ଯାଦୁ ଦେଖାଇବା ପୂର୍ବରୁ, ଗୁଲାବ ଓ ଶହଜାଦ ଖୁବ ବଡ଼ ପାଟିରେ “ହୁରୁକ ବମ୍‌ ବମ୍‌ ଖେଲା!” ବୋଲି ଚିଲ୍ଲାଇଥାନ୍ତି। ଏହା ହେଉଛି ସେମାନଙ୍କ ପାଇଁ “ଆବ୍ରା କା ଡାବ୍ରା”ର ବଙ୍ଗଳା ସଂସ୍କରଣ! ଏହା ସେମାନଙ୍କୁ ୮୦-୯୦ ଦର୍ଶକଙ୍କୁ ଏକ ସମୟରେ ଏକତ୍ରିତ କରିବାରେ ସହାୟକ ହୋଇଥାଏ-ଯେଉଁମାନଙ୍କ ମଧ୍ୟରେ ଥାଆନ୍ତି-ପୁରୁଷ, ମହିଳା ଏବଂ ପିଲାମାନଙ୍କର ଏକ ଦଳ। ଦୁଇ ଭାଇଙ୍କ ମଧ୍ୟରେ ବଡ଼ ଗୁଲାବ, ଜଣେ ଦର୍ଶକ ମିଣ୍ଟୁ ହାଲଦାରଙ୍କ ସହାୟତା ଲୋଡ଼ନ୍ତି। ମିଣ୍ଟୁ ସାହସର ସହିତ ଆଗେଇ ଆସନ୍ତି। ଏହାପରେ ଯାଦୁକରୀ ଆରମ୍ଭ ହୋଇଥାଏ।

ସାନ ଭାଇ ଶହଜାଦଙ୍କୁ ଅଦୃଶ୍ୟ କରିବା ଲାଗି ଗୁଲାବ ପ୍ରତିଶ୍ରୁତି ଦିଅନ୍ତି। ଏହାପରେ ଅଦୃଶ୍ୟ ହେବାକୁ ଥିବା ସାନ ଭାଇ ଏକ ବଡ଼ ଜାଲ ଉପରେ ବସନ୍ତି, ମିଣ୍ଟୁ ଶହଜାଦଙ୍କ ମୁଣ୍ଡ ଉପରେ ଜାଲର ଶେଷ ଭାଗକୁ ବାନ୍ଧି ଦିଅନ୍ତି। ଏହାପରେ ଗୁଲାବ ଦୁଇ ପାଖରୁ ଖୋଲା ଥିବା ଏକ ବାକ୍ସ ଶହଜାଦଙ୍କ ଉପରେ ରଖିଥାନ୍ତି ଏବଂ ଏହାକୁ ଏକ ଚାଦରରେ ଘୋଡ଼ାଇ ଦିଅନ୍ତି। ଦର୍ଶକ ସେମିତି ଦେଖୁଥାନ୍ତି, ଆଗକୁ କ’ଣ ହେବ ସେହି ପ୍ରତୀକ୍ଷାରେ।

ଏହାପରେ, ସେ ତାଙ୍କ ଚାରି ପାଖରେ ଏକ ପଶୁ ହାଡ଼କୁ ବୁଲାଇଥାନ୍ତି ଏକ ‘ମନ୍ତ୍ର’ ଜପ କରି ସେହି ବାଳକଙ୍କୁ ଅଦୃଶ୍ୟ କରିଦେବା ଲାଗି ଉପରେ ଥିବା ଶକ୍ତିକୁ ନିବେଦନ କରିଥାନ୍ତି : “ଅରଘଟ ଖୋପଡ଼ି ମରଘଟ ମସାନ, ବଚ୍ଚା କେ ଲେଜା ତେଲିୟା ମସାନ”। ଏହାପରେ ସେ ବାକ୍ସର ସବୁ କୋଣକୁ ସ୍ପର୍ଶ କରି ଭିତରେ କିଛି ଅଛି କି ନାହିଁ ଅନୁଭବ କରିବା ଲାଗି କୁହନ୍ତି। ମିଣ୍ଟୁ ତାଙ୍କ ଆଜ୍ଞାକୁ ପାଳନ କରି ତାହା କରନ୍ତି, ଏବଂ କୁହନ୍ତି, ବାକ୍ସଟି ପ୍ରକୃତରେ ‘ଖାଲି’ ଅଛି। ଶହଜାଦ କେଉଁଠି ଦେଖାଯାଉନାହାନ୍ତି।

“ମୁଁ ତୁମ ଠାରୁ ଶୁଣିବାକୁ ଚାହେଁ: ଏ ପିଲାଟିକୁ କଷ୍ଟ ହେଉଛି କି? ସମସ୍ତେ ମୋତେ କୁହନ୍ତୁ : ସେ ଅଛି ନା ସେ ନାହିଁ?” ଗୁଲାବ ପଚାରନ୍ତି। ଦର୍ଶକ ତାଙ୍କ କଥାରେ ରାଜି ହୋଇଥାନ୍ତି ଯେ ବର୍ତ୍ତମାନ-ଅଦୃଶ୍ୟ ହୋଇଯାଇଥିବା ଶହଜାଦ ବାସ୍ତବରେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି।

“ମୁଁ ତୁମ ଠାରୁ ଶୁଣିବାକୁ ଚାହେଁ: ଏ ପିଲାଟିକୁ କଷ୍ଟ ହେଉଛି କି? ଦର୍ଶକ ତାଙ୍କ କଥାରେ ରାଜି ହୋଇଥାନ୍ତି ଯେ ବର୍ତ୍ତମାନ-ଅଦୃଶ୍ୟ ହୋଇଯାଇଥିବା ଶହଜାଦ ବାସ୍ତବରେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି।

ଭିଡିଓ ଦେଖନ୍ତୁ : ‘ସେ ବର୍ତ୍ତମାନ ଏଠି ଅଛନ୍ତି ନା ଅଦୃଶ୍ୟ ହୋଇଯାଇଛନ୍ତି’

ଏହା ହେଉଛି ବୁଲି ବୁଲି ଯାଦୁ ଦେଖାଉଥିବା ଯାଦୁକର ଗୁଲାବ ଶେଖ (୩୪) ଏବଂ ଶହଜାଦ (୧୬)ଙ୍କର ଯାଦୁ କୌଶଳ ମଧ୍ୟରୁ ଗୋଟିଏ ଯାହାକୁ ସେମାନେ ଦର୍ଶକ ସନ୍ଧାନରେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ସମୟରେ ଖୋଲା ପଡ଼ିଆ କିମ୍ବା ରାସ୍ତାକଡ଼ରେ ଦେଖାଇଥାନ୍ତି। ମୁଁ ଯେତେବେଳେ ସେମାନଙ୍କୁ ଭେଟିଲି ସେମାନେ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ପଣ୍ଡୁଆ ସହରରୁ ନଦିଆ ଜିଲ୍ଲାର ତେହଟ୍ଟା ଗ୍ରାମକୁ ଆସିଥିଲେ। “ଆମର ପୂର୍ବପୁରୁଷମାନେ ଏହି କାମ କରୁଥିଲେ ଏବଂ ବର୍ତ୍ତମାନ ଆମେ ମଧ୍ୟ ଏହାକୁ କରୁଛୁ”, ଗୁଲାବ କହିଥିଲେ। ସେ ଗତ ୨୦ ବର୍ଷ ଧରି ଯାଦୁକୌଶଳ ଦେଖାଇ ଆସୁଛନ୍ତି, ଅନ୍ୟପକ୍ଷେ ଶହଜାଦ ଚାରି ବର୍ଷ ପୂର୍ବେ ତାଙ୍କ ସହିତ ଯୋଗ ଦେଇଛନ୍ତି।

କିଛି ଦୂରରୁ ମୁଁ ଯେତେବେଳେ ସେମାନଙ୍କର ଡୁଗଡୁଗି ଶୁଣିଲି, ମୋତେ ଲାଗିଲା ଜଣେ ମାଙ୍କଡ଼ ନଚାଳି ବୋଧହୁଏ ନିଜ ଡମ୍ବରୁ ଏବଂ ତାଲିମପ୍ରାପ୍ତ ମାଙ୍କଡ଼ ସହିତ କୌଶଳ ଦେଖାଉଛି। କିନ୍ତୁ ଏକ ଖୋଲା ପଡ଼ିଆରେ ଜଣେ ବାଳକକୁ ବନ୍ଧା ହୋଇଥିବା ଦେଖି ମୁଁ ଚକିତ ହେଲି। ମୁଁ ସେମାନଙ୍କର କୌଣସି ଗୋପନୀୟତାକୁ ପରିପ୍ରକାଶ କରିବି ନାହିଁ ବୋଲି ଦୁଇ ଭାଇଙ୍କୁ ମୁଁ ଆଶ୍ୱାସନା ଦେଲି। ସେମାନେ ନିଶ୍ଚିତ ହେଲେ, ଏହାପରେ ତେହଟ୍ଟାର ଦତ୍ତ ପଡ଼ା ଅଞ୍ଚଳରେ ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ସେମାନେ ମୋତେ ସାଥିରେ ଯିବାକୁ କହିଲେ।

କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ସମୟରେ ଗୁଲାବ ନିରନ୍ତର ଭାବେ ଦର୍ଶକଙ୍କ ସହିତ ବାର୍ତ୍ତାଳାପ କରିଥାନ୍ତି, ସେମାନଙ୍କୁ ମଜାଳିଆ କଥା କହିଥାନ୍ତି ଏବଂ ବେଳେ ବେଳେ ଧର୍ମ ଓ ଅନ୍ୟ ବିଷୟରେ ଆଲୋଚନା କରିଥାନ୍ତି। ଅଦୃଶ୍ୟ କୌଶଳର ମଝିରେ, ସେ ଜାରି ରଖନ୍ତି : “କେବଳ ଭଗବାନ ଯାହାକୁ ପିଲାଟିଏ ଦେଇନାହାନ୍ତି, ସେହି ଲୋକ ହିଁ କହିବ ଏ ପିଲା କଷ୍ଟ ସମୟ ଦେଇ ଗତି କରୁନାହିଁ। ସେ ସୂର୍ଯ୍ୟଙ୍କ ଉତ୍ତାପରେ ଭାଜି ହେଉଛି। ସେ ଅଧଘଣ୍ଟା ପାଇଁ ମାଟି ତଳକୁ ଚାଲିଯାଇଛି। ଏତେ ବଡ଼ ବାଳକ ଏକ ଛୋଟିଆ ଜାଲରେ ୭-୮ ମିନିଟ ପାଇଁ ବାନ୍ଧି ହୋଇ ରହିଛି। ଯଦି ତୁମେ ଅନ୍ୟ କୌଣସି ବାଳକକୁ ଏପରି ବାନ୍ଧିବ, ସେ ଅଣନିଶ୍ୱାସୀ ହୋଇଯିବ କିମ୍ବା ବେକ ବୁଲାଇ ଦେବ। କିନ୍ତୁ ଏହି ବାଳକ ଭୋକ କାରଣରୁ ନିଜକୁ ଏପରି ଭାବେ ବାନ୍ଧି ରଖିଛି।”

ଯାଦୁକରୀ ଏବଂ କଳାକୌଶଳ ପ୍ରଦର୍ଶିତ କରିବା ସମୟରେ ଗୁଲାବ ସେମାନଙ୍କର କଷ୍ଟ ବିଷୟରେ କହିଚାଲିଥାନ୍ତି ଏବଂ ବେଳେ ବେଳେ ହାଲୁକା ଅନ୍ତରାଳ ପାଇଁ ବଂଶୀ ବଜାଇଥାନ୍ତି। ଆଉ ଏକ ଗମ୍ଭୀର ସ୍ଥିତିରେ ସେ ଦର୍ଶକଙ୍କୁ ପଚାରନ୍ତି, “ମୁଁ କାହିଁକି ଏହି କାମ କରୁଛି?” ସେ ନିଜେ ହିଁ ନିଜ ପ୍ରଶ୍ନର ଉତ୍ତର ଦେଇଥାନ୍ତି : “ଭୋକ ପାଇଁ”।

ଶହଜାଦ ସମ୍ପୂର୍ଣ୍ଣ ଯାଦୁକରୀ କାର୍ଯ୍ୟକ୍ରମ ସମୟରେ (ବୋଧହୁଏ) ସେହି ବାକ୍ସ ଭିତରେ ରହିଥାନ୍ତି।

Gulab Shaikh performing street magic
PHOTO • Soumyabrata Roy

ଅଦୃଶ୍ୟ କୌଶଳ ପ୍ରଦର୍ଶନ ସମୟରେ, ଗୁଲାବ ଶେଖ ତେହଟ୍ଟା ଗ୍ରାମରେ ଏକତ୍ରିତ ଦର୍ଶକଙ୍କ ସହିତ କଥାବାର୍ତ୍ତା ଜାରି ରଖିଥାନ୍ତି। ଭାଇମାନେ ଶେଷରେ ଏକ ବାଇସାଇକେଲ ଟାୟାରକୁ ଛୋଟିଆ ‘ସାପ’ରେ ‘ପରିଣତ’ କରିଦେଇଥାନ୍ତି-ଏବଂ ସେମାନେ ଖୁବ ସନ୍ତୋଷଜନକ ଭାବେ ଏହା କରିଥାନ୍ତି।

ଶେଷରେ ଭାଇମାନେ ଏକ ବାଇସାଇକେଲ ଟାୟାରକୁ ଛୋଟିଆ, ହାନିକାରକ ହୋଇନଥିବା ‘ସାପ’ରେ ପରିଣତ କରିଦେଇଥାନ୍ତି-ଏବଂ ଏହାକୁ ବେଶ ସନ୍ତୋଷଜନକ ଭାବେ ସମ୍ପାଦନ କରିଥାନ୍ତି। ଗୁଲାବ ଏକ ଲୋକପ୍ରିୟ ବଙ୍ଗଳା ଗୀତରେ ବଇଁଶି ବଜାଇ ଯାଦୁ ପ୍ରଦର୍ଶନ ଶେଷ କରିଥାନ୍ତି।

ଏବେ ଦର୍ଶକଙ୍କଠାରୁ ଟଙ୍କା ଆଦାୟ କରିବାର ସମୟ। ଏହା କରିବା ସମୟରେ, ଗୁଲାବ କହିଥାନ୍ତି, “ମୁଁ ଭୋକ ବିଷୟରେ କହିଲି, କିନ୍ତୁ ଦୟାକରି କାହାକୁ ଛାଡ଼ିଯିବାକୁ ଦିଅନ୍ତୁ ନାହିଁ… ଯଦି ଆପଣମାନେ ଏହି କାର୍ଯ୍ୟକ୍ରମ (ଏହାର ଅର୍ଥ)କୁ ବୁଝିଛନ୍ତି, ଏହାର ମୂଲ୍ୟ  ୫୦୦ ଟଙ୍କା ଏବଂ ଯଦି ବୁଝିନାହାନ୍ତି ଏହାର ମୂଲ୍ୟ ୫ ପଇସା ମଧ୍ୟ ନୁହେଁ। ମୋ ଭାଇ ଏବଂ ମୁଁ ସିଧାସଳଖ ଏକ ଘଣ୍ଟା ପର୍ଯ୍ୟନ୍ତ ଏହାକୁ କରିବା ଲାଗି ଅନେକ ଯନ୍ତ୍ରଣା ସହିଛୁ। ଆମେ ଯାଦୁକରୀ ଦେଖାଇବା ପାଇଁ ଅନେକଗୁଡ଼ିଏ ଲୋକଙ୍କୁ ଏକତ୍ରିତ କରିଛୁ ଏବଂ ସେମାନଙ୍କ ପାଇଁ ବଂଶୀ ମଧ୍ୟ ବଜାଇଛୁ। ମୁଁ ସମସ୍ତଙ୍କୁ ଖୁସି ନା ଦୁଃଖ ଦେଇଛି? ମୁଁ ଆପଣମାନଙ୍କଠାରୁ ଶୁଣିବାକୁ ଚାହେଁ।”

ସବୁ ଦର୍ଶକ ଯାଦୁକରଙ୍କୁ ଟଙ୍କା ଦିଅନ୍ତି ନାହିଁ। କାର୍ଯ୍ୟକ୍ରମ ଶେଷ ହେବା ପରେ, ଗୁଲାବ ଓ ଶହଜାଦ ମୋତେ କହିଲେ ଯେ ଦିନକୁ ସେମାନେ ୩ରୁ ୪ ଘଣ୍ଟା ଧରି ଯାଦୁକୌଶଳ ପ୍ରଦର୍ଶନ କରିଥାନ୍ତି ଏବଂ ଦିନେ ଦିନେ ସେମାନେ ଏହି କାର୍ଯ୍ୟକ୍ରମରୁ ମୋଟ ୫୦୦ ଟଙ୍କା ରୋଜଗାର କରିଥାନ୍ତି। ପ୍ରତ୍ୟେକ ଦର୍ଶକଙ୍କଠାରୁ ସେମାନେ ୨୦ ଟଙ୍କା ଆଶା କରିଥାନ୍ତି ଏବଂ ଯଦି କେହି ଏହାଠାରୁ ଅଧିକ ଦେଇଥାନ୍ତି, ସାଧାରଣତଃ ସେମାନେ ଅବଶିଷ୍ଟ ଟଙ୍କା ଫେରାଇ ଦେଇଥାନ୍ତି। ଏହା ସେମାନଙ୍କ ପାଇଁ ଏକ ସଂସ୍କାର-ସେମାନେ ନିଜ ଆବଶ୍ୟକତା ଅନୁଯାୟୀ ସର୍ବନିମ୍ନ ହିଁ ଆଶା କରିଥାନ୍ତି। “ଭାତ ଥାଳିର ମୂଲ୍ୟ ୨୦ ଟଙ୍କା”, ଶହଜାଦ କୁହନ୍ତି।

କୋଭିଡ-୧୯ ମହାମାରୀ ଏବଂ ଯାତାୟାତ ଓ ଜନସମାଗମ ଉପରେ କଟକଣା ନିଶ୍ଚିତ ଭାବେ ସେମାନଙ୍କର ଜୀବିକାକୁ ପ୍ରଭାବିତ କରିଥିବ? ଗୁଲାବ କୁହନ୍ତି, “ପ୍ରଥମ ଚାରି ମାସ ପର୍ଯ୍ୟନ୍ତ, ଲକଡାଉନ କାରଣରୁ ଆମେ ଘରୁ ବାହାରି ପାରିଲୁ ନାହିଁ। ଏବେ ବି ମୋ ଉପରେ ସେହି ଋଣ ରହିଛି।”

ଜୀବିକା ଅର୍ଜନ ଏବଂ ପରିବାର ଚଳାଇବା ପାଇଁ ଗୁଲାବ ଓ ଶହଜାଦଙ୍କ ପାଇଁ ଯାଦୁ ଦେଖାଇବାର କାମ ଜାରି ରହିବା ଜରୁରି। ସେଦିନର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସାରିବା ପୂର୍ବରୁ ସେମାନେ ଦର୍ଶକମାନଙ୍କୁ ଆଉ ଏକ ଅନୁରୋଧ କଲେ: “ସମସ୍ତେ ମୋତେ ସାହାଯ୍ୟ କରିବେ, ସମସ୍ତେ ମିଶି, କିନ୍ତୁ ଟଙ୍କାର ସାହାଯ୍ୟ ନୁହେଁ,” ଗୁଲାବ କହିଲେ। “ଭଗବାନ ଆପଣମାନଙ୍କୁ ଦୁଇ ହାତ ଦେଇଛନ୍ତି ତାଳି ବଜାଇବା ପାଇଁ!” ଦର୍ଶକମାନେ ଖୁବଜୋରରେ ତାଳି ବଜାଇଲେ ଏବଂ ଯାଦୁକର ମୁଣ୍ଡ ନୁଆଁଇ ଅଭିବାଦନ ଜଣାଇଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Soumyabrata Roy

Soumyabrata Roy is a freelance photojournalist based in Tehatta, West Bengal. He has a Diploma in Photography (2019) from the Ramakrishna Mission Vidyamandira, Belur Math (University of Calcutta).

Other stories by Soumyabrata Roy