ଏହି ସ୍ୱତନ୍ତ୍ର ରୋଗନ କଳାର ଏକମାତ୍ର ପଥପ୍ରଦର୍ଶକଙ୍କୁ ଖୋଜି ବାହାର କରିବା ପାଇଁ, ଆପଣଙ୍କୁ ବହୂଦୂରରେ ଅବସ୍ଥିତ ନିରୋନା ଗ୍ରାମକୁ ଯାତ୍ରା କରିବାକୁ ହେବ। ନିରୋନା ହେଉଛି ଗୁଜୁରାଟର କଚ୍ଛ ଜିଲ୍ଲାର ଏକ ଗ୍ରାମ ।

ଏଠାରେ ଅବ୍‌ଦୁଲ ଗଫୁର ଖତ୍ରି, ୫୫, ଓ ତାଙ୍କ ଭାଇ ସୁମେର୍‌ ଖତ୍ରି, ୩୬, ମିଳିତ ଭାବେ ତିନି ଶହ ବର୍ଷ ପୁରୁଣା ଖତ୍ରୀ ପରିବାରର ପରମ୍ପରାକୁ ଆଗକୁ ବଜାୟ ରଖିଛନ୍ତି । ଏହି କଳା ପାଇଁ ୧୯୯୭ରେ ଗଫୁର୍‌ଭାଇଙ୍କୁ ଓ ୨୦୦୩ ରେ ସୁମେର୍‌ଭାଇ ଜାତୀୟ ପୁରସ୍କାର ମିଳିଛି ।

ରୋଗନ କଳା ଗଭୀର ଭାବେ ପର୍ସିଆର ସଂସ୍କୃତି ଦ୍ୱାରା ପ୍ରଭାବିତ ଓ ପାର୍ସୀ ଭାଷାରେ ‘ରୋଗନ’ର ଅର୍ଥ ହେଉଛି ‘ତେଲ ଆଧାର ଯୁକ୍ତ’ । ଖତ୍ରୀ ବଂଶ ପ୍ରବାସରେ କଚ୍ଛକୁ ଆସିବା ସହିତ ଏଠାକୁ ରୋଗନ୍‌ କଳା ମଧ୍ୟ ଆସିଥିଲା ।

PHOTO • Sumer Khatri

ଅବ୍‌ଦୁଲ୍‌ ଗଫୁର୍‌ ଖତ୍ରି କାମ କରୁଥିବାବେଳେ

“ଗତ ୩୦୦ବର୍ଷ ଧରି ଏହି କୌଶଳକୁ କେବଳ ଆମର ପରିବାରର ସଦସ୍ୟମାନେ ପ୍ରୟୋଗ କରି ଆସିଛନ୍ତି ଓ ବର୍ତ୍ତମାନ ଅଷ୍ଟମ ପିଢି ଏହାକୁ ଆରମ୍ଭ କରିଛନ୍ତି,” ବୋଲି ସୁମେର୍‌ ଭାଇ କୁହନ୍ତି । ବର୍ତ୍ତମାନ ପରିବାରର ନଅ ଜଣ ସଦସ୍ୟ ଏହି ରୋଗନ୍‌ କଳା ପ୍ରସ୍ତୁତ କରୁଛନ୍ତି ଓ ସେମାନେ ସମସ୍ତେ ବିଭିନ୍ନ ପୁରସ୍କାର ମଧ୍ୟ ଜିତିଛନ୍ତି । ଏହି ପରିବାର ଓ ଏହାର ପ୍ରମୁଖ ଦୁଇ କଳାକାରଙ୍କ ସହିତ ମିଶିବାପରେ ଏହି ବଂଶ ଓ ରୋଗନ କଳା କିଭଳି ଭାବେ ପରସ୍ପର ଠାରୁ ଅବିଚ୍ଛିନ୍ନ ଓ ଏହି କଳାକୁ ଜୀବିତ ରଖିବା ପାଇଁ ଏହି ବଂଶର ପ୍ରତ୍ୟେକ ସଦସ୍ୟ କିଭଳି ଭାବେ ଏଥିପ୍ରତି ସମର୍ପିତ ଅଛନ୍ତି, ତାହା ଆପଣମାନେ ବୁଝିପାରିବେ ।

ଏଥିପାଇଁ ରଙ୍ଗ ଓ କଳାକୃତି ପ୍ରସ୍ତୁତ କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର । ପ୍ରଥମେ, ଜଡା ତେଲକୁ ୧୨ଘଣ୍ଟା ପର୍ଯ୍ୟନ୍ତ ଗରମ କରାଯାଏ। ଏହାକୁ ଯେତେବେଳେ ପାଣିରେ ପକାଯାଏ, ସେତେବେଳେ ଫୁଟି ଫୁଟି କମ୍‌ ହୋଇଯାଇଥିବା ତେଲର ଏକ ଅବଶେଷ ରହିଯାଏ ଯାହାକୁ ରୋଗନ କୁହାଯାଏ । ଏହି ରୋଗନକୁ ତାପରେ ପ୍ରାକୃତିକ ପନିପରିବାରୁ ପ୍ରସ୍ତୁତ ରଙ୍ଗ ସହିତ ମିଶାଯାଏ ଓ ମାଟି ପ୍ରାତ୍ରରେ ସାଇତି ରଖାଯାଏ । ସୂତା ଓ ସିଲ୍କ କପଡା ଉପରେ ବିଭିନ୍ନ ରଙ୍ଗର ଅତି ସରୁ ସୁତା ଭଳି ରେଖା ଆଙ୍କିବା ପାଇଁ ଛଅ-ଇଂଚ ଲମ୍ବ ବିଶିଷ୍ଟ ଧାତୁର ଏକ କାଠି ବ୍ୟବହାର କରାଯାଏ । ତେବେ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଧାତୁ କାଠି କେବେ ମଧ୍ୟ ହାତରେ ଧରାଯାଇଥିବା କପଡାର ସଂସ୍ପର୍ଶରେ ଆସିନଥାଏ ।

PHOTO • Jaimini Luharia

ରଙ୍ଗ ଓ କଳାକୃତି ପ୍ରସ୍ତୁତ କରିବା ପ୍ରକ୍ରିୟା ସ୍ୱତନ୍ତ୍ର ଅଟେ

PHOTO • Jaimini Luharia

ରୋଗନ ଡିଜାଇନ୍‌ ହେଉଛି ଜ୍ୟାମିତିକ ଓ ବିଭିନ୍ନ ପ୍ରକାରର ଫୁଲର ପ୍ରତିରୂପର, ପାରସ୍ୟର ପୋଷାକରେ ଲଗାଯାଇଥିବା ସୌନ୍ଦର୍ଯ୍ୟ ବର୍ଦ୍ଧକ ଅଳଙ୍କାର ଓ ସ୍ଥାନୀୟ ଲୋକକଳାର ସମ୍ମିଶ୍ରଣ, ଯାହା ମଧ୍ୟରେ ‘ଜୀବନ ବୃକ୍ଷ’ ମଧ୍ୟ ରହିଛି । ଏହି କଳାରେ ପ୍ରସ୍ତୁତ ହୋଇଥିବା ଉତ୍ପାଦ ଅତି ଜଟିଳ ହୋଇଥାଏ ଯାହା ପ୍ରାୟତଃ ପେଣ୍ଟ କରାଯିବା ପରିବର୍ତ୍ତେ ମୁଦ୍ରିତ ହୋଇଥିବା ଭଳି ଦେଖାଯାଇଥାଏ ।

PHOTO • Jaimini Luharia

ଡିଜାଇନ୍‌ଗୁଡିକ ବେଳେବେଳେ ଏତେ ଜଟିଳ ହୋଇଯାଏ ଯେ ଏହା ପେଣ୍ଟି ହେବା ପରିବର୍ତ୍ତେ ମୁଦ୍ରିତ ହୋଇଥିବା ମନେହୁଏ

ଏହି ରୋଗନ କଳା ଏବେ ମଧ୍ୟ କାହିଁକି କଚ୍ଛର ସୀମାମଧ୍ୟରେ ସିମୀତ ହୋଇ ରହିଛି? ଏହା କ’ଣ ବଜାରର ଚାପରେ ବଞ୍ଚି ରହିପାରିବ?

“ବର୍ତ୍ତମାନ ହସ୍ତଶିଳ୍ପ ଉଦ୍ୟୋଗର ବ୍ୟବସାୟୀକରଣ ଓ ବଜାର ଚାହିଦା ପୂରଣ କରିବା ପାଇଁ ମାନବ ପୁଞ୍ଜିର ଅଭାବ ଯୋଗୁ ରୋଗନକୁ ବଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଛି” ବୋଲି ସୁମେର୍‌ଭାଇ କୁହନ୍ତି । “ଏହାସହିତ ଆମକୁ ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରିବାକୁ ହେବ ଓ ସେଗୁଡିକୁ ପ୍ରୟୋଗ କରିବାକୁ ହେବ । ରୋଗନ ହେଉଛି ଏକ ମାତ୍ର ସୈନ୍ୟ ଥିବା ଏକ ସେନାବାହିନୀ, ଯାହା ଅନ୍ୟମାନଙ୍କଠାରୁ ଅଧିକ ସହାୟତା ନନେଇ ମଧ୍ୟ ନିଜକୁ ନିଜେ ବଞ୍ଚେଇ ରଖିପାରିଛି ଓ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ନିଜର ପଥ ଖୋଜି ବାହାର କରୁଛି ।

ବଜାରର ଚାହିଦାକୁ ଦୃଷ୍ଟିରେ ରଖି, ରୋଗନ ଡିଜାଇନ୍‌ଗୁଡିକ ବର୍ତ୍ତମାନ କେବଳ ଶାଢୀରେ ଓ କାନ୍ଥଝୁଲାଗୁଡିକରେ ପେଣ୍ଟ କରାଯାଉନାହିଁ ବରଂ ବଜାରରେ ଅଧିକ ଚାହିଦା ରହିଥିବା ବିଭିନ୍ନ ଉତ୍ପାଦ ଯେପରିକ ମୋବାଇଲ କଭର୍‌, କୁସନ୍‌ କଭର୍‌ ଓ କୁର୍ତ୍ତାରେ ମଧ୍ୟ କରାଯାଉଛି ।

PHOTO • Sumer Khatri

ରୋଗନ ଡିଜାଇନ୍‌ ହେଉଛି ଜ୍ୟାମିତିକ ଓ ବିଭିନ୍ନ ପ୍ରକାରର ଫୁଲର ପ୍ରତିରୂପ, ପାରସ୍ୟର ପୋଷାକରେ ଲଗାଯାଇଥିବା ସୌନ୍ଦର୍ଯ୍ୟ ବର୍ଦ୍ଧକ ଅଳଙ୍କାର ଓ ସ୍ଥାନୀୟ ଲୋକକଳାର ସମ୍ମିଶ୍ରଣ

୨୦୧୪ରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଫୁରଭାଇଙ୍କ ଦ୍ୱାରା ପେଣ୍ଟ ହୋଇଥିବା ଏକ ସୁନ୍ଦର ‘ଜୀବନ ବୃକ୍ଷ’ ଆମେରିକାର ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କୁ ଉପହାର ଦେବାପରେ ଏହି ପରିବାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କଳାକୃତି ଲୋକଲୋଚନକୁ ଆସିଥିଲା । ବର୍ତ୍ତମାନ ନିରୋନା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହୋଇପାରିଛି ଓ ପର୍ଯ୍ୟଟକମାନେ ସେଠାରେ କିଛି ସମୟ ରହି ରୋଗନ କଳାକୃତିକୁ ପ୍ରଶଂସା କରୁଛନ୍ତି ଓ କିଣୁଛନ୍ତି । ପର୍ଯ୍ୟଟନ ଋତୁରେ ଯେତେବେଳେ ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ, ସେତେବେଳେ ଖତ୍ରୀ ପରିବାରର ଆୟ ମାସକୁ ପ୍ରାୟ ୬୦,୦୦୦ଟଙ୍କାରେ ପହଞ୍ଚି ଯାଏ ।

PHOTO • Sumer Khatri

ଗଫୁର୍‌ଭାଇଙ୍କ ଦ୍ୱାରା ପେଣ୍ଟ କରାଯାଇଥିବା ସୁନ୍ଦର ‘ଜୀବନ ବୃକ୍ଷ’ ପେଣ୍ଟି ପାଇଁ ଆଜି ଏହି ପରିବାରର ଖ୍ୟାତି ବୃଦ୍ଧି ପାଇଛି

“ତେବେ ବିଡମ୍ବନାର ବିଷୟ ଏହା ଯେ, ଯଦିଓ ଆମେ ଦୁଇଟି ଜାତୀୟ ପୁରସ୍କାର ଓ ଅନେକ ରାଜ୍ୟସ୍ତରୀୟ ପୁରସ୍କାର ପାଇଛୁ ତଥାପି ଆଠଟି ପିଢିରେ କେବେ କେହି ମଧ୍ୟ ଏହି ରୋଗନକୁ ଆନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶନ କରିବାକୁ ସୁଯୋଗ ପାଇନାହାନ୍ତି,” ବୋଲି ଗଫୁର୍‌ଭାଇ କୁହନ୍ତି । “ମୁଁ ଆଶାକରୁଛି ଯେ ସରକାର ଅସମ୍ପୂର୍ଣ୍ଣ ସର୍ଭେ ଆଧାରରେ କୌଣସି ନିଷ୍ପତି ଗ୍ରହଣ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ପ୍ରଭାବ ଆକଳନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଆରମ୍ଭ କରିବେ। ସାମୂହିକ ବିକାଶ ପାଇଁ ପାରମ୍ପରିକ କଳାକୁ ମଧ୍ୟ ସମାନ ନଜରରେ ଦେଖିବାକୁ ହେବ ।

PHOTO • Jaimini Luharia

ସୁମେର୍‌ ଖତ୍ରୀ : ‘କେବଳ ରୋଗନ ହେଉଛି ମୋ ଜୀବନର ଏକ ମାତ୍ର ପ୍ରେରକ ଶକ୍ତି

ଖତ୍ରୀମାନେ କେବଳ ନିଜ ପରିବାର ମଧ୍ୟରେ ଏହି କଳା କୌଶଳକୁ ସଂରକ୍ଷିତ କରି ରଖିବା ଉଦ୍ଦେଶ୍ୟରେ ଏହା ବିଷୟରେ ଅନ୍ୟ ସମ୍ପ୍ରଦାୟକୁ କେବେ କିଛି ଜଣେଇନାହାନ୍ତି । ବଂଶାନୁକ୍ରମେ ଏହି ରୋଗନ କଳାକୃତି କେବଳ ପୁରୁଷମାନେ ପ୍ରସ୍ତୁତ କରୁଥିବାବେଳେ ମହିଳାମାନେ କେବଳ ରଙ୍ଗ ପ୍ରସ୍ତୁତିରେ ସହାୟତା କରିଥାନ୍ତି । କିନ୍ତୁ ଗଫୁର୍‌ଭାଇ ସେହି ସବୁ ପରିବର୍ତ୍ତନ କରୁଛନ୍ତି । ଏହି କଳାର ପୁନଃରୁଦ୍ଧାର ପାଇଁ ଏହି ପରିବାର ପକ୍ଷରୁ ଗ୍ରାମର ୩୦ଟି ଝିଅଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଛି ଓ ସେମାନଙ୍କ ମଧ୍ୟରୁ ଅନେକ ମାସକୁ ୬,୦୦୦ – ୧୨,୦୦୦ ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୋଇପାରିଛନ୍ତି ।

“ରୋଗନ ହେଉଛି ମୋ ଜୀବନର ଏକମାତ୍ର ପ୍ରେରକ ଶକ୍ତି,” ବୋଲି  ଭାବପୂର୍ଣ୍ଣ ଅଭିବ୍ୟକ୍ତି ମାଧ୍ୟମରେ ମୋତେ ଉପକୃତ କରିବା ବେଳେ  ସୁମେର୍‌ଭାଇ କୁହନ୍ତି । “ମୁଁ ଜାଣିଛି ଯେ ମୋ ପାଖରେ ଯାହା ଅଛି, ତାହା ଅନ୍ୟ କାହା ପାଖରେ ନାହିଁ ଓ ମୁଁ ଏହାକୁ ଛାଡିପାରିବିନି । ଜୀବନରେ ଅନେକ ଝଡଝଞ୍ଜାର ସମ୍ମୁଖୀନ ହୋଇ ରୋଗନ ଜରିଆରେ ମୁଁ ଯେଉଁ ଖ୍ୟାତି ଅର୍ଜନ କରିଛି, ମୁଁ ଭାବୁନି ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟରେ ବସି କାମ କରୁଥିବା ଅନ୍ୟ କେହି ଏହି ପରି ଖ୍ୟାତି ଅର୍ଜନ କରିବାକୁ ସମର୍ଥ ହୋଇଥିବେ।’’

ତାଙ୍କ କଥା ଶୁଣିଲେ ତୁମେ ଆନନ୍ଦିତ ହେବ, ରୋଗନ ଆଜି ଏକ ସୁରକ୍ଷିତ ହାତରେ ଅଛି, ତୁମ ମନରେ ସେହି ଭାବନା ଜାଗ୍ରତ ହେବ ।

ଏହି ଆଲେଖ୍ୟର ଏକ ଭିନ୍ନ ଭର୍ସନ୍‌ ସେପ୍ଟେମ୍ବର ୫, ୨୦୧୫ରେ ଲେଖକଙ୍କ ଫେଲୋସିପ୍‌ ବ୍ଲଗ୍‌ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jaimini Luharia

Jaimini Luharia is a 2015-16 India Fellow, part of a ‘social leadership programme’ of the Delhi-based I-volunteer. She works as a photographer and filmmaker, and has worked on a community radio project in Faridabad.

Other stories by Jaimini Luharia