ଘନ ଅନ୍ଧାର ଥିଲା, କିନ୍ତୁ ସେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ । ରାତି ୨ଟା ବାଜିଥିଲା ଏବଂ ଆହୁରି ତିନି ଘଣ୍ଟା ପରେ ପୋଲିସ ଆସି ତାଙ୍କୁ ଅଟକାଇବେ । କିଛି ସମୟ ପରେ ପୋଲିସ ବନ୍ଦ କରିବାକୁ ଥିବା ରାସ୍ତାକୁ ଅତିକ୍ରମ କରି କାସାରୁପୁ ଧନରାଜୁ ଏବଂ ତାଙ୍କର ଆହୁରି ଦୁଇ ଜଣ ସହଯୋଗୀ ଆଗକୁ ଟପିଗଲେ। କିଛି ସମୟପରେ, ସେମାନେ ମୁକ୍ତ ଥିଲେ-ଏବଂ ସମୁଦ୍ରରେ ଥିଲେ।
“ଆରମ୍ଭରୁ ମୁଁ ଖୁବ ଡରିଯାଇଥିଲି”, ସେ ଏପ୍ରିଲ ୧୦ ତାରିଖରେ ପଳାୟନ କରିବା ପୂର୍ବରୁ କହିଥିଲେ। “ମୋତେ ସାହସ କରି ଯିବାର ଥିଲା। ମୋର ଟଙ୍କା ଦରକାର ଥିଲା। ମୋତେ ମୋ ଭଡ଼ା ଦେବାର ଥିଲା”। ଧନରାଜୁ (୪୪) ଏବଂ ତାଙ୍କର ସହଯୋଗୀମାନେ, ସମସ୍ତେ ଥିଲେ ହତାଶ ମତ୍ସ୍ୟଜୀବୀ - ସେମାନଙ୍କ ମୋଟର ଚାଳିତ ଛୋଟ ବୋଟରେ ଚୁପଚାପ ସମୁଦ୍ର ମଧ୍ୟକୁ ଚାଲିଯାଇଥିଲେ। ଲକଡାଉନ କାରଣରୁ ଜେଟ୍ଟୀରେ ମାଛଧରା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ କରାଯାଇଥିଲା। ପ୍ରତିଦିନ ଭୋର ୫ଟାରେ ପୋଲିସ ଆସି ବିଶାଖାପାଟଣା ମାଛଧରା ବନ୍ଦରର ଦୁଇ ପ୍ରବେଶ ପଥରେ ପହଞ୍ଚିଯାଉଥିଲା। ଏଠାକାର ବଜାର ଉଭୟ ସାଧାରଣ ଲୋକ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ବନ୍ଦ ରଖାଯାଇଥିଲା।
ଧନରାଜୁ ସୂର୍ଯ୍ୟୋଦୟ ପୂର୍ବରୁ ୬ରୁ ୭ କିଗ୍ରା ଓଜନର ବାଙ୍ଗାରୁ ଥିଗା (ସୁନେଲି କାର୍ପ ମାଛ) ଧରି ଫେରିଆସିଥିଲେ। “ଅଳ୍ପକେ ବର୍ତ୍ତିଗଲି”, ସେ କୁହନ୍ତି। “ମୁଁ ଫେରିବାର କିଛି ମିନିଟ ପରେ ପୋଲିସ ସେଠାରେ ପହଞ୍ଚିଗଲା। ଯଦି ସେମାନେ ମୋତେ ଧରି ନେଇଥାନ୍ତେ, ମୋତେ ହୁଏତ ପିଟିଥାନ୍ତେ । କିନ୍ତୁ ଏହି ନିରାଶାର ସମୟରେ, ଆମକୁ ବଞ୍ଚିବା ପାଇଁ କିଛି ନା କିଛି କରିବାକୁ ପଡ଼ିବ। ଆଜି ମୁଁ ମୋ ଭଡ଼ା ଦେବି, କିନ୍ତୁ ଆସନ୍ତାକାଲି ଆଉ କିଛି ସମସ୍ୟା ଆସିବ । ମୁଁ କୋଭିଡ -୧୯ରେ ସଂକ୍ରମିତ ହୋଇନାହିଁ, କିନ୍ତୁ ଏହା ଆର୍ଥିକ ଦୃଷ୍ଟିରୁ ମୋତେ ପ୍ରଭାବିତ କରିଛି’’।
ପୋଲିସ ଆଖିରେ ଧୂଳି ଦେଇ ଚେଙ୍ଗଲ ରାଓ ପେଟାସ୍ଥିତ ଡ. ଏନଟିଆର ବିଚ ରୋଡ ପଛରେ ଥିବା ସଙ୍କୀର୍ଣ୍ଣ ଗଳିରେ ନିଜର ପୁରୁଣା ଜଙ୍କ ଲଗା ରୋମା ସାଇକେଲ ଉପରେ ଏକ ଧଳା ବୋର୍ଡ ଲଗାଇ ନିଜର ଅସ୍ଥାୟୀ ଦୋକାନରେ ସେ ଗୋପନୀୟ ଭାବେ ମାଛଟିକୁ ବିକି ଦେଲେ । “ମୁଁ ସାଇକେଲ ନେଇ ମୁଖ୍ୟ ରାସ୍ତାକୁ ଯାଇପାରିଥାନ୍ତି, କିନ୍ତୁ ପୋଲିସ ପିଟିବାର ଭୟ ଥିଲା,” ବୋଲି କୁହନ୍ତି ଧନରାଜୁ । ସାଧାରଣ ଦିନରେ କିଲୋ ପ୍ରତି ୨୫୦ ଟଙ୍କାରେ ବିକ୍ରି କରିବା ବଦଳରେ ମାଛଟିକୁ ସେ ୧୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଲେ ।
ଅନ୍ୟ ସାଧାରଣ ଦିନରେ ଧନରାଜୁ ୬-୭ କିଗ୍ରା କାର୍ପ ମାଛକୁ ୧୫୦୦ରୁ ୧୭୫୦ ଟଙ୍କାରେ ବିକ୍ରି କରିଥାନ୍ତେ । ମାତ୍ର, ସାଇକେଲରେ ତାଙ୍କର ମାଛ ଦୋକାନ ଖୁବ କମ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କ ସହିତ ୪୬ ବର୍ଷୀୟା ମହିଳା ପପୁ ଦେବୀ ଥିଲେ, ଯିଏକି ଗ୍ରାହକମାନଙ୍କୁ ମାଛ କାଟି ଦେଉଥିଲେ। ପ୍ରତ୍ୟେକ ଗ୍ରାହକଙ୍କୁ ମାଛ କାଟି ସଫା କରି ଦେବା ଲାଗି ସେ ୧୦-୨୦ ଟଙ୍କା ନେଉଥିଲେ। ସେ ମଧ୍ୟ ସେଠାରେ ଟଙ୍କା ପାଇଁ ବିପଦକୁ ବରଣ କରୁଥିଲେ।










