ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ପରିତ୍ୟକ୍ତ ଡିଜେଲ ପମ୍ପ ନିଅନ୍ତୁ । ସେଥିରେ ଗୋଟିଏ ଅକାମୀ ଟ୍ରାକ୍ଟରର ଚାରିଟି ଏବଂ ବିଗତ ବିଶ୍ୱଯୁଦ୍ଧରେ ପ୍ରାଣତ୍ୟାଗ କରିଥିବା ଗୋଟିଏ ଜୀପ୍‌ର ଦୁଇଟି ଯନ୍ତ୍ରାଂଶ ସହିତ ଗୋଟିଏ ବଳଦଗାଡ଼ିର କାଠଖଣ୍ଡଗୁଡ଼ିକୁ ଆବଶ୍ୟକତା ଅନୁସାରେ ଭଲ ଭାବରେ ମିଶାନ୍ତୁ। କେତେକ ବାଉଁଶ ଖୁଣ୍ଟ, କିଛି ରସି ଓ ବଡ଼ ଖଣ୍ଡେଦରି କପଡ଼ା ମିଶିଲେ ଏକ ସ୍ୱତନ୍ତ୍ର ସ୍ୱାଦର ଅନୁଭୂତି ମିଳେ । ତା’ପରେ ଚକଗୁଡ଼ିକୁ ତଳେ ପକାଇ ଦେଖନ୍ତୁ । କିଛିଟା ଭିନ୍ନ ଭିନ୍ନ ଆକାରର ହୋଇଥିଲେ ବି ଚିନ୍ତା କରନ୍ତୁନି, ଯେ କୌଣସି ଚାରିଟି ଚକ ଖୁବ୍‌ ଭଲ କାମ ଦେବ। ଅନ୍ୟାନ୍ୟ ସାମଗ୍ରୀ ସବୁ ମାଗଣାରେ ଉପଲବ୍‌ଧ ଏବଂ ଯେତେବେଳେ ଇଚ୍ଛା ନେଇ ଲଗାଇ ହେବ । ଏବେ ଯୁଗାଡ଼ ମାନେ ଏ ସବୁ ଜିନିଷକୁ ଯେ କୌଣସି ଆକୃତିରେ ଯୋଡ଼ନ୍ତୁ ବା ଲଗାନ୍ତୁ । ଯେ କୌଣସି ଆକୃତି ।

ଏବେ ଆପଣ ଗାଡ଼ି ଚଲେଇବାକୁ ପ୍ରସ୍ତୁତ । ଭିଣ୍ଡ-ମୋରେନା (ମଧ୍ୟ ପ୍ରଦେଶ)ରେ, ବୁନ୍ଦେଲଖଣ୍ଡରେ, ରାଜସ୍ଥାନର କେତେକ ସ୍ଥାନରେ ମଧ୍ୟ । କିନ୍ତୁ ହରିୟାଣାରେ ନୁହେଁ ।

ଭାରତୀୟ ପ୍ରଯୁକ୍ତି ବିଦ୍ୟା ଜଗତର ପ୍ରତିଭାଶାଳୀ ବ୍ୟକ୍ତିଙ୍କ ପାଇଁ ଏହା ଏକ କୀର୍ତ୍ତିସ୍ତମ୍ଭ । ଆପଣ ହୁଏତ ବିଶ୍ୱାସ କରିପାରିବେନି ଯେ ସେମାନେ ଏହାକୁ ଚଳନଯୋଗ୍ୟ କରିପାରନ୍ତି ବୋଲି, କିନ୍ତୁ ଏହା ଚାଲେ । ମୁଁ ବି ଏକ ଯୁଗାଡ଼ର ଉପଯୋଗ କରିଛି ଏବଂ ଏହା ମୋ ପାଇଁ ବି କାମରେ ଲାଗିଛି । ଯେମିତିକି ଏହା ଅନେକଙ୍କ କାମରେ ଲାଗେ, ଅନ୍ୟ ଅନେକ ଭାରତୀୟଙ୍କ କାମରେ । ବର୍ଜ୍ୟବସ୍ତୁର ପୁନର୍ବିନିଯୋଗ କ୍ଷେତ୍ରରେ ଏହା ଏକ ଚମତ୍କାରିତା । ଏକଦା ‘ଡିଜେଲ ଇଞ୍ଜିନ୍‌’ଟି ଜଳସେଚନ ପମ୍ପ୍‌ ଚଳାଇବାରେ ଲାଗୁଥିଲା । ଏହାକୁ ଏକାଠି କରି ଯୋଡ଼ିବା ବାବଦ ଖର୍ଚ୍ଚ ଖୁବ୍‌ କମ୍‌ । ମାତ୍ର କେଇ ହଜାର ଟଙ୍କା । ବେଳେବେଳେ ୨୦,୦୦୦ ଟଙ୍କା । ଏହାଠୁ କମ୍‌ରେ ମଧ୍ୟ ହୋଇଯାଏ ବୋଲି ମୁଁ ଶୁଣିଛି । ଏହାର ଗତି ଧୀର, କିନ୍ତୁ ଏହା କାମରେ ଲାଗେ । ଚାଷୀମାନେ ସେମାନଙ୍କ ଫସଲକୁ ଏଥିରେ ବୋଝେଇ କରି ବଜାରକୁ ଆଣନ୍ତି । ପୁଣି ଘରକୁ ଜିନିଷପତ୍ର ମଧ୍ୟ ବୋହି ନିଅନ୍ତି । ସୀମାନ୍ତବର୍ତ୍ତୀ ଗାଁରେ ରହୁଥିବା ଲୋକେ ପାଖ ସହରକୁ ଯିବା ଲାଗି ଏହାକୁ ବ୍ୟବହାର କରନ୍ତି । ସ୍କୁଲ୍‌ ପିଲାମାନେ ଏହାକୁ ବସ୍‌ ଭଳି କାମରେ ଲଗାନ୍ତି । ମୋରେନାର (ଯେଉଁଠି ଏହି ଫଟୋ ଉଠାଯାଇଥିଲା) ଲୋକଙ୍କ ପାଇଁ ଏହା ସାଧାରଣ ପରିବହନ ବ୍ୟବସ୍ଥାର ଏକ ରୂପ । ଏଥିରେ ଲାଗିଥିବା ଚକଗୁଡ଼ିକ କୌଣସି ଏକ ବାୟୁ ସେନା ଘାଟିର ଅଳିଆଗଦାରୁ ଆସିଥିବା ଭଳି ମନେହୁଏ ।

The jugaad is a miracle of waste recycling
PHOTO • P. Sainath

ବର୍ଜ୍ୟବସ୍ତୁ ପୁନର୍ବିନିଯୋଗରେ ଯୁଗାଡ଼ ଏକ ଚମତ୍କାରିତା

ନିରକ୍ଷର କିମ୍ବା ଅର୍ଦ୍ଧ-ସାକ୍ଷର ଚାଷୀମାନଙ୍କ ସରଳ ଯାନ୍ତ୍ରିକ ବୁଦ୍ଧିରୁ ହିଁ ଏହାର ସୃଷ୍ଟି । ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର ଦିଗରେ ସେମାନଙ୍କ ଦକ୍ଷତାକୁ ଅନେକାଂଶରେ ନ୍ୟୂନ କରି ଦେଖାଯାଇଛି । ସମାଜ ପ୍ରତି ଯୁଗାଡ଼ର ଏକ ବଳିଷ୍ଠ ଅବଦାନ ରହିଛି । ଧୀରେ ଧୀରେ ହେଲେ ବି ଏଗୁଡ଼ିକ ଭିତରୁ ଅନେକ ଘଣ୍ଟା ପ୍ରତି ୨୦ କିଲୋମିଟରରୁ ଅଧିକ ବେଗରେ ଯାଇପାରନ୍ତି ନାହିଁ ।

ଏସବୁ ସରକାରୀ ବାବୁମାନଙ୍କୁ ଅଡୁଆରେ ପକାଏ । କୁହାଯାଏ ଯେ ହରିୟାଣାରେ ଅଟୋମୋବାଇଲ ଶିଳ୍ପ ଜଗତର ଚାପରେ ଏହା ଉପରେ ନିଷେଧାଦେଶ ଜାରି କରାଯାଇଛି । କାରଣ, ଏହି ସରଳ ଯୁଗାଡ଼ ସେମାନଙ୍କ ଗାଡ଼ି ବ୍ୟବସାୟ ହାନି କରିବା ଆଶଙ୍କା ଉପୁଜିଛି । ବୋଧହୁଏ, ଏହା ହିଁ ସବୁଠୁ ମନ୍ଥର ଗତିରେ ଚାଲୁଥିବା ‘ଅଟୋମୋବାଇଲ’। ତଥାପି ଏହା ରାସ୍ତାରେ ଚାଲିଲେ କିଭଳି ବିପଦର ଆଶଙ୍କା ରହିଛି ସେ ସଂପର୍କରେ ଅନେକ ଭିତ୍ତିହୀନକଥା ପ୍ରଚାରିତ ହେଉଛି। ଅନ୍ୟ କେତେକ ସ୍ଥାନରେ ଏହାକୁ ମୋଟର ଯାନର ମାନ୍ୟତା ମିଳିନାହିଁ ।

ଏହାର ପ୍ରତିରୋଧ କରିବାକୁ ଯୁଗାଡ଼ ମାଲିକମାନେ ବି ମଟରଗାଡ଼ି ପାଇଁ ଲାଗୁଥିବା ଟିକସ ଦେବାକୁ ମନା କରି ଦିଅନ୍ତି । (“ସେମାନେ କହନ୍ତି ଯେ ଏହା ମଟରଗାଡ଼ି ନୁହେଁ, କହନ୍ତିନି କି ?)” ହେଲେ ପୋଲିସ ବି ପାଲଟା ଜବାବ ଦିଏ । ଯଦି କୌଣସି ଯୁଗାଡ଼ ମାଲିକଙ୍କ ଯନ୍ତ୍ର ରାସ୍ତାରେ ଚାଲୁଥିବା ଲୋକଙ୍କ ଦେହରେ ବାଜି ଯାଏ ତାହେଲେ ତାଙ୍କ ନାଁରେ ବେପରୁଆ ଗାଡ଼ିଚାଳନା ମାମଲା କରାଯାଏନି । ବରଂ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା କରାଯାଏ । ପୋଲିସ ବାବୁମାନେ ବିଦ୍ରୁପ କରି କହନ୍ତି, “ସେଗୁଡ଼ିକ ଦୁର୍ଘଟଣା ବା କେମିତି କରିବେ ? ସେସବୁ ତ ମଟର ଗାଡ଼ି ନୁହେଁ, ମନେ ଅଛି ତ ?”

ଯୁଗାଡ଼ ଶବ୍ଦରେ ନିହିତ ବାସ୍ତବ ଅର୍ଥର ଅନୁବାଦ କରିବା ଅସମ୍ଭବ । ଏଠି ଏହାର ମାନେ ହେଉଛି ଏଣୁତେଣୁ ଜିନିଷକୁ ଏକାଠି  କରି ତାଳିପକା ଢଙ୍ଗରେ ସଂପାଦିତ ଯାନ୍ତ୍ରିକ କାର୍ଯ୍ୟ । ଅମାର୍ଜିତ ହେଲେ ବି ଏହା ଏକ ଫଳପ୍ରଦ କାର୍ଯ୍ୟରୂପ ଯାହା ସୌନ୍ଦର୍ଯ୍ୟବୋଧକୁ ନୁହେଁ, ବରଂ ବାସ୍ତବ କାର୍ଯ୍ୟକାରିତାକୁ ପ୍ରାଧାନ୍ୟ ଦିଏ । ଅନୁବାଦ ଯାହା ହେଉନା କାହିଁକି, ମୁଁ ଏହାର ସପକ୍ଷବାଦୀ ।

You wouldn't believe they could make this run, but it does!
PHOTO • P. Sainath

ଆପଣ ବିଶ୍ୱାସ କରିବେନି ଯେ ଏହାକୁ ସେମାନେ ଚଳନଯୋଗ୍ୟ କରିପାରନ୍ତି ବୋଲି, କିନ୍ତୁ ଏହା ଚାଲେ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath