

Kolhapur, Maharashtra
|SUN, APR 05, 2020
ଶେଷ ଶଗଡ଼, ହାରୋଲିର ଶେଷ କାରିଗର
ପରୀ ସ୍ୱେଚ୍ଛାସେବୀ ସଂକେତ ଜୈନ ଲକ୍ଷ୍ୟ ରଖିଛନ୍ତି ଯେ ଭାରତର ୩୦୦ ଟି ଗାଁ ବୁଲିବେ ଏବଂ ଅନ୍ୟ କାହାଣୀ ସହିତ ଏହି ଫିଚର୍ ମଧ୍ୟ ଉପସ୍ଥାପନ କରିବେ: ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଏକ ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫ୍ର ଏକ ସ୍କେଚ୍। ପରୀ ସିରିଜ୍ର ଏହା ଅଷ୍ଟମ କାହାଣୀ। ଫଟୋ କିମ୍ବା ସ୍କେଚ୍ ପୂରା ଦେଖିବା ପାଇଁ ସ୍ଲାଇଡର୍ ଯେକୌଣସି ପଟକୁ ଡ୍ର କରନ୍ତୁ।
Author
Translator
ପରୀ ସ୍ୱେଚ୍ଛାସେବୀ ସଂକେତ ଜୈନ ଲକ୍ଷ୍ୟ ରଖିଛନ୍ତି ଯେ ଭାରତର ୩୦୦ ଟି ଗାଁ ବୁଲିବେ ଏବଂ ଅନ୍ୟ କାହାଣୀ ସହିତ ଏହି ଫିଚର୍ ମଧ୍ୟ ଉପସ୍ଥାପନ କରିବେ: ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଏକ ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫ୍ର ଏକ ସ୍କେଚ୍। ପରୀ ସିରିଜ୍ର ଏହା ଅଷ୍ଟମ କାହାଣୀ। ଫଟୋ କିମ୍ବା ସ୍କେଚ୍ ପୂରା ଦେଖିବା ପାଇଁ ସ୍ଲାଇଡର୍ ଯେକୌଣସି ପଟକୁ ଡ୍ର କରନ୍ତୁ।
ହାରୋଲି ଗାଁର ଦତ୍ତାତ୍ରେୟ ସୂତାର କହିଛନ୍ତି, “ବୋଧହୁଏ ଏହା ମୁଁ ମରାମତି କରିଥିବା କାଠରେ ତିଆରି ଶେଷ ବଳଦଟଣା ଶଗଡ଼ ଅଟେ।” ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ଅବଶିଷ୍ଟ କୁଶଳୀ କାଠ ଶଗଡ଼ ନିର୍ମାତାମାନଙ୍କ ମଧ୍ୟରୁ ୬୦ ବର୍ଷର ଦତ୍ତାତ୍ରେୟ ହେଉଛନ୍ତି ଜଣେ - ଯଦିଓ ଏବେ ସେ କେବଳ ଶଗଡ଼ଗୁଡ଼ିକୁ ମରାମତି କରୁଛନ୍ତି ।
ଦିନ ଥିଲା, ସୁନ୍ଦର ଶଗଡ଼ ତିଆରି ଶିଳ୍ପ ପାଇଁ ଶିରୋଲ୍ ତାଲୁକାର ଗାଁଗୁଡ଼ିକ ପ୍ରସିଦ୍ଧି ଅର୍ଜନ କରିଥିଲେ। ହେଲେ ପ୍ରାୟ ଏକ ଦଶନ୍ଧି ହେଲା ହାରୋଲି ଏବଂ ନିକଟସ୍ଥ ନନ୍ଦାନୀରେ ଶଗଡ଼ ତିଆରି କରିବାର ଶିଳ୍ପ ଦୁର୍ବଳ ହେବାକୁ ବସିଲାଣି। ଏହି ସୁଦୃଢ଼ ଯାନଗୁଡିକ କୃଷିଜାତ ଦ୍ରବ୍ୟ ଏବଂ ବୈରାନ୍ (ଗୋରୁମାନଙ୍କ ପାଇଁ କୁଟା) ବୋହିବା ପାଇଁ ତଥା ପରିବହନର ଏକ ମାଧ୍ୟମ ଭାବରେ ବ୍ୟବହୃତ ହେଉଥିଲା ।
“ନନ୍ଦାନୀର ଜଣେ କୃଷକ ମୋତେ ଚାରି ବର୍ଷ ତଳେ ତାଙ୍କ ଶଗଡ଼ ମରାମତି କରିବାକୁ ଦେଇଥିଲେ। କିନ୍ତୁ ସେ ଆଉ ତାକୁ ନେଇ ନାହାଁନ୍ତି। ସେହି ଦିନଠାରୁ ଏଇଟି ମୋ ପାଖରେ ପଡ଼ିଛି,” କହିଲେ ଦତ୍ତାତ୍ରେୟ । ଏଠାରେ ପ୍ରଦର୍ଶିତ ଶଗଡ଼ଟି ବର୍ତ୍ତମାନ ତାଙ୍କ କର୍ମଶାଳା ସାମ୍ନାରେ ଖୋଲା ପଡିଆରେ ପଡ଼ିଛି ଏବଂ କିଛି ପଡ଼ୋଶୀ ଏହା ଉପରେ ଗାଈ ଗୋବରରେ ଘଷି ତିଆରି କରି ଶୁଖାଉଛନ୍ତି।
ଦତ୍ତାତ୍ରେୟ ୧୪ ବର୍ଷ ବୟସରେ ଶଗଡ଼ ତିଆରି କରିବା ଆରମ୍ଭ କରିଥିଲେ । ଏହି କାମ କରିବାରେ ସେ ହେଉଛନ୍ତି ସୂତାର ବଂଶର ଚତୁର୍ଥ ପୀଢ଼ିର ଦାୟାଦ। ସେ ତାଙ୍କ ଜେଜେ ଏବଂ ଦାଦାମାନଙ୍କୁ ଦେଖି କାରିଗରୀ କାମ ଶିଖିଥିଲେ । ଦତ୍ତାତ୍ରେୟ ମାତ୍ର ଛଅ ବର୍ଷର ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲିଗଲେ। ମା ଜଣେ କୃଷି ଶ୍ରମିକ ଭାବରେ କାମ କରୁଥିଲେ। ସେ କହିଲେ, ଅତୀତରେ, ବିଭିନ୍ନ ଆକାରର ଶଗଡ଼ ବ୍ୟତୀତ ସେମାନେ କାଠର କୃଷି ଉପକରଣ ମଧ୍ୟ ତିଆରି କରୁଥିଲେ।
“ଅନେକ ପୀଢ଼ି ଧରି କେବଳ ପୁରୁଷମାନେ ଏହି କାମ କରି ଆସୁଥିଲେ। ମହିଳାମାନେ ସାଧାରଣତଃ ଚାଷ କାମ କରୁଥିଲେ,” ସେ କହିଲେ। ତାଙ୍କର ୫୫ ବର୍ଷ ବୟସ୍କା ପତ୍ନୀ କାଞ୍ଚନ ଦୋହରାଇଲେ, “କେବଳ ପୁରୁଷମାନେ ଏହି କାମ କରନ୍ତି [ଆମ ପରିବାରରେ] । ମୁଁ କ୍ଷେତରେ କାମ କରେ। ”
କିନ୍ତୁ ଆଜିକାଲି ଆଉ ଏ କାମ ମିଳୁନି । ଦତ୍ତାତ୍ରେୟ ମନେ ପକାଇ କହିଲେ, “ପ୍ରାୟ ଦଶ ବର୍ଷ ତଳେ ମୋତେ ଗୋଟିଏ କାଠର ଶଗଡ଼ ତିଆରି କରିବାର ବରାଦ ମିଳିଥିଲା”। କାଠ ଚକ ଥିବା ପାରମ୍ପରିକ ଶଗଡ଼ ବଦଳରେ ଆଜିକାଲି ଟ୍ରାକ୍ଟର କିମ୍ବା ରବର୍ ଟାୟାର ଥିବା ଧାତୁ (ମୁଖ୍ୟତଃ ଲୁହା)ରେ ତିଆରି ଶଗଡ଼ ବ୍ୟବହାର ହେଲାଣି।
ଦତ୍ତାତ୍ରେୟ ଯେଉଁ ଶଗଡ଼ ତିଆରି କରୁଥିଲେ, ସେଗୁଡ଼ିକର ଲମ୍ବ ୭ ଫୁଟ ଏବଂ ଚଉଡ଼ା ୩.୫ ଫୁଟ, ଏବଂ ଚକର ଉଚ୍ଚତା ୪.୫ ଫୁଟ ଥିଲା। କାରିଗରମାନେ ସାଙ୍ଗଲି ଜିଲ୍ଲାର ଗାଁଗୁଡ଼ିକରେ ମିଳୁଥିବା ଦୀର୍ଘସ୍ଥାୟୀ ବବୁଲ କାଠ ବ୍ୟବହାର କରୁଥିଲେ । ଦତ୍ତାତ୍ରେୟ କୁହନ୍ତି, “ଗୋଟିଏ ଶଗଡ଼ ପାଇଁ ଅତି କମରେ ୧୦ ଘନଫୁଟ [୧ ଘନଫୁଟ = ୧କ୍ୟୁବିକ୍ ଫୁଟ] ବବୁଲ କାଠ ଦରକାର ହୁଏ”। କୌଣସି କଣ୍ଟା କିମ୍ବା ସ୍କ୍ରୁ ବ୍ୟବହାର କରାଯାଏ ନାହିଁ। କୁଶଳୀ କାରିଗରମାନେ କାଠ କୀଳା ବାଡ଼େଇ ଗୋଟିଏ ଅଂଶ ସହ ଅନ୍ୟ ଅଂଶକୁ ଦୃଢ଼ଭାବରେ ଯୋଡ଼ୁ ଥିଲେ। ଲୁହା କେବଳ ଚକଗୁଡିକର ବାହ୍ୟ ଆବରଣ ଏବଂ କେନ୍ଦ୍ରୀୟ ଅଂଶ ପାଇଁ ବ୍ୟବହୃତ ହେଉଥିଲା ।
“୧୯୮୦ ଦଶକରେ ଗୋଟିଏ ଶଗଡ଼ ୬୦୦ଟଙ୍କାରେ ବିକିଲେ ବି ଆମର ଲାଭ ହେଉଥିଲା। ସେତେବେଳେ ବବୁଲ୍ କାଠ ଘନ ଫୁଟ ପିଛା ମାତ୍ର ୬ ଟଙ୍କା ପଡ଼ୁଥିଲା,” ଦତ୍ତାତ୍ରେୟ କୁହନ୍ତି । “ବର୍ତ୍ତମାନ ୟାର ଦାମ୍ ୬୦୦ ଟଙ୍କା ହେଲାଣି। ମୁଁ ମୋର ଶେଷ କାଠ ଶଗଡ଼ ୨୦୦୮ ମସିହାରେ ୫, ୫୦୦ ଟଙ୍କାରେ ବିକ୍ରି କରିଥିଲି।”
ପରିବାରର ଏହି ବଢ଼େଇଶାଳ ଦିନେ ବ୍ୟସ୍ତବହୁଳ ରହୁଥିଲା। ଦତ୍ତାତ୍ରେୟ, ତାଙ୍କର ଚାରି ଭାଇ ଏବଂ ଅନ୍ୟ ୧୦ ଜଣ ଶ୍ରମିକ ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ । ପ୍ରତିବର୍ଷ ସେପ୍ଟେମ୍ବରରୁ ମେ ମାସ ମଧ୍ୟରେ ସେମାନେ ପ୍ରାୟ ୧୦୫ ଟି ଶଗଡ଼ ତିଆରି କରି ପାରୁଥିଲେ। ମହାରାଷ୍ଟ୍ରର କୋହ୍ଲାପୁର ଏବଂ ସାଙ୍ଗଲି ଜିଲ୍ଲା ଏବଂ କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାର କୃଷକମାନେ ଏହି ପରିବାରର ନିୟମିତ ଗ୍ରାହକ ଥିଲେ।
“ବର୍ଷା ଋତୁରେ ଆମେ ଶଗଡ଼ ତିଆରି କରୁ ନ ଥିଲୁ। ସେହି ସମୟରେ, ଆମେ ପାଖରେ ଥିବା ଇଚାଲକରଞ୍ଜି ସହରରେ ବଢ଼େଇ କାମ କରି ଭଙ୍ଗା ଝରକା ଏବଂ ଚେୟାର ସବୁ ମରାମତି କରୁଥିଲୁ। ଏଥିପାଇଁ ଆମେ ଆମ ଗାଁଠୁ ୨୨ କିଲୋମିଟର ଦୂର ସାଇକେଲରେ ଯିବା ଆସିବା କରୁଥିଲୁ,” ଦତ୍ତାତ୍ରେୟ ପଛକଥା ମନେ ପକାଇ କହିଲେ।
ବଳଦଟଣା ଶଗଡ଼ର ଚାହିଦା ଆଉ କାହିଁକି ନାହିଁ? “ଲୁହା କାଠଠାରୁ ଅଧିକ ଦିନ ଚାଲେ ଏବଂ କିଲୋ ପିଛା ପ୍ରାୟ ୪୦-୫୦ ଟଙ୍କା ପଡ଼େ। ତାପରେ ସବୁ ଚାଷୀ ଆଜିକାଲି ବଳଦଟଣା ଶଗଡ଼ ରଖି ତା ପାଇଁ ଖର୍ଚ୍ଚ କରି ପାରୁନାହାଁନ୍ତି। ସେଥିପାଇଁ ଏତେ ସଂଖ୍ୟକ ଭଡା ଟ୍ରାକ୍ଟର ଚାଲୁଛି,” କହିଲେ ଦତ୍ତାତ୍ରେୟ। “ଏମିତିକି ଶଗଡ଼ ତିଆରି ପାଇଁ ଦରକାର ହେଉଥିବା ବବୁଲ କାଠ ମଧ୍ୟ ସହଜରେ ମିଳୁନି [ଅତ୍ୟଧିକ ବ୍ୟବହାର ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଅଧିକ ଚାହିଦା ହେତୁ]।”
ଦତ୍ତାତ୍ରେୟଙ୍କ ପୁଅ ମହାଦେବ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ, ୩୦ ଦଶକର ଶେଷ ଆଡ଼କୁ ଫେବ୍ରିକେସନ୍ ଅର୍ଥାତ୍ ଲୁହା, ଆଲୁମିନିୟମ ଏବଂ ଅନ୍ୟାନ୍ୟ ଧାତୁରୁ ଜିନିଷ ତିଆରି କରିବାର ପ୍ରକ୍ରିୟା ଶିଖିଲେ। ଆଜି ସେ ପାରିବାରିକ ବଢ଼େଇଶାଳର ଦାୟିତ୍ୱ ନେଇଛନ୍ତି । ଦତ୍ତାତ୍ରେୟଙ୍କ ୩୪ ବର୍ଷର ବିବାହିତ ଝିଅ ମେଘା ଜଣେ ଗୃହିଣୀ।
ସୂତାର ପରିବାର ବଢ଼େଇଶାଳରେ ଏବେ କେବଳ ତିନିଜଣ ଶ୍ରମିକ କାମ କରୁଛନ୍ତି। ଧାତୁରେ ତିଆରି ଶଗଡ଼ ବ୍ୟତୀତ ମହାଦେବ ଝରକା ପାଇଁ ଗ୍ରିଲ୍ ଏବଂ ସିଢ଼ି ପାଇଁ ରେଲିଂ ଢଳେଇ କାମର ତଦାରଖ କରୁଛନ୍ତି। ଏହା ସହ ସେ କାଠ ଆଲମାରି ମଧ୍ୟ ତିଆରି କରନ୍ତି ।
ଗୋଟିଏ ଲୁହା ଶଗଡ଼ର ଦାମ୍ ୧୦, ୦୦୦ ରୁ ୧୪, ୦୦୦ ଟଙ୍କା। “ଅଧିକାଂଶ ଚାଷୀ ଏତେ ଖର୍ଚ୍ଚ କରି ପାରନ୍ତି ନାହିଁ। ତେଣୁ ଏହାର ଚାହିଦା ମଧ୍ୟ ଗତ କିଛି ବର୍ଷ ମଧ୍ୟରେ କମ୍ ହେବାରେ ଲାଗିଛି।” ତେଣୁ ସେ ମଧ୍ୟ ବଢ଼େଇ କାମ ଛାଡ଼ି ତାଙ୍କର ଯେଉଁ ଏକ ଏକରରୁ କମ୍ ଜମି ଅଛି, ସେଥିରେ କିଛି ଆଖୁ ଚାଷ କରନ୍ତି ଏବଂ ବେଳେବେଳେ ସେହି ବଢ଼େଇଶାଳ କଥା ବୁଝନ୍ତି, ଯାହା ଦିନେ ଏହି ଅଞ୍ଚଳରେ ସବୁଠାରୁ ସୁନ୍ଦର ଶଗଡ଼ ତିଆରି କରିବାରେ ସୁନାମ ଅର୍ଜନ କରିଥିଲା।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଶେଷ-ଶଗଡ଼-ହାରୋଲିର-ଶେଷ-କାରିଗର

