ମହମ୍ମଦ ଶମୀମଙ୍କ ପରିବାରରେ ଏମିତିରେ ତିନି ଜଣ ସଦସ୍ୟ ଅଛନ୍ତି, କିନ୍ତୁ ସେମାନେ ରେଳ ଟିକେଟ୍ କରିଥିବା ଏଜେଣ୍ଟଙ୍କୁ ଅନୁରୋଧ କରୁଛନ୍ତି ଯେ ସେ ୱେଟିଂଲିଷ୍ଟରେ ଥିବା ଅତିକମରେ ଗୋଟିଏ ଟିକେଟ କନଫର୍ମ କରି ଦିଅନ୍ତୁ। “ ବସ୍ ମେରୀ ବିବି କୋ ସିଟ୍ ମିଲ ଜାୟେ” (କେବଳ ମୋ ପତ୍ନୀଙ୍କୁ ସିଟ୍ ମିଳିଯାଉ)’, ଶମୀମ କହିଥିଲେ, ଯିଏକି ଉତ୍ତର ପ୍ରଦେଶରେ ଥିବା ନିଜ ଗ୍ରାମକୁ ଫେରିବା ଲାଗି ଚାହୁଁଛନ୍ତି। “ମୁଁ ଯେମିତି ହେଉ ଟ୍ରେନରେ ଚଢ଼ିଯିବି। ମୁଁ ଯେକୌଣସି ପରିସ୍ଥିତିରେ ଯାତ୍ରା କରିପାରିବେ। ପୂର୍ବଥର ଭଳି ପରିସ୍ଥିତି ବିଗିଡ଼ିଯିବା ପୂର୍ବରୁ ଆମକୁ କେବଳ ଘରେ ପହଞ୍ଚିବାର ଅଛି”, ଶମିମ କହିଥିଲେ, ଯିଏକି ନିଜ ଗ୍ରାମ ଉତ୍ତର ପ୍ରଦେଶରେ ପହଞ୍ଚିବାକୁ ଚାହୁଁଛନ୍ତି।

“ଏଜେଣ୍ଟ ଜଣଙ୍କ ଗୋଟିଏ ଟିକେଟ୍ ପିଛା ୧୬୦୦ ଟଙ୍କା ଦାବି କରୁଥିଲା। ମୁଁ ତାହା ସହ କଥା ହୋଇ ୧୪୦୦ ଟଙ୍କାରେ ଠିକ୍ କରିଛି”, ସେ କହିଥିଲେ। “ଯଦି ମୁଁ ଗୋଟିଏ ସିଟ୍ ପାଏ, ତା’ହେଲେ ମୁଁ ଟ୍ରେନରେ ଚଢ଼ିଯିବି ଏବଂ ତା’ପରେ ଯେତିକି ଜୋରିମାନା ଲାଗୁ ପଛେ ଦେବି”। ସାଧାରଣତଃ ମୁମ୍ବାଇରୁ ଉତ୍ତର ପ୍ରଦେଶ ଯିବାକୁ ହେଲେ ସବୁଠୁ ଶସ୍ତା ରେଳ ଟିକେଟ ମୂଲ୍ୟ ୩୮୦ରୁ ୫୦୦ ଟଙ୍କା ମଧ୍ୟରେ ହୋଇଥାଏ। ଉତ୍ତର ପ୍ରଦେଶରେ, ଫୈଜାବାଦ ଜିଲ୍ଲାର ମସୋଦା ବ୍ଲକ୍ ଅନ୍ତର୍ଗତ ଅବ୍ବୋ ସରାଇ ଗ୍ରାମରେ ଶମିମଙ୍କ ଦୁଇ ବଡ଼ ଭାଇ କୃଷି ଶ୍ରମିକ ଭାବେ ଅନ୍ୟ ଜମିଦାର ପରିବାର ପାଇଁ କାମ କରିଥାନ୍ତି, ଏହା ସେମାନଙ୍କ ଋତୁକାଳୀନ ବେଉସା।

୨୨ ବର୍ଷ ବୟସ୍କ ଶମିମ ଏବଂ ମୁମ୍ବାଇର ଅନ୍ୟ ଲକ୍ଷାଧିକ ଶ୍ରମିକଙ୍କ ପାଇଁ ଏହା ହେଉଛି ଦଶ ମାସ ମଧ୍ୟରେ ଦ୍ୱିତୀୟ ଯାତ୍ରା। କାରଣ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ଫଳରେ କାରଖାନାଗୁଡ଼ିକ ବନ୍ଦ ହୋଇଯିବା ସହିତ ନିର୍ମାଣସ୍ଥଳୀରେ କାମ ବନ୍ଦ ହୋଇଯାଇଛି।

ମୁମ୍ବାଇର ବଡ଼ ରେଳ ଷ୍ଟେସନଗୁଡ଼ିକ, ବିଶେଷ କରି ବାନ୍ଦ୍ରା ଟର୍ମିନସ ଓ ଲୋକମାନ୍ୟ ତିଲକ ଟର୍ମିନସରେ ଏପ୍ରିଲ ୧୧-୧୨ ତାରିଖଠାରୁ ପ୍ରବାସୀ ଶ୍ରମିକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି, କାରଣ ଏହି ସ୍ଥାନରୁ ଉତ୍ତର ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ଓ ବିହାରକୁ ଅଧିକ ସଂଖ୍ୟାରେ ଟ୍ରେନ ଚଳାଚଳ କରିଥାଏ। ଏପ୍ରିଲ ୧୪ ତାରିଖରେ ନୂଆ କଟକଣା ଲାଗୁ ହେବା ପୂର୍ବରୁ ପ୍ରବାସୀମାନେ ମୁମ୍ବାଇ ଛାଡ଼ିବା ଲାଗି ଚାହୁଁଛନ୍ତି। ଅଧିକ କଟକଣାକୁ ଭୟ କରି ଅନେକ, ଏବେ ବି ମୁମ୍ବାଇ ଛାଡ଼ି ଯିବା ଲାଗି ଚେଷ୍ଟା କରୁଛନ୍ତି।

ଯଦିଓ କର୍ଫ୍ୟୁ ଓ କଟକଣାକୁ ଆଉ ଏକ ‘ଲକଡାଉନ’ ବୋଲି ଶିବସେନା ନେତୃତ୍ୱାଧୀନ ରାଜ୍ୟ ସରକାର କହିନାହାନ୍ତି, କିନ୍ତୁ ଶମୀମ ସଙ୍କୋଚର ସହିତ କହିଥାନ୍ତି : “ଆମ ପାଇଁ ଏହା ଜୀବିକା ହରାଇବାର ଦ୍ୱିତୀୟ ପର୍ଯ୍ୟାୟ। ଏବଂ ଏହା ଆମକୁ ବାଧି ସାରିଲାଣି”

Mohammed Shamim, Gausiya and their son: 'If we get one seat, we’ll board and then pay whatever fine or penalty is charged'
PHOTO • Kavitha Iyer

ମହମ୍ମଦ ଶମିମ, ଗୌସିୟା ଓ ସେମାନଙ୍କ ପୁଅ : “ଯଦି ଆମେ ଗୋଟିଏ ସିଟ୍ ପାଇବୁ, ଆମେ ଟ୍ରେନରେ ଚଢ଼ିଯିବୁ ଏବଂ ଏହାପରେ ଯାହା ଜୋରିମାନା କିମ୍ବା ଦଣ୍ଡ ଲାଗୁ ହେବ ମାନିବୁ”

ସେ କାମ କରୁଥିବା ପୋଷାକ କାରଖାନା ମଙ୍ଗଳବାର, ଏପ୍ରିଲ ୧୩ ତାରିଖରେ ବନ୍ଦ ହୋଇଯାଇଥିଲା। “ପୁଣିଥରେ ଶୀଘ୍ର କାମ ଆରମ୍ଭ କରିପାରିବେ ବୋଲି ସେଠ୍ ଭାବି ପାରୁନାହାନ୍ତି। ସେ ୧୩ ଦିନ ପାଇଁ ଆମକୁ ଆମ ମଜୁରି ଦେଇସାରିଛନ୍ତି”, ଶମିମ କହିଥିଲେ। ସେହି ଟଙ୍କା, ୫୦୦୦ରୁ ସାମାନ୍ୟ କମ୍ ହେବ, ମୋଟ ସେତିକି ତାଙ୍କ ପାଖରେ ଅଛି। ସେ ୭୮୦ ଟଙ୍କା ଖର୍ଚ୍ଚ କରି ଫୈଜାବାଦ ଯାଉଥିବା ଟ୍ରେନ ପାଇଁ ଲୋକମାନ୍ୟ ତିଳକ ଟର୍ମିନସରୁ ଦୁଇଟି ୱେଟଲିଷ୍ଟ ଟିକେଟ କିଣିଛନ୍ତି ଏବଂ ବର୍ତ୍ତମାନ ଗୋଟିଏ କନଫର୍ମ ଟିକେଟ୍ ପାଇବା ଲାଗି ଏଜେଣ୍ଟଙ୍କ ସହିତ ମୂଲଚାଲ କରୁଛନ୍ତି। “ଗତ ସପ୍ତାହରେ ହିଁ, ମୁଁ ଏହି ଘର ପାଇଁ ଗୋଟିଏ ମାସର ଅଗ୍ରୀମ ଭଡ଼ା ଆକାରରେ ଘର ମାଲିକକଙ୍କୁ ୫୦୦୦ ଟଙ୍କା ଦେଇଛି, ଆସନ୍ତା କିଛି ମାସ ପାଇଁ ଆମେ ଘର ଖାଲି କରି ଦେଇ ଯାଉଥିଲେ ମଧ୍ୟ ସେ ଗୋଟିଏ ଟଙ୍କା ସୁଦ୍ଧା ଫେରାଇବାକୁ ରାଜି ହେଉନାହାନ୍ତି।”

ଗତବର୍ଷ, ମାର୍ଚ୍ଚ ୨୦୨୦ରେ ଲକଡାଉନ ଲାଗୁ ହେବା ପରେ ବଡ଼ ବଡ଼ ସହରରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ରେଳବାଇ ପକ୍ଷରୁ ‘ଶ୍ରମିକ ସ୍ପେଶାଲ’ ଚଳାଚଳ କରାଯାଇଥିଲା, ପରିବାର ଲୋକମାନେ ସେଥିରେ ସବାର ହୋଇ ମୁମ୍ବାଇ ଛାଡ଼ିଥିଲେ।

ଯେତେବେଳେ, ରେଳବାଇ ପକ୍ଷରୁ ଶମିମଙ୍କ ଫୋନକୁ ଯେତେବେଳେ ବାର୍ତ୍ତା ଆସିଲା ଯେ ଉତ୍ତର ପ୍ରଦେଶ ଯାଉଥିବା ଟ୍ରେନରେ ସେମାନଙ୍କ ଟିକେଟ କନଫର୍ମ ହୋଇଯାଇଛି, ସେତେବେଳକୁ ମେ ଶେଷ ଭାଗ ହୋଇସାରିଥିଲା। “ଆମେ ଘରଭଡ଼ା, ପାଣି ଓ ବିଦ୍ୟୁତ ଭଡ଼ା ବାବଦକୁ ୧୦,୦୦୦ ଟଙ୍କା ପରିଶୋଧ କରିସାରିଥିଲୁ (ଗତବର୍ଷ ଲକଡାଉନର ପ୍ରଥମ ଦୁଇ ମାସ) । ଆହୁରି ଚାରିମାସ ପର୍ଯ୍ୟନ୍ତ ମୋତେ କାମ ମିଳିନଥିଲା, ତେଣୁ ମୋର ୩୬,୦୦୦ ଟଙ୍କା ମଜୁରି କ୍ଷତି ହୋଇଥିଲା”, ସେ କହିଥିଲେ। “ଅବ୍ ପାଞ୍ଚ ହଜାର ୱେଷ୍ଟ ହୋଗୟେ”। ଯେତେବେଳେ ଗୋଟିଏ ଗୋଟିଏ ଟଙ୍କା ମୂଲ୍ୟବାନ ତାହା ତାଙ୍କୁ ବାଧୁଛି।

ଶମିମଙ୍କ ପତ୍ନୀ, ୨୦ ବର୍ଷୀୟା ଗୌସିୟା, ଥକି ଯାଇଛନ୍ତି। ଉତ୍ତର ମୁମ୍ବାଇର ବାନ୍ଦ୍ରା ବସ୍ତି କଲୋନୀର ନର୍ଗିସ ଦତ୍ତ ନଗରସ୍ଥିତ ୮x୮ ଫୁଟ ଘରୋଇ, ଦାନ୍ତ ଉଠିନଥିବା ତାଙ୍କ ଆଠ ମାସର ଛୋଟ ପୁଅ ଗୁଲାମ ମୁସ୍ତାଫା ଅନ୍ୟ କେହି ଅପରିଚିତ ଉଠାଇ ଦେଲେ ଖୁସି ହୋଇଯାଉଥିଲା। ପୂର୍ବଥର ଲକଡାଉନ ପରେ ଅଗଷ୍ଟ ୨୦୨୦ରେ ସେମାନେ ଯେତେବେଳେ ମୁମ୍ବାଇ ଫେରିଲେ ପୁଅକୁ ମାତ୍ର ଏକ ମାସ ସୁଦ୍ଧା ହୋଇନଥିଲା।  “ସେ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ, ଜ୍ୱର ଓ ପେଟ ଖରାପ ଥିଲା। ଗରମ କାରଣରୁ ବୋଧେ ଏମିତି ହେଉଥିଲା”, ସେ କହିଥିଲେ। “ଏବେ ଆମେ ପୁଣିଥରେ ଘରକୁ ଯିବା ଲାଗି ପ୍ରସ୍ତୁତ ହେଉଛୁ। କୋଇ ଚାରା ଭି ନହିଁ ହୈ (ଆମ ପାଖରେ କିଛି ବିକଳ୍ପ ନାହିଁ)। ପରିସ୍ଥିତି ସୁଧୁରିଲେ ଆମେ ପୁଣିଥରେ ଫେରିଆସିବୁ।

ପରିବାର ଆଗକୁ ଆହୁରି ଭଲ ଦିନ ଅପେକ୍ଷାରେ ରହିଛନ୍ତି। ବିଗତ ବର୍ଷ ଅଗଷ୍ଟ ମାସରେ ଯେତେବେଳେ ସେମାନେ ମୁମ୍ବାଇ ଫେରିଥିଲେ, ଶମିମ ଶାନ୍ତାକ୍ରୁଜ ପଶ୍ଚିମରେ ଥିବା ଏକ କାର୍ଯ୍ୟଶାଳାରେ ସାର୍ଟ ପ୍ୟାକିଂ କାମକୁ ଫେରିଯାଇଥିଲେ। କିନ୍ତୁ ଚଳିତ ବର୍ଷ ଫେବୃଆରୀରେ ଯେତେବେଳେ ଅଧିକ ୧,୦୦୦ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିଲା, ସେ ପାଞ୍ଚ ବର୍ଷ ଧରି ଯେଉଁଠି କାମ କରୁଥିଲେ ତା’କୁ ଛାଡ଼ି, ସାନ୍ତାକ୍ରୁଜ ପୂର୍ବରେ ଏକ ଛୋଟ ପୋଷାକ ନିର୍ମାଣ ୟୁନିଟରେ ସାମିଲ ହୋଇଯାଇଥିଲେ। ସେଠାରେ ତାଙ୍କୁ ୧୦,୦୦୦ ଟଙ୍କା ଦରମା ମିଳୁଥିଲା।

Moninissa and her family are also planning to return to their village in Faizabad district. Her husband lost a job as a packer in a garment factory during the 2020 lockdown, and has now once again lost his job as a driver
PHOTO • Kavitha Iyer

ମୋନିନିସ୍ସା ଓ ତାଙ୍କ ପରିବାର ଫୈଜାବାଦ ଜିଲ୍ଲାରେ ଥିବା ସେମାନଙ୍କ ଗାଁକୁ ଫେରିଯିବା ଲାଗି ଯୋଜନା କରୁଛନ୍ତି। ତାଙ୍କ ସ୍ୱାମୀ ୨୦୨୦ ଲକଡାଉନ ସମୟରେ ପୋଷାକ କାରଖାନାରେ କରୁଥିବା ପ୍ୟାକର କାମ ହରାଇଥିଲେ ଏବଂ ଏବେ ପୁଣିଥରେ ଜଣେ ଡ୍ରାଇଭର ଭାବେ ତାଙ୍କର କାମ ହରାଇଛନ୍ତି।

ନର୍ଗିସ ଦତ୍ତ ନଗରର ସଙ୍କୀର୍ଣ୍ଣ ଗଳିରେ କେତୋଟି ଘର ଛାଡ଼ି, ମୋନିନିସ୍ସା ଓ ତାଙ୍କର ସ୍ୱାମୀ ମହମ୍ମଦ ଶାହାନୱାଜ ରୁହନ୍ତି, ସେମାନେ ମଧ୍ୟ ଫେରିଯିବା ଲାଗି ଯୋଜନା କରୁଛନ୍ତି। ସେମାନେ ମଧ୍ୟ ଅବ୍ବୁ ସରାଇ ଗାଁର ବାସିନ୍ଦା। “ମୋ ସ୍ୱାମୀ ପୋଷାକ କାରଖାନାରେ ମାସିକ ୬,୦୦୦ ଟଙ୍କ ଦରମାରେ ପ୍ୟାକର କାମ କରୁଥିଲେ (ସାନ୍ତାକ୍ରୁଜ ପଶ୍ଚିମରେ, ଗତବର୍ଷ ଲକଡାଉନ ପୂର୍ବରୁ)”, ସେ କୁହନ୍ତି। “କିନ୍ତୁ ଆମେ ମୁମ୍ବାଇ ଫେରିବା ପରେ କିଛି କାମ ନଥିଲା।” ଏହି ପରିବାର ମେ ଶେଷ ଭାଗରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଗାଁକୁ ଫେରିଯାଇଥିଲେ ଏବଂ ପୁଣିଥରେ ଅଗଷ୍ଟରେ ଫେରିଥିଲେ। “ତେଣୁ ତିନି ମାସ ପୂର୍ବରୁ ବାନ୍ଦ୍ରାର ଏକ ପରିବାରରେ ତାଙ୍କୁ ଡ୍ରାଇଭର କାମ ମିଳିଲା। ସେମାନେ ମାସକୁ ୫ ହଜାର ଟଙ୍କା ଦେଉଥିଲେ, କାରଣ ସେମାନେ ତାଙ୍କୁ ସବୁଦିନ ଡାକୁନଥିଲେ”, ମୋନିନିସ୍ସା କୁହନ୍ତି। “ଏବେ ସେମାନଙ୍କର ଆଦୌ ଡ୍ରାଇଭର ଆବଶ୍ୟକ ନଥିବା ସେମାନେ କହୁଛନ୍ତି। ଲକଡାଉନରେ ସେ କାମ କେଉଁଠୁ ପାଇବେ?”

ସେହି ବସ୍ତି କଲୋନୀରେ, ମହାମାରୀ ସମୟରେ ଦ୍ୱିତୀୟ ଥର ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅନ୍ୟ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଗାଁକୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ୨୦୨୦ରେ ପ୍ରଥମ ପର୍ଯ୍ୟାୟରେ ଜୀବିକା ହରାଇବା ପରେ ସେମାନଙ୍କ ମଧ୍ୟରୁ କେତେ ଜଣ ନିଜ ଗ୍ରାମରେ ଥିବା ସମ୍ପର୍କୀୟ ଓ ପରିବାରର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ଏଥର ମଧ୍ୟ ସାଫିୟା ଅଲ୍ଲୀ, ଯଦି ତାଙ୍କ ପରିବାର ଗାଁକୁ ଫେରିଯାଏ, ତା’ହେଲେ ସେ ସେପରି କିଛି କରିବା ଲାଗି ଚିନ୍ତା କରୁଛନ୍ତି।

“କିଛି ଦିନ ମୋ ମା’ଙ୍କ ପାଖରେ, ଏହା ପରେ ଆଉ ଜଣେ ଭାଇ ଏବଂ ତା’ପରେ ଆଉ ଜଣେ ଭାଇଙ୍କ ପାଖରେ, ଏମିତି କରି କରି ଦୁଇ ମାସ କଟିଯିବ”, ସଫିୟା କହିଥାନ୍ତି, ଯାହାଙ୍କ ବୟସ ୩୦ ବର୍ଷ ହେବ, ସେ ନିଜର ଚାରି ଜଣ ପିଲା ଓ ସ୍ୱାମୀଙ୍କ ସହିତ ୧୦୦ ବର୍ଗଫୁଟର ଏକ ଛୋଟିଆ ଘରେ ରହିଥାନ୍ତି। “ଗାଁରେ ଆମ ପାଖରେ କିଛି ନାହିଁ, ଜମି ନାହିଁ କିମ୍ବା କିଛି କାମ, ସେଥିପାଇଁ ଗତ ଲକଡାଉନ ସମୟରେ ଆମେ ସେଠାକୁ ଯାଇନଥିଲୁ”, ସଫିୟା କହିଥାନ୍ତି, ଯିଏ ନିଜର ବଡ଼ ଝିଅ, ୧୪ ବର୍ଷୀୟା ନୁରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ସେ ନିଜର ତିନି ବର୍ଷର ଭାଇଙ୍କ ସହିତ ସର୍ବସାଧାରଣ ଶୌଚାଳୟକୁ ଯାଆନ୍ତୁ। ନୁର ବାନୋ ଏକ ବର୍ଷ ଧରି ସ୍କୁଲ ଯାଇନାହାନ୍ତି, ବିନା କୌଣସି ପରୀକ୍ଷାରେ ସପ୍ତମ ଶ୍ରେଣୀକୁ ଉନ୍ନୀତ ହୋଇଥିବାରୁ ଖୁସି ଅଛନ୍ତି।

ସଫିୟାଙ୍କ ସ୍ୱାମୀ ବାନ୍ଦ୍ରାର ବଜାର ରୋଡରେ ପୋଷାକ ବିକ୍ରି କରିଥାନ୍ତି, ଏବଂ ପରିବାରର ଦୈନିକ ଆୟ ୫ ଏପ୍ରିଲରେ ହ୍ରାସ ପାଇ ୧୦୦-୧୫୦ ଟଙ୍କା ହୋଇଯାଇଛି, ସେହି ଦିନଠାରୁ ଯେଉଁଦିନରୁ ମହାରାଷ୍ଟ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି ଏବଂ ଦିନରେ ଦୋକାନୀ ଓ ଫେରିବାଲାଙ୍କ ଉପରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି। ସଫିୟା ପୂର୍ବ କଥା ମନେ ପକାଇ କୁହନ୍ତି ଯେ ୨୦୨୦ ପୂର୍ବରୁ ରମଜାନ ମାସରେ ସେ ଗୋଟିଏ ଦିନରେ ୬୦୦ ଟଙ୍କା ଆୟ କରୁଥିଲେ। “ରାଜନେତା ଓ ସଂଗଠନଗୁଡ଼ିକ ପକ୍ଷରୁ (ଗତ ଲକଡାଉନ ସମୟରେ) ଯେଉଁ ରାସନ ଆମକୁ ମିଳିଥିଲା, ସେଥିରେ ଆମେ ବଞ୍ଚି ଯାଇଥିଲୁ”, ସଫିୟା କହିଥାନ୍ତି। “ଯଦି ଆମେ ଦିନରେ ରୋଜଗାର କରୁ, ରାତିରେ ଖାଇବାକୁ ପାଇଥାଉ। ରୋଜଗାର ନହେଲେ ଓପାସ ରହୁ।”

Migrant workers heading back home to the northern states waiting outside Lokmanya Tilak Terminus earlier this week
PHOTO • Kavitha Iyer

ଚଳିତ ସପ୍ତାହ ଆରମ୍ଭରେ ଲୋକମାନ୍ୟ ତିଲକ ଟର୍ମିନସ ବାହାରେ ଅପେକ୍ଷା କରିଛନ୍ତି ଉତ୍ତର ଭାରତୀୟ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ

ସଫିୟାଙ୍କୁ ତାଙ୍କ ପରିବାର ପକ୍ଷରୁ କାମ କରିବା ଲାଗି ଅନୁମତି ମିଳିନଥାଏ, ଯାହାକି ନର୍ଗିସ ଦତ୍ତ ନଗରର ଅନେକ ଘରେ ସାଧାରଣ କଥା। ପାଖାପାଖି ୧୨୦୦ ଘର ଥିବା ଏହି ବସ୍ତି (ଏଠାକାର ବାସିନ୍ଦା ଅନୁମାନ କରି କହିଥାନ୍ତି), ବାନ୍ଦ୍ରା ରିକ୍ଲେମେଶନର ତିନି ପତ୍ରିଆ ଘାସ ଆକାରର ଫ୍ଲାଇଓଭର ତଳେ ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଛି। ସଫିୟାଙ୍କୁ କେହି ଜଣେ କହିଛନ୍ତି ଯେ ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାକୁ ଲାଗିଥିବା ଏକ ଗ୍ରାମର ନିର୍ବାଚିତ ଗ୍ରାମ ପଞ୍ଚାୟତ ପ୍ରତିନିଧି, ଅର୍ଥାତ ପ୍ରଧାନ ଏକ ବସ୍ ପଠାଇଛନ୍ତି। ସେ ଆଶା କରୁଛନ୍ତି ଯେ ତାଙ୍କ ପରିବାରକୁ ସେଥିରେ ସିଟ୍ ମିଳିଯିବ ବୋଲି।

“ଗୋଣ୍ଡାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି, ସେଥିପାଇଁ ସେ ଚାହୁଁଛନ୍ତି ଯେ ତାଙ୍କ ଗାଁର ଲୋକମାନେ ଠିକ୍ ସମୟରେ ଫେରିଆସନ୍ତୁ”, ସଫିୟା କହିଥାନ୍ତି। ସେ ଜାଣିନାହାନ୍ତି ଯେ ହଲଧରମଉ ବ୍ଲକରେ ତାଙ୍କ ଗ୍ରାମ, ଅଖାଡେରାରେ ମଧ୍ୟ ନିର୍ବାଚନ ହେଉଛି କି ନାହିଁ, କିନ୍ତୁ ସେ ଏଥର ମୁମ୍ବାଇରୁ ଚାଲିଯିବା ଲାଗି ଆଶା କରୁଛନ୍ତି। “ଆମେ ଏଠାରେ ଗୋଟିଏ ପଟେ ଲକଡାଉନର ବିପଦ ଉଠାଇ ପାରିବୁ ନାହିଁ। ଇଜ୍ଜତ ସମ୍ଭଲନି ହୈ (ଆମକୁ ଆମ ସମ୍ମାନ ରକ୍ଷା କରିବାର ଅଛି)।”

ଏହି ବସ୍ତିରୁ ଯେଉଁ ଲୋକମାନେ ପୂର୍ବ ନିର୍ଦ୍ଧାରିତ ଯାତ୍ରାରେ ଯାଉଛନ୍ତି, ସେମାନେ ଯେପର୍ଯ୍ୟନ୍ତ ଫେରିବେ ନାହିଁ ଯେପର୍ଯ୍ୟନ୍ତ ଲକଡାଉନ ସରୁନାହିଁ। ୨୦ ବର୍ଷୀୟ ସନ୍ଦୀପ ବିହାରୀ ଲାଲ ଶର୍ମାଙ୍କ ନିକଟରେ ମେ ୫ ତାରିଖରେ ଗୋଣ୍ଡାର କନଫର୍ମ ଟିକେଟ ରହିଛି, ସେଠାରୁ ସେମାନେ ଛପିୟା ବ୍ଲକର ବଭନା ଗ୍ରାମକୁ ଯିବେ। “ପରିବାରରେ ଏକ ବାହାଘର ଅଛି। ବାପା ଓ ଭଉଣୀ ଗତ ସପ୍ତାହରୁ ଯାଇସାରିଛନ୍ତି। କିନ୍ତୁ ଆମେ ସେପର୍ଯ୍ୟନ୍ତ ଫେରିବୁ ନାହିଁ, ଯେପର୍ଯ୍ୟନ୍ତ ଆମକୁ ଜଣାପଡ଼ିନାହିଁ ଯେ ପର୍ଯ୍ୟାପ୍ତ ପରିମାଣରେ କାମ ଉପଲବ୍ଧ ରହିଛି”, ସେ କହିଥାନ୍ତି।

ସନ୍ଦୀପ ଜଣେ ଫର୍ଣ୍ଣିଚର ନିର୍ମାତାଙ୍କ ନିକଟରେ ସହାୟକ ଭାବେ କାମ କରିଥାନ୍ତି-ସେ କାଠରେ ନିପୁଣ କାରୁକାର୍ଯ୍ୟ କରୁଥିବା ସମ୍ପ୍ରଦାୟରୁ ଆସିଥାନ୍ତି। “ଏବେ କିଛି କାମ ନାହିଁ, କାହାକୁ ମଧ୍ୟ ଏଭଳି ପରିସ୍ଥିତିରେ ଫର୍ଣ୍ଣିଚର କିଣିବା କିମ୍ବା ଘର ନବୀକରଣ କରିବାର କାମରେ ଆଗ୍ରହ ନାହିଁ”, ସେ କହିଥାନ୍ତି। “ମୁଁ ବୁଝିପାରୁନାହିଁ ଯେ ସରକାର ପୁଣି ଏକ ଲକଡାଉନ କାହିଁକି ଲାଗୁ କରୁଛନ୍ତି। ସେ କ’ଣ ବାସ୍ତବରେ ବୁଝିପାରୁନାହାନ୍ତି ଯେ ଗରିବଙ୍କୁ କିଭଳି କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି”?

ଚଳିତ ବର୍ଷ ମାର୍ଚ୍ଚରେ ନୂଆ ଆଦେଶ ଜାରି ହେବା ପରେ ଯେମିତି କାମ ଓ ରୋଜଗାର ଧୀରେ ଧୀରେ ଆରମ୍ଭ ହେବାକୁ ଲାଗିଲା, କୋଭିଡ-୧୯ର ଦ୍ୱିତୀୟ ଲହର ଆସିଗଲା, ସେ କହିଥାନ୍ତି।

The rush at the Lokmanya Tilak Terminus and Bandra Terminus, from where several trains leave for Uttar Pradesh and Bihar, began a few days before the state government’s renewed restrictions were expected to be rolled out
PHOTO • Kavitha Iyer

ଲୋକମାନ୍ୟ ତିଲକ ଟର୍ମିନସ ଓ ବାନ୍ଦ୍ରା ଟର୍ମିନସ, ଯେଉଁଠାରୁ ଉତ୍ତର ପ୍ରଦେଶ ଓ ବିହାର ଅଭିମୁଖେ ଅନେକଗୁଡ଼ିଏ ଟ୍ରେନ ଯାତ୍ରା କରିଥାଏ, କିନ୍ତୁ ଲୋକମାନଙ୍କ ଭିଡ଼ି କିଛିଦିନ ପୂର୍ବରୁ ଆରମ୍ଭ ହୋଇଛି, ଯେଉଁଦିନ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କଟକଣା ଲାଗୁ କରାଯିବା ଲାଗି ଅନୁମାନ କରାଯାଇଛି

ସ୍ୱାବଲମ୍ବୀ ଲୋକମାନେ ମଧ୍ୟ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ, ୩୫ ବର୍ଷୀୟ ସୁହେଲ ଖାନ, ଯିଏକି ପାଖାପାଖି ତିନି ଦଶନ୍ଧି ଧରି ନର୍ଗିସ ଦତ୍ତ ନଗରରେ ରହୁଛନ୍ତି। ସେ ଜଣେ ମାଛ ବିକ୍ରେତା, ବର୍ସୋଭା ମାଛ ବଜାରରୁ ନିଜର ଦୈନିକ ଷ୍ଟକ କିଣିଥାନ୍ତି ଏବଂ ତାହାକୁ ନିଜର ବସ୍ତି ଓ ଆଖପାଖ ଅଞ୍ଚଳରେ ବିକ୍ରି କରିଥାନ୍ତି। ରମଜାନରେ, ନିଶ୍ଚିତ ଭାବେ, ବିକ୍ରି ସନ୍ଧ୍ୟାରେ ଅଧିକ ହୋଇଥାଏ। କିନ୍ତୁ ସନ୍ଧ୍ୟା ୭ଟା ପରେ, ପୁଲିସ ଆମ ଅଞ୍ଚଳରେ ଚକ୍କର ଲଗାଇଥାଏ ଏବଂ ଆମକୁ ଆମ ଦୋକାନ ବନ୍ଦ କରିବା ଲାଗି କହିଥାଏ”, ସେ ରାଗରେ କହିଥାନ୍ତି। “ମୋ ପାଖରେ ରେଫ୍ରିଜରେଟର କିମ୍ବା ଅନ୍ୟ କିଛି ସୁବିଧା ନାହିଁ। ସେଥିପାଇଁ ଯେତିକି ମାଛ, ବିକ୍ରି ହୁଏ ନାହିଁ, ପଚି ଯାଇଥାଏ।

ପାଖାପାଖି ଏକ ସପ୍ତାହ ପୂର୍ବରୁ, ମହାରାଷ୍ଟ୍ରରେ ନୂଆ କଟକଣା ଲାଗୁ କରାଯିବା ଆରମ୍ଭ ହେବା ପରଠାରୁ ଖାନ ନିଜ ପତ୍ନୀଙ୍କୁ ଗୋଣ୍ଡାର ଅଖାଡେରା ଗ୍ରାମକୁ ପଠାଇ ଦେଇଥିଲେ। ସେ ଓ ତାଙ୍କ ଭାଇ ଆଜମ ଅପେକ୍ଷା କରିଛନ୍ତି-ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି। ତାଙ୍କର ଗତ ବର୍ଷର ଘରୋଇ ଆୟ ଯଥେଷ୍ଟ ହ୍ରାସ ପାଇଥିଲା, ଏବଂ ସେ ଚଳିତ ବର୍ଷ ଏପ୍ରିଲ ୧୪ତାରିଖ ଠାରୁ ଆରମ୍ଭ ହୋଇସାରିଥିବା ରମଜାନ ମାସରେ ସେ ପୂର୍ବର କ୍ଷତି କିଛିମାତ୍ରାରେ ଭରଣା କରିପାରିବେ ବୋଲି ଏବେବି ଆଶା ରଖିଛନ୍ତି।

ସୁହେଲଙ୍କ ସାନ ଭାଇ, ଆଜମ ଖାନ ଜଣେ ଅଟୋ ରିକ୍ସା ଚାଳକ, ସେ କିଛି ବର୍ଷ ପୂର୍ବରୁ ନିଜର ବଜାଜ ତିନିଚକିଆ ଅଟୋ ରିକ୍ସା କିଣିଥିଲେ। ପାଖାପାଖି ୪୦୦୦ ଟଙ୍କାର ମାସିକ କିସ୍ତି ପରିଶୋଧ କରିବା କଷ୍ଟକର ହୋଇପଡ଼ିଛି। “ସେହି ଇଏମଆଇ ପରିଶୋଧ କରିବାର ଆବଶ୍ୟକତା ରହିଛି, ହେଲେ କାମ ମିଳୁନାହିଁ। ମୁଖ୍ୟମନ୍ତ୍ରୀ ଅଟୋ ଉପରେ କଟକଣା ଲାଗୁ କରିନାହାନ୍ତି-କିନ୍ତୁ ଯଦି ଯାତ୍ରୀଙ୍କୁ କୌଣସି ସ୍ଥାନକୁ ଯିବା ଲାଗି ଅନୁମତି ନାହିଁ, ଅଟୋ ଚାଳକ ରୋଜଗାର କରିବେ କେମିତି?” ସୋହେଲ ପଚାରନ୍ତି।

“(ରାଜ୍ୟ) ସରକାର ଋଣ କିସ୍ତି ପରିଶୋଧ କରୁଥିବା ଲୋକଙ୍କ ପାଇଁ ସହାୟତା ଘୋଷଣା କରିବା ଉଚିତ, ଯେପରିକି ସେମାନେ ଗତଥର କରିଥିଲେ”, ସେ କହିଥାନ୍ତି। “ଯଦି ପରିସ୍ଥିତି ଏଭଳି ରହିବ, ଆମେ ମଧ୍ୟ ଗତ ବର୍ଷ ଭଳି ନିଜ ଘର, ଗୋଣ୍ଡାକୁ ଚାଲିଯିବୁ। ଆମେ ପୁଣିଥରେ ସରକାରଙ୍କ ଦୟାରେ ଅଛୁ।”

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE