ଏପରି ଏକ ସମୟ ଥିଲା, ଯେତେବେଳେ ସେ ସମ୍ରାଟଙ୍କର ପ୍ରତିରୂପ କିମ୍ବା ଏମିତି କହିପାରିବେ ଛାଇ ଭଳି ତାଙ୍କର ସାଥୀ, ସହଯୋଗୀ, ପରାମର୍ଶଦାତା ବା ମାର୍ଗଦର୍ଶକ ଥିଲା। ସେମାନଙ୍କର ଜୀବନ କଥା ‘ଗୋଟିଏ ଥାଳିରେ ଖାଉଥିବା ବନ୍ଧୁଙ୍କ ସହଭାଗୀ କାହାଣୀ’ ଭଳି ଥିଲା। ତାଙ୍କର ଉପସ୍ଥିତି ରାଜଦରବାର ପରିବେଶକୁ ଜୀବନ୍ତ କରି ଦେଉଥିଲା। ହେଲେ ସେ କ’ଣ ଭୁଲ କରିଥିଲା? ଯାହା ଘଟିଲା ତାହାସବୁ ବାସ୍ତବରେ କେବେ ହୋଇଥିଲା? ସମ୍ରାଟଙ୍କ ସହ ନିଜର ଘନିଷ୍ଠ ସମ୍ପର୍କରେ ଅଚାନକ ଘଟିଥିବା ବିଚ୍ଛିନ୍ନତା କାହିଁକି ଆସିଲା? ଜେଲର ଅନ୍ଧାର କୋଠରୀରେ ବନ୍ଦୀ ବିଦୂଷକ ଏହା ବାରମ୍ବାର ଚିନ୍ତା କରୁଥିଲେ। ସମ୍ରାଟ୍‌ ତାଙ୍କ ଉପରେ ଅସନ୍ତୁଷ୍ଟ ହେବାର ପ୍ରକୃତ କାରଣ କ’ଣ ଥିଲା? ଏ ସମ୍ପର୍କରେ ତାଙ୍କୁ ଅତିକମ୍‌ରେ ଏକ ସ୍ପଷ୍ଟୀକରଣ ମିଳିବା ଉଚିତ୍‌ ନୁହେଁ କି? ସେମାନଙ୍କ ମନରେ ପରସ୍ପର ପ୍ରତି ଏତେ ଘୃଣାଭାବ ଥିଲା କି? ତାଙ୍କ ଭାଗ୍ୟରେ ବିପରୀତ ମୋଡ଼ ଆଣିଥିବା ଏ ଘଟଣା ଉପରେ ସେ ହସି ସୁଦ୍ଧା ପାରୁନଥିଲେ।

କିନ୍ତୁ ରାଜଧାନୀରେ ସବୁକିଛି ଅତ୍ୟନ୍ତ ନାଟକୀୟ ଢଙ୍ଗରେ ବଦଳି ଯାଇଥିଲା। ପ୍ଲାଟୋର ଗଣରାଜ୍ୟ, ଓସେନିୟା ହେଉ, କିମ୍ବା ପୁଣି ତାହା ହିନ୍ଦୁସ୍ତାନ, ଏଥିପ୍ରତି ସାମାନ୍ୟ ଫରକ ସୁଦ୍ଧା ପଡ଼ୁନଥିଲା। ଯେଉଁ କଥାଟି ଅଧିକ ମୂଲ୍ୟବାନ ଥିଲା, ତାହା ହେଉଛି ସମ୍ରାଟଙ୍କ ରାଜାଜ୍ଞା, ଯାହାକି ଆଦେଶ ଜାରି କରିଥିଲା ଯେ ଠିକ୍‌ ଏବେଠାରୁ ସବୁ ସ୍ଥାନରେ, ସମସ୍ତଙ୍କ ମୁହଁରୁ, ସାମ୍ରାଜ୍ୟର ପ୍ରତ୍ୟେକ କୋଣରୁ ସମସ୍ତ ପ୍ରକାର ହସ ଲିଭାଇ ଦିଆଯିବ। ବ୍ୟଙ୍ଗ, ହାସ୍ୟ, ପ୍ରହସନ, ମଜାକଥା, ହାସ୍ୟାଭିନୟ, କାର୍ଟୁନ, ବ୍ୟଙ୍ଗ କବିତା, ଏପରିକି ଲିମେରିକ ଏବଂ ଶବ୍ଦର ମଜାଳିଆ ଖେଳ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଯାଇଥିଲା।

ରାଜ୍ୟ ପ୍ରାୟୋଜିତ ଇତିହାସ ଏବଂ ବାସ୍ତବ ନାୟକମାନଙ୍କର ଜୀବନୀ ବ୍ୟତୀତ, କେବଳ ନିର୍ଦ୍ଦିଷ୍ଟ ଦେବତାମାନଙ୍କର ମହିମା ମଣ୍ଡନ ଏବଂ ଦେଶଭକ୍ତ ନାୟକମାନଙ୍କର ଗୁଣଗାନ କରୁଥିବା ମହାକାବ୍ୟ (ପ୍ରମାଣିକ ଏବଂ ହାସ୍ୟକଳା ଉପରେ ଅଙ୍କୁଶ ଲଗାଉଥିବା ପୋଲିସ୍ ଦ୍ଵାରା ଅନୁମତିପ୍ରାପ୍ତ) କୁ ଅନୁମତି ମିଳିଥିଲା। ଏମିତି କିଛି ଲୋକମାନଙ୍କ ମନରେ ଉତ୍ସାହ ଭରି ଦେଉଥିଲା କିମ୍ବା ସେମାନଙ୍କର ଚିନ୍ତାଧାରାକୁ ପ୍ରଭାବିତ କରୁଥିଲା ସେସବୁକୁ ଛଡ଼ାଗଲା ନାହିଁ। ହସର ସୌଭାଗ୍ୟ କେବଳ ସେମାନଙ୍କ ଭାଗରେ ପଡ଼ିଥିଲା, ଯେଉଁମାନଙ୍କ ପାଇଁ ଏହାର କୌଣସି ମୂଲ୍ୟ ନଥିଲା। ଦରବାରରୁ, ସଂସଦରୁ, ଥିଏଟରରୁ, ପୁସ୍ତକରୁ, ଟେଲିଭିଜନରୁ, ଫଟୋରୁ, ପିଲାମାନଙ୍କର ସରଳ ମୁଖମଣ୍ଡଳରୁ ହସ ଲିଭାଇ ଦିଆଯିବାର ଥିଲା।

ପ୍ରତିଷ୍ଠା ପାଣ୍ଡ୍ୟାଙ୍କ କବିତା ଆବୃତ୍ତି ଶୁଣନ୍ତୁ

ସମ୍ପୂର୍ଣ୍ଣ ନିରର୍ଥକ

ଅନ୍ଧକାର ନିଆଁ ଭଳି ବ୍ୟାପିଥାଏ ଗାଁରେ -
ଯେମିତି ଏକ ପାଗଳ ଷଣ୍ଢ ମାଡ଼ି ଆସୁଛି
ମା’ ଡାକ୍ତରଙ୍କୁ ଡାକୁଛନ୍ତି।
‘‘ମୋ ପୁଅ ଉପରେ ହୋଇଛି ସବାର,
କେହି ଦୁଷ୍ଟ ପିଶାଚ ଆତ୍ମା।’’
ଆକାଶରେ ମେଘ ଗର୍ଜିବା ଦେଖି
ଡାକ୍ତର ଡରି ଯାଉଛନ୍ତି।
‘‘ତା’ର ଓଠ ଫାଟିଯାଇଛି
ମୁହଁର ମାଂସପେଶୀ ଟାଣି ହୋଇଯାଇଛି
ଦୁଇ ଓଠ ମଝିରେ ଦାନ୍ତ ଦେଖାଯାଉଛି,
ମଲ୍ଲି ଫୁଲ ଭଳି ଯେମିତି ଚମକୁଛି।’’

ଡରି ଯାଇ ଡାକ୍ତରଙ୍କ ଦେହ ଥରିଯାଉଛି
ସେ କହୁଛନ୍ତି, ‘‘ଯାଅ ସେହି ପୋଲିସ୍‌କୁ ଡାକ
ଯିଏ ହସ ଉପରେ ଅଙ୍କୁଶ ଲଗାଇଛନ୍ତି’’
‘‘ଏକଥା ରାଜା ବି ଜାଣନ୍ତୁ’’, ସେ କହୁଛନ୍ତି।
ଭୟରେ ମା’ଙ୍କ ଶୁଖିଲା ନେତ୍ର, ଲୁହରେ ଭରି ଯାଉଛି।
କେବଳ କାନ୍ଦିବା ଛଡ଼ା ସେ ଆଉ କ’ଣ କରିପାରିବ।
ବିଚରା, ଦୁଃଖିନୀ ମା’!
ଏହି ଅଭିଶାପ, ଅଜବ ଯାତନା –
ତୁମ ପୁଅକୁ ସୁଦ୍ଧା ଛୁଇଁଯାଇଛି।

ତା’ ଅଗଣାରେ ରାତି ଆହୁରି ଗଭୀର ହୋଇଯାଇଛି
ନିହାରୀକାରୁ ଜନ୍ମ ନେଉଥିବା ତାରା
ଅଚାନକ ସୁପରନୋଭା ଆକାର ନେଇ ବିସ୍ଫୋରଣ କରୁଛି
ଶୋଇ ରହିଛନ୍ତି ରାଜା
ବିଶାଳକାୟ ଶଯ୍ୟା ଉପରେ ଛାତି ମାଡ଼ି ବିଶ୍ରାମ ନେଉଛନ୍ତି
ସେମାନେ ତାଙ୍କୁ ସୂଚନା ଦେଉଛନ୍ତି
‘‘ଗାଁରେ ପିଲାଟିଏ ହସିଛି’’
ଆକାଶ ଛିଡ଼ି ପଡ଼ୁଛି!
ବସୁଧା ଫାଟି ଯାଉଛି!
ରାଜା ତାଙ୍କ ଶେଯ ଉପରୁ ଡେଇଁ ପଡ଼ୁଛନ୍ତି।
ଉଦାର, ପରୋପକାରୀ।
ହାୟ! ସେ କହୁଛନ୍ତି-
‘‘କେଉଁ – ଅଭିଶାପ ମୋ ଦେଶ ଉପରେ ପଡ଼ିଲା?’’
ରାଜା ଚିତ୍କାର କରୁଛନ୍ତି, ଉଦାର ପରୋପକାରୀ ରାଜା।
ତାଙ୍କର ରକ୍ତପୀପାଷୁ ଖଡ଼ଗ୍‌ ପଡ଼ି ରହି ଚମକୁଛି।
ରାଜା ଭାବୁଛନ୍ତି
ତାଙ୍କ ଦେଶର କଲ୍ୟାଣ ପାଇଁ
ତାଙ୍କୁ କରିବାକୁ ହେବ ଅନେକ ହତ୍ୟା
ଲିଭାଇ ଦେବାକୁ ହେବ ମୁଖମଣ୍ଡଳରୁ ସବୁ ହସର ସ୍ମୃତି
ଯୁବ କି ବୟସ୍କ,
ଚଢ଼ାଇ ଦେବାକୁ ହେବ ସମସ୍ତଙ୍କୁ ଶୁଳିରେ
ପରୋପକାରୀ ଓ ଦୟାଳୁ ରାଜା।

ମା’ର ଗୋଟିଏ ଆଖିରେ
ଚମକୁଛି ଧାରୁଆ ଖଣ୍ଡାର ଦୃଶ୍ୟ
ଆଉ ଗୋଟିଏରେ ତା’ ପୁଅ ମୁହଁର ହସ
ଶରୀରରେ ତରବାରୀ ମାଡ଼ ହେବାର
ପରିଚିତ ଶବ୍ଦ
ଯନ୍ତ୍ରଣା ଜର୍ଜରିତ ଚିତ୍କାର
ଜଣାଶୁଣା ସ୍ୱର
ରାଜାଙ୍କ ଜୟଜୟକାର
ସେହି ପରିଚିତ ସ୍ୱର
ସକାଳର ରକ୍ତବର୍ଣ୍ଣ ଆକାଶ ତଳେ।
ସୂର୍ଯ୍ୟ ଉଇଁ ଉଠୁଛନ୍ତି
ଯେମିତି ପିଲାଟିଏ ଉଠିବା ଭଳି,
ଗାଲ, ମାଂସପେଶୀ ଟାଣି ହୋଇଯାଇଛି,
ଦାନ୍ତ ବାହାରକୁ ଦେଖାଯାଉଛି
ଏହା ସେହି ଚମକୁଥିବା ହସ କି-
ଏତେ କୋମଳ, ଆଉ ଯୁବସୁଲଭ
ଏତେ ସୂକ୍ଷ୍ମ, ତଥାପି ଦୃଢ଼,
ଯାହାକୁ ସେହି ମୁହଁରେ ସେ ଦେଖୁଛନ୍ତି?

Illustrations: Labani Jangi

ଚିତ୍ରଣ : ଲବାନି ଜଙ୍ଗୀ

ଶବ୍ଦାର୍ଥ

ବିଦୂଷକ : ସଂସ୍କୃତ ନାଟକରେ ବିଦୂଷକ ଜଣେ ହାସ୍ୟ ଚରିତ୍ର ହୋଇଥାନ୍ତି। ସେ ପ୍ରାୟତଃ ନାୟକଙ୍କ ମିତ୍ର ହୋଇଥାନ୍ତି ଏବଂ ନିଜର ହାବଭାବ, ବେଶଭୂଷା, କଥାବାର୍ତ୍ତା ଆଦି ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି।

ମୋଗ୍ରାଫୁଲ : ମଲ୍ଲିଫୁଲ (Arabian Jasmine)

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Gokul G. K.

Gokul G.K. is a freelance journalist based in Thiruvananthapuram, Kerala.

Other stories by Gokul G. K.
Illustrations : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE