“ମୁଁ ଯେତେବେଳେ ଏସବୁ ବଡ଼ ବଡ଼ ଗଛଗୁଡ଼ିକୁ ଭାଙ୍ଗିଥିବା ଓ ମୂଳରୁ ଉପୁଡ଼ି ଯାଇଥିବା ଦେଖୁଛି, ମୋତେ ଲାଗୁଛି ଯେମିତି ମୁଁ ମୋ ପିଲାମାନଙ୍କୁ ହରାଇ ଦେଇଛି”, ୪୦ ବର୍ଷ ବୟସ୍କ ମାଳୀ ମଦନ ବୈଦ୍ୟ କୁହନ୍ତି। “ମୁଁ ସାରା ଜୀବନ ଏସବୁ ଗଛଲତା ସହ ରହିଛି”, ଏହା କହିବା ସମୟରେ ଆଖପାଖର ଉଜୁଡ଼ା ପରିବେଶ କାରଣରୁ ତାଙ୍କ ମନରେ ଥିବା ଆଘାତ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥାଏ। “ଏଗୁଡ଼ିକ କେବଳ ଗଛ ନଥିଲେ, ବରଂ ଅନେକଗୁଡ଼ିଏ ପକ୍ଷୀ ଓ ପ୍ରଜାପତିଙ୍କର ଘର ଥିଲା । ଏଗୁଡ଼ିକ ଆମକୁ ଖରାରେ ଛାଇ ଦେଉଥିଲେ ଏବଂ ବର୍ଷା ସମୟରେ ଛତା ପାଲଟିଥିଲେ।” ବୈଦ୍ୟଙ୍କ ନର୍ସରୀ କୋଲକାତାର ପୂର୍ବ ମହାନଗର ବାଇପାସ ନିକଟସ୍ଥ ଶହୀଦ ସ୍ମୃତି କଲୋନୀରେ ଥିବା ତାଙ୍କ ଘର ନିକଟରେ ରହିଛି, ଯାହାକି ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

କୋଲକାତା ମହାନଗର ନିଗମର ଆକଳନ ଅନୁଯାୟୀ, ୨୦ ମେ’ରେ ସଂଘଟିତ ଅମ୍ଫନ ବାତ୍ୟାରେ ସହରର ପାଖାପାଖି ୫୦୦୦ ବଡ଼ ଗଛ ମୂଳରୁ ଉପୁଡ଼ି ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। “ଅତି ଭୀଷଣ ଘୂର୍ଣ୍ଣିବାତ୍ୟା” ପର୍ଯ୍ୟାୟଭୁକ୍ତ ଅମ୍ଫନ ଘଣ୍ଟା ପ୍ରତି ୧୪୦-୧୫୦ କିମି ବେଗରେ ପବନ ଏବଂ ସ୍ଥଳବିଶେଷରେ ୧୬୫ କିମି ପବନର ବେଗ ସହିତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ଼ ହୋଇଥିଲା। ଅଲିପୁର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ବାତ୍ୟା କାରଣରୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ୨୩୬ ମିମି ବର୍ଷା ହୋଇଥିଲା।

ଅମ୍ଫନ ବାତ୍ୟା ଗ୍ରାମାଞ୍ଚଳରେ ବିଶେଷ କରି ସୁନ୍ଦରବନ ଭଳି ଅଞ୍ଚଳରେ ଯେଭଳି ତାଣ୍ଡବ ରଚିଥିଲା, ସେ ସମୟରେ ଏହାର ଅନୁମାନ କରିବା କଷ୍ଟକର ଥିଲା। କୋଲକାତା ସମେତ ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ମଧ୍ୟ ଭୀଷଣ କ୍ଷୟକ୍ଷତି ହୋଇଥିଲା। ସାରା ରାଜ୍ୟରେ ମୃତ୍ୟୁସଂଖ୍ୟା ପାଖାପାଖି ୮୦ରୁ ଅଧିକ ହୋଇଥିବା ବେଳେ କୋଲକାତାରେ ୧୯ ଜଣ ପ୍ରାଣ ହରାଇଥିଲେ।

ବର୍ତ୍ତମାନ ସୁଦ୍ଧା ଅନେକ ଅଞ୍ଚଳ ଅପହଞ୍ଚ ହୋଇ ରହିଛି, ଏବଂ ପରିବହନ ନେଟୱର୍କ ଓ ସଡ଼କ ସଂଯୋଗ ଯେପରି ଭାବେ କ୍ଷତିଗ୍ରସ୍ତ ହୋଇଛି, ତାହା କୋଭିଡ-୧୯ କାରଣରୁ ଜାରି ଲକଡାଉନ ପ୍ରତିବନ୍ଧକ ସହ ମିଶି ଆହୁରି ଘାତକ ସାବ୍ୟସ୍ତ ହୋଇଛି- ଯାହାଫଳରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । କିନ୍ତୁ ଲକଡାଉନ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳତା ଏହାଠାରୁ ଆହୁରି ଅଧିକ ହୋଇଛି । ମରାମତି କାମ କରିବା ଅତ୍ୟଧିକ କଷ୍ଟଦାୟକ ହୋଇଛି, କାରଣ ଯେଉଁ ଶ୍ରମିକମାନେ ଏହି କାମ କରିଥାନ୍ତେ, ସେମାନେ ଲକଡାଉନ କାରଣରୁ ସହର ଛାଡ଼ି ପଶ୍ଚିମବଙ୍ଗ କିମ୍ବା ଅନ୍ୟ ରାଜ୍ୟରେ ଥିବା ନିଜ ଗ୍ରାମକୁ ଫେରିଯାଇଛନ୍ତି।
PHOTO • Suman Kanrar

ପରଦିନ, ୨୧ ମେ ମାସ ସକାଳୁ କଲେଜ ରାସ୍ତାରେ ହଜାର ହଜାର ବହି ଏବଂ ପୃଷ୍ଠା ପାଣିରେ ଭାସୁଛି

କୋଲକାତାର ଐତିହାସିକ କଲେଜ ଷ୍ଟ୍ରିଟରେ-ଏଠାରେ ଥିବା ଅନେକଗୁଡ଼ିଏ କଲେଜ ଓ ଶିକ୍ଷାନୁଷ୍ଠାନ କାରଣରୁ ଏହି ଅଞ୍ଚଳର ନାମ ଏପରି ହୋଇଛି- ପରଦିନ ସକାଳୁ ବହୁସଂଖ୍ୟକ ଗଛ ଭାଙ୍ଗି ପଡ଼ିଥିବା ସମୟରେ ହଜାର ହଜାର ବହି ଓ ପୃଷ୍ଠା ପାଣିରେ ଭାସୁଥିଲେ। ‘ବୋଇ ପାଡ଼ା’ ନାମରେ ପରିଚିତ ଏହି ସ୍ଥାନରେ ଭାରତର ସବୁଠୁ ବଡ଼ ପୁସ୍ତକ ବଜାର ରହିଛି, ଯାହାକି ପାଖାପାଖି ୧.୫ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି। ସାଧାରଣତଃ ପାଖକୁ ପାଖ ଲାଗି ରହିଥିବା ଛୋଟ ଛୋଟ ବହି ଦୋକାନର କାନ୍ଥଗୁଡ଼ିକ ବହି ଗଦା ଭିତରେ ଲୁଚିଯାଇଥାଏ। ଏବେ ସେସବୁ କାନ୍ଥ ଦେଖାଯାଉଛି- ଆହୁରି ଅନେକଗୁଡ଼ିଏ କାନ୍ଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି କିମ୍ବା ଭାଙ୍ଗିଯାଇଛି। ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ, ଏହି ବାତ୍ୟାରେ ପାଖାପାଖି ୫୦-୬୦ ଲକ୍ଷ ଟଙ୍କାର ପୁସ୍ତକ ନଷ୍ଟ ହୋଇଯାଇଛି।

ଏହି ସଡ଼କରେ ଥିବା ଅନେକଗୁଡ଼ିଏ ଛୋଟ ଦୋକାନ ଓ ଟିଣା ଛାତ ଥିବା ଦୋକାନ ନଷ୍ଟ-ଭ୍ରଷ୍ଟ ହୋଇଯାଇଥିଲା। ଆହୁରି କେତେକ ସ୍ଥାନରେ ଅନେକଗୁଡ଼ିଏ ଘର ଭାଙ୍ଗିଯାଇଥିଲା। ଦୂରସଞ୍ଚାର ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟଗୁଡ଼ିକ ପାଣି ଭର୍ତ୍ତି ସଡ଼କରେ ଭାଙ୍ଗି ପଡ଼ିଯାଇଥିଲା, ଏହି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଲୋକମାନଙ୍କର ମୃତ୍ୟୁ ଘଟିଥିଲା। ତେବେ ସହରର ଏକମାତ୍ର ବିଦ୍ୟୁତ ବିତରଣକାରୀ ସଂସ୍ଥା କଲିକତା ବିଦ୍ୟୁତ ଯୋଗାଣ ନିଗମ ନିରବଚ୍ଛିନ୍ନ ଭାବେ ସହରରେ ବିଦ୍ୟୁତ ସେବା ପୂର୍ବାବସ୍ଥାକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ କରି ଦେଇଛି। ତଥାପି ସହରର କିଛି ଅଞ୍ଚଳକୁ ଏବେସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଅଧିକାଂଶ କ୍ଷେତ୍ର ଅନ୍ଧକାରରେ ବୁଡ଼ି ରହିଥିଲେ ମଧ୍ୟ ବିଦ୍ୟୁତ ଓ ପାଣି ନମିଳିବା କାରଣରୁ ଲୋକମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି ।

“ମୋବାଇଲ ସଂଯୋଗ ଗତକାଲି ସନ୍ଧ୍ୟାରେ ହିଁ ଆମକୁ ମିଳିଛି”, ଦକ୍ଷିଣ କୋଲକାତାର ନରେନ୍ଦ୍ରପୁର କ୍ଷେତ୍ରରେ ରୋଷେୟା ଭାବେ କାମ କରୁଥିବା ୩୫ ବର୍ଷୀୟା ସୋମା ଦାସ କୁହନ୍ତି। “ଏଥିରୁ ଆମକୁ କି ଫାଇଦା ମିଳିବ ?  ଆମେ ଆମ ମୋବାଇଲ ମଧ୍ୟ ଚାର୍ଜ କରିପାରୁନାହୁଁ। ଆମେ ସେଦିନ ବର୍ଷା ପାଣି ସଂଗ୍ରହ କରି ରଖିଥିଲୁ । ସେହି ପାଣିକୁ ଫୁଟାଇ ଆମେ ପିଉଛୁ। ଆମ ଅଞ୍ଚଳର ସମସ୍ତ ପାଣି ଲାଇନ ଦୂଷିତ ହୋଇଯାଇଛି।”

ତାଙ୍କର ୩୮ ବର୍ଷୀୟ ସ୍ୱାମୀ ସତ୍ୟଜିତ ମଣ୍ଡଳ ପେସାରେ ଜଣେ ମିସ୍ତ୍ରୀ। କୋଭିଡ-୧୯ ଲକଡାଉନ କାରଣରୁ ତାଙ୍କ ହାତରେ କିଛି କାମ ନଥିଲା ଏବଂ ଖୁବ କଷ୍ଟରେ ସେମାନେ ଅଳ୍ପ କିଛି ଟଙ୍କା ରୋଜଗାର କରିପାରୁଥିଲେ। ଏପରି ସ୍ଥିତିରେ ସୋମା ଜାଣିପାରୁନଥିଲେ ସେ କିପରି ଭାବେ ତାଙ୍କର ୧୪ ବର୍ଷୀୟା ଝିଅ ଏବଂ ନିଜର ରୋଗୀଣା ମା’ଙ୍କୁ ଖାଦ୍ୟ ଯୋଗାଇ ଦେବେ। ସେ ଯେଉଁ ଚାରିଟି ଘରେ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ କେବଳ ଦୁଇଟି ଘରୁ ତାଙ୍କୁ ଲକଡାଉନ ସମୟରେ ଦରମା ମିଳିଥିଲା।

ଶହୀଦ ସ୍ମୃତି କଲୋନୀରେ, ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକର ସର୍ବେକ୍ଷଣ କରୁଥିବା ବୈଦ୍ୟ କୁହନ୍ତି, “ଏସବୁ ଆମର ଭୁଲ । ସହରରେ ଖୁବ ଅଳ୍ପ ମାଟି ରହିଛି। ସବୁସ୍ଥାନରେ କେବଳ କଂକ୍ରିଟ ରହିଛି । ମୂଳ କିପରି ସୁରକ୍ଷିତ ରହିବ?”
PHOTO • Suman Parbat

କୋଲକାତା ନଗର ନିଗମର ସୂଚନା ଅନୁଯାୟୀ, ୨୦ ମଇରେ ଅମ୍ଫନ କାରଣରୁ ସାରା ସହରରେ ପାଖାପାଖି ୫,୦୦୦ ବଡ଼ ଗଛ ମୂଳରୁ ଉପୁଡ଼ିଯାଇ ଚାରି ଆଡ଼େ ବିଛାଡ଼ି ହୋଇପଡ଼ିଛି

PHOTO • Sinchita Maji

ବନମାଳୀ ନସ୍କର ରୋଡ, ବେହଲା, କୋଲକାତା : ତେବେ, ସହରର ଏକମାତ୍ର ବିଦ୍ୟୁତ ଯୋଗାଣକାରୀ, କୋଲକାତା ବିଦ୍ୟୁତ ଯୋଗାଣ ନିଗମ ନିରବିଚ୍ଛନ୍ନ ଭାବେ ସହରରେ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ନିମନ୍ତେ କାମ କରୁଛି, କିନ୍ତୁ ଏବେ ସୁଦ୍ଧା ଅନେକ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ

PHOTO • Suman Parbat

ପର୍ଣ୍ଣଶ୍ରୀ ପଲ୍ଲି, ବେହଲା, ୱାର୍ଡ ନମ୍ବର ୧୩୧: “ମୁଁ ଯେତେବେଳେ ଏହି ବଡ଼ ବଡ଼ ଗଛସବୁ ଭାଙ୍ଗିଯାଇଥିବା ଏବଂ ମୂଳରୁ ଉପୁଡ଼ିଯାଇଥିବା ଦେଖେ, ମୋତେ ଲାଗେ ଯେମିତି ମୁଁ ମୋ ପିଲାଙ୍କୁ ହରାଇ ଦେଇଛି

PHOTO • Sinchita Maji

ପ୍ରିନସେପ ଘାଟ ନିକଟରେ ରେଳ ଲାଇନ ଉପରେ ପଡ଼ିଥିବା ବିଦ୍ୟୁତ ତାର ମରାମତି କରୁଥିବା ଏବଂ ଗଛ ସଫା କରୁଥିବା ରେଳ କର୍ମଚାରୀ

PHOTO • Suman Kanrar

୧.୫ କିମି ବ୍ୟାପ୍ତ କଲେଜ ଷ୍ଟ୍ରିଟରେ ଭାରତର ସବୁଠୁ ବଡ଼ ପୁସ୍ତକ ବଜାର ରହିଛି।  ସାଧାରଣତଃ ପାଖକୁ ପାଖ ଲାଗି ରହିଥିବା ଛୋଟ ଛୋଟ ବହି ଦୋକାନର କାନ୍ଥଗୁଡ଼ିକ ବହି ଗଦା ଭିତରେ ଲୁଚିଯାଇଥାଏ। ଏବେ ସେସବୁ କାନ୍ଥ ଦେଖାଯାଉଛି- ଆହୁରି ଅନେକଗୁଡ଼ିଏ କାନ୍ଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି କିମ୍ବା ଭାଙ୍ଗିଯାଇଛି। ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ଏହି ବାତ୍ୟାରେ ପାଖାପାଖି ୫୦-୬୦ ଲକ୍ଷ ଟଙ୍କାର ପୁସ୍ତକ ନଷ୍ଟ ହୋଇଯାଇଛି। ପରଦିନ ସକାଳୁ ହଜାର ହଜାର ପୁସ୍ତକ ଓ ପୃଷ୍ଠା ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା

PHOTO • Sinchita Maji

କୋଲକାତାର ଧରମତାଲା, ସେଣ୍ଟ୍ରାଲ ଆଭେନ୍ୟୁରେ ପ୍ରସିଦ୍ଧ କେ.ସି ଦାସ ରସଗୋଲା ଦୋକାନ ଆଗରେ ଝଡ଼ରେ ଗଛଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ିଛି

PHOTO • Abhijit Chakraborty

କୋଲକାତାର କୁଦଘାଟରେ ରିକ୍ସା ଚାଳକ ରାଜୁ ମଣ୍ଡଳ ଭାଙ୍ଗି ପଡ଼ିଥିବା ଡାଳଗୁଡ଼ିକୁ ରିକ୍ସାରେ ବୋହି ନେଉଛନ୍ତି

Many tiny shops and tin-roofed structures were ripped apart too along this street and in other places, innumerable houses collapsed, telecom connectivity was lost, and electric poles were torn out in the flooded streets.
PHOTO • Abhijit Chakraborty

ଏହି ସଡ଼କ ଏବଂ ଅନ୍ୟସ୍ଥାନରେ ଥିବା ଅନେକଗୁଡ଼ିଏ ଛୋଟ ଛୋଟ ଦୋକାନ ଏବଂ ଟିଣ ଛାତ ଥିବା ଦୋକାନଗୁଡ଼ିକ ଭାଙ୍ଗି ରୁଜି ଯାଇଛି ଏବଂ ଅନେକଗୁଡ଼ିଏ ଘର ବର୍ଷାରେ ଧୋଇ ଯାଇଛି। ଦୂରସଞ୍ଚାର ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ବିଦ୍ୟୁତ ଖୁଣ୍ଟ ପାଣିରେ ଭର୍ତ୍ତି ସଡ଼କରେ ଭାଙ୍ଗି ପଡ଼ିଯାଇଛି

PHOTO • Monojit Bhattacharya

ଦକ୍ଷିଣ ଆଭେନ୍ୟୁ ଠାରେ : ‘ଏଗୁଡ଼ିକ କେବଳ ଗଛ ନଥିଲେ, ଏମାନେ ଅନେକଗୁଡ଼ିଏ ପକ୍ଷୀ ଓ ପ୍ରଜାପତିଙ୍କର ଘର ମଧ୍ୟ ଥିଲା। ଏଗୁଡ଼ିକ ଆମକୁ ଖରା ଓ ଛାଇ ଦେଉଥିଲେ ଏବଂ ବର୍ଷାରେ ଛତା ପାଲଟୁଥିଲେ

PHOTO • Monojit Bhattacharya

ରାସବିହାରୀ ଆଭେନ୍ୟୁ : ଅମ୍ଫନ ଯେଉଁ ତାଣ୍ଡବ ରଚିଛି, ବର୍ତ୍ତମାନ ସମୟରେ ତା’ର ଅନୁମାନ କରିବା କଷ୍ଟକର

PHOTO • Sinchita Maji

ହୁଗଲୀ ନଦୀ କୂଳରେ ହ୍ୟାଷ୍ଟିଙ୍ଗସ ଅଞ୍ଚଳରେ, ବାତ୍ୟା ପରେ ଘଟିଥିବା ବିନାଶ ସହ ସଂଘର୍ଷ କରୁଥିବା ସହରରେ ସୂର୍ଯ୍ୟାସ୍ତ ସମୟ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.