“ଲକଡାଉନ ଆମକୁ ବରବାଦ କରିଦେଇଛି,” କୁହନ୍ତି ଅବଦୁଲ ମାଜିଦ ଭଟ, “ମୋ ଦୋକାନକୁ ଶେଷ ପର୍ଯ୍ୟଟକ ଗତ ମାର୍ଚ୍ଚ ମାସରେ ଆସିଥିଲେ।”

ଶ୍ରୀନଗରର ଡାଲ ହ୍ରଦ ନିକଟରେ ଭଟଙ୍କର ତିନୋଟି ଦୋକାନ ରହିଛି, ସେଠାରେ ସେ ଚମଡ଼ା ସାମଗ୍ରୀ ଏବଂ ସ୍ଥାନୀୟ ହସ୍ତଶିଳ୍ପ ଉତ୍ପାଦ ବିକ୍ରି କରିଥାନ୍ତି । ଜୁନ ମାସ ସୁଦ୍ଧା ଲକଡାଉନ ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ କେହି ଗ୍ରାହକ ତାଙ୍କ ଦୋକାନକୁ ଆସିନାହାନ୍ତି । ଅଗଷ୍ଟ ୫,୨୦୧୯ରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା ସେବେଠାରୁ ଆରମ୍ଭ ହୋଇଥିବା ଅସହନୀୟ ମାନ୍ଦାବସ୍ଥାକୁ ୧ ବର୍ଷରୁ ଅଧିକ ସମୟ ହୋଇଗଲାଣି ।
ପର୍ଯ୍ୟଟନ ଉପରେ ଏହାର କୁପ୍ରଭାବ ପଡ଼ିବା ଯୋଗୁଁ ଏହା ଉପରେ ନିର୍ଭରଶୀଳ ଭଟଙ୍କ ଭଳି ବହୁ ଲୋକ ସେମାନଙ୍କ ଆୟ ହରାଇଛନ୍ତି ।
“୬-୭ ମାସର ସଟଡାଉନ ପରେ ଯେତେବେଳେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥାନ୍ତା, ଠିକ ସେହି ସମୟରେ ହିଁ କରୋନା ଲକଡାଉନ ଆରମ୍ଭ ହୋଇଯାଇଥିଲା,” ୬୨ ବର୍ଷୀୟ ଭଟ କୁହନ୍ତି । ସେ ଡାଲ ହ୍ରଦ ନିକଟବର୍ତ୍ତୀ ବାଟାପୋରା କାଲାନ ଅଞ୍ଚଳର ଜଣେ ବାସିନ୍ଦା ଏବଂ ସମ୍ମାନସ୍ପଦ ବରିଷ୍ଠ ନାଗରିକ । ସେ ଲେକସାଇଡ ଟୁରିଷ୍ଟ ଟ୍ରେଡର୍ସ ଆସୋସିଏସନର ସଭାପତି, ଯେଉଁଥିରେ ପାଖାପାଖି ୭୦ ଜଣ ସଦସ୍ୟ ରହିଥିବା ସେ କୁହନ୍ତି ।
ହ୍ରଦ ପର୍ଯ୍ୟଟନ ଅର୍ଥନୀତି ଉପରେ ନିର୍ଭରଶୀଳ ଅନ୍ୟମାନେ ମଧ୍ୟ ତାଙ୍କ କଥାକୁ ଦୋହରାଇଥାନ୍ତି-ଏମାନଙ୍କ ମଧ୍ୟରେ ରହିଛନ୍ତି ହଳଦିଆ ରଙ୍ଗର ଟ୍ୟାକ୍ସି ନୌକା ଚାଳକ ଶିକାରାବାଲା, ହକର ଓ ଦୋକାନ ମାଲିକ- ଯେଉଁମାନଙ୍କ ପାଇଁ ବିଗତ ୧୨ ମାସ ଧରି ସୁରମ୍ୟ ଡାଲ ହ୍ରଦ କେବଳ ପର୍ଯ୍ୟଟନ ପ୍ରଚାର ପୁସ୍ତିକାର ଫଟୋ ଭଳି ଲାଗିଥିଲା ।(ଦେଖନ୍ତୁ ଶ୍ରୀନଗରର ଶିକାରାମାନଙ୍କୁ : ସ୍ଥିର ଜଳ ଗଭୀର କ୍ଷତି ଆଣିଛି )

ଏମାନଙ୍କ ମଧ୍ୟରେ ରହିଛନ୍ତି ନେହରୁ ପାର୍କର ୨୭ ବର୍ଷ ବୟସ୍କା ହାଫସା ଭଟ, ଯିଏକି କରୋନା ଲକଡାଉନ ଆରମ୍ଭ ହେବା ପୂର୍ବରୁ ଘରୁ ଛୋଟିଆ ବ୍ୟବସାୟ ଆରମ୍ଭ କରିଥିଲେ । ଶ୍ରୀନଗରରେ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ହାଫସା ଜମ୍ମୁ ଓ କଶ୍ମୀର ଉଦ୍ୟମିତା ବିକାଶ ସଂସ୍ଥାନରୁ ୨୪ ଦିନିଆ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରିବା ପରେ ସେଠାରୁ କମ ସୁଧ ହାରରେ ୪ ଲକ୍ଷ ଟଙ୍କାର ଋଣ ପାଇଥିଲେ । “ମୁଁ କିଛି ପୋଷାକ ଓ କପଡ଼ା କିଣି ଷ୍ଟକ କରି ରଖିଥିଲି। ଲକଡାଉନ ଘୋଷଣା ହେବା ପୂର୍ବରୁ ମୁଁ ଷ୍ଟକରୁ ମାତ୍ର ୧୦-୨୦ ପ୍ରତିଶତ ବିକ୍ରି କରିପାରିଥିଲି । ବର୍ତ୍ତମାନ ମୁଁ ମୋ କିସ୍ତି ସୁଝିବା ଲାଗି ସଂଘର୍ଷ କରୁଛି”, ସେ କୁହନ୍ତି ।

'Just when the tourist season was to start after that shutdown, this lockdown started', says Majid Bhat, president of the Lakeside Tourist Traders Association
PHOTO • Adil Rashid
'Just when the tourist season was to start after that shutdown, this lockdown started', says Majid Bhat, president of the Lakeside Tourist Traders Association
PHOTO • Adil Rashid

"ଲେକସାଇଡ ଟୁରିଷ୍ଟ ଟ୍ରେଡର୍ସ ଆସୋସିଏସନର ସଭାପତି ମାଜିଦ ଭଟ କୁହନ୍ତି, “ସଟଡାଉନ ପରେ ଯେତେବେଳେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାର ସମୟ ଠିକ ସେତିକି ବେଳେ ଲକଡାଉନ ଆରମ୍ଭ ହୋଇଗଲା ।”

୧୮ ବର୍ଗକିମି ବ୍ୟାପ୍ତ ଡାଲ ହ୍ରଦର ବହୁଗୁଡ଼ିଏ ଦ୍ୱୀପ ମଧ୍ୟରୁ ଅନ୍ୟତମ ନେହରୁ ପାର୍କ ଅଞ୍ଚଳରେ ରୁହନ୍ତି ୭୦ ବର୍ଷ ବୟସ୍କ ଅବଦୁଲ ରଜାକ ଦର । ଶ୍ରୀନଗରର ବୋଲଭର୍ଡ ରୋଡ଼ କଡ଼ରେ ଥିବା ଗୋଟିଏ ଘାଟରୁ ସେ ଶିକାରା ଚଳାଇଥାନ୍ତି । “ଇତନି ଖରାବ ହାଲତ ନହିଁ ଦିଖି ଆଜତକ୍ (ଆଜି ପର୍ଯ୍ୟନ୍ତ ଏତେ ଖରାପ ସମୟ ଦେଖିନଥିଲି)”, ସେ କୁହନ୍ତି ।

“ପର୍ଯ୍ୟଟନ ବ୍ୟବସାୟରେ ଯାହାକିଛି ଥିଲା କରୋନା ସବୁକିଛି ଖାଇଗଲା,” ସେ କୁହନ୍ତି । “ଆମେ ବହୁ ପଛକୁ ଚାଲିଯାଇଛୁ । ଗତବର୍ଷ ଆମେ ଯେଉଁ ସ୍ଥିତିରେ ଥିଲୁ ଏବେ ତା’ଠାରୁ ଅଧିକ ଖରାପ ସ୍ଥିତିରେ ପହଞ୍ଚିଯାଇଛୁ । ମୋ ପରିବାରରେ ୪ଜଣ ସଦସ୍ୟ ଅଛନ୍ତି, ଯେଉଁମାନେ ମୋ ଶିକାରା ଉପରେ ନିର୍ଭର କରିଥାନ୍ତି । ଆମେ ବରବାଦ ହୋଇଯାଇଛୁ । ଯାହା ଆମେ ଗୋଟିଏ ସମୟରେ ଖାଉଥିଲୁ, ତା’କୁ ଏବେ ତିନି ଥର ଖାଇବାକୁ ପଡ଼ୁଛି । ଶିକାରାବାଲା ନଖାଇଲେ ଶିକାରା ଚାଲିବ କେମିତି?”

ତାଙ୍କ ପାଖରେ ବସିଥିବା ସେହି ନେହରୁ ପାର୍କ ଅଞ୍ଚଳର ଅବି କାରାପୋରା ମୋହଲ୍ଲାର ୱାଲି ମହମ୍ମଦ ଭଟ ଜୀବନର ୬୦ ବର୍ଷ ବିତାଇସାରିଲେଣି । ସେ କୁହନ୍ତି, “ବିଗତ ଗୋଟିଏ ବର୍ଷ ଆମ ପାଇଁ ବେଶ ସଙ୍କଟଜନକ ପରିସ୍ଥିତି ଆଣିଛି । ଧାରା ୩୭୦ ଉଚ୍ଛେଦ ପୂର୍ବରୁ ସେମାନେ ଏକ ମାର୍ଗଦର୍ଶିକା ଜାରି କରି ପର୍ଯ୍ୟଟକମାନଙ୍କୁ ଚାଲିଯିବାକୁ କହିଲେ ଏବଂ ସବୁକିଛି ବନ୍ଦ ହୋଇଗଲା। ଆଉ ତା’ପରେ ଏହି କରୋନା ଭାଇରସ ଲକଡାଉନ ଆସିଲା ଓ ଏହା ଆମକୁ ସମ୍ପୂର୍ଣ୍ଣ ବରବାଦ କରିଦେଲା ।” ଭଟ ହେଉଛନ୍ତି ଜମ୍ମୁ ଓ କଶ୍ମୀର ଟ୍ୟାକ୍ସି ଶିକାରା ଓନର୍ସ ଆସୋସିଏସନର ସଭାପତି । ଏହି ସଂଘ ଡାଲ ଓ ନିଗିନ ହ୍ରଦର ୩୫ଟି ଛୋଟ ବଡ଼ ଘାଟରେ ସକ୍ରିୟ ରହିଛି ଏବଂ ଏଥିରେ ୪,୦୦୦ ପଞ୍ଜିକୃତ ଶିକାରାବାଲା ରହିଥିବା ସେ କୁହନ୍ତି ।

ତାଙ୍କର ଆକଳନ ଅନୁଯାୟୀ, ସାମଗ୍ରିକ ଭାବେ ସମସ୍ତେ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି । ପର୍ଯ୍ୟଟନ ଋତୁରେ ତାଙ୍କ ସଂଘର ପ୍ରତ୍ୟେକ ସଦସ୍ୟ ଦୈନିକ ୧୫୦୦-୨୦୦୦ ଟଙ୍କା ରୋଜଗାର କରିଥାନ୍ତି । “ଜଣେ ଶିକାରାବାଲା ମାତ୍ର ଚାରି ମାସର ପର୍ଯ୍ୟଟନ ଋତୁ (ଏପ୍ରିଲ-ମଇ ରୁ ଅଗଷ୍ଟ-ସେପ୍ଟେମ୍ବର)ରେ ବର୍ଷଯାକ ଚଳିବା ପାଇଁ ଯଥେଷ୍ଟ ଅର୍ଥ ରୋଜଗାର କରି ନେଇଥାନ୍ତି । କିନ୍ତୁ ଏହା କରୋନା ଭାଇରାସ ଲକଡାଉନ ପାଇଁ ସମ୍ପୂର୍ଣ୍ଣ ହାତଛଡ଼ା ହୋଇଯାଇଛି । ବାହାଘର ହେଉ କିମ୍ବା ଅନ୍ୟ କୌଣସି ଖର୍ଚ୍ଚ, ସବୁକିଛି ପର୍ଯ୍ୟଟନ ଋତୁ ସମୟରେ ହେଉଥିବା ଆୟ ଉପରେ ହିଁ ନିର୍ଭର କରିଥାଏ ।”

ଏହି ମାନ୍ଦାବସ୍ଥା ସମୟରେ ଖର୍ଚ୍ଚ ଉଠାଇବା ଲାଗି କିଛି ଶିକାରାବାଲା ପରିବାର ମଜୁରିଆ ଭାବେ କାମ କରିବାକୁ ଯାଉଛନ୍ତି, ଯେମିତିକି ଅବଦୁଲ ରଜାକ ଦରଙ୍କ ଦୁଇ ପୁଅ କରୁଛନ୍ତି, ଯେଉଁମାନଙ୍କୁ ୪୦ ବର୍ଷ ହେବ । “ସେମାନେ ମଧ୍ୟ ଶିକାରାବାଲା ଭାବେ କାମ କରନ୍ତି, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ସେମାନଙ୍କୁ ଜଙ୍ଗଲୀ ଘାସ ସଫା ପ୍ରକଳ୍ପରେ କାମ କରିବାକୁ କହିଛି,” ଦର କୁହନ୍ତି ।

ସେ ଏଠାରେ ଜମ୍ମୁ ଓ କଶ୍ମୀର ହ୍ରଦ ଓ ଜଳମାର୍ଗ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ବିଷୟରେ କହୁଛନ୍ତି । ଜଙ୍ଗଲୀ ଘାସ ସଫା କାମ ଋତୁକାଳୀନ ହୋଇଥାଏ । ନିୟମିତ ଭାବେ ଶିକାରାଗୁଡ଼ିକ ନଚାଲିବା ଫଳରେ ଘାସଗଛଗୁଡ଼ିକ ଉପରକୁ ଉଠିପଡ଼ିଥାଏ। ଏହି ଘାସ ସଫା କାର୍ଯ୍ୟରେ ମେସିନ ବ୍ୟବହୃତ ହୋଇଥାଏ ଏବଂ ବେଳେ ବେଳେ ସ୍ଥାନୀୟ ଠିକାଦାରଙ୍କ ଜରିଆରେ ଶ୍ରମିକମାନେ ନିୟୋଜିତ ହୋଇଥାନ୍ତି ।

PHOTO • Adil Rashid

“ପର୍ଯ୍ୟଟନ ବ୍ୟବସାୟରେ ଯାହାକିଛି ଥିଲା କରୋନା ସବୁକିଛି ଖାଇଗଲା”, ଅବଦୁଲ ରଜାକ ଦର (ଉପରେ ବାମ) କୁହନ୍ତି । “ଧାରା ୩୭୦ ଉଚ୍ଛେଦ ପୂର୍ବରୁ ସେମାନେ ଏକ ମାର୍ଗଦର୍ଶିକା ଜାରି କରି ପର୍ଯ୍ୟଟକମାନଙ୍କୁ ଚାଲିଯିବାକୁ କହିଲେ ଏବଂ ତା’ପରେ ଏହି କରୋନା ଭାଇରସ ଲକଡାଉନ ସମ୍ପୂର୍ଣ୍ଣ ବରବାଦ କରିଦେଲା,” କହିଛନ୍ତି ୱାଲି ମହମ୍ମଦ ଭଟ (ଉପରେ ଡାହାଣ) ଏବଂ ମହମ୍ମଦ ଶାଫି ଶାହ (ତଳେ ବାମ)

ଜୁଲାଇ ମଧ୍ୟଭାଗଠାରୁ ଡାଲ ହ୍ରଦର ନେହରୁ ପାର୍କ ଅଞ୍ଚଳ ବାସିନ୍ଦା 32 ବର୍ଷ ବୟସ୍କ ଶବିର ଅହମ୍ମଦ ଭଟ ଏହି କାମ କରୁଛନ୍ତି । ସେ ପଡ଼ୋଶୀ ଲଦାଖରେ ଏକ ଦୋକାନ ଚଳାଇଥାନ୍ତି ଯେଉଁଠି ଖରାଦିନ ଚାରିମାସ ସେ କାଶ୍ମୀର ଚଦର ଓ ଅନ୍ୟାନ୍ୟ ହସ୍ତତନ୍ତ ସାମଗ୍ରୀ ବିକ୍ରି କରୁଥିଲେ, ଏଥିରୁ ସେ ମାସିକ ୩୦,୦୦୦ ଟଙ୍କା ଆୟ କରୁଥିଲେ । ଶୀତ ଋତୁରେ ଏସବୁ ସାମଗ୍ରୀ ବିକ୍ରି କରିବା ଲାଗି ସେ ଗୋଆ କିମ୍ବା କେରଳ ଯାଇଥାନ୍ତି । ମାର୍ଚ୍ଚ ୨୨ ତାରିଖରେ ଯେତେବେଳେ ଲକଡାଉନ ଘୋଷଣା କରାଗଲା ତାଙ୍କୁ ଘରକୁ ଫେରିବା ଲାଗି ପଡ଼ିଥିଲା । ମାସ ମାସ ଧରି କୌଣସି କାମ ନମିଳିବା କାରଣରୁ ସେ ନିଜ ସାନ ଭାଇ ୨୮ ବର୍ଷୀୟ ଶୌକତ ଅହମଦଙ୍କ ସହିତ ହ୍ରଦ କଡ଼ରେ ଘାସ ସଫା କରିବା ପ୍ରକଳ୍ପରେ ନିୟୋଜିତ ହୋଇଥିଲେ ।

“ଆମେ ଚାର ଚିନାରୀ ନିକଟରେ ଡାଲ ହ୍ରଦରୁ ଘାସଗୁଡ଼ିକୁ ସଫା କରି ସେଗୁଡ଼ିକୁ ରାସ୍ତାକଡ଼କୁ ନେଇଯାଇଥାଉ ସେଠାରୁ ସେଗୁଡ଼ିକୁ ଟ୍ରକରେ ଲଦା ହୋଇ ଅନ୍ୟସ୍ଥାନକୁ ନିଆଯାଇଥାଏ”, ଶବୀର କୁହନ୍ତି । “ଆମକୁ ଦୁଇ ଜଣ ଲୋକଙ୍କ ଗୋଟିଏ ଟ୍ରିପ ପାଇଁ ୬୦୦ ଟଙ୍କା ମିଳିଥାଏ, ଏଥିରୁ ୨୦୦ ଟଙ୍କା ଘାସ ବୋହୁଥିବା ବଡ଼ ନୌକାର ଭଡ଼ା ବାବଦରେ ଯାଇଥାଏ । ତେଣୁ ଏହା ଆମ ଉପରେ ନିର୍ଭର କରିଥାଏ ଯେ ଆମେ କେତେକ ଟ୍ରିପ ଘାସ ବୋହିପାରିବୁ, କିନ୍ତୁ ସାଧାରଣତଃ ଦୁଇଟି ଟ୍ରିପ ହିଁ ସମ୍ଭବ ହୋଇଥାଏ ।  ପାଣିରୁ ଘାସ ବାହାର କରିବା ଲାଗି ଖୁବ ପରିଶ୍ରମ କରିବାକୁ ପଡ଼ିଥାଏ । ଆମେ ସକାଳ ୬ଟାରୁ ଘର ଛାଡ଼ି ବାହାରିଥାଉ ଏବଂ ଅପରାହ୍ଣ ୧ ଟାରେ ଘରକୁ ଫେରିଥାଉ । ଆମେ ଦୁଇଟି ଟ୍ରିପ କରିବାକୁ ଚେଷ୍ଟା କରିଥାଉ ଯାହା ଫଳରେ ଆମର କିଛି ଅଧିକ ରୋଜଗାର ହୋଇପାରିବ।”
ଏଥିପୂର୍ବରୁ, ଶବିର କୁହନ୍ତି, ସେ କେବେବି ଏତେ କଠିନ ପରିଶ୍ରମ କରିନଥିଲେ । ହ୍ରଦ ଭିତରେ ଥିବା ଦ୍ୱୀପରେ ସେମାନଙ୍କର କେତେକ ଛୋଟ ଛୋଟ ଚାଷ ଜମି ରହିଛି, କିନ୍ତୁ ତାଙ୍କ ବାପା, ମା’ ଓ ତାଙ୍କର ଜଣେ ଭାଇ ସେଥିରେ ଅଳ୍ପ କିଛି ଫସଲ ଫଳାଇଥାନ୍ତି ।

“ଲକଡାଉନ ଆରମ୍ଭ ହେବା ପରେ, ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ ପାଇଲୁ ନାହିଁ”, ଶବିର କୁହନ୍ତି । “ଯେତେବେଳେ ଜୀବିକା ନିର୍ବାହ ଲାଗି କୌଣସି ବିକଳ୍ପ ରହିଲା ନାହିଁ, ମୁଁ ଡାଲରେ ଏହି ଘାସ ସଫା କାମ ଆରମ୍ଭ କଲି । ଏହି ଶାରୀରିକ ପରିଶ୍ରମ ଅପେକ୍ଷା ଆମେ ଆମ ପର୍ଯ୍ୟଟନ ବାଣିଜ୍ୟକୁ ପସନ୍ଦ କରିଥାଉ କାରଣ ଆମେ ସାରା ଜୀବନ ସେହି କାମ କରିଆସିଛୁ । କିନ୍ତୁ ଏବେ ପର୍ଯ୍ୟଟନ ନଥିବାରୁ, ଆମ ବଞ୍ଚିବା ପାଇଁ ଏହି ଗୋଟିଏ କାମ ହିଁ ବାକି ରହିଛି । ବର୍ତ୍ତମାନ ଆମେ ଯଦି ଆମ ପରିବାର ଖର୍ଚ୍ଚ ତୁଲାଇପାରିବୁ, ସେତିକି ଆମ ପାଇଁ ବଡ଼ କଥା ହେବ।”
ଶବିର କୁହନ୍ତି, ତାଙ୍କ ପରିବାରକୁ ଘର ଖର୍ଚ୍ଚ ଅଧା ପର୍ଯ୍ୟନ୍ତ କମାଇବାକୁ ପଡ଼ିଛି । “ଆମେ ଆମର ଗଚ୍ଛିତ ଥିବା ସାମଗ୍ରୀ (ଚଦର, ଚମଡ଼ା ବ୍ୟାଗ ଓ ଜ୍ୟାକେଟ, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ) ବ୍ୟବହାର କରିପାରିବୁ ନାହିଁ- କାରଣ ଏହାକୁ ଆମଠାରୁ କେହି କିଣିବେ ନାହିଁ । ଏହାଛଡ଼ା, ଆମ ଉପରେ ବହୁପରିମାଣରେ ଋଣ ରହିଛି (ବିଶେଷକରି ଉଧାରରେ କିଣିଥିବା ସାମଗ୍ରୀ ପାଇଁ) ।”

'In Dal, except tourism, we can't do much,' says Shabbir Ahmad (sitting on the right), now working on the lake’s de-weeding project with his brother Showkat Ahmad
PHOTO • Adil Rashid
'In Dal, except tourism, we can't do much,' says Shabbir Ahmad (sitting on the right), now working on the lake’s de-weeding project with his brother Showkat Ahmad
PHOTO • Adil Rashid

‘ଡାଲ ହ୍ରଦରେ, ପର୍ଯ୍ୟଟନ ବ୍ୟତୀତ, ଆମେ ଆଉ କିଛି କରିପାରିବୁ ନାହିଁ,’ ଶବିର ଅହମ୍ମଦ (ଡାହାଣ) କୁହନ୍ତି, ଏବେ ସେ ତାଙ୍କ ଭାଇ ଶୌକତ ଅହମ୍ମଦ (ବାମ)ଙ୍କ ସହିତ ଘାସ ସଫା କାମରେ ନିୟୋଜିତ ଅଛନ୍ତି ।

ଶବିର ଚାହାଁନ୍ତି ଡାଲ ଦ୍ୱୀପରେ ରହିଥିବା ଲୋକମାନଙ୍କ ସଂଘର୍ଷ ବିଷୟରେ ସରକାର ବୁଝିବା ଉଚିତ  । “ଯଦି ସେମାନେ ଆସି ଏକ ସର୍ବେକ୍ଷଣ କରିବେ, ସେମାନେ ଏଠାକାର ସମସ୍ୟା ବୁଝିପାରିବେ । ଏଠାରେ ବହୁସଂଖ୍ୟକ ପରିବାର ରହିଛନ୍ତି ଯେଉଁମାନଙ୍କ ପାଖରେ କିଛି କାମ ନାହିଁ । କେତେକ ପରିବାରରେ ଅସୁସ୍ଥ ସଦସ୍ୟ ରହିଛନ୍ତି ଏବଂ ଆଉ କିଛି ଏମିତି ସଦସ୍ୟ ଅଛନ୍ତି ଯେଉଁମାନେ ରୋଜଗାର କରିପାରିବେ ନାହିଁ । ଯଦି ସରକାର ଏଠାକୁ ଆସି ଦେଖିପାରନ୍ତେ ଏବଂ ଲୋକମାନଙ୍କୁ କିଛି ଆର୍ଥିକ ସହାୟତା ଦିଅନ୍ତେ, ତା’ହେଲେ ଏହା ବଡ଼ ଆଶ୍ୱସ୍ତି ହୁଅନ୍ତା।”

ହ୍ରଦ ଅଞ୍ଚଳ ବାସିନ୍ଦା ଏବଂ ଶ୍ରୀନଗର ସହର ବାସୀଙ୍କ ପରିସ୍ଥିତିକୁ ତୁଳନା କରି ସେ କୁହନ୍ତି, ଏଠାରେ ଖୁବ ସୀମିତ ବିକଳ୍ପ ରହିଛି । “ଡାଲରେ, ପର୍ଯ୍ୟଟନ ବ୍ୟତୀତ, ଆମେ ଅଧିକ କିଛି କରିପାରିବୁ ନାହିଁ । ଅତିବେଶୀରେ ଆମେ ପରିବା ବିକ୍ରି କରିପାରିବୁ (ନୌକାରେ, ଗୋଟିଏ ଦ୍ୱୀପ ମୋହଲ୍ଲାରୁ ଆଉ ଗୋଟିଏକୁ ବୋହି ନେଇ) । ସହର ଭଳି ଆମେ କାମ ପାଇପାରିବୁ ନାହିଁ କିମ୍ବା ଦୋକାନ ପକାଇ କିଛି ବିକ୍ରି କରିପାରିବୁ ନାହିଁ । ଯଦି ପୁଣିଥରେ ପର୍ଯ୍ୟଟନ ଆରମ୍ଭ ହୁଏ, ଆମେ କାମ ପାଇବୁ, କିନ୍ତୁ ବର୍ତ୍ତମାନ ଆମେ ସଂଘର୍ଷ କରୁଛୁ ।

ନୌକାରେ ପନିପରିବା ବିକ୍ରି କରିବା ମଧ୍ୟ ସେତେଟା ସହଜ ନୁହେଁ । ଆନ୍ଦଲିବ ଫୟଜ ବାବା, ବାଟାପୋରା କାଲାନର ୨୧ ବର୍ଷୀୟ ବି.ଏ. ଛାତ୍ର କୁହନ୍ତି, “ମୋ ବାପା ଜଣେ କୃଷକ । ଦୀର୍ଘ ମାସ ଧରି ଆମେ କିଛି କାମ କରିପାରିନାହୁଁ କାରଣ ସେ ଘରୁ ବାହାରିପାରୁନାହାନ୍ତି । ସବୁ ପରିବା ନଷ୍ଟ ହୋଇଯାଇଛି, ସେ ଖୁବ ଅଳ୍ପ ପରିମାଣରେ ତାଙ୍କର ଗ୍ରାହକମାନଙ୍କୁ ଯୋଗାଇ ଦେଇଛନ୍ତି । ଏହା ଆମ ପରିବାରକୁ ବ୍ୟାପକ ଭାବେ ପ୍ରଭାବିତ କରିଛି, ପରିବାରରେ ମୋ ବାପା ଏକମାତ୍ର ରୋଜଗାରିଆ ବ୍ୟକ୍ତି ।” ଆନ୍ଦଲିବଙ୍କ ସାନ ଭାଇ ଏବଂ ଦୁଇ ଭଉଣୀ ସମସ୍ତେ ପାଠପଢ଼ୁଛନ୍ତି, ତାଙ୍କ ମା’ ଜଣେ ଗୃହିଣୀ । “ଆମକୁ ସମ୍ପୂର୍ଣ୍ଣ ସ୍କୁଲ ଫି’ ଏବଂ ମୋ କଲେଜ ଫି’ ପଇଠ କରିବାକୁ ହୋଇଥିଲା ।ଏବଂ ଯଦି ଜରୁରି ପରିସ୍ଥିତି ଦେଖାଦିଏ ତା’ହେଲେ ଆମକୁ ହ୍ରଦ ଆରପଟ (ଶ୍ରୀନଗର)କୁ ପାର ହେବାକୁ ପଡ଼ିବ ।”

ଏପରିକି ସହରରେ ରହୁଥିଲେ ମଧ୍ୟ ହ୍ରଦ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଲୋକମାନେ କିଛି ମାସ ଧରି ଅତି କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀନଗର ଶାଲିମାର ଅଞ୍ଚଳର ମହମ୍ମଦ ଶଫି ଶାହ । ତାଙ୍କ ଘର ପାଖରୁ ଘାଟ ୧୦ କିମି ଦୂର । ବିଗତ ୧୬ ବର୍ଷ ଧରି ସେ ଶିକାରା ଚଳାଇ ଆସୁଛନ୍ତି । ପର୍ଯ୍ୟଟନ ଋତୁରେ, ଦିନ ଭଲ ଥିଲେ ସେ ଦୈନିକ ପାଖାପାଖି ୧,୦୦୦ରୁ ୧,୫୦୦ ଟଙ୍କା ଆୟ କରିଥାନ୍ତି । କିନ୍ତୁ ଗତବର୍ଷ ପରଠାରୁ ତାଙ୍କ ଶିକାରରେ ନୌବିହାର କରିବା ଲାଗି ସେତେ ପର୍ଯ୍ୟଟକ ଆସୁନାହାନ୍ତି । “ଧାରା ୩୭୦ ଉଚ୍ଛେଦ ପରଠାରୁ ଆମ ପାଖରେ କିଛି କାମ ନାହିଁ ଏବଂ କରୋନାଭାଇରସ ଲକଡାଉନ ପରଠାରୁ ସ୍ଥିତି ଆହୁରି ବିଗିଡ଼ିଯାଇଛି”,  ସେ କୁହନ୍ତି ।

ସ୍ଥାନାନ୍ତର ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ସେ କୁହନ୍ତି, “ମୁଁ ଡାଲ ହ୍ରଦରେ ରହୁଥିଲି, କିନ୍ତୁ ସରକାର ଆମକୁ ସେଠାରୁ ବାହାର କରିଦେଲେ । “ଶାଲିମାରରୁ ମୁଁ ଦୈନିକ ଏଠାକୁ ଆସିଥାଏ (ଅନ୍ୟକାହା ଗାଡ଼ିରେ ବସି) । ଶୀତ ଋତୁରେ ମୁଁ ବାହାରକୁ କାମ କରିବାକୁ ଯାଇଥିଲି (ଗୋଆକୁ, ସେଠାକାର ବେଳାଭୂମିରେ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ) କିନ୍ତୁ  ଲକଡାଉନ କାରଣରୁ ୫୦ ଦିନ ଅଟକି ରହିଲି ଏବଂ ବେପାର ସମ୍ପୂର୍ଣ୍ଣ ଠପ ହୋଇଗଲା । ମୁଁ ମେ ଶେଷରେ ଘରକୁ ଫେରିଲି ଏବଂ ଗୋଟିଏ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ରହିଲି...” ।

Left: Andleeb Fayaz Baba's father has been unable to sell vegetables by boat for months. Right: The houseboats have been empty this tourist season
PHOTO • Adil Rashid
Left: Andleeb Fayaz Baba's father has been unable to sell vegetables by boat for months. Right: The houseboats have been empty this tourist season
PHOTO • Adil Rashid

ବାମ : କିଛି ମାସ ଧରି ଆନ୍ଦଲିବ ଫୟାଜ ବାବାଙ୍କ ବାପା ନୌକା ଯୋଗେ ପରିବା ବିକ୍ରି କରିବା ଲାଗି ସକ୍ଷମ ହୋଇପାରିନାହାନ୍ତି । ଡାହାଣ : ଚଳିତ ପର୍ଯ୍ୟଟନ ଋତୁରେ ହାଉସବୋଟଗୁଡ଼ିକ ଖାଲି ପଡ଼ିଛି ।

ଡାଲ ହ୍ରଦରେ, ପ୍ରତ୍ୟେକ ଘାଟରେ ଥିବା ଶିକାରାମାନେ ଏକ ସଂଘ ଗଢ଼ିଥାନ୍ତି-ଏମାନେ ସମସ୍ତେ ଜମ୍ମୁ ଓ କଶ୍ମୀର ଟ୍ୟାକ୍ସି ଶିକାରା ମାଲିକ ସଂଘ ଅଧୀନରେ ଆସିଥାନ୍ତି-ଏବଂ ପ୍ରତ୍ୟେକ ଶିକାରା କରିଥିବା ଆୟକୁ ଏକତ୍ରିତ କରିଥାନ୍ତି । ଏହାପରେ ସେମାନେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସେହି ଆୟକୁ ଭାଗ କରି ନେଇଥାନ୍ତି । ଶାଫି ଯେଉଁ ଘାଟରେ କାମ କରୁଛନ୍ତି ସେଠାରେ ପାଖାପାଖି ୧୫ ଜଣ ଶିକାରା କାମ କରୁଛନ୍ତି ।

“ଯଦି କେହି ସ୍ଥାନୀୟ ଲୋକ ଆସନ୍ତି, ଯାହା ଖୁବ୍ କମ ସମୟରେ ଘଟିଥାଏ, ଆମେ ସେମାନଙ୍କୁ ଶିକାରାରେ ନୌବିହାର କରାଇଥାଉ ଏବଂ ୪୦୦-୫୦୦ ଟଙ୍କା ଆୟ କରିଥାଉ, ଯାହାକୁ ଟାକ୍ସି ଷ୍ଟାଣ୍ଡରେ ଥିବା ୧୦-୧୫ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ଏବଂ ଏଥିରୁ ଜଣଙ୍କୁ ୫୦ ଟଙ୍କା ଲେଖାଏଁ ମିଳିଥାଏ । ସେଥିରୁ  ମୁଁ କ’ଣ ପାଇବି? ଶିକାରା ଛଡ଼ା ଆମର ଆଉ କିଛି ରୋଜଗାର ମାଧ୍ୟମ ନାହିଁ । ମୋ ଘର କିପରି ଚଳିବ? ଏହା ବରବାଦ ହୋଇଯିବ ନାହିଁ କି?

ଶାଫି କୁହନ୍ତି ସେ ତାଙ୍କର ଶିକାରା ଟାକ୍ସି ଲାଇସେନ୍ସ ପର୍ଯ୍ୟଟନ ବିଭାଗ ନିକଟରେ ଦାଖଲ କରିଛନ୍ତି କାରଣ ସେ ଶୁଣିଥିଲେ ଯେ ସରକାର ପ୍ରତ୍ୟେକ ଶିକାରାୱାଲାଙ୍କୁ ମାସିକ ଏକ ହଜାର ଟଙ୍କା ଲେଖାଏଁ ତିନି ମାସ ପର୍ଯ୍ୟନ୍ତ ଦେବେ, କିନ୍ତୁ ସେ କିଛି ପାଇପାରିନାହାନ୍ତି ।

ପାଖାପାଖି ୫୦ବର୍ଷ ବୟସ୍କ ଅବଦୁଲ ରଶିଦ ବଦ୍ୟାରି ବୋଲଭର୍ଡ ରୋଡ଼ କଡ଼ରେ, ହ୍ରଦ ମଧ୍ୟରେ ରହିଥାନ୍ତି । ସେ ତାଙ୍କର ଖାଲି ହାଉସବୋଟ, ‘ଆକ୍ରୋପୋଲିସ’ର ସମ୍ମୁଖ ଭାଗ ବାରଣ୍ଡାରେ ବିଶ୍ରାମ ନେଉଛନ୍ତି- ଏଥିରେ ହସ୍ତକଳା ଥିବା କାଠର କାନ୍ଥ, ଆରାମଦାୟକ ସୋଫା, ପାରମ୍ପରିକ, ଆଳଙ୍କାରିକ ଖଟମବନ୍ଦ ଶୈଳୀରେ ଚିତ୍ରିତ ଛାତ ରହିଛି । ପାଖାପାଖି ବର୍ଷେରୁ ଅଧିକ ସମୟ ହେବ ଏହା ଜଣେ ହେଲେ ଗ୍ରାହକଙ୍କ ଦର୍ଶନ କରିନାହିଁ ।

“ଯୁବାବସ୍ଥାରେ ପହଞ୍ଚିବା ପରଠାରୁ ମୁଁ ଏହି ହାଉସବୋଟ ଚଳାଉଛି । ମୋ ପୂର୍ବରୁ ମୋ ବାପା ଓ ଜେଜେ ବାପା ଏହି କାମ କରୁଥିଲେ ଏବଂ ମୁଁ ପୈତୃକ ସମ୍ପତ୍ତି ଆକାରରେ ସେମାନଙ୍କ ଠାରୁ ଏହି ନୌକା ପାଇଥିଲି”, ବଦ୍ୟାରି କୁହନ୍ତି । “କିନ୍ତୁ ଆମ ପାଇଁ ସବୁକିଛି ବନ୍ଦ ହୋଇଯାଇଛି, ଦୁଇଟି ଲକଡାଉନ ଆରମ୍ଭ ହେବା ପରଠାରୁ ଆମ ପାଖକୁ କେହି ଆସୁନାହାନ୍ତି । ଧାରା ୩୭୦ ଉଚ୍ଛେଦ ପୂର୍ବରୁ ମୋର ଶେଷ ଗ୍ରାହକ ଆସିଥିଲେ। କରୋନାଭାଇରସ ଲକଡାଉନ ମୋତେ ସେତେଟା ପ୍ରଭାବିତ କରିପାରିନାହିଁ କାରଣ ସେବେଠାରୁ ମୋ ପାଖକୁ ଜଣେ ହେଲେ ପର୍ଯ୍ୟଟକ ଆସିନାହାନ୍ତି । ସବୁକିଛି କ୍ଷତିରେ ଚାଲିଛି, ଏପରିକି ସମ୍ପତ୍ତି ମଧ୍ୟ ହାତରୁ ଚାଲିଯାଉଛି ।”

ହାଉସବୋଟରେ ପର୍ଯ୍ୟଟକମାନେ ରହୁଥିବାରୁ ହେଉଥିବା ଆୟ ଉପରେ ବଦ୍ୟାରୀଙ୍କର ୫ ଜଣିଆ ପରିବାର ସମ୍ପୂର୍ଣ୍ଣ ନିର୍ଭର କରୁଥିଲା । “ମୁଁ ଗୋଟିଏ ରାତିକୁ ୩୦୦୦ ଟଙ୍କା ରୋଜଗାର କରୁଥିଲି। ପର୍ଯ୍ୟଟନ ଋତୁରେ ମୋର ନୌକା ସବୁବେଳେ ପୂରି ରହୁଥିଲା । ହକର ଏବଂ ଅନ୍ୟମାନେ ମୋ ହାଉସବୋଟରେ ରହୁଥିବା ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସାମଗ୍ରୀ ବିକ୍ରି କରି ଚଳୁଥିଲେ ଏବଂ ଶିକାରବାଲାମାନେ ହ୍ରଦରେ ମୋ ଗ୍ରାହକମାନଙ୍କୁ ନୌବିହାର କରାଇ ଅର୍ଥ ରୋଜଗାର କରୁଥିଲେ । ସେମାନେ ସମସ୍ତେ କାମ ହରାଇଛନ୍ତି । ମୋ ପାଖରେ ଯାହା ସଞ୍ଚିତ ଅର୍ଥ ଥିଲା ମୁଁ ସବୁ ଖର୍ଚ୍ଚ  କରିସାରିଲିଣି ଏବଂ ଏବେ ଋଣ ନେଇଛି ।” ବଦ୍ୟାରି ଜଣେ କର୍ମଚାରୀଙ୍କୁ ତାଙ୍କ ହାଉସବୋଟର ଦେଖାଶୁଣା ପାଇଁ ରଖିଥିଲେ, କିନ୍ତୁ ତାଙ୍କୁ ଦରମା ଦେଇପାରିଲେ ନାହିଁ । ତାଙ୍କୁ ଚାକିରି ଛାଡ଼ି ଚାଲିଯିବାକୁ କହିଲେ । “ଭବିଷ୍ୟତରେ କିଛି ଆଶା ଦେଖାଯାଉନାହିଁ, ମୁଁ ଚାହୁଁନାହିଁ ଯେ ମୋ ପୁଅ ଏହି କାମ କରୁ”, ସେ କୁହନ୍ତି ।

'Everything is in loss, even the property is rotting away,' Abdul Rashid Badyari says, referring to his ornate houseboat
PHOTO • Adil Rashid
'Everything is in loss, even the property is rotting away,' Abdul Rashid Badyari says, referring to his ornate houseboat
PHOTO • Adil Rashid

ସବୁକିଛି କ୍ଷତିରେ ଚାଲିଛି, ଏପରିକି ସମ୍ପତ୍ତି ସରି ସରି ଆସୁଛି,” ନିଜର ଆଳଙ୍କାରିକ ହାଉସବୋଟକୁ ଦେଖାଇ ଅବଦୁଲ ରଶିଦ ବଦ୍ୟାରି କୁହନ୍ତି ।

ଏହି ମାସଗୁଡ଼ିକ ମଧ୍ୟରେ, କିଛି ଲୋକ ସଂଘର୍ଷରତ ଶିକାରାବାଲା ଏବଂ ବ୍ୟବସାୟୀମାନଙ୍କୁ ସହାୟତା କରିବା ଲାଗି ଚେଷ୍ଟା କରିଥିଲେ; ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଅବଦୁଲ ମାଜିଦ ଭଟ (ଲେକସାଇଡ ଟୁରିଷ୍ଟ ଟ୍ରେଡର୍ସ ଆସୋସିଏସନର ସଭାପତି) । “ଆମ ସଂଘର ସଦସ୍ୟମାନଙ୍କ ଦରକାର ବେଳେ ସହାୟତା ପାଇଁ ୬ ଲକ୍ଷ ଟଙ୍କାର ଏକ ଟ୍ରଷ୍ଟ ଥିଲା”, ସେ କହିଥିଲେ । “ଆମ ଭିତରେ ସବୁଠୁ ଆର୍ଥିକ ଦୁର୍ବଳ ସଦସ୍ୟମାନଙ୍କୁ ଆମେ ଏହି ଅର୍ଥ ଦେଇଥିଲୁ ଯାହାଫଳରେ ସେମାନେ ପରିବାର ଚଳାଇପାରିବେ” ।

ବ୍ୟବସାୟ ଋତୁରେ ଭଟ ୧୦ଜଣ ଲୋକଙ୍କୁ ନିଯୁକ୍ତି ଦେଇଥାନ୍ତି, ପ୍ରତ୍ୟେକଙ୍କୁ ୧୦,୦୦୦-୧୫,୦୦୦ ଟଙ୍କା ପାରିଶ୍ରମିକ ଦେଇଥାନ୍ତି, ସେ କୁହନ୍ତି । ମୋ ପରିବାର ସହ ଆଲୋଚନା କରିବା ପରେ ମୁଁ ସେମାନଙ୍କ ମଧ୍ୟରୁ ଅତି ଗରିବ କିଛି ଲୋକଙ୍କୁ ପାଖରେ ରଖିଥିଲି । ଆମେ ଯାହା ଖାଉଛୁ ସେଥିରୁ ସେମାନଙ୍କୁ କିଛି ଦେଉଛୁ । ଅନ୍ୟଥା, ମୁଁ କର୍ମଚାରୀ ରଖିବା ଖର୍ଚ୍ଚ ତୁଲାଇପାରିବି ନାହିଁ । ବିଗତ ୫ମାସ ଧରି ମୁଁ ମାତ୍ର ୪,୦୦୦ ଟଙ୍କା ରୋଜଗାର କରିଛି ତାହାପୁଣି କିଛି ସ୍ଥାନୀୟ ଗ୍ରାହକମାନଙ୍କ ଠାରୁ ।”
ଭଟ କୁହନ୍ତି, ସେ ନିଜ ପରିବାର ଚଳାଇବା ଏବଂ ଋଣ ପରିଶୋଧ କରିବା ଲାଗି ବ୍ୟାଙ୍କ ଋଣ ନେଇଛନ୍ତି । “ସେଥିପାଇଁ ମଧ୍ୟ ମୋତେ ସୁଧ ଦେବାକୁ ପଡ଼ୁଛି । ମୋ ସହିତ ମୋର ଦୁଇ ପୁଅ ଏବଂ ତିନି ଜଣ ପୁତୁରା କାମ କରିଥାନ୍ତି (ତାଙ୍କର ଦୁଇ ଝିଅ ଅଛନ୍ତି; ଜଣେ ଘରକରଣା କାମ କରନ୍ତି, ଅନ୍ୟଜଣେ ତାଙ୍କୁ ସାହାଯ୍ୟ କରିଥାନ୍ତି) । ମୋ ପୁଅ ଜଣେ ବିକମ ଛାତ୍ର ତାଙ୍କୁ ଶାରୀରିକ ଶ୍ରମ କରିବା ଲାଗି ପଠାଇବା ନିମନ୍ତେ ମୋର ବିବେକ ମୋତେ ବାଧା ଦେଉଛି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହେଲାଣି ଯେ ତା’କୁ ଯିବାକୁ ପଡ଼ିବ।”

ଡାଲ ହ୍ରଦ ଦୋକାନ ମାଲିକ ଏବଂ ଶିକାରବାଲାଙ୍କ ଆଡ଼କୁ ଚାହିଁବା ଲାଗି ସରକାରଙ୍କ ପକ୍ଷରୁ କେହି ଆସିନାହାନ୍ତି, ଭଟ କୁହନ୍ତି । “କେହି ଆମ କ୍ଷତି ଆକଳନ କରିବାକୁ ଆସିନାହାନ୍ତି।” ଏବେ ଲକଡାଉନ ଉଠିଯାଇଥିବାରୁ, ସହରରେ ଥିବା ସ୍ଥାନୀୟ ବାସିନ୍ଦାମାନେ ଦୋକାନକୁ ଆସୁଛନ୍ତି । “କିନ୍ତୁ କୌଣସି ସ୍ଥାନୀୟ ଲୋକ ଡାଲରେ ଥିବା କାଶ୍ମୀରୀ କଳା ଦୋକାନକୁ ଆସିନଥାନ୍ତି । ଡାଲରେ ଥିବା ଜଣେ ଦୋକାନୀ ଶତ ପ୍ରତିଶତ କ୍ଷତିରେ ରହିଛି।”

ଭଟ କୁହନ୍ତି, ଜୁଲାଇ ମାସରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଅନଲାଇନରେ ପଞ୍ଜୀକରଣ କରିବାକୁ କହିଥିଲେ, କିନ୍ତୁ କିଛି ହେଲା ନାହିଁ। “ସେବେଠାରୁ, ଆମେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଠାରୁ, କିଛି ପାଇବାର ଆଶା ଛାଡ଼ି ଦେଇଛୁ ।” ଭଟ କୁହନ୍ତି, ଲଗାତାର ହରତାଳ ଓ କର୍ଫ୍ୟୁ ଅନିଶ୍ଚିତତାକୁ ବଢ଼ାଇ ଦେଇଛି । “ମୁଁ ମୋ ପିଲାମାନଙ୍କୁ କହିଦେଇଛି ଡାଲ ଓ ଆମ ପାଇଁ ଭବିଷ୍ୟତ ଖୁବ ଅନ୍ଧକାର ଦେଖାଯାଉଛି ...।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି  ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Adil Rashid

Adil Rashid is an independent journalist based in Srinagar, Kashmir. He has previously worked with ‘Outlook’ magazine in Delhi.

Other stories by Adil Rashid
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE