ଗୋଟିଏ ଲିଟର ଗଧ ଦୁଗ୍ଧ ପାଇଁ ସାତ ହଜାର ଟଙ୍କା? ଯେ କୌଣସି ଜିନିଷର ଗୋଟିଏ ଲିଟର ପାଇଁ? ପାଗଳ ପ୍ରାୟ ଶୁଣାଯାଉଛି, କିନ୍ତୁ ସେପ୍ଟେମ୍ବର ୨୦୨୦ରେ ସୌରାଷ୍ଟ୍ର, ଗୁଜୁରାଟର ହଲାରୀ ଗଧମାନଙ୍କର ଦୁଗ୍ଧ ସମ୍ପର୍କରେ ସମ୍ବାଦପତ୍ରର ଶୀର୍ଷକ ତାହାହିଁ କହୁଥିଲା। ଏହା ସତ ବୋଲି ଜଣାଯାଇଥିଲା- ଯଦିଓ କେବଳ ଗୋଟିଏ ପ୍ରମାଣଯୋଗ୍ୟ ଘଟଣାରେ। ଏବଂ ଗୁଜୁରାଟର ହଲାରୀ ପାଳକ ସମୂହଗୁଡ଼ିକ ଆପଣଙ୍କ ଉପରେ ଖୁବ୍ ହସିବେ ଯଦି ଆପଣ ସେମାନଙ୍କୁ କହିବେ ଯେ ସେମାନେ ନିୟମିତ ଭାବରେ ଏହି ଦାମ୍‌ ପାଉଥିଲେ।

ଏହି ପ୍ରକାରର ଦୁଗ୍ଧ, ଯାହାର ବିରଳ ଔଷଧୀୟ ଗୁଣ ରହିଥିବାର କୁହାଯାଏ, ତାହାର ମୂଲ୍ୟ ଗୁଜୁରାଟରେ ଲିଟର ପିଛା ସର୍ବାଧିକ ଟ. ୧୨୫ରେ ପହଞ୍ଚିଥିବା ଜଣାଯାଏ ଏବଂ ଯଦି ଏହା ଗବେଷଣା ପାଇଁ ଗୋଟିଏ ଅନୁଷ୍ଠାନ ସୀମିତ ପରିମାଣ କିଣିଥାଏ।

ଖବରକାଗଜର ଶୀର୍ଷକଗୁଡ଼ିକୁ ଅନୁସରଣ କରି ମୁଁ ଏଠାରେ ସୌରାଷ୍ଟ୍ରରେ ଥିଲି। ରାଜକୋଟ୍ ଜିଲ୍ଲାର ଶୁଖିଲା କପା କ୍ଷେତରେ ମୁଁ ଖୋଲାଭାଇ ଜୁଜୁଭାଇ ଭରୱାଡ୍‌ଙ୍କୁ ଭେଟିଥିଲି। ବୟସର ୬୦ ଦଶକରେ ପହଞ୍ଚିଥିବା ସେ ଜଣେ ପଶୁପାଳକ ଥିଲେ ଏବଂ ତାଙ୍କ ପରିବାର ସହ ଦେବଭୂମି ଦ୍ୱାରକା ଜିଲ୍ଲାର ଭାନ୍‌ବାଦ ବ୍ଲକ୍‌ର ଜାମପାର ଗ୍ରାମରେ ତାଙ୍କର ବାର୍ଷିକ ପ୍ରବାସ ମାର୍ଗରେ ଥିଲେ। ସେମାନେ ଦଳେ ଛେଳି ଓ ମେଣ୍ଡା ଓ ୫ଟି ହରାରି ଗଧ ପାଳନ କରୁଥିଲେ।

ଖୋଲାଭାଇ କହିଥିଲେ, ‘‘କେବଳ ରେବାରୀ ଏବଂ ଭରୱାଡ୍ ସମୂହଗୁଡ଼ିକ ହଲାରି ଗଧ ରଖନ୍ତି।’’ ଏବଂ ସେମାନଙ୍କ ମଧ୍ୟରୁ ଅଳ୍ପ କେଇଟି ପରିବାର ‘‘ପରମ୍ପରାକୁ ବଜାଇ ରଖିଛନ୍ତି। ଏହି ପଶୁଗୁଡ଼ିକ ସୁନ୍ଦର କିନ୍ତୁ ସେମାନେ ଆମର ଜୀବିକା ପାଇଁ ସ୍ଥାୟୀ ନୁହଁନ୍ତି। ସେମାନେ କୌଣସି ଆୟ ଦିଅନ୍ତି ନାହିଁ।’’ ଖୋଲାଭାଇ ଏବଂ ତାଙ୍କର ପାଞ୍ଚ ଭାଇଙ୍କର ଏକତ୍ର ୪୫ଟି ଗଧ ଅଛି।

ଯାଯାବର ପଶୁପାଳକମାନଙ୍କର ଆୟ ହିସାବ କରିବା ସବୁଠାରୁ ବିଭ୍ରାନ୍ତିକାରକ ହୋଇପାରେ। ସେମାନଙ୍କର ଆୟ ସ୍ଥିର କିମ୍ବା ନିର୍ଦ୍ଦିଷ୍ଟ ନୁହେଁ। ସେମାନଙ୍କର ଅନ୍ୟମାନଙ୍କ ପରି ପ୍ରତି ମାସରେ ଇନ୍ଧନ ଏବଂ ବିଦ୍ୟୁତ୍ ଉପରେ ସମାନ ବ୍ୟୟ ମଧ୍ୟ ହୁଏ ନାହିଁ। ସାଧାରଣକରଣ କରିବା ସମ୍ପର୍କରେ ଆମକୁ ସତର୍କ କରାଇବା ସମୟରେ ଭୁଜ୍‌ରେ ପଶୁପାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଏନଜିଓ ସହ ଜୀବନ କେନ୍ଦ୍ରର ଗବେଷକମାନେ କୁହନ୍ତି ସେମାନଙ୍କର ହୁଏତ ଗୋଟିଏ ପାଞ୍ଚ ଜଣିଆ ପରିବାରର ମୋଟାମୋଟି ଆୟ ବାର୍ଷିକ ଟ. ୩-୫ ଲକ୍ଷ ହୋଇପାରେ (ପଲର ଆକାର ଉପରେ ନିର୍ଭର କରି) ଏବଂ ବଳକା ଆୟ (ସମସ୍ତ ଖର୍ଚ୍ଚ ପରେ) ବାର୍ଷିକ ଟ. ୧-୩ ଲକ୍ଷ ହୋଇପାରେ। ଏହା ଛେଳି ଓ ମେଣ୍ଢାଙ୍କର ଉଲ୍‌ ଏବଂ ଦୁଗ୍ଧ ବିକ୍ରୟରୁ ହୋଇଥାଏ।

ଗଧମାନେ ସେମାନଙ୍କ ପାଇଁ ଖୁବ୍ କମ୍‌ କିମ୍ବା ଆଦୌ ଉପାର୍ଜନ ଦେଉଥିବା ମନେ ହୁଏ। ପଶୁପାଳକମାନେ ବର୍ଷ ପରେ ବର୍ଷ ଆୟରେ ଏକ ହ୍ରାସ ଦେଖିବା ସହ ହଲାରୀ ଗଧମାନଙ୍କର ପଲକୁ ରକ୍ଷଣାବେକ୍ଷଣ କରିବାକୁ ଖୁବ୍ କଷ୍ଟ ଅନୁଭବ କରୁଛନ୍ତି।

PHOTO • Ritayan Mukherjee

ଖୋଲାଭାଇ ଜୁଜୁଭାଇ ଦେବଭୂମି ଦ୍ୱାରକା ଜିଲ୍ଲାରେ ଜାମ୍‌ପାର ଗ୍ରାମରେ ହଲାରୀ ଗଧମାନଙ୍କର ତାଙ୍କ ଦଳକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି।

ସେଣ୍ଟର୍ ଫର୍ ପାଷ୍ଟୋରାଲିଜିମ୍‌ର ରମେଶଭାଇ ଭଟ୍ଟି କୁହନ୍ତି ଗୋଟିଏ ପଲର ହାରାହାରି ଆକାର ଏହାର ମାଲିକ ପରିବାରର ଆକାର ଉପରେ ନିର୍ଭର କରେ। ଗୋଟିଏ ପରିବାରର ଚାରି ଭାଇ ପଶୁପାଳକ ହୋଇଥିଲେ ସେମାନେ ୩୦ରୁ ୪୫ ଗଧ ରଖିପାରିବେ। ସେମାନେ ଏସବୁ ପଶୁଙ୍କୁ ଦୀପାବଳି ପରେ ଅହମ୍ମଦାବାଦ ନିକଟରେ ଅନୁଷ୍ଠିତ ହେଉଥିବା ଏକ ମେଳାରେ ବିକ୍ରୟ କରନ୍ତି କିନ୍ତୁ ଯାଯାବର ସମୂହଗୁଡ଼ିକ ଯେଉଁମାନେ ଗଧମାନଙ୍କୁ ଜିନିଷ ବୋହିବା ପାଇଁ ରଖନ୍ତି ସେମାନେ ସାଧାରଣତଃ ଚାରି କିମ୍ବା ପାଞ୍ଚଟି ଗଧ ରଖନ୍ତି।

ପ୍ରଯୋଜକ ଏବଂ ପଶୁପାଳକମାନେ ଏଇ ନିକଟ ସମୟ ପର୍ଯ୍ୟନ୍ତ ଗଧ ଦୁଗ୍ଧ ପାଇଁ ବଜାର ପାଇନଥିଲେ। ଭଟ୍ଟି କୁହନ୍ତି, ‘‘ଗଧ ଦୁଗ୍ଧ ମୁଖ୍ୟଧାରାର ଏକ ଉତ୍ପାଦ ନୁହେଁ, ସେଗୁଡ଼ିକ ଦୁଧିଆଳି ପଶୁ ନୁହଁନ୍ତି। ଯଦିଓ ୨୦୧୨-୧୩ରେ ଦିଲ୍ଲୀରେ ଅର୍ଗାନିକୋ ନାମକ ଏକ ସାମାଜିକ ଅଭିଯାନ ଗଧ ଦୁଗ୍ଧରୁ ପ୍ରସାଧନ ଉତ୍ପାଦ ଆରମ୍ଭ କରିଥିଲା, ତଥାପି ଭାରତରେ ଏ ପର୍ଯ୍ୟନ୍ତ ସେଥିପାଇଁ କୌଣସି ଔପଚାରିକ ବଜାର ନାହିଁ।’’

ହଲାରୀ ଗଧଗୁଡ଼ିକ ସୌରାଷ୍ଟ୍ରର ଗୋଟିଏ ଦେଶୀ ପ୍ରଜାତି। ସେମାନଙ୍କ ନାମ ପଶ୍ଚିମ ଭାରତର ଏକ ଐତିହାସିକ କ୍ଷେତ୍ର ହଲାରରୁ ଗ୍ରହଣ କରାଯାଇଛି, ଯାହାକି ବର୍ତ୍ତମାନର ଜାମ୍‌ନଗର, ଦେବଭୂମି ଦ୍ୱାରକା, ମୋର୍ବି ଏବଂ ରାଜକୋଟ୍‌କୁ ନେଇ ଗଠିତ ହୋଇଥିଲା। ମୁଁ ପ୍ରଥମେ ରମେଶ ଭଟ୍ଟିଙ୍କଠାରୁ ଏହି ପ୍ରଜାତି ବିଷୟରେ ଜାଣିବାକୁ ପାଇଥିଲି। ଏଗୁଡ଼ିକ ଦୃଢ଼ ଏବଂ ସୁଗଠିତ ଗଧ, ରଙ୍ଗ ଧଳା, ଗୋଟିଏ ଦିନରେ ପ୍ରାୟ ୩୦- ୪୦ କିଲୋମିଟର ଚାଲିପାରନ୍ତି। ଏମାନେ ପଶୁପାଳକମାନଙ୍କର ସ୍ଥାନାନ୍ତର ସମୟରେ ପରିବହନ ଜୀବ ଭାବରେ ବ୍ୟବହୃତ ହୁଅନ୍ତି ଏବଂ ଶଗଡ଼ ମଧ୍ୟ ଟାଣନ୍ତି।

ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍‌ ଦ୍ୱାରା ଏକ ଦେଶୀ ଗଧ ପ୍ରଜାତି ଭାବରେ ପଞ୍ଜୀକୃତ ଏବଂ ସ୍ୱୀକୃତ ହେବାରେ ହଲାରୀ ଗୁଜୁରାଟରୁ ପ୍ରଥମ ଥିଲା। ଜାତୀୟ ସ୍ତରରେ ଏହା ହିମାଚଳ ପ୍ରଦେଶର ସ୍ପିତି ଗଧମାନଙ୍କ ପରେ ଦ୍ୱିତୀୟ ଏବଂ ଗୁଜୁରାଟର କଚ୍ଛିମାନଙ୍କ ଆଗରେ ରହିଛି।

୨୦ତମ ପଶୁ ଗଣନା ୨୦୧୯ ସାରା ଭାରତରେ ଗଧ ସଂଖ୍ୟାରେ ଏକ ବିପଜ୍ଜନକ ହ୍ରାସ ରେକର୍ଡ କରିଛି। ୨୦୧୨ରେ ସେମାନଙ୍କ ସଂଖ୍ୟା ୩୩୦,୦୦୦ ଥିବା ବେଳେ ଏହା ପ୍ରାୟ ୬୨ ପ୍ରତିଶତ ହ୍ରାସ ସହିତ ୨୦୧୯ରେ ୧୨୦,୦୦୦ରେ ପହଞ୍ଚିଛି। ଗୁଜୁରାଟରେ ଏହି ହ୍ରାସ ହଲାରୀ ଗଧ ଏବଂ ପ୍ରଯୋଜକମାନଙ୍କ ସଂଖ୍ୟାରେ ଦୃଶ୍ୟ ହେଉଛି।

୨୦୧୮ରେ ସଞ୍ଜିବନ ପକ୍ଷରୁ ଆରମ୍ଭ ହୋଇଥିବା ଏକ ଅଧ୍ୟୟନ (ଏବଂ ଗୁଜୁରାଟ ସରକାରଙ୍କ ପଶୁ ପାଳନ ବିଭାଗ ନିକଟରେ ଦାଖଲ କରାଯାଇଥିବା) ଗତ ପାଞ୍ଚ ବର୍ଷରେ ସବୁ ପ୍ରକାର ଗଧ ସଂଖ୍ୟାରେ ଏକ ନାଟକୀୟ ୪୦.୪୭ ପ୍ରତିଶତ ହ୍ରାସ ପ୍ରଦର୍ଶନ କରୁଛି। ଗୁଜୁରାଟର ୧୧ଟି ତାଲୁକାରେ ହଲାରୀମାନଙ୍କ ସଂଖ୍ୟା ୨୦୧୫ରେ ୧,୧୧୨ରୁ ୨୦୨୦ରେ ୬୬୨କୁ ଖସିଛି ଏବଂ ସେହି ସମୟରେ ହଲାରୀ ପ୍ରଯୋଜକମାନଙ୍କ ସଂଖ୍ୟା ୨୫୪ରୁ ୧୮୯କୁ ଖସିଛି।

PHOTO • Ritayan Mukherjee

ମଙ୍ଗାଭାଇ ଜଦାଭାଇ ଭରୱାଡ୍‌ ଜାମପାରରେ ତାଙ୍କର ହଲାରୀମାନଙ୍କ ପଲ ଉପରେ ନଜର ରଖିଛନ୍ତି; ଯାଯାବର ଜୀବନଶୈଳୀରେ ହେଉଥିବା ପରିବର୍ତ୍ତନ ଉପରେ ତାଙ୍କର ଏକ ଗଭୀର ଜ୍ଞାନ ରହିଛି

ହ୍ରାସ ପାଇବାର କାରଣଗୁଡ଼ିକ ? ବୟସର ୫୦ ଦଶକର ଶେଷ ଭାଗରେ ପହଞ୍ଚିଥିବା ଜାମପାର ଗ୍ରାମର ଜଣେ ହତାଶ ପଶୁପାଳକ ମଙ୍ଗାଭାଇ ଜଡ଼ାଭାଇ ଭରଓ୍ୱାଡ ପଚାରନ୍ତି, ‘‘ଗଧ ଚରାଇବା ପାଇଁ ଜମି କାହିଁ ?’’ “ଅଧିକାଂଶ ଚାରଣଭୂମି ଏବେ କୃଷି ଅଧୀନରେ । ସବୁଆଡ଼େ ଚାଷ । କେହି ଜଙ୍ଗଲ ଜମିରେ ପଶୁ ଚରାଇପାରିବେ ନାହିଁ । ତାହା ଆଇନ ଦ୍ୱାରା ନିଷେଧ’’ ଏବଂ, ସେ ଆହୁରି କହନ୍ତି, “ହଲାରି ଅଣ୍ଡିରା ଗଧଗୁଡ଼ିକର ରକ୍ଷଣାବେକ୍ଷଣ କଷ୍ଟକର କାମ। ସେମାନଙ୍କର କ୍ରୋଧ ଅଧିକ । ସେମାନଙ୍କର ସଂଖ୍ୟା ଶୀଘ୍ର ବଢ଼େ ନାହିଁ ।’’

ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ଏବଂ ଅନିୟମିତ ବୃଷ୍ଟିପାତ ଶୈଳୀରେ ବୃଦ୍ଧି ମଧ୍ୟ ପଶୁପାଳକମାନଙ୍କୁ ଚିନ୍ତାରେ ପକାଏ । ଚଳିତବର୍ଷ ସୌରାଷ୍ଟ୍ରରେ ଅତ୍ୟଧିକ ବର୍ଷା ହୋଇଥିଲା, ଯାହା ଅନେକ ମେଣ୍ଢା ଓ ଛେଳିଙ୍କର ଜୀବନ ନେଇଥିଲା । ଜାମପାର ଗ୍ରାମର ହାମିର ହଜା ଭୁଡ଼ିଆ, ୪୦ କୁହନ୍ତି, ‘‘ଏ ବର୍ଷ  ମୋ ପଲର ୫୦ ପ୍ରତିଶତ ବର୍ଷା କାରଣରୁ ମୃତ୍ୟୁବରଣ କରିଥିଲେ । ଜୁଲାଇ ମାସରେ ଲଗାତାର କେଇଦିନ ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ପ୍ରଥମେ ମୁଁ ଭାବିଲି ମୋ ପୋଷାଜୀବଙ୍କ ମଧ୍ୟରୁ କେହି ବୋଧେ ବଞ୍ଚିବେନି, କିନ୍ତୁ ଭଗବାନ କୃଷ୍ଣଙ୍କୁ ଧନ୍ୟବାଦ, କେତେଗୁଡ଼ିଏ ବଞ୍ଚିଲେ।’’

ଭାବନଗର ଜିଲ୍ଲାର ଗଧଡ଼ା ବ୍ଲକ୍‌ର ଭଣ୍ଡାରିଆ ଗ୍ରାମର ୪୦ ବର୍ଷ ବୟସ୍କ ଜଣେ ପଶୁପାଳକ ରୁରାଭାଇ କାହ୍ନାଭାଇ ଛଡ଼କା କୁହନ୍ତି, ‘‘ପୂର୍ବରୁ ସବୁକିଛି ସନ୍ତୁଳିତ ଥିଲା। ଅଧିକ ବର୍ଷା ନଥିଲା କି ଅଧିକ ଖରାନଥିଲା। ଚରାଇବା ସହଜ ଥିଲା। ଏବେ ହଠାତ୍‌ ଗୋଟିଏ ସମୟରେ ଏତେ ବର୍ଷା ମୋ ଛେଳି ଏବଂ ମେଣ୍ଢା ମରିଗଲେ। ଏବଂ ଅନ୍ୟ ଜୀବଜନ୍ତୁଙ୍କଠାରୁ ଆୟ କମ୍‌ ହେବା ହଲାରିର ବଡ଼ ବଡ଼ ପଲର ଯତ୍ନ ନେବା ଆମ ପାଇଁ କଷ୍ଟକର କରିଛି।’’ ଯେତେବେଳେ ରାସ୍ତାରେ ଥିବା ସମୟରେ ଜୀବଜନ୍ତୁ ଅସୁସ୍ଥ ହୋଇଯାଆନ୍ତି ଏବଂ ଚିକିତ୍ସା ଆବଶ୍ୟକ କରନ୍ତି ସେତେବେଳେ ଯାତ୍ରା ମାର୍ଗରେ ପଶୁ ଚିକିତ୍ସା ଅଧିକାରୀମାନଙ୍କର ଅଭାବ ପଶୁପାଳକମାନଙ୍କ ପାଇଁ ସମସ୍ୟାର ଆଉ ଏକ ସ୍ତର ସଂଯୋଗ କରେ।

କେତେକ ପରିବାର ସେମାନଙ୍କର ଗଧ ପଲ ବିକ୍ରି କରିଦେଇଛନ୍ତି । ପୋରବନ୍ଦର ଜିଲ୍ଲା ଏବଂ ଏହି ବ୍ଲକ୍‌ର ପରଭଡ଼ା ଗ୍ରାମର ଗୋଷ୍ଠୀ ନେତା ୬୪ ବର୍ଷ ବୟସ୍କ ହଲାରୀ ପ୍ରଯୋଜକ ରାନାଭାଇ ଗୋବିନ୍ଦଭାଇ କହିଥିଲେ, ‘‘ଯୁବପିଢ଼ି ଗଧ ପାଳନରେ ଆଗ୍ରହୀ ନୁହଁନ୍ତି । ବର୍ତ୍ତମାନ ଏହି ପଶୁଗୁଡ଼ିକର ସ୍ଥାନାନ୍ତର ସମୟରେ ଶଗଡ଼ ଟାଣିବା ବ୍ୟତୀତ ଆଉ କ’ଣ ଉପଯୋଗ ରହିଛି? ସେହି କାମ ଏବେ ଆମେ ଛୋଟ ଟେମ୍ପୋରେ ଚଳାଇ ନେଉଛୁ ।’’ (ପଶୁପାଳକମାନେ ବେଳେ ବେଳେ  କେତେକ ଓଜନିଆ ଜରୁରୀ ଜିନିଷ ସେମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ପହଞ୍ଚାଇ ଦେବା ନିମନ୍ତେ ଟେମ୍ପୋ ଭଡ଼ା କରୁଛନ୍ତି ଯଦ୍ୱାରା ସେମାନେ ତାଙ୍କ ପଲ ଉପରେ ଅଧିକ ଧ୍ୟାନ ଦେଇପାରିବେ ।)

ରାନାଭାଇ କୁହନ୍ତି, ଗଧ ପାଳନ ସହିତ ଏକ ସାମାଜିକ ପକ୍ଷପାତିତା ମଧ୍ୟ ରହିଛି । ‘‘କିଏ ଶୁଣିବାକୁ ଚାହେଁ- ‘ଦେଖୋ ଗଧେରା ଯା ରହା ହୈଁ’ [‘ଦେଖ, ଗଧମାନେ ଯାଉଛନ୍ତି’]- ଜଣେ ଅନ୍ୟଜଣଙ୍କଠାରୁ ଏହା ଶୁଣିବା ଠିକ୍‌ ନୁହେଁ’’। ଗତ ଦୁଇବର୍ଷ ମଧ୍ୟରେ ରାନାଭାଇଙ୍କର ନିଜର ପଲ ୨୮ରୁ ୫କୁ ଖସି ଆସିଛି । ସେ ଅନେକ ହଲାରି ବିକ୍ରି କରିଦେଲେ କାରଣ ସେ ସେମାନଙ୍କର ରକ୍ଷଣାବେକ୍ଷଣ କରିବାକୁ ଅସମର୍ଥ ହେଲେ ଏବଂ ଅର୍ଥ ମଧ୍ୟ ଆବଶ୍ୟକ କରୁଥିଲେ ।

ଅହମ୍ମଦାବାଦର ଢ଼ୋଲକା ତାଲୁକାରେ ବୌଠା ଠାରେ ଅନୁଷ୍ଠିତ ହେଉଥିବା ମେଳାରେ ଗୋଟିଏ ହଲାରି ଟ. ୧୫,୦୦୦-୨୦,୦୦୦ରେ ବିକ୍ରି ହୁଏ । କ୍ରେତାମାନେ ରାଜ୍ୟ ମଧ୍ୟରୁ କିମ୍ବା ଅନ୍ୟ ରାଜ୍ୟରୁ ଆସିଥାନ୍ତି- ଅନ୍ୟ ଯାଯାବର ସମୂହରୁ କିମ୍ବା ବ୍ୟବହାର ପାଇଁ ମାଲବାହୀ ପଶୁମାନଙ୍କ ଉପରେ ଅଧ୍ୟୟନ କରିବାକୁ ଚାହୁଁଥିବା କେହି – ଉଦାହରଣସ୍ୱରୂପ ଖଣିଖାଦାନ ଅଞ୍ଚଳରେ – ଶଗଡ଼ ଟାଣିବା ପାଇଁ ।

ତାହା ହେଲେ ଏକ ଲିଟର ଗଧ ଦୁଗ୍ଧ ପାଇଁ ଟ. ୭,୦୦୦ ସମ୍ପର୍କରେ ଆଲୋଚନା କ’ଣ ? ସ୍ଥାନୀୟ ଖବରକାଗଜଗୁଡ଼ିକ ଜାମନଗରର ଧ୍ରୋଲ୍‌ ବ୍ଲକ୍‌ରେ ମୋଟା ଗରେଡ଼ିଆ ଗ୍ରାମରେ ମାତ୍ର ଗୋଟିଏ ଲିଟରକୁ ଟ. ୭,୦୦୦ରେ ବିକ୍ରି ହୋଇଥବା ଖବର ପ୍ରକାଶ କରିଥିଲେ । ସେହି ମୂଲ୍ୟର ଭାଗ୍ୟବାନ ଗ୍ରହଣକାରୀ ଥିଲେ ପଶୁପାଳକ ବଶ୍ରାମଭାଇ ତେଢ଼ାଭାଇ । ସେ ସମ୍ବାଦଦାତାମାନଙ୍କୁ କହିଥିଲେ, ସେ ନିଜେ କେବେ ହେଲେ କେହି ଏତେ ବଡ଼ ଦାମ୍‌ ପାଇଥିବା ଶୁଣିନଥିଲେ ।

‘ଯଦି ଆପଣଙ୍କ ପଶୁ ଅସୁସ୍ଥ ଏବଂ ତା’ର ଦାୟିତ୍ୱ ନେବାକୁ କେହି ନାହାଁନ୍ତି । ତେବେ ଆମେ ତାକୁ ଇଞ୍ଜେକ୍ସନ ଦେବାକୁ ହେବ । ଏଠାରେ କୌଣସି ପଶୁ ଡାକ୍ତର ନାହାଁନ୍ତି’

ଭିଡ଼ିଓ ଦେଖନ୍ତୁ: ‘ଏବେ ଲୋକମାନେ ସେସବୁଗୁଡ଼ିକୁ ବିକ୍ରି କରିଦେଇଛନ୍ତି’

ବଶ୍ରାମଭାଇ କହିଥିଲେ, ‘‘ଏବର୍ଷ ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶରୁ ଜଣେ ଲୋକ ହଲାରି ଗଧର ଦୁଗ୍ଧ କିଣିବାକୁ ତାଙ୍କ ପାଖକୁ ଆସିଥିଲା। ସାଧାରଣତଃ ଜାମନଗରର ମାଲଧାରୀମାନେ ନିଜେ ଗଧ ଦୁଗ୍ଧ ବ୍ୟବହାର କରନ୍ତି ନାହିଁ । (ମାଲଧାରୀ ଶବ୍ଦ ଗୁଜରାଟୀ ୱାର୍ଡ ମାଲ-ପଶୁସମ୍ପଦ-ଏବଂ ଧାରୀ-ଅଭିଭାବକରୁ ଆନିତ ଏବଂ ପଶୁପାଳକମାନଙ୍କ ପାଇଁ ବ୍ୟବହୃତ ହୁଏ । ବେଳେ ବେଳେ ଯେତେବେଳେ କେହି ଚିକିତ୍ସା କାରଣରୁ ଯେମିତିକି ଅସୁସ୍ଥ ପିଲାଙ୍କ ଚିକିତ୍ସା ପାଇଁ ଏହା ଚାହାଁନ୍ତି ସେମାନେ ଏହା ମାଗଣାରେ ଦେଇଦିଅନ୍ତି । କିନ୍ତୁ ମଧ୍ୟପ୍ରଦେଶରୁ ଆସିଥିବା ବ୍ୟକ୍ତି ଜଣଙ୍କ ଦୁଗ୍ଧ କିଣିବା ପାଇଁ ତାଙ୍କର କାରଣ ପ୍ରକାଶ କରିନଥିଲେ । ବଶ୍ରାମଭାଇ ତାଙ୍କ ଗଧ ଦୁହିଁଲେ- ଏବଂ  ବୋଧହୁଏ କ୍ରେତାଙ୍କୁ ଗୋଟିଏ ଲିଟର ପାଇଁ ୭ହଜାର ଟଙ୍କା ମାଗିଲେ ! ସେ ନଗଦରେ ଏହା ପୈଠ କଲେ । ସମ୍ବାଦଦାତାମାନେ କହିଥିଲେ ପଶୁପାଳକ ନିଜେ ମଧ୍ୟ ଚକିତ ହୋଇଯାଇଥିଲେ ।

ଏଥିସହିତ ଅଧିକରୁ ଅଧିକ ସାମ୍ବାଦିକ ଗରେଡିଆରେ ପହଞ୍ଚିଲେ । କିନ୍ତୁ କେହି ଜଣେ ଜାଣିପାରିଲେ ନାହିଁ କ୍ରେତା ଜଣଙ୍କ ସେହି ଲିଟରଟି କ’ଣ ପାଇଁ ଆବଶ୍ୟକ କରିଥିଲେ ।

ଗାଈମାନଙ୍କ ବିପରୀତରେ ଗଧମାନଙ୍କୁ ଖୁବ୍‌ ବିରଳ ଭାବରେ ଦୁଧିଆଳି ପଶୁଭାବରେ ପାଳନ କରାଯାଏ ନାହିଁ। ସେଣ୍ଟର ଫର୍‌ ପାଷ୍ଟୋରାଲିଜିମ୍‌ର ରବୀନ୍ଦ୍ର ଭାଇ କୁହନ୍ତି, ‘‘ଗୋଟିଏ ଗଧ ଦିନରେ ଗୋଟିଏ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଇପାରିବ। ଗୋଟିଏ ଲିଟର ସର୍ବାଧିକ ହେବ- ଯାହା ସେମାନେ ଏଠାରେ ଗୋଟିଏ ଗାଈଠାରୁ ପାଇପାରିବେ ତାହାର ୧୦ ଭାଗ କମ୍‌। ଏବଂ  ତାହା ମଧ୍ୟ କେବଳ ୫-୬ ମାସ ପାଇଁ ଯେତେବେଳେ ସେ ଗୋଟିଏ ଶାବକ ଜନ୍ମ ଦେବ’’। ତେଣୁ ପଶୁପାଳକମାନେ କେବେ ଜାଣିନଥିଲେ ଗଧ ଦୁଗ୍ଧ ତାଙ୍କୁ ଅର୍ଥ ପ୍ରଦାନ କରିପାରିବ ।

ଅଗଷ୍ଟ ମାସରେ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍‌ ଇକ୍ୟୁନ୍ସ ଗୁଜରାଟର ମେହେସାନା ଜିଲ୍ଲାରୁ କେଇଟି ହଲାରି ଗଧ ଏହାର ବିକାନିର ଫାର୍ମାକୁ ଗବେଷଣା ପାଇଁ ଆଣିଥିଲା । ସହଜୀବନ ରିପୋର୍ଟ ଦର୍ଶାଇଛି ଯେ, ଏନ୍‌ଆର୍‌ସିଇ ଘୋଷଣା କରିଥିଲା ଯେ, ‘‘ହଲାରି ଗଧ ଦୁଗ୍ଧରେ ଅନ୍ୟ ସମସ୍ତ ପଶୁସମ୍ପଦକ ପ୍ରଜାତି/ପରିବାରର ଦୁଗ୍ଧ ଅପେକ୍ଷା ସର୍ବାଧିକ ପରିମାଣର ଆଣ୍ଟି-ଏଜିଂ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଛି ।’’

ରମେଶ ଭଟ୍ଟି କୁହନ୍ତି, ଏହି ରିପୋର୍ଟ ଏହି ଦୁଗ୍ଧର ଲୋକପ୍ରିୟତା ହଠାତ୍‌ ବୃଦ୍ଧି କରିଦେଲା ଏବଂ ହଲାରି ଗଧ ପ୍ରଯୋଜକମାନଙ୍କ ମଧ୍ୟରେ ଏକ ନୂତନ ଆଗ୍ରହ ଭରିଦେଇଥିଲା। ରମେଶ ଭଟ୍ଟି ନିଜେ ଦେଶର ବିଭିନ୍ନ ଅଂଶରୁ ଏହି ପ୍ରଜାତି ସମ୍ପର୍କରେ ଅନେକ ପ୍ରଶ୍ନ କରିଥିଲେ। ଏ ମଧ୍ୟରେ ଆଦଭିକ୍‌ ଫୁଡ୍ସ ପରି କମ୍ପାନୀଗୁଡ଼ିକ, ଯାହାକି ୨୦୧୬ରେ କଚ୍ଛରେ ୧,୦୦୦ ଲିଟର ଓଟ ଦୁଗ୍ଧ ଡାଏରୀ ଆରମ୍ଭ କରିଥିଲା, ସେଗୁଡ଼ିକୁ ବର୍ତ୍ତମାନ ଗଧ ଦୁଗ୍ଧ ପାଇଁ ଏକ ୧୦୦ଲିଟର ଦୁଗ୍ଧ ଫାର୍ମର ଯୋଜନା କରୁଛନ୍ତି। ଭଟ୍ଟି କୁହନ୍ତି, ‘‘ଗଧ ଦୁଗ୍ଧ ପ୍ରସାଧନରେ ଖୁବ୍‌ ଲୋକପ୍ରିୟ ଏବଂ ଗ୍ରୀକ୍‌, ଆରବ [ଏବଂ ଇଜିପ୍ଟ]ର ରାଜକୁମାରୀମାନେ ଗଧ ଦୁଗ୍ଧରେ ସ୍ନାନ କରୁଥିବାର କିମ୍ବଦନ୍ତୀ ରହିଛି। ଭାରତରେ ଏବଂ ପଶ୍ଚିମରେ ପ୍ରସାଧନ ଉଦ୍ୟୋଗର ଏଥିପାଇଁ ଏକ ବଜାରର ଅଭ୍ୟୁଦୟ ହେଉଛି।’’

ତଥାପି ଏହି ମୂଲ୍ୟ କେବେ ଆଉଥରେ ଲିଟର ପିଛା ୭,୦୦୦ ଟଙ୍କାରେ ପହଞ୍ଚିପାରିବ ଏହା ନେଇ ସେ ସନ୍ଦେହ ପ୍ରକାଶ କରନ୍ତି। ସେ ମୋତେ ସୂଚିତ କରିଥିଲେ ଯେ, ‘‘ନିକଟରେ ଆଦଭିକ୍‌ କିଛି ଗବେଷଣା ପାଇଁ ପଶୁପାଳକମାନଙ୍କଠାରୁ ୧୨ରୁ ୧୫ ଲିଟର  ଦୁଗ୍ଧ କିଣିଥିଲା ଏବଂ ସେମାନେ ମାଲିକମାନଙ୍କୁ ଲିଟର ପିଛା ଟ. ୧୨୫ ପ୍ରଦାନ କରିଥିଲେ।’’

ଗଧ ପ୍ରଯୋଜକମାନଙ୍କର ଦିବାସ୍ୱପ୍ନକୁ ବୃଦ୍ଧି କରିବା ପରି ପରିମାଣ ଏହା ନୁହେଁ ।

PHOTO • Ritayan Mukherjee

ସୌରାଷ୍ଟ୍ରର ଧଳା ରଙ୍ଗର ହଲାରି ଗଧଗୁଡ଼ିକ ଦୃଢ଼, ମଜଭୁତ ଏବଂ ପଶୁପାଳକମାନଙ୍କର ସ୍ଥାନାନ୍ତର ସମୟରେ ଭାରବହନ କରି ଗୋଟିଏ ଦିନରେ ପ୍ରାୟ ୩୦-୪୦ କିଲୋମିଟର ଚାଲିପାରନ୍ତି ।

PHOTO • Ritayan Mukherjee

ଖୋଲାଭାଇ ଜୁଜୁଭାଇ ଏବଂ ହମିର ହାଜା ଭୁଡିୟା ହେଉଛନ୍ତି ଦୁଇଭାଇ ଯେଉଁମାନଙ୍କର ଏକତ୍ର ୨୫ଟି ହଲାରି ଗଧ ଅଛି, ବୋଧହୁଏ ଏହା କୌଣସି ପରିବାର ନିକଟରେ ଥିବା ସବୁଠାରୁ ଅଧିକ ସଂଖ୍ୟା

PHOTO • Ritayan Mukherjee

ରାଜକୋଟ ଜିଲ୍ଲାର ଧୋରିଜି ଗ୍ରାମରେ ଚନାଭାଇ ରୁଦାଭାଇ ଭରୱାଡ। ପ୍ରବାସୀ ଭରୱାଡ ଗୋଷ୍ଠୀ ହଲାରି ଗଧଙ୍କ ସହିତ ଦେଶୀ ମେଣ୍ଢା ଏବଂ ଛେଳି ପ୍ରଜାତି ମଧ୍ୟ ପାଳନ କରନ୍ତି

PHOTO • Ritayan Mukherjee

ଚନାଭାଇ ରୁଦାଭାଇ ଭରୱାଡ ଗୋଟିଏ ହଲାରି ଦୁହିଁବାର ପ୍ରକ୍ରିୟା ପ୍ରଦର୍ଶନ କରୁଛନ୍ତି । ଏହି ଦୁଗ୍ଧ ରୋଗ ପ୍ରତିରୋଧ ବର୍ଦ୍ଧକ ଏବଂ ଅନେକ ସକରାତ୍ମକ ଚିକିତ୍ସୀୟ ଗୁଣ ଧାରଣ କରିଛି ବୋଲି ବିଶ୍ୱାସ କରାଯାଏ

PHOTO • Ritayan Mukherjee

ଜଣେ ପଶୁପାଳକ (କିମ୍ବା ଜଣେ ମାଲଧାରୀ; ଏହି ଶବ୍ଦ ପଶୁସମ୍ପଦ ପାଇଁ ଗୁଜୁରାଟି ଶବ୍ଦ ମାଲ ଏବଂ ଅଭିଭାବକ ପାଇଁ ଶବ୍ଦ ଧାରୀରୁ ପଶୁପାଳକମାନଙ୍କ ପାଇଁ ଗ୍ରହଣ କରାଯାଇଛି) ବରପତ୍ରରେ ଥିବା ଏକ କପ୍‌ରୁ ଚା ପିଉଛନ୍ତି । ଏହି ଯାଯାବରମାନେ ଏକ ପ୍ଲାଷ୍ଟିକମୁକ୍ତ ପରିବେଶ ସହଯୋଗୀ ଜୀବନଶୈଳୀ ପାଳନ କରନ୍ତି ।

PHOTO • Ritayan Mukherjee

ପୋରବନ୍ଦର ଜିଲ୍ଲାର ପରୱାଡା ଗ୍ରାମର ରାନାଭାଇ ଗୋବିନ୍ଦଭାଇ ଭରୱାଡ ହେଉଛନ୍ତି ସବୁଠାରୁ ଖ୍ୟାତନାମା ହଲାରି ପ୍ରଯୋଜକମାନଙ୍କ ମଧ୍ୟରୁ ଅନ୍ୟତମ । କିନ୍ତୁ ସେ ତାଙ୍କର ୨୦ଟି ପଶୁକୁ ବିକ୍ରି କରିଦେଇଛନ୍ତି ଏବଂ ତାଙ୍କ ପଲରେ ମାତ୍ର ପାଞ୍ଚଟି ପଶୁ ଅଛନ୍ତି।

PHOTO • Ritayan Mukherjee

ରାନାଭାଇ ଗୋବିନ୍ଦଭାଇ ଏକଦା ତାଙ୍କ ପାଖରେ ଥିବା ବିଶାଳ ହଲାରି ପଲ ସହିତ। ସେ କୁହନ୍ତି, ସେମାନଙ୍କୁ ଚଳାଇବା କଷ୍ଟକର ଏବଂ ସେ ବିଶ୍ୱାସ କରନ୍ତି ଯେ ପଲକୁ ଛୋଟ ରଖିବା ଭଲ ।

PHOTO • Ritayan Mukherjee

ଭରୱାଡ ସମୁହର ଯୁବ ସଦସ୍ୟ ଜିଗ୍ନେଶ ଏବଂ ଭବେଶ ଭରୱାଡ ଜାମନଗର ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ ପଶୁପାଳକମାନଙ୍କର ପାରମ୍ପରିକ ଜୀବନଶୈଳୀକୁ ଭଲ ପାଆନ୍ତି।


PHOTO • Ritayan Mukherjee

ଭାବନଗର ଜିଲ୍ଲାର ଭଣ୍ଡାରିଆ ଗ୍ରାମର ସମାଭାଇ ଭରୱାଡ ଏକ ଖଦଡ଼ା କାଠ ସଂରଚନା ଲଗାଉଛନ୍ତି, ଯାହା ଉପରେ ଏହି ଗଧ ଭାର ବହନ କରିବ। ଏହି ବଙ୍କାଳିଆ ଫ୍ରେମ୍‌ ସନ୍ତୁଳନ ବଜାୟ ରଖିବା ପାଇଁ ଗଧର ପେଟ ସ୍ତରରେ ରହିବା ଆବଶ୍ୟକ ।

PHOTO • Ritayan Mukherjee

କଚ୍ଚ ଜିଲ୍ଲାର ବାନିଠାରେ ଏକ ପଶୁ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମରେ ଗୋଟିଏ ସୁନ୍ଦର ସଜ୍ଜା ହୋଇଥିବା ଗଧ ପ୍ରଦର୍ଶନରେ ରହିଛି।

PHOTO • Ritayan Mukherjee

ରାଜକୋଟ ଜିଲ୍ଲାର ସିଞ୍ଚିତ ଗ୍ରାମରେ ବାସ କରୁଥିବା ଗୋଷ୍ଠୀର ମୁରବୀ ସବାଭାଇ ଭରୱାଡଙ୍କର ଏକଦା ଛେଳି, ଗଧ ଏବଂ ମଇଁଷିମାନଙ୍କର ଏକ ବଡ଼ ପଲ ଥିଲା। ଚାରଣଭୂମି ସଂକୁଚିତ ହେବା କାରଣରୁ କେବଳ ମଇଁଷିମାନଙ୍କୁ ଛାଡ଼ି ସେ ସବୁକିଛି ବିକ୍ରି କରିଦେଇଛନ୍ତି।

PHOTO • Ritayan Mukherjee

ପଶୁପାଳକ ହମିର ହାଜା ଭୁଡିୟା ରାତିରେ ତାଙ୍କ ସନ୍ତାନ ଏବଂ ତାଙ୍କ ପୁତୁରା ଏବଂ ଝିଆରୀଙ୍କୁ ନେଇ ଦେଭୂମି ଦ୍ୱାରକା ଜିଲ୍ଲାର ଜାମପୁର ଗ୍ରାମରେ କ୍ଷେତ ମଧ୍ୟରେ ଯାଉଛନ୍ତି ।


PHOTO • Ritayan Mukherjee

ହମିର ହାଜା ରାତ୍ରିକାଳୀନ ନିରାପତ୍ତା ବ୍ୟବସ୍ଥା ଲାଗୁ କରୁଛନ୍ତି। ସେ କୁହନ୍ତି ଯଦି ଭଲ ଭାବରେ ବନ୍ଧା ନଯାଏ ତେବେ ଗଧମାନେ ପ୍ରାୟତଃ ଖସି ଚାଲିଯାଆନ୍ତି ।

PHOTO • Ritayan Mukherjee

ଏହି ପଶୁପାଳକ ସମୂହର ସଦସ୍ୟମାନେ ସାଧାରଣତଃ ଖୋଲା ଆକାଶ ତଳେ ସେମାନେ ନିଜ ସହ ନେଇଥିବା କମ୍ବଳ ବ୍ୟବହାର କରି ଶୋଇଯାଆନ୍ତି, ସେମାନେ ଜମି କିମ୍ବା ରାସ୍ତାକଡ଼ରେ ଯେଉଁ ଅସ୍ଥାୟୀ ଘର ତିଆରି କରିଥାନ୍ତି ସେଗୁଡ଼ିକୁ ‘ନାସ୍‌’ କୁହାଯାଏ ।

PHOTO • Ritayan Mukherjee

ହଲାରି ହେଉଛନ୍ତି ଏକ ସୁନ୍ଦର, ନିରୀହ ଦୃଷ୍ଟି ବିଶିଷ୍ଟ ଭଲ ପ୍ରକୃତିର ପ୍ରଜାତି: ‘ଏହି ଜୀବଗୁଡ଼ିକ ସୁନ୍ଦର କିନ୍ତୁ ଆମର ଜୀବିକା ପାଇଁ ସ୍ଥାୟୀ ନୁହଁନ୍ତି’, ଏହା କୁହନ୍ତି ଜାମପୁର ଗ୍ରାମର ଖୋଲାଭାଇ ଜୁଜୁଭାଇ ଭରୱାଡ ।

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Ritayan Mukherjee

Ritayan Mukherjee is a Kolkata-based photographer and a 2016 PARI Fellow. He is working on a long-term project that documents the lives of pastoral nomadic communities of the Tibetan Plateau.

Other stories by Ritayan Mukherjee