ଉତ୍ତର କୋଲକାତାର କୁମାରତୁଲିର ଅଣଓସାରିଆ ଗଳି, ଯେଉଁଠି କି ଅତି କଷ୍ଟରେ ହାତଟଣା ରିକ୍‌ସାଟିଏ ହିଁ ଯାଇପାରିବ, ସେଠି ସାଧାରଣତଃ ଆପଣ କେବଳ ସେଇ କୁମାରମାନଙ୍କୁ ହିଁ ଭେଟିବେ-ଯେଉଁମାନେ କି ସହରରେ ମୂର୍ତ୍ତି କାରିଗର ଭାବେ ପରିଚିତ । ପ୍ରତି ବର୍ଷ ଏହି ସ୍ଥାନରୁ ଯାଇ କୋଲକାତା ନଗରୀରେ ପହଞ୍ଚନ୍ତି ଦେବୀ ଦୁର୍ଗା ଏବଂ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ସମୂହ ।

PHOTO • Sinchita Maaji

କୁମାରତୁଲିର ତାଙ୍କ କାର୍ଯ୍ୟଶାଳାରେ କାର୍ତ୍ତିକ ପଲ୍‌

ଏଠାରେ କାର୍ତ୍ତିକ ପଲ୍‌ଙ୍କର ଏକ କାର୍ଯ୍ୟଶାଳା ରହିଛି, ଯାହାକି ବାସ୍ତବରେ ବାଉଁଶ ଏବଂ ପ୍ଲାଷ୍ଟିକ୍‌ର ଏକ ଚାଳିଆ ଏବଂ ଯାହାର ନାଁ ଦିଆଯାଇଛି ‘ବ୍ରଜେଶ୍ୱର ଆଣ୍ଡ ସନ୍‌ସ’ (ତାଙ୍କ ବାପାଙ୍କ ନାମରେ ନାମିତ) । ମୂର୍ତ୍ତି ଗଢ଼ିବାର ଲମ୍ବା ଏବଂ ପର୍ଯ୍ୟାୟଭିତ୍ତିକ ପ୍ରକ୍ରିୟା ସଂପର୍କରେ ସେ ଆମକୁ କହନ୍ତି। ମୂର୍ତ୍ତି ଗଢ଼ିବାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ମାଟିର ମିଶ୍ରଣ ବ୍ୟବହୃତ ହୁଏ, ଯେମିତି କି ଗଙ୍ଗାମାଟି (ନଦୀକୂଳରୁ ଅଣାଯାଇଥିବା କାଦୁଆ ମାଟି) ଏବଂ ପାଥ ମାଟି (ଝୋଟଗୁଣ୍ଡ ଏବଂ ଗଙ୍ଗାମାଟିର ଏକ ମିଶ୍ରଣ)।

PHOTO • Sinchita Maaji

ଝୋଟଗୁଣ୍ଡ ସହିତ ଗଙ୍ଗାରୁ ଅଣାଯାଇଥିବା ‘ଆଟେଲ ମାଟି’ ମିଶାଇ କାରିଗରମାନେ ‘ପାଥ୍‌ ମାଟି’ ନାମକ ଏକ କାଦୁଅ ପ୍ରସ୍ତୁତ କରନ୍ତି

PHOTO • Sinchita Maaji

ମୂର୍ତ୍ତିକୁ ଧରି ରଖିବା ପାଇଁ ନିର୍ମିତ ବାଉଁଶର ଏକ ଢାଞ୍ଚା ‘କାଠାମୋ’ରୁ ଆରମ୍ଭ ହୁଏ ମୂର୍ତ୍ତି ଗଢ଼ିବା ପ୍ରକ୍ରିୟା

PHOTO • Sinchita Maaji

ବାଉଁଶର ଢାଞ୍ଚାଟି ପ୍ରସ୍ତୁତ ହୋଇଗଲା ପରେ ଏଥିରେ ଏକ ବ୍ୟବସ୍ଥିତ ଧାରାରେ ନଡ଼ା ଗୁଡ଼ାଇ ମୂର୍ତ୍ତିର ଏକ ଆକୃତି ପ୍ରସ୍ତୁତ ହୁଏ;ଏଥିପାଇଁ ଆବଶ୍ୟକ କଞ୍ଚାମାଲ ନିକଟବର୍ତ୍ତୀ ବାଗ୍‌ବାଜାର ମାର୍କେଟରୁ ଅଣାଯାଏ

PHOTO • Sinchita Maaji

ଜଣେ କାରିଗର ନଡ଼ାର ଏହି ଢାଞ୍ଚାରେ କଳାରଙ୍ଗର ଅଠାଳିଆ କାଦୁଅ ଲେପି ଏହାକୁ ମୁର୍ତ୍ତିର ଆକାର ଦିଅନ୍ତି; ମାଟିର ଏହି ଢାଞ୍ଚାକୁ ଶୁଖାଇବା ଲାଗି ୩-୪ ଦିନ ଖରାରେ ରଖାଯାଏ

ଆମେ କଥାବାର୍ତ୍ତା କରୁଥିବା ବେଳେ, ପଲ୍‌ ତାଙ୍କ କୁଶଳୀ ହାତରେ ଓଦା ମାଟିରେ ତିଆରି କାର୍ତ୍ତିକ ଦେବଙ୍କ ଏକ ମୂର୍ତ୍ତିର ମୁହଁକୁ ସୂକ୍ଷ୍ମ ଭାବେ ରୂପ ଦେବାରେ ଲାଗିଥାଆନ୍ତି । ଏଥିପାଇଁ ସେ ଏକ ରଙ୍ଗମରା ବ୍ରସ୍ ଏବଂ ଚିୟାରି  ନାମକ ମୂର୍ତ୍ତି ଗଢ଼ିବା ଲାଗି ହାତରେ ମସୃଣ କରାଯାଇଥିବା ବାଉଁଶ ତିଆରି ଏକ ଉପକରଣ ବ୍ୟବହାର କରନ୍ତି

PHOTO • Sinchita Maaji

ସୂକ୍ଷ୍ମ କାର୍ଯ୍ୟ ନିମନ୍ତେ ଏକ ରଙ୍ଗମରା ବ୍ରସ୍ ଏବଂ ବାଉଁଶ ତିଆରି ମୂର୍ତ୍ତିଗଢ଼ା ଉପକରଣ ବ୍ୟବହୃତ ହୁଏ

ପାଖରେ ଥିବା ଅନ୍ୟ ଏକ କାର୍ଯ୍ୟଶାଳାରେ, ଗୋପାଲ ପଲ୍‌ ଏକ ଅଠା ପ୍ରସ୍ତୁତ କରିଛନ୍ତି, ଯାହାକୁ ମାଟିର ଢାଞ୍ଚା ଉପରେ ଏକ ପତଳା ତଉଲିଆ ଭଳି ପଦାର୍ଥ ଲଗାଇବାରେ ବ୍ୟବହାର କରିହେବ ଏବଂ ଏଥିରେ ତ୍ୱଚାର ରୂପ ଫୁଟି ଉଠିବ । ଗୋପାଳଙ୍କ ଘର କୋଲକାତାର ଉତ୍ତରରେ ପ୍ରାୟ ୧୨୦ କିଲୋମିଟର ଦୂର ନଦିଆ ଜିଲ୍ଲା କ୍ରିଷ୍ଣନଗରରେ। ଏଠାକାର ଅଧିକାଂଶ କର୍ମୀ ସେଇ ଜିଲ୍ଲାରୁ ଆସିଛନ୍ତି ଏବଂ ସମସ୍ତେ ପୁରୁଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି ଅଞ୍ଚଳରେ, କାର୍ଯ୍ୟଶାଳା ମାଲିକ ଯୋଗାଇ ଦେଇଥିବା କ୍ୱାର୍ଟରରେ ରହନ୍ତି । ପୂଜାଋତୁର କେଇ ମାସ ଆଗରୁ ଏହି କର୍ମୀମାନଙ୍କୁ ନିୟୋଜିତ କରାଯାଏ । ସେମାନେ ଆଠ ଘଣ୍ଟିଆ ସିଫ୍ଟରେ କାମ କରନ୍ତି । କିନ୍ତୁ ଶାରଦୀୟ ପର୍ବର ଠିକ୍‌ ପୂର୍ବରୁ ଏହି କାରିଗରମାନେ ସାରା ରାତି କାମ କରନ୍ତି ଏବଂ ଅତିରିକ୍ତ ସମୟ ବାବଦରେ ଅଧିକ ମଜୁରି ନିଅନ୍ତି ।

PHOTO • Sinchita Maaji

ପାଖରେ ଥିବା ଅନ୍ୟ ଏକ କାର୍ଯ୍ୟଶାଳାରେ ମୂର୍ତ୍ତିରେ ତ୍ୱଚାର ରୂପ ଫୁଟାଇବାକୁ ସରୁ ତଉଲିଆ ଭଳି ପଦାର୍ଥ ବ୍ୟବହାର କରନ୍ତି ଗୋପାଲ ପଲ୍‌

ପ୍ରଥମେ ପ୍ରାୟ ୩୦୦ ବର୍ଷ ତଳେ କୁମ୍ଭାରମାନେ କ୍ରିଷ୍ଣନଗର ଛାଡ଼ି କୁମାରତୁଲିକୁ ଆସିଥିଲେ । ନୂତନ ଭାବେ ଗଢ଼ି ଉଠୁଥିବା କୁମାରତୁଲିରେ ସେମାନେ ଅଳ୍ପ କେଇ ମାସ ପାଇଁ ରହିଲେ । ସହଜରେ ନଦୀରୁ ମାଟି ପାଇବା ଲାଗି ସେମାନେ ବାଗବାଜାର ଘାଟ ନିକଟରେ ରହିଲେ । ଏବଂ ସେମାନେ ଜମିଦାରମାନଙ୍କ ଘରେ ରହି କାମ କଲେ, ଦୁର୍ଗାପୂଜା ଉତ୍ସବର କିଛି ସପ୍ତାହ ପୂର୍ବରୁ ବିଭିନ୍ନ ଠାକୁରଦାଲାନରେ (ଜମିଦାରମାନଙ୍କ ବାସଗୃହ ପରିସରରେ ଧାର୍ମିକ ପର୍ବ ପାଳନ ଲାଗି ଚିହ୍ନିତ ଅଞ୍ଚଳରେ)ମୂର୍ତ୍ତି ଗଢ଼ିବାରେ ଲାଗିଲେ ।

୧୯୦୫ରେ ବେଙ୍ଗଲର ବିଭାଜନ ସମୟରେ ଏବଂ ତା ପୂର୍ବରୁ ବାଂଲାଦେଶର ଢାକା, ବୀରକାମପୁର ଏବଂ ଫରିଦପୁରରୁ ସୁଦକ୍ଷ କାରିଗରମାନେ କୁମାରତୁଲିକୁ ଆସୁଥିଲେ । ଭାରତ ସ୍ୱାଧୀନ ହେବା ପରେ ଜମିଦାରି ପ୍ରଥା ଲୋପ ପାଇବାରେ ଲାଗିଲା ଏବଂ ସାର୍ବଜନୀନ ବା ସାମୂହିକ ପୂଜା ଲୋକପ୍ରିୟ ହେଲା । ସେଇ ସମୟରେ ମା’ ଦୁର୍ଗା ଆବଦ୍ଧ ଠାକୁରଦାଲାନରୁ ବାହାରି ରାସ୍ତା ଉପରେ ନିର୍ମିତ ଓସାରିଆ ପେଣ୍ଡାଲକୁ ଗଲେ, ଯେଉଁଠି ଦେବୀ ଓ ଅନ୍ୟାନ୍ୟ ପ୍ରତିମାଙ୍କ ପୃଷ୍ଠଭାଗରେ ଭିନ୍ନ ଭିନ୍ନ ଏବଂ ବିସ୍ତୃତ ଚିତ୍ରପଟ ଥିଲା ।

PHOTO • Sinchita Maaji

ଶେଷରେ,ମହାଳୟାର ଶୁଭ ଅବସରରେ ମା’ ଦୁର୍ଗାଙ୍କ ଚକ୍ଷୁ ଚିତ୍ରଣ କରାଯିବା ସହିତ ମୃଣ୍ମୟ ପ୍ରତିମାରେ ପ୍ରାଣ ସଞ୍ଚାରିତ ହୁଏ

ଦୁର୍ଗାପୂଜା ପଶ୍ଚିମବଙ୍ଗର ସବୁଠାରୁ ବଡ଼ ପର୍ବ। ସାଧାରଣତଃ ସେପ୍ଟେମ୍ବର ଶେଷ-ଅକ୍ଟୋବର ଆରମ୍ଭରେ ମହାଳୟା ଦିନରୁ ଏହା ଆରମ୍ଭ ହୁଏ । ଏହି ଦିନ ହଜାର ହଜାର ଲୋକ ଗଙ୍ଗା ନଦୀ କୂଳରେ (ସ୍ଥାନୀୟ ଭାଷାରେ, ହୁଗୁଲି) ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଅର୍ପଣ କରନ୍ତି । ଏହି ପ୍ରଥାକୁ ତର୍ପଣ କୁହାଯାଏ । ଚତୁର୍ଥୀ, ପଞ୍ଚମୀ କିମ୍ବା ଷଷ୍ଠୀ ଦିନ ମୂର୍ତ୍ତି ଅନାବୃତ ହୋଇଥାଏ । ମହାସପ୍ତମୀ, ମହାଷ୍ଟମୀ ଏବଂ ମହାନବମୀ ତିନି ଦିନ ଧରି ମୁଖ୍ୟ ପୂଜା ହୋଇଥାଏ । ଏହି ପୂଜାବିଧି ସୁଦୀର୍ଘ ଏବଂ ସୁବିସ୍ତୃତ । ଏହି ତିନି ଦିନ ପରେ, ଦଶମୀ ଦିନ (ଶେଷ ଦିନ) କୋଲକାତାର ଅଧିକାଂଶ ଲୋକେ ଦେବୀ ପ୍ରତିମାଗୁଡ଼ିକୁ ବାବୁଘାଟ କିମ୍ବା ହୁଗୁଲିର ଅନ୍ୟାନ୍ୟ ସ୍ଥାନରେ ବିସର୍ଜନ କରି ଦେବୀଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଅନ୍ତି ।

କୁମାରତୁଲିର ତାଙ୍କ କାର୍ଯ୍ୟଶାଳାରେ ଦେବୀ ପ୍ରତିମାରେ ଶେଷ ସ୍ପର୍ଶ ଦେଉ ଦେଉ କାର୍ତ୍ତିକ ଆମକୁ କହନ୍ତି ଯେ ସେ ଓ ତାଙ୍କ ସହକର୍ମୀମାନେ ଏହି ରଙ୍ଗକୁ ନିଜ ହାତରେ ତିଆରି କରନ୍ତି । ସେମାନେ ଖୋରି ମାଟି (ସମୁଦ୍ର ଫେଣରୁ ତିଆରି ଏକ ସ୍ୱତନ୍ତ୍ର ମାଟି) ସହିତ ରାସାୟନିକ ରଙ୍ଗ ଏବଂ ଖାଇ-ବିଚି  କିମ୍ବା ତେନ୍ତୁଳି ମଞ୍ଜିରୁ ପ୍ରସ୍ତୁତ ଏକ ଅଠା ମିଶାନ୍ତି । ମାଟି ମୂର୍ତ୍ତି ଉପରେ ଦିଆଯାଇଥିବା ରଙ୍ଗକୁ ଦୀର୍ଘକାଳ ଧରି ରଖିବାରେ ତେନ୍ତୁଳି ମଞ୍ଜିର ଗୁଣ୍ଡ ସାହାଯ୍ୟ କରେ ।

କିଛି ସମୟ ପରେ ମୂର୍ତ୍ତି ପ୍ରସ୍ତୁତ ହୋଇଯାଏ ଏବଂ ସେଠାରୁ ବାହାରି ସହର ଭିତରକୁ ଯାତ୍ରାରମ୍ଭ କରିବା ଲାଗି ସଜେଇ ହୋଇ ରହେ । ଖୁବ୍‌ ଶୀଘ୍ର କୁମାରତୁଲିର କ୍ଷୀଣ ଆଲୋକିତ କାର୍ଯ୍ୟଶାଳାଗୁଡ଼ିକ, ସେମାନଙ୍କ କଳାକୃତିକୁ ବିଦାୟ ଜଣାଇବେ ଏବଂ ସେମାନେ କୋଲକାତାରେ ଉଜ୍ଜ୍ୱଳ ଆଲୋକରେ ସଜ୍ଜିତ ପେଣ୍ଡାଲଗୁଡ଼ିକ ହେବ ସେମାନଙ୍କର ନୂତନ ଆବାସସ୍ଥଳୀ ।

ଦେଖନ୍ତୁ:‘ଯାତ୍ରାପଥରେ କୁମାରତୁଲି’ ଫଟୋ ଆଲବମ୍‌

ଏହି ଭିଡିଓ ଏବଂ ଲେଖା ସିଞ୍ଚିତା ମାଜିଙ୍କ ୨୦୧୫- ୨୦୧୬ ପରୀ ଫେଲୋସିପ୍‌ର ଅଂଶ ରୂପେ ପ୍ରସ୍ତୁତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sinchita Maji

Sinchita Maji is a Video Coordinator at the People’s Archive of Rural India, and a freelance photographer and documentary filmmaker.

Other stories by Sinchita Maji