ସେମାନେ ପୂରା ପିପିଇ କିଟରେ ଆବୃତ୍ତ ହୋଇ ଆସୁଛନ୍ତି, ଲାଗୁଛି ଯେମିତି ୨୪ ପ୍ରଗଣା ସ୍ଥିତ ତାଙ୍କ ଗାଁରେ ଏଲିଏନ ଓହ୍ଲାଇଛନ୍ତି। “ସେମାନେ ମତେ ଧରିବାକୁ ଆସିଛନ୍ତି, ଯେମିତି ମୁଁ ଗୋଟେ ପଶୁ”, କହିଛନ୍ତି ହରଚନ୍ଦ୍ର ଦାସ। ତାଙ୍କୁ ସାଙ୍ଗମାନେ ହାରୁ ଡାକନ୍ତି। ଅବଶ୍ୟ ଏବେ ସେମାନେ ଆଉ ତାଙ୍କର ସାଙ୍ଗ ହୋଇ ରହିନାହାନ୍ତି। ତାଙ୍କ ପାଖ ପଶୁନାହାନ୍ତି। ଦୂରେଇ ଦେଇଛନ୍ତି। “ଲୋକମାନେ ମୋ ପରିବାରକୁ ଗ୍ରୋସୋରୀ ଓ କ୍ଷୀର ଦେବା ବନ୍ଦ କରିଦେଇଛନ୍ତି। ଆମେମାନେ ଭାରି ନିର୍ଯାତନାର ଶିକାର ହେଉଛୁ। ରାତିରେ ନିଦ ହେଉନି। ଆମ ପଡ଼ୋଶୀମାନେ ଆମକୁ ନେଇ ଭୟଭୀତ ହେଉଛନ୍ତି”। କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏମିତି କାହାଣୀ ହରଚନ୍ଦ୍ରଙ୍କର।
ତାଙ୍କର ଦୋଷ ହେଲା, ସେ ଡାକ୍ତରଖାନାରେ କାମ କରନ୍ତି। କେବଳ ହରଚନ୍ଦ୍ର ନୁହେଁ, ପ୍ରାୟ ସମସ୍ତ ସ୍ୱାସ୍ଥ୍ୟକର୍ମୀ ସେହି ସମାନ ଅବସ୍ଥା। ଜିଲ୍ଲାସ୍ତରୀୟ କୌଣସି ଅଧିକାରୀ ତାଙ୍କୁ କୌଣସି କାମରେ ଦେଖା କରିବାକୁ ଆସିଥିଲେ ବୋଲି, ବୋଧହୁଏ ଲୋକେ ତାଙ୍କୁ କରୋନା ସଂକ୍ରମିତ ବୋଲି ଭାବୁଛନ୍ତି।
“ସମସ୍ତେ ଭୟ କରୁଛନ୍ତି ଯେ, ମୁଁ ଗୋଟେ ଡାକ୍ତରଖାନା ପାଇଁ କାମ କରୁଥିବାରୁ, ମୁଁ ନିଶ୍ଚିତ ଭାବେ ସଂକ୍ରମିତ ହୋଇଥିବି”।
୩୦ ବର୍ଷର ମଧ୍ୟଭାଗରେ ଥିବା ହରଚନ୍ଦ୍ର, କୋଲକାତାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଚାଇଲ୍ଡ ହେଲଥରେ ରୁମ ମେଣ୍ଟେନାନ୍ସ ବିଭାଗରେ କାମ କରନ୍ତି। କୋଲକାତା ବ୍ୟତୀତ ଗ୍ରାମାଞ୍ଚଳ ଓ ସହର ଉପକଣ୍ଠରୁ ଆସୁଥିବା ଶିଶୁମାନଙ୍କୁ ଏଠାରେ ଚିକିତ୍ସା କରାଯାଏ। ପାର୍ସ ସର୍କସ ଅଞ୍ଚଳରେ ଥିବା ଏହି ଚିକିତ୍ସାଳୟରେ ୨୨୦ ଶଯ୍ୟା ରହିଛି। ଏହା ୧୯୫୬ରେ ପ୍ରତିଷ୍ଠା ହୋଇଥିଲା। ଏହା ଭାରତର ପ୍ରଥମ ଶିଶୁ ଚିକିତ୍ସାଳୟ। ଅନ୍ୟ କୌଣସି ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚକୁ ତୁଲାଇପାରୁ ନ ଥିବା ବାପାମାଆମାନେ ସେମାନଙ୍କ ପିଲାଙ୍କୁ ଧରି ଏଠାକୁ ଆସନ୍ତି।
କୋଭିଡ-19 ଓ ଲକଡାଉନ ଯୋଗୁଁ ଆଇସିଏଚରେ ପହଞ୍ଚିବା କଷ୍ଟକର ହୋଇପଡୁଛି। “ଏଠାକୁ ଆସିବା ହେଉଛି ଏକ ବଡ଼ ସମସ୍ୟା”, କହିଛନ୍ତି ଚବିଶ ପ୍ରଗଣା ଅଞ୍ଚଳର ଏକ ଗାଁରୁ ନିଜ ପିଲାକୁ ନେଇ ଆସିଥିବା ରତନ ବିଶ୍ୱାସ। “ମୁଁ ଏକ ପାନ ବରଜରେ ଦିନମଜୁରିଆ ଭାବେ କାମ କରୁଥିଲି। ଅମ୍ଫାନ ଯୋଗୁଁ ପାନବରଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଆଉ ମୁଁ ରୋଜଗାର ହରାଇଲି। ବର୍ତ୍ତମାନ ମୋର ସାନପୁଅର କାନରେ ସଂକ୍ରମଣ ହୋଇଛି। ତେଣୁ ତାକୁ ନେଇକି ଏଠାକୁ ଆସିଛୁ। ଟ୍ରେନ୍ ଚଳାଚଳ ବନ୍ଦ ହୋଇପଡ଼ିଥିବାରୁ ଏଠାରେ ପହଞ୍ଚିବା ଭାରି କଷ୍ଟକର ଥିଲା”। ହରଚନ୍ଦ୍ରଙ୍କ ଭଳି କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିବା ପାଇଁ ବସ୍, ରିକ୍ସା ବଦଳାଇବା ସହ ଢେର ବାଟ ଚାଲିଚାଲି ଆସୁଛନ୍ତି।
ଆଗକୁ ଆହୁରି ସମସ୍ୟା ହେବ ବୋଲି ଆଇସିଏଚର ଡାକ୍ତରମାନେ ଚେତାଇ ଦେଇଛନ୍ତି।




















