ମଧ୍ୟାହ୍ନ ସମୟ ଏବଂ ମହାରାଷ୍ଟ୍ରର ଉଲ୍ହାସନଗର ତାଲୁକାରେ ହେଉଥିବା ଝିପିଝିପି ବର୍ଷା ଏବେ କମିଛି।
ଠାଣେ ଜିଲ୍ଲାର ଉଲହାସନଗର ସେଣ୍ଟ୍ରାଲ ହସ୍ପିଟାଲର ପ୍ରବେଶ ପଥରେ ଏକ ଅଟୋ ରିକ୍ସା ରହୁଛି। ବାମ ହାତରେ ଏକ ଧଳା-ନାଲି ଡବା ଧରିଥିବା ଜ୍ଞାନେଶ୍ୱର ରିକ୍ସାରୁ ବାହାରି ଆସୁଛନ୍ତି। ତାଙ୍କ ପତ୍ନୀ ଅର୍ଚ୍ଚନା ତାଙ୍କ ପଛେ ପଛେ, ଜ୍ଞାନେଶ୍ୱରଙ୍କ କାନ୍ଧକୁ ଧରି ଚାଲିଛନ୍ତି, ତାଙ୍କ ଚପଲରୁ କାଦୁଅ ପାଣି ଝିଟିକି ପଡ଼ୁଛି।
ଜ୍ଞାନେଶ୍ୱର ତାଙ୍କ ସାର୍ଟ ପକେଟରୁ ଦୁଇଟି ୫୦୦ ଟଙ୍କିଆ ନୋଟ୍ କାଢ଼ୁଛନ୍ତି ଏବଂ ସେଥିରୁ ଗୋଟିଏ ରିକ୍ସା ଡ୍ରାଇଭରଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ଏହାପରେ ଡ୍ରାଇଭର ତାଙ୍କୁ ଖୁଚୁରା ଟଙ୍କା ଫେରାଉଛନ୍ତି। ଜ୍ଞାନେଶ୍ୱର ସେହି ଖୁଚୁରା ମୁଦ୍ରାକୁ ଧରୁଛନ୍ତି। ‘‘ପାଞ୍ଚ ଟଙ୍କା,’’ ଏହା କହି ସେ ଉକ୍ତ ମୁଦ୍ରାକୁ ନିଜ ସାର୍ଟ ପକେଟରେ ପୂରାଉଛନ୍ତି, ଯତ୍ନର ସହକାରେ ପକେଟରେ ତାହା ରଖିବାକୁ ସ୍ପର୍ଶ ମାଧ୍ୟମରେ ଅନୁଭବ କରୁଛନ୍ତି। ଏହି ୩୩ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଆଖିରେ କର୍ଣ୍ଣିଆ ଅଲ୍ସର୍ ବା ଘା’ ହେବା କାରଣରୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି।
ଅମ୍ବାରନାଥ ତାଲୁକାରେ ଥିବା ଭାଙ୍ଗାନୀ ସହରରେ ଥିବା ନିଜ ଘର ଠାରୁ ୨୫ କିଲୋମିଟର ଦୂର ଉଲହାସନଗର ଡାକ୍ତରଖାନାରେ ଅର୍ଚ୍ଚନାଙ୍କର ଡାୟଲିସିସ ଚିକିତ୍ସା ହୋଇଥାଏ। ଏହି ଦମ୍ପତି କେବଳ ଥରେ ଚିକିତ୍ସା ନେବାକୁ ଆସିବା ସମୟରେ ଗୋଟିଏ ପଟ ରାସ୍ତା ଖର୍ଚ୍ଚ ବାବଦରେ ୪୮୦ରୁ ୫୨୦ ଟଙ୍କା ପର୍ଯ୍ୟନ୍ତ ରିକ୍ସା ଭଡ଼ା ଦେଇଥାନ୍ତି। ‘‘ମୋର ଜଣେ ବନ୍ଧୁଙ୍କଠାରୁ ମୁଁ ୧,୦୦୦ ଟଙ୍କା ଧାର (କେବଳ ଏହି ଟ୍ରିପ ପାଇଁ) ଆଣିଛି,’’ ଜ୍ଞାନେଶ୍ୱର କୁହନ୍ତି। ‘‘ମୋତେ ପ୍ରତିଥର ଉଧାର ଆଣିବାକୁ ପଡ଼ିଥାଏ (ଡାକ୍ତରଖାନାକୁ ଆସିବା ପାଇଁ)।’’ ଦମ୍ପତି ଚାଲିବା ଆରମ୍ଭ କରିଛନ୍ତି, ଧୀରେ ଧୀରେ, ସତର୍କତାର ପାଦ ପକାଇ ସେମାନେ ଡାକ୍ତରଖାନାର ଦ୍ୱିତୀୟ ମହଲାରେ ଥିବା ଡାୟଲିସିସ ରୁମକୁ ଯାଉଛନ୍ତି।
ଆଂଶିକ ଭାବେ ଦୃଷ୍ଟିହୀନ ଅର୍ଚ୍ଚନାଙ୍କର ଜଟିଳ କିଡନୀ ରୋଗ ରହିଥିବା ଚଳିତ ବର୍ଷ ମେ ମାସରେ ମୁମ୍ବାଇର ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣାପଡ଼ିଥିଲା। ‘‘ତାଙ୍କର ଉଭୟ କିଡନୀ ଅଚଳ ହୋଇଯାଇଛି,’’ ଜ୍ଞାନେଶ୍ୱର କୁହନ୍ତି; ୨୮ ବର୍ଷୀୟା ଅର୍ଚ୍ଚନାଙ୍କୁ ସପ୍ତାହକୁ ତିନି ଥର ହେମୋଡାୟଲିସିସ ଆବଶ୍ୟକ ହୋଇଥାଏ।
ଉଲହାସନଗର ସେଣ୍ଟ୍ରାଲ ହସ୍ପିଟାଲର ଜଣେ କିଡନୀ ରୋଗ ବିଶେଷଜ୍ଞ ବା ନେଫ୍ରୋଲୋଜିଷ୍ଟ ଡାକ୍ତର ହାର୍ଦ୍ଦିକ ଶାହା କୁହନ୍ତି, ‘‘କିଡନୀ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଗୁଡ଼ିକ ଶରୀରରୁ ବର୍ଜ୍ୟ ଏବଂ ଅତ୍ୟଧିକ ଶାରୀରିକ ତରଳ ପଦାର୍ଥ ନିଷ୍କାସନ କରିଥାନ୍ତି। କିଡନୀ ଅଚଳ ହୋଇଗଲେ, ଜଣେ ବ୍ୟକ୍ତିଙ୍କୁ ଜୀବିତ ରହିବାକୁ ହେଲେ ଡାୟଲିସିସ କିମ୍ବା କିଡନୀ ପ୍ରତିରୋପଣ କରିବାକୁ ପଡ଼ିଥାଏ।’’ ପ୍ରତିବର୍ଷ, ଭାରତରେ ୨.୨ ଲକ୍ଷ ନୂଆ ଏଣ୍ଡ ଷ୍ଟେଜ୍ ରେନାଲ ଡିଜିଜ (ଇଏସଆରଡି) ରୋଗୀ ବା ଅନ୍ତିମ ସ୍ତରରେ ପହଞ୍ଚି ସାରିଥିବା ନୂଆ କିଡନୀ ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ପାଇଁ ଅତିରିକ୍ତ ୩.୪ କୋଟି ଡାୟଲିସିସ ଚିକିତ୍ସା ପଦ୍ଧତି ଆବଶ୍ୟକ ହୋଇଥାଏ।









