“ତୁମେ କିପରି ଅଛ? ତୁମେ କ’ଣ କରୁଛ? ଏପରି କେତେ ଦିନ ପର୍ଯ୍ୟନ୍ତ ଚାଲିବ?” ଚେନାକୋଣ୍ଡା ବାଲାସାମୀ ତାଙ୍କ ପୁଅକୁ ଫୋନ୍ରେ ପଚାରିଲେ । “ଏହା କ’ଣ ଏତେ କଠୋର? ଆମ ଅଞ୍ଚଳରେ ମଧ୍ୟ କ’ଣ ପୋଲିସ୍ମାନେ ଅଛନ୍ତି? ଲୋକମାନେ (କୃଷି ଶ୍ରମିକମାନେ) କ’ଣ କାମକୁ ଯାଉଛନ୍ତି?’’
ବାଲାସାମି ଅନ୍ୟ ଚାରିଜଣ ପଶୁପାଳକଙ୍କ ସହିତ ନଭେମ୍ବରରେ ଦିପାବଳୀ ପରେ ତେଲେଙ୍ଗାନାର ୱାନାପାର୍ଥୀ ଜିଲ୍ଲାରେ ଥିବା ତାଙ୍କ ଗ୍ରାମ କେଥେପାଲ୍ଲେ ଛାଡିଥିଲେ । ସେ ପ୍ରାୟ ୧୦୦୦ ଛେଳି ଓ ମେଣ୍ଡାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି (ତାଙ୍କର ନିଜସ୍ୱ କିଛି ନାହିଁ) ଓ ସବୁବେଳେ ପଶୁମାନଙ୍କ ପାଇଁ ଖାଦ୍ୟ ଅନୁସନ୍ଧାନରେ ଚାରିଆଡେ ବୁଲନ୍ତି ।
ସେ ଓ ଅନ୍ୟ ପଶୁପାଳକମାନେ - ସମସ୍ତେ ତେଲେଙ୍ଗାନାର ଓବିସି ତାଲିକାଭୁକ୍ତ ପଶୁଚାରଣକାରୀ ଯାଦବ ସମ୍ପ୍ରଦାୟର – ମାର୍ଚ୍ଚ ୨୩ରେ, କୋଭିଡ୍- ୧୯ର ବିସ୍ତାରକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯିବାର ଠିକ୍ ଦୁଇ ଦିନ ପୂର୍ବରୁ, ସେମାନେ କେଥେପାଲ୍ଲେଠାରୁ ପ୍ରାୟ ୧୬୦କିଲୋମିଟର୍ ଦୂରରେ ଅବସ୍ଥିତ କୋପୋଲେ ଗ୍ରାମରେ ପହଞ୍ଚି ଥିଲେ ।
ନାଳଗୋଣ୍ଡା ଜିଲ୍ଲାର ଗୁରୁମ୍ପୋଡେ ମଣ୍ଡଳରେ ଅବସ୍ଥିତ ଏକ ଗ୍ରାମ କୋପ୍ପୋଲେରେ, ତାଲାବନ୍ଦ ପରେ, ସେମାନେ ନିଜ ପାଇଁ ଚାଉଳ, ଡାଲି, ପନିପରିବା, ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯାହା ସେମାନେ ସାଧାରଣତଃ ଆବଶ୍ୟକତା ମୁତାବକ ଅଳ୍ପ ପରିମାଣର କିଣିଥାନ୍ତି, ତାହା କିଣିବାକୁ ଅସୁବିଧା ହେଲା ।
ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହୋଇଥିବାରୁ ଓ ତାଲାବନ୍ଦ ସମ୍ବନ୍ଧରେ ଅନିଶ୍ଚିତତା ରହିଥିବାରୁ ପଶୁପାଳକମାନଙ୍କୁ ସେମାନଙ୍କ ପଶୁ ସମ୍ପଦ ପାଇଁ ଆବଶ୍ୟକ ଔଷଧ କିଣିବା, ବେଳେବେଳେ ସେମାନେ ନିଜ ଗ୍ରାମକୁ ଓ ପରିବାର ଦେଖିବାକୁ ଯିବା (ଯାହା ସେମାନେ ସାଧାରଣତଃ କରନ୍ତି) ମୋବାଇଲ୍ ରିଚାର୍ଜ କରିବା ଓ ପଶୁପଲ ପାଇଁ ନୂଆ ଚାରଣ ଭୂମି ଖୋଜି ବାହାର କରିବାରେ ଅସୁବିଧା ଉପୁଜୁଛି- ଏହା ପ୍ରାୟତଃ କରିବା ସମ୍ଭବ ହେଉନାହିଁ ବୋଲି ସେମାନେ କୁହନ୍ତି ।
![Chenakonda Balasami (left), his brother Chenakonda Tirupatiah (right) and other herdsmen have been on the move since November, in search of fodder for the animals – that search cannot stop, neither can they move during the lockdown, nor can they return home](/media/images/02b-DSC_0185-HRN.max-1400x1120.jpg)
![Chenakonda Balasami (left), his brother Chenakonda Tirupatiah (right) and other herdsmen have been on the move since November, in search of fodder for the animals – that search cannot stop, neither can they move during the lockdown, nor can they return home](/media/images/02a-DSC_0164-HRN.max-1400x1120.jpg)
ଚେନାକୋଣ୍ଡା ବାଲାସାମୀ (ବାମ), ତାଙ୍କ ଭାଇ ଚେନାକୋଣ୍ଡା ତିରୁପତିଆ (ଡାହାଣ) ଓ ଅନ୍ୟ ପଶୁପାଳକମାନେ ନଭେମ୍ବରଠାରୁ ପଶୁମାନଙ୍କ ପାଇଁ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲୁଛନ୍ତି- ସେହି ଅନୁସନ୍ଧାନ କେବେ ମଧ୍ୟ ସରିବ ନାହିଁ କି ଏହି ତାଲାବନ୍ଦ ସମୟରେ ସେମାନେ ଅନ୍ୟ କୁଆ଼ଡେ ଯାଇପାରିବେ ନାହିଁ କିମ୍ବା ନିଜ ଘରକୁ ମଧ୍ୟ ଫେରିପାରିବେ ନାହିଁ
“ଯେଉଁମାନେ ଗ୍ରାମରେ ଅଛନ୍ତି ସେମାନେ ଚଳାଇନେବେ (ଏକାନ୍ତବାସ) । ହେଲେ ଆମ ଭଳି ଯେଉଁମାନେ ବାହାରେ ବୁଲୁଛନ୍ତି ସେମାନେ ଏପରି ପରିସ୍ଥିତିରେ କ’ଣ କରିବେ?” ବୋଲି ବାଲାସାମୀ, ଯାହାର ବୟସ ସମ୍ଭବତଃ ୫୦ ବର୍ଷ ପାଖାପାଖି ହେବ, କୁହନ୍ତି ।
“ଆମମାନଙ୍କୁ ଗ୍ରାମ ଭିତରକୁ ଯାଇ ପରିବା କିଣିବାକୁ ବାରଣ କରାଯାଉଛି,’’ ବୋଲି ଚେନାକୋଣ୍ଡା ତିରୁପତିଆ, ବାଲାସାମୀଙ୍କ ଭାଇ ଓ ଅନ୍ୟ ଜଣେ ପଶୁପାଳକ କୁହନ୍ତି ।
ଭାଗ୍ୟବଶତଃ, ଏବେ ଯେଉଁଠାରେ ସେମାନଙ୍କ ପଶୁପଲ ଚରୁଛନ୍ତି ଓ ସେମାନେ ଅପେକ୍ଷା କରି ରହିଛନ୍ତି, ତାହାର ମାଲିକ ସେମାନଙ୍କ ସହାୟତା କରୁଛନ୍ତି, ସେମାନଙ୍କୁ ଚାଉଳ, ଡାଲ୍, ପନିପରିବା ଯୋଗାଇ ଦେଉଛନ୍ତି ।
ହେଲେ, ସେମାନଙ୍କୁ ଅତି ଶୀଘ୍ର ଏକ ନୂଆ ଚାରଣ ଭୂମି ଖୋଜିବାକୁ ହେବ । “ଆମେ ଏଠାକୁ ଚାରି ଦିନ ପୂର୍ବେ ଆସିଥିଲୁ,” ବୋଲି ତିରୁପତିଆ କୁହନ୍ତି । “ ଏଠାରେ ବହୁ ପରିମାଣର ପଶୁ ଖାଦ୍ୟ ଉପଲବ୍ଧ ନାହିଁ । ଆମକୁ ନୂତନ ସ୍ଥାନର ସନ୍ଧାନ କରିବାକୁ ହେବ ।’’
ପଶୁ ଚାରଣକାରୀଙ୍କର ପାଦରେ ଚାଲିଚାଲି ଦୀର୍ଘ ଯାତ୍ରା କରିବା ସବୁବେଳେ ଯନ୍ତ୍ରଣାଦାୟକ – ଏବେ ଆହୁରି ଅଧିକ କଷ୍ଟକର ହୋଇପଡିଛି । ସେମାନେ ଉପଯୁକ୍ତ ଚାରଣ ଭୂମି ଅନୁସନ୍ଧାନରେ ଅନେକ କିଲୋମିଟର ଚାଲନ୍ତି ଓ ତାପରେ ଜମି ମାଲିକଙ୍କ ସହିତ ବ୍ୟବସାୟିକ ଚୁକ୍ତି କରନ୍ତି । ସୀମିତ ଖୋଲା ପଡିଆ ଉପଲବ୍ଧ ହେଉଥିବା ଏକ ସ୍ଥାନ ଯେଉଁଠାରେ କୃଷକମାନେ ସେମାନଙ୍କର ନିଜ ଛେଳି ଓ ମେଣ୍ଢାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଥାନ୍ତି ସେଠାରେ ଏହା ହେଉଛି ଏକ ଦୁଃସାଧ୍ୟ କାମ। ବର୍ତ୍ତମାନ ପରିବହନ ବ୍ୟବସ୍ଥା ଅଚଳ ହେବା ସହିତ ଯାତ୍ରା କଟକଣା ରହିଥିବାରୁ ପଶୁପାଳକମାନଙ୍କ ପାଇଁ ପଶୁ ଖାଦ୍ୟ ଖୋଜିବା ଆହୁରି କଷ୍ଟକର ହୋଇପଡିଛି।
![Left: Avula Mallesh and the other herders are not being allowed into the village to buy vegetables. Right: Tirupatiah preparing a meal with the rice, dal and vegetables given by the owner of the land where the flock was grazing](/media/images/01-DSC_0080-HRN.max-1400x1120.jpg)
![Left: Avula Mallesh and the other herders are not being allowed into the village to buy vegetables. Right: Tirupatiah preparing a meal with the rice, dal and vegetables given by the owner of the land where the flock was grazing](/media/images/03b-DSC_0157-HRN.max-1400x1120.jpg)
ବାମ: ଅବୁଲା ମାଲ୍ଲେଶ ଓ ତାଙ୍କର ପଶୁପାଳକମାନଙ୍କୁ ପନିପରିବା କିଣିବା ପାଇଁ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ଦିଆ ଗଲାନାହିଁ । ଡାହାଣ: ତିରୁପତିଆ ପଶୁପଲ ଚରୁଥିବା ଜମିର ମାଲିକ ଦେଇଥିବା ଚାଉଳ, ଡାଲି ଓ ପନିପରିବାରେ ଭୋଜନ ପ୍ରସ୍ତୁତ କରୁଛନ୍ତି
“ଆମେମାନେ ବାଇକ୍ରେ ମଧ୍ୟ ଯାଇପାରିବୁନାହିଁ,” ବୋଲି ବାଲାସାମୀ କୁହନ୍ତି । ବେଳେବେଳେ, ଗ୍ରାମର ଲୋକମାନେ ସେମାନଙ୍କ ବାଇକ୍ରେ ବସି ପଶୁପଲ ଯେଉଁଠାରେ ଅଛନ୍ତି ସେଠାକୁ ଆସୁଛନ୍ତି ଓ ସେମାନଙ୍କୁ ପୁଣି ଗ୍ରାମକୁ ବା କିଛି କିଲୋମିଟର୍ ଦୂରରେ ଥିବା ଚରା ଭୂମିକୁ ଘଉଡାଇ ଦେଉଛନ୍ତି । “ଯେପରି ଜଣାପଡୁଛି ସେମାନେ [ପୋଲିସ] ବାଇକ୍ରେ ଥିବା ଲୋକଙ୍କୁ ଅତିଶୟ ହଇରାଣ କରିବାକୁ ଚାହୁଁଛନ୍ତି,” ବୋଲି ବାଲାସାମୀ ତାଙ୍କ ମୋବାଇଲ୍ ଫୋନ୍ରେ ଦେଖିଥିବା ଏକ ଭିଡିଓ ବିଷୟରେ ଉଲ୍ଲେଖ କରି କୁହନ୍ତି ।
ବାଲାସାମୀ ଏହି ସପ୍ତାହରେ କାଥେପାଲ୍ଲେ, ପଙ୍ଗଲ ମଣ୍ଡଳରେ ଥିବା ତାଙ୍କ ଗ୍ରାମରେ ଥିବା ତାଙ୍କ ଘରକୁ ଯିବା ପାଇଁ ଯୋଜନା କରୁଥିଲେ । ତାଙ୍କର ପଶୁପାଳନ କାମ ପାଇଁ ସେ ତାଙ୍କ ମାଲିକଙ୍କ ଠାରୁ ବାର୍ଷିକ ୧,୨୦,୦୦୦ଟଙ୍କା ବେତନ ପାଇଥାନ୍ତି । ଏବେ ଗ୍ରାମକୁ ଯାଇ କେବଳ ଯେ ପରିବାର ସହିତ ମିଶିବା ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ ବରଂ ସେ ସେଠାରେ ନିଜ ବେତନର ଏକ ଅଂଶ ମଧ୍ୟ ସଂଗ୍ରହ କରିବେ । ବର୍ତ୍ତମାନ ଗ୍ରାମକୁ ନଯାଇ ପାରିଲେ ବାଲାସାମୀ ଓ ଅନ୍ୟମାନଙ୍କ ପାଖରେ ଅତି ଶୀଘ୍ର ଟଙ୍କା ସରିଯିବ । “ମୁଁ ମୋର ସ୍ତ୍ରୀ, ପିଲା ଓ ମା’ଙ୍କ ସହିତ କିଭଳି ଦେଖା କରିପାରିବି?” ମୁଁ କେମିତି ଉପ୍ପୁ[ଲୁଣ] ଓ ପପ୍ପୁ [ଡାଲ୍] କିଣିବି?” “ବସ୍ ସେବା ପୁଣି କେବେ ଆରମ୍ଭ ହେବ?” ଏପରି ଅନେକ ପ୍ରଶ୍ନ ସେ ପଚାରନ୍ତି ।
ବେଳେବେଳେ ନଗଦ ପାଇଁ ପଶୁପାଳକମାନେ ଗୋଟିଏ ବା ଦୁଇଟି ଛେଳି ବା ମେଣ୍ଢା ବିକ୍ରି କରିଦିଅନ୍ତି କିନ୍ତୁ ଲକ୍ଡାଉନ୍ ହୋଇଥିବାରୁ ଏକ ସପ୍ତାହରୁ ଅଧିକ ସମୟ ହେବ କେହି ମଧ୍ୟ ସେମାନଙ୍କ ପାଖକୁ ଆସୁନାହାନ୍ତି ।
![Left: The flock being herded away after a farm family wouldn't allow them to graze in their fields. Right: A harvested cotton field, with barely any fodder. The travel restrictions under the lockdown are making the herders’ search for fodder even more difficult](/media/images/04a-DSC_0101-HRN.max-1400x1120.jpg)
![Left: The flock being herded away after a farm family wouldn't allow them to graze in their fields. Right: A harvested cotton field, with barely any fodder. The travel restrictions under the lockdown are making the herders’ search for fodder even more difficult](/media/images/04b-DSC_0078-HRN.max-1400x1120.jpg)
ବାମ: ଏକ ଚାଷୀ ପରିବାର ସେମାନଙ୍କ ଜମିରେ ପଶୁପଲକୁ ଚରିବା ପାଇଁ ଅନୁମତି ନଦେବା ଯୋଗୁଁ ପଶୁପଲକୁ ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ଡାହାଣ: ଅମଳ ହୋଇଯାଇଥିବା ଏକ କପା ଜମି, ଯେଉଁଠାରେ ଅତି ଅଳ୍ପ ପରିମାଣର ପଶୁଖାଦ୍ୟ ଉପଲବ୍ଧ ହୋଇଥାଏ । ତାଲାବନ୍ଦ ଯୋଗୁଁ ପଶୁ ଖାଦ୍ୟ ଅନୁସନ୍ଧାନ କରିବାରେ ପଶୁପାଳକମାନଙ୍କୁ ଅଧିକ କଷ୍ଟ ଉଠେଇବାକୁ ପଡୁଛି
ସାଧାରଣତଃ, ନିଜ ଗ୍ରାମକୁ ଫେରିବା ପୂର୍ବରୁ ପଶୁପାଳକମାନେ ସେମାନଙ୍କ ବର୍ତ୍ତମାନର ଅବସ୍ଥିତି- କୋପ୍ପୋଲ୍ ଗ୍ରାମ ପାଖରେ- ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ମିର୍ୟାଗୁଡା ଟାଉନ୍ରେ ପହଞ୍ଚିଥାନ୍ତି । ଏହି ଟାଉନ୍ ଚାରିପାଖରେ ଥିବା ଗ୍ରାମଗୁଡିକରେ ଏପ୍ରିଲ୍ରେ ଧାନ ଅମଳ ହେବା ସମୟରେ ପଶୁମାନଙ୍କ ପାଇଁ ପ୍ରଚୁର ପରିମାଣର ଖାଦ୍ୟ ଉପଲବ୍ଧ ହୋଇଥାଏ । ଖାଦ୍ୟ ଅଭାବ ଓ ଯାତ୍ରା କଟକଣା ଥିବାରୁ ପଶୁପାଳକମାନେ ଶେଷଥର ପାଇଁ ଯେଉଁଠାରେ ରହିଥାନ୍ତି, ବର୍ତ୍ତମାନ ସେହି ସ୍ଥାନରେ ପହଞ୍ଚିବାର କୌଣସି ଆଶା ଦେଖା ଯାଉନାହିଁ ।
ଯେହେତୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପଶୁମାନଙ୍କୁ ଖାଇବାକୁ ଖାଦ୍ୟ ଦେବାକୁ ହେବ, ଏଣୁ ପଶୁଖାଦ୍ୟର ସନ୍ଧାନ କେବେ ମଧ୍ୟ ବନ୍ଦ ହେବ ନାହିଁ । ଜୁନ୍ ମାସରେ ମୌସୁମୀ ଆସିବା ପୂର୍ବରୁ ଗ୍ରାମକୁ ଫେରିବା ମଧ୍ୟ କୌଣସି ଉତ୍ତମ ବିକଳ୍ପ ନୁହେଁ, କାରଣ ଏ ସମୟରେ ସେଠାରେ ପଶୁମାନଙ୍କ ପାଇଁ କମ୍ ଚାରଣଭୂମି ଉପଲବ୍ଧ ହୋଇଥାଏ । “ଆମ ଅଞ୍ଚଳରେ ଅନେକ ପାହାଡ ଓ ମୁଣ୍ଡିଆ ରହିଛି [ଯାହା ଅକ୍ଟୋବର ଶେଷ ବେଳକୁ ଶୁଖିଯାଏ],” ବୋଲି ତିରୁପତିଆ କୁହନ୍ତି । “ସେଠାରେ ମଧ୍ୟ ବହୁ ସଂଖ୍ୟକ ପଶୁ ଅଛନ୍ତି – ଆମ ନିଜ ଗ୍ରାମରେ ପାଖାପାଖି ୨୦,୦୦୦ ଛେଳି ଓ ମେଣ୍ଢା ଥିବେ । ଏଣୁ ଆମେ ଏହି ଯାତ୍ରାରୁ କେବେ ମଧ୍ୟ ଓହରି ପାରିବୁନାହିଁ।’’
ବାଲାସାମୀ ନିଜ ପରିବାରକୁ ସେମାନେ ସମସ୍ତେ ଭଲରେ ଅଛନ୍ତି ବୋଲି ଜଣାଇବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । “ସେମାନେ କ’ଣ ଫୋନ୍ଗୁଡିକୁ ମଧ୍ୟ ବନ୍ଦ କରିଦେବେ [ମୋବାଇଲ୍ ସେବା]?" ବୋଲି ସେ ପଚାରନ୍ତି । “ତା’ପରେ ଲୋକମାନେ ଜୀବିତ ଅଛନ୍ତି ନା ମୃତ୍ୟୁ ହୋଇଛି ତାହା ମଧ୍ୟ ଆମେ ଜାଣିପାରିବୁ ନାହିଁ । ଲୋକମାନେ କହୁଛନ୍ତି ଯେ ଏହା [ତାଲାବନ୍ଦ] ତିନି ମାସ ପର୍ଯ୍ୟନ୍ତ ଚାଲିବ । ଯଦି ଏପରି ହୁଏ, ତେବେ ପ୍ରକୃତ ରୋଗ କାରଣରୁ ଯେତିକି ମୃତ୍ୟୁ ହେବ ତା’ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ତାଲାବନ୍ଦ କାରଣରୁ ହେବ ।’’
ଅନୁବାଦ: ଓଡ଼ିଶାଲାଇଭ୍