ନୋସୁମୁଦ୍ଦିନ କାନ୍ଦୁଥିଲେ। ପ୍ରଥମ ଥର ପାଇଁ ସେ ତାଙ୍କ ବାପା ଓ ମା’ଙ୍କୁ ଛାଡ଼ି ନିଜ ଘର ଠାରୁ ୧୦-୧୨ କିଲୋମିଟର ଦୂରକୁ ଯାଉଥିଲେ । ମାତ୍ର ସାତ ବର୍ଷ ବୟସରେ ଏହା ତାଙ୍କ ପାଇଁ ଅତି କଷ୍ଟଦାୟକ ଥିଲା। ‘‘ମୁଁ ଖୁବ ଦୁଃଖିତ ଥିଲି ଏବଂ କାନ୍ଦିଥିଲି। ଘର ଓ ପରିବାରକୁ ଛାଡ଼ିଯିବା ବେଳେ ମୋତେ କାନ୍ଦ ଲାଗିଥିଲା”, ସେ ପୂର୍ବ କଥା ମନେ ପକାଇ କୁହନ୍ତି।

ରାଖଲ (ଗାଈ ଜଗୁଆଳ) ଭାବେ କାମ କରିବା ଲାଗି ତାଙ୍କୁ ପଠାଯାଉଥିଲା। “ମୋ ପରିବାର ଅତି ଗରିବ ଥିଲେ, ମୋ ବାପାମା’ଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା”, ନୋସୁମୁଦ୍ଦିନ ଶେଖ କୁହନ୍ତି। ତାଙ୍କୁ ଏବେ ୪୧  ବର୍ଷ ବୟସ ହେଲାଣି। “ଆମକୁ ଖାଇବାକୁ ଦେବା ଲାଗି ଯଥେଷ୍ଟ ଖାଦ୍ୟ ନଥିଲା। ଅଧିକାଂଶ ଦିନ ଆମେ କେବଳ ଗୋଟିଏ ଥର ଖାଉଥିଲୁ। କ୍ଷେତରେ ଫଳୁଥିବା ଯାହା ମାଗଣାରେ ମିଳୁଥିଲା ତାହା ହିଁ ଆମର ଖାଦ୍ୟ ଥିଲା। ସେ ଦିନଗୁଡ଼ିକରେ ଆମ ଗାଁର ଖୁବ କମ୍‌ ଲୋକ ଦୁଇ ଓଳା ଖାଦ୍ୟ ଖାଇବାକୁ ସକ୍ଷମ ହେଉଥିଲେ।” ପାଠପଢ଼ା ତ’ କଳ୍ପନା ବାହାରେ ଥିଲା : “‍ସେତେବେଳେ ମୁଁ ସ୍କୁଲକୁ ଯିବା ବିଷୟରେ ଚିନ୍ତା ମଧ୍ୟ କରିପାରୁନଥିଲି। ମୋ ପରିବାରର ସ୍ଥିତି ଅତି ଖରାପ ଥିଲା, ଆମେ ପାଠ କିପରି ପଢ଼ିପାରିଥାନ୍ତୁ?”

ତେଣୁ ସେ ଆସାମ (ତତ୍କାଳୀନ) ଢୁବ୍ରି ଜିଲ୍ଲାର ଉରାରଭୁଇ ଗ୍ରାମରେ ଥିବା ନିଜର ଛୋଟିଆ ମାଟି ଘରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ ବସ୍‌ ଯୋଗେ ମନୁଲ୍ଲାପଡ଼ା ଗ୍ରାମକୁ ଯାଇଥିଲେ। ଏହି ଯାତ୍ରା ପାଇଁ ତାଙ୍କର ମାଲିକ ୩ ଟଙ୍କାରେ ଟିକଟ ଦେଇଥିଲେ। ମାଲିକଙ୍କର ୭ଟି ଗାଈ ଏବଂ ୧୨ ବିଘା (ପ୍ରାୟ ୪ ଏକର) ଜମି ଥିଲା। “ରାଖଲ ଭାବେ ଜୀବନ ଅତି କଷ୍ଟଦାୟକ ଥିଲା। ସେ ବୟସରେ ମୋତେ ଘଣ୍ଟା ଘଣ୍ଟା ଧରି କାମ କରିବାକୁ ପଡ଼ୁଥିଲା। ପ୍ରାୟତଃ ମୋତେ ଯଥେଷ୍ଟ ଖାଦ୍ୟ ଦିଆଯାଉନଥିଲା କିମ୍ବା ବାସି ଖାଦ୍ୟ ମିଳୁଥିଲା। ଭୋକରେ ମୁଁ କାନ୍ଦୁଥିଲି”, ନୋସୁମୁଦ୍ଦିନ କୁହନ୍ତି। “ପ୍ରଥମେ ପ୍ରଥମେ ମୋତେ କିଛି ପାରିଶ୍ରମିକ ମିଳୁନଥିଲା, କେବଳ ଖାଇବାକୁ ଏବଂ ଶୋଇବାକୁ ଟିକିଏ ଜାଗା ମିଳୁଥିଲା। ମୋ ମାଲିକ ପ୍ରତି ବର୍ଷ ପାଖାପାଖି ୧୦୦-୧୨୦ ମୋ ଚାଉଳ ପାଉଥିଲେ। ଚାରି ବର୍ଷ ପରେ ସେମାନେ ମୋତେ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ପଡ଼ୁଥିବା ପ୍ରତି କୃଷି ଋତୁ ଶେଷରେ ଦୁଇ ମୋନ ଚାଉଳ ଦେଲେ”-ଗୋଟିଏ ମୋନ ପାଖପାଖି ୮୦ କିଲୋ ସହିତ ସମାନ।

ଆସାମ ଓ ମେଘାଳୟର ସୀମାନ୍ତରେ ଥିବା ଗ୍ରାମୀଣ ଇଲାକାରେ କିଛି ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ଘରର ଛୋଟ ପିଲାମାନଙ୍କୁ ‘ରାଖଲ’ ଭାବେ କାମ କରିବାକୁ ପଠାଇବାର ପ୍ରଚଳନ ରହିଥିଲା। ଗରିବ ପରିବାରର ପିଲାମାନଙ୍କୁ ସାଧାରଣତଃ ସେମାନଙ୍କର ମାତାପିତା ଧନୀ କୃଷକଙ୍କ ପାଖକୁ ବିନା ନଗଦ ମଜୁରିରେ ‘ପଶୁପାଳକ’ ଭାବେ କାମ କରବା ଲାଗି ପଠାଇ ଦେଉଥିଲେ। ସ୍ଥାନୀୟ ଅଞ୍ଚଳରେ ଏପରି ବ୍ୟବସ୍ଥାକୁ ‘ପେଟଭର୍ତ୍ତି’ କୁହାଯାଉଥିଲା (ଯାହାର ଆକ୍ଷରିକ ଅର୍ଥ ‘ଭାତ ଖାଇ ପେଟ ଭରିବା’)

Nosumuddin starts preparing crunchy jalebis before dawn. Recalling his days as a cowherd, he says: ‘I would get tired working all day, and at night if not given enough food or given stale food, how would you feel? I felt helpless’
PHOTO • Anjuman Ara Begum

ନୋସୁମୁଦ୍ଦିନ ଭୋରରୁ ଗରମଗରମ କୁରକୁରୀ ଜିଲାପି ତିଆରି କରିବା ଆରମ୍ଭ କରି ଦେଇଥାନ୍ତି। ପଶୁପାଳ କ ଭାବେ ତାଙ୍କର ଦିନଗୁଡ଼ିକ ବିଷୟରେ ମନେ ପକାଇ ସେ କୁହନ୍ତି, 'ସାରା ଦିନ ଲଗାତର କାମ କରିବା ପରେ ଖୁବ୍ ଥକ୍କା ଲାଗିଥାଏ ଏବଂ ଏହାପରେ ଯଦି ରାତିରେ ଯଥେଷ୍ଟ ଖାଦ୍ୟ ନମିଳିବ କିମ୍ବା ବାସି ଖାଦ୍ୟ ମିଳିବ, ତା’ହେଲେ ଆପଣ କେମିତି ଅନୁଭବ କରିବେ? ମୁଁ ଅସହାୟ ଅନୁଭବ କରୁଥିଲି'

ନୋସୁମୁଦ୍ଦିନଙ୍କ ଦୁଇ ଛୋଟ ଭାଇଙ୍କୁ ମଧ୍ୟ ସେମାନଙ୍କ ନିଜ ଗ୍ରାମ ଉରାରଭୁଇରେ ‘ରାଖଲ’ ଭାବେ କାମ କରିବାକୁ ପଠାଯାଇଥିଲା। ତାଙ୍କ ପିତା ହୁସୈନ ଅଲୀ (୮୦ ବର୍ଷ ବୟସରେ ତାଙ୍କର ଗତ ମାସରେ ମୃତ୍ୟୁ ହୋଇଥିଲା) ଭୂମିହୀନ କୃଷକ ଥିଲେ। ସେ ଫସଲ ଭାଗ ପ୍ରଣାଳୀରେ ୭-୮ ବିଘା ଜମିରେ ଧାନ ଚାଷ କରୁଥିଲେ। (ତାଙ୍କ ମା’ ନାସିରା ଖାତୁନଙ୍କ ମୃତ୍ୟୁ ୨୦୧୮ରେ ହୋଇଥିଲା। ସେ ଜଣେ ସୁଗୃହିଣୀ ଥିଲେ)

ନୋସୁମୁଦ୍ଦିନ କଠିନ ପରିଶ୍ରମୀ ଥିଲେ। ରାଖଲ ଭାବେ ତାଙ୍କର ଜୀବନ ବଡ଼ି ଭୋର ପାଖାପାଖି ୪ଟା ବେଳେ ଆରମ୍ଭ ହୋଇଯାଉଥିଲା। ‘ସକାଳ ପ୍ରାର୍ଥନା ସମୟରେ ମୁଁ ଉଠି ଯାଉଥିଲି”, ସେ କୁହନ୍ତି। ସେ ପାଣି ଓ ପିଡ଼ିଆରେ ନଡ଼ା ମିଶାଇ ଗୋଖାଦ୍ୟ ପ୍ରସ୍ତୁତ କରୁଥିଲେ, ଗୁହାଳ ସଫା କରୁଥିଲେ, ମାଲିକଙ୍କ ଭାଇମାନଙ୍କ ସହିତ ଗୋରୁମାନଙ୍କୁ ଧାନ ବିଲକୁ ନେଇଯାଉଥିଲେ। ସେଠାରେ ସେ ଘାସ କାଟୁଥିଲେ, ଗାଈମାନଙ୍କୁ ପାଣି ଦେଉଥିଲେ ଏବଂ ଅନ୍ୟ କାମ କରୁଥିଲେ। ଦିନ ବେଳା ଖାଦ୍ୟ କ୍ଷେତକୁ ପଠାଇ ଦିଆଯାଉଥିଲା। ଚାଷ ଋତୁରେ, ଦିନେ ଦିନେ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ଷେତରେ କାମ କରିବାକୁ ପଡ଼ୁଥିଲା। “ସାରା ଦିନ ଏବଂ ରାତିରେ କାମ କରି କରି ମୁଁ ଥକି ଯାଉଥିଲି ଏବଂ ଯଦି ଯଥେଷ୍ଟ ଖାଇବାକୁ ଦିଆନଯିବ କିମ୍ବା ବାସି ଖାଦ୍ୟ ଦିଆଯିବ, ତାହା ଆପଣଙ୍କୁ କିଭଳି ଅନୁଭବ ଦେବ? ମୁଁ ଅସହାୟ ଅନୁଭବ କରୁଥିଲି।”

ତାଙ୍କର ଅଧିକାଂଶ ରାତି ଗୁହାଳରେ ଥିବା ବାଉଁଶ ଖଟିଆ ଉପରେ ପଡ଼ିଥିବା ନଡ଼ା ବିଛଣା ଓ ପୁରୁଣା କପଡ଼ାରେ ତିଆରି ତକିଆରେ ମୁହଁ ମାଡ଼ି ଶୋଇ ରହି କାନ୍ଦିବାରେ ବିତିଥିଲା।

ପ୍ରତି ୨-୩ ମାସରେ, ତାଙ୍କୁ ନିଜ ଗାଁକୁ ଯିବା ଲାଗି ଅନୁମତି ମିଳୁଥିଲା। “ମୁଁ ମାତ୍ର 2-3ଦିନ ରହିପାରୁଥିଲି”, ସେ କୁହନ୍ତି। “ପ୍ରତିଥର ଘର ଛାଡ଼ିବା ବେଳେ ମୁଁ ଖୁବ୍ ଦୁଃଖିତ ହୋଇପଡ଼ୁଥିଲି”।

ନୋସୁମୁଦ୍ଦିନଙ୍କୁ ୧୫ ବର୍ଷ ହୋଇଥିବା ବେଳେ ତାଙ୍କ ବାପା ତାଙ୍କୁ ଅନ୍ୟ ଜଣେ ଲୋକଙ୍କ ପାଖରେ ରଖିଲେ। ଏଥର ସେ ମନୁଲ୍ଲାପଡ଼ା ଗ୍ରାମର ଜଣେ ବ୍ୟବସାୟୀ ତଥା କୃଷକଙ୍କ ଘରକୁ ଗଲେ ଯାହାଙ୍କର ୩୦-୩୫ ବିଘା ଜମି, କପଡ଼ା ଦୋକାନ ଏବଂ ଅନ୍ୟ ବ୍ୟବସାୟ ଥିଲା। “ମୁଁ ପୁଣିଥରେ ଏକ ନୂଆ ଜାଗାକୁ ଯିବା ପୂର୍ବରୁ ମୁଁ ଘର କଥା ଭାବି ଦୁଃଖିତ ହେଲି ଓ କାନ୍ଦିଥିଲି। ସୋଧା ବେପାରୀ (ନୂଆ ମାଲିକ) ମୋତେ  ତାଙ୍କ ପରିବାର ଲୋକଙ୍କ ସହିତ ପରିଚୟ କରାଇଦେଲେ ଏବଂ ଉପହାର ଆକାରରେ ୨ଟଙ୍କା ଦେଲେ। ପରେ ସେଥିରେ ମୁଁ ଚକୋଲେଟ୍ କିଣିଲି। ତାହା ମୋତେ ଆନନ୍ଦ ଦେଇଥିଲା। କିଛିଦିନ ପରେ ମୋର ଭଲ ଅନୁଭୂତି ହୋଇଥିଲା ଏବଂ ମୁଁ ସେମାନଙ୍କ ସହିତ ମିଶିଗଲି।”

ପୁଣିଥରେ, ଖାଦ୍ୟ, ଗୁହାଳରେ ଶୋଇବାକୁ ଗୋଟିଏ ଜାଗା ଏବଂ ଚାଷ ଋତୁ ଶେଷରେ ଦୁଇ ବସ୍ତା ଚାଉଳ ସହିତ ନଗଦ ୪୦୦ ଟଙ୍କା ମିଳିଲା, ଏହା ଥିଲା ‘ସର୍ବମୋଟ ବାର୍ଷିକ ବେତନ’। ତାଙ୍କର ଦୈନନ୍ଦିନ କାର୍ଯ୍ୟରେ ସାମିଲ ଥିଲା ଗାଈ ଚରାଇବା ଏବଂ ଗୁହାଳ ସଫା କରିବା। କିନ୍ତୁ ନୋସୁମୁଦ୍ଦିନଙ୍କ ଜୀବନରେ ସାମାନ୍ୟ ସୁଧାର ଆସିଥିଲା। ତାଙ୍କୁ ଏବେ ୧୫ ବର୍ଷ ହୋଇସାରିଥିଲା ଏବଂ ସେ ଅଧିକ ଦକ୍ଷ ଭାବେ କାମ କରିପାରୁଥିଲେ। ଅଧିକନ୍ତୁ, ସେ କୁହନ୍ତି, ତାଙ୍କର ମାଲିକ ଦୟାଳୁ ଥିଲେ।

Two decades ago, marriage opened for him the opportunity to learn from his wife Bali Khatun's family the skill of making sweets
PHOTO • Anjuman Ara Begum
Two decades ago, marriage opened for him the opportunity to learn from his wife Bali Khatun's family the skill of making sweets
PHOTO • Anjuman Ara Begum

ଦୁଇ ଦଶନ୍ଧି ପୂର୍ବରୁ, ବାଲି ଖାତୁନଙ୍କ ସହିତ ତାଙ୍କର ବାହାଘର ହେଲା। ଏହାପରେ ପତ୍ନୀଙ୍କ ପରିବାରଠାରୁ ସେ ମିଠା ତିଆରି କରିବାର କୌଶଳ ଶିଖିଲେ

ପୂର୍ବ ମାଲିକଙ୍କ ଭଳି ପଖାଳ ଭାତ ଦେବା ବଦଳରେ-ସେମାନେ ଗରମ ଭାତ, ପରିବା, ମାଛ ଓ ମାଂସ ତରକାରୀ ଖାଇବାକୁ ଦେଲେ। “ମୁଁ ସେମାନଙ୍କ ସହିତ ବଜାରକୁ ଗଲେ, ମୋତେ ରସଗୋଲା ମିଳୁଥିଲା। ଆହୁରି ଇଦ୍‌ରେ ନୂଆ ପୋଷାକ ଦେଉଥିଲେ। ମୁଁ ସେମାନଙ୍କ ପରିବାର ସଦସ୍ୟ ଭଳି ଅନୁଭବ କରୁଥିଲି।”

କିନ୍ତୁ ତାଙ୍କ ବାପାଙ୍କର ଆଉ କିଛି ଯୋଜନା ଥିଲା। ନୋସୁମୁଦ୍ଦିନଙ୍କୁ ସେତେବେଳକୁ ୧୭ ବର୍ଷ ହୋଇଥିଲା, ତାଙ୍କୁ ଦୁଇ ବର୍ଷ ପରେ ଆଉ ଜଣେ ମାଲିକଙ୍କ ଘରକୁ ପଠାଗଲା, ଏଥର ତାଙ୍କ ନିଜ ଗ୍ରାମ ଉରାରଭୁଇରେ। ଗ୍ରାମ ପଞ୍ଚାୟତର ମୁଖିଆ ତାଙ୍କୁ ବାର୍ଷିକ ୧୫୦୦ ଟଙ୍କା ଦରମା ଏବଂ ପୂର୍ବ ପରି ଚାଷ ଋତୁ ଶେଷରେ ଚାଉଳ ବସ୍ତା ଦେବା ସର୍ତ୍ତରେ କାମରେ ରଖିଲେ।

ଆଉ ଗୋଟିଏ ବର୍ଷ ବିତିଗଲା।

“ଅଧିକାଂଶ ସମୟରେ ମୁଁ ଚିନ୍ତା କରୁଥିଲି ସାରା ଜୀବନ ମୋତେ କ’ଣ ଚାକର ହୋଇ ରହିବାକୁ ପଡ଼ିବ। କିନ୍ତୁ ମୋତେ ଅନ୍ୟ କିଛି ବିକଳ୍ପ ଦେଖାଯାଉନଥିଲା”, ନୋସୁମୁଦ୍ଦିନ କୁହନ୍ତି। ତଥାପି, ତାଙ୍କ ମନରେ ଆଶା ଉଜ୍ଜୀବିତ ହୋଇ ରହିଥିଲା-ସେ ନିଜେ କିଛି କରିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ସେ ଦେଖିଥିଲେ, ନବେ ଦଶକ ବେଳକୁ ସରକାର ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର କରିବା ପରେ ଅନେକଗୁଡ଼ିଏ ରୋଜଗାର ସୁଯୋଗ ସୃଷ୍ଟି ହୋଇଥିଲା, ତାଙ୍କ ଗ୍ରାମର ଯୁବକମାନେ କାମ ଅନ୍ୱେଷଣରେ ବାହାରକୁ ଯିବା ଆରମ୍ଭ କରିଥିଲେ। ଏହି ଯୁବକମାନେ ‘ରାଖଲ’ ଭାବେ କାମ କରିବା ଲାଗି ଆଉ ରାଜି ହେଉନଥିଲେ। ସେମାନେ ଛୋଟ ସହର ଓ ନଗରରେ ଚା’ ଦୋକାନ ଓ ଢାବାରେ କାମ କରି ମାସିକ ୩୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ତା’ଛଡ଼ା ତୁଳନାତ୍ମକ ଭାବେ ସେମାନଙ୍କ ପାଖରେ ‘ଅଧିକ’ ନଗଦ ଟଙ୍କା ରହୁଥିଲା।

ସେମାନେ ନୂଆ ରେଡିଓ କାନରେ ଦେଇଥିବା ଏବଂ ଚମକୁଥିବା ଘଣ୍ଟା ପିନ୍ଧୁଥିବା ଦେଖି ନୋସୁମୁଦ୍ଦିନ ଅସ୍ଥିର ଅନୁଭବ କରୁଥିଲେ। ଆହୁରି କେତେଜଣ ସାଇକେଲ ମଧ୍ୟ କିଣିସାରିଥିଲେ। ସେ ପୂର୍ବ କଥା ମନେ ପକାଇ କୁହନ୍ତି, “ସେମାନେ ଅମିତାଭ ବଚ୍ଚନ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ତଳ ଲମ୍ବା ଥିବା ପ୍ୟାଣ୍ଟ ପିନ୍ଧୁଥିଲେ ଏବଂ ସାମାନ୍ୟ ସୁସ୍ଥ ଦେଖାଯାଉଥିଲେ। “ସେମାନେ କ’ଣ କରୁଛନ୍ତି ଏବଂ ଏସବୁ ଜିନିଷର ବ୍ୟବସ୍ଥା କିଭଳି କରୁଛନ୍ତି, ସେ ସବୁ ବିଷୟରେ ଧାରଣା କରିବା ଲାଗି, ମୁଁ ସେମାନଙ୍କୁ ବେଳେ ବେଳେ ପ୍ରଶ୍ନ କରୁଥିଲି। ଶେଷରେ ମୁଁ ସେମାନଙ୍କ ସହିତ ଯିବା ଲାଗି ନିଷ୍ପତ୍ତି ନେଲି।”

ନୋସୁମୁଦ୍ଦିନଙ୍କୁ ତାଙ୍କ ଗାଁ ଠାରୁ ପାଖାପାଖି ୮୦ କିଲୋମିଟର ଦୂର ମେଘାଳୟର ବାଘମାରା ସହରରେ କାମ ଥିବା ସମ୍ପର୍କରେ ଜାଣିବାକୁ ମିଳିଲା। ସେ ଏ ବିଷୟରେ କାହାକୁ ନକହି ଯାତ୍ରା ମାର୍ଗ ସମ୍ପର୍କରେ ସୂଚନା ସଂଗ୍ରହ କଲେ ଏବଂ ଏକ ଯୋଜନା ପ୍ରସ୍ତୁତ କଲେ। ସେ କୁହନ୍ତି, “ମୁଁ ସାମାନ୍ୟ ଚିନ୍ତିତ ଥିଲେ ବି ମନ ସ୍ଥିର କରି ନେଇଥିଲି। ଘରେ ମୁଁ କାହାକୁ କିଛି କହିଲି ନାହିଁ, କାରଣ ସେମାନେ ମୋ ପଛେ ପଛେ ଚାଲି ଆସିବା ଏବଂ ମୋତେ ଫେରିଯିବା ପାଇଁ ବାଧ୍ୟ କରିବାର ଆଶଙ୍କା ରହିଥିଲା।”

ଦିନେ ସକାଳୁ ଗାଈ ଚରାଇବାକୁ ଯିବା ପରିବର୍ତ୍ତେ ନୋସୁମୁଦ୍ଦିନ ପଳାୟନ କରିଥିଲେ। ସେ କୁହନ୍ତି, “ମୁଁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସହିତ ଲୁଚି ପଳାଇଥିଲି, ଯାହାଙ୍କ ସହିତ ମୁଁ କାମ ସମ୍ପର୍କରେ ବାହାରକୁ ଯିବା ଲାଗି ଲଗାତର ଆଲୋଚନା କରି ଆସୁଥିଲି। ହତ୍ସିଙ୍ଗିମାରୀ ସହରର ବସ ଷ୍ଟପ୍ ନଆସିବା ପର୍ଯ୍ୟନ୍ତ ଆମେ ଦୌଡ଼ିଥିଲୁ।’’ ସେଠାରୁ ବାଘମରା ଯିବା ଲାଗି ରାସ୍ତାରେ ପାଖାପାଖି ନଅ ଘଣ୍ଟା ସମୟ ଲାଗିଲା। ‘‘ମୁଁ କିଛି ଖାଇନଥିଲି। ମୋ ପାଖରେ ଟିକେଟ ପାଇଁ ୧୭ ଟଙ୍କା ସୁଦ୍ଧା ନଥିଲା। ବାଘମରାରେ ପହଞ୍ଚିବା ପରେ ଆମ ଗାଁର ଅନ୍ୟ ଜଣେ ଯୁବକଙ୍କ ଠାରୁ ମୁଁ କିଛି ଟଙ୍କା ଉଧାର ନେଇଥିଲି।”

“ଅଧିକାଂଶ ସମୟରେ ମୁଁ ଚିନ୍ତା କରୁଥିଲି ସାରା ଜୀବନ ମୋତେ କ’ଣ ଚାକର ହୋଇ ରହିବାକୁ ପଡ଼ିବ। କିନ୍ତୁ ମୋତେ ଅନ୍ୟ କିଛି ବିକଳ୍ପ ଦେଖାଯାଉନଥିଲା”, ନୋସୁମୁଦ୍ଦିନ କୁହନ୍ତି। ତଥାପି, ତାଙ୍କ ମନରେ ଆଶା ଉଜ୍ଜୀବିତ ହୋଇ ରହିଥିଲା-ସେ ନିଜେ କିଛି କରିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ

ଭିଡିଓ ଦେଖନ୍ତୁ : ମାୟାର ଏକ ସଙ୍ଗୀତ, ଚେନାଏ ମିଠା ରସଗୋଲା

ନିଜ ଲକ୍ଷ୍ୟସ୍ଥଳରେ ବିନା ଟଙ୍କା ପଇସାରେ ଖାଲି ପେଟରେ ପହଞ୍ଚିବା ପରେ, ନୋସୁମୁଦ୍ଦିନ ‘ରୋମୋନୀ ଚା ଦୁକାନ’ (ରୋମୋନୀଙ୍କ ଚା’ ଦୋକାନ) ସାମ୍ନାରେ ବସ୍‌ରୁ ଓହ୍ଲାଇଲେ। ଏକାକୀ ପିଲାଟିର ଆଖିରେ କ୍ଷୁଧାର ଜ୍ୱାଳା ଦେଖି ଦୋକାନ ମାଲିକ ତାଙ୍କୁ ଭିତରକୁ ଆସିବା ଲାଗି ଇସାରା ଦେଲେ। ନୋସୁମୁଦ୍ଦିନଙ୍କୁ ଖାଇବାକୁ ଦେଲେ, ରହିବାର ସ୍ଥାନ ଓ ବାସନ ଧୋଇବା କାମ ଦେଲେ।

ନୋସୁମୁଦ୍ଦିନଙ୍କ ପ୍ରଥମ ରାତି ଲୁହଭିଜା ଥିଲା। ଗାଁରେ ମାଲିକଙ୍କ ପାଖରେ ବାକି ପଡ଼ିଥିବା ୧୦୦୦ ଟଙ୍କାର ବେତନ ବିଷୟରେ ସେ ଚିନ୍ତା କରି କାନ୍ଦିଥିଲେ। ସେ ସମୟରେ ତାଙ୍କୁ କେବଳ ସେହି ଚିନ୍ତା ଖାଉଥିଲା। “ମୋତେ ଭାରି ଖରାପ ଲାଗିଲା। ମୋର କଠିନ ପରିଶ୍ରମ ସତ୍ତ୍ୱେ ଏତେ ବଡ଼ ଅର୍ଥରାଶି ହାତଛଡ଼ା ହୋଇଗଲା।।”

କିଛି ମାସ ବିତିଗଲା। ସେ ଚା’ କପ ଓ ପ୍ଲେଟ୍ ଧୋଇବା ଏବଂ ସେଗୁଡ଼ିକୁ ମେଜ ଉପରେ ସଜାଇ ରଖିବା ଶିଖିଯାଇଥିଲେ। ସେ ଗରମ ଚା’ ତିଆରି ମଧ୍ୟ ଶିଖିଯାଇଥିଲେ। କାମ ବଦଳରେ ପ୍ରତି ମାସ ତାଙ୍କୁ ୫୦୦ ଟଙ୍କା ମିଳୁଥିଲା। ସେ ସବୁଟଙ୍କା ସଞ୍ଚୟ କରି ରଖିଥିଲେ। ସେ କୁହନ୍ତି, “୧୫୦୦ ଟଙ୍କା ଏକତ୍ରିତ କରିବା ପରେ, ମୋତେ ଲାଗିଲା ଏବେ ମା’-ବାପାଙ୍କୁ ଦେଖିବା ଲାଗି ମୁଁ ଗାଁକୁ ଫେରିଯିବା ଉଚିତ୍। ମୁଁ ଜାଣିଥିଲି ଯେ ଏତେ ଟଙ୍କା ସେମାନଙ୍କୁ ଅନେକ ଆଶ୍ୱସ୍ତି ପ୍ରଦାନ କରିବ। ତା’ ଛଡ଼ା ଘରକୁ ଯିବା ଲାଗି ମୁଁ ବ୍ୟତିବ୍ୟସ୍ତ ହୋଇଯାଇଥିଲି।”

ଘରକୁ ଫେରିବା ପରେ ସେ ସବୁ ସଞ୍ଚୟ ନିଜ ପିତାଙ୍କୁ ଧରାଇ ଦେଇଥିଲେ। ପରିବାରର ଦୀର୍ଘଦିନର ବକେୟା ଋଣ ସୁଝିଗଲା ଏବଂ ତାଙ୍କ ପରିବାର ସେ ଘରୁ ପଳାୟନ କରିବା କଥାକୁ ଭୁଲିଗଲେ ବୋଲି ସେ କୁହନ୍ତି।

ଗୋଟିଏ ମାସ ପରେ ନୋସୁମୁଦ୍ଦିନ ପୁଣିଥରେ ବାଘମରା ଫେରି ଆସିଲେ ଏବଂ ମାସିକ ୧୦୦୦ ଟଙ୍କା ବେତନରେ ଅନ୍ୟ ଏକ ଚା’ ଦୋକାନରେ ବାସନ ଧୋଇବା କାମ ପାଇଗଲେ। ଖୁବଶୀଘ୍ର ତାଙ୍କୁ ୱେଟର୍ ଭାବେ ପଦୋନ୍ନତି ମିଳିଥିଲା ଏବଂ ସେ ଚା’, ମିଠା ଏବଂ ଅନ୍ୟ ଜଳଖିଆ ଯଥା-ପୁରୀ-ତରକାରୀ, ପରଟା, ସିଙ୍ଗଡ଼ା, ରସମଲାଇ, ରସଗୋଲା ଓ ଅନ୍ୟ ସବୁ ଜିନିଷ ପରଷିବା ଆରମ୍ଭ କରିଦେଲେ। ଭୋର ୪ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେ କାମ କରୁଥିଲେ। ସବୁ ୱେଟର୍ ଢାବାରେ ହିଁ ଶୋଇ ଯାଉଥିଲେ।

ସେ ଏଠାରେ ପାଖାପାଖି ଚାରି ବର୍ଷ ପର୍ଯ୍ୟନ୍ତ କାମ କଲେ ଏବଂ ନିୟମିତ ଭାବେ ଘରକୁ ଟଙ୍କା ପଠାଉଥିଲେ। ପାଖାପାଖି ୪୦୦୦ ଟଙ୍କା ସଞ୍ଚୟ କରିନେବା ପରେ ନୋସୁମୁଦ୍ଦିନ ଘରକୁ ଫେରିବା ଲାଗି ନିଷ୍ପତ୍ତି ନେଲେ।

ସେ ନିଜ ସଞ୍ଚିତ ଅର୍ଥରେ ଏକ ବଳଦ କିଣିଲେ ଏବଂ ଭାଗରେ ନେଇଥିବା ଜମିରେ ଚାଷ କାମ ଆରମ୍ଭ କଲେ। ଗାଁରେ କେବଳ ଏହି ଗୋଟିଏ କାମର ବିକଳ୍ପ ଥିଲା। କ୍ଷେତରେ ହଳ କରିବା, ବୁଣିବା ଏବଂ ବେଉଷଣ କରିବାରେ ତାଙ୍କର ସାରା ଦିନ ବିତିଯାଉଥିଲା।

Nosumuddin usually made rasogollas in the afternoon or evening – and stored them. But his small (and sweet) world abruptly came to a halt with the lockdown
PHOTO • Anjuman Ara Begum
Nosumuddin usually made rasogollas in the afternoon or evening – and stored them. But his small (and sweet) world abruptly came to a halt with the lockdown
PHOTO • Anjuman Ara Begum

ନୋ ସୁ ମୁଦ୍ଦିନ କେବଳ ଅପରାହ୍ଣରେ କିମ୍ବା ସନ୍ଧ୍ୟାରେ ରସଗୋଲା ତିଆରି କରନ୍ତି-ଏବଂ ସେଗୁଡ଼ିକୁ ସାଇତି ରଖି ଦିଅନ୍ତି। କିନ୍ତୁ, ମିଠା ତିଆରି କରିବା ଭଳି ସାଧାରଣ କାମ କରି  ସ୍ଵା ଭାବିକ ଭାବେ ଚାଲୁଥିବା ତାଙ୍କର ଜୀବନଗାଡ଼ି ଲ କ୍‌ ଡାଉନ କାରଣରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା

ଦିନେ ସକାଳୁ, ଯେଉଁ ଜମିରେ ସେ କାମ କରୁଥିଲେ, ସେହି ବାଟ ଦେଇ ହାଲୋଇ (ମିଠା ବେପାରୀ) ମାନଙ୍କ ଏକ ଦଳ ଅତିକ୍ରମ କଲା। “ମୁଁ ପଚାରିଲି, ସେମାନେ ଆଲୁମିନିୟମର ବଡ଼ ବଡ଼ ପାତ୍ରରେ କ’ଣ ନେଉଛନ୍ତି? ସେମାନେ କହିଲେ ଯେ ଏଗୁଡ଼ିକ ରସଗୋଲା। ସେତେବେଳେ ମୁଁ ଜାଣିପାରିଲି ଯେ ଏହା ଲାଭଜନକ ବେପାର। ମୁଁ ପଶ୍ଚାତାପ କଲି ଯେ ମୁଁ ଚା’ ଦୋକାନରେ କାମ କରୁଥିଲି, ସେଠାରେ ରସଗୋଲା ତିଆରି ହେଉଥିଲା, କିନ୍ତୁ ମୁଁ ସେଗୁଡ଼ିକୁ ତିଆରି କରିବା ଶିଖି ପାରିଲି ନାହିଁ।”

ନୋସୁମୁଦ୍ଦିନ ଏବେ ଜୀବନରେ ‘ସ୍ଥାୟୀତ୍ୱ’ ଚାହୁଁଥିଲେ। “ମୋ ବୟସର ଯୁବକମାନେ (୨୦ ବର୍ଷ ପାଖାପାଖି) ବାହା ହେଉଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ପ୍ରେମ ସମ୍ପର୍କରେ ଥିଲେ। ମୋତେ ଲାଗିଲା ଯେ ଏବେ ମୁଁ ମୋ ଜୀବନସଙ୍ଗିନୀଙ୍କୁ ଖୋଜିନେବା ଉଚିତ୍, ନିଜ ପାଇଁ ଘର ତିଆରି କରିବା ଏବଂ ପିଲାମାନଙ୍କୁ ନେଇ ସୁଖପୂର୍ଣ୍ଣ ଜୀବନ ବିତାଇବା ଉଚିତ୍।” ଜଣେ ଚାଷୀଙ୍କ କ୍ଷେତରେ ପାଣି ମଡ଼ାଉଥିବା ଜଣେ ଯୁବତୀଙ୍କ ପ୍ରତି ସେ ଆକୃଷ୍ଟ ହେଲେ। ସବୁଜ ଧାନ କ୍ଷେତରେ କାମ କରୁଥିବା ଅବସ୍ଥାରେ ସେ ତାଙ୍କୁ ଦେଖୁଥିଲେ। ଦିନେ କୌଣସି ପ୍ରକାରରେ ସେ ତାଙ୍କ ସହିତ କଥା ହେବା ଲାଗି ସାହସ ଜୁଟାଇଲେ। ହେଲେ ତାଙ୍କ ଯୋଜନା ନିଷ୍ଫଳ ହେଲା। ଯୁବତୀ ଜଣଙ୍କ ଦୌଡ଼ି ପଳାଇଲେ ଏବଂ ପରଦିନ ଠାରୁ କାମକୁ ଆସିବା ଛାଡ଼ି ଦେଲେ।

ପୂର୍ବକଥା ମନେ ପକାଇ ସେ କୁହନ୍ତି, “ମୁଁ ତା’କୁ ଅପେକ୍ଷା କରି ରହିଲି, କିନ୍ତୁ ସେ ଆସିଲା ନାହିଁ।” “ଏହାପରେ ମୁଁ ମୋ ଭିଣୋଇଙ୍କ ସହିତ କଥା ହେଲି ଏବଂ ସେ ମୋ ପାଇଁ ଏକ କନ୍ୟାପାତ୍ରୀ ଖୋଜିବା ଆରମ୍ଭ କଲେ।” ତାଙ୍କର ବାହାଘର ବାଲି ଖାତୁନଙ୍କ ସହ ସ୍ଥିର ହେଲା, ଯାହାଙ୍କୁ ଏବେ ୩୫ ବର୍ଷ, ସେ ନିକଟସ୍ଥ ଗ୍ରାମରେ ଜଣେ ହାଲୋଇଙ୍କ ଝିଅ। (ପରେ, ସେ ଜାଣିବାକୁ ପାଇଥିଲେ ଯେ ପ୍ରଥମ ଥର ପାଇଁ ସେ ଯାହାକୁ ମନ ଦେଇଥିଲେ ସେ ତାଙ୍କ ପତ୍ନୀଙ୍କ ଖୁଡ଼ି ଥିଲେ।)

ବାହାଘର ପରେ ପତ୍ନୀଙ୍କ ପରିବାରଠାରୁ ମିଠା ତିଆରି କରିବାର କୌଶଳ ଶିଖିବା ଲାଗି ତାଙ୍କୁ ସୁଯୋଗ ମିଳିଲା। ପ୍ରଥମ ଥର ସେ ତିନି ଲିଟର କ୍ଷୀରରେ ମିଠା ତିଆରି କରିବା ଲାଗି ଚେଷ୍ଟା କଲେ ଏବଂ ୧୦୦ଟି ରସଗୋଲା ତିଆରି କଲେ। ଘରକୁ ଘର ବୁଲି ୧ ଟଙ୍କାରେ ଗୋଟିଏ ରସଗୋଲା ବିକ୍ରି କରି ସେ ୫୦ ଟଙ୍କା ଲାଭ କଲେ।

ଖୁବଶୀଘ୍ର ଏହା ତାଙ୍କର ନିୟମିତ ଆୟର ସ୍ରୋତ ପାଲଟିଗଲା। ସମୟ ବିତିବା ସହିତ ସେ ପରିବାରର ଋଣ ସୁଝିବା ବ୍ୟତୀତ ମରୁଡ଼ି କମ୍ବା ବନ୍ୟା କାରଣରୁ ଫସଲରେ ହେଉଥିବା କ୍ଷତି ଭରଣା କରିବାରେ ସକ୍ଷମ ହୋଇଥିଲେ।

'I walk to nearby villages to sell, sometimes I walk 20-25 kilometres with a load of about 20-25 kilos of sweets'
PHOTO • Anjuman Ara Begum
'I walk to nearby villages to sell, sometimes I walk 20-25 kilometres with a load of about 20-25 kilos of sweets'
PHOTO • Anjuman Ara Begum

‘ମୁଁ ବିକ୍ରି କରିବା ଲାଗି ନିକଟସ୍ଥ ଗ୍ରାମଗୁଡ଼ିକରେ ଚାଲି ଚାଲି ବୁଲିଥାଏ, ବେଳେ ବେଳେ ମୁଁ ୨୦-୨୫ କିଲୋ ମିଠା କାନ୍ଧ ଭାରରେ ବୋହି ୨୦-୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ।

୨୦୦୫ରେ ପ୍ରାୟ ୨୫ ବର୍ଷ ବୟସରେ ନୋସୁମୁଦ୍ଦିନ ନିଜ ଗାଁ ଠାରୁ ପାଖାପାଖି ୩୫ କିଲୋମିଟର ଦୂର, ମେଘାଳୟର ଦକ୍ଷିଣ-ପଶ୍ଚିମ ଗାରୋ ପାର୍ବତ୍ୟାଞ୍ଚଳ ଜିଲ୍ଲା ସୀମାରେ ଥିବା ମହେନ୍ଦ୍ରଗଞ୍ଜ ସହରକୁ ଯାଇଥିଲେ। ସେଠାରେ ମିଠା ବ୍ୟବସାୟ ଭଲ ଚାଲିବ ବୋଲି ସେ ଶୁଣିଥିଲେ। କିନ୍ତୁ ସେ ସହରରେ ଅପରିଚିତ ହୋଇଥିବା କାରଣରୁ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା। ସେତେବେଳେ ଲଗାତର ଲୁଟପାଟ କାରଣରୁ ଅସୁରକ୍ଷିତ ପରିବେଶ ଥିଲା। ଲୋକମାନେ ସତର୍କ ହୋଇଯାଇଥିଲେ। ନୋସୁମୁଦ୍ଦିନଙ୍କୁ ବ୍ୟବସ୍ଥିତ ସ୍ଥାନ ଖୋଜିବା ଲାଗି ତିନି ମାସ ସମୟ ଲାଗିଲା ଏବଂ ମିଠା ପାଇଁ ଗ୍ରାହକମାନଙ୍କ ଏକ ଆଧାର ଯୋଗାଡ଼ କରିବା ଲାଗି ତାଙ୍କୁ ପ୍ରାୟତଃ ତିନି ବର୍ଷ ସମୟ ଲାଗିଥିଲା।

ତାଙ୍କ ପାଖରେ କୌଣସି ଜମା ପୁଞ୍ଜି ନଥିଲା ଏବଂ ସେ ଋଣ କରି ବ୍ୟବସାୟ ଆରମ୍ଭ କରିଥିଲେ। ସମସ୍ତ ସାମଗ୍ରୀ ବାକିରେ ଆଣି ପରେ ସେସବୁ ସୁଝିଥିଲେ। ତାଙ୍କର ପତ୍ନୀ ବାଲି ଖାତୁନ ୨୦୧୫ରେ ମହେନ୍ଦ୍ରଗଞ୍ଜକୁ ଚାଲିଆସିଲେ। ଇତିମଧ୍ୟରେ ସେମାନେ ତିନୋଟି ପିଲାଙ୍କ ମାତାପିତା ହୋଇସାରିଥିଲେ। ବଡ଼ ଝିଅ ରାଜମୀନା ଖାତୁନଙ୍କୁ ଏବେ ୧୮ବର୍ଷ ହେଲାଣି ଏବଂ ପୁଅ ଫୋରିଦୁଲ ଇସଲାମ ଓ ସୌରିଫୁଲ ଇସଲାମଙ୍କ ବୟସ ଏବେ ଯଥାକ୍ରମେ ୧୭ ଓ ୧୧ ବର୍ଷ। ତାଙ୍କର ଦୁଇ ପୁଅ ଏବେ ସ୍କୁଲରେ ପଢ଼ୁଛନ୍ତି।

ଗତ କିଛି ବର୍ଷ ଧରି ନୋସୁମୁଦ୍ଦିନଙ୍କୁ ପ୍ରତି ମାସ ୧୮,୦୦୦-୨୦,୦୦୦ ଟଙ୍କାର ଲାଭ ହେଉଛି। ପରିବାରର ବ୍ୟବସାୟ ଏବେ ବଢ଼ିଗଲାଣି। ରସଗୋଲା ସହିତ ସେ ଏବଂ ବାଲି ଖାତୁନ ଜିଲାପି ମଧ୍ୟ ତିଆରି କରୁଛନ୍ତି।

ନୋସୁମୁଦ୍ଦିନ ସପ୍ତାହକୁ ୬-୭ ଦିନ କାମ କରିଥାନ୍ତି ଏବଂ ଏହା ଋତୁ ଉପରେ ନିର୍ଭର କରିଥାଏ। ସେ ଏବଂ ବାଲି ଖାତୁନ, ସାଧାରଣତଃ ଅପରାହ୍ଣରେ କିମ୍ବା ସନ୍ଧ୍ୟାରେ ରସଗୋଲା ତିଆରି କରିଥାନ୍ତି। ଏଥିପାଇଁ ସେମାନେ ୫ କିଗ୍ରା କ୍ଷୀର ଓ ଦୁଇ କିଗ୍ରା ଚିନି ଉପଯୋଗ କରିଥାନ୍ତି। ସେଥିରୁ ସମ୍ପୂର୍ଣ୍ଣ ଧଳା ୧୦୦ଟି ରସଗୋଲା ତିଆରି ହୋଇଥାଏ। ପରେ ସେଗୁଡ଼ିକୁ ସେମାନେ ସାଇତି ରଖିଦେଇଥାନ୍ତି। ସେ ଭୋରରୁ ଜିଲାପି ଛାଣନ୍ତି, ଯାହାକୁ ସତେଜ ଭାବେ ତିଆରି କରିବା ଏବଂ ବିକ୍ରି କରିବାକୁ ହୋଇଥାଏ। ନୋସୁମୁଦ୍ଦିନ ଦୁଇଟି ଜିନିଷକୁ ବ୍ୟବସ୍ଥିତ ଢଙ୍ଗରେ ରଖି ଘରୁ ବାହାରିଥାନ୍ତି ଏବଂ ସେଗୁଡ଼ିକୁ ଘରକୁ ଘର ବୁଲି କିମ୍ବା ଗାଁର ଚା’ ଦୋକାନରେ ବିକ୍ରି କରିଥାନ୍ତି। ଅପରାହ୍ଣ ପ୍ରାୟ ୨ଟା ବେଳେ ସେ ଘରକୁ ଫେରି ଆସନ୍ତି।

ଛୋଟ ଆକାରର ମିଠା ବ୍ୟବସାୟ ସାହାରାରେ ବିତୁଥିବା ତାଙ୍କ ଜୀବନ-ଗାଡ଼ି ଠିକ୍ ସେହି ସମୟରେ ସମ୍ପୂର୍ଣ୍ଣ ଅଟକି ଯାଇଥିଲା, ଯେତେବେଳେ ମାର୍ଚ୍ଚ ୨୦୨୦ରେ କୋଭିଡ-19 ସଂକ୍ରମଣ କାରଣରୁ ଅଚାନକ ଦେଶବ୍ୟାପୀ ଲକଡାଉନ ଲାଗୁ କରାଗଲା। ଏହାର ପରବର୍ତ୍ତୀ କିଛି ସପ୍ତାହ ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ସେମାନେ ଘରେ ବଳକା ଥିବା ଚାଉଳ, ଡାଲି, ଶୁଖୁଆ ଏବଂ ଲଙ୍କାଗୁଣ୍ଡରେ କାମ ଚଳାଇ ନେଇଥିଲେ। ପରେ ତାଙ୍କ ଘର ମାଲିକ ଚାଉଳ ଓ ପନିପରିବା ଯୋଗାଡ଼ କରିବାରେ ସହାୟତା କରିଥିଲେ। (ଯେହେତୁ ନୋସୁମୁଦ୍ଦିନ ମହେନ୍ଦ୍ରଗଞ୍ଜରେ ପ୍ରବାସୀ ଶ୍ରମିକ ଭାବେ ରହୁଥିଲେ, ତେଣୁ ସରକାରଙ୍କ ପକ୍ଷରୁ ରିଲିଫ ଆକାରରେ ଦିଆଯାଉଥିବା ସାମଗ୍ରୀ ସେମାନଙ୍କ ରାସନ କାର୍ଡରେ ତାଙ୍କୁ ମିଳି ପାରିଲା ନାହିଁ)

କିଛି ଦିନ ପରେ ସେ ଘରେ ରହି ରହି ବୋର ହୋଇଯାଇଥିବା ପଡ଼ୋଶୀମାନଙ୍କୁ ରସଗୋଲା ବିକ୍ରି କରିବାରେ ସଫଳ ହୋଇଥିଲେ ଏବଂ ପାଖାପାଖି ୮୦୦ ଟଙ୍କା ରୋଜଗାର କରିଥିଲେ। ଏହାଛଡ଼ା ତାଙ୍କର କୌଣସି ରୋଜଗାର ହୋଇନଥିଲା।

Nosumuddin's income is irregular during the pandemic period: 'Life has become harder. But still not as hard as my childhood...'
PHOTO • Anjuman Ara Begum
Nosumuddin's income is irregular during the pandemic period: 'Life has become harder. But still not as hard as my childhood...'
PHOTO • Anjuman Ara Begum

ମହାମାରୀ କାଳରେ ନୋସୁମୁଦ୍ଦିନଙ୍କ ଆୟ ଅସ୍ଥିର ରହିଛି : ‘ଜୀବନ କଷ୍ଟକର ହୋଇଯାଇଛି। କିନ୍ତୁ ମୋ ପିଲାଦିନ ଭଳି ନୁହେଁ...’

ଲକଡାଉନ ଲାଗୁ ହେବାର ଗୋଟିଏ ମାସ ବିତିଗଲା। ଦିନେ ଅପରାହ୍ଣରେ ତାଙ୍କର ଘର ମାଲିକ ତାଙ୍କ ଆଗରେ ଜିଲାପି ଖାଇବା ଲାଗି ଇଚ୍ଛା ବ୍ୟକ୍ତ କଲେ। ନୋସୁମୁଦ୍ଦିନ ପାଖରେ ଥିବା ସାମଗ୍ରୀରେ କିଛି ଜିଲାପି ତିଆରି କଲେ। ଏହାପରେ ତାଙ୍କର ପଡ଼ୋଶୀମାନେ ମଧ୍ୟ ଜିଲାପି ମାଗିଲେ। ନୋସୁମୁଦ୍ଦିନ ନିକଟସ୍ଥ ପାଇକାରୀ ବ୍ୟବସାୟୀଙ୍କ ଠାରୁ କିଛି ଅଟା, ଚିନି ଓ ପାମ ତେଲ ବାକିରେ ଆଣିଲେ। ସେ ସବୁଦିନ ଅପରାହ୍ଣରେ ଜିଲାପି ତିଆରି କଲେ ଏବଂ ଏହିପରି ଭାବେ ପ୍ରତିଦିନ ସେ ୪୦୦-୫୦୦ ଟଙ୍କା ରୋଜଗାର କଲେ।

ଏପ୍ରିଲରେ ରମଜାନ ମାସ ଆରମ୍ଭ ହେବା କ୍ଷଣି ଜିଲାପିର ଚାହିଦା ଆହୁରି ବଢ଼ିଗଲା। ଆଖପାଖର ପୁଲିସ ଚେକ ପୋଷ୍ଟ ଥିବା ସତ୍ତ୍ୱେ ସେ ସପ୍ତାହକୁ ଥରେ କିମ୍ବା ଦୁଇ ଥର ମାସ୍କ ପିନ୍ଧି ଏବଂ ସାନିଟାଇଜର ବ୍ୟବହାର କରି, ସତର୍କତାପୂର୍ବକ ଗାଁରେ ଜିଲାପି ବିକ୍ରି କରି ଆସୁଥିଲେ। ଫଳରେ ଲକଡାଉନ ଆରମ୍ଭରେ ହୋଇଥିବା କ୍ଷତି ଭରଣା ହୋଇଗଲା ଏବଂ ଋଣ ସୁଝିଗଲା।

ଲକଡାଉନ ହଟିବା ପରେ ସେ ପୁଣିଥରେ ତାଙ୍କର ନିୟମିତ ରସଗୋଲା ଓ ଜିଲାପି ବେପାର ଆରମ୍ଭ କଲେ। ତେବେ ସେ କୁହନ୍ତି ଯେ ତାଙ୍କ ରୋଜଗାରର ଅଧିକାଂଶ ଭାଗ ତାଙ୍କର ପିତା, ପତ୍ନୀ ଏବଂ ଝିଅମାନଙ୍କ ଛୋଟମୋଟ, କିନ୍ତୁ ଲଗାତାର ଦେଖା ଦେଉଥିବା ସ୍ୱାସ୍ଥ୍ୟ ସମସ୍ୟାରେ ଖର୍ଚ୍ଚ ହୋଇଛି।

୨୦୨୦ ଶେଷ ଆଡ଼କୁ ଆସାମସ୍ଥିତ ପୈତୃକ ଗ୍ରାମ ଉରାରଭୁଇରେ ନୋସୁମୁଦ୍ଦିନ ନିଜ ଘର ତିଆରି କରିବା ଆରମ୍ଭ କଲେ। ତାଙ୍କ ସଞ୍ଚୟର ଏକ ବଡ଼ ଭାଗ ଏଥିରେ ମଧ୍ୟ ବିନିଯୋଗ ହେଲା।

ଏହାପରେ ୨୦୨୧ର ଲକଡାଉନ ଆସିଲା। ନୋସୁମୁଦ୍ଦିନଙ୍କ ପିତାଙ୍କ ଦେହ ଭଲ ନଥିଲା (ଏବଂ ଜୁଲାଇରେ ସେ ମୃତ୍ୟୁବରଣ କଲେ)। ତାଙ୍କର ବ୍ୟବସାୟ ଏବେ ପ୍ରାୟତଃ ବନ୍ଦ ରହୁଛି। ସେ କୁହନ୍ତି, “ମହାମାରୀ ସମୟରେ ମୋର ରୋଜଗାର ନିୟମିତ ହେଉନାହିଁ। ମୁଁ ଆଖପାଖର ଗାଁକୁ ପାଦରେ ଚାଲି ଚାଲି ମିଠା ବିକ୍ରି କରିବାକୁ ଯାଇଥାଏ, ବେଳେ ବେଳେ ୨୦-୨୫ କିଲୋ ଓଜନର ମିଠା କାନ୍ଧରେ ବୋହି ୨୦-୨୫ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ବିକ୍ରି କରିବାକୁ ହୁଏ। ଏବେ ମୁଁ ସପ୍ତାହକୁ୬-୭ ଦିନ ପରିବର୍ତ୍ତେ ୨-୩ ଦିନ ହିଁ ଜିନିଷ ବିକ୍ରି କରିବାକୁ ଯାଇପାରୁଛି। ମୁଁ ଥକି ଯାଉଛି। ଏପରି ସମୟରେ ଜୀବନ ଆହୁରି କଷ୍ଟକର ହୋଇଯାଇଛି। ତଥାପି ପିଲାଦିନେ ଯେତିକି କଷ୍ଟ ହେଉଥିଲା ସେତିକି ହେଉନାହିଁ। ସେ ଦିନ କଥା ମନେ ପଡ଼ିଲେ ଆଜି ବି ମୋ ଆଖିରୁ ଲୁହ ଝରିପଡ଼େ।”

ରିପୋର୍ଟରଙ୍କ ମନ୍ତବ୍ୟ : ନୋସୁମୁଦ୍ଦିନ ଶେଖ, ୨୦୧୫ ଠାରୁ ନିଜ ପରିବାର ସହିତ ମହେନ୍ଦ୍ରଗଞ୍ଜସ୍ଥିତ ମୋ ମାତାପିତାଙ୍କ ପୁରୁଣା ଘରେ ଭଡ଼ାରେ ରହୁଛନ୍ତି। ସେ ଭାରି ହସଖୁସିଆ ମଣିଷ, ମୋ ବାପାମା’ଙ୍କୁ ସାହାଯ୍ୟ କରିଥାନ୍ତି ଏବଂ ବେଳେ ବେଳେ ଆମ ପରିବା ବଗିଚାର ଦେଖାଶୁଣା ମଧ୍ୟ କରିଥାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Anjuman Ara Begum

Anjuman Ara Begum is a human rights researcher and freelance journalist based in Guwahati, Assam.

Other stories by Anjuman Ara Begum
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE