ୟର ସବୁ ଜିଲ୍ଲା, ଗାଁ ଆଉ ସହରରେ ଅଲଗା ଅଲଗା ଭାବରେ ମରାଠୀ କୁହାଯାଏ ।”

ମରାଠୀରେ କେତେଟା ଶବ୍ଦ ବୁଝିପାରୁଥିବା ଭାନୁ, ହାତଠାରି ପିଥ୍ୟାଙ୍କୁ ବସିବା ପାଇଁ କହନ୍ତି ଏବଂ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି କହନ୍ତି, “ଏବେ ତମେ ଭାଷା କ୍ଲାସ୍‌ ନେବାକୁ ଯାଉଛ ନା କ’ଣ ?” କଳ୍ପନାଙ୍କୁ ଚାହିଁ ସେ ଅଳ୍ପ ହସନ୍ତି, “ତମେ ବହୁତ ସ୍ମାର୍ଟ ପିଲା ।”

ସବୁ ଭାଷାରେ ସେମାନେ ନିଜ ନିଜ ଭିତରେ ବହୁ ସମୟ ଧରି କଥାବାର୍ତ୍ତା କରନ୍ତି ଏବଂ ହଠାତ୍‌ ଲୋକ ଗହଳି ଭିତରୁ ଏକ ଧୈର୍ଯ୍ୟହରା କଣ୍ଠସ୍ଵର ଶୁଭେ ।

“ଆମେ ଆଉ ଏଠି କେତେ ସମୟ ବସିବୁ ?” ଜଣେ ବ୍ୟକ୍ତି କହନ୍ତି । “ଚାଲ, କଚ୍ଚା ରାସ୍ତା ଦେଇ ରେଳଲାଇନ୍‌ ଆଡ଼କୁ ଯିବା । ସେମାନେ ଏବେ ଆମ ସମସ୍ତଙ୍କୁ ପାଦରେ ଚାଲିବାକୁ ଛାଡ଼ି ଦେଇଛନ୍ତି । ତେଣୁ ସେମାନେ ଟ୍ରେନ୍‌ ଚଳାଇବେନି । ଚାଲ ଯିବା, ସମସ୍ତେ ଚାଲ ଯିବା ।”

ପ୍ରତ୍ୟେକ ସେଇ ଧୂଳିଭର୍ତ୍ତି ରାସ୍ତା ଆଡ଼କୁ ଚାଲିବା ଆରମ୍ଭ କରନ୍ତି ।  ଦୁଇ ପରିବାର ମଧ୍ୟ ସେମାନଙ୍କ ପଛେ ପଛେ ଯିବାକୁ ଠିକ୍‌ କରନ୍ତି । ଅନ୍ଧାର ନହେଲା ପର୍ଯ୍ୟନ୍ତ ସେମାନେ ଚାଲନ୍ତି । ପିଥ୍ୟା ଓ ଅନ୍ୟମାନେ ଆଉ ଅଧିକ ପ୍ରାୟ ୪୦ କିଲୋମିଟର ବାଟ ଅତିକ୍ରମ କରନ୍ତି । ଏବେ ସେମାନେ ରେଳ ଧାରଣା ଉପରେ ଚାଲୁଛନ୍ତି । ଗୋଡ଼ରେ ମାଡ଼ ବସିଥିବା ଯୋଗୁଁ ସୂର୍ଯ୍ୟ ବହୁ ପଛରେ ରହିଯାଇଛନ୍ତି । କଳ୍ପନା ଓ ଗୀତା ତାଙ୍କ ସାଙ୍ଗରେ ଚାଲନ୍ତି ।

ସୂର୍ଯ୍ୟ ଓ ଝିଅମାନଙ୍କୁ ଅପେକ୍ଷା କରିବା ପାଇଁ ଭାନୁ ପିଥ୍ୟାଙ୍କୁ କହନ୍ତି । “ଆମେ ଟିକେ ଅଟକି ଯାଇ ଅପେକ୍ଷା କରିବା । ସେମାନେ ଆସି ପହଞ୍ଚିଲା ଯାଏ ଆମେ ଏଠି ବସିପଡ଼ିବା ।”

ଅଳ୍ପ କିଛି ସମୟ ପାଇଁ ବିଶ୍ରାମ ନେବାକୁ ସରିତା ଭାନୁଙ୍କୁ କହନ୍ତି । “ଏବେ ରାତି ବି ହୋଇଗଲାଣି ଆଉ ରାହୁଲକୁ ଭୋକ ଓ ନିଦ ଲାଗିଲାଣି ।”

ରେଳଧାରଣାରେ ବସି ସେମାନେ ଗୋଡ଼ ଲମ୍ବାଇ ଦେଇଥିବା ବେଳେ ଝୁଲା ତାଙ୍କ ଭକ୍‌ରି ପୁଟୁଳି ଖୋଲନ୍ତି ଏବଂ କହନ୍ତି, “ଆମେ କିଛି ଖାଇନେବା ।”

ଅଭୟ କହନ୍ତି, “ସୂର୍ଯ୍ୟ ଓ ପିଲାମାନଙ୍କୁ ଆମେ ଅପେକ୍ଷା କରିବା । ଆମେ ସମସ୍ତେ ମିଶି ଖାଇବା ।”

ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ନିଦ ଲାଗିଆସେ। ପିଥ୍ୟା ତାଙ୍କ ମୁଣ୍ଡ ହଲାଇ କିଛି ସମୟ ପାଇଁ ଚାହିଁ ରହିବାକୁ ଚେଷ୍ଟା କରନ୍ତି, କିନ୍ତୁ ତା ପରେ ରେଳଧାରଣା ଉପରେ ଶୋଇ ପଡ଼ନ୍ତି । ସେଠି ବିଶ୍ରାମ ନେଉଥିବା ସବୁ ଲୋକ ଏବେ ଶୋଇପଡ଼ିଛନ୍ତି ।

ସେମାନଙ୍କ ନିସ୍ତେଜକାନରେ ସହଜରେ ପଡ଼େନାହିଁ ଟ୍ରେନ୍‌ ହର୍ଣ୍ଣର ସେଇ ପ୍ରଚଣ୍ଡ ଶବ୍ଦ । ଦ୍ରୁତଗତିରେ ମାଡ଼ି ଆସୁଥିବା ଟ୍ରେନ୍‌ ଇଞ୍ଜିନ୍‌ର ଆଲୁଅର ସେଇ ଚମକ ବି ଘରକୁ ଫେରିବାର ସ୍ଵପ୍ନଦେଖାରୁ ସେମାନଙ୍କୁ ଉଠାଇବାରେ ବିଫଳ ହୁଏ ।

ଚିତ୍ରସଜ୍ଜା: ଅନ୍ତରା ରମନ, ନିକଟରେ ବେଙ୍ଗାଲୁରୁର ସୃଷ୍ଟି ଆର୍ଟ୍‌ସ, ଡିଜାଇନ ଆଣ୍ଡ ଟେକ୍‌ନୋଲୋଜିରୁ ଭିଜୁଆଲ କମ୍ୟୁନିକେସନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଚିତ୍ରସଜ୍ଜା ଏବଂ ଡିଜାଇନ୍‌ ପ୍ରସ୍ତୁତିରେ, ପରିକଳ୍ପନାମୂଳକ କଳା ଏବଂ ଗଳ୍ପକଥନର ସମସ୍ତ ରୂପରେଖର ଗଭୀର ପ୍ରଭାବ ପରିଲକ୍ଷିତ ହୁଏ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jyoti Shinoli is a senior reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli