ମଦନଲାଲ୍‌ ମୁର୍ମୁ କହନ୍ତି, ‘‘ସେ ଅନ୍ଧ, ତଥାପି ସେ ଆପଣଙ୍କୁ ଦେଖୁଛି ।’’ ଧୂସର ମିଶା ହଳଦିଆ ରଙ୍ଗ ଏବଂ ଉଜ୍ଜ୍ୱଳ ଏକଯୋଡା ଗୋଲ ଆଖି ମୋତେ ମୋହିତ କଲା– ଅନ୍ୟଥା ଧୂଳିପୂର୍ଣ୍ଣ ଓ କାଦୁଅରେ ଢାଙ୍କି ହୋଇଥିବା ପରିବେଶରେ ତାହା ଗାଢ଼ ରଙ୍ଗର ଏକମାତ୍ର ସ୍ଥାନ । ମୁଁ ଶୀଘ୍ର ଏକ ଫଟୋ ଉଠାଇବା ପାଇଁ ପାଖକୁ ଘୁଞ୍ଚିବାକୁ ଚେଷ୍ଟା କଲି, କିନ୍ତୁ ଏହା ବୁଲି ପଡ଼ିଲା । ମୁଁ ପୁଣି ବୁଲି ପଡ଼ିଲି ଏବଂ କ୍ଲିକ୍‌ କରିବାରେ ସଫଳ ହେଲି ।

ମଦନଲାଲ୍‌ ସେମାନଙ୍କୁ କିଛି ସଙ୍କେତ ଦେବା ଭଳି ଶବ୍ଦ କରନ୍ତି, ଏବଂ ସେମାନେ ପ୍ରତିକ୍ରିୟା ଦେବା ଭଳି ଦେଖାଯାଏ । ସେ ଏକ ସ୍ମିତହାସ୍ୟ ସହ ମୋତେ ନିଜର ଦୁଇଟି ପାଳିତ ପେଚା, ସିଧୁ ମୁର୍ମୁ ଏବଂ କାହ୍ନୁ ମୁର୍ମୁ ସହ ଭେଟାଇଲେ । ସେ କହିଲେ, ‘‘ସେମାନେ ପରିବାରର ଏକ ଅଂଶ।’’

PHOTO • Shreya Katyayini

ମୁଁ କାହାଣୀ ସନ୍ଧାନରେ ବିହାର ବାଙ୍କା ଜିଲ୍ଲାରେ ଚିହୁଟିଆ ଗାଁ ରାସ୍ତାରେ ଥିଲି, ସେତିକିବେଳେ ମୁଁ ମାଟି ଉପରେ ବସି ଝାଡୁ ତିଆରି କରୁଥିବା ମଦନଲାଲଙ୍କୁ ଦେଖିଲି । ଆମେ କିଛି ସମୟ ପାଇଁ କଥା ହେଲୁ, ତା’ପରେ ସେ ମୋ ସହ ନିଜ ବସ୍ତି ଉପକଣ୍ଠକୁ ଗଲେ, ଯେଉଁଠାରେ ମୁଁ ଦେଖିଲି ତାଙ୍କ ଘର ବାହାରେ ଦୁଇଟି ପେଚା ଛୁଆ ମୋ ଆଡ଼କୁ ‘ଦେଖୁଛନ୍ତି’ । (ପେଚା ଦିନ ବେଳେ ଦୃଷ୍ଟିହୀନ ହୋଇନଥାନ୍ତି, ବରଂ ସେମାନଙ୍କର ରାତିର ଦୃଷ୍ଟି ଉନ୍ନତ ହୋଇଥାଏ।)

PHOTO • Shreya Katyayini

ପେଚା ଦୁଇଟିର ନାମ ଦୁଇ ଜଣ ପ୍ରସିଦ୍ଧ ଆଦିବାସୀ ନେତା ସିଧୁ-କାହ୍ନୁଙ୍କ ନାମ ଅନୁସାରେ ରଖାଯାଇଛି, ଯେଉଁମାନେ ୧୮୫୫ରେ ଇଂରେଜଙ୍କ ବିରୋଧରେ ସାନ୍ତାଳ ବିଦ୍ରୋହର ନେତୃତ୍ୱ ନେଇଥିଲେ । ସେମାନେ ବି ମୁର୍ମୁ ଥିଲେ – ଏକ ସାନ୍ତାଳ ବଂଶ । (ମଦନଲାଲ ମୋତେ କହନ୍ତି ସେ ତିଲକା ମାନ୍‌ଝୀ ଏବଂ ତାଙ୍କ ଜୀବନ ଦ୍ୱାରା ମଧ୍ୟ ପ୍ରେରିତ; ମାନ୍‌ଝୀ ଜଣେ ଆଦିବାସୀ ନେତା ଥିଲେ, ଯିଏକି ୧୮୫୭ରେ ମଙ୍ଗଳ ପାଣ୍ଡେଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହର ବହୁ ଦଶକ ପୂର୍ବରୁ ୧୭୮୪ରେ ଇଂରେଜଙ୍କ ବିରୋଧରେ ଅସ୍ତ୍ର ଉଠାଇଥିଲେ ।)

PHOTO • Shreya Katyayini

ନିଜ ଜୀବନର ୪୦ ଦଶକରେ ଥିବା ମଦନଲାଲ, ସାନ୍ତାଳ ଜନଜାତିର । ତାଙ୍କ ପାଖରେ କୌଣସି ଜମି ନାହିଁ ଏବଂ ସେ ନିଜ ପତ୍ନୀଙ୍କ ସହ ବିହାର ବାଙ୍କା ଜିଲ୍ଲାର କାକୱରତୋଲାର ଚିହୁଟିଆ ଗାଁ ପାଖରେ ବନ ବିଭାଗ ଜମିରେ ଗୋଟିଏ ଏକ କୋଠରୀ ବିଶିଷ୍ଟ ମାଟି ଓ ଘାସରେ ତିଆରି କୁଡ଼ିଆରେ ରହନ୍ତି ।

ସେ ସ୍ଥାନୀୟ କୁଶ ଘାସରେ ଝାଡୁ ତିଆରି କରନ୍ତି ଏବଂ ସେଗୁଡ଼ିକୁ ଆଖପାଖ ଗାଁରେ ଝାଡୁ ପିଛା ୪୦ ଟଙ୍କା ଲେଖାଏଁରେ ବିକ୍ରି କରନ୍ତି; ସେ ମଧ୍ୟ ଏହି ଗାଁଗୁଡ଼ିକର ଜମିରେ ରୁଆ ଓ ଅମଳ ଋତୁରେ କାମ କରନ୍ତି ।

ତାଙ୍କୁ କେମିତି ଏହି ଅସାଧାରଣ ଗୃହପାଳିତ ଜୀବ ମିଳିଲେ ବୋଲି ମୁଁ ପଚାରିଲି । ମଦନଲାଲ ଉତ୍ତର ଦେଲେ, ‘‘ଦିନେ ମୁଁ ଜଙ୍ଗଲରେ ଜାଳେଣି କାଠ ସଂଗ୍ରହ କରୁଥିଲି, ମୁଁ ସେଠାରେ ତାଙ୍କୁ ପାଇଲି ଏବଂ ନିଜ ସହ ନେଇଆସିଲି ।’’

ନିକଟସ୍ଥ କୁଡ଼ିଆ ବାହାରେ ବସିଥିବା ମୁର୍ମୁଙ୍କର ପଡ଼ୋଶୀ କହିଲେ, ‘‘ଆମେ ଏହି ଯୋଡ଼ିଙ୍କର ସ୍ୱତନ୍ତ୍ର ଯତ୍ନ ନେଉ । ସେମାନେ ଶୁଭ କାରଣ ସେମାନେ ଦେବୀ ଲକ୍ଷ୍ମୀଙ୍କର ବାହନ ।’’ ତାଙ୍କ କଥାରେ ମୁର୍ମୁ ସହମତି ଦେଲେ । ଏହାଛଡ଼ା, ଏହି ପକ୍ଷୀ ବଡ଼ ହେବା ପରେ ଅଧିକ ଟଙ୍କା ପାଇପାରିବା।

ମଦନଲାଲ କହନ୍ତି, କାହ୍ନୁ ଓ ସିଧୁଙ୍କର ବୟସ ଏବେ ମାତ୍ର ଏକ ମାସରୁ ଅଧିକ, ଏବଂ ସେମାନଙ୍କର ଓଜନ ପ୍ରାୟ ଏକ କିଲୋ। ସେମାନଙ୍କୁ ସ୍ନେହର ସହ ଚାହିଁ ସେ ଆହୁରି କହନ୍ତି, ‘‘ସେମାନେ ଅଧିକ ବଡ଼, ସୁନ୍ଦର ଏବଂ ଓଜନିଆ ହେବାରେ ଲାଗିଛନ୍ତି।’’ ପକ୍ଷୀଗୁଡିକ ଛୋଟ ହୋଇଥିଲେ ବି ଏମାନଙ୍କର ଡେଣା ବଡ଼। ଏବେ ସେମାନେ ଅଧିକ ଉଡ଼ିବା ପାଇଁ ଖୁବ୍‌ ଛୋଟ ଏବଂ ସେମାନଙ୍କୁ ପିଞ୍ଜରାରେ ରଖାଯାଇନାହିଁ । ଯଦିଓ ସେମାନଙ୍କର ଗୋଡ଼ ବହୁତ ମଜବୁତ ଦେଖାଯାଉଛି।

ଭିଡିଓ ଦେଖନ୍ତୁ : ମୁର୍ମୁଙ୍କୁ ଭେଟନ୍ତୁ

ମଦନଲାଲ କହନ୍ତି, ସେ ଆଶା କରୁଛନ୍ତି ଯେ ସମ୍ପୂର୍ଣ୍ଣ ବଡ଼ ହେଲେ ଏମାନଙ୍କର ଓଜନ ୬-୭ କିଲୋ ମଧ୍ୟରେ ହେବ । ଯଦି ଏମିତି ହେବ, ତେବେ ସିଧୁ ଓ କାହ୍ନୁ ବିଶାଳ ଜୀବ ହୋଇଯିବେ, ଯେଉଁମାନେ ପ୍ରାୟ ତିନି କିଲୋ ବା ତା’ଠାରୁ ଅଧିକ ଓଜନର ହେଉଥିବା ଅଧିକାଂଶ ପେଚାଙ୍କଠାରୁ ବହୁ ଅଧିକ ଓଜନିଆ ହେବେ ।

କାହ୍ନୁ ଓ ସିଧୁ ମାଂସାହାରୀ । ମଦନଲାଲ କହନ୍ତି, ‘‘ମୁଁ ସେମାନଙ୍କୁ ଅଳ୍ପ ଭାତ ଦିଏ, କିନ୍ତୁ ସେମାନେ କୀଟପତଙ୍ଗ ପସନ୍ଦ କରନ୍ତି।’’ ମଦନଲାଲ ଆଶା କରନ୍ତି ପ୍ରାୟ ଏକମାସ ମଧ୍ୟରେ ସେମାନେ ମୂଷା ଭଳି ବଡ଼ ଶିକାର ଧରିବାରେ ସକ୍ଷମ ହୋଇଯିବେ ।

ଏହା ପ୍ରଥମ ଥର ନୁହେଁ ଯେ ଗାଁରେ କେହି ପେଚା ରଖିଛନ୍ତି। ମୁର୍ମୁଙ୍କର ପଡ଼ୋଶୀ କହନ୍ତି ଅତୀତରେ ‘ଦଲାଲମାନେ’ ଆସି ପକ୍ଷୀଙ୍କୁ ନେଇ ଟଙ୍କା ଦିଅନ୍ତି । ଏଥର ବି, ମଦନଲାଲ ଆଶା ରଖିଛନ୍ତି ଜଣେ କେହି ଦଲାଲ ଆସିବେ ଏବଂ ପ୍ରତ୍ୟେକ ପକ୍ଷୀ ପାଇଁ ୫୦-୬୦,୦୦୦ ଟଙ୍କା ପ୍ରଦାନ କରିବେ । ତା’ପରେ ସେମାନଙ୍କର କ’ଣ ହେବ ସେ ନିଶ୍ଚିତ ନୁହନ୍ତି । ‘‘ମୁଁ ଠିକ୍‌ ଭାବେ ଜାଣେ ନାହିଁ, ସେମାନେ ତାଙ୍କର କିଡ୍‌ନୀର ବ୍ୟବହାର କରୁଥାଇପାରନ୍ତି…ଡାକ୍ତରମାନେ ପେଚାଙ୍କୁ ପ୍ରୟୋଗ [ପରୀକ୍ଷାଗାରରେ ପରୀକ୍ଷା] ପାଇଁ ବ୍ୟବହାର କରନ୍ତି।’’

ଏବଂ ପୁଣି ସିଧୁ ଏବଂ କାହ୍ନୁ ତା’ର ଶିକାର ହେବେ। ଏଥର ସେମାନଙ୍କର ନିଜ ଲୋକଙ୍କ ହାତରେ।

ଅନୁବାଦ: ଓଡ଼ିଶାଲାଇଭ୍‍

Shreya Katyayini

Shreya Katyayini is a Video Coordinator at the People's Archive of Rural India, and a photographer and filmmaker. She completed a master's degree in Media and Cultural Studies from the Tata Institute of Social Sciences, Mumbai, in early 2016.

Other stories by Shreya Katyayini
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE